ଭୁବନେଶ୍ୱର : ପାଉଡି ଭୁୟାଁ ଜନଜାତିଙ୍କ ପରେ ଏବେ ମାଙ୍କଡିଆ ଜନଜାତିଙ୍କୁ ମିଳିଲା ବସତି ଉପରେ ଅଧିକାର । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଅଧିକ ସଂଖ୍ୟାରେ ଦେଖାଯାଉଥିବା ଏହି ଜନଜାତିଙ୍କୁ ନିକଟରେ ବାରିପଦାଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ତାଙ୍କର ବସତି ଅଧିକାର ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏହା ସେମାନଙ୍କ ମଧ୍ୟରେ ଖୁସି ଆଣିବା ସହ ସେମାନଙ୍କ ଜୀବିକାକୁ ପୁଣି ଫେରାଇ ଆଣିବ ବୋଲି କହିଛନ୍ତି ।
ରାଜ୍ୟର ୧୩ଟି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଜନଜାତିଙ୍କ ମଧ୍ୟରୁ ମାଙ୍କଡିଆ ଜନଜାତି ଅନ୍ୟତମ, ପାରମ୍ପରିକ ଭାବେ ଏହି ଜନଜାତି ଜଙ୍ଗଲରୁ ଶିଆଳି ଲତା ଆଣି ସେଥିରେ ଦଉଡି ତିଆରି କରି ବଜାରରେ ବିକ୍ରି କରି ଚଳନ୍ତି, କିନ୍ତୁ ଶିମିଳିପାଳ ରିଜର୍ଭ ଫରେଷ୍ଟକୁ ୟୁନେସ୍କୋ ପକ୍ଷରୁ ବାୟୋସ୍ଫିୟର ରିଜର୍ଭ ଘୋଷଣା କରାଯିବା ପରଠାରୁ ମାଙ୍କଡିଆଙ୍କୁ ଏହା ଭିତରକୁ ପ୍ରବେଶ କରିବା ସମ୍ପୂର୍ଣ୍ଣ ନିଷେଧ କରାଗଲା ଯାହାର ସିଧାସଳଖ ପ୍ରଭାବ ସେମାନଙ୍କ ଜୀବନ ଓ ଜୀବିକା ଉପରେ ପଡିଲା । ଶିମିଳିପାଳରୁ ଶିଆଳିଲତା ଆଣି ଚଳୁଥିବା ମାଙ୍କଡିଆ ଜନଜାତିଙ୍କୁ ବାଧ୍ୟ ହୋଇ ପ୍ଲାଷ୍ଟିକ ସୂତାରେ ଦଉଡି ତିଆରି କରି ବିକ୍ରିି କରି ଚଳିବାକୁ ପଡିଲା । ଅନେକେ ଶିଆଳିଲତା ପାଇଁ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କଲେ ସେମାନଙ୍କୁ ଜଙ୍ଗଲ ବିଭାଗର କର୍ମଚାରୀମାନେ ନିର୍ଯାତନା ଦେଉଥିବାର ଅଭିଯୋଗ କରୁଥିଲେ । ତେବେ ଜଙ୍ଗଲ ଅଧିକାର ଆଇନ ୨୦୦୬ ବଳରେ ଏବେ ସେମାନଙ୍କୁ ବସତି ଉପରେ ଅଧିକାର ମିଳିଛି ।
କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଓ ଗବେଷଣା ପ୍ରତିଷ୍ଠାନ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଜନଜାତିଙ୍କ ଜନସଂଖ୍ୟା କମୁଥିବାର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏନେଇ ବିଭିନ୍ନ ପ୍ରକାର କାରଣକୁ ଦାୟୀ କରିଛି। ଏଥିପାଇଁ ଆଦିମ ଜନଜାତିଙ୍କ ବସତି, ସେମାନଙ୍କ ଜମି ଓ ସେମାନଙ୍କ ଜଙ୍ଗଲ ସୁରକ୍ଷିତ ନଥିବା ପ୍ରସଙ୍ଗକୁ ଦାୟୀ କରିଛି। ଜଙ୍ଗଲ ଅଧିକାର ଅଧିନିୟମ ବାବଦରେ ଆଦିମ ଜନଜାତି ଅଜ୍ଞ ଥିବାରୁ ଓ ଏଥିରେ ସେମାନେ କିପରି ଅଧିକାର ପାଇପାରିବେ ସେ ବାବଦରେ ସଚେତନ ନଥିବାରୁ ଅନେକ ସମୟରେ ସେମାନଙ୍କର ଜଙ୍ଗଲ ଜମି ବିଭିନ୍ନ ବିକାଶମୂଳକ କାମ ପାଇଁ ବ୍ୟବହାର ହେଉଛି। କେବଳ ସେତିକି ନୁହେଁ ପିଭିଟିଜିମାନେ ରହୁଥିବା ସ୍ଥାନ ବା ବସତିଗୁଡିକ ଅନେକ ସମୟରେ ସଂରକ୍ଷିତ ଜଙ୍ଗଲ ବା ବ୍ୟାଘ୍ର ପ୍ରକଳ୍ପ ଭାବେ ଘୋଷଣା କରାଯିବା ଦ୍ୱାରା ତାହା ଜନଜାତିଙ୍କ ହାତରୁ ପଳାଉଛି। ଏସବୁ ଦିଗକୁ ବିଚାର କଲେ ପିଭିଟିଜିିଙ୍କୁ ସେମାନଙ୍କର ବସତି ଉପରେ ଅଧିକାର ମିଳିବା ଗୁରୁତ୍ୱପୂର୍ଣ୍ଣ ଅଟେ।
‘ଜଙ୍ଗଲ ଅଧିକାର ଅଧିନିୟମ’ରେ ଯେଉଁ ଜଙ୍ଗଲ ଅଧିକାରର କଥା କୁହାଯାଇଛି ତାହା ହେଉଛି ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବା। ହେଲେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଜନଜାତିଙ୍କୁ ସେମାନଙ୍କର ବସତି ଉପରେ କୁହାଯାଉଥିବା ଅଧିକାର ଗୋଷ୍ଠୀଗତ ବନସମ୍ବଳ ଅଧିକାର ଓ ବ୍ୟକ୍ତିଗତ ଜଙ୍ଗଲ ଅଧିକାରଠାରୁ ବହୁତ ଭିନ୍ନ। ଏହି ଜନଜାତି ଏକ ନିର୍ଦ୍ଦିଷ୍ଟ ବସତି ଭିତରେ ରହୁଥିବା ବେଳେ ଏମାନଙ୍କର ରୀତିନୀତି, ପର୍ବପର୍ବାଣୀ, ପବିତ୍ର ସ୍ଥାନ, ପିଠସ୍ଥଳୀ, ଗ୍ରାମ ଦେବ ସ୍ଥଳୀ ଅନ୍ୟଠାରୁ ଭିନ୍ନ। ଏମାନେ ବିଶେଷ ଭାବେ ଧରମ ଦେବତା ଭାବେ ସୂର୍ଯ୍ୟ, ବାସୁକି ମାତା, ଗ୍ରାମ ଦେବତା ଭାବେ ବୋଡାମ, ପୁରୁଷ ଦେବତା ଭାବେ ବିର୍ଦା, ବିଶ୍ରି ଠାକୁରାଣୀ, କରମ ରାଣୀ ଓ ପାହାଡି ଦେବତାଙ୍କୁ ପୂଜା କରନ୍ତି।
ଏ ବାବଦରେ ଜଙ୍ଗଲ ଅଧିକାର ଉପରେ କାମ କରୁଥିବା ଗବେଷକ ତୁଷାର ଦାସ କହନ୍ତି; ଏହି ଜନଜାତିଙ୍କ ପାଇଁ ସେମାନଙ୍କ ଜଙ୍ଗଲ ଓ ଜମିର ଅନେକ ଗୁରୁତ୍ୱ ରହିଛି। ଏମାନେ ଏଭଳି ଜନଜାତି ଯେଉଁମାନଙ୍କଠାରେ ଆମେ ପାରମ୍ପରିକ ଚାଷ ବାସର ଧାରା ପୂଜା, ପର୍ବ ପର୍ବାଣୀ ଓ ସଂସ୍କୃତିକୁ ଦେଖିପାରୁ। ଯାହାକି ଅନ୍ୟଠାରୁ ସ୍ୱତନ୍ତ୍ର ଓ ଭିନ୍ନ। ଏହି ବିବିଧତା ହିଁ ସେମାନଙ୍କ ପରିଚୟ। ଯାହାକୁ ଏବେ ସାରା ବିଶ୍ୱ ଗ୍ରହଣ କରୁଛି ଆଉ କହୁଛି ମିଲେଟ ଭଳି ଏକ ସାମଗ୍ରୀ ଏଭଳି ପାରମ୍ପରିକ ଚାଷ ପଦ୍ଧତି ବା ଅଭ୍ୟାସ ଦ୍ୱାରା ବଂଚି ରହିଛି। ଏହି ଜନଜାତିମାନେ କୃଷି ଜୈବବିବିଧତାର ସୁରକ୍ଷା ଦାତା। କେବଳ ସେତିକି ନୁହଁନ୍ତି ଏମାନେ ପାରମ୍ପରିକ ଔଷଧ ବ୍ୟବହାରକାରୀ ଓ ପାରମ୍ପରିକ ଜ୍ଞାନର ଅଧିକାରୀ ମଧ୍ୟ।
ପାଉଡି ଭୂୟାଁ ପରେ ମାଙ୍କଡିଆ ଦ୍ୱିତୀୟ ଜନଜାତିଭାବେ ବସତି ଉପରେ ଅଧିକାର ପାଇଛି ହେଲେ ଆଉ ୪ଟି ଜନଜାତିଙ୍କୁ ଜିଲ୍ଲାସ୍ତରୀୟ କମିଟି ଅନୁମୋଦନ ଦେଇସାରିଛି । ଜିଲ୍ଲାସ୍ତରୀୟ ଅନୁମୋଦନ ପାଇଥିବା ଜନଜାତିଗୁଡିକ ହେଉଛି-କେଉଁଝର ଓ ଯାଜପୁରର ଜୁଆଁଙ୍ଗ, ଗଜପତି ଜିଲ୍ଲାର ସଉରା, ନୂଆପଡାର ଚୁକୁଟିଆ ଭୁଞ୍ଜିଆ ଏବଂ ମୟୁରଭଞ୍ଜର ହିଲ ଖାଡିଆ ।
ରାଜ୍ୟରେ ୧୩ଟି ବିଶେଷ ଆଦିମ ଜନଜାତି (ପିଭିଟିଜି) ସମ୍ପ୍ରଦାୟର ଲୋକ ରହୁଥିବା ବେଳେ ସେଥିମଧ୍ୟରୁ ଲାଞ୍ଜିଆ ସଉରା ଓ ଲୋଧା ସମ୍ପ୍ରଦାୟଙ୍କ ପାଖରେ ବସତି ଭଳି କୌଣସି ଶବ୍ଦ ସହ ପରିଚିତ ନୁହଁନ୍ତି। ତେଣୁ ଏହି ଦୁଇ ଜନଜାତିଙ୍କୁ ବସତି ଭଳି ଅଧିକାର ମିଳିପାରିବ ନାହିଁ। ଅପରପକ୍ଷେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କୁଟିଆ କନ୍ଧ ଓ ରାୟଗଡାର ଡଙ୍ଗରିଆ କନ୍ଧମାନେ ଏଥିପାଇଁ ଆବେଦନ କରିବାକୁ ମନା କରିଦେଇଥିବାରୁ ରାଜ୍ୟ ସରକାରଙ୍କ ଅନୂସୁଚିତ ଜାତି ଓ ଜନଜାତି ବିଭାଗ ଗବେଷଣା ପ୍ରତିଷ୍ଠାନ ଅନ୍ୟ ଜନଜାତିଙ୍କ ବସତି ପାଇଁ ଆବେଦନ କରିଥିଲେ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓ ବସୁନ୍ଧରା ଦ୍ୱାରା କରାଯାଇଥିବା ଗବେଷଣା ଓ ସର୍ଭେରୁ ଏ ବାବଦରେ ରିପୋର୍ଟ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବସତି ଉପରେ ଅଧିକାର ପାଇଥିବା ପାଉଡିଭୂୟାଁ ଜନଜାତି ନିଜର ବସତି ଭାବେ ୫୨,୧୫୨ ହେକ୍ଟର ଜାଗାରେ ନିଜର ଅଧିକାର ପାଇଛନ୍ତି। କେବଳ ସେତିକି ନୁହେଁ ଏହି ନିର୍ଦ୍ଦିଷ୍ଟ ଜନଜାତିର ଲୋକ ୧୯,୫୮୯.