ଅପହଞ୍ଚ ଇଲାକାର ସ୍ବାସ୍ଥ୍ୟସାଥୀ

ଯେଉଁଠି ସ୍ବାସ୍ଥ୍ୟ ସେବା ଅପହଞ୍ଚ ସେଇଠି ପହଞ୍ଚୁଛନ୍ତି ସ୍ବାସ୍ଥ୍ୟ ସାଥୀ । ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଦୁଆରେ ପହଞ୍ଚି ଦେଉଛନ୍ତି ଔଷଧ ଓ ଯୋଗାଉଛନ୍ତି ସ୍ବାସ୍ଥ୍ୟ ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଆଶାର କିରଣ ପାଲଟିଛନ୍ତି ସ୍ୱାସ୍ଥ୍ୟ ସାଥୀ।

ଷ୍ଟୋରିଜ ଓଡ଼ିଶା ବ୍ୟୁରୋ
କନ୍ଧମାଳ ;

କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ଏକ କ୍ଷୁଦ୍ର ପଡାଗ୍ରାମ ବୁଡୁକି ଗାଁ । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ ଏହି ଅଞ୍ଚଳ । ସେତେବେଳେ ଅଂଚଳବାସୀଙ୍କ ଦେହ ଖରାପ ହେଲେ ଔଷଧ ଟିକିଏ ମିଳିବା କଷ୍ଟକର ହୋଇପଡେ । କିନ୍ତୁ ଗତ ବର୍ଷଠାରୁ ସେଭଳି ଦୁଃଖ ଓ ଯନ୍ତ୍ରଣାରୁ ଲୋକଙ୍କୁ କିଛିଟା ଆଶ୍ବସ୍ତି ମିଳିଛି । ସ୍ଥାନୀୟ ଅଂଚଳରେ ଏବେ କାମ କରୁଛନ୍ତି ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସାଥୀ । ସେମାନଙ୍କ ପାଖରେ ଅଛି ସ୍ୱାସ୍ଥ୍ୟ କିଟ୍ ।

ଏହି କିଟରେ ଜ୍ୱର, କାଶ, ଥଣ୍ଡା ଏବଂ ତରଳ ଝାଡା ଭଳି ସମସ୍ତ ସାଧାରଣ ଅସୁସ୍ଥତା ନିମନ୍ତେ ଔଷଧ ରହିଛି । ଅସୁସ୍ଥ ବ୍ୟକ୍ତିଙ୍କୁ ଔଷଧ ଯୋଗାଇ ଦେବା ସହ କିଭଳି ଖାଇବେ ସେନେଇ ବୁଝାଉଛନ୍ତି । ବୁଡୁକି ଗାଁର କାମେଲ ପଟମାଝି କହିଛନ୍ତି, “ପୂର୍ବରୁ ବର୍ଷା ଋତୁରେ ଯଦି କେହି ଅସୁସ୍ଥ ହୋଇପଡୁଥିଲେ, ସେତେବେଳେ ଡାକ୍ତରୀ ସେବାର ସୁଯୋଗ ନେବା କଷ୍ଟକର ଥିଲା ।”

କନ୍ଧମାଳର ଅଧିବାସୀ ମୁଖ୍ୟତଃ ଅବହେଳିତ ସମୁଦାୟ, ବିଶେଷକରି ଆଦିବାସୀ ଏବଂ ଦଳିତ ଅଟନ୍ତି, ଯେଉଁମାନେ ଦୂର ଦୂରାନ୍ତ ପଡାଗ୍ରାମରେ ବାସକରନ୍ତି । ଯେଉଁଠାରେ ପାହାଡ, ପର୍ବତ, ଝରଣା ଡେଇଁ ମାଇଲ ମାଇଲ ଚାଲି ଚାଲି ଯିବାପରେ ସ୍ୱାସ୍ଥ୍ୟସେବାର ସୁଯୋଗ ମିଳେ । ଅନେକ ସମୟରେ ଏତେ କଷ୍ଟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଡାକ୍ତର ନଥିବା ଦେଖିବାକୁ ମିଳେ ।

ସୁବର୍ଣ୍ଣଗିରି ପଞ୍ଚାୟତରେ କାମ କରୁଥିବା ୨୯ ବର୍ଷୀୟ ସ୍ୱାସ୍ଥ୍ୟ ଆନିମେଟର ଚନ୍ଦ୍ରମା ବିନ୍ଧାଣୀ କହିଛନ୍ତି, “ଯଦି ପିଲାମାନେ ଅସୁସ୍ଥ ହୋଇପଡିଲେ ତେବେ ସେମାନଙ୍କ ବାପା ମାଆ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାକୁ ୨୦୦ରୁ ୩୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ସ୍ୱାସ୍ଥ୍ୟ କିଟ୍‍ କଣ ?

