କଫି ପରେ କୋରାପୁଟର ସୁଗନ୍ଧିତ ସାବୁନ

ଏପର୍ଯ୍ୟନ୍ତ କୋରାପୁଟର କଫି ଲୋକଙ୍କ ମନ ମୋହିଥିଲା କିନ୍ତୁ ଏବେ କୋରାପୁଟ ଜିଲ୍ଲା ଆଉ ପାଦେ ଆଗେଇଛି । ଏଠାକାର ହଳଦୀ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାର ଏପରିକି ବିଦେଶରେ ମଧ୍ୟ ପହଂଚିଲାଣି । କୋରାପୁଟ ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ଆମେରିକା, ପ୍ୟାରିସ ଓ ଫ୍ରାନ୍ସରେ ଆଦୃତ ହେବାରେ ଲାଗିଲାଣି । ଗତ ୮ ମାସ ମଧ୍ୟରେ ଓର୍‌ମାସ୍ ସହାୟତାରେ କେବଳ ଆମେରିକାକୁ ପଠାଯାଇଛି କୋରାପୁଟ ହଳଦୀରେ ପ୍ରସ୍ତୁତ ୨୦୦୦ଟି ସାବୁନ୍ । ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍ କନାପାଡି ଗାଁର ୫୦ ଜଣ ମହିଳାଙ୍କୁ ଏହି ସାବୁନ ତିଆରି କାମରେ ନିୟୋଜିତ ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ହଳଦୀରେ ପ୍ରସ୍ତୁତ ସାବୁନ ଯୋଗୁଁ ସେମାନେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି ।

ଭୁବନେଶ୍ୱର ;

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କନାପାଡି ଗାଁର ୧୨୦୦ ଆଦିବାସୀ ମହିଳା ଏବେ ବେଶ ଖୁସି । ସେମାନଙ୍କ ଖୁସିର କାରଣ ହେଉଛି ତାଙ୍କ ଅଂଚଳର ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ବିଦେଶକୁ ପଠାଯାଉଛି ଏବଂ ସେମାନେ ଏହାକୁ ତିଆରି କରି ନିଜେ ରୋଜଗାରକ୍ଷମ ହେବା ସହ ପାଖ ଗାଁର ହଳଦୀ ଚାଷ କରୁଥିବା ମହିଳା ଚାଷୀଙ୍କୁ ପରୋକ୍ଷ ଭାବେ କର୍ମନିଯୁକ୍ତି ଦେଇ ପାରିଛନ୍ତି । ଗାଁର ପ୍ରାୟ ସମସ୍ତ ଅଧିବାସୀ କୁଇ ସମ୍ପ୍ରଦାୟର । ଚାଷ ଉପରେ ନିର୍ଭର କରିବା ଛଡା ସେମାନଙ୍କ ପାଖେ ଅନ୍ୟ କୌଣସି ପନ୍ଥା ନଥିବାରୁ ସେମାନଙ୍କ ରୋଜଗାର କମ ଓ ଚାଷ ନଥିଲେ ସେମାନେ ଅନ୍ୟ ରାଜ୍ୟକୁ ମୂଲ ଲାଗିବାକୁ ଯାଆନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ୨୦୨୦ ବର୍ଷରେ ପ୍ରଥମ ଥର ପାଇଁ ଓର୍‌ମାସ (ଓଡ଼ିଶା ରୁରାଲ ଡେଭେଲପମେଂଟ ଆଣ୍ଡ ମାର୍କେଟିଙ୍ଗ ସୋସାଇଟି) ସହାୟତାରେ ଗାଁରେ ମହିଳା ସ୍ୱୟଂ ସହାୟକ ଦଳ ଗଠନ କରାଯାଇ ସେମାନଙ୍କୁ ହଳଦୀ ଗୁଣ୍ଡ ପ୍ରସ୍ତୁତ କରିବା ପାଇଁ ତାଲିମ ଦିଆଗଲା । ପାଖାପାଖି ୬ଟି ଦଳକୁ ଏହି ତାଲିମ ଦିଆଯାଇଥିବା ବେଳେ କେବଳ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାମକୁ ଆଗକୁ ନେବାକୁ ଆଗ୍ରହ ଦେଖାଇଲେ । ଓର୍‌ମାସ ପକ୍ଷରୁ ଏହି ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତାଙ୍କୁ ନେଇ ଟରମେରିକ୍ ହିଲ୍ସ ପ୍ରଡ୍ୟୁସର ଗ୍ରୁପ୍ ଗଠନ କରାଗଲା । ତେଲେଙ୍ଗାନାର ଅଭିଜ୍ଞ ପ୍ରଶିକ୍ଷକ ସଦ୍ରାଖ ଡାନିଏଲଙ୍କ ଦ୍ୱାରା ସେମାନଙ୍କୁ ହଳଦୀରେ ଭେଲ୍ୟୁ ଆଡ କରି ସାବୁନ ପ୍ରସ୍ତୁତ କରିବାର ପଦ୍ଧତି ଶିଖାଗଲା । ତାପରଠାରୁ ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟେ ପରେ ଗୋଟେ ପରୀକ୍ଷା କରି ସେମାନେ ଘିଁ କୁଆଁରୀ (ଆଲୋଭେରା) ଓ ଜଙ୍ଗଲୀ ମହୁକୁ ବ୍ୟବହାର କରି ସେଥିରେ ମଧ୍ୟ ସାବୁନ ପ୍ରସ୍ତୁତ କରିବା ଆରମ୍ଭ କଲେ ।

ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭରଶୀଳ

ଏ ବାବଦରେ ସଦ୍ରାଖ ଡାନିଏଲ କହନ୍ତି ଗାଁର ମହିଳାମାନଙ୍କ ସବୁଠୁ ବଡ ଶକ୍ତି ହେଉଛି ସେମାନେ ଖୁବ୍ ପରିଶ୍ରମୀ । ଥରେ ସେମାନଙ୍କୁ ଯାହା ଶିଖାଯାଏ ସେମାନେ ତାହାକୁ ନିଜର ଅଭ୍ୟାସରେ ଜାରି ରଖନ୍ତି । ଏକ କିଲୋଗ୍ରାମ ଶୁଖିଲା ହଳଦୀରୁ ୯୫୦ ଗ୍ରାମ ହଳଦୀ ଗୁଣ୍ଡ ବାହାରୁ ଥିବା ବେଳେ ଗୋଟିଏ ଗୋଟିଏ ସାବୁନ୍‌ରେ ମାତ୍ର ୩ ଗ୍ରାମ ହଳଦୀଗୁଣ୍ଡ ବ୍ୟବହାର କରାଯାଇଥାଏ । କୋରାପୁଟ ମାଟିରେ ଫଳୁଥିବା ହଳଦୀରେ କୁର୍‌କୁମିନ୍‌ର ପରିମାଣ ଅଧିକ ଥିବାରୁ ତାହାର ଔଷଧୀୟ ଗୁଣ ଢ଼େର ବେଶୀ । ତେଣୁ ତାହାକୁ ସାବୁନ୍‌ରେ ବ୍ୟବହାର କଲେ ତାହା ତ୍ୱଚାକୁ ସୁସ୍ଥ ଓ କମନୀୟ ରଖିବାରେ ସହାୟକ ହୁଏ ।

