ଏକ ସର୍ଭେ ଅନୁସାରେ ଦେଶରେ ପ୍ରାୟ ୫୦ ପ୍ରତିଶତ ମହିଳା ମା ହେବା ପରେ ଚାକିରୀ ଛାଡନ୍ତି ତାଙ୍କ ଭିତରୁ ଯେଉଁମାନେ ବି ପୁଣିଥରେ ଯୋଗ ଦିଅନ୍ତି ସେମାନଙ୍କ ଭିତରୁ ଅନେକେ ପିଲାର ଦେଖାଶୁଣା କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲେ ଚାକିରୀ ଛାଡିବାକୁ ବାଧ୍ୟ ହୁଅନ୍ତି । କ୍ରେସ ନଥିବା ହେତୁ ଅନେକ କର୍ମଜୀବୀ ମହିଳାଙ୍କ କାମ କରିବାର ସୁଯୋଗରୁ ବଂଚିତ ହେଉଛନ୍ତି ।
ପ୍ରାୟ ୩ ବର୍ଷ ତଳେ ଅମୃତାଙ୍କ ପାଇଁ ମା ହେବାର ଖୁସି ଯେତିକି ଥିଲା ତାଠାରୁ ବେଶୀ କଷ୍ଟଦାୟକ ଥିଲା ଚାକିରୀ ଛାଡିବାର ନିଷ୍ପତି । କାରଣ ତାଙ୍କ ଛୁଆକୁ ଦେଖାଶୁଣା କରିବାକୁ ନା ଘରେ କିଛି ବ୍ୟବସ୍ଥା ଥିଲା ନା କର୍ମକ୍ଷେତ୍ରରେ । ବାଧ୍ୟହୋଇ ୭ ବର୍ଷର କ୍ୟାରିୟରରେ ସେଇଠି ଡୋର ବାନ୍ଧିବାକୁ ପଡିଥିଲା । ମୋର ଏବେବି ସେ ଦିନଗୁଡିକ କଥା ମନେପଡିଲେ ଆଖିରେ ଲୁହ ଆସିଯାଏ । କେତେ କଷ୍ଟକରି ପାଠପଢି ଚାକିରୀ କରିଥିଲି ହେଲେ ଛୁଆକୁ ଦେଖାଶୁଣା କରିବାକୁ କେହି ନଥିବା ହେତୁ ବାଧ୍ୟ ହୋଇ ଚାକିରୀ ଛାଡିବାକୁ ପଡିଲା, ବୋଲି କ୍ଷୋଭର ସହ କୁହନ୍ତି ଅମୃତା । କିନ୍ତୁ ତାଙ୍କ ସମସ୍ୟା ଏଇଠି ସରିନି । ତାଙ୍କ ଝିଅ ଏବେ ୩ ବର୍ଷର କିନ୍ତୁ ସେ ପୁଣି କାମ କରିବାକୁ ଚାହୁଁଥିଲେ ବି ତାଙ୍କ ଆଗରେ ଏକ ବିରାଟ ପ୍ରଶ୍ନ ତାଙ୍କ ଅନୁପସ୍ଥିତିରେ ଝିଅକୁ କିଏ ସମ୍ଭାଳିବ ?