ସ୍ୱାସ୍ଥ୍ୟ କିଟ୍‍ ପ୍ରୟାସ ଏକ ଗୋଷ୍ଠୀ ପରିଚାଳିତ ମଡେଲ ଯାହା ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସାଥୀଙ୍କ ଜରିଆରେ ଗ୍ରାମବାସୀଙ୍କୁ ମୌଳିକ ପ୍ରତିଷେଧମୂଳକ ଔଷଧ ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ରଖିଛି । ଏହା ଏକପ୍ରକାର ବିସ୍ତୃତ ଫାଷ୍ଟଏଡ୍‍ ବାକ୍ସ । ଚନ୍ଦ୍ରମା କହନ୍ତି, “ସାଥୀମାନଙ୍କୁ (ଉଭୟ ପୁରଷ ଓ ମହିଳା) ଗାଁଗୁଡିକରୁ ବଛାଯାଏ । ସେମାନଙ୍କୁ ୧୨ ରୁ ୧୪ଟି ସାଧାରଣ ଅସୁସ୍ଥତାର ପ୍ରତିଷେଧମୂଳକ ଔଷଧ ମହଜୁଦ ରଖିବା ଦାୟିତ୍ୱ ଦିଆଯାଇଛି । ଏ ନେଇ ଏକ ରେଜିଷ୍ଟର ମଧ୍ୟ ରଖାଯାଏ । ଯେଉଁ ଲୋକମାନେ ଅସୁସ୍ଥ ହୋଇପଡନ୍ତି, ସେମାନେ ସାଥୀଙ୍କ ନିକଟରୁ ଔଷଧ କିଣିଥାନ୍ତି ।”

ସଚେତନ କରିଥାନ୍ତି ସ୍ୱାସ୍ଥ୍ୟସାଥୀ

କେବଳ ଔଷଧ ଯୋଗାଇ ନିଜ କାମ ସାରି ଦି@ନ୍ତିନି ସ୍ବାସ୍ଥ୍ଯ ସାଥୀ, ଲୋକମାନଙ୍କୁ ସଚେତନ ମଧ୍ୟ କରିଥାନ୍ତି । ଚନ୍ଦ୍ରମା କହିଛନ୍ତି, “ଗାଁଗୁଡିକୁ ମୋର ଗସ୍ତ ସମୟରେ ମୁଁ ସ୍ଥାନୀୟ ଲୋକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ । ସେମାନଙ୍କୁ ସ୍ୱାସ୍ଥ୍ୟ, ଶରୀର ରକ୍ଷା ଏବଂ ପରିମଳ ସମ୍ପର୍କରେ ସଚେତନ କରାଏ ।
ଗାଁକୁ ଗାଁ ବୁଲିବା ସମୟରେ ଚନ୍ଦ୍ରମା ବିଭିନ୍ନ ବୟସ ବର୍ଗର ପୁରୁଷ, ମହିଳାଙ୍କ ସହ ଆଲୋଚନା କରିଥାନ୍ତି । ବିଶେଷ କରି ମହିଳାମାନଙ୍କ ଉପରେ ଗୁରୁତ୍ବ ଦିଆଯାଇଥାଏ । ତାଙ୍କ କହିବାନୁସାରେ, ଏ ସବୁ ଦୁର୍ଗମ ଗାଁଗୁଡିକରେ ଲୋକମାନେ ସ୍ୱାସ୍ଥ୍ୟକର ପରିବେଶ ସମ୍ପର୍କରେ ଆଦୌ iùଚତନ ନୁହଁନ୍ତି । ଏମାନେ ହାତ ଧୋଇବା ସମୟରେ ସାବୁନ୍‍ ବ୍ୟବହାର କରନ୍ତିନାହିଁ ଏବଂ ମହିଳାମାନେ ଋତୁସ୍ରାବ ସମୟରେ ଶରୀର ରକ୍ଷା ପ୍ରତି ଉପଯୁକ୍ତ ଦୃଷ୍ଟି ଦିଅନ୍ତି ନାହିଁ । ଫଳରେ ସବୁ ପ୍ରକାର ରୋଗକୁ ଆମନ୍ତ୍ରଣ କରିଥାନ୍ତି । ଏବେ କିନ୍ତୁ ପରିସ୍ଥିତି ବଦଳିଛି, ଲୋକେ ବି ସଚେତନ ହେଲାଣି ।

