ଆଦିବାସୀ ମହିଳାଙ୍କୁ ସଶକ୍ତ କରିଛି ପାହାଡି ଘାସ । ଯେଉଁଥିରୁ ପ୍ରସ୍ତୁତ ଫୁଲଝାଡୁ ଏବେ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୧୫୦୦ରୁ ଅଧିକ ଆଦିବାସୀ ପରିବାରର ଜୀବନ ଜୀବିକାକୁ ସୁରକ୍ଷା ଦେଇଛି । ପୂର୍ବରୁ ଜିଲ୍ଲାର ଆଦିବାସୀ ମହିଳାମାନେ ପାହାଡି ଜଙ୍ଗଲରୁ ବର୍ଷତମାମ ଏହାକୁ ସଂଗ୍ରହ କରୁଥିବା ବେଳେ ଫୁଲଝାଡୁ ପ୍ରସ୍ତୁତ ପାଇଁ କିଲୋପ୍ରତି ୨୫ ଟଙ୍କାରେ ଆନ୍ଧ୍ରର ବେପାରୀମାନଙ୍କୁ ବିକ୍ରି କରି ଦେଉଥିଲେ । ଯାହାକ ୁକି ଏବେ ସେମାନେ ଦୁଇଗୁଣ ମୂଲ୍ୟରେ ସିଧାସଳଖ ସରକାରୀ ସଂସ୍ଥାକୁ ବିକ୍ରି କରିପାରୁଛନ୍ତି ।
ଭୁବନେଶ୍ୱର ;
କୋରାପୁଟ ଜିଲ୍ଲାର ପାହାଡରେ ମିଳୁଥିବା ସ୍ୱତନ୍ତ୍ର ଘାସରୁ ଫୁଲଝାଡୁ ପ୍ରସ୍ତୁତ କରାଯାଇ ବ୍ୟବହାର କରାଯାଏ । ପୂର୍ବରୁ ଆଦିବାସୀ ମହିଳାମାନେ ଯଦିଓ ଏହି ଫୁଲଝାଡୁ ପ୍ରସ୍ତୁତ କରୁଥିଲେ ହେଲେ ଏହା ଯେ କେବେ ତାଙ୍କ ପାଇଁ ଲାଭକାରୀ ବ୍ୟବସାୟରେ ପରିଣତ ହେବ ସେକଥା ଜାଣିନଥିଲେ । ଏ ବାବଦରେ ଦେଓମାଳି ଅଂଚଳର କୋଟିଆ ଗାଁର ସୁନାମଣି ତୁରୁକ କୁହନ୍ତି, ବାପା ଜେଜେ ଅମଳରୁ ଏହାକୁ କରୁଥିଲି । ହେଲେ ଏତେ ଲାଭ ହେଉନଥିଲା । ମାତ୍ର ଏବେ ଫୁଲଝାଡୁ ବିକ୍ରିକରି ମୋର କିଛିଟା ଲାଭ ହୋଇଛି । ମୋ ଭଳି ଗାଁର ପ୍ରାୟ ୩୦ ପରିବାର ଏବେ ଫୁଲଝାଡୁ ବ୍ୟବସାୟ କରି ନିଜର ଗୁଜୁରାଣ ମେଂଟାଇ ପାରୁଛନ୍ତି । ପାଖ ଗାଁର ପାହାଡ ଉପରୁ ଆମେ କଂଚାମାଲ ସଂଗ୍ରହ କରି ଆଣି ଝାଡୁ ତିଆରି କରୁଛୁ । ମୋ ପରିବାର ଆଜିକୁ ୫ ବର୍ଷ ହେବ ଏହି କାମରେ ଲିପ୍ତ । ଗାଁର ଅନେକ ପରିବାର ଏବେ ମଧ୍ୟ ଫୁଲଝାଡୁ ତିଆରି ନ କରି କଂଚାମାଲ ଆଣି ପାଖ ବଜାରରେ ବିକ୍ରି କରି ଦେଉଛନ୍ତି । ଫଳରେ ବ୍ୟବସାୟୀମାନେ ଏହାକୁ ସ୍ଥାନୀୟ ବଜାରରୁ କିଲୋପ୍ରତି ୨୫ ଟଙ୍କାରେ କ୍ରୟ କରି ଲାଭବାନ ହେଉଛନ୍ତି ।
