କୋଭିଡ-୧୯ ସମୟରେ ଦେଶରେ ଗାଁ ଗହଳର ଲୋକଙ୍କୁ ସେବା ଯୋଗାଇ ବିଶ୍ୱସ୍ତରରେ ପ୍ରଶଂସିତ ହୋଇପାରିଛନ୍ତି ସ୍ୱାସ୍ଥ୍ୟ ସେବାର ସବା ତଳଧାଡିରେ ଠିଆ ହୋଇଥିବା ଫ୍ରଂଟଲାଇନ ହେଲଥ ଓାର୍କର ବା ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ । କିନ୍ତୁ ଆଜି ନିଜ ଅଧିକାର ପାଇଁ ସେମାନଙ୍କୁ ଶୀତ କାକର ସହି ଖୋଲା ଆକାଶ ତଳେ ନିୟମିତ ବିକ୍ଷୋଭ କରିବାକୁ ପଡୁଛି । ଗତ ନଭେମ୍ବର ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୦ ହଜାରରୁ ଅଧିକ ଆଶା ଓ ଅଙ୍ଗନବାଡୀ କର୍ମୀ ଆସି ଭୁବନେଶ୍ୱରରେ ବିକ୍ଷୋଭ କରୁଛନ୍ତି ସରକାରଙ୍କୁ ସେମାନଙ୍କ ୮ ଦଫା ଦାବୀ ଜଣାଇବା ସହ ସେଗୁଡିକୁ ଖୁବଶିଘ୍ର କାର୍ଯ୍ୟକାରୀ କରିବା ପାଇଁ । ଏଥିରେ ମୁଖ୍ୟ ଦାବୀ ରହିଛି କାମକୁ ସରକାରୀ କର୍ମଚାରୀ ମାନ୍ୟତା ଓ ଦରମା ୧୮ ହଜାରକୁ ବୃଦ୍ଧି କରିବା ।
ଭୁବନେଶ୍ୱର ;
ଡିସେମ୍ବର ମାସରେ ଦିନରେ ଏତେ ଟାଣ ଖରା ନଥିଲେ ବି ରାତିରେ ଖୋଲା ଆକାଶ ତଳେ ଶୀତକୁ ସହିବା ଏତେ ସହଜ ନୁହେଁ । ତଥାପି ଏଇ ଶୀତ ରାତିରେ ଖଣ୍ଡେ ଚାଦର ଘୋଡେଇ ପଡିରହିଛନ୍ତି ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ୭୦ହଜାରରୁ ଉର୍ଦ୍ଧ ଆଶା ଓ ଅଙ୍ଗନବାଡି କର୍ମୀ । ଦିନରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ସରକାରଙ୍କୁ ନିଜ ଦାବୀ ବିଷୟରେ ଜଣାଉଛନ୍ତି ଏବଂ ରାତିରେ ସେଇ ଶୀତ କାକରରେ ରାସ୍ତାରେ ଶୋଇରହୁଛନ୍ତି । କେହି କେହି ପୁଣି ଛୋଟ ଛୁଆକୁ ଧରି ଏଇ ଥଣ୍ଡାରେ ପଡିରହଛନ୍ତି । ସେମାନଙ୍କୁ ଏ ବିଷୟରେ ପଚାରିବାରେ କହିଥିଲେ, ନିଜ ଅଧିକାର ପାଇଁ ଏଇ ଲଢେଇ ଦିଦି । ଆମ ପରିବାର ଓ କାମ ସବୁ ଛାଡି ଏଇ ଆନ୍ଦୋଳନରେ ଯୋଗଦେଇଛୁ ସରକାରଙ୍କୁ ଆମ ସମସ୍ୟା ଓ ଦାବୀ ବିଷୟରେ ଜଣାଇବାକୁ, ବୋଲି କହିଥିଲେ କନ୍ଧମାଳ ଜିଲ୍ଲାରୁ ଆସିଥିବା ଆଶାକର୍ମୀ ସାନ୍ତାରାଣୀ ଦିଗାଲ ।
