ଜୀବନରେ କୌଣସି ଗୋଟେ ସମସ୍ୟାର ସମାଧାନର ବାଟ ନପାଇଲେ ଅନେକେ ଆତ୍ମହତ୍ୟା କୁ ହିଁ ଏକମାତ୍ର ରାସ୍ତା ବୋଲି ଧରିି ନିଅନ୍ତି । କିନ୍ତୁ ପ୍ରକୃତରେ ଆତ୍ମହତ୍ୟା ହେଉଛି ଏକ ଅସ୍ଥାୟୀ ସମସ୍ୟାର ସ୍ଥାୟୀ ସମାଧାନ । ଏଣୁ ବିଶେଷଜ୍ଞଙ୍କ ମତରେ ସମସ୍ୟା ବିଷୟରେ ଅନ୍ୟମାନଙ୍କ ସହ ଆଲୋଚନା କଲେ ନିଶ୍ଚିତ ଭାବେ ସମାଧାନର ଉପାୟ ମିଳିବ ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପରୁ ଆପଣ ଓହରି ଆସିବେ । ତେବେ କେବଳ ସମସ୍ୟା ନୁହେଁ ଆତ୍ମହତ୍ୟା କରିବାର ଅନେକ କାରଣ ରହିଛି, ଏହାକୁ ଦୂର କରିବାର ଦାୟିତ୍ୱ ପରିବାର, ସମାଜ ଓ ସରକାରଙ୍କର ରହିଛି । ଏଥର ଷ୍ଟୋରିଜ ଓଡ଼ିଶାରେ ଏସଂପର୍କିତ ଆଲୋଚନା ।
ଭୁବନେଶ୍ୱର ;
ନିକଟରେ ପ୍ରକାଶିତ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁସାରେ ୨୦୨୧ ବର୍ଷରେ ମୋଟ ୧୬୪,୦୩୩ଜଣ ଆତ୍ମହତ୍ୟା କରିଛନ୍ତି, ଅର୍ଥାତ ଦେଶରେ ପ୍ରତି ୧ଲକ୍ଷରେ ୧୨ ଜଣ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଛି । ଯାହାକି ୨୦୨୦ ବର୍ଷ ତୁଳନାରେ ୭.୨ ପ୍ରତିଶତ ଅଧିକ । ୧୯୬୭ ବର୍ଷ ପରେ ୨୦୨୧ ବର୍ଷରେ ସବୁଠାରୁ ଅଧିକ ଲୋକ ଆତ୍ମହତ୍ୟା କରିଥିବା ଏଥିରେ ରିପୋର୍ଟ ହୋଇଛି । ଏହାପୂର୍ବରୁ ୨୦୧୦ରେ ସର୍ବାଧିକ ୧୧.୩ ଜଣ ଆତ୍ମହତ୍ୟା କରିଥିଲେ । ଯଦି ରାଜ୍ୟ ଗୁଡିକୁ ନିଆଯାଏ ତେବେ ମହାରାଷ୍ଟ୍ର ରେ ସବୁଠାରୁ ଅଧିକ ୨୨,୨୦୭ ଜଣ ଆତ୍ମହତ୍ୟା କରିଥିବା ବେଳେ, ତାମିଲନାଡୁରେ ୧୮,୯୨୫ ଜଣ ଏବଂ ଓଡ଼ିଶାରେ ୫,୫୬୧ଜଣ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ଦିନ ମଜୁରିଆଙ୍କ ସଂଖ୍ୟା ୨୫.୬ ପ୍ରତିଶତ ଥିବାବେଳେ ଗୃହିଣୀଙ୍କ ସଂଖ୍ୟା ୧୪.୧ ପ୍ରତିଶତ । ବିଶେଷଜ୍ଞଙ୍କ ମତରେ ପାରିବାରିକ, ସ୍ୱାସ୍ଥ୍ୟଗତ, ଆର୍ଥିକ ସମସ୍ୟା, କିଶୋର ବୟସରେ ପ୍ରତିଯୋଗିତାର ଚାପ, ପ୍ରେମରେ ଅସଫଳ ଓ ବିଶେଷକରି କୋଭିଡ ପରେ ଆର୍ଥିକ କ୍ଷେତ୍ରରେ ଚାପ, ଚାକିରୀ ହରାଇବା ଯୋଗୁଁ ଅନେକେ ଆତ୍ମହତ୍ୟା ଭଳି ପଦେକ୍ଷପ ନେଇଥିବା ଦେଖାଯାଇଛି । ଏସଂପର୍କରେ ଷ୍ଟୋରିଜ ଓଡ଼ିଶା ବିଶିଷ୍ଟ ମନସ୍ତତ୍ୱବିତ ପ୍େରଫସର ଡ. ସଂଗୀତା ରଥଙ୍କ ସହ ଆଲୋଚନା କରିଥିଲା । ସେପ୍ଟେମ୍ବର ୧୦ତାରିଖ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧକ ଦିବସ ଅବସରରେ ତାଙ୍କ ସହ ହୋଇଥିବା ପ୍ରଶ୍ନ-ଉତରର କିୟଦଂଶ ।
ଷ୍ଟୋରିଜ ଓଡ଼ିଶା – ଲୋକଙ୍କ ଭିତରେ ଆତ୍ମହତ୍ୟା କରିବାର ପ୍ରବଣତା କାହିଁକି ବଢୁଛି ? ଏହାର କାରଣ କଣ ହୋଇଥାଇପାରେ ?