କନାପାଡି ଗାଁର ସାବିତ୍ରୀ କୁଇ କହନ୍ତି; ଗାଁରେ ୧୦୦ ପାଖାପାଖି ପରିବାର ରହୁଥିବା ବେଳେ ଏମାନେ ପ୍ରାୟତଃ ମାଣ୍ଡିଆ, ସୁଆଁ, ଧାନ ଛଡା ବିରି, ଅଦା, ହଦଳୀ ଆଦି ଅମଳ କରି ପରିବାର ଚଳେଇ ଥାଆନ୍ତି । ଗାଁ ଚାରିପାଖରେ ଓ ଡଙ୍ଗରରେ ଥିବା ପାଖାପାଖି ୩୦୦ ଏକର ଜାଗାରେ ବର୍ଷକୁ ହଜାରେ କୁଇଂଟାଲରୁ ଅଧିକ ହଳଦୀ ଚାଷ କରାଯାଏ । ଏଥିପାଇଁ ଆମେ ଆଗୁଆ ସାହୁକାରଙ୍କ ପାଖରୁ ଋଣ ଆଣିଥାଉ । ବେଳେ ବେଳେ ଗାଁର ସାହୁକାର ନଚେତ ଆବଶ୍ୟକ ପଡିଲେ ଗାଁକୁ ନିୟମିତ ଆସୁଥିବା ବେପାରୀମାନଙ୍କ ଠାରୁ ମଧ୍ୟ ଆମେ ଋଣ ନେଇଥାଉ । ଯେଉଁମାନେ କି ଅମଳ ପୂର୍ବରୁ ଆମକୁ ଟଙ୍କା ଦେଇଯାଆନ୍ତି । ଆଉ ଅମଳ ପରେ ହଳଦୀ ସମେତ ଦେଇଥିବା ଟଙ୍କା ସୁଧ ଆକାରରେ ଫେରସ୍ତ ନିଅନ୍ତି । ଏଣୁ ଅନେକ ସମୟରେ ଆମେ ସାହୁକାରମାନଙ୍କ ଶୋଷଣର ଶିକାର ହେବା ସହ ଅଭାବି ବିକ୍ରିର ମଧ୍ୟ ସାମ୍ନା କରିଥାଉ । ଅମଳ ହୋଇଥିବା ଜିନିଷ ଗାଁରୁ ବଜାରକୁ ନେଇ ବିକ୍ରିବଟା କରିବାର ସୁବିଧା ଏଠାରେ ନଥିବାରୁ ଗାଁକୁ ଆସୁଥିବା ବେପାରୀମାନଙ୍କୁ ଯାହା ଦାମ ଦିଅନ୍ତି ଆମେ ତାହା ନେବାକୁ ବାଧ୍ୟ ହେଉ ।

ଗାଁର ମାଳତୀ ତୁରୁକ କହନ୍ତି; ଆଗରୁ ଧାନ, ବିରି, ମୁଗ, ଅଦା, ହଳଦୀ ଆଦି ଚାଷରୁ ଯାହା ହେଉଥିଲା ତାହାହିଁ ବର୍ଷକର ସାଧନ ଥିଲା । ମାତ୍ର ଏବେ ପରିସ୍ଥିତିରେ ଢ଼େର ସୁଧାର ଆସିଛି । ଗତବର୍ଷ ଆମେ ଓର୍‌ମାସ ସହାୟତାରେ ୨୧ ମେଟ୍ରିକ୍ ଟନ୍ ହଦଳୀ ବିକ୍ରି କରି ପାଖାପାଖି ୨୦ ଲକ୍ଷ ଟଙ୍କା ରୋଜଗାର କରିପାରିଥିଲୁ । ଏବର୍ଷ ସାବୁନ୍ ବିକ୍ରିରୁ ୧୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ହଦଳୀ ଗୁଣ୍ଡରୁ ବି ଗତବର୍ଷ ଅପେକ୍ଷା ଅଧିକ ଆୟ କରିବୁ ବୋଲି ଆଶା ରଖିଛୁ । ହଦଳୀ ଏବେ ଆମର ଜୀବନଧାରାର ଅଙ୍ଗ ପାଲଟିଛି । କାରଣ ସବୁଠୁ ବେଶୀ ଟଙ୍କା ଆମେ ସେଥିରୁ ରୋଜଗାର କରିପାରୁଛୁ ।

