ଆର୍ଥିକ ସ୍ୱାଧୀନତା ଦେଇଛି ମାଣ୍ଡିଆ

ରାଜ୍ୟ ସରକାର ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଥିବାରୁ ଏଣିକି ପ୍ରତିବର୍ଷ ଏହି ଦିନକୁ ପାଳନ କରିବାର ନିଷ୍ପତି ହୋଇଛି । ଓଡ଼ିଶାର ପ୍ରତି ଘରେ ମାଣ୍ଡିଆ ପହଂଚାଇବା ଓ ଏହାରି ମଧ୍ୟରେ ମହିଳାଙ୍କୁ ସଶକ୍ତକରିବା ପାଇଁ ଏହି ଦିବସର ମାସ୍କର୍ଟ ଭାବେ ମିଲିର ପରିକଳ୍ପନା କରାହୋଇଛି । ତେବେ ଏହି ମିଲି ପରିକଳ୍ପନା ପୂର୍ବରୁ ଯେ ମାଣ୍ଡିଆ ବା ମିଲେଟ ଗାଁ ଗାଁରେ ମହିଳାଙ୍କୁ ସଶକ୍ତ କରୁଛି, ଆର୍ଥିକ ସ୍ୱାଧିନତା ଦେଇଛି ଓ ସ୍ୱାବଲମ୍ବୀ କରୁଛି ଏଥିରେ ସନ୍ଦେହ ନାହିଁ । ଏହାଛଡା, ୨୦୧୭ରୁ ରାଜ୍ୟ ସରକାର ଓଡିଶା ମିଲେଟ ମିଶନ ଆରମ୍ଭ କରି ଛୋଟ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହିତ କରି ମାଣ୍ଡିଆକୁ ପୁଣିଥରେ ଚାଷ କ୍ଷେତ ଓ ଖାଦ୍ୟ ପ୍ଲେଟକୁ ଫେରାଇ ଆଣିବାରେ ସହାୟକ ହୋଇଛନ୍ତି ।

ଭୁବନେଶ୍ୱର ;

ଗତ କିଛି ବର୍ଷ ହେବ ରାଜ୍ୟ ସରକାର ପୁଷ୍ଟିକର ଖାଦ୍ୟ ନିରାପତା ଉପରେ ଗୁରୁତ୍ୱ ଦେବା ସହ ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ମିଲେଟର ଅଭିବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ଯାହାକି ଏବେ ଏକ ବିପ୍ଲବରେ ପରିଣତ ହୋଇଛି । ୨୦୧୭ ମସିହାରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଓଡିଶା ମିଲେଟ ମିଶନ ଆରମ୍ଭ କରି ଓଡିଶା ମିଲେଟକୁ ପ୍ରେତ୍ସାହନ କରିବା ଆରମ୍ଭ କଲେ । ପୂର୍ବରୁ ପାରମ୍ପରିକ ଭାବେ ଆଦିବାସୀଙ୍କ ଖାଦ୍ୟ ଏବଂ ଫସଲ ପ୍ରଣାଳୀର ଏକ ପ୍ରମୁଖ ଅଂଶ ଥିବା ମାଣ୍ଡିଆ କୁ ପୁଣିଥରେ ଓଡ଼ିଶାର ଚାଷୀ କ୍ଷେତରେ କରିବେ ଓ ସାଧାରଣ ଲୋକଙ୍କ ଖାଦ୍ୟ ପ୍ଲେଟକୁ ଏହା ପୁଣି ଫେରିବ ସେଥିପାଇଁ ଏହି ମିଶନ ପକ୍ଷରୁ ଚେଷ୍ଟା କରାଗଲା ।

