ସେପ୍ଟେମ୍ବର ମାସ (ପହିଲାରୁ ୩୦ ତାରିଖ ଯାଏଁ) ପୁଷ୍ଟିମାସ ଭାବେ ପାଳନ କରାଯାଉଥିବାରୁ ଏହି ଅବସରରେ ରାଜ୍ୟର ବିଭିନ୍ନ ଅଙ୍ଗନଓାଡି କେନ୍ଦ୍ର ଗୁଡିକରେ ଉଭୟ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ଯେଉଁଥିରେ ସେମାନେ ଘରେ ଉପଲବ୍ଧ ଥିବା ପନିପରିବା ଓ ଖାଦ୍ୟଶସ୍ୟକୁ ନେଇ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଶିଶୁକୁ ଖୁଆଇ ପାରିବେ ଓ ନିଜେ ମଧ୍ୟ ଖାଇପାରିବେ । କୋରାପୁଟ ଜିଲ୍ଲାରେ ଅତିଶୟ ପୁଷ୍ଟିହୀନତା (ସିମାମ) ଦୂର ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ୟୁନିସେଫ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅନେକ ମା ଓ ଶିଶୁ ଭାଗ ନେବା ସହ ଏହା ସେମାନଙ୍କ ଶିଶୁକୁ ପୁଷ୍ଟିହୀନତାରୁ ଦୂର କରିପାରିବ ବୋଲି କହିଥିଲେ ।
ଭୁବନେଶ୍ୱର ;
କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଅନ୍ତର୍ଗତ ବାଗରାଗୁଡା ଗାଁର ଦାମଇ ଖରାଙ୍କ ଛୁଆର ଓଜନ ଜନ୍ମ ପରଠାରୁ ହିଁ କମ ଥିଲା । ମା କ୍ଷୀର ଯଥେଷ୍ଟ ହେଉନଥିବା ସାଙ୍ଗକୁ ଆବଶ୍ୟକ ଆହାର ଅଭାବରୁ ୨ବର୍ଷର ଛୁଆଟି ଅନ୍ୟ ସମବୟସର ପିଲାଙ୍କ ତୁଳନାରେ ଛୋଟ ଦେଖାଯିବା ସହ ଏହା ତାର ବିକାଶରେ ମଧ୍ୟ ବାଧା ସୃଷ୍ଟି କରୁଥିଲା । ଗାଁର ଭିଏଚଏନଡି (ଭିଲେଜ ହେଲଥ ଆଣ୍ଡ ନ୍ୟୁଟ୍ରିସନ ଡେ) ରେ ଅଙ୍ଗନଓାଡି ଦିଦି ଦାମଇଙ୍କ ଛୁଆକୁ ଓଜନ କରିବା ପରେ ତାକୁ ନିୟମିତ ଖେଚିଡି ସାଙ୍ଗକୁ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦେବାକୁ କହିିଲେ । ଦାମଇର ଘରକୁ ଯାଇ କେମିତି ପୁଷ୍ଟିକର ଖେଚିଡି ରାନ୍ଧିବ ଓ ସେଥିରେ କଣ ସବୁ ପକାଇବ ତା ଉପରେ ବୁଝେଇଦେଇ ଆସିଲେ । ନିୟମିତ ଦେଖାଶୁଣା, ଯତ୍ନ ଓ ପୁଷ୍ଟିକର ଖାଦ୍ୟ ଯୋଗୁଁ ଦାମଇଙ୍କ ଛୁଆର ଓଜନ ଧିରେ ଧିରେ ବଢିବାରେ ଲାଗିଲା । ଅଙ୍ଗନଓାଡି ଦିଦିଙ୍କ ଲିଷ୍ଟରେ ହଳଦିଆ ରଙ୍ଗ ମାର୍କରେ ଥିବା ଦାମଇଙ୍କ ଛୁଆ କିଛି ମାସର ବ୍ୟବଧାନ ପରେ ସବୁଜ ରଙ୍ଗ ମାର୍କକୁ ଫେରିଆସିିଲା । ଏବେ ତାଙ୍କ ଛୁଆ ଗାଁର ଅନ୍ୟ ପିଲାଙ୍କ ପରି ହୃଷ୍ଟପୁଷ୍ଠ ଦିଶୁଛି ।