ମନସ୍ତତ୍ୱବିତ ପ୍େରଫସର ଡ. ସଂଗୀତା ରଥ-
ଜଣେ ଆତ୍ମହତ୍ୟା କରିବାର ବିଭିନ୍ନ କାରଣ ଥାଇ ପାରେ –କେତେବେଳେ ଜୈବିକ (ବାୟୋଲୋଜିକାଲ)କାରଣ ଦାୟୀ ତ ପୁଣି କେତେବେଳେ ମାନସିକ (ସାଇକୋଲୋଜିକାଲ), ସାମାଜିକ (ସୋସିଆଲ) ନଚେତ ପୁଣି ସାଂସ୍କୃତିକ (କଲଚରାଲ) କାରଣ ଥାଇପାରେ । ତେବେ ସବୁଠାରୁ ଅଧିକ ଲୋକ ଦୀର୍ଘକାଳୀନ ଅବସାଦରେ ରହିବା ଯୋଗୁଁ ସୁଇସାଇଡ ବା ଆତ୍ମହତ୍ୟା କରିଥାଆନ୍ତି । ବାୟୋଲୋଜିକାଲ ହେଉଛି-ଅନେକ ସମୟରେ ଆମ ଶରୀରରେ ଥିବା ଅନ୍ତସ୍ରାବୀ ଗ୍ରନ୍ଥୀ (ନ୍ୟୁରୋଟ୍ରାନସମିଟର ) ଯାହାକି ଆମ ମନକୁ ସନ୍ତୁଳିତ ରଖେ, କୌଣସି କାରଣ ବଶତଃ ଅସନ୍ତୁଳିତ ହୋଇଗଲେ ମଣିଷ ଭିତରେ ଅବସାଦ ସୃଷ୍ଟି ହୁଏ ଓ ସେ ଜୀବନ ହାରି ଦେବାକୁ ଚିନ୍ତା କରେ । ଏଥିପାଇଁ କାଉନସିଲିଂ ସହ ମେଡିକେସନର ମଧ୍ୟ ଆବଶ୍ୟକତା ଥାଏ । ତା ଭିତରେ ଯେଉଁ ହତାଶା ଓ ନିରାଶା ଭାବ ଜାତ ହୁଏ ଏ ବିଷୟରେ ସେ ତା ଚାରିପାଖରେ ଥିବା ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରେ କିନ୍ତୁ ଅନେକେ ସେଇଟା ବୁଝି ପାରନ୍ତି ନାହିଁ । ଯଦି ବୁଝିପାରିବେ ଓ ଡାକ୍ତରଙ୍କ ସହାୟତା ନେବେ ଅନେକାଂଶରେ ଏହାକୁ ରୋକାଯାଇପାରିବ । ଯେତେ ସୁଇସାଇଡ ହୁଏ ତା ମଧ୍ୟରେ ଜୈବିକ କାରଣ ରେ ହେଉଥିବା ସୁଇସାଇଡର ସଂଖ୍ୟା ସବୁଠାରୁ ଅଧିକ । ଆଉ କିଛି ଥାଆନ୍ତି ଯେଉଁମାନେ କ୍ଷଣିକ ଉତେଜନାର ବଶବର୍ତୀ ହୋଇ ଜୀବନ ହାରିଦିଅନ୍ତି ଯେଉଁମାନେ ଅତ୍ୟଧିକ ଇମୋଶନାଲ ବା ଦୁର୍ବଳ ବ୍ୟକ୍ତିତ୍ୱ ସଂପଣ୍ର୍ ସେମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଏ ।
