ବର୍ତମାନ ସାରା ଓଡ଼ିଶା ବନ୍ୟା ପରିସ୍ଥିତି ସହ ଯୁଝୁଛି । ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ସାଢେ ୪ ଲକ୍ଷ ଲୋକ ବନ୍ୟା ଘେରରେ ଏବେମଧ୍ୟ ରହିଛନ୍ତି ଓ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ପୁରୀ ଜିଲ୍ଲାରେ ୫୫ଟି ପଂଚାୟତର ୨୦୧ଟି ଗାଁର ଦେଢଲକ୍ଷ ଲୋକ ବନ୍ୟା ଯୋଗୁଁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟରେ ବିଶେଷ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
ଭୁବନେଶ୍ୱର ;
କିଛି ଦିନ ହେବ ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ବ୍ଲକ ବେହେରାସାହି ଗାଁର ୨୨ ବର୍ଷୀୟ ସୁମିତ୍ରା ବେହେରାଙ୍କୁ ଗୋଟିଏ ଚିନ୍ତା ଘାରୁଛି । କେବେ ବନ୍ୟା ପାଣି କମିବ ଓ ସେ ପରିସ୍ରା ଓ ମଳତ୍ୟାଗ ପାଇଁ ବାହାରକୁ ଯାଇପାରିବେ । ଯେବେଠାରୁ ବନ୍ୟା ଅସିଛି, ସୁମିତ୍ରା ଓ ତାଙ୍କ ସମବୟସୀ ମହିଳା ମାନେ କମ ଖାଉଛନ୍ତି ଓ କମ ପାଣି ପିଉଛନ୍ତି । କାରଣ ପଚାରିଲେ କୁହନ୍ତି ବନ୍ୟା ଯୋଗୁଁ ପିଇବା ପାଣିର ଘୋର ଅଭାବ ତା ସାଙ୍ଗକୁ ଚାରିଆଡେ ପାଣି । ଦିନରେ ବାହାରକୁ ଯିବା ସଂକୋଚ ଲାଗୁଛି, ରାତିରେ ଯିବା ଆଦୌ ନିରାପଦ ନୁହେଁ, ଅନେକ ସମୟରେ ସରୀସୃପଙ୍କ ଭୟ ରହୁଛି । ଏସମସ୍ୟା କେବଳ ତାଙ୍କର ନୁହେଁ ବନ୍ୟାପାଣି ଘେରରେ ଥିବା ମଫସଲ ଗାଁଗୁଡିକରେ ରହୁଥିବା ମହିଳାଙ୍କର ଏଇଟା ନିତିଦିନିଆ ସମସ୍ୟା । ଏ ଲେଖିକା ଯେତେବେଳେ କଣାସ ଓ ବ୍ରହ୍ମଗିରି ବ୍ଲକର ଅଧିକାଂଶ ଗାଁକୁ ଯାଇଥିଲେ ଓ ମହିଳାମାନଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ସେମାନେ ଏବିଷୟରେ ବଖାଣିଥିଲେ । ଏହି ଗାଁ ଗୁଡିକରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ତିଆରି ହୋଇଛି ସତ କିନ୍ତୁ ସେଗୁଡିକ ଏତେ ବ୍ୟବହାର ହୁଏ ନାହିଁ । ଯେଉଁ କେତେଜଣଙ୍କ ଘରେ ବ୍ୟବହାର କରନ୍ତି ଏଇ ବର୍ଷା ପାଣିରେ ତାହା ସଂପୂର୍ଣ ବୁଡି ଯାଇଥିବାରୁ ସମସ୍ତେ ବାହାରକୁ ଯାଇ ଖୋଲାସ୍ଥାନରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି । ପୁଣି ବାହାରେ ଚାରିଆଡେ ପାଣି ମାଡି ଯାଇଥିବାରୁ ମହିଳା ମାନଙ୍କ ପାଇଁ ଏହା ବିଶେଷ ସମସ୍ୟା ସୃଷ୍ଟି କରୁଛି । କାରଣ ସେମାନେ ରାତିର ଅନ୍ଧାରରେ ବାହାରକୁ ପରିସ୍ରା ଓ ମଳତ୍ୟାଗ କରିବାକୁ ଯାଆନ୍ତି । ଯଦି ବନ୍ୟା ସମୟରେ ବାୟୋ ଟଏଲେଟର ବ୍ୟବସ୍ଥା କରାଯାଆନ୍ତା ତେବେ ସେମାନେ ନିସ୍ତାର ପାଇପାରନ୍ତେ ବୋଲି କହିଥିଲେ ।
