କେନ୍ଦୁଝର ଜିଲ୍ଲା ବଡବିଲ ଅଂଚଳର ସଲମା ବର୍ତମାନ ବଡବିଲ ଜୁଡିସିଆଲ ମାଜିଷ୍ଟ୍ରେଟ ଅଫ ଫାଷ୍ଟ କ୍ଲାସ କୋର୍ଟରେ ପେସାଦାର ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ କ୍ଷେତ୍ରରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ଟ୍ରାନ୍ଟ ପର୍ସନ ଯିଏକି ପେସାଦାର ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ସଂଜ ନଇଁଲେ କିନ୍ନର ମାନେ ସଜବାଜ ହୋଇ ବେଶ୍ୟାବୃତି କରିବାକୁ ସେ ସଂପୂର୍ଣ ବିରୋଧ କରିଛନ୍ତି ବରଂ ସେମାନଙ୍କ ପାଇଁ ଅନ୍ୟ ରୋଜଗାରର ପନ୍ଥା ବାହାର କରିବାକୁ ସେ ସରକାରଙ୍କ ଠାରେ ନିବେଦନ କରିଛନ୍ତି । ଜଣେ ଶିକ୍ଷିତ ହେଲେ ହିଁ ଏ ଅନ୍ଧକାରମୟ ଜୀବନରୁ ବାହାରିବାର ରାହା ପାଇବ । ଏଣୁ ଶିକ୍ଷା ଟ୍ରାନ୍ସ ମାନଙ୍କ ଜୀବନରେ ଅନେକ ପରିବର୍ତନ ଆଣିବ ବୋଲି ସେ କହିଛନ୍ତି ।
ଭୁବନେଶ୍ୱର ;
ଦିନେ ନିଜ ଭିତରେ ଘଟୁଥିବା ପରିବର୍ତନକୁ ନେଇ ଅସ୍ୱସ୍ତିବୋଧ କରୁଥିବା କେନ୍ଦୁଝର ଜିଲ୍ଲା ବଡବିଲ ଅଂଚଳର ସଲମା ବର୍ତମାନ ବଡବିଲ ଜେଏମଏଫସି (ଜୁଡିସିଆଲ ମାଜିଷ୍ଟ୍ରେଟ ଅଫ ଫାଷ୍ଟ କ୍ଲାସ) କୋର୍ଟରେ ପେସାଦାର ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ଆଇନଜୀବୀ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ପାଇବା ତାଙ୍କ ପାଇଁ ଓ ତାଙ୍କ ଭଳି ଅନ୍ୟ ଟ୍ରାନ୍ଟ ଭଉଣୀଙ୍କ ପାଇଁ ସମ୍ମାନ ଆଣି ଦେଇଛି କହିଲେ ଭୂଲ ହେବନାହିଁ । ତାଙ୍କର ଏହି ସଫଳତା ପରେ ତାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଥିଲେ ଯେ, ମୁଁ ସବୁବେଳେ ଜାଣିଥିଲି ଯେ କେବଳ ଶିକ୍ଷାହିଁ ମୋତେ ଏହି ଅନ୍ଧକାରମୟ ଜୀବନରୁ ଉଦ୍ଧାର କରି ସମ୍ମାନର ସହ ବଂଚିବାର ସାହସ ଦେବ । ଜଣେ ଶିକ୍ଷିତ ହେଲେ ହିଁ ନିଜ ଅଧିକାର ବିଷୟରେ ଜାଣିପାରିବ ଏବଂ ସ୍ୱର ଉତୋଳନ କରିପାରିବ ଏଣୁ ମୁଁ ଯେତେ ବାଧାବିଘ୍ନ ଆସୁ ପଛେ ନିଜ ପାଠପଢା ଜାରି ରଖିବି ବୋଲି ନିଷ୍ପତି ନେଇଥିଲି ଓ ତାର ଫଳ ସ୍ୱରୂପ ଆଜି ଆଡଭୋକେଟ ହୋଇପାରିଛି ।
ଏକ ମୁସଲମାନ ପରିବାରରେ ଜନ୍ମିତ ସଲମାଙ୍କର ଘର ଯୋଡାବ୍ଲକ ଅର୍ନ୍ତଗତ ରୋଏଡା ଗାଁରେ । ବାପା ତାଙ୍କର ଜଣେ ଶ୍ରମିକ ହେତୁ ଘରର ଆର୍ଥିକ ପରିସ୍ଥିତି ସେତେଟା ଭଲ ନୁହେଁ । ଏଣୁ ପ୍ରଥମରୁ ହିଁ ସଲମା ଓ ତାଙ୍କ ଭଉଣୀଙ୍କୁ ଛୋଟ ଛୋଟ ଇ୍ଛା ପୂରଣ ପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି । ତଥାପି ପାଠପଢିବାର ନିଶାଯୋଗୁଁ ସେ ଆଇନଜୀବୀ ଭାବେ ସ୍ୱୀକୃତି ପାଇପାରିଛନ୍ତି ଏବଂ ଏବେ ଉଚ୍ଚଶିକ୍ଷାପାଇଁ କେନ୍ଦୁଝର ଆଇନ ମହାବିଦ୍ୟାଳୟରେ ଆଡମିଶନ କରିଛନ୍ତି ।
