ନିଜ ମନର ମଣିଷକୁ ଉପହାର ଦେବା ପାଇଁ ଜଣେ ଅବିବାହିତ ଡଙ୍ଗରିଆ କନ୍ଧ ମହିଳାଟିଏ ଦିନ ଦିନ ଧରି ଢ଼େର ସଉକରେ କପଡାଗଣ୍ଡା ଶାଲକୁୁ ବୁଣେ । ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ୍)ର ମାନ୍ୟତା ଅପେକ୍ଷାରେ ଥିବା ଏହି ଶାଲ୍ ପ୍ରେମର ପ୍ରତିକ ଭାବେ ଢ଼େର ପୂର୍ବରୁ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାମାନଙ୍କଠାରେ ଆଦୃତ । ଏବେ ଡଙ୍ଗରିଆ କନ୍ଧ ଜନଜାତିର ମହିଳାଙ୍କ ହାତ ତିଆରି ଶାଲ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିପାରିଛି । ଏହାବାଦ ସେମାନଙ୍କ ପ୍ରସ୍ତୁତ ଶାଲ ବା କପଡାଗଣ୍ଡାକୁ ଇ କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି ।
ଭୁବନେଶ୍ୱର ;
ଧଳା କପଡା ଉପରେ ନାଲି, ହଳଦିଆ, ସବୁଜ, କମଳା ରଙ୍ଗର ସରୁ ସରୁ ସୂତାରେ ବନ୍ଧା ହୋଇଥିବା ଆଦିବାସୀ ମୋଟିଫ୍ କେବଳ ଏକ ସାଧାରଣ ଡିଜାଇନ୍ ନୁହେଁ । ବରଂ ବର୍ଷ ପରେ ବର୍ଷ ଧରି ଏହି କାରିଗରୀ ପରମ୍ପରାଗତ ଭାବେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ଜୀବନ ସହ ଓତପ୍ରତ ଭାବେ ଜଡିତ ହୋଇ ରହିଆସିଛି । ଡଙ୍ଗରିଆଙ୍କ ଏହି ସାଧାରଣ ଜୀବନ ଶୈଳୀର ସଙ୍କେତ ଭାବେ ତାଙ୍କ ପ୍ରସ୍ତୁତ ଶାଲ ବା କପଡାଗଣ୍ଡାକୁ ଏବେ ଇ କମର୍ସ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସରକାର ଆଗେଇ ଆସିଛନ୍ତି । ଉଦ୍ଦେଶ୍ୟ ଏହି ଜନଜାତିର ଲୋକଙ୍କୁ କାମ ଯୋଗାଇଦେବା ଓ ସେମାନଙ୍କର ପାରମ୍ପରିକ କାରିଗରୀକୁ ଜୀବିତ ରଖିବା ।
ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନଙ୍କ ହାତ ତିଆରି ଏହି କପଡାଗଣ୍ଡା ଶାଲ ଏବେ ରାୟଗଡା ଜିଲ୍ଲାର ଉପାନ୍ତ ଅଂଚଳର ପାଖାପାଖି ୧୮୦୦ ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିଛି । ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ୍)ର ମାନ୍ୟତା ଅପେକ୍ଷାରେ ଥିବା ଏହି ଶାଲ୍ ପ୍ରେମର ପ୍ରତିକ ଭାବେ ଢ଼େର ପୂର୍ବରୁ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାମାନଙ୍କଠାରେ ଆଦୃତ । ଯାହାକି ଜଣେ ନିଜ ମନର ମଣିଷକୁ ଉପହାର ଭାବେ ଦେବା ପାଇଁ ଦିନ ଦିନ ଧରି ଢ଼େର ସଉକରେ ଏହାକୁ ବୁଣେ । ଏବେ ପରମ୍ପରା ସାଙ୍ଗକୁ ସେମାନଙ୍କୁ କାମ ମଧ୍ୟ ମିଳିଛି । ବ୍ୟବସାୟିକ ଦୃଷ୍ଟି କୋଣରୁ ଗୋଟିଏ ଶାଲ୍ ତିଆରି କରିବାକୁ ୨ ଦିନ ସମୟ ଲାଗୁଥିବା ବେଳେ ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ଭାବେ ମିଳୁଛି ୨ ହଜାର ଟଙ୍କା ।