ମାନସିକ ବା ସାଇକୋଲୋଜିକାଲ କାରଣ ହେଉଛି-ଅନେକେ ଅଛନ୍ତି ଯେଉଁମାନେ ନିଜକୁ ସବୁବେଳେ ଉଚ୍ଚସ୍ଥାନରେ ରଖନ୍ତି, କୌଣସି ପ୍ରକାରର ଅସଫଳତାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ ଓ ଜୀବନ ହାରିଦିଅନ୍ତି । ସାମାଜିକ ଓ ସାଂସ୍କୃତିକ କାରଣ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଯଦି କେହି ପ୍ରେମରେ କିମ୍ବା ପରୀକ୍ଷାରେ ଅସଫଳ ହୋଇ ଆତ୍ମହତ୍ୟା କରେ ତେବେ ତାର ପ୍ରଭାବ ଅନ୍ୟ ମାନଙ୍କ ଉପରେ ପଡେ ଏବଂ ଅନେକେ ଭାବନ୍ତି ତାହାହିଁ ଏକମାତ୍ର ପନ୍ଥା ଏଣୁ ସେମାନେ ବି ଆତ୍ମହତ୍ୟା କରନ୍ତି ।
ଷ୍ଟୋରିଜ ଓଡ଼ିଶା -ଜଣଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବଢୁଛି ବୋଲି କେମିତି ଜାଣିବ ?
ମନସ୍ତତ୍ୱବିତ ପ୍େରଫସର ଡ. ସଂଗୀତା ରଥ-
ପ୍ରତ୍ୟେକେ ଆତ୍ମହତ୍ୟା କରିବା ପୂର୍ବରୁ ବିଭିନ୍ନ ପ୍ରକାରର ସୂଚନା ଦେଇଥାଆନ୍ତି । କେହି କେହି ପ୍ରତ୍ୟକ୍ଷ ଓ ପୁଣି କେହି ପରୋକ୍ଷ ଭାବେ ସୂଚନା ଦେଇଥାଆନ୍ତି ଏଣୁ ସେମାନଙ୍କର ଏହି ସାହାଯ୍ୟ ପାଇଁ ଆବେଦନ ବା କଲ ଫର ହେଲ୍ପ କୁ ତାଙ୍କ ପରିବାର, ସାଙ୍ଗସାଥୀ ଓ ଚାରିପାଖରେ ରହୁଥିବା ଲୋକେ ବୁଝିବା ଦରକାର । ପ୍ରାୟ ୯୫ ପ୍ରତିଶତ ଲୋକ ଆତ୍ମହତ୍ୟା କରିବା ପୂର୍ବରୁ ସୂଚନା ଦେବା ଦେଖାଯାଇଛି । କିନ୍ତୁ ଅନେକ ସମୟରେ ଆମେ ସେସବୁକୁ ନବୁଝି ଆମେ କହୁ ଯେ ତାକୁ ଏକା ଛାଡି ଦିଅ । ସେ ଗୋଟେ ଅଲଗା ପ୍ରକାରର ବ୍ୟବହାର କରୁଛି ତା ମୁଣ୍ଡ ଖରାପ ହୋଇଗଲାଣି । କିନ୍ତୁ ସେ ଯେ ସାହାଯ୍ୟ ଆବଶ୍ୟକ କରୁଛି ସେକଥା ଆମେ ବୁଝି ପାରୁନା । ଏଣୁ ତାଙ୍କୁ ବୁଝି ସେ ବିଷର୍ଣତାରୁ ବାହାରି ଆସିବାକୁ ଆମକୁ ଚେଷ୍ଟା କରିବାକୁ ହେବ ।
ଷ୍ଟୋରିଜ ଓଡ଼ିଶା -ତଥ୍ୟ କହୁଛି ମହିଳାମାନେ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ହେଉଛି ପାରିବାରିକ ସମସ୍ୟା ଜଣେ ମନସ୍ତତ୍ୱବିତ ଭାବେ ଆପଣ କଣ କହିବେ ?