ନିଜ ଭିତରର ଦ୍ୱନ୍ଦ୍ୱ
ସଲମା କୁହନ୍ତି, ଯେତେବେଳେ ମୋ ଶାରୀରିକ ପରିବର୍ତନ ବିଷୟରେ ମୋ ପରିବାର, ପଡୋଶୀ ଓ ସଂପର୍କୀୟ ମାନେ ଜାଣିଲେ ସେତେବେଳେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଲା । ପ୍ରଥମେ ସେମାନଙ୍କୁ ଏବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲି କିନ୍ତୁ ନିଜେ ମଧ୍ୟ ସଂପୂର୍ଣ ଅବଗତ ନଥିବାରୁ ନିଜ ଭିତରେ ହେଉଥିବା ପରିବର୍ତନକୁ ନେଇ ମାନସିକଭାବେ ସଂଘର୍ଷ କରୁଥିଲି । ପରିବାର ଲୋକଙ୍କୁ ବୁଝାଇବାରେ ଅସଫଳ ହେବାରୁ ଯୁକ୍ତ ୩ ପାଠପଢାରେ ମନୋନିବେଶ କରିପାରୁନଥିଲି । ଶେଷରେ ପାଠପଢାକୁ ଅଧାରେ ଛାଡି ଭୁବନେଶ୍ୱର ଚାଲିଅସିଲି । ମୋତେ ଲାଗିଲା ନିଜର କିନ୍ନର କମ୍ୟୁନିଟୀ ସହ ରହିଲେ ମୁଁ ସାହସ ଓ ସମବେଦନା ସାଙ୍ଗକୁ ବଂଚିବାର ରାହା ପାଇବି ।
କିନ୍ତୁ ଏସବୁ ଆଶା ତାଙ୍କର ପାଣି ଫୋଟକା ପରି ମିଳେଇଗଲା । ଭୁବନେଶ୍ୱରରେ କିନ୍ନର କମ୍ୟୁନିଟୀ ସହ ମିଶିବା ପରେ ତାଙ୍କୁ ଭିକ୍ଷାବୃତି ଓ ବେଶ୍ୟା ବୃତି କରି ରୋଜଗାର କରିବାକୁ କୁହାଗଲା । ଯାହା ତାଙ୍କ ସ୍ୱାଭିମାନକୁ ବାଧିଲା । ପ୍ରାୟ ୪-୬ମାସ ଏଭଳି କାମ କରିବା ପରେ ଦିନେ ସେ ଏସବୁ ଛାଡି ନିଜ ଘରକୁ ଫେରିଯିବାକୁ ଚିନ୍ତା କଲେ । ଥରେ ବେଶପଟାକରି ତାଙ୍କୁ ଗଙ୍ଗପଡାର ଅନ୍ଧାର ରାସ୍ତାରେ ବେଶ୍ୟାବୃତି କରିବାକୁ ଯେତେବେଳେ ତାଙ୍କ କିନ୍ନର ଭଉଣୀ ମାନେ ଛାଡିଗଲେ ସେ ଏକ ଟ୍ରକ ଡାଲାରେ ଲୁଚି ବଡବିଲକୁ ଫେରି ଆସିଲେ । ସେଠାରୁ ଲୁଚିକରି ଫେରିବା ପରେ ମୋ ପରିବାର ଲୋକଙ୍କୁ ମୁଁ ପୁଣିଥରେ ବୁଝାଇବାକୁ ଚେଷ୍ଟା କଲି ଓ ଶେଷରେ ସେମାନେ ମଧ୍ୟ ବୁଝିଲେ । ସେ ପୁଣି କଲେଜରେ ନାଁ ଲେଖାଇଲେ ଓ ଚଳିବା ପାଇଁ ଛୋଟ ଛୋଟ ପିଲାଙ୍କୁ ଟିଉସନ କଲେ । ସଲମା ଆଇନ ଶିକ୍ଷା କରିବା ସହିତ ସ୍ୱାବଲମ୍ବୀ ହେବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ନେତୃତ୍ୱ ନେଇ ଆସୁଥିଲେ । ସିଲେଇ ତାଲିମ ନେବା ପରେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ପାଇ ନିଜ ଗୋଡରେ ଛିଡା ହୋଇପାରିଥିଲେ । ଆଇନ ଶିକ୍ଷା ଶେଷ ପରେ ପେସାଦାର ଓକିଲ ହେବା ପାଇଁ ବାର କାଉନସିଲରେ ଆବେଦନ କରିଥିଲେ । ବାର କାଉନସିଲ ସଲମାଙ୍କ ଆବେଦନକୁ ଗ୍ରହଣ କରିବା ପରେ ତାଙ୍କୁ ଲାଇସେନସ ପ୍ରଦାନ କରିଛନ୍ତି । ଏହାପରେ ସଲମା ବଡବିଲ ଜେଏମଏଫସି କୋର୍ଟର ଓକିଲ ସଂଘ ନିକଟରେ ନିଜର ଲାଇସେନସ ଦାଖଲ କରି ପେସାଦାର ଓକିଲ ଭାବେ କାମ ଆରମ୍ଭ କରିଛନ୍ତି ।