ଲୋକଙ୍କ ହସ ଦେଖିଲେ ଦୁଃଖ ଦୂର ହୋଇଯାଏ

ଦୁର୍ଗମ ପାହାଡିଆ ଗାଁଗୁଡିକୁ ଯିବା କିଛି ସହଜ କଥା ନୁହେଁ । ସବୁ ସମୟରେ ଜଙ୍ଗଲି ପଶୁ ଓ ସରୀସୃପଙ୍କ ଭୟ ଲାଗିରହିଥାଏ । ବର୍ଷା ଋତୁରେ ଏହି ଅଞ୍ଚଳ ଅତିକ୍ରମ କରିବା ସମୟରେ ପାଦ ଖସିଯିବାର ଭୟ ରହିଥାଏ । “କିନ୍ତୁ ମୁଁ ଯେତେବେଳେ ଗାଁରେ ପହଞ୍ଚିଯାଏ, ସେତେବେଳେ ଗ୍ରାମବାସୀଙ୍କ ମୁହଁରେ ହସ ଦେଖି ମୋର ସବୁ ଯନ୍ତ୍ରଣା ଓ ଭୟ ଉଭେଇଯାଏ ” ବୋଲି କହିଛନ୍ତି ଚନ୍ଦ୍ରମା । ଗାଁମାନଙ୍କରେ ପହଞ୍ଚିବା ପରେ ପ୍ରବଳ ବର୍ଷା ଯୋଗୁଁ ଯଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ପାଣି ଛାଡିବା ଯାଏଁ ସେ ସେଠାରେ ରହିବାକୁ ବାଧ୍ୟ ହୋଇଥାନ୍ତି ।

ଦାରିଙ୍ଗିବାଡି ବ୍ଲକରୁ ଆରମ୍ଭ ହୋଇଥିଲା ପ୍ରୟାସ

ଅନେକ ସମୟରେ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି, କାରଣ ସେମାନଙ୍କ ମନରେ ଡର ରହିଥାଏ ଯେ ଗୋଟିଏ ପଟେ ଦିନକର ମଜୁରୀ ହରାଇବାକୁ ପଡେ ସେପଟେ କେବେ ସେଠାରେ ଡାକ୍ତର ଥାଆନ୍ତି ତ କେବେ ନ ଥାଆନ୍ତି । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ କିଟ୍‍ ପ୍ରୟାସ ଲୋକଙ୍କୁ ସାଧାରଣ ଅସୁସ୍ଥତାଗୁଡିକ ନିମନ୍ତେ ସେମାନଙ୍କ ଘର ଦୁଆର ମୁହଁରେ ଔଷଧ ପହଞ୍ଚାଇବାରେ ସହାୟତା କରୁଛି ।

ଏହି ପ୍ରୟାସ ପ୍ରଥମେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାହାକୁ ଅନ୍ୟ ତିନିଟି ବ୍ଲକ ଯଥା- କୋଟଗଡ, ବାଲିଗୁଡା ଏବଂ ତୁମୁଡିବନ୍ଧକୁ ସମ୍ପ୍ରସାରିତ କରାଯାଇଛି । ନିକଟରେ ଏହା ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ୍‍ରେ ଆରମ୍ଭ କରାଯାଇଛି ।

ନିତ୍ୟାନନ୍ଦ ଥାନପତି, ସ୍ପେଶାଲ ପ୍ରୋଜେକ୍ଟ ହେଲ୍‍ଥ ଆତ୍ମଶକ୍ତିର ପ୍ରକଳ୍ପ ପରିଚାଳକ, କହିଛନ୍ତି, “କନ୍ଧମାଳରେ ଅଧିକାଂଶ ଆଦିବାସୀ ଲୋକ ଆଭ୍ୟନ୍ତରୀଣ ଅଞ୍ଚଳରେ ବାସ କରନ୍ତି, ଯାହା ସେମାନଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସୁଯୋଗ ଲୋଡିବା କଷ୍ଟକର ହୋଇପଡୁଛି । ଯଦିଓ ଆଶା (ଆକ୍ରିଡିଏଟେଡ ସୋସିଆଲ ହେଲ୍‍ଥ ଆକ୍ଟିଭିଷ୍ଟ) ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି, ସେମାନଙ୍କ ନିକଟରେ ସାଧାରଣ ଅସୁସ୍ଥତାଗୁଡିକ ନିମନ୍ତେ ଔଷଧ ନାହିଁ । ସେଥିପାଇଁ ଲୋକମାନେ ଅସୁସ୍ଥ ହୋଇପଡିଲେ ସେମାନେ ପାରମ୍ପରିକ ଚିକିତ୍ସା ପାଇଁ ସ୍ଥାନୀୟ ବୈଦଙ୍କ ପାଖକୁ ଯାଇଥାନ୍ତି, ଜଙ୍ଗଲରୁ ଔଷଧୀୟ ଗୁଳ୍ମ ସଂଗ୍ରହ କରନ୍ତି ଅଥବା ସ୍ୱାସ୍ଥ୍ୟଗତ ପ୍ରସଙ୍ଗକୁ ଅଣଦେଖା କରିଥାନ୍ତି ।”