ମନସ୍ତତ୍ୱବିତ ପ୍େରଫସର ଡ. ସଂଗୀତା ରଥ-
ମହିଳାମାନେ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ସମାଜରେ ଥିବା ଲିଙ୍ଗଗତ ବୈଷମ୍ୟ । ଏବେ ମଧ୍ୟ ଆମ ସମାଜ, ପରିବାର ସବୁଠି ପିତୃକେନ୍ଦ୍ରିକ ମାନସିକତା ମହିଳାମାନଙ୍କ ସ୍ୱାଧିନତା, ନିଷ୍ପତି ନେବାର ଅଧିକାର ଏସବୁକୁ ନିୟନ୍ତ୍ରଣ କରୁଥିବାରୁ ଅନେକ ମହିଳା ଅସହାୟ ବୋଧ କରନ୍ତି । ତେବେ ସମାଜର ବିଭିନ୍ନ ବର୍ଗର ମହିଳା ଭିନ୍ନ ଭିନ୍ନ କାରଣ ଯୋଗୁଁ ଆତ୍ମହତ୍ୟା କରିଥାଆନ୍ତି । ନିମ୍ନ ବର୍ଗର ମହିଳା ପାରିବାରିକ କଳହ ଓ ଘରୋଇ ହିଂସା ଯୋଗୁଁ ଆତ୍ମହତ୍ୟା କରୁଥିବା ବେଳେ ଉଚ୍ଚବର୍ଗର ମହିଳା ଏକାକୀପଣ ଯୋଗୁଁ ଆତ୍ମହତ୍ୟା କରିଆଆନ୍ତି । ପ୍ରେମ ଓ ପାଠପଢାରେ ଅସଫଳ ହେଲେ ମଧ୍ୟ ଅନେକ କିଶୋରୀ ଓ ଯୁବତୀ ଆତ୍ମହତ୍ୟା କରନ୍ତି । ତେବେ ପ୍ରକୃତରେ ମହିଳାମାନେ କେଉଁ ପରିସ୍ଥିତିରେ ଅଧିକ ସଂଖ୍ୟାରେ ସୁଇସାଇଡ କରନ୍ତି ତାର କୌଣସି ରିସର୍ଚ୍ଚ ଏ ପର୍ଯ୍ୟନ୍ତ ହୋଇନାହିଁ ।
ଷ୍ଟୋରିଜ ଓଡ଼ିଶା -ସୁଇସାଇଡକୁ ଏକ ପବ୍ଲିକ ହେଲଥ ଇସ୍ୟୁ ବା ଜନସ୍ୱାସ୍ଥ୍ୟ ସମସ୍ୟା ବୋଲି କୁହାଯାଇପାରିବ କି? ଏଥିପାଇଁ ସରକାରୀ ସ୍ତରରେ ଓ କମ୍ୟୁନିଟୀ ସ୍ତରରେ କଣ କରାଯିବା ଦରକାର ?
