କୋରାପୁଟ ଜିଲ୍ଲାରେ ଆରମ୍ଭ କରାଯାଇଥିବା ପୋଷଣ ବଗିଚା ମଡେଲକୁ ଏବେ ସାରା ରାଜ୍ୟରେ ଆରମ୍ଭ କରାହେବ । ମା’ ଓ ଶିଶୁମାନଙ୍କଠାରେ ବଢୁଥିବା କୁପୋଷଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ପରୀକ୍ଷାମୂଳକ ଭାବେ କୋରାପୁଟର ୧୩୪ଟି ଗାଁରେ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା ୧୫୦୦ ପୋଷଣ ବଗିଚା ପ୍ରସ୍ତୁତ କରାଯାଇଛି । ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ଜଣାଇଥିବା ବେଳେ ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର ;
ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍ ୫) ର ତଥ୍ୟ ଅନୁସାରେ ରାଜ୍ୟରେ ଉଭୟ ମା’ ଓ ଶିଶୁଙ୍କଠାରେ କୁପୋଷଣ ଭଳି ସମସ୍ୟା ବ୍ୟାପକ ରୂପ ଧାରଣ କରିଛି । କେତେବେଳେ କୁପୋଷଣ ଯୋଗୁଁ ରକ୍ତହୀନତା ଭଳି ସମସ୍ୟା ଦେଖାଯାଉଛି ତ ଆଉ କେତେବେଳେ ଆବଶ୍ୟକତାଠାରୁ ଶିଶୁ କମ୍ ଓଜନ ଓ ଉଚ୍ଚତା ବିଶିଷ୍ଟ ଜନ୍ମ ହେଉଛନ୍ତି । ଜିଲ୍ଲାରେ ଉଭୟ ମା ଓ ଶିଶୁଙ୍କ ପୋଷଣ ଜନିତ ସମସ୍ୟା ଉଦ୍ବେଗଜନିତ । ଏହାକୁ ଆଖିରେ ରଖି ଏବେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର କୁନ୍ଦ୍ରା, ବୈପାରୀଗୁଡା, କୋରାପୁଟ ଓ ଜୟପୁର ଆଦି ବ୍ଲକ୍ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଷଣ ବଗିଚା ନିର୍ମାଣ କରାଯାଇଛି ।
ମା ଓ ଶିଶୁମାନଙ୍କ କ୍ଷେତ୍ରରେ ବଢୁଥିବା କୁପୋଷଣକୁ ରୋକିବା ପାଇଁ ଏହି ପୋଷଣ ବଗିଚା ସହାୟକ ହେବ । କୁନ୍ଦ୍ରା ବ୍ଲକ୍ର କୁଷୁମଗୁଡା, ଖୁଟୁଗୁଡା, ତେନ୍ତୁଳି ଗାଁ କୁ ମିଶାଇ ୧୯ଟି ଗାଁ, ବୈପାରୀଗୁଡାର ବାଣୁଆଗୁଡା, ଡୁମୁରିଗୁଡା, କାଶିଗୁଡା, ଭେଜାଗୁଡା ଆଦି ୮୦ ଟି ଗାଁ, କୋରାପୁଟର ମାଛରା, ଉମୁରି, ପଣ୍ଡି, ଡଙ୍ଗରିମାଳିଗୁଡା, ଶୁଣ୍ଢିଗୁଡା, ଗୁରୁମାଇଗୁଡା ଆଦି ୧୮ଟି ଗାଁ, ଜୟପୁରର ଦୁର୍ଗାଭଟ୍ଟା, ବିଷୋଇପୁଟ ଓ ବଡାଗାର ଗାଁରେ ପରୀକ୍ଷାମୂଳକଭାବେ ଏହି ପୋଷଣ ବଗିଚା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ହିତାଧିକାରୀଙ୍କ ବଗିଚାରେ ମାଗଣାରେ ଫେନ୍ସିଂ କାମ କରାଯିବା ସହ ସେମାନଙ୍କୁ ବିହନ ବଂଟନ କରାଯାଇଛି । ଏହାବାଦ ଗଛ କେମିତି ଲଗାଯିବା ଓ ଏହାର ଯତ୍ନ କେମିତି ନିଆଯିବ ତାର ତାଲିମ ସାଙ୍ଗକୁ ପୋଷଣ ବଗିଚାରୁ ବାହାରୁଥିବା ଫଳ ଓ ପନିପରିବାରେ କ’ଣ ସବୁ ପ୍ରସ୍ତୁତ କରାଯାଇପାରିବ ସେ ବିଷୟରେ ଜ୍ଞାନ ଦିଅ।।ଯାଉଛି । କେବଳ ସେତିକି ନୁହେଁ ଏସବୁ କାମର ତଦାରଖ କରିବା ସହ ଗାଁ ଲୋକଙ୍କୁ ଏ ବାବଦରେ ସଚେତନ କରାଯିବା ପାଇଁ ପୋଷଣ ବାହିନୀ (କମ୍ୟୁନିଟି ହଙ୍ଗର ଫାଇଟର)ଙ୍କୁ ବଛାଯାଇଥିବା ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ର ବରିଷ୍ଠ ବୈଜ୍ଞାନିକ କାର୍ତିକ ଲେଙ୍କା ସୂଚନା ଦେଇଛନ୍ତି ।
ଗାଁ ଗାଁରେ ପୋଷଣ ବଗିଚା
ପୋଷଣ ବାହିନୀର ସଦସ୍ୟା ହୋଇଥିବା ଅସ୍ମିତା ପୂଜାରୀ କହନ୍ତି ରାଜ୍ୟସରକାର ଏବେ କୃଷି ବିଭାଗ ସହ ମିଶି ସାରା ରାଜ୍ୟରେ କିଚେନ୍ ଗାର୍ଡେନ୍ ପ୍ରସ୍ତୁତ କରୁଥିବା ବେଳେ ରକ୍ତହୀନତାର ସମ୍ମୁଖୀନ ହୋଇଥିବା ମା’ ମାନଙ୍କୁ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଚାରା ବଂଟନ କରୁଛନ୍ତି । ସେ କହିଛନ୍ତି, ସ୍ୱାମୀନାଥନ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ପୋଷଣ ବଗିଚା ସରକାରଙ୍କ କିଚେନ୍ ଗାର୍ଡେନ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ପ୍ରସ୍ତୁତ କରାଯାଉଥିବା ପୋଷଣ ବଗିଚା ସେଠାକାର ଲୋକଙ୍କ ଆବଶ୍ୟକତା ଓ ଜମିକୁ ଦେଖି ପ୍ରସ୍ତୁତ କରାଯାଉଛି । ପାଖାପାଖି ୩୦ ପ୍ରକାର ଗଛକୁ ନେଇ ଏହି ବଗିଚା ପ୍ରସ୍ତୁତ ହେଉଛି । ବଗିଚାର ଚାରିପାଖେ ଫଳ ବଗିଚା ଲଗାଯାଉଥିବା ବେଳେ ଗୋଟିଏ ପଟେ ଶିମ୍ବ, ଝୁଡଙ୍ଗ, ବିନ୍ସ ଭଳି ଲଟା (କ୍ଲାଇମ୍ବର) ସବୁ ଲଗାଯାଉଛି । ବଗିଚାର ମଝି ଭାଗରେ ଋତୁକାଳୀନ ପନିପରିବା, ଶାଗ, ଡାଲିଜାତୀୟ ଫସଲ, ତୈଳବୀଜ, ସଜନାଛୁଇଁ ଓ ଅମୃତଭଣ୍ଡା ଭଳି ଗଛ ସବୁ ଲାଗୁଛି । ଫଳରେ ଜଣେ ମା’ ସିଧାସଳଖ ନିଜ ବଗିଚାରୁ ଭିଟାମିନ୍ ଏ, ବି, ସି, ଡି, ଇ, କେ, ଆଇରନ୍ ଓ ପ୍ରୋଟିନ୍ ଆଦି ପାଇପାରୁଛି ।
ଏ ବାବଦରେ ନ୍ୟୁଟ୍ରିସନ୍ ସ୍ପେଶାଲିଷ୍ଟ ମମତା ମହାନ୍ତି କହିଛନ୍ତି ନିକଟରେ ପ୍ରକାଶିତ ରିପୋର୍ଟ ରେ ଯଦିଓ ପିଲା ଓ ମା’ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା କଥା କୁହାଯାଇଛି; ତଥାପି ବର୍ତମାନ ସମୟରେ ଜିଲ୍ଲାରେ ଏମିତି ଅନେକ ବ୍ଲକ୍ ଅଛି ଯେଉଁଠି ମା’ମାନଙ୍କ ତୁଳନାରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ । ନିକଟରେ ଜିଲ୍ଲା ପ୍ରଶାସନ ସହାୟତାରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ କୁନ୍ଦ୍ରା ବ୍ଲକ୍ରେ ୦ରୁ ୫ ବର୍ଷ ଭିତରେ ୮ ହଜାର ୪୧୧ ଶିଶୁ ଥିବା ବେଳେ ସେମାନଙ୍କ ଭିତରୁ ୧୨.୧୫% କୁପୋଷଣର ଶୀକାର ହୋଇଛନ୍ତି । ସେହିପରି ବୈପାରୀଗୁଡା ବ୍ଲକ୍ରେ ସମୁଦାୟ ୧୫ ହଜାର ୬୧୧ ପିଲାଙ୍କ ଭିତରେ ୧୫.