ଆମାଜନରେ ମିଳିବ ହଳଦୀ ସାବୁନ

ଓର୍‌ମାସର କୋରାପୁଟ ଜିଲ୍ଲା ପ୍ରକଳ୍ପ ମୁଖ୍ୟ ରୋଷନ୍ କୁମାର କାର୍ତିକ କହନ୍ତି; ରାୟଗଡାର ହଳଦୀ ମସଲା ପାଇଁ ଉତ୍କୃଷ୍ଟ ଥିବା ବେଳେ କୋରାପୁଟରେ ଉତ୍ପାଦିତ ହଳଦୀ ଔଷଧ ଓ ସୌଖିନ୍ ପ୍ରସାଧନ ସାମଗ୍ରୀ ତିଆରି କରିବା ପାଇଁ ଭଲ । କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହା ଉପରେ ଅନେକ ଥର ପରୀକ୍ଷା କରି ଏଭଳି ମନ୍ତବ୍ୟ ଦେଇଛନ୍ତି । କନାପାଡି ବ୍ୟତୀତ ତୋୟାପୁଟ, ଡୁମରିପଦର, ଶୋରିଷପଦର, ଟିମାଝୋଲା, ଚମ୍ପି ଆଦି ଗାଁର ମହିଳା ଚାଷୀ ମାନେ ଏବେ ହଳଦୀ ଗୁଣ୍ଢ ପ୍ରସ୍ତୁତ ସାଙ୍ଗକୁ ସାବୁନ୍ ପ୍ରସ୍ତୁତ ପଦ୍ଧତି ମଧ୍ୟ ଶିଖିଲେଣି । ଗାଁରେ ଯେଉଁମାନଙ୍କର ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ ଆୟ ନଥିଲା ସେମାନେ ଏବେ ମାସକୁ ପାଖାପାଖି ୪ ହଜାର ଟଙ୍କା ଆୟ କରିପାରୁଛନ୍ତି । ଆମେ ହଳଦୀ ସ୍ଥାନୀୟ ଲୋକଙ୍କଠାରୁ କିଣୁଥିବା ବେଳେ ଆଲୋଭେରା ବି ସ୍ଥାନୀୟ ଲୋକଙ୍କଠାରୁ କିଣୁଛୁ । ତେବେ ଜଙ୍ଗଲୀ ମହୁ ଗୁପ୍ତେଶ୍ୱର ଅଂଚଳରୁ କିଣାଯାଉଛି । ସାବୁନ୍ ପ୍ରସ୍ତୁତ କରିବା ମେସିନ୍ ବସାଇବା ପାଇଁ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ଜିଲ୍ଲା ପ୍ରଶାସନ ସହାୟତାରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି କାବ୍ୟା ସକ୍‌ସେନା ବିୟୁଟି ପ୍ରଡକ୍ଟ ବ୍ରାଣ୍ଡରେ ସାବୁନ୍‌ର ବିକ୍ରିବଟା କରାଯାଉଛି । ସ୍ଥାନୀୟ ପ୍ରଡ୍ୟୁସର ଗ୍ରୁପ୍ ଓ ଡିଷ୍ଟ୍ରିବ୍ୟୁଟରମାନଙ୍କ ସହ ବି ଏହାର ପ୍ରଚାର ପ୍ରସାର ଓ ବିକ୍ରିବଟା ପାଇଁ ଆଲୋଚନା ସରିଛି । ଆସନ୍ତା ଦିନରେ ଏହି ସୁଗନ୍ଧିତ ଓ ଔଷଧୀୟ ସାବୁନ ସମସ୍ତ ରିଟେଲ ଦୋକାନ ଓ ଆମାଜନ୍ ଭଳି ଅନ୍‌ଲାଇନ୍ ପ୍ଲାଟଫର୍ମରେ ବିକ୍ରି କରାଯିବାର ବ୍ୟବସ୍ଥା ହେବ ବୋଲି ଶ୍ରୀ କାର୍ତିକ କହିଛନ୍ତି ।

Leave a Reply

Your email address will not be published. Required fields are marked *