ପ୍ରକୃତି ଓ ପ୍ରେମର ସମାହାର
ଓଡିଶାରେ ଥିବା ୧୩ ପ୍ରକାର ପିଭିଟିଜି ଜନଜାତି ଭିତରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ସଂଖ୍ୟା ସବୁଠାରୁ ଅଧିକ । ଏହି ଜନଜାତି ରାୟଗଡା ଜିଲ୍ଲାର ବିଷମକଟକ, ମୁନିଗୁଡା, କଲ୍ୟାଣସିଂହପୁର ଆଦି ବ୍ଲକ୍ରେ ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡା ବ୍ଲକ୍ରେ ଦେଖାଯାଇଥାନ୍ତି । ଜିଲ୍ଲାର ପାହାଡି ଅଂଚଳରେ ୨୩୦୦ ପରିବାରରେ ପାଖାପାଖି ୧୦ ହଜାର ୨୦୦ ଡଙ୍ଗରିଆ କନ୍ଧ ବସବାସ କରିଥାନ୍ତି । ସେମାନେ ସେମାନଙ୍କର ମାରିଆ ଉତ୍ସବ ପାଇଁ ବେଶ ଜଣାଶୁଣା । ଏହି ସମ୍ପ୍ରଦାୟ ଭିତରେ ବ୍ୟବହାର କରାଯାଉଥିବା କୁଭି ଭାଷା (ଦ୍ରାବିଡିୟ ଭାଷାର ଏକ ମିଶ୍ରଣ) ଓ ସେମାନଙ୍କ ଦ୍ୱାରା ପରିଧାନ କରାଯାଉଥିବା ସ୍ୱତନ୍ତ୍ର ପୋଷାକ ପାଇଁ ସେମାନେ ଅନ୍ୟ ଜନଜାତିର ଲୋକଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର । କେବଳ ସେତିକି ନୁହେଁ ଏହି ଜନଜାତିର ଲୋକମାନେ ପ୍ରକୃତ ପ୍ରାକୃତିକ ବିଶେଷଜ୍ଞ ଅଟନ୍ତି । ନିଜ ଅଂଚଳରେ ଦେଖାଯାଉଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କ ବିଷୟରେ ସେମାନଙ୍କର ଅଶେଷ ରହିଛି । ପ୍ରକୃତିକୁ ସୁରକ୍ଷା ଦେବା, ତାର ସଂରକ୍ଷଣ ଠାରୁ ଆରମ୍ଭ କରି ପାରମ୍ପରିକ ଜ୍ଞାନ କୌଶଳର ଉପଯୋଗରେ ଏମାନେ ନିଜ ଅଂଚଳକୁ ସୁରକ୍ଷା ଦେଇଥାନ୍ତି । ସେମାନଙ୍କର ଏହି ନିଆରା ସଂସ୍କୃତି, ଜୀବନଶୈଳୀ ଓ ପ୍ରକୃତି ପ୍ରତି ସେମାନଙ୍କର ଭଲପାଇବା କପଡାଗଣ୍ଡା ଶାଲ୍ରେ ବେଶ ଭଲ ଭାବେ ପ୍ରତିଫଳିତ ହୋଇଥାଏ ।
ଏ ବାବଦରେ ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ମ୍ୟାନେଜର ସୁଦର୍ଶନ ପାଢ଼ୀ କହନ୍ତି; ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନେ ସାଧାରଣତ ତିନି ପ୍ରକାର ଶାଲ୍ ପ୍ରସ୍ତୁତ କରିଥାନ୍ତି । ସିଆଳିଗୁଣ୍ଡାକୁ ସେମାନେ ଶରୀରର ତଳ ଭାଗକୁ ଆବୃତ କରିବାକୁ ପିନ୍ଧୁଥିବା ବେଳେ ଉଲମ୍ବି ଗୁଣ୍ଡାରେ ଶରୀରର ଉପରଭାଗକୁ ଆବୃତ କରିଥାଆନ୍ତି ଓ କପଡାଗଣ୍ଡାରେ ମୁଣ୍ଡକୁ ଘୋଡାଇ ଥାଆନ୍ତି । ଏସବୁ ବାଦ ସେମାନେ ନିଜ ପ।।ଖରେ ଅନ୍ୟ ଏକ ସ୍ୱତନ୍ତ୍ର କପଡା ବା ଲୁଗା ରଖିଥାନ୍ତି । ଯାହାକୁକି ସେମାନେ ଅଙ୍ଗିନାଗୁଡା କହନ୍ତି । ଘରୁ ବାହାରକୁ ଗଲାବେଳେ ଟଙ୍କା ନେବାପାଇଁ କିମ୍ବା ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଆଣିବା ପାଇଁ ସେମାନେ ଏହି ଅତିରିକ୍ତ କପଡାକୁ ବ୍ୟବହାର କରିଥାନ୍ତି । ଉଭୟ ପୁରୁଷ ଓ ମହିଳାମାନେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଉତ୍ସବରେ କପଡାଗଣ୍ଡାକୁ ବ୍ୟବହାର କରିଥାନ୍ତି ।