ଅମୃତାଙ୍କ ପରି ଦେଶର ହଜାର ହଜାର ମହିଳା ମା ହେବା ପରେ ଘର ଓ ପରିବାର ସମ୍ଭାଳିବା ପାଇଁ ଚାକିରୀ ଛାଡିବାକୁ ବାଧ୍ୟ ହେଉଛନ୍ତି । ବିଶ୍ୱ ବ୍ୟାଙ୍କ ପ୍ରଦତ ଏକ ପରିସଂଖ୍ୟାନ ଅନୁସାରେ ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ କାମ କରୁଥିବା ମହିଳାଙ୍କ ସଂଖ୍ୟା ୨୦୧୦ରେ ୨୬ ପ୍ରତିଶତ ଥିବା ବେଳେ ୨୦୨୦ରେ ଏହା ୧୯ ପ୍ରତିଶତକୁ ଖସିଆସିଛି । ସେହିପରି ପିରିୟଡିକ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ୍) ୨୦୧୯-୨୦ର ବାର୍ଷିକ ବୁଲେଟିନ ଅନୁସାରେ ଦେଶରେ ପୁରୁଷଙ୍କ ତୁଳନାରେ ଯଥେଷ୍ଟ କମ ସଂଖ୍ୟକ ମହିଳା କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଅଛନ୍ତି । ପୁରୁଷମାନଙ୍କ ସଂଖ୍ୟା ୫୬.୮ ପ୍ରତିଶତ ଥିବା ବେଳେ ମହିଳାଙ୍କ ସଂଖ୍ୟା ୨୨.୨ ପ୍ରତିଶତରେ ସୀମିତ ରହିଛି । ଅନ୍ୟପକ୍ଷରେ କୋଭିଡ ପାଣ୍ଡେମିକ ସମୟରେ ଯେତେବେଳେ କମ୍ପାନୀ ଗୁଡିକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ସେତେବେଳେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ଚାକିରୀ ହରାଇବାକୁ ପଡିଛି । କାରଣ, ଘର, ପରିବାର ଓ ଛୁଆ ସମ୍ଭାଳିବା ଯୋଗୁଁ ତାଙ୍କର କାମ ଅନେକ ମାତ୍ରାରେ ପ୍ରଭାବିତ ହେଉଥିଲା ବୋଲି ମଧ୍ୟ କିଛି କମ୍ପାନୀ ପକ୍ଷରୁ ଅଭିଯୋଗ କରାହୋଇଛି ।
ତେବେ ମହିଳା ମାନେ ଯେପରି ଘର ଓ ପରିବାର ଦାୟିତ୍ୱ ସାଙ୍ଗକୁ ଅଧିକ ସଂଖ୍ୟାରେ କର୍ମକ୍ଷେତ୍ରରେ ଯୋଗ ଦେବେ ତାକୁ ଆଖିରେ ରଖି ୨୦୧୭ ମସିହାରେ ଦେଶରେ ମ୍ୟାଟରନିଟୀ ବେନେଫିଟ ଆକ୍ଟ ୧୯୬୧କୁ ସଂଶୋଧିତ କରାଗଲା । ଏହି ସଂଶୋଧନରେ ଅନ୍ୟ ବ୍ୟବସ୍ଥା ସାଙ୍ଗକୁ ମ୍ୟାଟରନିଟୀ ଳିଭ ବା ମାତୃତ୍ୱ ଛୁଟି କୁ ୧୨ ରୁ ୨୬ ସପ୍ତାହକୁ ବୃଦ୍ଧି, ମହିଳାମାନେ ଯେପରି ଘରେ ରହି କାମ କରିପାରିବେ ସେଥିପାଇଁ କମ୍ପାନୀ ଗୁଡିକୁ ପ୍ରୋତ୍ସାହନ କରିବା ଏବଂ ୫୦ ବା ତାଠାରୁ ଅଧିକ କର୍ମଚାରୀ ଥିଲେ କମ୍ପାନୀ ପରିସରରେ ଏକ କ୍ରେସର ବ୍ୟବସ୍ଥା କରିବା ଯାହାର ଖର୍ଚ କମ୍ପାନୀ ବହନ କରିବ ଇତ୍ୟାଦି ରଖାଗଲା ।