ଗାଁର ରାଇତା ଖିଲା କହନ୍ତି; ପ୍ରକୃତି ମା ଆମକୁ ଏହି ଘାସ ଦେଇଛି । ଏହି ଘାସ ସଂଗ୍ରହ କରି ତାକୁ ଆଣି ଆମେ ଖରାରେ ୧୦ରୁ ୧୨ ଦିନ ଶୁଖାଉ । ପରେ ତାକୁ ପ୍ଲାଷ୍ଟିକ୍ ସୂତାରେ ବାନ୍ଧି ଫୁଲ ଝାଡୁ ତିଆରି କରୁ । ଅକ୍ଟୋବର ମାସରୁ ଏହାକୁ ଆମେ ସଂଗ୍ରହ କରିବା ଆରମ୍ଭ କରୁ । ପାଖାପାଖି ୪୦୦ ଟନ୍ ଫୁଲଝାଡୁ ସବୁ ବର୍ଷ ଏଠାରୁ ରାୟପୁର, ଜଗଦଲପୁର, ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ, ବିଜୟୱାଡାକୁ ଯାଏ । ବେପାରୀମାନେ ଆସି ଅନେକ ସମୟରେ ଏଥିପାଇଁ ଆଗୁଆ ପଇସା ଦେଇ ଯାଆନ୍ତି । ବେପାରୀଙ୍କ ସହ ଆମେ ମୂଲଚାଲ କରିପାରୁନା ସେମାନେ ଯେତେ ଦିଅନ୍ତି ଆମେ ବାଧ୍ୟ ହୋଇ ନେଇଯାଉ । କିନ୍ତୁ ଏବେ ସରକାର ଆମଠାରୁ ସିଧାସଳଖ ନେଲା ପରେ ଆମେ ଆଉ ବେପାରୀଙ୍କୁ ଏହା ବିକୁନୁ ଆଉ ଭଲ ଲାଭ ମଧ୍ୟ ପାଉଛୁ ।
ଏ ବାବଦରେ ଓର୍ମାସ୍ର କୋରାପୁଟ ମୁଖ୍ୟ ରୋଷନ କାର୍ତିକ କହିଛନ୍ତି; ସରକାରଙ୍କ ହସ୍ତକ୍ଷେପ ପରି ଏବେ ପରିସ୍ଥିତିରେ ଅନେକ ପରିବର୍ତନ ଆସିିଛି । ଏବେ ଆମ ସହ ଏହି କାମରେ କୋରାପୁଟ ଆଗ୍ରୋ ପ୍ରଡକ୍ଟସ୍ ପ୍ରଡ୍ୟୁସର କମ୍ପାନୀ ବି ସହାୟତା କରୁଛି । ଆଦିବାସୀ ମହିଳାଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା କରିବାର ଦାୟିତ୍ୱ ଆମେ ନେଇଛୁ । ବର୍ତମାନ ଆମେ ସିଧାସଳଖ ଭାବେ ଆଦିବାସୀ ମହିଳାଙ୍କ ଠାରୁ ଫୁଲ ଝାଡୁ ପାଇଁ ଆବଶ୍ୟକ କଂଚାମାଲକୁ କିଲୋପ୍ରତି ୫୦ ଟଙ୍କାରେ କିଣୁଛୁ ଆଉ ସେଥିରୁ ଝାଡୁ ପ୍ରସ୍ତୁତ କରୁଛୁ । ଜିଲ୍ଲାର ପଟାଙ୍ଗୀ, ସେମିଳିଗୁଡା ଓ ନାରାୟଣପାଟଣା ବ୍ଲକ୍ରେ ଥିବା ବିଭିନ୍ନ ପାହାଡରୁ ଏହାକୁ ସଂଗ୍ରହ କରାଯାଇଥାଏ । ଆଦିବାସୀ ମହିଳାମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ଆଣି ଜମା କରନ୍ତି ଓ ପରେ ଏହାକୁ ଖରାରେ ଶୁଖାଇ ଝାଡୁ ପାଇଁ ପ୍ରସ୍ତୁତ କରନ୍ତି । ଓର୍ମାସ ଗୋଟିଏ ଝାଡୁ ପ୍ରସ୍ତୁତ ପାଇଁ ଜଣେ ମହିଳାଙ୍କୁ ୩ଟଙ୍କା ୫୦ ପଇସା ଦେଉଥିବା ବେଳେ ଜଣେ ମହିଳା ଦିନକୁ ୫୦ଟି ଝାଡୁ ପ୍ରସ୍ତୁତ କରିଥାଏ ।
ଗାଁର ମହିଳାଙ୍କୁ ମିଳିଛି କାମ