ସାନ୍ତାରାଣୀ କନ୍ଧମାଳର ମାସେଡିକିଆ ଗାଁରେ ପ୍ରାୟ ୧୭ ବର୍ଷ ଧରି ଆଶାକର୍ମୀ ଭାବେ କାମ କରିଆସୁଛନ୍ତି । ୨୦୦୫ ମସିହା ପରେ ଯେବେଠାରୁ ସେ ଆଶାଦିଦି ଭାବେ ଯୋଗଦେଇଛନ୍ତି ଗାଁର ସବୁ ବର୍ଗର ଲୋକ ବିଶେଷକରି ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ଯତ୍ନଶୀଳ । ଅନ୍ଧବିଶ୍ୱାସକୁ ମାନୁଥିବା ତାଙ୍କ ଗାଁର ଲୋକେ ଏବେ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛିବି ସମସ୍ୟା ହେଲେ ତାଙ୍କୁ ହିଁ ଖୋଜନ୍ତି । ଆଗେ ଆମ ଗାଁରେ କେହି ମେଡିକାଲରେ ଡେଲିଭରି କରୁନଥିଲେ , ଛୁଆର ଦେହ ଖରାପ ହେଲେ ଝଡାଫୁଙ୍କା ପାଇଁ ଦିଶାରୀ ପାଖକୁ ଦୌଡୁଥିଲେ କିନ୍ତୁ ଏବେ ବହୁତ କିଛି ପରିବର୍ତନ ହୋଇଛି । ମହିଳାମାନେ ଘରେ ପ୍ରସବ କରୁନାହାନ୍ତି ଏବଂ ମାତୃମୃତ୍ୟୁ ହାର ନାହିଁ କହିଲେ ଚଳେ ଏସବୁ ଆମ ପାଇଁ ସମ୍ଭବ ହୋଇପାରିଛି ହେଲେ ସରକାର ଆମ କାମକୁ ଅଣଦେଖା କରିଛନ୍ତି ଆମକୁ ଗୁରୁତ୍ୱ ଦେଉନାହାନ୍ତି । ଏଣୁ ଆମର ୮ ଦଫା ଦାବୀ ନେଇ ଆମେ ଏଇଠି ବସିଛୁ ସରକାରଙ୍କୁ ନିଜ ସମସ୍ୟା ବିଷୟରେ ଜଣାଇବାକୁ ।
ଦିନ ମଜୁରିଆଙ୍କ ଠାରୁ ବି କମ ଦରମା
ମିସୁମାଭା ଗାଁ ର ଆଶାକର୍ମୀ ନମିତା ପ୍ରଧାନ କହିଥିଲେ, ଜଣେ ଆଶାକର୍ମୀକୁ ୫୨ ପ୍ରକାରର ସ୍ୱାସ୍ଥ୍ୟ ସଂପର୍କୀତ କାମକୁ ତଦାରଖ କରିବାକୁ ପଡେ । ପ୍ରତ୍ୟେକଦିନ ଆମକୁ ୧୮ରୁ ୨୦ଟି ଖାତାରେ ସବୁ ସ୍ୱାସ୍ଥ୍ୟ ବିଷୟରେ ଅପଡେଟ ଲେଖିବାକୁ ପଡେ । ଏବେ ମୋବାଇଲ ଫୋନ ଆସିବା ପରଠାରୁ ଆମ କାମ ଆହୁରି ବଢିଛି ଏବଂ ସମସ୍ୟାବହୁଳ ହୋଇଯାଇଛି । ଆମ ଉପର ଅଫିସର ହଠାତ ଖବର ମାଗିଲେ ଇଂଟରନେଟ ସମସ୍ୟା ହେତୁ ଅନେକ ସମୟରେ ପାହାଡ ଉପରେ ଚଢି ଆମକୁ ସୂଚନା ଦେବାକୁ ପଡୁଛି । ଏତେ ସବୁ କାମ ପରେ ବି ଆମର ଆୟ ଖୁବ କମ । ଜଣେ ଆଶାକର୍ମୀ ମାସକୁ ୪,୫୦୦ ରୁ ୫,୫୦୦ ଟଙ୍କା ଆୟ କରିପାରୁଛି ସେ ବି ତାର ଇନସେନଟିଭ ଉପରେ ନିର୍ଭର କରେ । ଆମର ମାସିକ ଆୟ ଜଣେ ଦିନ ମଜୁରିଆ ଠାରୁ ବି କମ, କିନ୍ତୁ ଆମେ କେତେ କାମ କରୁଛୁ ସେ ବିଷୟରେ ସରକାର ବୋଧହୁଏ ଅବଗତ ନାହାନ୍ତି ବୋଲି କ୍ଷୋଭର ସହ କହିଥିଲେ । କୋଭିଡ ସମୟରେ ଗାଁ ଲେକଙ୍କୁ ମହାମାରୀ ବିଷୟରେ ସଚେତନ କରିବା ଠାରୁ ଆରମ୍ଭ କରି ଟୀକା ନେବା ପାଇଁ ସେମାନଙ୍କୁ ବୁଝେଇବା ପୁଣି ଏବେ ବୁଷ୍ଟର ଦେବା ଏସବୁ କାମ ଆଶା ଓ ଅଙ୍ଗନବାଡୀ କର୍ମୀଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ହେଲେ ସରକାର ଦେଇଥିବା ପ୍ରତିଶୃତିରୁ ଓହରିଯାଇଛନ୍ତି ବୋଲି ସେମାନେ କହିଥିଲେ । ସରକାର ଆମକୁ ମାସକୁ ହଜାରେ ଟଙ୍କା ଅଧିକ ଦେବେ ବୋଲି କହିଥିଲେ ହେଲେ ୩ ମାସ ଦେବା ପରେ ସଂପୂର୍ଣ ଭୁଲିଗଲେ ତଥାପି ଆମେ ନିଜ କାମ ଜାରି ରଖିଛୁ ବୋଲି କହିଥିଲେ ନମିତା ।