ବର୍ତ୍ତମାନ କନ୍ଧମାଳର ବିଭିନ୍ନ ଗାଁରେ ପ୍ରାୟ ୩୦୦ରୁ ୩୫୦ ଜଣ ସ୍ୱାସ୍ଥ୍ୟ ସାଥୀ ଏବଂ ହେଲ୍‍ଥ ଆନିମେଟର କାର୍ଯ୍ୟ କରୁଛନ୍ତି । “ଆମେ ଗ୍ରାମ ଅଥବା ପଡାଗ୍ରାମକୁ ସ୍ୱାସ୍ଥ୍ୟସେବା ଅପହଞ୍ଚ ଭିତ୍ତିରେ ମନୋନୀତ କରିଥାଉ । ଆମେ ଗ୍ରାମବାସୀଙ୍କ ସହିତ ଆଲୋଚନା କରୁ ଏବଂ ସେମାନେ ଯେତେବେଳେ ଏହି ଚିନ୍ତାଧାରାରେ ରାଜି ହୁଅନ୍ତି, ସେତେବେଳେ ଦୁଇଜଣଙ୍କୁ ସ୍ୱାସ୍ଥ୍ୟ ସାଥୀ ଭାବରେ ମନୋନୀତ କରାଯାଏ । ଆମେ ସେମାନଙ୍କୁ ସାଧାରଣ ଅସୁସ୍ଥତା ନିମନ୍ତେ ପ୍ରତିଷେଧମୂଳକ ଔଷଧ ଦେବା ବିଷୟରେ ତାଲିମ ପ୍ରଦାନ କରୁ ଏବଂ ହେଲ୍‍ଥ ଆନିମେଟର ସେମାନଙ୍କର ନେତୃତ୍ୱ ନେବା ସହିତ ସେମାନଙ୍କ କାର୍ଯ୍ୟ ନିରୀକ୍ଷଣ କରିଥାନ୍ତି,” ବୋଲି ସେ କହିଛନ୍ତି । ଏଥିସହିତ ସେ କହିଛନ୍ତି, “ମୂଲ୍ୟ ଦୃଷ୍ଟିରୁ ସୁହାଇବା ଭଳି ଜେନେରିକ ଔଷଧ ଆମେ ମହଜୁଦ ରଖିଥାଉ ।”

ଆବଶ୍ୟକ ପଡିଲେ ଗ୍ରାମବାସୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଥବା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥାଏ । ସ୍ୱାସ୍ଥ୍ୟ ସାଥୀଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ଦିଆଯାଏ । ଆତ୍ମଶକ୍ତି ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ରୁଚି କଶ୍ୟପ, କହିଛନ୍ତି, “ସ୍ୱାସ୍ଥ୍ୟ କିଟ୍‍ ପ୍ରୟାସ ଏକ ପ୍ରବେଶ ବିନ୍ଦୁ ମାତ୍ର, ଆମେ ପୁଷ୍ଟିହୀନତା, ରକ୍ତହୀନତା, ରୋଷେଇ ଘର ବଗିଚା ଏବଂ ସ୍ୱଚ୍ଛ ପାନୀୟ ଜଳ ଆଦି ପ୍ରସଙ୍ଗ ସମ୍ପର୍କରେ ବି ଆଲୋଚନା କରୁ । ପ୍ରତିଷେଧମୂଳକ ଔଷଧ ନିମନ୍ତେ ଜନସାଧାରଣଙ୍କ ଚାହିଦା ଏହା ପ୍ରତିପାଦିତ କରୁଛି ଯେ ଦୁର୍ଗମ ଗ୍ରାମଗୁଡିକରେ ଏହିଭଳି ପ୍ରୟାସର ଆବଶ୍ୟକତା ରହିଛି ।”

( ଏହି ଲେଖାଟି ପୂର୍ବରୁ ଇଂରାଜୀ ରେ ଗ୍ରାସରୁଟ ମ୍ୟାଗାଜିନ ରେ ପ୍ରକାଶିତ । ଏହାକୁ ଷ୍ଟୋରିଜ ଓଡ଼ିଶା ପାଇଁ ଅନୁବାଦ କରିଛନ୍ତି ମୋନାଲିସା ତ୍ରିପାଠୀ )

Leave a Reply

Your email address will not be published. Required fields are marked *