ନୟାଗଡ଼ : ଅପହଂଚ ଗାଁ କଥା ଉଠିଲେ ସାଧାରଣତଃ ମନକୁ ଆସେ କନ୍ଧମାଳ, କଳାହାଣ୍ଡି ନୂଆପଡା ଅବା କୋରାପୁଟ ଜିଲ୍ଲା କଥା । କିନ୍ତୁ ଭୁବନେଶ୍ୱରଠାରୁ ୭୦-୮୦ କିମି ଦୂର ନୟାଗଡ ଜିଲ୍ଲାରେ ଏମିତି ଅନେକ ଗାଁ ଅଛି ଯେଉଁଠି ଲୋକ ତ ରହୁଛନ୍ତି ହେଲେ ଯିବାକୁ ଭଲରାସ୍ତା ଟିଏ ନାହିଁ । ଏପରିକି ସାଇକେଲଟିଏ ଯାଇପାରିବ ନାହିଁ । ଗାଁ ଲୋକଙ୍କୁ ଅତ୍ୟାବଶ୍ୟକୀୟ ଜିନିଷ ଆଣିବାକୁ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏମିତିକି ପିଡିଏସରେ ମିଳୁଥିବା ଚାଉଳ ଆଣିବାକୁ ହେଲେ ସେମାନଙ୍କୁ ପାହାଡ ତଳକୁ ଆସିବାକୁ ହୁଏ ପୁଣି ଜିନିଷ ଧରି ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଯାଇ ଗାଁରେ ପହଂଚିବାକୁ ପଡେ । ଏହି ସବୁ ଗାଁ ଗୁଡିକରେ ମୋବାଇଲ ସେବା, ବିଦ୍ୟୁତ ଯୋଗାଣ ସହ ରାସ୍ତା ଓ ଅନ୍ୟ ମୌଳିକ ସୁବିଧା ନାହିଁ କହିଲେ ଚଳେ ।
ସୂଚନା ଅନୁସାରେ ଜିଲ୍ଲାର ୧୬୭୨ଟି ଗାଁ ମଧ୍ୟରୁ ୨୪୭ ଗାଁରେ ମୋବାଇଲ ସେବା, ୨୨୯ଗାଁରେ ବିଜୁଳି ଯୋଗାଣ ଓ ୧୦୭ଗାଁକୁ ରାସ୍ତା କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ନଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇେକୋର୍ଟ ରେ ଦାଖଲ କରାଯାଇଥିବା ଏକ ସତ୍ୟପାଠରୁ ଜଣାଯାଇଛି । ଏମିତି ଏକ ଗାଁ ହେଉଛି ଦଶପଲ୍ଲା ବ୍ଲକ ଟାକେରା ପଂଚାୟତର ତାବେଡା ଗାଁ । ଗାଁରେ ୧୦ ରୁ ୧୫ଖଣ୍ଡ ଘର ଏବଂ ଲୋକସଂଖ୍ୟା ୫୦-୬୦ରୁ ଅଧିକ ହେବନାହିଁ । ପାହାଡ ଉପରେ ଥିବା ଏହି ଗାଁ କୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । କୌଣସି କାମ ପାଇଁ ତଳକୁ ଆସିବାକୁ ହେଲେ ପଥୁରିଆ ରାସ୍ତା, ଝରଣା ଡେଇଁ ବଜାର ଆସିବାକୁ ପଡିଥାଏ । ସମସ୍ୟା ହୁଏ ଯଦି କାହାର ଦେହ ଖରାପ ହୁଏ । ତାବେଡା ଗାଁର ବାସିନ୍ଦା ଲକ୍ଷ୍ମୀଧର ମାଝି କୁହନ୍ତି, ଗାଁରେ କାହାର ବେଶି ଦେହ ଖରାପ ହେଲେ ଖଟିଆରେ ବୋହି ତଳକୁ ନେବାକୁ ପଡେ । ଯଦିଓ ଆଗେ ମହିଳାମାନଙ୍କୁ ଗାଁରେ ପ୍ରସବ ପାଇଁ ବ୍ୟବସ୍ଥା କରାହେଉଥିଲା କିନ୍ତୁ ଗତ କିଛି ବର୍ଷ ହେବ ସେମାନଙ୍କୁ ମଧ୍ୟ ଖଟିଆରେ ବୋହି ପାହାଡ ତଳ ପର୍ଯ୍ୟନ୍ତ ପୁଣି ସେଠୁ ଆମ୍ବୁଲାନସରେ ହସପିଟାଲ ନେବାକୁ ପଡୁଛି । ଗାଁରେ ବିଦ୍ୟୁତ ଆଲୁଅ ନଥିବାରୁ ସେମାନେ କେବଳ ଦିନରେ ଯାତାୟତ କରିପାରନ୍ତି କାରଣ ସନ୍ଧ୍ୟାହେଲେ ଜନ୍ତୁ ଜାନବରଙ୍କ ଭୟ ରହିଥାଏ।
ତାବେଡା ଗାଁ ଲୋକଙ୍କ ସମସ୍ୟା
ତାବେଡା ଗାଁ ଲୋକ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ କେବଳ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ, ଖରିଫଋତୁ ଚାଷ ପରେ ପରିବାର ଚଳେଇବାପାଇଁ ଅନେକ ସମୟରେ ସେମାନଙ୍କୁ ବାହାରକୁ ମୂଲ ଲାଗିବାକୁ ଯିବାକୁ ପଡେ । ଲକ୍ଷ୍ମୀଧର କୁହନ୍ତି, ”ପାହାଡ ଉପରେ ଗାଁ ହେତୁ ବର୍ଷା ପରେ ଅନେକ ସମୟରେ ବର୍ଷା ପାଣି ତଳକୁ ବୋହିଯାଏ । ତେଣୁ ପିଇବାପାଣିର ଅଭାବ ସବୁବେଳେ ରହୁଥିଲା । ଏପରିକି ଗାଈଗୋରୁଙ୍କ ପାଇଁ ବି ପାଣି ଯଥେଷ୍ଟ ହେଉନଥିଲା । ଏ ସମସ୍ୟା ଖରାଦିନେ ସବୁଠାରୁ ଅଧିକ । ଗାଁରେ ଦୁଇଟି କୂଅ ରହିଛି ସେତିକି ସବୁଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ ।”
ଅଧିକାଂଶ ଲୋକ ନିଜ ସମସ୍ୟା ବିଷୟରେ କହିବା ବେଳେ କହିଥିଲେ ଯେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ପକ୍କା ଘର କରିବାକୁ ଟଙ୍କା ମିଳୁଥିଲେ ବି ପାଣି ଅଭାବରୁ ସେମାନେ ଘର କରିପାରୁନାହାନ୍ତି । ଭଲ ରାସ୍ତା ନଥିବାରୁ ସେମାନେ ତଳୁ ଇଟା ବୋହି ଆଣିପାରୁନାହାନ୍ତି, ଆଉ ଯଦିବା ଆଣୁଛନ୍ତି ପାହାଡ ଉପରକୁ ଆସିଲା ବେଳକୁ ତାହା ଭାଙ୍ଗି ଯାଉଛି । ଫଳରେ ସେମାନେ ଘର କରିପାରୁନାହାନ୍ତି ଓ ଟଙ୍କା ଫେରିଯାଉଛି ।
