ଟିଡିସିସି କିଣିବନି ମହୁଲ, ପ୍ରଭାବିତ ହେବେ ତୋଳାଳୀ

ଗତବର୍ଷ ଭଳି ଏବର୍ଷ ବି ମଧ୍ୟ ଟ୍ରାଇବାଲ ଡେଭେଲପ୍‌ମେଂଟ କୋଅପରେଟିଭ୍ କର୍ପୋରେସନ୍ (ଟିଡିସିସି) ସମାନ ଭାବେ ମହୁଲ ସଂଗ୍ରହକୁ ତାଲିକା ଭୁକ୍ତ କରିନି, କିନ୍ତୁ ମହୁଲ ଫଳ ବା ଟୋଲକୁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ଏମ୍‌ଏସ୍‌ପି ୨୯ ଟଙ୍କା ହିସାବରେ ଟୋଲ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିଲା ବେଳେ ମାତ୍ର ୭ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି । ଜଙ୍ଗଲ ନିଆଁର ପ୍ରାଦୁର୍ଭାବ ପରେ ଏବର୍ଷ ରାଜ୍ୟର ସମସ୍ତ ଆଦିବାସୀ ଜିଲ୍ଲାଗୁଡିକରେ ମହୁଲ ଫୁଲ ଉତ୍ପାଦନ ଭଲ ହୋଇଛି । ଏହି ହିସାବରେ ଟୋଲ ଉତ୍ପାଦନ ବି ଅନୁରୂପ ଭାବେ ହେବ ବୋଲି ଆଦିବାସୀମାନେ ଆଶା ରଖିଛନ୍ତି । ଏଭଳି ସ୍ଥିତିରେ ମହୁଲ ଫୁଲକୁ ଟିଡିସିସି ତାଲିକାଭୁକ୍ତ ନ କରିବା ରାଜ୍ୟର୧୦ ଟି ଜିଲ୍ଲାର ୬ ହଜାର ପାଖାପାଖି ଆଦିବାସୀଙ୍କୁ ଚିନ୍ତାରେ ପକାଇଛି ।

ଭୁବନେଶ୍ୱର ;

ରାଜ୍ୟର ପାଖାପାଖି ୧୦ଟି ଜିଲ୍ଲା -କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ, ମାଲକାନଗିରି ସମେତ ମୟୂରଭଞ୍ଜ, ଦେବଗଡ, ସମ୍ବଲପୁର ଜିଲ୍ଲା ମହୁଲ ଉତ୍ପାଦନରେ ସବୁଠାରୁ ଆଗରେ । ଯଦି କେବଳ ମହୁଲ ଓ ମହୁଲ ଟୋଲରୁ ଆଦିବାସୀଙ୍କ ଉତ୍ପାଦନକୁ ଆକଳନ କରାଯାଏ ତେବେ ବଲାଙ୍ଗିର ଜିଲ୍ଲାରେ ଏହା ସର୍ବାଧିକ ୯୫.୪୯% ଓ ସର୍ବନିମ୍ନ ନୂଆପଡା ଜିଲ୍ଲାରେ ଏହା ୬୦.୨୩% । ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ସମୁଦାୟ ଲଘୁବନଜାତ ଦ୍ରବ୍ୟର ଏକ ସିଂହ ଭାଗ ଅର୍ଥ ମହୁଲରୁ ଆସିଥାଏ । ସୁନ୍ଦରଗଡ ଜିଲ୍ଲାର ଆଦିବାସୀଙ୍କ ଏନ୍‌ଟିଏଫ୍‌ପି ଉତ୍ପାଦନର ସର୍ବାଧିକ ୨୧.୯୪% ମହୁଲରୁ ଆସିଥାଏ ଓ ବାଲେଶ୍ୱରର ଆଦିବାସୀଙ୍କ ସବୁଦାୟ ଉତ୍ପାଦନର ସର୍ବନିମ୍ନ ୧୪.୧୨% ମହୁଲରୁ ଭରଣା ହୋଇଥାଏ ।

ସ୍ୱେଚ୍ଛାସେବୀ ସଂସ୍ଥା ବସୁନ୍ଧରାର (ସସ୍‌ଟେନେବୁଲ ଲାଇଭଲିହୁଡ ଆଣ୍ଡ ମାର୍କେଟିଂ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବର୍ଷ ମହୁଲ ରାଜ୍ୟର ସମସ୍ତ ଆଦିବାସୀ ଜିଲ୍ଲାଗୁଡିକରେ ଭଲ ହୋଇଛି । ତେଣୁ ଆଦିବାସୀମାନେ ଟିକେ ଅଧିକ ଆୟ କରିବା ଆଶାରେ ଅଛନ୍ତି ।

ସମସ୍ୟାରେ ତୋଳାଳୀ

ବର୍ତମାନ ନୂଆକରି ମହୁଲ ଫୁଲ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ବଜାରରେ ଏହା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ତେବେ ଦାମ୍ କମାଇବା ପାଇଁ ଅନେକ ଜିଲ୍ଲାରେ ଟ୍ରେଡରମାନେ ମହୁଲ କିଣିବା ବନ୍ଦ କରି ଦେଇଛନ୍ତି । ଚଳିତ ବର୍ଷ ଦେବଗଡ ଅଂଚଳରୁ ପାଖାପାଖି ୧୪୫୦ କୁଇଂଟାଲ ମହୁଲ ସଂଗ୍ରହ ହେବାକୁ ଥିବା ବେଳେ, ସମ୍ବଲପୁରରୁ ୨୨୪୫ କୁଇଂଟାଲ, ମୟୂରଭଞ୍ଜରୁ ୫୭୦ କୁଇଂଟାଲ, ନୟାଗଡରୁ ୫୦୦ କୁଇଂଟାଲ ଓ କନ୍ଧମାଳରୁ ୫୫୦ କୁଇଂଟାଲ ମହୁଲ ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି । ଯେଉଁଥିରୁ ଏହି ଜିଲ୍ଲାଗୁଡିକର ପାଖାପାଖି ୬୦୦୦ ଆଦିବାସୀଙ୍କୁ ପାଖାପାଖି ୧ କୋଟି ଟଙ୍କା ଆୟ ହେବା କଥା । ହେଲେ ଟିଡିସିସି ମହୁଲ ଫୁଲ ସଂଗ୍ରହକୁ ତାଲିକାଭୁକ୍ତ କରିନଥିବା ବେଳେ ଟ୍ରେଡରମାନଙ୍କ ମନମୁଖୀ କାର୍ଯ୍ୟକଳାପ ନିଶ୍ଚିତ ଭାବେ ଆଗାମୀ ଦିନରେ ଆଦିବାସୀଙ୍କୁ କନ୍ଦାଇବ ।

ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡା, ମାଲକାନଗିରି, କଳାହାଣ୍ଡି, ବରଗଡ, ସମ୍ବଲପୁର, କନ୍ଧମାଳ, ଦେଓଗଡ, ଗଜପତି, ଢ଼େଙ୍କାନାଳ ଓ ସୁନ୍ଦରଗଡ ଆଦି ଜିଲ୍ଲାମାନଙ୍କରେ ଆଦିବାସୀମାନେ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ଏହା ସେମାନଙ୍କ ପାଇଁ ସବୁଠାରୁ ଲାଭଦାୟକ ଲଘୁବନଜାତ ଦ୍ରବ୍ୟ । ପ୍ରତିବର୍ଷ ପାଖାପାଖି ୨୦ ହଜାର କୁଇଂଟାଲ ମହୁଲ ଫୁଲ ଆଦିବାସୀମାନେ ସଂଗ୍ରହ କରି ବିକ୍ରି କରୁଥିବା ବେଳେ କିଲୋପ୍ରତି ୨୫ରୁ ୩୫ ଟଙ୍କା ପାଇଥାନ୍ତି । ତେବେ ମହୁଲ ଫୁଲକୁ ବ୍ୟବହାର କରି ପ୍ରସ୍ତୁତ ଖାଦ୍ୟ ସାମାଗ୍ରୀ କିଲୋପ୍ରତି ୧୪୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ଆଦିବାସୀଙ୍କୁ ଅଧିକ ଆର୍ଥିକ ସ୍ୱଚ୍ଛନ୍ନ କରେ । ମାତ୍ର ଏ ବର୍ଷ ମହୁଲ ଟିଡିସିସି ତାଲିକାଭୁକ୍ତ ହୋଇନଥିବାରୁ ଏହା ଏବେଠାରୁ ମହୁଲ ସଂଗ୍ରହକାରୀଙ୍କୁ ଚିନ୍ତାରେ ପକାଇଛି ।

