ରାକ୍ଷୀ ପାଇଁ ଆଜି ସୁରକ୍ଷିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଶହ ଶହ ଏକର ଜଙ୍ଗଲ । ଯେଉଁଠି ଆଦିବାସୀ ସ୍ୱଇଚ୍ଛାରେ ଗ୍ରାମ୍ୟ ଜଙ୍ଗଲରେ ରାକ୍ଷୀର ପବିତ୍ର ବନ୍ଧନକୁ ସୂତା ମାଧ୍ୟମରେ ବାନ୍ଧିଛନ୍ତି, ସେଠି ଶାଳ ଜଙ୍ଗଲକୁ ଛୁଇଁ ପାରିନି ନିଆଁର ଝୁଲ । ଗୋଟେ କି ଦୁଇଟି ନୁହେଁ ପୂରା ଜିଲ୍ଲାରେ ଏବେ ଏମିତି ୭୫୦ ଖଣ୍ଡ ଆଦିବାସୀ ଗାଁ ଅଛି ଯେଉଁଠି ଲୋକେ ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଯାଇ ପ୍ରତିବର୍ଷ ପାଳନ କରୁଛନ୍ତି ‘ଜଙ୍ଗଲ ରକ୍ଷାବନ୍ଧନ’ କାର୍ଯ୍ୟକ୍ରମ । ୨୦୦୪ ରୁ ହାତୀମଡା ଗାଁରୁ ଆରମ୍ଭ ହୋଇଥିବା ଏହି ପର୍ବ କେବଳ ଆଦିବାସୀଙ୍କ ପରମ୍ପରାରେ ସାମିଲ ହୋଇନି ବରଂ ଜିଲ୍ଲାର ସବୁ ଆଦିବାସୀ ଗାଁ ଗୁଡିକ ପାଇଁ ଅନୁକରଣୀୟ ହୋଇ ପାରିଛି ।
ଭୁବନେଶ୍ୱର ;
ଆପଣ ଯଦି ଜଣେ ପରିବେଶବିତ, ଗଛକୁ ଭଲ ପାଆନ୍ତି ତେବେ ଆଗାମୀ ବର୍ଷ ଅଗଷ୍ଟ ମାସକୁ ମୟୁରଭଞ ଜିଲ୍ଲା ହାତୀମଡା ଗାଁକୁ ନିଶ୍ଚୟ ଆସିବେ । ଗାଁର ପ୍ରତି ଆଦିବାସୀ ସାନ୍ତାଳୀ ପରିବାର ଗାଁ ମୁଣ୍ଡରେ ଥିବା ଶାଳ ଜଙ୍ଗଲକୁ ଯାଇ ଫୁଲରେ ଓ କାଗଜରେ ତିଆରି ରଂଗୀନ ରାକ୍ଷୀ ପିନ୍ଧାନ୍ତି –ଉଦ୍ଦେଶ୍ୟ ଜଙ୍ଗଲ ସୁରକ୍ଷା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଆସିବାର ମାସକ ଆଗରୁ ଏଠି ଆରମ୍ଭ ହୋଇଯାଏ ପ୍ରସ୍ତୁତି ପର୍ବ । ଯେଉଁଥିରେ ମୁଖ୍ୟ ପୁରୋଧା ସାଜନ୍ତି ଗାଁର ଆଦିବାସୀ ପୁରୋହିତ ମାଝୀ ହାଡାମ ଓ ଦେହୁରି ନାୟକ । ପ୍ରସ୍ତୁତି ପର୍ବ ପୂର୍ବରୁ ପ୍ରଥମେ ଗାଁ ଦାଣ୍ଡରେ ବୈଠକ ବସେ । ଯେଉଁଥିରେ ଗାଁର ସବୁ ପୁରୁଷ, ମହିଳା ଓ ପିଲାମାନେ ଅଂଶଗ୍ରହଣ କରନ୍ତି । ଆୟୋଜିତ ବୈଠକରେ ସେହି ବର୍ଷର ରାକ୍ଷୀ ପୂର୍ଣ୍ଣିମା କିପରି ପାଳିତ ହେବ ଓ ଜଙ୍ଗଲକୁ କିପରି ବର୍ଷତମାମ ଯତ୍ନ ନିଆଯିବ, ଜଙ୍ଗଲରୁ ଆବଶ୍ୟକ ସାମଗ୍ରୀ ସବୁ କିପରି ସଂଗ୍ରହ ହେବ ତା ପାଇଁ ନିୟମ ପ୍ରସ୍ତୁତ କରନ୍ତି । ପରେ ବୈଠକ ଶେଷରେ ପାର୍ବଣ ପାଇଁ ଆବଶ୍ୟକ ଖର୍ଚ୍ଚର ଚିଠା ପ୍ରସ୍ତୁତ କରାହୁଏ । ଯାହାକୁ ଗାଁ ଲୋକେ ନିଜ ଭିତରେ ସମାନ ଭାବେ ବାଂଟି ନିଅନ୍ତି ଓ ସମୟ ପୂର୍ବରୁ ନିଜେ ଆଣି ଗାଁ କମିଟିରେ ଜମା ଦେଇ ଦିଅନ୍ତି ।
ପାର୍ବଣ ପୂର୍ବ ଦିନ ପୁଣିଥରେ ମାଝୀ ହାଡାମ୍ଙ୍କ ପରାମର୍ଶରେ ଦେହୁରୀ ନାୟକ ଗାଁ ଲୋକଙ୍କୁ ପର୍ବରେ ସାମିଲ ହେବାକୁ ନିମନ୍ତ୍ରଣ କରନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ଲୋକ ଆସି ଗାଁ ମୁଣ୍ଡରେ ବାଜା ବଜାଇ ସମସ୍ତଙ୍କୁ ପାର୍ବଣର ସମୟ ଓ ସ୍ଥାନ ବାବଦରେ ଅବଗତ କରାନ୍ତି । ପାର୍ବଣ ଦିନ ଠିକଣା ସମୟରେ ଗାଁର ମହିଳାମାନେ ପାରମ୍ପରିକ ପୋଷାକରେ ଆସି ମାଦଲ୍ ଧୁମ୍ସାର ତାଳେ ତାଳେ ନାଚି ଦେହୁରି ଆଜ୍ଞାଙ୍କୁ ଜଙ୍ଗଲ ପର୍ଯ୍ୟନ୍ତ ପାଛୋଟି ନିଅନ୍ତି । ଆଦିବାସୀ ପରମ୍ପରାରେ ଦେହୁରୀ ଗଛକୁ ପୂଜା କରନ୍ତି । ଘଟ, କଳସି, କାଣ୍ଡ, ସର, ଆମ୍ବଡାଳ ଦେଇ ଗଛକୁ ପୂଜା କଲା ପରେ ପାରମ୍ପରିକ ଭାବେ ଆରମ୍ଭ ହୁଏ ରାକ୍ଷୀ ବନ୍ଧା ଉତ୍ସବ । ଯାହାକି ଏବେ ଜଙ୍ଗଲ ରକ୍ଷାବନ୍ଧନ ଉତ୍ସବ ଭାବେ ପାଳନ କରାଯାଉଛି ।
ଜଙ୍ଗଲ ସୁରକ୍ଷାରୁ ଆରମ୍ଭ
ଜଙ୍ଗଲ ରକ୍ଷାବନ୍ଧନ ଉତ୍ସବ ବିଷୟରେ ଗାଁର ୫୦ ବର୍ଷୀୟ ମୋହନ ମୁର୍ମୁ କହନ୍ତି; ଜଙ୍ଗଲ ବିନା ଆଦିବାସୀଙ୍କ ଜୀବନ ଜିଇଁବା ସମ୍ଭବ ନୁହେଁ । ବାହାଘରଠାରୁ ଆରମ୍ଭ କରି ଶୁଦ୍ଧଘର ଯାଏଁ ସବୁ କାମରେ ସେମାନକୁ ଜଙ୍ଗଲ ଉପରେ ନିର୍ଭର କରିବାକୁ ପଡେ । ହେଲେ ଆଜିକୁ ୩୦ ବର୍ଷ ତଳେ ଆମେ ଏକଥା ବୁଝୁନଥିଲୁ । ୯୦ ଦଶକର କଥା । ଗାଁରେ ଜଙ୍ଗଲ ବୋଲି ଆଉ କିଛି ନଥିଲା । କାରଣ ପଶ୍ଚିମବଙ୍ଗ, ଝାଡଖଣ୍ଡରୁ କାଠମାଫିଆ ମାନେ ଆସି କାଠ ଚୋରି କରିିବା ଆରମ୍ଭ କରି ଦେଇଥିଲେ । ଆଉ ଏମାନଙ୍କୁ ସହଯୋଗ କରୁଥିଲେ ଆମ ଗାଁ ଓ ପାଖ ଗାଁର କିଛି ଲୋକ । ପରିସ୍ଥିତି ଏପରି ହେଲା ଯେ ହାତ ପାଆନ୍ତାରେ ମିଳିଯାଉଥିବା ଜଙ୍ଗଲ ଜାତ ସାମଗ୍ରୀ ସବୁ ଆମ ପାଇଁ ସ୍ୱପ୍ନ ହେବାକୁ ଲାଗିଲା । ଦାନ୍ତକାଠିରୁ ଆରମ୍ଭ କରି ଜାଳେଣି କାଠ ପାଇଁ ଆମକୁ ୮-୧୦ କିଲୋମିଟର ଯାଏଁ ଚାଲିବାକୁ ପଡିଲା । ଜଙ୍ଗଲ ନଥିବାରୁ ଧୀରେ ଧୀରେ ନାଳ ବି ଶୁଖିଗଲା । ଚାଷ ବାସ ବି କମିଲା । ୧୯୯୨ ମସିହା ପୂର୍ବ ପର୍ଯ୍ୟନ୍ତ ପାଖାପାଖି ୭ ବର୍ଷ ଧରି ଆମେ ଏଭଳି ସଙ୍ଗୀନ ପରିସ୍ଥିିତର ସାମ୍ନା କରିଛୁ । ଏଥିରୁ ମୁକୁଳିବାକୁ ହେଲେ ଜଙ୍ଗଲ ରକ୍ଷା କରିବାକୁ ହେବ ବୋଲି ସ୍ଥିର କରି ୧୯୯୨ ମସିହାରେ ହାତୀମଡା ଗାଁର କିଛି ଆଦିବାସୀ ପରିବାର ଏକାଠି ହେଲୁ ।
ଗାଁର ଫଉଳବତୀ ମୁର୍ମୁ କହନ୍ତି; ପାଳି କରି ଆମେ ଗାଁ ଜଙ୍ଗଲ ଜଗିବା ଆରମ୍ଭ କଲୁୁ । ହାତରେ ଗୋଟେ କାଠ ଧରି ପ୍ରତିଦିନ ଗାଁର ୮ରୁ ୧୦ ଜଣ ପୁରୁଷ ଓ ମହିଳା ମିଶି ପାଳିକରି ଜଙ୍ଗଲ ଜଗିଲୁୁ । ପରେ ଗାଁର ଅନ୍ୟ ମାନେ ଆମସହ ମିଶିଲେ । ଫଳରେ ପାଖ ଗାଁ ଲୋକେ ଆଉ ଭୟରେ ଆମ ଜଙ୍ଗଲ ଭିତରକୁ ପଶି ପାରିଲେ ନାହିଁ । ଧୀରେ ଧୀରେ ଆମେ ପାଖାପାଖି ୧୫୦ ଏକର ଜଙ୍ଗଲକୁ ନିଜ ଅଧୀନକୁ ନେଇ ତାର ସୁରକ୍ଷା ଆରମ୍ଭ କଲୁୁ । ଏକଥା ଚାରିଆଟେ ପ୍ରଘଟ ହେଲା ପରେ ମାଫିଆଠାରୁ ଆରମ୍ଭ କରି ପାଖ ଗାଁ ଲୋକେ ସମସ୍ତେ ଆସି ବିଭିନ୍ନ ସମୟରେ ଆମକୁ ଧମକ୍ ଚମକ୍ ବି ଦେଲେ । ହେଲେ ଆମେ ଏହି ଜଙ୍ଗଲ ସୁରକ୍ଷା କାମରୁ ହଟିଲୁ ନାହିଁ । ପାଖାପାଖି ୪-୫ ବର୍ଷ ଧରି ଜଙ୍ଗଲ ଜଗିବା ପରେ ପରିସ୍ଥିତିରେ ସୁଧାର ଆସିଲା । ଶାଳ ଜଙ୍ଗଲ ପୁଣିଥରେ ଘଂଚ ହେବାକୁ ଲାଗିଲା । ଗାଁ ପାଖଦେଇ ଯାଇଥିବା ଗୁନ୍ଫା ନାଳ ବି ଫିଟିଲା । ଏପ୍ରିଲରୁ ଜୁନ୍ ଯାଏଁ ଶୁଖିଯାଉଥିବା ନାଳରେ ବହୁତ ନହେଲେ ବି ବର୍ଷ ତମାମ ପାଣି ରହିଲା । ଗାଁ ଲୋକଙ୍କ ଗାଧୁଆ ଠାରୁ ଆରମ୍ଭ କରି ଗାଈ ଛେଳିଙ୍କ ଶୋଷ ବି ମେଂଟିିଲା । ନାଳ ପାଖେ ଜମି ଥିବା ଗାଁ ଲୋକେ ଖରାଟିଆ ଚାଷ ଆରମ୍ଭ କରି ଖୁସି ହେଲେ ।
୨୦୦୪ ମସିହାରେ ମୟୁରଭଞ ହାତୀମଡା ଗାଁ ଲୋକଙ୍କ ଏହି ଜଙ୍ଗଲ ସୁରକ୍ଷା କାମକୁ ପରିଚୟ ମିଳିଲା । ସ୍ୱେଚ୍ଛାସେବୀ ସଙ୍ଗଠନ ‘ମାସ୍’ର ମୁଖ୍ୟ ବିବେକ୍ ପଟ୍ଟନାୟକ ଓ କିଛି ଜଙ୍ଗଲ ବିଭାଗ ଅଧିକାରୀ ସେମାନଙ୍କ କାମକୁ ପ୍ରଶଂସା କରିବା ସହ ସମ୍ମାନିତ ମଧ୍ୟ କଲେ । ଏହାକୁ ମଡେଲ ଭାବେ ନେଇ ଅନ୍ୟ ଗାଁର ଲୋକଙ୍କୁ ଜଙ୍ଗଲ ସଂରକ୍ଷଣ ବିଷୟରେ ଟ୍ରେନିଂ ଦିଆଗଲା ।
ଜଙ୍ଗଲ ସଂରକ୍ଷଣ ମଡେଲ
ଦିନେ ଟାଙ୍ଗାରା ହୋଇଯାଇଥିବା ହାତୀମଡା ଗ୍ରାମ୍ୟ ଜଙ୍ଗଲ ଏବେ ସବୁଜ ବନାନୀରେ ଆଚ୍ଛାଦିତ । ଯାହାକି ସମ୍ଭବ ହୋଇ ପାରିଛି ହାତୀମଡା ଆଦିବାସୀ ଗାଁର ୧୭୦ ସାନ୍ତାଳ ପରିବାର ଯୋଗୁଁ । ସେମାନଙ୍କ ଜଙ୍ଗଲ ସୁରକ୍ଷା ପ୍ରୟାସ ଏବେ ଅନ୍ୟମାନଙ୍କ ପାଇଁ ସଂରକ୍ଷଣର ଉଦାହରଣ ପାଲଟିଛି । ଏ ବାବଦରେ ଗାଁର ପାନମଣି ହେମ୍ବ୍ରମ କହନ୍ତି; ଗାଁର ସବୁ ଲୋକ ସାନ୍ତାଳ ଓ ସେମାନେ ଜଙ୍ଗଲରୁ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷ ପରିବାର ଚଳାନ୍ତି । ଗାଁ ଜଙ୍ଗଲ ଟାଙ୍ଗାରା ହେବାଠାରୁ ଆରମ୍ଭ କରି ଏବେର ସଂରକ୍ଷଣ ପର୍ଯ୍ୟନ୍ତ ସବୁକିଛି ସେମାନେ ନିଜେ ଅନୁଭବ କରିଛନ୍ତିି ।
ସେ କୁହନ୍ତି, ସାନ୍ତାଳମାନଙ୍କ ପରମ୍ପରାରେ ରାକ୍ଷୀ ବୋଲି କୌଣସି ପର୍ବ ନାହିଁ କି କୌଣସି ଦେବା ଦେବୀଙ୍କୁ ଆମେ ପୂଜା କରୁନା । ହାତୀ, ଘୋଡା, ପଥର, ଗଛ ପତ୍ରକୁ ପୂଜା କରିବା ଆମର ଧର୍ମ । ପ୍ରତ୍ୟେକ ସାନ୍ତାଳ ବା ଆଦିବାସୀ ଲୋକଙ୍କର ଗୋଟିଏ ପବିତ୍ର ଜାଗାଥାଏ । ଯାହାକୁ ଆମେ ଜାହିରା ବୋଲି କହୁ । ଯେଉଁଠିକି ଅନ୍ୟ କାହାରିକୁ ପ୍ରବେଶ ନିଷେଧ । ଶାଳ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଜାଗାରେ ଘୋଡା ଓ ପଥରକୁ ରଖି ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଢ଼ଙ୍ଗରେ ପୂଜାର୍ଚ୍ଚନା କରନ୍ତି । ପୂଜାବିଧି ପାଇଁ ଗାଁର ଦେହୁରି ନାୟକ ଯାହା କହନ୍ତି ତାହା ହିଁ ନିୟମ । ଯଦି ଦେହୁରି କୌଣସି ସ୍ଥାନକୁ ପବିତ୍ର ବୋଲି ମାନ୍ୟ କଲେ ଓ ଲୋକଙ୍କୁ ତାହା ଜଣାଇଲେ ତେବେ ତାହା ନିୟମ ହୋଇଯାଏ । ଗାଁର ଦେହୁରି ନାୟକ ଖେଲାରାମ ମୁର୍ମୁ କହନ୍ତି; ଆଦିବାସୀଙ୍କ ପାଇଁ ଗାଁ କମିଟିର ନିର୍ଯ୍ୟାସ ଶେଷ ନିଷ୍ପତି । ଯଦି କୌଣସି ଆଦିବାସୀ ପରିବାର ଏହି ନିୟମକୁ ଖିଲାପ କରନ୍ତି ତେବେ ସେ କୌଣସି କାମରେ ଗାଁ ଲୋକଙ୍କ ସହଯୋଗ ପାଇବେ ନାହିଁ । ଆଦିବାସୀଙ୍କ ଭିତରେ ଏହି ନିୟମ ଏତେ କଡାକଡି ଯେ ଏହାର ଖିଲାପ କରିବାକୁ କାହା ପାଖେ ସାହାସ ନଥାଏ । ଜଙ୍ଗଲ ଜଗିବାର ନିଷ୍ପତିି ବି ଆମ ଗାଁରେ ସେଭଳି ଢ଼ଙ୍ଗରେ ନିଆଯାଇଥିଲା । ସେ କୁହନ୍ତି, ୨୦୦୪ ମସିହାରେ ଯେତେବେଳେ ରାଖୀ ଭଳି ଏକ ବିଷୟ ଆମ ପରମ୍ପରାରେ ପଶାଇବାକୁ ଆମକୁ ସ୍ଥାନୀୟ ଏନ୍ଜିଓ (ମାସ୍) ପକ୍ଷରୁ କୁହାଗଲା । ଆମେ ସିଧା ସିଧା ତାକୁ ମନା କରିଦେଲୁ । ପରେ ଯେତେବେଳେ ଆମକୁ ଜଙ୍ଗଲର ସୁରକ୍ଷା ପାଇଁ ଏହା କେବଳ ଏକ ପବିତ୍ର ବନ୍ଧନ ଓ ଏହା ହେଲେ ଆମେ ଜଙ୍ଗଲ ସୁରକ୍ଷାର କଥାକୁ ସଂକଳ୍ପବଦ୍ଧ ଭାବେ ମାନିପାରିବୁ ବୋଲି ବୁଝାଗଲା ସେତେବେଳେ ଯାଇ ଗାଁ କମିଟିର ଲୋକ ଏହାକୁ ମାନିଲେ । ପରେ ଏହା ଆମ ପରମ୍ପରାରେ ସାମିଲ ହୋଇଗଲା । ତେବେ ଏଥିରେ ସବୁ ପୂଜା ବିଧି ଆଦିବାସୀ ପରମ୍ପରାରେ କରାଯାଏ । ଏବେ କେବଳ ଆମ ଗାଁ ନୁହେଁ ଆଖପାଖର କାଙ୍କଣି, ଦାଣ୍ଡିଆଡିହା, କାଲାଝୋରି, କେଉଟୁଣିମାରି, ସାନଟୁଙ୍ଗାଦୁଆ ଭଳି ୧୦ରୁ ଅଧିକ ଗାଁ ଏଭଳି ଆଦିବାସୀ ପରମ୍ପରାରେ ରାଖୀ ବାନ୍ଧି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ଆଉ ଜାହିରା ଭଳି ପବିତ୍ର ସ୍ଥାନ ଭାବେ ମାନ୍ୟ କରି ତାର ସଂରକ୍ଷଣ କରାଯାଉଛି ।
ପ୍ରଥମେ ଗ୍ରାମ୍ୟ ଜଙ୍ଗଲ ଓ ପରେ ଏକାଧିକ ଗ୍ରାମ୍ୟ ଜଙ୍ଗଲକୁ ନେଇ ଗ୍ରାମ୍ୟ ଜଙ୍ଗଲ ମହାସଂଘ ଗଢ଼ାଯାଇଛି । ଯାହାଦ୍ୱାରା ଆମେ ନିଜର ଅଧିକାର ପାଇଁ ସରକାରଙ୍କ ଆଗରେ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉଠାଇଥାଉ । ଯେପରିକି ଜଙ୍ଗଲ ଅଧିକାର ଅଧିନିୟମରେ ଜମିପଟା ମିଳିବା, ଜଙ୍ଗଲ ସାମଗ୍ରୀର ବିକ୍ରିବଟା, ଜଙ୍ଗଲରୁ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଜାଳେଣି କାଠ ସଂଗ୍ରହ, ନୂତନ ଜଙ୍ଗଲ ସୃଷ୍ଟି । ମହାସଂଘ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ୱାରା ହାତୀମଡା ଗାଁରେ ପ୍ରାୟ ୩୮ ଜଣଙ୍କୁ ଜଙ୍ଗଲ ଅଧିକାର ଅଧିନିୟମ (ଏଫ୍ଆର୍ଏ) ମାଧ୍ୟମରେ ଜମିପଟା ମିଳି ପାରିଛି ।
ଏଫ୍ଆର୍ଏ ଅଧୀନରେ ସର୍ବାଧିକ ଜମିପଟା
ଜନ ସହଭାଗିତାରେ ଜଙ୍ଗଲ ସଂରକ୍ଷଣ ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲା ସାରା ରାଜ୍ୟରେ ସର୍ବାଧିକ ଏଫ୍ଆର୍ଏ ଜମିପଟା ପ୍ରାପ୍ତ କରି ପାରିଛି । ଆଉ ଏସବୁ ସମ୍ଭବ ହୋଇଛି ଆଦିବାସୀଙ୍କ ଶାଣିତ ସ୍ୱର ଓ ନିଜ ଜଙ୍ଗଲ ଜମିକୁ ସଂରକ୍ଷଣ କରିବାର ପଣ ଯୋଗୁଁ । ଏ ବାବଦରେ ଅନୁସୂଚିତ ଜାତି ଜନଜାତି ରିସର୍ଚ୍ଚ ଏବଂ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଏସ୍ଟିଏସ୍ସିଆର୍ଟିଆଇ)ର ଅଧିକାରୀ ଶ୍ୱେତା ମିଶ୍ର କହିଛନ୍ତି ଯେ, ବର୍ତମାନ ସୁଦ୍ଧା ଜିଲ୍ଲାରେ ସର୍ବାଧିକ ୫୨ ହଜାର ୮୨୦ ଜଣଙ୍କୁ ଜଙ୍ଗଲ ଅଧିକାର ଅଧିନିୟମ (ଏଫ୍ଆର୍ଏ) ୨୦୦୬ ଅନୁସାରେ ବ୍ୟକ୍ତିଗତ ଜମିପଟା ପ୍ରଦାନ କରାଯାଇଛି । ଜିଲ୍ଲାରେ ସମୁଦାୟ ୬୯ ହଜାର୨୩ ଜଣ ବ୍ୟକ୍ତିଗତ ଭାବେ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ (ଏଫ୍ଆର୍ଏ)ବଳରେ ଜମିପଟା ପାଇଁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ୬୫୦୧୪ ଜଣ ଆଦିବାସୀ ସମ୍ପ୍ରଦାୟର ଥିଲେ । ସେଥିମଧ୍ୟରୁ ଜିଲ୍ଲା କମିଟି ୫୩ ହଜାର ୩୦୫ ଜଣଙ୍କୁ ଜମିପଟା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଅଧୀନରେ ପ୍ରାୟ ୧୪ ହଜାର ୨୮୮.୧୫ ହେକ୍ଟର ଜମି ଆଦିବାସୀଙ୍କ ହାତକୁ ଯାଇଛି । ବ୍ୟକ୍ତିଗତ ମାଲିକାନାସତ୍ୱକୁ ଛାଡିଦେଲେ ଜିଲ୍ଲାରେ ସମୁଦାୟ ୭୧୭ଟି ଗୋଷ୍ଠୀ ଜଙ୍ଗଲକୁ ଜଙ୍ଗଲ ଅଧିକାର ଅଧିନିୟମରେ ଉଭୟ କମ୍ୟୁନିଟି ରାଇଟ୍ସ ଓ କମ୍ୟୁନିଟି ଫରେଷ୍ଟ ରିସୋର୍ସ ରାଇଟ୍ସ ପ୍ରଦାନ କରାଯାଇଛି । ଏଥିପାଇଁ ସମୁଦାୟ ୮୫୬ ଟି ଗୋଷ୍ଠୀ ଜଙ୍ଗଲ ଆବେଦନ କରିଥିବା ବେଳେ ୭୧୭ଟିକୁ ଏହି ମଞ୍ଜୁରୀ ମିଳିପାରିଛି । ଯାହା ଅଧୀନରେ ପାଖାପାଖି ୧ ଲକ୍ଷ ୫୧ ହଜାର ୪୧୩ ହେକ୍ଟର ଜମି ଗୋଷ୍ଠୀ ଜଙ୍ଗଲ ଭାବେ ଆଦିବାସୀଙ୍କ ହାତକୁ ଯାଇ ପାରିଛି । କେବଳ ସେତିକି ନୁହେଁ ଗାଁ ଲୋକଙ୍କୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ, ଏହାର ବ୍ୟବହାର ଓ ଏହାକୁ ସଂରକ୍ଷଣ କରିବାର ଅଧିକାର ମିଳିପାରିଛି । ଯାହାକି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରି ପାରିଛି । ଗାଁ ଲୋକେ କୁହନ୍ତି ନିୟମିତ ଜଙ୍ଗଲ ସୁରକ୍ଷା ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ।