ଯେ କୌଣସି ପ୍ରକାରର ଚର୍ମ ରୋଗ ହେଉ ଅବା ପକ୍ଷାଘାତ ଭଳି ସାଂଘାତିକ ରୋଗ ସେମାନେ ଜାଣନ୍ତି ଏସବୁ ରୋଗର ଉପଶମ ପାହାଡରେ ମିଳୁଥିବା ଜଡିବୁଟିରେ ରହିଛି । ଆଜି ନୁହେଁ, କାହିଁ କେଉଁ କାଳରୁ ସେମାନେ ତାଙ୍କ ସବୁ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟାର ସମାଧାନ ଭାବେ ପାହାଡକୁ ଭାବନ୍ତି । ଜନବସତି ଆରମ୍ଭ ହେବା ଦିନରୁ ନିଜର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଏମାନଙ୍କୁ ଏହି ମାଳି ପର୍ବତ ଦେଇଛି । ଚାଷ ଜମି, ଖାଦ୍ୟଶସ୍ୟ ହେଉ କି ସ୍ୱାସ୍ଥ୍ୟ ସମସ୍ୟାର ଉପଶମ; ପାହାଡ ହିଁ ସବୁର ଏକମାତ୍ର ସୂତ୍ର । କୋରାପୁଟ ଜିଲ୍ଲା ସେମିଳିଗୁଡା ସହରଠାରୁ ୫ କିଲୋମିଟର ଦୂର ତେନ୍ତୁଳିଗୁଡା ଗାଁର ମାଲ୍ୟବନ୍ତ ପର୍ବତ(ମାଳି ପର୍ବତ) ଉପରେ ରହୁଥିବା ୪୪ଟି ଗାଁର ଲୋକଙ୍କର ଏ କାହାଣୀ ।
ଭୁବନେଶ୍ୱର ;
ଏମାନଙ୍କ ପାଇଁ ପାହାଡ ମା’ ଓ ମାଟି । ଆଜି ନୁହେଁ । କାହିଁ କେଉଁ କାଳରୁ । ଜନବସତି ଆରମ୍ଭ ହେବା ଦିନରୁ ନିଜର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଏମାନଙ୍କୁ ପାହାଡ ଦେଇଛି । ଚାଷ ଜମି, ଖାଦ୍ୟ ଶସ୍ୟ ହେଉ କି ସ୍ୱାସ୍ଥ୍ୟ ସମସ୍ୟାର ଉପଶମ; ପାହାଡ ହିଁ ଏକମାତ୍ର ସମାଧାନର ସୂତ୍ର । ସାମାନ୍ୟ ଚର୍ମରୋଗଠାରୁ ଆରମ୍ଭ କରି ହୃଦ୍ରୋଗ, ସ୍ନାୟୁବିକ ରୋଗ, ଉଚ୍ଚରକ୍ତଚାପ, ପକ୍ଷାଘାତ ଭଳି ରୋଗ ଆଦିର ଉପଶମ ପାହାଡରୁ ସଂଗୃହୀତ ଜଟିବୁଟି ଦ୍ୱାରା ହିଁ ସାଧିତ ହୋଇ ପାରୁଛି । ଏଥିପାଇଁ ଗାଁ ଲୋକେ ପାହାଡ ଉପରେ ନିର୍ମାଣ କରିଛନ୍ତି ପାରମ୍ପରିକ ଚିକିତ୍ସାଳୟଟିଏ । ବାପା ଜେଜେବାପା ଅମଳର ବୈଷୟିକ ଜ୍ଞାନକୁ ବିଜ୍ଞାନ ଭିତିକ ଧାରାରେ ଗବେଷଣାଭୁକ୍ତ କରିବା ସହ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ଏବେ ଏଠାକାର ବୈଦ୍ୟମାନଙ୍କର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ମାଲ୍ୟବନ୍ତ ପର୍ବତରେ ରହୁଥିବା ପାଖାପାଖି ୧୦ ଜଣ ଦିଶାରି (ପାରମ୍ପରିକ ବୈଦ୍ୟ) ଏକାଠି ହୋଇ ଆରମ୍ଭ କରିଛନ୍ତି ଗୁପ୍ତେଶ୍ୱର ଚେରମୂଳି ଔଷଧ ପାରମ୍ପରିକ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ।
ଏ ବାବଦରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ହରିପାଙ୍ଗି କହନ୍ତି; ମୋ ଭଳି ସ୍ଥାନୀୟ ୧୦ ଜଣ ଦିଶାରି ଏବେ ସ୍ୱେଚ୍ଛାକୃତ ଭାବେ ଏଠାରେ ଆସି ଚିକିତ୍ସା ସେବା ଆରମ୍ଭ କରିବା ସହ ଗବେଷଣା କରୁଛନ୍ତି । ଆମେ ଏଠାରେ କେହି ଡିଗ୍ରୀଧାରୀ ଡାକ୍ତର ନୁହଁ; କି ଆମ ପାଖରେ ସେମିତି କୌଣସି ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ । ବାପା ଜେଜେବାପା ଅମଳରୁ ଶିଖିଥିବା ଜଡିବୁଟିର ଜ୍ଞାନକୁ ଆମେ ଅଭ୍ୟାସ କରି ଏତେବାଟ ଆସିଛୁ । ଆମ ପରେ ଏହି ଜ୍ଞାନ ଯେପରି ହଜି ନଯାଏ ସେଥିପାଇଁ ୨୦୦୦ ମସିହାରେ ଆମେ ବିଧିବଦ୍ଧ ଭାବେ ଏହାକୁ ଆରମ୍ଭ କଲୁ । ମୋ ଜେଜେବାପାଙ୍କ ବାପା ଜୟପୁର ରାଜା ବିକ୍ରମ ଦେବଙ୍କ ଦରବାରରେ ଦିଶାରି ଭାବେ କାମ କରୁଥିଲେ । ଏହି ଜ୍ଞାନ ତାଙ୍କଠାରୁ ପିଢ଼ି ପରେ ପିଢ଼ି ହୋଇ ମୋ ପାଖକୁ ଆସିଛି । ମୋ ମା’, ବଡ ଭାଇ ଓ ମୁଁ ତିନି ହେଁ ଏହାର ଅଭ୍ୟାସ ଜାରି ରଖିଛୁ । ମାଲ୍ୟବନ୍ତ ପର୍ବତ ସମେତ ଈଶ୍ୱରମାଳି, ଦେଓମାଳି, ହାତୀମାଳି ଭଳି ପାହାଡରୁ ଆମେ ଜଡିବୁଟି ସଂଗ୍ରହ କରୁ । ପରେ ଏହାକୁ ଆଣି ପ୍ରକ୍ରିୟା କରଣ କରାଯାଏ । କେଉଁ ଗଛର ଡାଳ-ପତ୍ର, ଚେର, ଫୁଲ ଆଦିକୁ ଶୁଖାଯାଏ ତ କାହାକୁ ସେମିତି ସାଇତି ରଖାଯାଏ । ବିଭିନ୍ନ ରୋଗର ଉପଶମ ପାଇଁ ଭିନ୍ନ ଭିନ୍ନ ପଦ୍ଧତିରେ ଔଷଧ ପ୍ରସ୍ତୁତ କରାଯାଏ ।
