ମାର୍ଚ୍ଚ ଆରମ୍ଭ ନ ହେଉଣୁ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି । ଆଠଗଡ, ଖୁଂଟୁୁଣି, ଢ଼େଙ୍କାନାଳ, ଚନ୍ଦକା, କଳାହାଣ୍ଡିି, ରାୟଗଡା ଓ ଖଡିଆଳ ଆଦି ସ୍ଥାନରେ ନିଆଁର ମାତ୍ରା ସବୁଠାରୁ ଅଧିକ । ଫେବୃୟାରୀ ୧୫ରୁ ଜୁନ ମଧ୍ୟ ଭାଗ ଯାଏଁ ସାଧାରଣତଃ ନିଆଁ ଲାଗୁଥିବା ବେଳେ ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଜାନୁୟାରୀ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ସବୁଠାରୁ ବଡ଼କଥା ହେଉଛି ନିଆଁକୁ ଆୟତ କରିବାକୁ ହେଲେ ଜନ ସହଭାଗିତା ଜରୁରୀ । ସରକାର, ଭିଏସ୍ଏସ୍ (ବନ ସୁରକ୍ଷା ସମିତି) ଦ୍ୱାରା ଏସବୁ କାମର ତଦାରଖ କରିବାକୁ ଯଦିଓ ପ୍ରୟାସ ଆରମ୍ଭ କରିଛନ୍ତି ହେଲେ ଉପଯୁକ୍ତ ତାଲିମ ଓ ସଚେତନତା ଅଭାବରୁ ଏହା କରାଯାଇ ପାରୁନି । ଏଣେ ସାଟେଲାଇଟ୍ ସର୍ଭେ ଦ୍ୱାରା ବିଭାଗକୁ ଯେତେବେଳେ ନିଆଁ ସମ୍ପର୍କରେ ଖବର ମିଳୁଛି ତାହା ପ୍ରାୟତଃ ବିଳମ୍ବରେ ପହଂଚୁଛି । ଫଳରେ ନିଆଁକୁ ଆୟତ କରିବାରେ ବିଭାଗ ସଫଳ ହୋଇ ପାରୁନି ।
ଭୁବନେଶ୍ୱର ;
ଓଡ଼ିଶା ଜଙ୍ଗଲରେ ପ୍ରାୟତଃ ଫେବୃୟାରୀ ଦ୍ୱିତୀୟ ସପ୍ତାହରୁ ମେ’ ଦ୍ୱିତୀୟ ସପ୍ତାହ ଯାଏଁ ନିଆଁ ଲାଗିବା ଦେଖାଯାଏ । ସାଧାରଣତଃ ପ୍ରାକୃତିକ ଭାବେ ଗଛକୁ ଗଛ ଘସି ହୋଇ ଓ ଘଡ଼ଘଡ଼ି ଭଳି କାରଣରୁ ନିଆଁ ଲାଗୁଥିବା ବେଳେ ବର୍ତମାନ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ଲାଗୁଥିବା ନିଆଁ ମଣିଷକୃତ । ଶିକାର, ପୋଡୁଚାଷ, ମହୁ ସଂଗ୍ରହ, ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ସିଗାରେଟ୍,ବିଡି, ବିଦ୍ୟୁତ ତାର ଟାଣିବା ଯୋଗୁଁ ଜଙ୍ଗଲରେ ନିଆଁ ଲାଗୁଥିବା ଅଭିଯୋଗ ହେଉଛି । ଖରାମାସରେ ଲମ୍ବା ସମୟ ଯାଏଁ ବର୍ଷା ନହେବା କାରଣରୁ ପାରଦ ୪୦ ଉପରକୁ ଟପିିବା ଓ ପାଣିପାଗରେ ଆଦ୍ରତା ନଥିବା କାରଣରୁ ଜଙ୍ଗଲ ଶୁଷ୍କ ହେବା ଏବଂ ପତ୍ରଝଡା ହେବା ଯୋଗୁଁ ଜଙ୍ଗଲରେ ସହଜରେ ନିଆଁ ଲାଗିବାକୁ ଖୋରାକ ଯୋଗାଉଛି । ଏଥିପାଇଁ ବନ ବିଭାଗ ପକ୍ଷରୁ ଜାନୁଆରୀ ମାସରୁ ପ୍ରସ୍ତୁତି ଆରମ୍ଭ କରାଯାଉଥିଲେ ମଧ୍ୟ ସାଟେଲାଇଟ ସେର୍ଭରୁ ମିଳୁଥିବା ସୂଚନା ଡେରିରେ ହସ୍ତଗତ ହେଉଥିବାରୁ ନିଆଁକୁ ସହଜରେ ଆୟତଃ କରାଯାଇପାରୁନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ବନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସୁଧାକର ପାତ୍ର କହିଛନ୍ତି; ୨୦୧୭ ମସିହାରେ ରାଜ୍ୟରେ ଥିବା ଜଙ୍ଗଲର ୩୬ ହଜାର ୮୨୭ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୧୪ ହଜାର ୧୨୧ ହେକ୍ଟର ଜଙ୍ଗଲ ପୋଡି ନଷ୍ଟ ହୋଇଛି । ସେହିପରି ୨୦୧୮ ମସିହାରେ ୩୧ ହଜାର ୬୮୦ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୯୭୩୦.୦୬ ହେକ୍ଟର ଜଙ୍ଗଲ ପୋଡି ନଷ୍ଟ ହୋଇଛି । ୨୦୧୯ ମସିହାରେ ୧୯ ହଜାର ୭୮୭ ଟି ସ୍ଥାନରେ ନିଆଁ ଲାଗି ୭୧୬୪.୯୫ ହେକ୍ଟର ଜଙ୍ଗଲ ପୋଡି ନଷ୍ଟ ହୋଇଛି । ହେଲେ ଏହି ନିଆଁ ଦ୍ୱାରା କେତେ ବନ୍ୟପ୍ରାଣୀଙ୍କ କ୍ଷୟକ୍ଷତି ହୋଇଛି, କେତେ ଔଷଧୀୟ ଗଛ ନଷ୍ଟ ହୋଇଛି, କୀଟପତଙ୍ଗ, ଉଦ୍ଭିଦ ପୋଡି ପାଉଁଶ ହୋଇଯାଇଛି ତା’ର କୌଣସି ସରକାରୀ ଆକଳନ ନାହିିଁ ।
୨୦୧୮ ସେପ୍ଟେମ୍ବରରୁ ୨୦୧୯ ମେ’ ମାସ ମଧ୍ୟରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ ଓଡ଼ିଶା ଜଙ୍ଗଲରେ ସାଧାରଣତଃ ୧୯୨ ପ୍ରକାରର ଗଛ, ୯୦ ପ୍ରଜାତିର ବୁଦା ଗଛ, ୧୦୫ ପ୍ରଜାତିର ଗୁଳ୍ମ ବା ବନସ୍ପତି ଗଛ ରହିଛି । ତା’ଭିତରୁ ରାଜ୍ୟର ନାତିଶିତୋଷ୍ଣ ଅର୍ଦ୍ଧ ଚିରହରିତ୍ ଜଙ୍ଗଲରେ ୨.୫ ଇଣ୍ଡେକ୍ଟର ବଡ଼ ଗଛ, ୨.୫୧ ବୁଦା ଓ ୨.୭୮ ଗୁଳ୍ମ ରହିଛି । ଆଦ୍ର ପତ୍ରଝଡ଼ା ଜଙ୍ଗଲରେ ୩.୧୦ ଇଣ୍ଡେକ୍ଟର ଗଛ, ୨.୯୧ ବୁଦା ଓ ୩.୪୮ ଗୁଳ୍ମ ରହିଛି । ସେହିପରି ପତ୍ରଝଡା ଜଙ୍ଗଲରେ ୩.୩୩ ଇଣ୍ଡେକ୍ଟର ଗଛ, ୩.୨୬ ବୁଦା, ୩.୬୧ ଗୁଳ୍ମ ରହିଛି । ଯାହାକି ଏବେ ଜଙ୍ଗଲ ନିଆଁ ଯୋଗୁଁ ପ୍ରଭାବିତ ହେଉଛି ।
ବାୟୁମଣ୍ଡଳରେ ମିଶିବ ୧୫୮୫ ନିୟୁତ ଟନ୍ ଅଙ୍ଗାରକାମ୍ଳ
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ଆକଳନ ଅନୁସାରେ ଦେଶର ୩୬% ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ୧୦% ଜଙ୍ଗଲରେ ନିଆଁର ପ୍ରକୋପ ସବୁଠାରୁ ବେଶୀ । ଓଡ଼ିଶା ଦୃଷ୍ଟିକୋଣରୁ ବିଚାର କଲେ ରାଜ୍ୟରେ ୨.୮୨% ଅତ୍ୟଧିକ ଅଗ୍ନିପ୍ରବଣ, ୭.୭୩% ମାତ୍ରାଧିକ ଅଗ୍ନିପ୍ରବଣ,୧୩.୩୨% ଅଧିକ ଅଗ୍ନିପ୍ରବଣ, ୧୯.୯୬% ମଧ୍ୟମ ଅଗ୍ନିପ୍ରବଣ, ୫୬.୧୭% କମ୍ ଅଗ୍ନିପ୍ରବଣ ଅଂଚଳ ରହିଛି ।