ଏ ବାବଦରେ ୪୯ ବର୍ଷୀୟ ତୁରୁକା ପୁସିକା କହନ୍ତି; ଆମ ଜନଜାତିର ମହିଳାମାନେ ଯେଉଁ ପାରମ୍ପରିକ ଶାଲ୍ ତିଆରି କରନ୍ତି ତାହାକୁ ଆମେ ପାରମ୍ପରିକ ଭାଷାରେ କପଡାଗଣ୍ଡା କହିଥାଉ । ରାୟଗଡା ଜିଲ୍ଲାର ନିୟମଗିରି ପାହଡି ମହିଳାମାନେ ଏହି ଶାଲ୍କୁ ନିଜର ପ୍ରେମ ନିବେଦନ ସ୍ୱରୂପ ଓ ସମ୍ମାନ ଆକରରେ ନିଜର ପ୍ରିୟର ମଣିଷକୁ ଉପହାର ଦେଇଥାନ୍ତି । ସବୁଜ ରଙ୍ଗ ଜୈବବିବିଧତାର ସ୍ୱରୂପ ଭାବେ ବ୍ୟବହାର କରାଯାଉଥିବା ବେଳେ ହଳଦିଆ ଶାନ୍ତିକୁ , ନାଲି ରଙ୍ଗ ସେମାନଙ୍କର ଧର୍ମୀୟ ଭାବନାକୁ ଓ ନାରଙ୍ଗୀ (କମଳା) ରଙ୍ଗ ଧରଣୀପେନୁର ଉପସ୍ଥିତିକୁ ପ୍ରତିପାଦିତ କରିଥାଏ । ତେଣୁ ଏହି ସ୍ୱତନ୍ତ୍ର ଶାଲ୍ ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନଙ୍କ ଭାବାବେଗ ସହ ବେଶ ନିବିଡ ଭାବେ ଜଡିତ ।
୧୮୦୦ ମହିଳାଙ୍କୁ ମିଳିଛି ରୋଜଗାର
ରାୟଗଡା ଜିଲ୍ଲା ଧମଣପଙ୍ଗା ଗାଁର ସୁନାମଣି କଦରକା କହନ୍ତି; ବୁଣାକାରୀ ଆମର ଏକ ପାରମ୍ପାରିକ କାରିଗରୀ ହେତୁ ଗାଁର ଅଧିକାଂଶ ଲୋକ ଏହି କାମ ସହ ସଂପୃକ୍ତ । ଆମେ ପ୍ରସ୍ତୁତ କରୁଥିବା ଲୁଗାର ଗୁଣବତା ଅନ୍ୟ ଲୁଗାଠାରୁ ଢ଼େର ଉତ୍କୃଷ୍ଟ । ୧୫ରୁ ୬୦ ବର୍ଷ ବୟସର ମହିଳାମାନେ ଏହି ଶାଲ୍ ବୁଣିଥାନ୍ତି । ବର୍ତମାନ ଜିଲ୍ଲାରେ ୧୮୦୦ ଏପରି ଡଙ୍ଗରିଆ କନ୍ଧ ଜନଜାତିର ମହିଳା ଅଛନ୍ତି ଯେଉଁମାନେ କି କପଡାଗଣ୍ଡା ଲୁଗା ବୁଣି ରୋଜଗାରକ୍ଷମ ହୋଇପାରିଛନ୍ତି ।
ରାଜ୍ୟ ସରକାର ମଧ୍ୟ ଏହି ନିର୍ଦ୍ଦିଷ୍ଟ ଜନଜାତିଙ୍କ ପାଇଁ ଓଡିଶା ପିଭିଟିଭି ସଶକ୍ତିକରଣ ଓ ଜୀବିକାର୍ଜନ କାର୍ଯ୍ୟକ୍ରମ (ପିଜିଟିଜି ଏମ୍ପାୱାରମେଂଟ ଆଣ୍ଡ ଲାଇଭଲିହୁଡ ଇମ୍ପ୍ରୁଭ୍ମେଂଟ ପ୍ରୋଗ୍ରାମ) ମାଧ୍ୟମରେ ମାସିକ ୩୦୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେବାର ବନ୍ଦୋବସ୍ତ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀମାସରୁ ପ୍ରତିଟି ଡଙ୍ଗରିଆ କନ୍ଧ ବୁଣାକାରଙ୍କୁ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାର କପଡାଗଣ୍ଡା ଶାଲ୍ ବିକ୍ରିବଟା ପାଇଁ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପମେଳାରେ ସ୍ୱତନ୍ତ୍ର ଷ୍ଟଲ ମଧ୍ୟ କରୁଛନ୍ତି ।
ଆରିଷାକାନି ଗାଁର ମେନକା ୱାଡେକା କହନ୍ତି ଆଜିକୁ ୧୦ ବର୍ଷ ତଳେ ଯେବେ ପ୍ରଥମ କରି ମୁଁ ମୋ ସ୍ୱାମୀକୁ ପସନ୍ଦ କରିଥିଲି ତାଙ୍କୁ କପଡାଗଣ୍ଡା ଦେଇଥିଲି । ଏବେ ଆମେ ଉଭୟେ ଏକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛୁ । ଶାଲ୍ ତିଆରି କରିବା ପରଠାରୁ ଘରକୁ ବେଶ କିଛି ରୋଜଗାର କରି ଦେଇପାରୁଛି । ଶାଲ ବୁଣିବାକୁ ଭଲ ଲାଗୁଥିବାରୁ ମୁଁ ଏହି କାମ କରିବାରେ କେବେ ହେଲେ ଥକେ ନାହିଁ । ଡଙ୍ଗରିଆ କନ୍ଧ ଶାଲ୍ ତିଆରି କରିବା କାମରେ ଆମେ ସଲପଝୋଲା ଗାଁର ୩୦ ଜଣ ମହିଳା ନିୟୋଜିତ ହୋଇଛୁ । ସେମାନଙ୍କ ଭିତରୁ ମୁଁ ଜଣେ । ଡଙ୍ଗରିଆ କନ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାର ଆମକୁ ମାଗଣାରେ ଛୁଂଚି ଓ ରଙ୍ଗ ସୂତା ଯୋଗାଇ ଦେଉଛନ୍ତିି । ଏହାବାଦ ଶାଲ୍ ପିଛା ଆମକୁ ହଜାରେ ଟଙ୍କା ବି ଦେଉଛନ୍ତି ।
ବିଶେଷଜ୍ଞ ଦେଉଛନ୍ତି ତାଲିମ
ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନେ ନିଜର ପାରମ୍ପରିକ କାରିଗରୀକୁ କିପରି ବ୍ୟବସାୟୀକରଣ କରିବେ ସେଥିପାଇଁ ସେମାନଙ୍କୁ ବିଭିନ୍ନ ଡିଜାଇନର ଓ ବିଶେଷଜ୍ଞମାନଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ଡଙ୍ଗରିଆ କନ୍ଧ ବିକାଶ କର୍ତୃପକ୍ଷ ଦ୍ୱାରା ଆମ ପରମ୍ପରା ଆମ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ତାଲିମ ସୁବିଧା କରାଯାଇଛି । ଜାନୁୟାରୀ ୨୦୨୨ରେ ଏହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ପାଖାପାଖି ୧୧୦ ମହିଳାଙ୍କୁ ଏହା ମାଧ୍ୟମରେ ତାଲିମ ଦିଆଯାଇ ସାରିଲାଣି । ମହିଳାଙ୍କୁ ଏକାଠି କରି ସେମାନଙ୍କ କାରିଗରୀଙ୍କୁ ବଜାରୀକରଣ କରିବା ପାଇଁ ନିୟମଗିରି ଡଙ୍ଗରିଆ ମହିଳା ବୁଣାକାର ସଂଘ ଗଠନ କରାଯାଇଛି । ବର୍ତମାନ ଏହି ୧୧୦ ଜଣ ମହିଳାମାନଙ୍କଠାରୁ ବର୍ଷକୁ ପାଖାପାଖି ୫୦୦୦ ଶାଲ୍ କିଣାଯାଉଛି । ଏହାଛଡା ରାୟଗଡାରେ ଏକ ଶାଲ୍ ସେଲିଂ ସେଂଟର ପ୍ରତିଷ୍ଠା କରିବା ସହ ବୁଣାକାର ମହିଳାମାନଙ୍କ ସହ ବିଭିନ୍ନ ସମୟରେ ୱାର୍କସପ୍ମାନ ଆୟୋଜନ କରାଯାଉଛି । ଖୁବ ଅଳ୍ପ ଦିନ ଭିତରେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଓ ପର୍ଯ୍ୟଟକମାନେ ସିଧାସଳଖ ଏଠାକୁ ଆସି ଶାଲ୍ କିଣିବା ସହ ବୁଣିବା ପ୍ରଣାଳୀକୁ ଦେଖି ପାରୁଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।