୨୦୧୭ ମସିହାରୁ ଏହା କାର୍ଯ୍ୟକାରୀ କରାଯାଇ ୩ ମାସ ମଧ୍ୟରେ କ୍ରେସ ଖୋଲିବା ପାଇଁ କମ୍ପାନୀ ଗୁଡିକୁ ସମୟ ଦିଆଗଲା କିନ୍ତୁ ଏବେ ୪ ବର୍ଷରୁ ଅଧିକ ସମୟ ବିତିବାକୁ ବସିଲାଣି ତଥାପି ଦେଶର କେତେ ସରକାରୀ ଓ ବେସରକାରୀ ସଂସ୍ଥାରେ କ୍ରେସର ବ୍ୟବସ୍ଥା ହୋଇଛି ତାର କୌଣସି ଡାଟା ଉପଲବ୍ଧ ନାହିଁ ।
ରାଜ୍ୟଗୁଡିକର ଉଦାସୀନତା
ପ୍ରତିମା କଟକ ହାଇକୋର୍ଟରେ ଓକିଲାତି କରନ୍ତି । କିନ୍ତୁ ଝିଅ ଜନ୍ମ ହେବା ପରେ ତାର ଦେଖାଶୁଣା କରିବା ପାଇଁ କେହି ନଥିବା ହେତୁ ପ୍ରାୟ ୫-୬ ବର୍ଷ ସେ ଓକିଲାତିଠାରୁ ନିଜକୁ ଦୂରେଇ ଦେଇଥିଲେ । ଏବେ ଦୁଇ ବର୍ଷ ହେବ ସେ ପୁଣି ଓକିଲାତି ଆରମ୍ଭ କରିଛନ୍ତି । ଜଣେ ସିଙ୍ଗଲ ମଦର ହେତୁ ତାଙ୍କୁ ତାଙ୍କ ପ୍ରଫେସନ ଓ ଝିଅକୁ ସମ୍ଭାଳିବା ପାଇଁ ବହୁ କଷ୍ଟ କରିବାକୁୁ ପଡେ । ଯେଉଁଦିନ କୋର୍ଟରେ ଅଭିଯୋଗକାରୀଙ୍କର କେସର ତାରିଖ ଥାଏ ମୋତେ ଝିଅକୁ ଛାଡି ଯିବାରେ ବହୁତ ଅସୁବିଧା ହୁଏ । ଯଦି କୋର୍ଟ ପରିସରରେ କ୍ରେସର ବ୍ୟବସ୍ଥା ଥାଆନ୍ତା ମୋ ଭଳି ଅନେକ ଓକିଲ ଓ ମହିଳା ଅଭିଯୋଗକାରୀ ଯେଉଁମାନେ ଅନେକ ସମୟରେ ଛୁଆକୁ ସାଙ୍ଗରେ ଧରି ଆସିଥାଆନ୍ତି ତାଙ୍କ ପାଇଁ ସୁବିଧା ହୁଅନ୍ତା ବୋଲି କୁହନ୍ତି ପ୍ରତିମା । ଏସବୁ କୁ ଦୃଷ୍ଟିରେ ରଖି ପ୍ରତିମା ସି କ୍ରିଏଟସ୍ଚେଞ.ଓଆରଜି ପ୍ଲାଟଫର୍ମରେ ଏକ ପିଟିସନ ଦାଖଲ କରିବାକୁ ଚିନ୍ତା କରୁଛନ୍ତି । ପ୍ରତିମାଙ୍କ ଭଳି ଭୁବନେଶ୍ୱର ସେକ୍ରେଟାରିଏଟର ଏକ ବିଭାଗରେ ଗୁରୁତ୍ୱପୂଣ୍ର୍ ପଦବୀରେ କାମ କରୁଥିବା ଦିପ୍ତୀମୟୀଙ୍କ ପାଇଁ ଛୁଆର ଯତ୍ନ, ଅଫିସ ଓ ପରିବାର ଏସବୁର ଦାୟିତ୍ୱ ତୁଲେଇବା ଏତେ ସହଜ ନଥିଲା । ମୁଁ ଯେ କେମିତି ଏସବୁ କୁ ତୁଲେଇଛି ସେକଥା ଭାବିଲା ବେଳକୁ ଦେହ ଶିତେଇ ଉଠେ । ଘର ପାଖରେ ଥିବା ଏକ ଡେ କେୟାର ସେଂଟରରେ ମୁଁ ଝିଅକୁ ଛାଡି ଅଫିସ ଯାଉଥିଲି ଅନେକ ସମୟରେ ପଡୋଶୀଙ୍କ ସହାୟତା ମଧ୍ୟ ନେଇଛି । ବେଶି ସମସ୍ୟା ହେଉଥିଲା ତା ଦେହ ଖରାପ ବେଳେ ଯଦି ସେକ୍ରଟାରିଏଟରେ କ୍ରେସ ଥାଆନ୍ତା ବୋଧହୁଏ ମୁଁ ମଝିରେ ମଝିରେ ଯାଇ ତାକୁ ଦେଖିପାରନ୍ତି କିନ୍ତୁ ବାରମ୍ବାର ଅଫିସରୁ ଆସି ତାକୁ ଡେ କେୟାର ସେଂଟରରେ ଦେଖିବା ଆଦୌ ସମ୍ଭବ ନଥିଲା । ଏବେ ମୋ ଝିଅ ଷ୍ଟାଣ୍ଡାଡ ୫ରେ ପଢୁଛି ସେ ନିଜେ ଏକା ରହିଯାଉଛି କିନ୍ତୁ ମନରେ ଅନେକ ଦ୍ୱନ୍ଦ ଆସେ ତାକୁ ଏକା ଛାଡିବା କେତେଦୂର ଠିକ ବୋଲି କୁହନ୍ତି ଦିପ୍ତୀମୟୀ ।
ସେକ୍ରେଟାରିଏଟରେ ୧୦୦୦ରୁ ଅଧିକ ମହିଳା କାମ କରନ୍ତି । ଯଦି ପୁରୁଷ ଓ ମହିଳା କର୍ମଚାରୀଙ୍କୁ ମିଶାଯାଏ ସେମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ କିନ୍ତୁ ଏପର୍ଯ୍ୟନ୍ତ ସେକ୍ରେଟାରିଏଟ ପରିସରରେ କ୍ରେସର ବ୍ୟବସ୍ଥା ନାହିଁ । ଖାଲି ସେକ୍ରେଟାରିଏଟ କାହିଁକି, ହସପିଟାଲ, କୋର୍ଟ, ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ମିଡିଆ ଅଫିସ କେଉଁଠି ବି ଏ ବ୍ୟବସ୍ଥା ନାହିଁ । ସରକାର ଯେବେ ନିଜ ସଂସ୍ଥାରେ ଏ ବ୍ୟବସ୍ଥା କରିନାହାନ୍ତି ଅନ୍ୟ ସଂସ୍ଥା ବିଷୟରେ କଣ କୁହାଯିବ ।
ଶୂନରୁ ୬ ବର୍ଷ
ତଥ୍ୟ କୁହେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ମହିଳା ଶିକ୍ଷା କ୍ଷେତ୍ରରେ ଆଗେଇଛନ୍ତି ଓ ପରେ କର୍ମକ୍ଷେତ୍ରରେ ମଧ୍ୟ ଯୋଗଦେଇଛନ୍ତି । ଜେନପ୍ୟାକ ସେଂଟର ଫର ଓିମେନ ଲିଡରସିପ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ଦେଶରେ ପ୍ରାୟ ୫୦ ପ୍ରତିଶତ ମହିଳା ମା ହେବା ପରେ ଚାକିରୀ ଛାଡନ୍ତି ତାଙ୍କ ଭିତରୁ ଯେଉଁମାନେ ବି ପୁଣିଥରେ ଯୋଗ ଦିଅନ୍ତି ସେମାନଙ୍କ ଭିତରୁ ୪୮ ପ୍ରତିଶତ ଯୋଗ ଦେବାର ୪ ମାସ ଭିତରେ ଚାକିରୀ ଛାଡିଦିଅନ୍ତି । କାରଣ ପ୍ରଥମ କିଛି ବର୍ଷ ଗୁଡିକରେ ପିଲାର ଦେଖାଶୁଣା କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲେ ସେମାନେ ଚାକିରୀ ଛାଡିବାକୁ ବାଧ୍ୟ ହୁଅନ୍ତି । ମା ହେବା ପରେ ମାତ୍ର ୨୭ ପ୍ରତିଶତ ମହିଳା କର୍ମ କ୍ଷେତ୍ରରେ ତିଷ୍ଠି ରହିବାରେ ସକ୍ଷମ ହୁଅନ୍ତି । ସେଥିରୁ ମାତ୍ର ୧୬ ପ୍ରତିଶତ ମହିଳା ଆଗକୁ ବଢି ସିନିୟର ଲେବଲକୁ ଯିବାରେ ସକ୍ଷମ ହୁଅନ୍ତି । ମହିଳାମାନେ କ୍ୟାରିୟରରେ ଉଚ୍ଚସ୍ତରକୁ ଯାଇନପାରିବାର ବିଭିନ୍ନ କାରଣ ମଧ୍ୟରୁ ଏହା ଅନ୍ୟତମ ବୋଲି ଏଥିରେ ଉଲ୍ଲେଖ ଅଛି ।