ଓଡିଶା ଏନ୍ଭିରନ୍ମେଂଟ ସୋସାଇଟିର ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି; ଓଡ଼ିଶାରେ ଥିବା ଜଙ୍ଗଲ ଓ ଜଙ୍ଗଲ ବାହାରେ ଥିବା ଗଛରେ ପ୍ରାୟ ୪୩୨.୨୯ ମିଲିୟନ୍ ଟନ୍ର ଅଙ୍ଗାର ମହଜୁଦ୍ ରହିଛି । ଯାହାକି ୧୫୮୫.୦୬ ମିଲିୟନ୍ ଅଙ୍ଗାରକାମ୍ଳ ସହ ତୁଳନୀୟ । ଯଦି ରାଜ୍ୟରେ ଚିରାଚରିତ ଭାବେ ଅଗ୍ନିର ଭୟାବହତା ଲାଗି ରହେ ତେବେ ଆଗାମୀ ଦିନରେ ଗଛରେ ମହଜୁଦ୍ ଥିବା ଅଙ୍ଗାରକାମ୍ଳ ଯାଇ ବାୟୁମଣ୍ଡଳରେ ମିଶିବ । କେବଳ ଅଙ୍ଗାରକାମ୍ଳ ନୁହେଁ ବରଂ ଏହା ଗ୍ରୀନ୍ ହାଉସ୍ ଗ୍ୟାସ୍ ଯଥା କାର୍ବନ ମନକ୍ସାଇଡ, ମିଥେନ୍, ହାଇଡ୍ରୋକାର୍ବନ୍, ନାଇଟ୍ରିକ୍ ଅକ୍ସାଇଡ, ନିଟୋରିୟସ୍ ଅକ୍ସାଇଡ ଆଦି ଜଙ୍ଗଲ ନିଆଁରୁ ବାହାରି ବାୟୁମଣ୍ଡଳକୁ ପ୍ରଭାବିତ କରିବ । ଏସବୁ ଗ୍ୟାସ୍ ଯାଇ ଓଜୋନ ଆସ୍ତରଣକୁ ନଷ୍ଟ କରିବା ସହ ଆମକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରିବ । ଏହାଦ୍ୱାରା ଆଗାମୀ ଦିନରେ ମଣିଷର ଶ୍ୱାସପ୍ରଶ୍ୱାସ ଜନିତ ରୋଗ ବି ବଢ଼ିବ ବୋଲି ନିକଟରେ କରାଯାଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।
ବନାଗ୍ନି ସୂଚନା ପାଇଁ ନୂଆ ଜ୍ଞାନକୌଶଳ
ଆଠଗଡ ବନଖଣ୍ଡର ପୂର୍ବତନ ବନାଂଚଳ ଅଧିକାରୀ ସସ୍ମିତା ଲେଙ୍କା କହନ୍ତି; ଜଙ୍ଗଲ ନିଆଁ ସମ୍ପର୍କରେ ସୂଚନା ଦେବା ପାଇଁ ଏଫ୍ଏସ୍ଆଇ ଦ୍ୱାରା ରିଅଲ୍ ଟାଇମ୍ ଫରେଷ୍ଟ ଫାୟାର ଡିଟେକସନ୍ ସିଷ୍ଟମ୍ ନାମକ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହାଦ୍ୱାରା ଜଙ୍ଗଲରେ ହଟ୍ସ୍ପଟ୍ ବା ନିଆଁ ସମ୍ବେଦନଶୀଳ ଅଂଚଳଗୁଡ଼ିକୁ ଚିହ୍ନଟ କରାଯାଇ ତୀକ୍ଷ୍ମ ନଜର ରଖାଯାଇପାରୁଛି । ୨୦୦୪ରୁ ବ୍ୟବହାର କରାଯାଉଥିବା ଏହି ଜ୍ଞାନକୌଶଳ ଜରିଆରେ ଶିଳ୍ପାଂଚଳ କିମ୍ବା କୃଷି ଅଂଚଳ ନିକଟରେ ଥିବା ଜଙ୍ଗଲରେ ଲାଗୁଥିବା ନିଆଁ ଉପରେ ସତର୍କ ଦୃଷ୍ଟି ରଖାଯାଇପାରୁଛି ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି । ପ୍ରଥମେ ସମ୍ବେଦନଶୀଳ ଅଂଚଳଗୁଡ଼ିକୁ ଉପଗ୍ରହ ଚିତ୍ର ଜରିଆରେ ଚିହ୍ନଟ କରି ଜଙ୍ଗଲ ବିଭାଗୀୟ କ୍ଷେତ୍ରୀୟ ଓ ଆଂଚଳିକ ଅଧିକାରୀମାନଙ୍କୁ ଏସଏମଏସ୍ ଜରିଆରେ ସୂଚିତ କରାଯାଉଛି । ସାଧାରଣତଃ ଜଙ୍ଗଲ ଅଗ୍ନି ଋତୁ ଭାବେ ଗୃହୀତ ଡିସେମ୍ବରରୁ ଜୁନ୍ ମାସ ପର୍ଯ୍ୟନ୍ତ ଅବଧି ଭିତରେ ଦିନକୁ ଦୁଇ ଥର ଏଭଳି ସୂଚନା ଦେବାର ବ୍ୟବସ୍ଥା ରହିଛି ।
