ଭୁବନେଶ୍ୱର: ଦଶହରାର ଶେଷ ଦିନ ଅର୍ଥାତ ବିଜୟା ଦଶମୀ ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆୟୋଜିତ ହୁଏ ରାବଣ ପୋଡି ଉତ୍ସବ । ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତାକୁ ପୃଥିବୀ ପୃଷ୍ଠରେ ପୁନଃ ସ୍ଥାପିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡି ଉତ୍ସବ ହୁଏ । ୫୦, ୬୦ ଫୁଟ ଉଚ୍ଚର ରାବଣ ମାତ୍ର ଗୋଟିଏ ନିଆଁ ତୀରରେ ନିମିଷକରେ ଧ୍ୱଂସ ହୋଇଯାଏ ଆଉ ଏଥିରୁ ବାହାରୁଥିବା ବାଣ ପୁରା ଆକାଶରେ ଖେଳେଇଯାଏ ଯାହାକୁ ଦେଖିବା ପାଇଁ ଶହଶହ ଲୋକ ରୁଣ୍ଡ ହୋଇଥାଆନ୍ତି । ତେବେ ମନ ଭିତରେ ପ୍ରଶ୍ନ ଆସୁଥିବ ଦଶହରା ବେଳେ ଏହି ସୁଉଚ୍ଚ ରାବଣକୁ କିଏ ତିଆରି କରେ । ଓଡ଼ିଶାର ବିଭିନ୍ନ ଜାଗାରେ କରାଯାଉଥିବା ରାବଣ ପ୍ରସ୍ତୁତ କରିବା ପାଇଁ ଏବେ ପୁରୁଣା ଭୁବନେଶ୍ୱରର ଡାକବଙ୍ଗଳା ଛକ ପାଖରେ ରହୁଥିବା ରାଜକିଶୋର ମହାପାତ୍ରଙ୍କ ପୁରା ପରିବାର ଜୋରସୋରରେ ଲାଗିପଡିଛନ୍ତି । ଏବର୍ଷ ପ୍ରାୟ ୨୦ଟି ରାବଣ ମୂର୍ତ୍ତି ତିଆରି କରିବା ପାଇଁ ତାଙ୍କ ପରିବାର ଅର୍ଡର ପାଇଛନ୍ତି । ବିଜୟା ଦଶମୀକୁ ଆଉ ଅଳ୍ପ ଦିନ ଥିବାରୁ ସେମାନଙ୍କ ଆଖିକୁ ନିଦ ନାହିଁ, ଯେଉଁଥିପାଇଁ ଘରର ସବୁ ସଦସ୍ୟ ରାତି ଦିନ କାମରେ ଲାଗିଯାଇଛନ୍ତି ।
ତେବେ ରାବଣ ତିଆରି କାମ ଏହି ଚିତ୍ରକର ପରିବାର କେମିତି ଆରମ୍ଭ କଲେ । ଏବିଷୟରେ ରାଜକିଶୋରଙ୍କ ପତ୍ନୀ ଶୋଭାରାଣୀ ମହାପାତ୍ର କୁହନ୍ତି ପ୍ରାୟ ୪୦ବର୍ଷ ତଳେ ସେମାନେ ଏହି ଡାକବଙ୍ଗଳାଛକରେ ୪-୫ଫୁଟର ଏକ ରାବଣ ମୂର୍ତ୍ତି ତିଆରି କରିଥିଲେ ଯାହା ବାଟରେ ଯାଉଥିବା ଲୋକଙ୍କୁ ବେଶ ଆକର୍ଷିତ କରିଥିଲା ଆଉ ତାପରଠାରୁ ତାଙ୍କୁ ରାବଣ ତିଆରି କରିବାର ଅର୍ଡର ମିଳିବା ଆରମ୍ଭ ହେଲା । ପ୍ରଥମେ ୧୦-୨୦ଫୁଟ ଉଚ୍ଚ ରାବଣ କରିବା ପରେ ଏବେ ସେମାନେ ଶହେ ଫୁଟ ଉଚ୍ଚର ରାବଣ କରୁଛନ୍ତି । ଏବର୍ଷ ପଟିଆ ଦାରୁଠେଙ୍ଗରେ ସବୁଠାରୁ ଉଚ୍ଚ ରାବଣ କରିବାର ଅର୍ଡର ମିଳିଛି ।