୪୫ ବର୍ଷୀୟ ଦିଶାରୀ କିଶୋର ହନ୍ତାଳ କହନ୍ତି; ଋତୁକୁ ନେଇ ଓ ଅମୃତ ବେଳାକୁ ନେଇ ଜଡିବୁଟି ସଂଗ୍ରହ ଅଭିଯାନ ଆରମ୍ଭ ହୁଏ । ଏଥିପାଇଁ ଆମେ ଆମ ଆଦିବାସୀଙ୍କ ଦେବୀଙ୍କୁ ପୂଜା କରିଥାଉ । ଏହାକୁ ସଂଗ୍ରହ କରିବାର ବିଧି ବି ଭିନ୍ନ । ଗ୍ରାମଦେବୀଙ୍କ ପାଖରେ ସମସ୍ତଙ୍କ ଶରୀରର ସୁସ୍ଥତା କାମନା କଲା ପରେ ଜଟିବୁଟି ଖୋଜିବା କାମରେ ଆମେ ବାହାରି ଯାଉ । ସକାଳ କିମ୍ବା ସନ୍ଧ୍ୟା ନଇଁବା ପୂର୍ବରୁ ଏହାକୁ ସଂଗ୍ରହ କରାଯାଏ । ସୁଶ୍ରୁତଙ୍କ ଚିକିତ୍ସାଶାସ୍ତ୍ରର ଧାରାକୁ ଆଧାର କରି ଆମେ ଦିନ ଧାର୍ଯ୍ୟକରି ଜଡିବୁଟି ସଂଗ୍ରହ କାମ କରୁ । ଏହା ପୁରୁଷାନୁକ୍ରମିକ ଭାବେ ଅନୁପାଳନ କରାଯାଏ । ଏହାବାଦ୍ ଅନେକ ଗୁପ୍ତ ଚିକିତ୍ସାଧାରା ଅଛି ଯାହାକୁକି ସର୍ବସାଧାରଣରେ କହିବା ସମ୍ଭବ ନୁହେଁ । ଆସୁଥିବା ପ୍ରତିଟି ରୋଗୀ କିପରି ଆରୋଗ୍ୟ ହୋଇ ଏଠାରୁ ଫେରିକି ଯିବ ତାହାହିଁ ଆମର ଉଦ୍ଦେଶ୍ୟ ।
କଣ ରହିଛି ଆସ୍ଥା
କାକରିଗୁମ୍ମା ଅଂଚଳର ରମଣି ରଞ୍ଜନ ମହାପାତ୍ର କହନ୍ତି; ଦୀର୍ଘବର୍ଷ ହେବ ମୁଁ ଗୁଇଲାଇନ୍ ବାରେ ସିଣ୍ଡ୍ରମ୍ ରୋଗରେ ଆକ୍ରାନ୍ତ ଥିଲି । ପ୍ରଥମେ ପ୍ରଥମେ ଶରୀରରେ ଦୁର୍ବଳତା ଦେଖାଗଲା । ଧୀରେ ଧୀରେ ଏହା ପୁରା ଶରୀରକୁ ଆକ୍ରମଣ କଲା । ଶରୀରର ଅଧା ପାରାଲାଇଜ୍ ହୋଇଗଲା । କଟକ, ଭୁବନେଶ୍ୱର, ବିଶାଖାପାଟଣାର ବଡ ବଡ ଡାକ୍ତରଖାନାରେ ଦେଖାଇବା ପରେ ଶେଷରେ ହାର ମାନିଲି ଆଉ ଗୁପ୍ତେଶ୍ୱର ହିଲିଂ ସେଂଟରକୁ ଆସିଲି । ୬ ମାସର ନିୟମିତ ଚିକିତ୍ସା ପରେ ଏବେ ମୁଁ ସମ୍ପୂର୍ଣ୍ଣ ନିରୋଗ । ସବୁ କାମ ନିଜେ କରିପାରୁଛି । ରାଜପୁଟ ଅଂଚଳର ହୃଦ୍ରୋଗୀ ପ୍ରତିମା କୁଲତି ମଧ୍ୟ ସମାନ କଥା କହନ୍ତି; ଚାରିଆଡେ ଡାକ୍ତରଙ୍କୁ ଦେଖାଇ ନିରାଶ ହେବା ପରେ ଡାକ୍ତର ଅପରେସନ୍ କରିବାକୁ କହିବାରୁ ଘରକୁ ଫେରି ଆସିଲି । ପରେ ଏଠାକୁ ଆସି ପାରମ୍ପରିକ ଚିକିତ୍ସା ପଦ୍ଧତିରେ ବର୍ଷେ ଚିକିତ୍ସା ହେଲା ପରେ ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ।