ସେଇ ଗାଁର ୨୦ ବର୍ଷୀୟ ଦମୟନ୍ତୀ ବେହେରା କୁହନ୍ତି, ସବୁଠାରୁ ବେଶି ସମସ୍ୟା ଉପୁଜେ ମାସିକ ଋତୁସ୍ରାବ ସମୟରେ । ଚାରିଆଡେ ବନ୍ୟା ମାଡି ଯାଇଥିବାରୁ ସେମାନେ ବାହାରକୁ ଯାଇ ପ୍ୟାଡ କିଣିପାରୁନାହାନ୍ତି ଏଣୁ ବାଧ୍ୟ ହୋଇ କପଡା ବ୍ୟବହାର କରୁଛନ୍ତି । ନିୟମିତ ବର୍ଷା ଲାଗିରହୁଥିବାରୁ କପଡା ଶୁଖିବାରେ ଅସୁବିଧା ହେଉଛି ଫଳରେ ସେମାନେ ଅଧାଓଦା କପଡାକୁ ପୁଣିଥରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଯାହାଦ୍ୱାରା ଇନେଫକସନ ହେବାର ଆଶଂକା ରହିଛି । ୨୦୧୯ ବାତ୍ୟା ଫନୀ ସମୟରେ ମହିଳାମାନଙ୍କର ଏସମସ୍ୟାକୁ ବୁଝି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ମହିଳାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ ଯୋଗାଇଦିଆଯାଇଥିଲା ହେଲେ ଏବର୍ଷ ବନ୍ୟାରେ ସେସୁବିଧା କାହିଁକି କରାଗଲା ନାହିଁ ବୋଲି ଅନେକେ ପ୍ରଶ୍ନ କରିଥିଲେ । ତେବେ ଏ ରିପୋର୍ଟ ଲେଖାହେଲା ବେଳକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇ ମାଗଣା ସାନିଟାରୀ ପ୍ୟାଡ ଦେବାକୁ ବ୍ୟବସ୍ଥା କରାଯାଇଛି ।
ପିଇବା ପାଣିର ସମସ୍ୟା
ଏଇ ବନ୍ୟା ସମୟରେ ସବୁଠାରୁ ବଡ ସମସ୍ୟା ହୁଏ ପିଇବା ପାଣିର । କଣାସ ଓ ବ୍ରହ୍ମଗିରି ବ୍ଲକର ଅଧିକାଂଶ ଗାଁ ର ଟ୍ୟୁବେଓଲରୁ ଲୁଣି ଓ ଆଇରନ ମିଶା ପାଣି ବାହାରୁଥିବାରୁ ସେମାନେ ବାଧ୍ୟ ହୋଇ ଲୁଣା, ମକରା ଓ ଦୟା ନଦୀରୁ ପାଣି ଆଣି ରୋଷେଇ ଓ ପିଇବା ପାଣିର ଆବଶ୍ୟକତା ପୂରଣ କରନ୍ତି । ଆଳିବାଡ ପଂଚାୟତ ଗୋଟିଏ ଗାଁର ସୁକୁମାରୀ ବେହେରା କୁହନ୍ତି ପ୍ରତିଦିନ ଗାଁର ମହିଳାମାନେ ପ୍ରାୟ ୨ କିମି ଯାଇ ପାଣି ଆଣି ତାକୁ ଫୁଟାଇ ଛାଣି ପିଇବା ଯୋଗ୍ୟ କରନ୍ତି । କିନ୍ତୁ ଏବେ ବର୍ଷାଯୋଗୁଁ ନଈ ପାଣି ଗୋଳିଆ ଓ ଦୂଷିତ ହୋଇଯାଇଛି ତାସାଙ୍ଗକୁ ଆଣ୍ଠୁଏ ଲେଖାଏଁ କାଦୁଅରେ ବୁଡି ପାଣି ଆଣିବା ଅସୁବିଧା ହେଉଛି । ପ୍ରଶାସନ ପକ୍ଷରୁ ଟ୍ୟାଙ୍କରରେ ପାଣି ଯୋଗାଇ ଦେବା ବ୍ୟବସ୍ଥା ହୋଇଛି ହେଲେ ତାହା ଯଥେଷ୍ଟ ନୁହେଁ । ସଜନୀ ବେହେରା କୁହନ୍ତି, ଗୋଟେ ପରିବାରକୁ ଯେତେ ଲିଟର ପାଣି ଦରକାର ତାଠୁ ଯଥେଷ୍ଟ କମ ପାଣି ମିଳୁଛି । ଯେଉଁଠି ଲୋକଙ୍କୁ ସଫା ପାଣି ପିଇବାକୁ ମିଳୁନି ସେଠି ଗୃହପାଳିତ ପଶୁଙ୍କ କଥା କଣ କହିବା । ନା ସେମାନଙ୍କୁ ଖାଦ୍ୟ ଠିକରେ ମିଳୁଛି ନା ପାଣି । ଅନେକ ସ୍ଥାନରେ ଗୁହାଳ ଗୁଡିକ ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବାରୁ ଗାଈ ଗୋରୁଙ୍କ ରହିବାପାଇଁ ସମସ୍ୟା ଦେଖାଦେଇଛି ।
ଜୀବିକା ଓ ପାଠପଢା ପ୍ରଭାବିତ
ପ୍ରତିବର୍ଷ ବର୍ଷାଋତୁ ଆସିଲେ ଚିଲିକା ପାଖାପାଖି ଥିବା କଣାସ ଓ ବ୍ରହ୍ମଗିରି ବ୍ଲକର ଗାଁ ଗୁଡିକୁ ପାଣି ମାଡି ଆସେ । ଫଳରେ ଚାଷଜମି ଲୁଣି ପାଣି ମାଡି ନଷ୍ଟ ହୋଇଯାଏ ଓ ସେମାନଙ୍କ ଜୀବିକା ପ୍ରଭାବିତ ହୁଏ । ଏବର୍ଷ ମଧ୍ୟ ବନ୍ୟାରେ ସେମାନଙ୍କ ଜମିରେ ପାଣି ମାଡି ଯାଇଛି । କେତେକ ଚାଷୀ ସାହୁକାରଠାରୁ ଋଣ ଆଣି ଚାଷ କରିଥିବାରୁ ଏବେ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି । ପୂର୍ବରୁ ଫାଇଲିନ ଓ ଫନୀ ବାତ୍ୟାରେ ମଧ୍ୟ ସେମାନଙ୍କ ଜୀବିକା ଉଜୁଡି ଯାଇଥିଲା । ଫଳରେ ସେମାନେ ବାହାରକୁ ଯାଇ ମଜୁରୀ କାମ କରିବାକୁ ବାଧ୍ୟ ହୋଇଥିଲେ । କରୋନା ବେଳେ ଗାଁକୁ ଫେରିଥିବା ଏହି ଗାଁ ଲୋକଙ୍କ ଜୀବିକା ଏବେ ପୁଣି ପ୍ରଭାବିତ ହୋଇଛି । ସରକାର ଏଥିପାଇଁ ସାହାଯ୍ୟ କରିବାକୁ ଅନେକେ ନିବେଦନ କରିଛନ୍ତି ।
ଚାଷଜମିରେ ବନ୍ୟା ପାଣି ମାଡି ଯାଇଥିବାରୁ ଭାଗଚାଷୀ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଯେଉଁମାନେ ବାହାରକୁ ମୂଲ ଲାଗିବାକୁ ଯାଆନ୍ତି ସେମାନେ ବନ୍ୟା ଯୋଗୁଁ ଯାଇପାରୁନାହାନ୍ତି । ନିୟମିତ ବନ୍ୟା ଓ ବାତ୍ୟା ଯୋଗୁଁ ପୁରୁଷଙ୍କ ତୁଳନାରେ ମହିଳାମାନେ ବେଶୀ ପ୍ରଭାବିତ ହୋଇଥାଆନ୍ତି । ଏବିଷୟରେ ଯଶୋଦା ବେହେରା କୁହନ୍ତି, ପୁରୁଷମାନେ ବାହାରକୁ କାମ ଅନ୍ୱେଷଣରେ ଯାଉଥିବାରୁ ମହିଳାମାନଙ୍କ କାନ୍ଧରେ ପରିବାର ଚଳେଇବାର ବୋଝ ଥାଏ । ଆୟ ଥାଉ ବା ନଥାଉ ସମସ୍ତଙ୍କୁ ଦୁଇ ଓଳି ଖାଇବାକୁ ଦେବା ଘରର ମହିଳାଙ୍କ ଦାୟିତ୍ୱ । ଅନେକ ସମୟରେ ସେମାନେ ଅନ୍ୟ ବିଲରେ ମଜୁରୀ କରି ପରିବାର ଚଳାନ୍ତି । ଏଭଳି ବିପର୍ଯ୍ୟୟ ଘଟିଲେ ଚାଷଜମିର କ୍ଷତି ହେବା ସାଙ୍ଗକୁ ସେମାନଙ୍କୁ ମଧ୍ୟ କାମ ମିଳେନା, ଯଦି ମିଳେ ତେବେ ଅଳ୍ପ ମଜୁରୀରେ କାମ କରିବାକୁ ପଡେ ।