ସମସ୍ତଙ୍କ ଥାଳିରେ ମିଲେଟ

ସମସ୍ତଙ୍କ ଖାଦ୍ୟ ଥାଳିରେ କିପରି ମିଲେଟ ପହଂଚିବ ଏଥିପାଇଁ ରାଜ୍ୟ ସରକାର ନିୟମିତ ଭାବେ ବିଭିନ୍ନ ପ୍ରକାର ଅଭିଯାନ ଓ ସମାବେଶ କରି ଲୋକଙ୍କୁ ମିଲେଟର ଉପକାରିତା ବିଷୟରେ ଅବଗତ କରୁଛନ୍ତି । ମିଲେଟ ସାଧାରଣ ଓ ଗରିବ ଲୋକଙ୍କ ଖାଦ୍ୟ କୁହାଯାଉଥିବା ଭ୍ରାନ୍ତ ଚିନ୍ତାଧାରାରୁ ଲୋକଙ୍କୁ ବିମୁଖ କରାଇବାକୁ ମିଲେଟର ବିଭିନ୍ନ ପ୍ରକାରର ବିକଳ୍ପ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଉଛି । କେବଳ ସେତିକି ନୁହେଁ ଏହାକୁ ସାଧାରଣ ବଂଟନ ବ୍ୟବସ୍ଥା (ପିଡିଏସ୍‌) ରେ ମଧ୍ୟ ସାମିଲ କରାଯାଇଛି । ଏ ବାବଦରେ ୱାସନ୍‌ର ଆସୋସିଏଟ ଡାଇରେକ୍ଟର ଦିନେଶ ବାଲାମ କହିଛନ୍ତି; ଏବେ ସରକାର ପ୍ରତ୍ୟେକ ରାସନକାର୍ଡଧାରୀଙ୍କୁ ଏକ କିଲୋ ରାଗି ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । କେବଳ ସେତିକି ନୁହେଁ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ରାଗି ଲଡୁ ଦିଆଯାଉଛି । ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ ତାପସ ଚନ୍ଦ୍ର ରାୟ କହିଛନ୍ତି; ଧାନ ଚାଷ ପାଇଁ ଏକର ପିଛା ୧୫ରୁ ୧୮ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମାଣ୍ଡିଆ ପାଇଁ ମାତ୍ର ୧୦ ହଜାର ଖର୍ଚ୍ଚ ହେଉଛି । ତେବେ ଏକର ପିଛା ଧାନ ଉତ୍ପାଦନ ସର୍ବାଧିକ ୨୫ କୁଇଂଟାଲ ହେଉଥିବା ବେଳେ ମାଣ୍ଡିଆ ୧୦ରୁ ୧୪ କୁଇଂଟାଲ ହେଉଛି । ଏହି ତାରତମ୍ୟକୁ ହଟାଇବା ପାଇଁ ସରକାର ଧାନ ତୁଳନାରେ ମାଣ୍ଡିଆର ସହାୟକ ମୂଲ୍ୟକୁ ବୃଦ୍ଧି କରି ଏହାକୁ ଏକ ମିଶନ ଭାବେ ଆପଣେଇବାକୁ ଓଡିଶାର ଚାଷୀକୁ କହିଛନ୍ତି ।

ଆଦିବାସୀ ମହିଳାଙ୍କୁ ସଶକ୍ତ

ରାଜ୍ୟର ଅଧିକାଂଶ ଆଦିବାସୀ ଜିଲ୍ଲାର ମହିଳା କୃଷକମାନଙ୍କୁ ସ୍ୱାବଲମ୍ବୀ କରିଛି ମିଲେଟ । ଓଡିଶାର ତୃତୀୟ ବୃହତ ଜନସଂଖ୍ୟା ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାର ୧୦୪ ପ୍ରତିଶତ ମହିଳା ମିଲେଟ ଚାଷ ପ୍ରତି ଆଗ୍ରହ ଦେଖାଇଛନ୍ତି । ମାଣ୍ଡିଆ ଯୋଗୁଁ କେବଳ ମୟୂରଭଞ୍ଜ ନୁହେଁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ୨୦୧୯ରୁ ୨୦୨୨ ଭିତରେ ଅନେକ ପରିବର୍ତନ ଦେଖାଦେଇଛି । ମହିଳାମାନେ ନିଜର ପୁରୁଷ ସହକର୍ମୀ ସହ ଧାନ ଚାଷରେ ସାହାଯ୍ୟ କରୁଥିବା ବେଳେ ଅଧିକାଂଶ ସ୍ଥାନରେ ଏକାକି ମିଲେଟ ଚାଷର ଦାୟିତ୍ୱ ବହନ କରୁଛନ୍ତି । ଫଳସ୍ୱରୂପ ସ୍ୱତନ୍ତ୍ର ଭାବେ ସେମାନେ ମିଲେଟ ଯୋଗୁଁ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି । ଏ ବାବଦରେ ରାଇରଙ୍ଗପୁର ଅଂଚଳର ସୁନିତା ବିଶୋଇ କହନ୍ତି ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ଆମ ଘରର ୨ ଏକର ଜମିରେ ନିଜେ ମାଣ୍ଡିଆ ଚାଷ ଆରମ୍ଭ କଲି । ଏଥିରୁ ହେଉଥିବା ଆୟରେ ମୁଁ ମୋର ୧୦ ବର୍ଷର ପୁଅର ପାଠପଢ଼ା ଖର୍ଚ୍ଚ ତୁଲେଇବା ସହ ବିସିଏ (ବ୍ୟାଚେଲର୍ସ ଅଫ୍ କମ୍ପ୍ୟୁଟର ଆପ୍ଲିକେସନ୍‌) ପାଠ୍ୟକ୍ରମରେ ନାମ ଲେଖାଇଛି । ଏହା ମୋତେ ଭିନ୍ନ ଏକ ଜ୍ଞାନ କୌଶଳର ବିଷୟକୁ ଶିଖିବାରେ ସାହାଯ୍ୟ କରିଛି । ଗତବର୍ଷ ମୁଁ ପାଖାପାଖି ୫ କୁଇଂଟାଲ ମାଣ୍ଡିଆ ବିକ୍ରି କରିଥିଲି । ଯେଉଁଥିରୁ ପାଖାପାଖି ୧୬ ହଜାର ଟଙ୍କା ଆୟ କରିଥିଲି । ହରିଚନ୍ଦନପୁର ଅଂଚଳର ଜୁଲି ନାୟକ କହନ୍ତି ମୁଁ ପାଖାପାଖି ୩ ଏକର ଜମିରେ ଏ ବର୍ଷ ମାଣ୍ଡିଆ ଚାଷ କରିଛି । ଏହାକୁ ଆମେ କେବଳ ବଜାରରେ ବିକ୍ରି କରୁନୁ ବରଂ ନିଜର ଆବଶ୍ୟକତା ବି ମେଂଟାଉଛୁ । ପୂର୍ବରୁ ଧାନ ଓ ଅନ୍ୟାନ୍ୟ ଚାଷରୁ ବାହାରୁଥିବା ଟଙ୍କା ମୋ ସ୍ୱାମୀ ନିଜ ପାଖରେ ରଖୁଥିଲେ ଓ ଆବଶ୍ୟକ ବେଳେ ଖର୍ଚ୍ଚ କରୁଥିଲେ । କିନ୍ତୁ ଯେବେଠାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ମୁଁ ମାଣ୍ଡିଆ ଚାଷ କରୁଛି; ସେବେଠୁ ମୁଁ ମୋ ନିଜ ରୋଜଗାରକୁ ନିଜେ ପରିଚାଳନା କରୁଛି । ଏହା ମୋତେ କେବଳ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିନି ବରଂ ଆର୍ଥିକ ସ୍ୱାଧୀନତା ବି ଦେଇଛି ।

ଏ ବାବଦରେ ଓଡିଶା ମିଲେଟ ମିଶନ୍‌ର ମୟୂରଭଞ୍ଜ ଯୋଜନା ଅଧିକାରୀ ନିଳମାଧବ ଦାସ କୁହନ୍ତି; ଜିଲ୍ଲା ପ୍ରଶାସନ ସହ ମିଶି ଏବେ ମିଲେଟକୁ ବିକଳ୍ପ ଖାଦ୍ୟ ତାଲିକାରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି । ମିଲେଟ ଓ ମିଲେଟ ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବିକ୍ରିବଟା ପାଇଁ ଫୁଡ ଟ୍ରକ୍ କରାଯାଇଛି । ମହିଳାମାନଙ୍କ ଦ୍ୱାରା ମିଲେଟ କାଫେ ଉନ୍ମୋଚନ କରାଯାଇଛି । ଅନେକ ସ୍ଥାନରେ ମହିଳା ଏସ୍‌ଏଜି ଦ୍ୱାରା ପ୍ରସେସିଂ ୟୁନିଟ କରାଯାଇ ଗୁଣ୍ଡ ମିଲେଟକୁ ଅଙ୍ଗନବାଡି କେନ୍ଦ୍ର ଆଦିକୁ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଚାଷୀଙ୍କ ପାଇଁ ପ୍ରୋତ୍ସାହନ ରାଶି