ଦୀର୍ଘ ବର୍ଷ ହେବ ମାଳି ପର୍ବତ ସୁରକ୍ଷା ସମିତିରେ ସଦସ୍ୟ ଭାବେ କାମ କରୁଥିବା ନିରଞ୍ଜନ ଖିଲୋ କହନ୍ତି; ସ୍ଥାନୀୟ ଦିଶାରୀମାନଙ୍କ ଉଦ୍ୟମରେ କରାଯାଇଥିବା ଏହି କେନ୍ଦ୍ର ଉପରେ ପର୍ବତର ସମସ୍ତ ୪୪ଟି ଗାଁର ଲୋକ ନିର୍ଭର କରନ୍ତି । କନ୍ଧ, ପରଜା, ଦୁରୁଆ, ଗଦବା, ମାଳି, ଡମ ଆଦି ଜନଜାତିର ଲୋକମାନଙ୍କ ଆସ୍ଥା ପ୍ରକୃତି ସହ ଥିବାରୁ ଏମାନେ ପ୍ରାକୃତିକ ଓ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ବିଶ୍ୱାସ କରନ୍ତି । ଲୋକଙ୍କର ଯାହା ସମସ୍ୟା ହୁଏ ପର୍ବତ ମା’କୁ ଡାକନ୍ତି । ମାଳି ପର୍ବତର ସମସ୍ତ ଲୋକଙ୍କ ଇଷ୍ଟ ଦେବୀ ହେଉଛନ୍ତି ମା’ ପାକୁଳି ଦେବୀ । ତାଙ୍କ ପାଖରେ ଶସ୍ୟ ଲାଗିହେଲା ପରେ ଯେପରି ଚାଷକାମ ଆରମ୍ଭ ହୁଏ ସେହିପରି, ଜଡିବୁଟି ଲାଗି ହେଲା ପରେ ତାହାକୁ ରୋଗୀସେବା କାର୍ଯ୍ୟରେ ଲଗାଯାଏ ।
ହଜିବାରେ ଲାଗିଛି ଅନେକ ଦୁର୍ଲଭ ଜଡିବୁଟି
ଗୋଟିଏ ପଟେ ଗାଁ ଲୋକଙ୍କ ଆସ୍ଥା ଓ ରୋଗର ଉପଶମ ପାଇଁ ଜଡିବୁଟିର ଆବଶ୍ୟକତା ପଡୁଥିବା ବେଳେ ଏବେ ସେଥିରୁ ଅନେକ ଜଡିବୁଟି ଆଉ ପର୍ବତରେ ମିଳୁନଥିବା ଦିଶାରୀମାନେ କହିଛନ୍ତି । କଳପଙ୍ଗା ଅଂଚଳର ଦିଶାରୀ ସିଙ୍ଗରୁ ହନ୍ତାଲ କହନ୍ତି; ଆଗରୁ ଆମର ଆବଶ୍ୟକତାର ପାଖାପାଖି ୮୦% ଏହି ପର୍ବତରେ ମିଳିଯାଉଥିଲା । ଆମକୁ ବାହାରକୁ ଯାଇ ଜଡିବୁଟି ଖୋଜିବାକୁ ପଡୁନଥିଲା । ମାତ୍ର ଏବେ ୩୦% ଜଡିବୁଟି ମିଳୁଛି । ଡାଇବେଟିକ, ଆର୍ଥେଟିସ୍, ଆପେଣ୍ଡିସାଇଟିସ୍, ସିକଲସେଲ୍, ହାର୍ଟ ଡିଜିଜ୍, ନ୍ୟୁରୋ ଡିଜଅର୍ଡର, ପାରାଲିସିସ୍, ଓରାଲ କେବିଟି କ୍ୟାନ୍ସର, ଅଷ୍ଟ୍ରିଓପରସିସ୍, ସାଇନସ୍ ଭଳି ୧୦୫ ପ୍ରକାର ରୋଗ ଆଦିର ଚିକିତ୍ସା ଓ ଉପଶମ ଏଠାରେ କରାଯାଉଥିବା ଦିଶାରୀ ମାନେ କହିଛନ୍ତି । ବର୍ଷକୁ ପାଖାପାଖି ୨୦ ହଜାରରୁ ଅଧିକ ଲୋକ ଏଠାକୁ ଆସି ଔଷଧ ନେଉଛନ୍ତି । ବଦଳୁଥିବା ଜଳବାୟୂ, ବେଆଇନ୍ ଜୈବବିବିଧତାର ଚାଲାଣ ଓ ମାଇନିଂ ଯୋଗୁଁ ଅନେକ ଗଛ ଆମ ପର୍ବତରୁ ହଜିଗଲାଣି । ତେଣୁ ଜଡିବୁଟି ସଂଗ୍ରହ ପାଇଁ ଆମକୁ ପାଖ ରାୟଗଡା, ମାଲକାନଗିରି ଜିଲ୍ଲାର ବିଭିନ୍ନ ପର୍ବତ ସମେତ ଓଡିଶା-ଆନ୍ଧ୍ର ସୀମାନ୍ତବର୍ତୀ ଶୁଙ୍କି ପାହାଡ ଉପରେ ନିର୍ଭର କରିବାକୁ ପଡୁଥିବା ସେ କହିଛନ୍ତି ।
ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ର ବରିଷ୍ଠ ବୈଜ୍ଞାନିକ କାର୍ତିକ ଲେଙ୍କା କହନ୍ତି; ମୁଖ୍ୟତଃ ୪ ପ୍ରକାର କାରଣ ଯୋଗୁଁ ଗତ ୨୦ ବର୍ଷ ଭିତରେ ମାଳି ପର୍ବତରୁ ଅଧିକାଂଶ ଆୟୂର୍ବେଦିକ ଗଛ ସବୁ ହଜିବାକୁ ବସିଲାଣି । ଅଣ ସ୍ଥାୟିତ୍ୱ ଅମଳ ଅଭ୍ୟାସ (ଅନ୍ ସସ୍ଟେନେବୁଲ ହାରଭେଷ୍ଟ ପ୍ରାକ୍ଟିସ୍) ଏଭଳି ଗଛ ହଜିଯିବାର ମୁଖ୍ୟ କାରଣ । ପୂର୍ବରୁ ଏହି ପାରମ୍ପରିକ ଗଛସବୁରୁ ଫଳ, ଫୁଲ, ଚେର କାଣ୍ଡ ଆଦି ସଂଗ୍ରହ କଲା ବେଳେ ନିର୍ଦ୍ଦିଷ୍ଟ ସମୟ ଓ ଋତୁକୁ ଅପେକ୍ଷା କରାଯାଉଥିଲା । ମାତ୍ର ଏବେ ପାରମ୍ପରିକ ଜଡିବୁଟିରେ ଅଭ୍ୟାସ ରଖୁଥିବା ବୈଦ୍ୟ ମାନେ ଅଣ କୁଶଳୀ ଭାବେ ଏହାକୁ ସଂଗ୍ରହ କରୁଛନ୍ତି । ଅର୍ଥାତ ଖରା ମାସରେ ଗଛରୁ ଛାଲ, ପତ୍ର ସବୁ ତୋଳିନେବା ଦ୍ୱାରା ତାହା ଧୀରେ ଧୀରେ ଶୁଖି ମରିଯାଉଛି । ଜଙ୍ଗଲରେ ଲାଗୁଥିବା ନିଆଁ ଦ୍ୱାରା ମଧ୍ୟ ଅନେକ ଗଛର ଚେର ଓ କନ୍ଦା ସମୂଳେ ନଷ୍ଟ ହୋଇଯାଉଛି । ଏସବୁବାଦ୍ ଅନେକ ଗଛର ଚେର, ପତ୍ର, କାଣ୍ଡ, ମୂଳ ଓ କନ୍ଦାକୁ ବେଆଇନ୍ ଭାବେ ଉପାଡି ବାହାରକୁ ଚାଲାଣ କରି ଦିଆଯାଉଛି । ତେବେ ଏହାକୁ ରୋକିବା ଏବଂ ଏଥିପାଇଁ ଥିବା ଜୈବବିବିଧତା ଅଧୀନିୟମକୁ କଡାକଡି ଭାବେ ଲାଗୁ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।