୩ ହେକ୍ଟର ଜଙ୍ଗଲ ଜମି ଉପରେ ଅଧିକାର ପାଇଛନ୍ତି। ହେଲେ ବସତି ଉପରେ ଅଧିକାର ପାଇଁ ଆବେଦନ କରିଥିବା ଅନ୍ୟ ପିଭିଟିଜି ଯେପରି କେନ୍ଦୁଝର, ଢ଼େଙ୍କାନାଳ ଓ ଯାଜପୁର ଜିଲ୍ଲାର ଜୁଆଙ୍ଗ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳର ପାଉଡି ଭୂୟାଁ, ମାଲକାନଗିରିର ବଣ୍ଡା ଓ ଦିଦାୟି ସମ୍ପ୍ରଦାୟ, ନୂଆପଡାର ଚୁକୁଟିଆ ଭୁଞ୍ଜିଆ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସଉରା ଜନଜାତିଙ୍କୁ ତାଙ୍କର ବସତି ଉପରେ ସମୁଦାୟ ୨୨ ଲକ୍ଷ ୭୦ ହଜାର ୫୮୯.୫୧ ହେକ୍ଟର ଜମି ଉପରେ ସେମାନଙ୍କର ବସତି ଅଧିକାର ଓ ୯ ଲକ୍ଷ ୮୧ ହଜାର ୨୪୯ ହେକ୍ଟର ଜଙ୍ଗଲ ଜମି ଉପରେ ଅଧିକାର ମିଳିବ।
ଏ ବାବଦରେ ସ୍ୱେଚ୍ଛାସେବୀ ସଙ୍ଗଠନ ବସୁନ୍ଧରା ସହ ଜଡିତ ରଞ୍ଜିତା ପଟ୍ଟନାୟକ କହନ୍ତି ”ମାଙ୍କଡିଆଙ୍କ ଅଧିକାର ପାଇଁ ବସୁନ୍ଧରା ଦୀର୍ଘବର୍ଷ ହେବ କାମ କରୁଥିବା ବେଳେ ଏବେ ସଫଳତା ମିଳିଛି। ବସତି ଉପରେ ମିଳିଥିବା ଏହି ଅଧିକାର ଦ୍ୱାରା ଏଣିକି ମାଙ୍କଡିଆ ଜନଜାତି ନିଜର ବ୍ୟବହାର ପାଇଁ ଜଙ୍ଗଲରୁ ପତ୍ର, ଲତା, ପ୍ରାକୃତିକ ରଙ୍ଗ ଇତ୍ୟାଦି ବ୍ୟବହାର କରି ସେମାନଙ୍କ ଘରର ମରାମତି ଓ ରଙ୍ଗ ଦେବାର ବ୍ୟବସ୍ଥା କରିପାରିବେ। ବସତି ସ୍ଥାନରେ ଥିବା ବନ୍ୟଜନ୍ତୁ, ଜଙ୍ଗଲ ଏବଂ ଜୈବବିବିଧତାର ସୁରକ୍ଷା ନିଜର ଜଙ୍ଗଲ ପରିଚାଳନା ବ୍ୟବସ୍ଥା ଦ୍ୱାରା କରି ପାରିବେ। ବସତି ଭିତରେ ବନ୍ୟଜନ୍ତୁ, ଜଙ୍ଗଲ ଏବଂ ଜୈବବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଯେ କୌଣସି କାର୍ଯ୍ୟକଳାପକୁ ବନ୍ଦ କରି ପାରିବେ। ବସତି ଭିତରେ ଥିବା ଜଳସ୍ତର, ଜଳଉତ୍ସ ଏବଂ ଅନ୍ୟାନ୍ୟ ପରିବେଶ ସମ୍ବେଦନଶୀଳ ସ୍ଥାନଗୁଡିକ ପର୍ଯ୍ୟାପ୍ତ ଭାବେ ସୁରକ୍ଷିତ କରି ପାରିବେ। ସେମାନଙ୍କର ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ପ୍ରଭାବିତ କରୁଥିବା ବିନାଶକାରୀ ଅଭ୍ୟାସରୁ ସଂରକ୍ଷିତ କରି ପାରିବେ।”
ଏ ବାବଦରେ ଖୁଣ୍ଟା ବ୍ଲକ ର ଡେଙ୍ଗାମ ମାଙ୍କଡିଆ ସାହିର ସୁର ମାଙ୍କଡିଆ କୁହନ୍ତି, ”ଏଭଳି ଅଧିକାର ଦ୍ୱାରା ଆମକୁ ଏଣିକି ସ୍ୱୀକୃତି ମିଳିଲା। ଆମକୁ ଆଗରୁ ଯେମିତି ଜଙ୍ଗଲ ବିଭାଗର କର୍ମଚାରୀମାନେ ଧମକାଉଥିଲେ ଏବେ ଆଉ ସେମିତି କେହି କରିପାରିବେ ନାହିଁ। ଜଙ୍ଗଲ ଏଣିକି ଆମର। ତାକୁ ସୁରକ୍ଷା କରିବା ଆମର ଦାୟିତ୍ୱ ଏବଂ ଏବେ ଆମେ ସେଥିରୁ ସଂଗୃହୀତ ସାମଗ୍ରୀ ଦ୍ୱାରା ଜୀବନ ଜୀବିକାକୁ ସୁରକ୍ଷିତ କରିପାରିବୁ ।”