ମନସ୍ତତ୍ୱବିତ ପ୍େରଫସର ଡ. ସଂଗୀତା ରଥ-
ସୁଇସାଇଡ ବା ଆତ୍ମହତ୍ୟା ନିଶ୍ଚିତ ଭାବେ ଏକ ଜନସ୍ୱାସ୍ଥ୍ୟ ସମସ୍ୟା । ଜଣେ ଆତ୍ମହତ୍ୟା କରିିବା ପରେ ଏହାର ପ୍ରଭାବ କେବଳ ତାଙ୍କ ପରିବାର ଉପରେ ନୁହେଁ ସମାଜ ଉପରେ ମଧ୍ୟ ପଡେ । କିନ୍ତୁ ଏକଥା ଖୁବ କମ ଲୋକ ବୁଝିପାରନ୍ତି । ପାଶ୍ଚାତ୍ୟ ଦେଶଗୁଡିକରେ ଆତ୍ମହତ୍ୟାକୁ ରୋକିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଚବିଶ ଘଂଟିଆ ସୁଇସାଇଡ ପି୍େରଭନସନ ସେଂଟର ବା ଆତ୍ମହତ୍ୟା ପ୍ରତିକାର କେନ୍ଦ୍ରମାନ ଖୋଲା ଯାଇଛି । ଯଦି କେହି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବେ ସେଠି ଫୋନକରି ସହାୟତା ନେଇ ପାରିବେ । ଅନେକ ସମୟରେ ଦେଖାଯାଇଛି ଯେ ସହାୟତା ନେବା ପରେ ସେମାନେ ତାଙ୍କ ନିଷ୍ପତିରୁ ଓହରି ଯାଇଛନ୍ତି । କିନ୍ତୁ ଆମ ଦେଶ ଓ ରାଜ୍ୟରେ କିଛି ହେଲପଲାଇନ ଥିଲେ ମଧ୍ୟ ଏ ବିଷୟରେ ସାଧାରଣ ଲୋକ ସେତେଟା ସଚେତନ ନୁହନ୍ତି ଫଳରେ ଅନେକେ ଏବିଷୟରେ ଜାଣିନାହାନ୍ତି । ସରକାରଙ୍କ ବଜେଟରେ ମଧ୍ୟ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖୁବକମ ଖର୍ଚ୍ଚ ଅଟକଳ କରାହୋଇଛି , ଫଳରେ ଏକ୍ଷେତ୍ରକୁ ବିଶେଷ ଦୃଷ୍ଟି ମଧ୍ୟ ନାହିଁ । ଦେଶ ଓ ରାଜ୍ୟରେ ଉଭୟ ମନସ୍ତତ୍ୱବିତ ଏବଂ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସଂଖ୍ୟା ଆବଶ୍ୟକ ତୁଳନାରେ ଯଥେଷ୍ଟ କମ ଏଣୁ ସେ ସଂଖ୍ୟାରେ ମଧ୍ୟ ବୃଦ୍ଧିକରାଯିବା ଆବଶ୍ୟକ ।
ସବୁଠାରୁ ବଡ କଥା ହେଉଛି ଏଦିଗରେ ସଚେତନତା ବୃଦ୍ଧି କରିବାକୁ ହେବ । ସ୍କୁଲ ଓ କଲେଜ ସ୍ତରରେ ଲାଇଫସ୍କିଲ ମାଧ୍ୟମରେ ପିଲାଙ୍କ ମଧ୍ୟରେ ଜୀବନକୁ ନେଇ ସକରାତ୍ମକ ମନୋଭାବ ସୃଷ୍ଟି କରିବାକୁ ପଡିବ । ଏସବୁ କଲେ ନିଜ ଓ ନିଜ ଚାରିପାଖରେ କେହି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାଙ୍କୁ ରୋକାଯାଇପାରିବ । ଆତ୍ମହତ୍ୟା ହେଲେ ଟିଭି ଓ ମିଡିଆରେ ସେହି ଘଟଣାକୁନେଇ ଯେଭଳି ଚର୍ଚ୍ଚା ହୁଏ ତାର ମଧ୍ୟ ସମାଜରେ କୁପ୍ରଭାବ ପଡିଥାଏ ବୋଲି ସେ କହିଛନ୍ତି । ଅଧିକାଂଶ ଆତ୍ମହତ୍ୟା ଦୀର୍ଘକାଳୀନ ଅବସାଦ ଯୋଗୁଁ ଘଟୁଥିଲେ ମଧ୍ୟ ଏବିଷୟରେ ନ ବୁଝି ମିଡିଆରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିକୁ ବିଭିନ୍ନ ଘଟଣା ସହ ଯୋଡି କାହାଣୀ ସୃଷ୍ଟିି କରି ଅଯଥାରେ ଏକ ଯୁକ୍ତି କରିବା ସାଧାରଣ ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି ସେ କହିଥିଲେ ।
ଷ୍ଟୋରିଜ ଓଡ଼ିଶା -ଅନେକ ସମୟରେ ଦେଖାଯାଏ ଲୋକେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିଲେ ମଧ୍ୟ ଡାକ୍ତର କିମ୍ବା ମନସ୍ତତ୍ୱବିତଙ୍କ ସହାୟତା ନେବାକୁ ପଛଘୁଂଚା ଦିଅନ୍ତି । ଏଭଳି ମାନସିକତାକୁ କିପରି ଦୂର କରାଯାଇପାରିବ?