ମିଲେଟ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ରାଜ୍ୟ ସରକାର ଏକ ପ୍ରୋତ୍ସାହନ ରାଶି ମଧ୍ୟ ଦେଉଛନ୍ତି । ଯଦି ଚାଷୀ ନିଜର ଧାନ ଚାଷରୁ ମିଲେଟକୁ ସ୍ଥାନାନ୍ତର କରିବ ତେବେ ତାକୁ ହେକ୍ଟର ପିଛା ୯୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହାସହ ଚାଷୀକୁ ମାଗଣାରେ ମିଲେଟ ବିହନ ଓ ଜୈବିକ ଖତ ମଧ୍ୟ ପ୍ରଦାନ କରାଯାଉଛି । ହାଇଦ୍ରାବାଦ ସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ୱାଶନ୍‌, ଭୁବନେଶ୍ୱର ସ୍ଥିତ ନବକୃଷ୍ଣ ଚୌଧୁରୀ ସେଂଟର ଫର ଡେଭେଲପ୍‌ମେଂଟ ଷ୍ଟଡିଜ୍ (ଏନ୍‌ସିଡିଏସ୍‌) ମିଳିତ ଭାବେ ଏଥିପାଇଁ ରାଜ୍ୟ ସରକାରଙ୍କ ସହ ସହଭାଗୀ ହୋଇ କୃଷକମାନଙ୍କୁ ନିୟମିତ ତାଲିମ ପ୍ରଦାନ କରୁଛି । କମ୍ ଖର୍ଚ୍ଚରେ ଚାଷୀମାନେ କିପରି ଗୁଣାତ୍ମକମାନର ମିଲେଟ ଉତ୍ପାଦନ କରିପାରିବେ ସେଥିପାଇଁ ବିଶେଷଜ୍ଞମାନେ ସିଧାସଳଖ ଯାଇ ଚାଷଙ୍କୁ କ୍ଷେତରେ ତାଲିମ ଦେଉଛନ୍ତି ।

ଉତ୍ପାଦିତ ମିଲେଟର ବଜାରୀକରଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ କରିବାକୁ ସରକାର ଉତ୍ପାଦନ ହାରକୁ ବଢ଼ାଇବାକୁ ଏକ ନିଶ୍ଚିତ ବଜାର ମଧ୍ୟ ସୃଷ୍ଟି କରିଛନ୍ତି । ଏ ବାବଦରେ ରାଜ୍ୟ ସରକାରଙ୍କ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ହିରଞ୍ଜନ ମହାନ୍ତ କହିଛନ୍ତି; ୨୦୧୯ ପରଠାରୁ ରାଜ୍ୟ ସରକାର ଇଚ୍ଛାକୃତ ଭାବେ ମିଲେଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଅହେତୁକ ଅଭିବୃଦ୍ଧି କରିଛନ୍ତି । ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ୧୯୪୦ ଥିବା ବେଳେ ରାଗି ଭଳି ଛୋଟ ମିଲେଟର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ୩୩୭୭ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳସ୍ୱରୂପ ଗତ ୫ ବର୍ଷ ଭିତରେ ଓଡିଶାରେ ମିଲେଟ ଉତ୍ପାଦନରେ ୧୪ ଗୁଣ ଅଭିବୃଦ୍ଧି ଘଟିିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରେ ୩୩୩୩ ହେକ୍ଟର ଜମିରେ ମିଲେଟ ଚାଷ ହେଉଥିବା ବେଳେ ୨୦୨୧-୨୨ରେ ଏହା ୫୩,୨୩୦ ହେକ୍ଟରକୁ ବୃଦ୍ଧି ପାଇଛି । ଏନେଇ ନବକୃଷ୍ଣ ଚୌଧୁରୀ ସେଂଟର ଫର ଡେଭେଲପ୍‌ମେଂଟ ଷ୍ଟଡିଜ୍ ପକ୍ଷରୁ ମିଲେଟ ଉତ୍ପାଦନ କରୁଥିବା ପରିବାର ଉପରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରୁ ଜଣାଯାଏ ଯେ ମିଲେଟ ମିଶନ ସହାୟତାରେ ରାଜ୍ୟର ଚାଷୀମାନଙ୍କର ହେକ୍ଟର ପିଛା ଉତ୍ପାଦନ ମୂଲ୍ୟ ୯୪୭୭ ଟଙ୍କାରୁ ୨୦ ହଜାର ୭୦୧ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଆୟ ହେକ୍ଟର ପିଛା ୩୯୫୭ ଟଙ୍କାରୁ ୧୨ ହଜାର ୪୮୬ ଟଙ୍କାକୁ ବୃଦ୍ଧି ପାଇଛି ।

ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାର ମାଣ୍ଡିଆ ଚାଷ ପାଇଁ ହେକ୍ଟର ପିଛା ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରି ୫ ବର୍ଷ ପାଇଁ ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅତିରିକ୍ତ ୧୧ ଟି ଜିଲ୍ଲାର ୩୪ଟି ବ୍ଲକ୍‌କୁ ଓଡିଶା ମିଲେଟ ମିଶନ୍‌କୁ ସମ୍ପ୍ରସାରିତ କରାଯାଇଛି । ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକ୍‌ରେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହୋଇଛି ।

ଜଳବାୟୂ ପରିବର୍ତନକୁ ଦେବ ମାତ୍

ଜଳବାୟୂ ପରିବର୍ତନ ଯୋଗୁଁ ଅଧିକାଂଶ ଫସଲର ଅମଳ ପ୍ରଭାବିତ ହେଉଥିବା ବେଳେ ଏଦିଗରେ ମାଣ୍ଡିଆ -ଚାଷୀଙ୍କୁ ସମସ୍ତ ପ୍ରକାର ଚିନ୍ତାରୁ ମୁକ୍ତି ଦେବ । ଅନିୟମିତ ବର୍ଷା ହେଉ କି ନିିଆଁ ବର୍ଷା ଅବା ଟାଣ ଖରା- ସବୁ ପରିସ୍ଥିତିରେ ଏହା କ୍ଷେତରେ ତିଷ୍ଠି ରହିବାର କ୍ଷମତା ରଖୁଛି । ଧାନ ତୁଳନାରେ ମାଣ୍ଡିଆ ଚାଷ ପାଇଁ ପାଣିର ଆବଶ୍ୟକତା କମ୍ ପଡେ । ୧ କେଜି ଧାନ ଉତ୍ପାଦନ ପାଇଁ ପ୍ରାୟ ୩ରୁ ୫ ହଜାର ଲିଟର ପାଣିର ଆବଶ୍ୟକତା ରହୁଥିବା ବେଳେ ଏହା ୧୨୦୦ରୁ ୧୫୦୦ ମିଲିମିଟର ବର୍ଷା ଦ୍ୱାରା ଭରଣା ହୋଇପାରୁଛି । ହେଲେ ମାଣ୍ଡିଆ ଚାଷ ପାଇଁ ମାତ୍ର ୨୦୦-୩୫୦ ମିଲିମିଟର ପାଣିର ଆବଶ୍ୟକତା ରହୁଛି । କମ୍ ପରିମାଣର ପାଣିର ଆବଶ୍ୟକତା କରୁଥିବା ମାଣ୍ଡିଆ ଫସଲକୁ ମରୁଡି ବି ପ୍ରଭାବିତ କରିପାରିବ ନାହିଁ । ଏ ବାବଦରେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ବୈଜ୍ଞାନିକ ଡ ଦେବବ୍ରତ ପଣ୍ଡା କହିଛନ୍ତି; ଓଡିଶାରେ ଅଧିକାଂଶ ଚାଷୀ ୧୫୦ ଦିନିଆ ଧାନ ଚାଷ କରନ୍ତି ଓ ଏଥିପାଇଁ ଅମଳର ଶେଷ ୨୦ ଦିନ ଛାଡି ଦେଲେ ୧୩୦ ଦିନ ପାଣିର ଆବଶ୍ୟକତା ରୁହେ । ଗତ କିଛି ବର୍ଷ ହେବ ଜଳବାୟୂ ପରିବର୍ତନ ଯୋଗୁଁ ବର୍ଷାର ଅନିୟମିତତା ବଢ଼ିବାରେ ଲାଗିଛି । ମୌସୁମୀ ବି ଜୁନ୍ ମାସରେ ଓଡିଶା ଛୁଇଁଲେ ଅଗଷ୍ଟ ମାସ ଯାଏଁ ବିଶେଷ ବର୍ଷା ହେଉନି । ଯାହାଦ୍ୱାରା ଚାଷ କାମ ବିଳମ୍ବ ହେଉଛି । ନଚେତ କେତେକ ସମୟରେ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏଭଳି ପ୍ରତିକୂଳ ପରିସ୍ଥିତି ମାଣ୍ଡିଆ ଚାଷ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

Leave a Reply

Your email address will not be published. Required fields are marked *