ସୁନନ୍ଦା ଭୁବନେଶ୍ୱରରେ ଏକ ମିଡିଆ ସଂସ୍ଥାରେ କାମ କରୁଥିଲେ କିନ୍ତୁ ଅଫିସରେ କ୍ରେସର ସୁବିଧା ନଥିବାରୁ ବାଧ୍ୟ ହୋଇ ସେ ଚାକିରୀ ଛାଡିଥିଲେ । ସୁନନ୍ଦା କିଛି ବର୍ଷର ବ୍ୟବଧାନ ପରେ ପୁଣି କ୍ୟାରିୟରରେ ଫେରିବାକୁ ଚାହିଁବାରୁ ତାଙ୍କ ପାଇଁ ଆଉ ସେ ସୁଯୋଗ ନଥିଲା ବୋଲି ସେ କ୍ଷୋଭର ସହ କୁହନ୍ତି । ତେବେ କ୍ରେସ ଥିଲେ ତାଙ୍କ କ୍ୟାରିୟରରେ ଏଭଳି ବାଧା ସୃଷ୍ଟି ହୋଇନଥାନ୍ତା ବୋଲି ସେ ମତ ଦିଅନ୍ତି । ଅନେକ ମହିଳା ଯେଉଁମାନେ କି ପରିବାର ଲୋକଙ୍କ ସହଯୋଗରେ ଚାକିରୀ କରନ୍ତି କିନ୍ତୁ ସଂସ୍ଥାରେ କ୍ରେସଥିଲେ ଏହାଦ୍ୱାରା ବେଶୀ ସୁବିଧା ହୁଅନ୍ତା ବୋଲି ମତ ଦେଇଛନ୍ତି ।
ଚଳିତବର୍ଷ ଓଡ଼ିଶା ମାନବ ଅଧିକାର କମିଶନ ଆଗାମୀ ୬ ମାସ ମଧ୍ୟରେ ମହିଳା କର୍ମଚାରୀଙ୍କ ପାଇଁ କ୍ରେସ ବ୍ୟବସ୍ଥା କରିବାକୁ ସରକାରଙ୍କୁ କହିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କାମ କରୁଥିବା କର୍ମଜୀବୀ ମହିଳାଙ୍କ ପାଇଁ କ୍ରେସର ବ୍ୟବସ୍ଥା କରିବାକୁ ମାନବ ଅଧିକାର କର୍ମୀ ତଥା ଆଡଭୋକେଟ ବିଶ୍ୱପ୍ରିୟ କାନୁନଗୋ ୨୦୧୯ରେ ଏକ ପିଟିସନ ଦାଖଲ କରିଥିଲେ । କମିଶନ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗକୁ ଏକ ନୋଟିସ ଇସ୍ୟୁ କରି ଏ ବିଷୟରେ ରିପୋର୍ଟ ଦେବାକୁ ଲେଖିଛନ୍ତି ।
ବିଭିନ୍ନ ନିର୍ମାଣ ସଂସ୍ଥା ଗୁଡିକରେ ଦିନ ମଜୁରିଆ ଭାବେ କାମ କରୁଥିବା ମହିଳାମାନେ ଏ ସମସ୍ୟା ବେଶୀ ପରିମାଣରେ ଭୋଗନ୍ତି । ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ନିଶ୍ଚିତ ଆଇନ ୨୦୦୫ରେ ଏବିଷୟରେ ଉଲ୍ଲେଖ କରାଯାଇଛି ଯେ, ମହିଳା ଶ୍ରମିକଙ୍କ ସହ ୬ ବର୍ଷରୁ କମ ବୟସର ପିଲା ଥିଲେ ତାଙ୍କ ପାଇଁ ସେହି ପରିସରରେ ଏକ କ୍ରେସର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏବଂ ସେହି ମହିଳା ଶ୍ରମିକଙ୍କ ମଧ୍ୟରୁ ଜଣେ ସେଇ ପିଲାମାନଙ୍କ ଦେଖାଶୁଣା ଓ ଯତ୍ନ ଦାୟିତ୍ୱରେ ରହିବେ । ତାଙ୍କୁ ଅନ୍ୟ ଶ୍ରମିକଙ୍କ ଭଳି ସମାନ ମଜୁରୀ ଦିଆଯିବ । କିନ୍ତୁ ଦୁଃଖର ବିଷୟ ରାଜ୍ୟର ଅଧିକାଂଶ ସ୍ଥାନରେ ମନରେଗା ହେଉ ବା ନିର୍ମାଣ କାମ ହେଉ କେଉଁଠି ବି ମହିଳା ଶ୍ରମିକଙ୍କ ଛୁଆର ଯତ୍ନ ନେବାପାଇଁ କ୍ରେସର ବ୍ୟବସ୍ଥା କରାଯାଇନଥାଏ । ବରଂ ଏ ବିଷୟରେ ଜଣେ ମହିଳା ଶ୍ରମିକଙ୍କୁ ପଚରାଯିବାରେ ସେ ଉତର ଦେଇଥିଲେ ଯେ କାଖରେ ଛୁଆ ଥିଲେ କାମ ମିଳେନା । ସୁପରଭାଇଜର କୁହନ୍ତି, ଛୁଆକୁ ଘରେ ଛାଡିକି ଆସିଲନି । ଘରେ କେହି ଦେଖାଶୁଣା କରିବାକୁ ନାହାନ୍ତି ବୋଲି କହିଲେ କାମ ତ ମିଳେ କିନ୍ତୁ ଖରା, ବର୍ଷା, ଶୀତ କାକର ସବୁବେଳେ ଖୋଲା ଆକାଶ ତଳେ ଛାଡି ଆମେ କାମ କରିବାକୁ ବାଧ୍ୟ ହୋଇଥାଉ ।
ତେବେ ଏକ୍ଷେତ୍ରରେ ସୁନ୍ଦରଗଡ ଜିଲା ପ୍ରଶାସନ କିଛି ପାଦ ଆଗେଇଛନ୍ତି । ଚଳିତବର୍ଷ ଏପ୍ରିଲ ମାସରୁ ବିଭିନ୍ନ କ୍ଷେତ୍ର ଯେପରି-କୃଷି, ନିର୍ମାଣ, ଶିଳ୍ପ ଓ ଖଣିରେ କାମ କରୁଥିବା ମହିଳାଙ୍କ ପିଲାଙ୍କ ଦେଖାଶୁଣା ଓ ଯତ୍ନ ପାଇଁ କ୍ରେସ ବା ଡେ କେୟାର ସେଂଟର କଳିକା ଖୋଲାଯାଇଛି । ଦିନ ମଜୁରିଆଠୁ ଆରମ୍ଭ କରି ଛୋଟ ସଂସ୍ଥାରେ କାମ କରୁଥିବା ସବୁ ମହିଳା ତାଙ୍କ ପିଲାଙ୍କୁ ଏହି ଡେ କେୟାର ସେଂଟରରେ ଛାଡି ଆଶ୍ୱସ୍ତିର ସହ କାମକୁ ଯାଉଛନ୍ତି । ଡିଷ୍ଟିକ୍ଟ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ସହାୟତାରେ ଜିଲାର ରାଇରଙ୍ଗପୁର, ଲହୁଣୀପଡା, କୋଇରା, ହେମଗିରି, କୁଆଁରମୁଣ୍ଡା ଓ କୁଟ୍ରା ଆଦି ବ୍ଲକରେ ୯୦ ଟି କଳିକା କେନ୍ଦ୍ର ଖୋଲାଯାଇଛି । କିନ୍ତୁ ଅନ୍ୟ କିଛି ଜିଲାରେ ଏହି ପାଣି୍ଠ ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ଏହା ହୋଇପାରୁନାହିଁ ବୋଲି କେତେକ ଅଭିଯୋଗ କରିଛନ୍ତି ।
ପିତୃକେନ୍ଦ୍ରିକ ମାନସିକତା