ବାଡାମାହା ଗାଁର ଆଶାକର୍ମୀ ମିନତୀ ସାହାଣୀ କୁହନ୍ତି ହସପିଟାଲରେ ପ୍ରସବ କରାଇବାକୁ ଆମେ ସବୁବେଳେ ଚେଷ୍ଟା କରୁ ଏଥିପାଇଁ ଆମକୁ ଅନେକସମୟରେ ପରିବାର ଛାଡି ହସପିଟାଲରେ ୩-୪ ଦିନ ରହିବାକୁ ପଡେ । ସେତେବେଳେ ଆମର ସବୁ ଖର୍ଚ୍ଚ ହାତରୁ ଦେବାକୁ ପଡେ ତଥାପି ମାଆ ଟି ସୁରୁଖୁରୁରେ ଡାକ୍ତରୀ ସୁବିଧାରେ ଛୁଆ ଜନ୍ମ କରୁ ଏହା ଭାବି ଆମେ ହସପିଟାଲ ଆଣୁ କିନ୍ତୁ ଆମକୁ ସେମିତି କିଛି ଭଲ ଇନସେନଟିଭ ମିଳେ ନାହିଁ । ଅନେକ ସମୟରେ ଖରାପ ରାସ୍ତା ଓ ଅନ୍ୟ ସମସ୍ୟା ଯୋଗୁଁ ଯଦି ଆମ୍ବୁଲାନସ ସଠିକ ସମୟରେ ନଆସି ପାରିଲା ଓ ରାସ୍ତାରେ ପ୍ରସବ ହୋଇଗଲା ଆମକୁ କିଛି ବି ଟଙ୍କା ମିଳେନି । ଏତେ ସମସ୍ୟା ଭିତରେ ବି ଆମେ ଆମ କାମ ଜାରି ରଖିଛୁ । ନିଜ ଦାବୀ ବିଷୟରେ ଜଣାଇବାକୁ ଯାଇ କହିଥିଲେ, ଆମ କାମକୁ ସରକାରୀ ମାନ୍ୟତା ଦେବା ସହ ମାସିକ ଦରମା ୧୮ ହଜାରକୁ ବୃଦ୍ଧି କରିବା । ଅବସର ପରେ ମାସିକ ୫ ହଜାର ଟଙ୍କା ପେନସନ, ୫ ଲକ୍ଷ ଟଙ୍କାର ମୃତ୍ୟୁକାଳିନ ସହାୟତା ସାଙ୍ଗକୁ ସିଏଚସି ଏବଂ ପିଏଚସି ଗୁଡିକରେ ଆଶାଗୃହ କରିବା ଆଦି ଅର୍ନ୍ତଭୁକ୍ତ ।
ସରକାର ଆମ ଦାବୀ କାର୍ଯ୍ୟକାରୀ କରନ୍ତୁ
ରାଜ୍ୟର ଅଙ୍ଗନବାଡୀ ଗୁଡିକରେ କାମକରୁଥିବା ଅଙ୍ଗନବାଡୀ କର୍ମୀ ଓ ସହାୟିକା ମାନେ ସମାନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଲ ଓଡ଼ିଶା ଅଙ୍ଗନବାଡୀ ଲେଡିଜ ଓାର୍କରସ ଆସୋସିଏସନର ସାଧାରଣ ସଂପାଦିକା ଝୁନୁପମା ଶତପଥୀ କହିଛନ୍ତି ଯେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସରକାରଙ୍କୁ ଆମେ ପୂର୍ବରୁ ଜଣାଇଥିଲୁ । ସଚିବଙ୍କ ସହ ହୋଇଥିବା ବୈଠକରେ ସେ ସମସ୍ତ ଦାବୀ ବିଷୟରେ ଶୁଣିଥିଲେ ହେଲେ ସେ କୌଣସି ପଦେକ୍ଷପ ନ ନେବାରୁ ଆମେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଲୁ । ୨୦୨୧ ଡିସେମ୍ବର ୬ ତାରିଖରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ବେଳେ ସରକାର ସେମାନଙ୍କ ଦାବୀ ପୂରଣ ନେଇ ପ୍ରତିଶୃତି ଦେଇଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦେକ୍ଷପ ନେଇନାହାନ୍ତି ତେଣୁ ସେମାନେ ବାଧ୍ୟ ହୋଇ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ଅଙ୍ଗନବାଡୀ କର୍ମୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା, ମାସିକ ୧୮ ହଜାର ଦରମା , ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ପ୍ରଦାନ, ଇପିଏଫ, ଗ୍ରାଚ୍ୟୁଇଟି ଓ ଇଏସଆଇସି ଆଦି ଲାଗୁ କରିବା ଭଳି ଦାବୀ ଉପରେ ସେ ଜୋର ଦେଇଥିଲେ ।
ସୁନ୍ଦରଗଡ ଜିଲ୍ଲା ବିର୍ସା ବ୍ଲକରେ ଅଙ୍ଗନବାଡୀ ହେଲପର ଭାବେ କାମ କରୁଥିବା ସୁନିତା ଓରାମ କୁହନ୍ତି କୋଭିଡ ସମୟରେ ଯେତେବେଳେ ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ବନ୍ଦ ରଖାଯାଇଥିଲା ପିଲାଙ୍କ ଘରେ ଯାଇ ଆମେ ଖାଦ୍ୟ ପହଂଚାଉଥିଲୁ । ନିଜ ପରିବାରକୁ ନ ଦେଖି ଆମେ ଗାଁର ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇଛୁ । ମୋ ପରିବାରରେ ୯ ଜଣ ସଦସ୍ୟ, ସ୍ୱାମୀ ଙ୍କର ୮ ବର୍ଷ ହେଲା ମୃତ୍ୟୁ ହୋଇଯାଇଛି ଏଥିରେ ମାତ୍ର ୩, ୭୫୦ ଟଙ୍କା ଦରମାରେ କେମିତି ଚଳିବୁ । ଏଇ ଶୀତ କାକରରେ ନିଜର ୪ ବର୍ଷର ଛୁଆକୁ ଧରି ପଡିରହିଥିବା ସସ୍ମିତା ମିଞ କୁହନ୍ତି ଆମେ ଅନ୍ୟ ପିଲାଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ କଥା ଚିନ୍ତା କରୁଛୁ ହେଲେ ଆମ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ତେବେ, ଆଶା ଓ ଅଙ୍ଗନବାଡୀ କର୍ମୀ ଯେଉଁମାନେ କି ଗାଁ ଗହଳିର ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ଏବେ ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ଡେରା ପକେଇଥିବାରୁ ଗାଁରେ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସମସ୍ୟାରେ । ଏବିଷୟରେ ସେମାନଙ୍କୁ ପଚାରାଯିବାରେ ଅନେକେ କହିଥିଲେ ଆମେ ଫୋନରେ ସେମାନଙ୍କୁ ପରାମର୍ଶ ଦେଉଛୁ କିନ୍ତୁ ଆମକୁ ସହେଯାଗ କରିବାକୁ ସେମାନଙ୍କୁ ଅନୁରୋଧ କରିଛୁ । କାରଣ ଆମେ ଭଲରେ ଚଳିିଲେ ସେମାନଙ୍କର ସ୍ୱାସ୍ଥ୍ୟର ସଠିକ ଯତ୍ନ ନେଇପାରିବୁ ।