ଋତୁସ୍ରାବ ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ଏହି ସମୟରେ ସ୍କୁଲ ଆସୁଥିବା ଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ୨୦୧୮ ଫେବୃୟାରୀ ୨୬ରେ ରାଜ୍ୟ ସରକାର ‘ଖୁସି’ ନାମରେ ଏକ ଯୋଜନା ଆରମ୍ଭ କରିଥିଲେ । ଆଭିମୁଖ୍ୟ ଥିଲା ରାଜ୍ୟର ଗାଁ ଗହଳିର ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନ୍ୟାପ୍କିନ୍ ଯୋଗାଇଦେବା । କିନ୍ତୁ କୋଭିଡ ପରଠାରୁ ରାଜ୍ୟର ସବୁ ସ୍କୁଲ ଖୋଲିଥିଲେ ମଧ୍ୟ ଛାତ୍ରୀ ମାନଙ୍କ ପାଖରେ ଏଯାଏଁ ନ୍ୟାପକିନ ପହଂଚିପାରୁନାହିଁ । ଫଳରେ ପୂର୍ବଭଳି ସ୍ଥିତି ସୃଷ୍ଟି ହୋଇଛି ଅନେକ ଝିଅ ପିରିୟଡ ସମୟରେ ସ୍କୁଲ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ।
ଭୁବନେଶ୍ୱର ;
ସବୁ ମାସ ୪ରୁ ୫ ଦିନ ମୁଁ ସ୍କୁଲ ଯାଏନି । ସବୁବେଳେ ଭୟ ରୁହେ କାଳେ ଡ୍ରେସ୍ରେ ଦାଗ ଲାଗିଯିବ । ତାଛଡା ଘର ଲୋକବି ଏହି ସମୟରେ ସ୍କୁଲ ଯିବାକୁ ମନା କରନ୍ତି । ଆଗରୁ ସ୍କୁଲରେ ସାନିଟାରୀ ନ୍ୟାପ୍କିନ୍ ଦିଆଯାଉଥଲା ଏଣୁ କୌଣସି ଅସୁବିଧା ହେଲେ ସ୍କୁଲରେ ବଦେଳଇହେଉଥିଲା । ମାତ୍ର ଏବେ ଗତ ୭ ମାସ ହେଲାଣି ଆମକୁ ସ୍କୁଲରେ ଆଉ ସାନିଟାରୀ ପ୍ୟାଡ ମିଳୁନି । ତେଣୁ କପଡା ପିନ୍ଧି ସ୍କୁଲରେ ଏତେ ସମୟ ଧରି ବସିବା ସମ୍ଭବ ହେଉନି ବୋଲି କୁହନ୍ତି ଭଦ୍ରକର ଏକ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀ ଆଦ୍ୟାଶା ଦାସ ।
ଏହା କେବଳ ଏକା ଆଦ୍ୟାଶାଙ୍କର ସମସ୍ୟା ନୁହେଁ ରାଜ୍ୟର ଅଧିକାଂଶ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା କିଶୋରୀ ବାଳିକାମାନଙ୍କର ଏହି ସମସ୍ୟା । ପ୍ରତି ମାସ ପିରିୟଡ୍ସ ହେବାର ୩ରୁ ୪ ଦିନ ଏମାନଙ୍କର ସ୍କୁଲ ବନ୍ଦ ରୁହେ । ଏ ବାବଦରେ ଭଦ୍ରକର ଅନ୍ୟ ଏକ ସରକାରୀ ସ୍କୁଲରେ ପଢ଼ୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପି ନନ୍ଦ କହିଛନ୍ତି; ସ୍କୁଲରୁ ତିନି ମାସରେ ଥରେ ଆମକୁ ସାନିଟାରୀ ପ୍ୟାଡ ମିଳୁଛି । ଯଦିଓ ନ୍ୟାପ୍କିନ୍ ଦେବା ସରକାରଙ୍କ ଏକ ଭଲ ନିଷ୍ପତ ି ହେଲେ ଏହାର ମାନ ସେତେଟା ଭଲ ନୁହେଁ । ଏହା ଏତେ ପତଳା ଯେ ଋତୁସ୍ରାବର ପ୍ରଥମ ତିନିଦିନ ଏହାକୁ ବ୍ୟବହାର କରିବା ସମ୍ଭବ ହେଉନି । ସରକାର ଯଦି ଏହାର ପ୍ରସ୍ତୁତିକୁ ବଦଳାଇ ବଜାରରେ ଉପଲବ୍ଧ ହେଉଥିବା ଭଲ ବ୍ରାଣ୍ଡର ସାନିଟାରୀ ପ୍ୟାଡ ଦିଅନ୍ତେ ତେବେ ଏହା ଅଧିକ ଭଲ ହୁଅନ୍ତା ।