ବନ୍ୟାରେ ଗାଁ ଲୋକେ ସ୍କୁଲ ଘରେ ଆଶ୍ରୟ ନେଉଥିବାରୁ ପିଲାଙ୍କ ପାଠପଢା ମଧ୍ୟ ବ୍ୟାହତ ହୋଇଛି । ସ୍କୁଲ ପିଲାଙ୍କ ବହିଖାତା ବନ୍ୟା ପାଣିରେ ନଷ୍ଟ ହୋଇଯାଇଥିବାରୁ ପୁଣିଥରେ ପାଠ ଆରମ୍ଭ କରିବା ଅନେକଙ୍କ ପାଇଁ ଅସୁବିଧା ହୋଇପାରେ ବୋଲି କେତେକ ଗ୍ରାମବାସୀ ଏହି ଲେଖିକାଙ୍କୁ କହିଛନ୍ତି । ବିଶେଷଜ୍ଞଙ୍କ ମତରେ ନିୟମିତ ବାତ୍ୟା ଓ ବନ୍ୟା ପ୍ରଭାବରେ ଲୋକେ ଜୀବିକା ହରାଉଥିବାରୁ ଏହାର ସିଧାସଳଖ ପ୍ରଭାବ ଝିଅଙ୍କ ଉପରେ ପଡେ । ସେମାନଙ୍କ ପାଠପଢା ବନ୍ଦ କରିବା ସହ ବାପାମା ମାନେ କମ ବୟସରେ ସେମାନଙ୍କ ବାହାଘର କରିଦେଉଥିବା ଅନେକ ନଜିର ରହିଛି ।
ଆଶ୍ରୟସ୍ଥଳୀରେ ସମସ୍ୟା
ବଣୀକୁଦ ଗାଁରେ ରହୁଥିବା ପ୍ରାୟ ଷାଠିଏ ଦଳିତ ପରିବାର ଏବର୍ଷ ବନ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଗାଁଟି ସଂପୂଣ୍ର୍ ଜଳବନ୍ଦୀ ହୋଇଯାଇଥିବାରୁ ସେମାନଙ୍କୁ ପାଖରେ ଥିବା ଏକ ସ୍କୁଲ ଘରେ ଆଶ୍ରୟ ନେବାକୁ ପଡିଛି । ଗାଁ ନିକଟରେ ଘାଇ ହେବାରୁ ଘରଗୁଡିକ ମାଟିରେ ମିଶିଗଲା । ଗାଁର ଜଣେ ବାସିନ୍ଦାଙ୍କ କହିବା ଅନୁସାରେ, ସେମାନଙ୍କର ନିଜସ୍ୱ ଜମି ନଥିବାରୁ ସେମାନେ ସରକାରୀ ଯୋଜନା ପାଇପାରୁନାହାନ୍ତି । ଫନୀ ବାତ୍ୟା ପରେ ସେମାନଙ୍କୁ ପକ୍କାଘର ମିଳିବାର ପ୍ରତିଶୃତି ମିଳିଥିଲେ ମଧ୍ୟ ନା ଘର ମିଳିଛି ନା ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା । ଫଳରେ ବାତ୍ୟା ଓ ବନ୍ୟା ପରି ସବୁ ପରିସ୍ଥିତିରେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲଘରେ ରହିବାକୁ ପଡୁଛି । ବିପର୍ଯ୍ୟୟ ପରେ ପୁଣି ଗାଁକୁ ଫେରି ଘର ତିଆରି କରୁବାକୁ ପଡୁଛି । ଏବାବଦରେ ସେମାନେ ବହୁବାର ସ୍ଥାନୀୟ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନି ।
ଅନେକସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ତଳିଆ ଅଂଚଳରେ କରାଯାଇଥିବାରୁ ସେଗୁଡିକ ବନ୍ୟାପାଣିରୁ ବର୍ତି ପାରିନାହିଁ । ଫଳରେ ଲୋକମାନେ ସେଠି ଆଶ୍ରୟ ନ ନେଇ ସ୍କୁଲ କିମ୍ବା ଅନ୍ୟ ପକ୍କା ସ୍ଥାନରେ ଆଶ୍ରୟ ନେଉଛନ୍ତି । ଆଶ୍ରୟସ୍ଥଳୀ କରିବା ପୂର୍ବରୁ ସ୍ଥାନୀୟ ପ୍ରତିନିଧି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ ଏ ସମସ୍ୟା ଉପୁଜି ନଥାନ୍ତା ବୋଲି ସେମାନେ କହିଛନ୍ତି । ସ୍କୁଲଘରେ ଉଭୟ ପୁରୁଷ ଓ ମହିଳା ଏକାଠି ରହୁଥିବାରୁ ମହିଳାମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପରିସ୍ରା ଓ ପାଇଖାନା ଯିବାକୁ ମହିଳା ଓ ଭିନ୍ନକ୍ଷମଙ୍କୁ ବିଶେଷ ଅସୁବିଧା ହେଉଛି । ମଳତ୍ୟାଗ କରିପାରୁନଥିବାରୁ ନିୟମିତ ଛାତିଯନ୍ତ୍ରଣା, ପେଟ ମୋଡିବା ଓ ବାନ୍ତିଲାଗିବା ଭଳି ସମସ୍ୟା ଉପୁଜୁଛି । ସମସ୍ତେ ଏକାଠି ରହୁଥିବା ହେତୁ ପ୍ରସୂତି ମହିଳା ଓ କିଶୋରୀ ବୟସର ଝିଅମାନେ ଅନେକ ସମୟରେ ଅସୁରକ୍ଷିତ ମନେ କରିଥାନ୍ତି ବୋଲି କହିଥିଲେ ।
ଗର୍ଭବତୀ ମହିଳାଙ୍କ ସମସ୍ୟା
ବନ୍ୟା ଗର୍ଭବତୀ ମହିଳାଙ୍କ ସମସ୍ୟା ଦ୍ୱିଗୁଣିତ କରିଦେଇଛି । ବନ୍ୟା ଯୋଗୁଁ ଆମ୍ବୁଲାନସ ଗାଁ ଭିତରକୁ ଆସିପାରେନାହିଁ ଚାରିଆଡେ ପାଣି ମାଡିଯାଇଥିବାରୁ ଯନ୍ତ୍ରଣା ହେଲେ ମଧ୍ୟ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମସ୍ୟା ହୁଏ । ଏହିଭଳି ଏକ ସମସ୍ୟା ଦେଖିବାକୁ ମିଳିଥିଲା ଯେତେବେଳେ ବ୍ରହ୍ମଗିରି ପଟୁ ଏକ ଆମ୍ବୁଲାନ୍ସରେ କଣାସ ଅଂଚଳର ଜଣେ ପ୍ରସୂତି ତାଙ୍କର ତିନିଦିନର ଶିଶୁ ସହ ଘରକୁ ଫେରୁଥିଲେ । ରାସ୍ତାରେ ବନ୍ୟାର ପ୍ରଖର ସ୍ରୋତ ଯୋଗୁଁ ଗାଡିଟି ଫସି ଅଟକିଯାଇଥିଲା ଏବଂ ପ୍ରସୂତି ଜଣକ ଛୁଆକୁ ଧରି ଆଣ୍ଠୁଏ ପାଣିରେ ବିପଦଜନକ ଅବସ୍ଥାରେ ସେତୁ ପାର ହେଉଥିବା ଦୃଶ୍ୟ ଅନେକଙ୍କୁ ଆନ୍ଦୋଳିତ କରିଥିଲା । ଏକଥା ସତ ଯେ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ପୁରୁଷଙ୍କ ତୁଳନାରେ ମହିଳାଙ୍କ ଉପରେ ବିଶେଷ ପ୍ରଭାବ ପକାଇଥାଏ । କିଛି ବିଶେଷଜ୍ଞଙ୍କ ମତରେ ପଲିସି ତିଆରି କରିବା ସମୟରେ ମହିଳାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପଲିସି ତିଆରି କରାଗଲେ ଏଭଳି ସମସ୍ୟା ଉପୁଜିବ ନାହିଁ ।
ଆବଶ୍ୟକତା ଦୃଷ୍ଟିରୁ ନାଁ ଗୁଡିକୁ ପରିବର୍ତନ କରାଯାଇଛି