ବିକଳ୍ପ ଖାଦ୍ୟ ହୋଇପାରିବ ମହୁଲ

ଆଦିବାସୀଙ୍କ ପାନୀୟ ଭାବେ ମଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ମହୁଲ ଏବେ ଖାଦ୍ୟ ନିରାପତା ତାଲିକାରେ ସାମିଲ ହେଲାଣି । ଆଦିବାସୀମାନେ ନିଜର ଜୀବନ ଚର୍ଯ୍ୟାରେ ମହୁଲରୁ ପ୍ରସ୍ତୁତ ପାରମ୍ପରିକ ‘ମହୁଲ କାକୋ’କୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା ବେଳେ ଆଗାମୀ ଦିନରେ ଏହାର ବଜାର ପ୍ରବେଶ ପାଇଁ ମିଶନ୍ ଶକ୍ତି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । କେବଳ ମହୁଲ କାକୋ ନୁହେଁ ବରଂ ମହୁଲରୁ ପ୍ରସ୍ତୁତ ଜାମ୍‌, ଜେଲି, କୁକିଜ୍‌, ପାଚକ ଗୋଳି, ହାଲୱା, ଗୁଲାବ ଜାମୁନ୍‌, କେକ୍‌, ଚକୋଲେଟ୍‌, ଲଡୁ ଆଦିର ବି ବ୍ୟବସାୟୀକରଣ କରାଯିବ । କେବଳ ସେତିକି ନୁହେଁ ମହୁଲ ଫୁଲରୁ ଏବେ ପରୀକ୍ଷା ମୂଳକ ଭାବେ ହ୍ୟାଣ୍ଡ ସାନିଟାଇଜର ଓ ଫ୍ଲୋର୍ କ୍ଲିନିଂ ବି ତିଆରି କରାଯାଉଛି । ଏଥିପାଇଁ ବନଜା ବାଣିଜ୍ୟ ସଂଘ ସହାୟତାରେ କିଛି ମହିଳାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଲିମ ଦିଆଯାଇଛି । ଏଭଳି ସ୍ଥିତିରେ ମହୁଲକୁ ଉପଯୁକ୍ତ ମୂଲ୍ୟ ମିଳିବା ପାଇଁ ରାଜ୍ୟ ସରକାର ଟିଡିସିସି ସହାୟତାରେ ପ୍ରୟାସ କରିବା ବୋଲି କେତେକ ଗୁରୁତ୍ୱ ଦେଇଛନ୍ତି ।

ସାଧାରଣତଃ ମଧୁମେହକୁ ନିୟନ୍ତ୍ରଣରେ ରଖୁଥିବା ମହୁଲକୁ ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ଖରାରେ ଶୁଖାଇଥାନ୍ତି ଓ ପରବର୍ତୀ ସମୟରେ ଏହାକୁ ପାଣିରେ ଫୁଟାଇ ମହୁଲ କାକୋ ପ୍ରସ୍ତୁତ କରିଥାନ୍ତି । ଅଧିକ ଦିନ ଯାଏଁ ସଂରକ୍ଷିତ ହୋଇ ରହୁଥିବା ଏହି ସ୍ନାକ୍ସରେ ମୁଢ଼ି, ଚୂଡା ଓ ଖଇ ଆଦିକୁ ମିଶାଇ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଜଣାଯାଇଛି ଯେ ୧୦୦ ଗ୍ରାମ ମହୁଲ ଫୁଲରେ ୦.୬ ଗ୍ରାମ ଫ୍ୟାଟ, ୨.୭ ଗ୍ରାମ ଖଣିଜପଦାର୍ଥ, ୧.୭ ଗ୍ରାମ ଫାଇବର, ଶ୍ୱେତସାର ୭୨ ଗ୍ରାମ, ଏନର୍ଜି ୩୧୧ କିଲୋ କ୍ୟାଲୋରୀ, ୧୪୦ ଗ୍ରାମ କ୍ୟାଲସିୟମ, ୧୪୦ ଗ୍ରାମ ଫସଫରସ୍‌, ୧୫ ମିଲିଗ୍ରାମ ଆଇରନ୍‌, ୨୩ ୟୁଜି କ୍ୟାରୋଟିନ୍ ରହିଛି । ଯାହାକି ଜଣେ ସାଧାରଣ ମଣିଷ ପାଇଁ ଫୁଡ ସପ୍ଲିମେଂଟ ଭାବେ କାମ କରିବ ।

Leave a Reply

Your email address will not be published. Required fields are marked *