ରାଜ କିଶୋର କୁହନ୍ତି ତାଙ୍କ ପରିବାର ହେଉଛି ଚିତ୍ରକର ପରିବାର । ତାଙ୍କ ବାପା ମଧ୍ୟ ଅନେକ ମନ୍ଦିର ରଙ୍ଗ କରିବା ଓ ବାହାଘରରେ ଆର୍ଟ କରିବା ଅର୍ଡର ପାଉଥିଲେ ତାଙ୍କୁ ଦେଖି ସେ ମଧ୍ୟ ଏହି କାମରେ ମନ ଦେଲେ । ବିବାହ ପରେ ଶୋଭାରାଣୀ ମଧ୍ୟ ତାଙ୍କ ସହ ମିଶିଗଲେ । ଏହି ରଙ୍ଗ ଓ ଡିଜାଇନ କାମକୁ ଆହୁରି ଭଲ ଭାବେ କରିବାପାଇଁ ସ୍ୱାମୀ ସ୍ତ୍ରୀ ଦୁହେଁ ମ୍ୟାଟ୍ରିକ ପରେ ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ପ୍ରଶିକ୍ଷଣ ନେଇଛନ୍ତି । ପରବର୍ତ୍ତୀ ସମୟରେ ତାଙ୍କ ପିଲାମାନେ ମଧ୍ୟ ବିକେ ଆର୍ଟ କଲେଜରୁ ଡିଜାଇନିଙ୍ଗରେ ସ୍ନାତକ କରିଛନ୍ତି । ଏବେ ତାଙ୍କର ଦୁଇ ଝିଅ, ପୁଅ, ବୋହୁ ସମସ୍ତେ ଏ କାମରେ ଲାଗି ପଡନ୍ତି । ଦଶହରା ୬ମାସ ଆଗରୁ ସେମାନଙ୍କୁ ଅର୍ଡର ମିଳେ ଏବଂ ୩ମାସ ଆଗରୁ କାମ ଆରମ୍ଭ ହୋଇଯାଏ । ଘରର ୫ଜଣ କଳାକାର ସାଙ୍ଗକୁ ପ୍ରାୟ ୩୦ଜଣ ଶ୍ରମିକ ଏହି କାମ ରେ ନିୟୋଜିତ ହୁଅନ୍ତି । ପ୍ରଥମେ ବାଉଁଶ ପାତିଆରେ ଫ୍ରେମ ତିଆରି ହୁଏ ତାପରେ ସେଥିରେ ପୁରୁଣା କପଡା ଅଠାରେ ଲଗାଯାଏ ତା ଉପରେ ପୁରୁଣା ଖବରକାଗଜ ଅଠାରେ ଲେପ ଦେଇ ଏହାକୁ ମୋଟା କରାଯାଏ । କାଗଜର ଲେପ ଶୁଖିଗଲା ପରେ ଏହା ଉପରେ ଖଡି ରଙ୍ଗ ଲଗାଯାଏ , ଏସବୁ ସାଧାରଣତଃ ଶ୍ରମିକ ମାନେ କରିଥାଆନ୍ତି । ଏହା ପରେ ଆରମ୍ଭ ହୁଏ ଡିଜାଇନ ଓ ରଙ୍ଗ କାମ ଯେଉଁଟା କଳାକାରମାନେ କରିଥାଆନ୍ତି । ଆଗେ ରାଜକିଶୋର ଓ ଶୋଭାରାଣି ଏହି କାମ କରୁଥିବା ବେଳେ ଏବେ ତାଙ୍କୁ ତାଙ୍କ ପିଲାମାନେ ସାହାଯ୍ୟ କରୁଛନ୍ତି । ୩ମାସ ଆଗରୁ ଅର୍ଡର ପାଇବା ପରେ ସେମାନଙ୍କ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଏ । ପତଳା ବାଉଁଶ ସାଙ୍ଗକୁ ପୁରୁଣା କପଡା, ପୁରୁଣା କାଗଜ, ରଙ୍ଗ କିଣିବା ସହ ମଇଦା, କଇଁଥ ଓ କଇଁଆ ମଞିର ଅଠା ପ୍ରସ୍ତୁତ କରାଯାଏ । ତେବେ ଗତ ୪୦ ବର୍ଷ ଧରି ରାବଣ କରିଆସୁଥିଲେ ମଧ୍ୟ କୋଭିଡ ଲକଡାଉନ ସମୟରେ ତାଙ୍କର ରାବଣ ମୂର୍ତ୍ତି ତିଆରି କାମ ବନ୍ଦ ଥିଲା, ନଚେତ ଆଉ କେବେ ମୂର୍ତ୍ତି ତିଆରି କାମ ବନ୍ଦ ହୋଇନି ବୋଲି କୁହନ୍ତି ରାଜକିଶୋର । ରାବଣ ମୂର୍ତ୍ତି ତିଆରି କାମ ଆରମ୍ଭରୁ ଶେଷ ଯାଏଁ ରାଜକିଶୋର ଓ ଶୋଭାରାଣୀ ମିଶିକରି କରନ୍ତି ତଥାପି ଶ୍ରମିକଙ୍କୁ କାମରେ ଲଗେଇବା, ରଙ୍ଗ କରିବା, ଡିଜାଇନ କରିବା କାମ ଭିତରେ ରନ୍ଧାବଢା, ପିଲାଙ୍କ ଦାୟିତ୍ୱ ଓ ବନ୍ଧୁବାନ୍ଧବ ସବୁକାମ ସେ ସୁବିଧାରେ ତୁଲେଇ ଆସିଛନ୍ତି ବୋଲି କୁହନ୍ତି ରାଜକିଶୋର । ରାବଣ ମୂର୍ତ୍ତି ତିଆରି କାମର ସବୁଶ୍ରେୟ ସେ ତାଙ୍କ ପତ୍ନୀ ଶୋଭାରାଣୀଙ୍କୁ ଦିଅନ୍ତି ।
ଏହି ପରିବାର ନିଜ ଘରର ଛାତ ଉପରେ ରାବଣ ମୂର୍ତ୍ତିର ବିଭିନ୍ନ ଭାଗକୁ ତିଆରି କରିବା ପରେ ପୂଜା କମିଟି ଲୋକ ଆସି ସେମାନଙ୍କ ଘରୁ ନେଇଯାଆନ୍ତି ଓ ପଡିଆରେ ସେଥିରେ ବାଣ ଲଗାଯାଇ ଯୋଡ଼ାଯାଏ । ପାଗ ଭଲ ଥିଲେ କାମକରିବାକୁ ଭଲ ଲାଗେ ଓ ସବୁକିଛି ସୁରୁଖୁରୁରେ ହୋଇଯାଏ । କିନ୍ତୁ ଗତ କିଛିବର୍ଷ ହେବ ପାଗ ପରିବର୍ତ୍ତନ ଯୋଗୁଁ- ଅତ୍ୟଧିକ ଖରା, ବର୍ଷା ଓ ଝଡ ଯୋଗୁଁ ଅନେକ ସମୟରେ ରାବଣ ମୂର୍ତ୍ତି ଗଢିବା କାମରେ ବାଧାସୃଷ୍ଟି ହୋଇଥାଏ ।
ପୁଣି କିଛି ବର୍ଷ ହେବ ବାଣ ଫୁଟେଇବା ଉପରେ ଧିରେ ଧିରେ ପ୍ରଶାସନ ରୋକ ଲଗାଇବା ଯୋଗୁଁ ଅନେକ ଛୋଟ ବଡ ପୂଜା କମିଟି ରାବଣ ମୂର୍ତ୍ତି କରିବା ବନ୍ଦ କରିସାରିଲେଣି । ଏହା ସେମାନଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପକାଇଛି । ତେବେ ଭୁବନେଶ୍ୱରରେ ଏବେ ମାତ୍ର ୬ଟା ଜାଗାରେ ରାବଣ ମୂର୍ତ୍ତି କରାଯାଉଥିବାବେଳେ ଅନ୍ୟ ଛୋଟ ସହର ଗୁଡିକରେ ରାବଣ ପୋଡିର ଆଦର ବଢିବାରେ ଲାଗିଛି । ଯେଉଁଥିପାଇଁ ସେମାନଙ୍କୁ ଛୋଟ ସହର ଗୁଡିକରୁ ଭଲ ଅର୍ଡର ମିଳିବାରେ ଲାଗିଛି । ଏବେ ଜଟଣୀ, ଅନୁଗୁଳ ଭଳି ଜାଗାରୁ ମଧ୍ୟ ସେମାନଙ୍କୁ ଅର୍ଡର ମିଳୁଛି ।