କିନ୍ନରଙ୍କ ପାଇଁ ଆବଶ୍ୟକ ପ୍ରୋତ୍ସାହନ
ଏବେ ଏଲଏଲଏମ ଶିକ୍ଷା ପାଇଁ ଧାରକରଜ କରି ଆଡମିଶନ ନେଇଥିବା ସଲମା କୁହନ୍ତି ସରକାର କିନ୍ନର ମାନଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ରଖିବା ଆବଶ୍ୟକ । ୨୦୧୯ ବର୍ଷରୁ ଟ୍ରାନ୍ସ ଜେଣ୍ଡର ପର୍ସନସ (ପ୍ରୋଟେକସନ ଅଫ ରାଇଟସ ) ଆକ୍ଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ବିଭିନ୍ନ କ୍ଷେତ୍ରରେ ଲାଗୁ କରାଯାଇପାରିନାହିଁ । ଚାକିରୀ ଓ ଉଚ୍ଚଶିକ୍ଷାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା, ସ୍କଲାରସିପ ପ୍ରଦାନ, ଆଇ କାର୍ଡ ଆଦି ଦିଆଗଲେ ସେମାନେ ମଧ୍ୟ ସମାଜରେ ସମ୍ମାନର ସହ ବଂଚିପାରିବେ । ଏବଂ କିନ୍ନରଙ୍କୁ ବିଭିନ୍ନ ଭାବେ ଥଟ୍ଟା ଓ ପରିହାସ କରୁଥିବା ଲୋକେ ଆଉ ଟାହିଟାପରା କରିବାକୁ ସାହସ କରିବେ ନାହିଁ ।
ସଲମା କ୍ଷୋଭର ସହ କୁହନ୍ତି ଭୁବନେଶ୍ୱରରେ ଅନେକ କିନ୍ନର ଅଛନ୍ତି ଯେଉଁମାନେ ଅନ୍ୟ କିନ୍ନର ଭଉଣୀ ମାନଙ୍କୁ ବିଭିନ୍ନ ପ୍ରକାରର କାମରେ ଲଗେଇ ଅର୍ଥ ରୋଜଗାର କରୁଛନ୍ତି କିନ୍ତୁ ସେମାନେ ସରକାରଙ୍କ ଠାରେ କିନ୍ନର ଭଉଣୀଙ୍କୁ ପରିବାର ଓ ସମାଜ କିଭଳି ଆପଣେଇବ ସେ ବିଷୟରେ କାର୍ଯ୍ୟ କରିବା ଆବଶ୍ୟକ । ପାଠପଢାରେ ସୁଯୋଗ ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷାରେ ତାଲିମ ଆଦି ପାଇଁ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବାକୁ ଯୁକ୍ତି ବାଢିଛନ୍ତି । ସଂଜ ନଇଁଲେ କିନ୍ନର ମାନେ ସଜବାଜ ହୋଇ ବେଶ୍ୟାବୃତି କରିବାକୁ ସେ ସଂପୂର୍ଣ ବିରୋଧ କରିଛନ୍ତି ବରଂ ସେମାନଙ୍କ ପାଇଁ ଅନ୍ୟ ରୋଜଗାରର ପନ୍ଥା ବାହାର କରିବାକୁ ସେ ସରକାରଙ୍କ ଠାରେ ନିବେଦନ କରିଛନ୍ତି । ମୁଁ ପାଠପଢି ସେ ଦୁନିଆରୁ ବାହାରି ଆସି ଆଜି ନିଜପାଇଁ ସମ୍ମାନ ସାଉଁଟି ପାରିଛି । ଏଣୁ ଶିକ୍ଷା ଟ୍ରାନ୍ସ ମାନଙ୍କ ଜୀବନରେ ଅନେକ ପରିବର୍ତନ ଆଣିବ ବୋଲି ସେ କହିଛନ୍ତି । ଆଇନ କ୍ଷେତ୍ରରେ ଉଚ୍ଚଶିକ୍ଷା ଶେଷ ପରେ କିନ୍ନରମାନଙ୍କ ଅଧିକାର ପାଇଁ ସେ ନିଶ୍ଚିତ ଭାବେ ଲଢେଇ କରିବେ ବୋଲି କହିଛନ୍ତି ।