କେବଳ ଦାମଇଙ୍କ ଶିଶୁ ନୁହେଁ କୋରାପୁଟ ଜିଲ୍ଲାର ବାଗରାଗୁଡା ଓ ପଦ୍ମପୁର ଗାଁର ଅନେକ ଅପପୁଷ୍ଟିର ଶିକାର ହୋଇଥିବା ଓ କମ ଓଜନର ଶିଶୁ ପୁଷ୍ଟିକର ଖାଦ୍ୟ ଓ ଯତ୍ନ ଯୋଗୁଁ ଏ ସମସ୍ୟାରୁ ଓହରି ଆସିପାରିଛନ୍ତି । ତଥ୍ୟ ଅନୁସାରେ, ଓଡ଼ିଶାରେ (୫ବର୍ଷରୁ କମ ଶିଶୁଙ୍କ ମଧ୍ୟରେ) କମ ଓଜନ, ଗେଡାପଣ (ବୟସ ତୁଳନାରେ କମ ଉଚ୍ଚତା) ଓ କ୍ଷୀଣକାୟ(ବୟସ ତୁଳନାରେ ପତଳା )ର ବ୍ୟାପକତା ଯଥାକ୍ରମେ ୩୪.୪ ପ୍ରତିଶତ, ୩୪.୧ ପ୍ରତିଶତ ଓ ୨୦.୪ ପ୍ରତିଶତ ରହିଛି । ପାଖାପାଖି ୬.୪ ପ୍ରତିଶତ ଶିଶୁ ଅତିଶୟ ପୁଷ୍ଟିହୀନତା (ସାମ) ଦ୍ୱାରା ଅକ୍ରାନ୍ତ । ଅତିଶୟ ପୁଷ୍ଟିହୀନତା ଥିବା ଶିଶୁଙ୍କର କମ ରୋଗ ପ୍ରତିରୋଧକ ଶକ୍ତି ଓ ବିଶୃଙ୍ଖଳିତ ଶାରୀରିକ ବିକାଶ ଏମାନଙ୍କୁ ମୃତ୍ୟୁ ମୁଖରେ ପକାଇବା ଆଶଂକାକୁ ବୃଦ୍ଧିକରେ । ଏଣୁ ଏଥିରୁ ପିଲାଙ୍କୁ ରକ୍ଷା କରିବାପାଇଁ କୋରାପୁଟରେ ଗୋଷ୍ଠୀଭିତିକ ଅତିଶୟ ପୁଷ୍ଟିହୀନତା ପରିଚାଳନା (ସିମାମ) ବିଷୟରେ ମା ମାନଙ୍କୁ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି ।
ପୁଷ୍ଟିକର ଖାଦ୍ୟ ନେଇ ତାଲିମ
ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଅପପୁଷ୍ଟିକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସହ ୟୁନିସେଫ ମିଳିତ ଭାବେ ୨୦୧୫-୧୬ ରେ ରାୟଗଡା, କୋରାପୁଟ, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଏବେ ଅନ୍ୟ ଜିଲ୍ଲାଗୁଡିକୁ ସଂପ୍ରସାରିତ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳସ୍ତରରେ ଶିଶୁ ଏବଂ ମା ମାନଙ୍କୁ ଖାଦ୍ୟପେୟ ସହ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଲିମ ଦିଆଯାଉଛି । ଫଳରେ ଆଦିବାସୀ ବହୁଳ ଗାଁ ଗୁଡିକରେ ମା ମାନେ ଶିଶୁର ସଠିକ ଯତ୍ନ ନେବା ସହ ସେମାନଙ୍କୁ କିଭଳି ପୁଷ୍ଟିକର ଖାଦ୍ୟ ଦେଇପାରିବେ ତା ଉପରେ ଜ୍ଞାନ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମ ଯୋଗୁଁ ପୂର୍ବ ବର୍ଷଗୁଡିକ ତୁଳନାରେ ପୁଷ୍ଟିହୀନତାର ମାତ୍ରା ଯଥେଷ୍ଟ ହ୍ରାସ ପାଇବା ଦେଖାଯାଇଛି । ଏବିଷୟରେ ଅଧିକ ଜାଣିବା ପାଇଁ ଏହି ଲେଖିକା କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁ ଗହଳକୁ ଯାଇ ସେଠାକାର ସ୍ଥିତି ପରଖିଥିଲେ ।
ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ପୁଷ୍ଟିହୀନତା ଜନିତ ମୃତ୍ୟୁହାର ଏବଂ ପ୍ରସବ ଜନିତ ମାତୃ ମୃତ୍ୟୁହାର କିଛି ବର୍ଷ ତଳେ ଖରାପ ସ୍ଥିତିରେ ଥିବାରୁ ଏହାକୁ କମ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଗଲା । ସେଥିମଧ୍ୟରେ ଥିଲା ଗାଁ ଗାଁରେ ନବଜାତ ଶିଶୁ, ଛୋଟପିଲା, ଗର୍ଭବତୀ ମା ଓ ପ୍ରସୂତି ମା ମାନେ କେଉଁପ୍ରକାରର ଖାଦ୍ୟ ଖାଇବେ ଓ କିଭଳି ଶିଶୁର ଯତ୍ନ ନେବେ ସେ ବିଷୟରେ ଆଶା ଓ ଅଙ୍ଗନଓାଡି କର୍ମୀ ମାନେ ତାଲିମ ଦେବା ସହ ବୁଝାଉଥିଲେ । ଜାତୀୟ ପତାକାରେ ଥିବା ତିନି ରଂଗ କମଳା, ଧଳା ଓ ସବୁଜ ରଂଗର ପନିପରିବା, ଦୁଗ୍ଧ ଜାତୀୟ, ଫଳମୂଳ ଓ ପ୍ରୋଟିନ ଜାତୀୟ ଖାଦ୍ୟର କିଭଳି ଆବଶ୍ୟକତା ଅଛି ତା ଉପରେ ବୁଝାଉଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ଆଦିବାସୀ ସଂପ୍ରଦାୟରେ ବହୁଳ ଭାବରେ ବ୍ୟବହାର ହେଉଥିବା ମାଣ୍ଡିଆ, ସୁଆଁ, ମକ୍କା ଓ ବାଜରା ଜାତୀୟ ଖାଦ୍ୟକୁ ପୁନଃ ଆରମ୍ଭ କରିବା ଉପରେ ଜୋର ଦିଆଯାଇଥିଲା । ଏଭଳି କାର୍ଯ୍ୟକ୍ରମ ଯୋଗୁଁ ଅନେକ ମା ସେମାନଙ୍କ ଶିଶୁର ଯତ୍ନ ନେବା ସହ ତାର ଖାଦ୍ୟପେୟ ସାଙ୍ଗକୁ ନିଜ ସ୍ୱାସ୍ଥ୍ୟର କିପରି ଯତ୍ନ ନେବେ ତା ଉପରେ ସଚେତନ ହୋଇଥିଲେ ବୋଲି କହିଥିଲେ । ପଦ୍ମପୁର ଗାଁର ସରିତା ସିଂଙ୍କର ତିନୋଟି ଛୁଆ ମଧ୍ୟରୁ ଗୋଟିଏ ଛୁଆ ଅତିଶୟ ପୁଷ୍ଟିହୀନତାର ଶିକାର ହେବା ସହ ଅଙ୍ଗନଓାଡି କର୍ମୀଙ୍କ ରେଡ (ଲାଲରଂଗ) ଲିଷ୍ଟରେ ଥିଲେ । ଅନ୍ୟ ଦୁଇଟି ଛୁଆ ମଧ୍ୟ ପୁଷ୍ଟିହୀନତାର ଶିକାର ଥିଲେ । ଶିଶୁର ଯତ୍ନ ଓ ଖାଦ୍ୟପେୟ ବିଷୟରେ ଆଶା ଓ ଅଙ୍ଗନଓାଡି କର୍ମୀଙ୍କ ଉପଦେଶ ମାନିବା ପରେ ଏବେ ତାଙ୍କର ତିନୋଟି ଯାକ ଛୁଆଙ୍କୁ ସେ ପୁଷ୍ଟିହୀନତାରୁ ଦୂରେଇ ରଖିପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସେ ଏବିଷୟରେ ସଚେତନ ହୋଇପାରିଛନ୍ତି ଓ ନିଜ ଶିଶୁଙ୍କର ସଠିକ ଯତ୍ନ ନେଇପାରିଛନ୍ତି ବୋଲି କହିଥିଲେ । କେବଳ ସରିତା କାହିଁକି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନେକ ମା ତାଙ୍କ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ସହ ସଠିକ ଯତ୍ନ ନେଇପାରିଛନ୍ତି ବୋଲି କହିଥିଲେ ।
ମାଣ୍ଡିଆ ଓ ସୁଆଁର ବ୍ୟବହାର