କନ୍ଧମାଳର ସୁବାସିନୀ ମୁଣ୍ଡା କହିଛନ୍ତି ଗାଁ ସରକାରୀ ବାଳିକା ବିଦ୍ୟାଳୟରେ ମୁଁ ପଢ଼ୁଛି । ଖୁସି ପ୍ୟାଡ ବିଷୟରେ ଅଧିକ କିଛି ଜାଣିନି । ସ୍କୁଲ ନୂଆ କରି ଆସିଲା ବେଳେ ପ୍ରଥମ ତିନିମାସ ମୋତେ ଆମ ଶ୍ରେଣୀ ଣିକ୍ଷୟିତ୍ରୀ ସାନିଟାରୀ ପ୍ୟାଡ ଦେଉଥିଲେ । ହେଲେ ଏବେ ଆଉ ଆମକୁ ସାନିଟାରୀ ପ୍ୟାଡ୍ କିଛି ମିଳୁନି । ତେଣୁ ବାଧ୍ୟ ହୋଇ ପୁରୁଣା କପଡା ବ୍ୟବହାର କରୁଛୁ । ଯାଜପୁର ସହରର ଛାତ୍ରୀ ସୁମୁିତ୍ରା ଭୁୟାଁ କହିଛନ୍ତି ନ୍ୟାପ୍କିନ୍ କେତେବେଳେ କେଉଁ ସମୟରେ ମିଳୁଛି ତାହାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । ଯେତେବେଳେ ଇଚ୍ଛା ବାଂଟି ଦେଉଛନ୍ତି । ନିୟମିତ ଭାବେ ମିଳିଲେ ଏହା ଆମର ଠିକ୍ ଭାବେ କାମରେ ଲାଗନ୍ତା ।
ଋତୁସ୍ରାବ ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ଏହି ସମୟରେ ସ୍କୁଲ ଆସୁଥିବା ଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ୨୦୧୮ ଫେବୃୟାରୀ ୨୬ରେ ରାଜ୍ୟ ସରକାର ‘ଖୁସି’ ନାମରେ ଏକ ଯୋଜନା ଆରମ୍ଭ କରିଥିଲେ । ଆଭିମୁଖ୍ୟ ଥିଲା ରାଜ୍ୟର ଗାଁ ଗହଳିର ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନ୍ୟାପ୍କିନ୍ ଯୋଗାଇଦେବା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତିବର୍ଷ ୧୭.୨୬ ଲକ୍ଷ ଛାତ୍ରୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ (ଏନ୍ଏଫ୍ଏଚ୍ଏସ୍) ରିପୋର୍ଟ ଆଧାରରେ ଓଡିଶାରେ ଋତୁସ୍ରାବ ସମୟରେ ୫୩% ମହିଳା ଅପରିଚ୍ଛନ୍ନ ବା ସ୍ୱଚ୍ଛତା ପ୍ରତି ଯତ୍ନବାନ ନଥିବା ବେଳେ ୬୯% ମହିଳା ପୁରୁଣା କପଡା ବ୍ୟବହାର କରୁଥିବା ତଥ୍ୟ ପ୍ରକାଶ ପାଇଥିଲା । ଏଭଳି ଉଦ୍ବେଗଜନକ ତଥ୍ୟକୁ ଭିତି କରି ସେ ସମୟରେ ସରକାର ଖୁସିର ଆରମ୍ଭ କରିଥିଲେ । ଓଡିଶା ଔଷଧ ନିଗମ ଲିମିଟେଡ ଓ ଓପେପା ମାଧ୍ୟମରେ ଏହାକୁ ସ୍କୁଲ ଗୁଡିକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ବିଭିନ୍ନ ସରକାରୀ ବିଭାଗ ଓ ଅଧିକାରୀମାନଙ୍କ ଭିତରେ ସମନ୍ୱୟର ଅଭାବ ଯୋଗୁଁ ଏହା ଆଜି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚିପାରୁନାହିଁ ।
ଜିଲ୍ଲାସ୍ତରରେ ଉପୁଜୁଛି ସମସ୍ୟା
ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକୁ ଖୁସି ପ୍ୟାଡ ଠିକ୍ ସମୟରେ ପହଂଚିପାରୁନଥିବାରୁ ନାନା ପ୍ରକାର ସମସ୍ୟା ଦେଖାଦେଉଛି ବୋଲି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏ ବାବଦରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ସୂଚନା ଅନୁସାରେ ୨୦୧୯ରେ ଆଗରପଡା, ବାରିପଦା, ଧାମନଗର, ତିହିଡି, ବାସୁଦେବପୁର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ମୋଟ ୩୭ ଲକ୍ଷ ୩୭ ହଜାର ୯୪୩ ଛାତ୍ରୀଙ୍କୁ ଖୁସି ଯୋଜନାରେ ସାମିଲ କରାଯାଇଥିଲା । ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ବାଂଟୁଥିବା ଏଜେନ୍ସି ଏହି ପ୍ୟାଡ ବଂଟନର ଦାୟିତ୍ୱ ନେଇଥିଲା । ୨୦୧୯ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହା ବଂଟନ କରାଯାଇଥିଲା । ବଂଟନ ବାବଦକୁ ନାପ୍କିନ୍ ପିଛା ୧୪ରୁ ୧୬ ପଇସା ଯୋଗାଣ ଖର୍ଚ୍ଚ ଥିବା ବେଳେ ଏହ୍ି ଏଜେନ୍ସି କିଲୋମିଟର ପିଛା ହିସାବରେ ମୋଟ ୮୩ ଲକ୍ଷ ୭୪ ହଜାର ୮୩୪ ଟଙ୍କା ଦାବି କରିଥିଲା । ଅତ୍ୟଧିକ ଟଙ୍କା ମାଗିବା ଅଭିଯୋଗରେ ଉକ୍ତ ଏଜେନ୍ସିକୁ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଲ୍ ପୈଠ କରାନଯିବାରୁ ଏବେ ଆଉ ଜିଲ୍ଲାରେ ନ୍ୟାପ୍କିନ୍ ବଂଟା ହେବା ବନ୍ଦ ରହିଛି । ଏ ବାବଦରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର କହିଛନ୍ତି ଗତ ସେପ୍ଟେମ୍ବର ୧୩ରେ ଏନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ଅଧିକାରୀଙ୍କ ବୈଠକରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନାପ୍ିକନ୍ ବଂଟନର ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଜିଲ୍ଲାପାଳ ବି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି । ଅପରପକ୍ଷେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି; ସିଆରସିସିଙ୍କ ମାଧ୍ୟମରେ ଶିକ୍ଷକମାନଙ୍କ ଦ୍ୱାରା ନାପ୍କିନ୍ ବଂଟନ ଚାଲିଛି । କିନ୍ତୁ ପ୍ରତି ବ୍ଲକ୍ରେ ହୋଇଥିବା ଷ୍ଟକ୍ ପଏଂଟରୁ ସିଆର୍ସିସିଙ୍କ ମାଧ୍ୟମରେ ପ୍ରତ୍ୟେକ ସ୍କୁଲରେ ନାପ୍କିନ୍ ପହଂଚୁଥିବା ବେଳେ ଆଉ କେତେକ ସ୍କୁଲରେ ଏହା ପହଂଚିପାରୁନାହିଁ । ଫଳରେ ବହୁ ପରିମାଣରେ ପ୍ୟାଡ ଷ୍ଟକ୍ ଅବସ୍ଥାରେ ପଡି ରହୁଛି । ଢ଼େଙ୍କାନାଳ, ସମ୍ବଲପୁର, ରାୟଗଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଆଦି ଜିଲ୍ଲାରେ କୋଭିଡ ସମୟରେ ଖୁସି ପ୍ୟାଡର ବିତରଣ ବନ୍ଦ ରହିଥିବା ବେଳେ ଏବେ ୩ରୁ ୬ ମାସରେ ଏହା ଥରେ ମିଳୁଛି ବୋଲି ସୂଚନା ମିଳିଛି ।
ସିଏଜି ରିପୋର୍ଟରେ ଅନିୟମିତତା ଅଭିଯୋଗ
କମ୍ପଟ୍ରୋଲର ଆଣ୍ଡ ସିଏଜି ଅଡିଟର ଜେନେରାଲ୍ (ସିଏଜି) ରିପୋର୍ଟ ଆରମ୍ଭରୁ ହିଁ ନାପ୍କିନ୍ କିଣା ଓ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ବାବଦରେ ଅଭିଯୋଗ ଉଠାଇଥିଲା । ରିପୋର୍ଟର ତଥ୍ୟ ଅନୁସାରେ ରାଜ୍ୟ ଔଷଧ ନିଗମକୁ ସାନିଟାରୀ ନାପ୍କିନ୍ କିଣାର ଦାୟିତ୍ୱ ଦିଆଯାଇଥଲା । ଏନେଇ ୨୦୧୮ରେ ଇ-ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିରେ ୫ଟି ସଂସ୍ଥା ଯଥା ଦିଲ୍ଲୀ ସ୍ଥିତ ମେସର୍ସ ସଂଯୋଗ ଏଂଟରପ୍ରାଇଜେସ୍ ଲିମିଟେଡ, କୋଲକାତାର ମେସର୍ସ ଏଚ୍ଏଲ୍ଏଲ୍ ଲାଇଫ୍ କେୟାର ଲିମିଟେଡ, ଅହମ୍ମଦାବାଦ୍ର ମେସର୍ସ ଶେଖନୀ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ, ମେସର୍ସ ବୈଦ୍ୟ ଆଣ୍ଡ ଇନ୍ଫ୍ରଷ୍ଟ୍ରକ୍ଚର ଲିମିଟେଡ ଓ ନବରଙ୍ଗପୁରର ମେସର୍ସ ଓମ୍ ଶାନ୍ତି ଟ୍ରେଡର୍ସ ଅଂଶ ଗ୍ରହଣ କରିଥିଲେ । ଟେଣ୍ଡର ମୂଲ୍ୟାୟନ କମିଟି ବୈଷୟିକ ବିଡକୁ ଯାଂଚ କରି ଆବଶ୍ୟକ କାଗଜପତ୍ର ଅଭାବରୁ ତିନୋଟି ସଂସ୍ଥାକୁ ବାତିଲ କରିଥିଲେ । ସର୍ବନିମ୍ନ ବିଡର ଭାବେ କୋଲକାତାର ମେସର୍ସ ଏଚ୍ଏଲ୍ଏଲ୍ ଲାଇଫ୍ କେୟାର ଲିମିଟେଡ, ଅହମ୍ମଦାବାଦ୍ର ମେସର୍ସ ଶେଖନୀ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ ନାପ୍କିନ୍ ପ୍ରତି ୟୁନିଟ ପିଛା ୨.୯୭ ପଇସା ଦେଇଥାନ୍ତେ । ମାତ୍ର ଉକ୍ତ ସଂସ୍ଥା ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ ଯୋଜନାରେ ୟୁନିଟ ପିଛା ୧ଟ ୭୪ ପଇସାରେ ଯୋଗାଇଥିବା ଟେଣ୍ଡର ମୂଲ୍ୟାୟନ କମିଟି ଜାଣିବା ପରେ ଉକ୍ତ ଟେଣ୍ଡରକୁ ବାତିଲ କରି ଦେଇଥିଲେ । ମାତ୍ର ୨୦୧୮ ସେପ୍ଟେମ୍ବରରେ ନିଗମ ପୁନଃ ଟେଣ୍ଡର କରି ସର୍ବନିମ୍ନ ବିଡର ଭାବେ ପୁଣେସ୍ଥିତ ରାଧେ ହାଇଜିନ୍ ପ୍ରଡକ୍ଟ ଲିମିଟେଡକୁ ନାପ୍କିନ୍ ପ୍ରତି ୨ଟ ୩୦ ପଇସାରେ ଯୋଗାଣ ଅନୁମତି ଦେଇଥିଲେ । ଯାହାକି ଉକ୍ତ ସଂସ୍ଥା ତାମିଲନାଡୁ ମେଡିକାଲ କର୍ପୋରେସନ୍କୁ ଖଣ୍ଡ ପିଛା ୧ଟ୭୮ରେ ଯୋଗାଇଛି । ଏଥିଯୋଗୁଁ ରାଜ୍ୟ ରାଜକୋଷରୁ ୧୯.୩୯ କୋଟି ଟଙ୍କାର କ୍ଷତି ହୋଇଛି । ଖୁସି ନାପ୍କିନ୍ର ଏହି ଘୋଟାଲା ଏବେବି ଜାରି ରହିଛି । ଯଦିଓ ନିଗମ ପ୍ୟାଡ ଆଣି ଷ୍ଟକ୍ରେ ରଖୁଛନ୍ତି ହେଲେ ତାହା ଜିଲ୍ଲାରେ ଠିକ୍ ଭାବେ ବିତରଣ ହୋଇ ପାରୁନି । ଫଳରେ କୋଟି କୋଟି ଟଙ୍କାର ସମ୍ପତି ପଡି ନଷ୍ଟ ହେଉଛି । ଯେଉଁ ଉଦ୍ଦେଶ୍ୟ ନେଇ ଏହା ଆରମ୍ଭ ହୋଇଥିଲା ତାହା ମଧ୍ୟ ପୂରଣ କରିପାରୁନାହିଁ ।
ତେବେ ଏଠାରେ ସୂଚନା ଦିଆଯାଇପାରେ ଯେ, ଦେଶର ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପାଠ ପଢ଼ୁଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କୁ ମାଗଣାରେ ସାନିଟାରୀ ନ୍ୟାପ୍କିନ୍ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବାକୁ ଏକ ପିଟିସନ୍ ଉପରେ ଗତ ନଭେମ୍ବର ୨୮ରେ ସୁପ୍ରିମକୋର୍ଟ ଏକ ରାୟ ଦେଇ କେନ୍ଦ୍ର, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନୋଟିସ ଜାରି କରିଛନ୍ତି । (ଆବଶ୍ୟକତା ଦୃଷ୍ଟିରୁ ଛାତ୍ରୀମାନଙ୍କ ନାଁ ବଦଳାଯାଇଛି )