ମନସ୍ତତ୍ୱବିତ ପ୍େରଫସର ଡ. ସଂଗୀତା ରଥ-
ଏକଥା ସତ ଯେ ଦେହ ଖରାପ ହେଲେ ଲୋକମାନେ ଯେତେ ସହଜରେ ଡାକ୍ତରଙ୍କ ପରାମର୍ଶ ଲୋଡନ୍ତି, ମନ ଖରାପ ରହିଲେ ତାକୁ ଏତେ ଗୁରୁତ୍ୱର ସହ ନିଅନ୍ତି ନାହିଁ । ମୁଁ ସେମାନଙ୍କୁ ଏତିକି କହିବି ମନ ଖରାପ ରହିବା ଏକ ମାନସିକ ଅବସ୍ଥା ଓ ଏହାର ପ୍ରତିକାର ପାଇଁ ବିଶେଷଜ୍ଞଙ୍କ ସହାୟତା ନେବା ଆବଶ୍ୟକ । ତେବେ, ଓଡ଼ିଶାରେ କରାଯାଉଥିବା କାଉନସେଲିଂ ଉପରେ ସେ କହିଥିଲେ ଯେ କାଉନସିଲିଂର ମଧ୍ୟ ଏକ ପ୍ରଣାଳୀ ଅଛି । ଯେଉଁଥିରେ ରୋଗୀ ସହ, ତା ପରିବାର ଲୋକଙ୍କୁ ସାମିଲ କରାଯାଇ ତା ସାମର୍ଥକୁ ବୁଝି, ନକରାତ୍ମକ ମାନସିକତାକୁ ଦୂର କରି ସକରାତ୍ମକ ମନୋଭାବ ଜାଗ୍ରତ କରି ତାକୁ ଏସମସ୍ୟାରୁ ବାହାର କରିବାକୁ ଚେଷ୍ଟା କରାଯାଏ । କିନ୍ତୁ ଆମ ରାଜ୍ୟରେ ଏଭଳି କାଉନସେଲିଂର ଘୋର ଅଭାବ ରହିଛି ଏକ ଚିରାଚରିତ ଢଙ୍ଗରେ କରାଯାଉଥିବା କାଉନସେଲିଂରେ ପରିବର୍ତନ କରି ଆନ୍ତର୍ଜାତୀୟ ସ୍ତରର କାଉନସେଲିଂ ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ ।
ଶେଷରେ ସେ କହିଥିଲେ ଯେ ଅଧିକାଂଶ ଲୋକ ସୁଇସାଇଡ କରିବା ପୂର୍ବରୁ ସେମାନଙ୍କ ଆତ୍ମୀୟଙ୍କ ପାଇଁ ସୁଇସାଇଡ ନୋଟ ଛାଡି ଯାଇଥାନ୍ତି । ସେହି ସୁଇସାଇଡ ନୋଟ ଗୁଡିକୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ପ୍ରାୟ ୫୧ ପ୍ରତିଶତଙ୍କ ଲେଖାରେ ତାଙ୍କ ଆତ୍ମୀୟଜନଙ୍କ ପାଇଁ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥାଏ ଏବଂ ମାତ୍ର ୬ ପ୍ରତିଶତ ଲେଖାରେ କ୍ରୋଧ, ପ୍ରତିହିଂସା ଓ ଘୃଣା ଥାଏ । ଏଥିରୁ ଜଣାଯାଏ ଯେ ବଂଚିବା ପାଇଁ ସେମାନଙ୍କର ଅନେକ ଆଶା ଥାଏ ଓ ଆତ୍ମହତ୍ୟା ପୂର୍ବରୁ ସେମାନଙ୍କ ସମସ୍ୟା ବିଷୟରେ ସେମାନେ ସୂଚନା ମଧ୍ୟ ଦେଇଥାଆନ୍ତି ଯଦି ଆମେ ତାକୁ ବୁଝି ପାରିବା ତେବେ ଆତ୍ମହତ୍ୟାକୁ ଅନେକାଂଶରେ ରୋକାଯାଇପାରିବ ।