ସେମିଳିଗୁଡା ବ୍ଲକ୍ ଉପରକାନ୍ତି ଗାଁର ସୁନିତା ଦିଶାରି ଲକ୍ଡାଉନ୍ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ କାମ କରୁଥିଲେ ଏବଂ ଏହି ଲକଡାଉନ ଯୋଗୁଁ ସେ ନିଜର ରୋଜଗାର ହରାଇଥିଲେ । ମାତ୍ର ଓର୍ମାସର ପ୍ରତ୍ୟକ୍ଷ ସହଯୋଗ ଓ ସହାୟତାରେ ଏବେ ସେ ଏକ ମହିଳା ସ୍ୱୟଂ ସହାୟକ ସଂଘ ଗଢ଼ି ଫୁଲଝାଡୁ ପ୍ରସ୍ତୁତ କାମରେ ନିଜକୁ ସାମିଲ କରିପାରିଛନ୍ତି । ଯାହାକି ତାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ପରିବାରକୁ ଚଳାଇବାରେ ଢ଼େର ସାହାଯ୍ୟ କରିଛି ।
ଫୁଲଝାଡୁର ବିକ୍ରିବଟା ପାଇଁ ଆଦିବାସୀଙ୍କୁ ସରକାରୀ ପ୍ରୋତ୍ସାହନରେ ସ୍ୱତନ୍ତ୍ର ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଓର୍ମାସ ସହାୟତାରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଶେଷଜ୍ଞଙ୍କ ସହାୟତାରେ ତାଲିମ ଦିଆଯାଉଛି । ଝାଡୁ ନିର୍ମାଣର ଗୁଣବତା ଯୋଗୁଁ ଏବେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟକୁ ଯାଉଛି । ଯାହାକି ଆଦିବାସୀ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ନିରାପତାକୁ ସୁରକ୍ଷା ଦେଉଛି ।
କେବଳ ସେତିକି ନୁହେଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଝାଡୁ ଏବେ ନିଜର ଲୋପ୍ରିୟତା ଯୋଗୁଁ ପାରମ୍ପରିକ ହସ୍ତଶିଳ୍ପର ମାନ୍ୟତା ବି ପାଇଛି । ପ୍ରସ୍ତୁତ କରୁଥିବା ମହିଳାଙ୍କୁ ହସ୍ତଶିଳ୍ପ କାରିଗର ଭାବେ ମାନ୍ୟତା ବି ମଳିଛି । ଫଳରେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ପାରିଛନ୍ତି । ହସ୍ତଶିଳ୍ପ କାରିଗର ଭାବେ ସେମାନଙ୍କୁ ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ବି ମିଳୁଛି । କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଥିବା କୋଟିଆ ପଂଚାୟତର ଆଦିବାସୀମାନଙ୍କ ଦ୍ୱାରା ସ୍ଥାନୀୟ ହସ୍ତଶିଳ୍କ ଭାବେ ଏହା ଉତ୍ପାଦିତ ହେଉଛି । ଯାହାକି ଆମାଜନ୍ ଭଳି ଇ କମର୍ସ ସାଇଟ୍ରେ ବିକ୍ରି ହେବା ଆରମ୍ଭ ହେଲାଣି ।
ପ୍ରଶାସନ ବଢ଼ାଇଛି ହାତ