୮୨%, କୋରାପୁଟ ବ୍ଲକ୍ର ସମୁଦାୟ ୮୦୨୦ ଜଣ ପିଲାଙ୍କ ଭିତରେ ୧୮.୧୫%, ଜୟପୁର ବ୍ଲକ୍ରେ ସମୁଦାୟ ୧୯ ହଜାର ୮୨୮ ଜଣ ପିଲାଙ୍କ ଭିତରେ ସମୁଦାୟ୧୨.୧୨% ପିଲା କୁପୋଷଣର ଶୀକାର । ଜିଲ୍ଲାରେ ଏହି ୪ଟି ବ୍ଲକ୍କୁ ଛାଡି ବାକି ୧୫ଟି ବ୍ଲକ୍ରେ ମଧ୍ୟ ଶିଶୁମାନେ କୁପୋଷଣର ଶୀକାର ହୋଇଛନ୍ତି । ଏଭଳି ସ୍ଥଳେ ପୋଷଣ ବଗିଚା ନିଶ୍ଚିତ ଭାବେ ଉଭୟ ମା’ ଓ ପିଲାଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ।
କଣ କହୁଛି ରିପୋର୍ଟ
ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍ ୫) ର ତଥ୍ୟ ଅନୁସାରେ ରାଜ୍ୟରେ ଉଭୟ ମା’ ଓ ଶିଶୁଙ୍କଠାରେ କୁପୋଷଣ ଭଳି ସମସ୍ୟା ବ୍ୟାପକ ରୂପ ଧାରଣ କରିଛି । କେତେବେଳେ କୁପୋଷଣ ଯୋଗୁଁ ରକ୍ତହୀନତା ଭଳି ସମସ୍ୟା ଦେଖାଯାଉଛି ତ ଆଉ କେତେବେଳେ ଆବଶ୍ୟକତାଠାରୁ ଶିଶୁ କମ୍ ଓଜନ ଓ ଉଚ୍ଚତା ବିଶିଷ୍ଟ ଜନ୍ମ ହେଉଛନ୍ତି । ଜିଲ୍ଲାରେ ଉଭୟ ମା ଓ ଶିଶୁଙ୍କ ପୋଷଣ ଜନିତ ସମସ୍ୟା ଉଦ୍ବେଗଜନିତ । ୬ରୁ ୫୯ ସପ୍ତାହ ମଧ୍ୟରେ ଥିବା ୬୯.୭% ପିଲାମାନଙ୍କଠାରେ ରକ୍ତହୀନତା ରୋଗ ରହିଛି । ଜିଲ୍ଲାରେ ୧୫ରୁ ୪୯ ବର୍ଷ ମଧ୍ୟରେ ଥିବା ସମୁଦାୟ ୫୮.୨% ମହିଳାଙ୍କଠାରେ ରକ୍ତହୀନତା ଭଳି ସମସ୍ୟା ଦେଖାଯାଉଥିବା ବେଳେ ୫୯.୩% ପ୍ରସୂତି ମହିଳାଙ୍କଠାରେ ରକ୍ତହୀନତା ରହିଥିବା ରିପୋର୍ଟରୁ ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୫ରୁ ୧୯ ବର୍ଷ ମଧ୍ୟରେ ରହିଥିବା ୬୦.୪% ମହିଳାଙ୍କଠାରେ ରକ୍ତହୀନତା ଦେଖାଯାଉଛି ।
ରାଜ୍ୟରେ ଶୂନରୁ ୫ ବର୍ଷ ମଧ୍ୟରେ ଥିବା ୩୧% ଶିଶୁ ନିଜର ବୟସ ତୁଳନାରେ କମ୍ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ୧୮% ଶିଶୁ ନିଜର ଉଚ୍ଚତା ତୁଳନାରେ କମ୍ ଓଜନ ବିଶିଷ୍ଟ ଅଛନ୍ତି । ସେହିପରି ରାଜ୍ୟରେ ସମୁଦାୟ ୩୦% ଶିଶୁ ନିଜର ବୟସ ତୁଳନାରେ କମ୍ ଉଚ୍ଚତା ବିଶିଷ୍ଟ ଅଛନ୍ତି । ଓଡିଶାରେ ମହିଳା ଓ ଶିଶୁଙ୍କଠାରେ ରକ୍ତହୀନତା ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି । ଯାହାକି ମାତୃ ଓ ଶିଶୁମୃତ୍ୟୁ ହାରର ଅନ୍ୟତମ କାରଣ । ତେବେ ଅନେକ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ପରିବାରରେ ପିଲାମାନେ ଓ ଗର୍ଭବତୀ ମା ମାନେ ଭାତ ସାଙ୍ଗକୁ ଆଉକିଛି ପୌଷ୍ଟିକ ଆହାର ପାଉନଥିବାରୁ ଏହି ପୋଷଣ ବଗିଚା ସେକ୍ଷେତ୍ରରେ ସହାୟକ ହେବ ବୋଲି ଆଶାକରାଯାଉଛି ।