ଅନ୍ୟ ପକ୍ଷରେ କର୍ମକ୍ଷେତ୍ର ପରିସରରେ କ୍ରେସର ବ୍ୟବସ୍ଥା କରିବା ପ୍ରତି ଆଗ୍ରହୀ ନହେବା ଏକ ପିତୃକେନ୍ଦ୍ରିକ ମାନସିକତା ବୋଲି କେତେକ ଅଭିଯୋଗ କରିଛନ୍ତି । ପିଲା ଜନ୍ମ ଠାରୁ ଲାଳନପାଳନ ପର୍ଯ୍ୟନ୍ତ ଏସବୁ ମହିଳାଙ୍କ କାମ ପୁରୁଷମାନଙ୍କର ଏହା କାମ ନୁହେଁ ଏଣୁ ଡେ କେୟାର ସେଂଟରର ଆବଶ୍ୟକତା ନାହିଁ । ପୁଣି ଅଫିସରେ କାମକରୁଥିବା ମହିଳା କର୍ମଚାରୀ ଓ ସେମାନଙ୍କ ପିଲା ଯଦି ଶୂନ ରୁ ୬ ବର୍ଷ ବୟସ ଭିତରେ ନାହାନ୍ତି ତେବେ କ୍ରେସ କରିବାର ଆବଶ୍ୟକତା ନାହିଁ ବୋଲି ଓଲଟା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି । କିନ୍ତୁ ସଂଶୋଧିତ ଆଇନରେ ସିଧାସଳଖ ଉଲ୍ଲେଖ ଅଛି ଯେ ୫୦ ବା ତତୁର୍ଦ୍ଧ କର୍ମଚାରୀ (ଉଭୟ ପୁରୁଷ ଓ ମହିଳା) ଥିଲେ ସଂସ୍ଥା ଗୁଡିକ କ୍ରେସ ଖୋଲିବା ଆବଶ୍ୟକ ।
ତେବେ ଯେଉଁଠି ରାଜ୍ୟ ସରକାର ମହିଳା ସଶକ୍ତିକରଣ ଓ ଅଧିକରୁ ଅଧିକ ମହିଳା ଯେପରି କର୍ମକ୍ଷେତ୍ରରେ ଯୋଗଦିଅନ୍ତୁ ତା ଉପରେ ଗୁରୁତ୍ୱ ଦେଉଛନ୍ତି ସେଠି ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥାରେ ଏହି ଆଇନକୁ କଡାକଡି ଲାଗୁ ନକରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟ ସରକାର କର୍ମଜୀବୀ ମହିଳାଙ୍କ ପାଇଁ କ୍ରେସର ସୁବିଧା କଲେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ କାମ କରୁଥିବା ମହିଳା ଉପକୃତ ହେବେ । ଓ ଅମୃତାଙ୍କ ଭଳି ପୁଣିଥରେ କାମକୁ ଫେରିବାକୁ ଚାହୁଁଥିବା ମହିଳାମାନେ ମଧ୍ୟ କର୍ମକ୍ଷେତ୍ରରେ ଯୋଗଦେଇପାରିବେ । ଏପର୍ଯ୍ୟନ୍ତ କଣ୍ର୍ାଟକ ସହରର ବାଙ୍ଗାଲୋର ଦେଶର ପ୍ରଥମ ରାଜ୍ୟ ଭାବେ ଏହି ଆଇନକୁ କାର୍ଯ୍ୟକାରୀ କରାଇ ପାରିଛି । ଯଦି ଓଡିଶା ସରକାର ଏହି ଆଇନକୁ ଲାଗୁ କରନ୍ତି ତେବେ ଏହା ଦ୍ୱାରା ପ୍ରତିଦିନ ଛୁଆକୁ ରଖିବା ପାଇଁ ମାନସିକସ୍ତରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କର୍ମଜୀବୀ ମହିଳାଙ୍କୁ ଆଉ ଅସୁବିଧା ହେବ ନାହିଁ ଏବଂ ସେମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ।
ଆବଶ୍ୟକତା ଦୃଷ୍ଟିରୁ କିଛି ଛଦ୍ମନାମ ବ୍ୟବହାର କରାଯାଇଛି