ପୂର୍ବରୁ ଓଡିଶାରେ ଫୁଲଝାଡୁର କୌଣସି ବଜାର ନଥିବାରୁ ଆଦିବାସୀଲୋକେ ଏହାକୁ ପଡୋଶୀ ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ । ଆଉ ପଡୋଶୀ ବ୍ୟବସାୟୀମାନେ ଏହାକୁ କିଲୋପ୍ରତି ୨୫ଟଙ୍କାରେ କିଣି ବାହାରେ ୧୦୦ ଟଙ୍କାରେ ବିକ୍ରିକରି ଲାଭବାନ ହେଉଥିଲେ । କୋରାପୁଟ ଜିଲ୍ଲା ପ୍ରଶାସନ ୨୦୧୮ରେ କୋଟିଆ ଗାଁରେ ଫୁଲଝାଡୁ ଉତ୍ପାଦକ ଗୋଷ୍ଠୀ ପ୍ରତିଷ୍ଠା କଲେ । ଓର୍ମାସ ଓ ପଟାଙ୍ଗୀ ବ୍ଲକ୍ ଅଧିକାରୀ ମିଶି ଆଦିବାସୀ ମହିଳାଙ୍କୁ ଫୁଲଝାଡୁ ପ୍ରସ୍ତୁତ ପାଇଁ ତାଲିମ ଦେବା ଆରମ୍ଭ କଲେ । ଅନୁଷ୍ଠାନ ନିର୍ମାଣ ପାଇଁ ଓର୍ମାସ ପକ୍ଷରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବି ଦିଆଗଲା । ଯେଉଁଥିରେ ଯନ୍ତ୍ରପାତି କିଣାଯିବା ସହ ଅନୁଷ୍ଠାନର କୋଠା ନିର୍ମାଣ କରାଗଲା । ମହିଳାମାନେ ଷ୍ଟିଲ, ନିକେଲ ଓ ପ୍ଲାଷ୍ଟିକ ପାଇପ୍ର ଉପଯୋଗରେ ଫୁଲଝାଡୁ ନିର୍ମାଣ କରିବା ଶିଖିଲେ । ବର୍ତମାନ ଗୋଟେ ଝାଡୁ ସ୍ଥାନୀୟ ବଜାରରେ ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଅଧିକାଂଶ ଫୁଲଝାଡୁ ଓର୍ମାସ ସହାୟତାରେ ପରିଚାଳିତ କୋରାପୁଟ ଆଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ କ୍ରୟ କରୁଛି । ପ୍ରାୟ ୬୫ ଉତ୍ପାଦକ ଗୋଷ୍ଠୀ ଏହି ପ୍ରକ୍ରିୟାକରଣ ଓ ଯୋଗାଣ କାମରେ ନିୟୋଜିତ ହେଉଛନ୍ତି ।
କେବଳ ସେତିକି ନୁହେଁ କୋରାପୁଟ ଜିଲ୍ଲାପାଳ ଏମ୍ ଡି ଅବଦଲ ଏବେ ଡିଆର୍ଡିଏକୁ ଫୁଲଝାଡୁ ପ୍ରକ୍ରିୟାକରଣ ପାଇଁ ଏକ ବହୁମୁଖୀ କୋଠା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବା ସହ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏ ବାବଦରେ କୋଟିଆ ଅଂଚଳର ସୁନାରାମ ତୁରୁକ କହନ୍ତି କୋଟିଆ ଗାଁର ବାସିନ୍ଦାମାନେ ପାହାଡରୁ ଟନ୍ ଟନ୍ ଜଙ୍ଗଲୀ ଘାସ ସଂଗ୍ରହ କରି ଆଣୁଥିଲେ । ପରେ ତାକୁ ଆମେ କୁନ୍ଦୁଲି ଓ ସାଲୁର ହାଟରେ ବିକ୍ରି କରୁଥିଲୁ । ଯେଉଁଠାକୁ ଆନ୍ଧ୍ର ଓ ଛତିଶଗଡର ବଡ ବଡ ବ୍ୟବସାୟୀମାନେ ଆସନ୍ତି । ଅନେକ ସମୟରେ ସେମାନେ ଆମକୁ ଠକୁଥିଲେ କିନ୍ତୁ ଏବେ ପ୍ରଶାସନ ଆମଠାରୁ ସିଧାସଳଖ କିଣୁଥିବାରୁ ଆମ ହାତକୁ କିଛି ପଇସା ଆସି ପାରୁଛି ଓ ଆମେ ଲାଭ କରିପାରୁଛୁ ।