କୋରାପୁଟ ଜିଲ୍ଲାରେ ଅପପୁଷ୍ଟିରେ ଶିକାର ଶିଶୁଙ୍କ ହାର, ଶିଶୁ ଓ ମାତୃ ମୃତ୍ୟୁହାର କିପରି କମିବ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏବେବି ଚାଲୁଛି । ଗର୍ଭବତୀ ଓ ପ୍ରସୂତି ମା ମାନେ କେଉଁ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବେ, ଜନ୍ମ ପରେ ଶିଶୁକୁ ମାର ପ୍ରଥମ କ୍ଷୀର ପିଆଇବାର ଆବଶ୍ୟକତା, ୬ମାସ ବେଳକୁ ମା କ୍ଷୀର ସହ ବାହାରର ଖାଦ୍ୟ ଯେପରି ଘର ତିଆରି ଖେଚିଡି, ଛତୁଆ ଆଦି ଦେବେ ଏବଂ ବୟସ ଅନୁଯାୟୀ ଶାରୀରିକ ବିକାଶ ପାଇଁ କେଉଁସବୁ ଖାଦ୍ୟ ଦେବେ- ଏସବୁ ଉପରେ ମା ମାନଙ୍କୁ ସଚେତନ କରାଯାଉଛି । ତେବେ ମାଣ୍ଡିଆ ସୁଆଁକୁ କିଭଳି ନିୟମିତ ଖାଦ୍ୟ ଭାବେ ଗ୍ରହଣ କରିବେ ତା ଉପରେ ଆଶା ଓ ଅଙ୍ଗନଓାଡି କର୍ମୀ ମାନେ ଜଣାଇବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି କରି ମଧ୍ୟ ଦେଖାଉଛନ୍ତି ।
ଜୀବନର ପ୍ରଥମ ଦୁଇବର୍ଷ ନିମନ୍ତେ ସର୍ବୋକୃଷ୍ଟ ପୁଷ୍ଟି, ଜନ୍ମ ପରେ ଯଥାଶିଘ୍ର ଓ ୬ ମାସ ଯାଏଁ କେବଳ ସ୍ତନ୍ୟପାନ, ୬ ମାସ ପରେ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିସାର, ସୁରକ୍ଷିତ, ବୟସ ଉପଯୋଗୀ ଦାୟିତ୍ୱପୂର୍ଣ ପରିପୂରକ ଆହାର ଆରମ୍ଭ ଆଦି ପୁଷ୍ଟିହୀନତାରୁ ରକ୍ଷା କରେ । ଏହାକୁ ପୁଣି ଲେଉଟିବାକୁ ମଧ୍ୟ ଦିଏ ନାହିଁ । ଏହାବାଦ ବିଶୁଦ୍ଧ ଜଳ, ପରିମଳ ଓ ସ୍ୱଚ୍ଛତା ମଧ୍ୟ ପିଲାର ଭଲ ସ୍ୱାସ୍ଥ୍ୟ ରଖିବାରେ ସାହାଯ୍ୟ କରେ ।
ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ଯାଏଁ ପୁଷ୍ଟିମାସ ଭାବେ ପାଳନ କରାଯାଉଥିବାରୁ ଏହି ଅବସରରେ ଅଙ୍ଗନଓାଡି କେନ୍ଦ୍ର ଗୁଡିକରେ ମା ମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ସେମାନେ ଘରେ ଥିବା ପନିପରିବା ଓ ଖାଦ୍ୟଶସ୍ୟକୁ ନେଇ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଶିଶୁକୁ ଓ ନିଜକୁ ଅପପୁଷ୍ଟିରୁ ରକ୍ଷାକରିପାରିବେ ତା ଉପରେ ତାଲିମ ଦିଆଯାଉଛି । ପ୍ରତି ମାସର ଦୁଇଟି ଗୁରୁବାର ଦିନ ମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ, ଅତିଶୟ ପୁଷ୍ଟିହୀନତାର ଶିକାର ପିଲାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରକୁ ନେଇ ସୁସ୍ଥ କରାଯାଉଥିବା କୋରାପୁଟ ଜିଲ୍ଲା ସିଡିପିଓ (ଚାଇଲ୍ଡ ଡେଭେଲପମେଂଟ ପ୍ରୋଜେକ୍ଟ ଅଫିସର) ପ୍ରଭାତୀ ରାଣୀ ତ୍ରିପାଠୀ କହିଛନ୍ତି । ମା ମାନଙ୍କୁ ଦିଆଯାଉଥିବା ଏହି ତାଲିମ ଦ୍ୱାରା ପୁଷ୍ଟିହୀନତାର ଶିକାର ପିଲାଙ୍କୁ ଏଥିରୁ ମୁକ୍ତ କରାଯାଇପାରିବ ବୋଲି ଅନେକ ମା ଏହି ଅବସରରେ କହିଛନ୍ତି ।