ଜନ ସହଭାଗିତା ହିଁ ବନାଗ୍ନି ପ୍ରଶମନର ସୂତ୍ର
ବସୁନ୍ଧରାର ଓଡିଶା ମୁଖ୍ୟ ୱାଇ ଗିରି ରାଓ କହିଛନ୍ତି; ଓଡ଼ିଶାରେ ପ୍ରାୟତଃ ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରହିଛି । ଏଣୁ ଏହିସବୁ ଅଂଚଳରେ ଜନସାଧାରଣଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ସୁନିଶ୍ଚିତ କରିବା ଓ ଏହାର ପରିଚାଳନାରେ ଭାଗିଦାରୀ କରିବା ପାଇଁ ଦେଶରେ ଅନେକ ଆଇନ ରହିଛି । ଏହାରି ଭିତରୁ ୧୯୯୬ ମସିହାର ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ପଂଚାୟତ ସମ୍ପ୍ରସାରଣ ଆଇନ (ପେସା) ଓ ୨୦୦୬ ମସିହାର ଜଙ୍ଗଲ ଅଧିକାର ଆଇନ ବିଶେଷ ଭୂମିକା ବହନ କରେ । ପେସା ଆଇନରେ ଜଙ୍ଗଲର ପରିଚାଳନା ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଓ ମାଲିକାନା ଗ୍ରାମସଭା ଉପରେ ନ୍ୟସ୍ତ କରାଯାଇଥିବା ବେଳେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ପାରମ୍ପରିକ ସୀମା ଭିତରେ ଥିବା ଜଙ୍ଗଲ ଅଂଚଳର ପରିଚାଳନା, ସୁରକ୍ଷା ଓ ପୁନର୍ବିନ୍ୟାସ(ରି ଜେନେରେଟ) କରିବାର ଅଧିକାର ସାମୂହିକ ଭାବେ ଗ୍ରାମ୍ୟ ଗୋଷ୍ଠୀକୁ ଦିଆଯାଇଛି । ଏହି ପ୍ରାବଧାନ ଅନୁସାରେ ଜଙ୍ଗଲର ସମସ୍ତ ପ୍ରକାର ନିୟନ୍ତ୍ରଣ ଓ ସୁରକ୍ଷା ପ୍ରଣାଳୀ ଗ୍ରାମବାସୀମାନେ ନିଜେ ପ୍ରସ୍ତୁତ କରି ତାକୁ ଅନୁପାଳନ କରିବେ । ଜଙ୍ଗଲରେ ବ୍ୟାପୁଥିବା ନିଆଁର ଇତିହାସ, ଏହାର ପୃଷ୍ଠଭୂମି, ଏହାର କାରଣ ସମ୍ବନ୍ଧରେ ସ୍ଥାନୀୟ ଲୋକ ବେଶୀ ଅବଗତ । ତେଣୁ ଏହାକୁ ନିୟନ୍ତ୍ରଣ କରିବାର ପାରମ୍ପରିକ ଜ୍ଞାନ କୌଶଳ ସେମାନଙ୍କୁ ଜଣା । ତେଣୁ ବନ ପରିଚାଳନାର ସାମୂହିକ ଅଧିକାର ଆଇନଗତ ଭାବେ ଗ୍ରାମ୍ୟ ଗୋଷ୍ଠୀଙ୍କ ହାତରେ ଦିଆଗଲେ ଜନ ସହଭାଗିତାରେ ଜଙ୍ଗଲ ନିଆଁର ନିୟନ୍ତ୍ରଣ ସମ୍ଭବ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।