ନୟାଗଡର ଦଶପଲ୍ଲା ବ୍ଲକରେ ଆଦିବାସୀ ଗାଁ ଗୁଡିକରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ନିର୍ମାଣ ଏହି ଗାଁକୁ ଆସିବା ପରେ ଏ ବିଷୟରେ ଜାଣିବାକୁ ପାଇଲା । ନିର୍ମାଣର ନୟାଗଡ ଜିଲ୍ଲାରେ କାମ କରୁଥିବା ସଂସ୍ଥାର ଫେସିଲିଟେଟର ସିଦ୍ଧାର୍ଥ କୁମାର ରାଉତ କୁହନ୍ତି, ”ଆମେ ଗାଁ ଲୋକଙ୍କ ସହ ଆଲୋଚନା କଲାବେଳେ ଜାଣିବାକୁ ପାଇଲୁ ଯେ ଗାଁରେ ଭଲ ରାସ୍ତାଟିଏ ନଥିବାରୁ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେହ ଖରାପ ବେଳେ ରୋଗୀ ଖଟିଆରେ ବୁହା ହେଉଛନ୍ତି ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ । ସ୍କୁଲ ଯିବା ପାଇଁ ଅସୁବିଧା ହେତୁ ଅନେକ ବାପାମା ପିଲାଙ୍କୁ ବନ୍ଧୁବାନ୍ଧବ ନଚେତ ହଷ୍ଟେଲରେ ଛାଡିଦେଉଛନ୍ତି । ଆମେ ଚିନ୍ତା କଲୁ ପକ୍କା ରାସ୍ତା ତ କରିପାରିବୁ ନାହିଁ କିନ୍ତୁ ଗାଁ ଲୋକଙ୍କ ପାଣି ସମସ୍ୟା ଦୂର କରିବାକୁ ଚେଷ୍ଟା କଲୁ ।
ସୌରଚାଳିତ ଜଳ ସଂରକ୍ଷଣ ବ୍ୟବସ୍ଥା
ନିର୍ମାଣ ପକ୍ଷରୁ ଗାଁରେ ଭିଡିଏସ (ଭିଲେଜ ଡେଭେଲପମେଂଟ କମିଟି) କରାଯାଇ ଗାଁର ବିଭିନ୍ନ ସମସ୍ୟାକୁ ପଂଚାୟତ ପକ୍ଷରୁ ହେଉଥିବା ସ୍ୱତନ୍ତ୍ର ଗ୍ରାମସଭାରେ ଉପସ୍ଥାପନ କରାଗଲା । ପରେ ଏହି ସମସ୍ୟା ଗୁଡିକୁ ଦଶପଲ୍ଲା ବିଡିଓଙ୍କୁ ଭେଟି ତାଙ୍କୁ ଏବିଷୟରେ କମିଟିର ସଦସ୍ୟମାନେ ଅବଗତ କରାଇଲେ । ଏହାଛଡା ନିର୍ମାଣ ପକ୍ଷରୁ କେକେଏସ-ବିଏମଜେଡ ସହାୟତାରେ ଗାଁରେ ସୌରଚାଳିତ ଜଳସଂରକ୍ଷଣ ବ୍ୟବସ୍ଥା କରିବାକୁ ସ୍ଥିର କରାଗଲା । ବର୍ଷା ବେଳେ ତଳକୁ ବୋହି ଯାଉଥିବା ପାଣିକୁ ଧରି ରଖିବା ପାଇଁ ଏକ ବଡ ପୋଖରୀ ଖୋଳା ହେଲା । ଏହି ପୋଖରୀରେ ବର୍ଷ ଜଳ ସଂରକ୍ଷଣ କରିବା ସହ ଏହାକୁ ଚାଷରେ ବ୍ୟବହାର କରିବା ପାଇଁ ସୌର ଚାଳିତ ପମ୍ପ ବ୍ୟବସ୍ଥା କରାହେଲା । ଏହି ବ୍ୟବସ୍ଥା ପରେ ଗାଁ ଲୋକଙ୍କ ମୁହଁରେ ହସ ଫୁଟିଛି । ସେମାନେ ଧାନ ଚାଷ ଛଡା ପନିପରିବା, ମକା, ମାଣ୍ଡିଆ ଚାଷ କରିପାରୁଛନ୍ତି । କିଛି ଫଳ ଗଛ ମଧ୍ୟ ଲଗେଇଛନ୍ତି । ଏହାଦ୍ୱାରା ସେମାନଙ୍କୁ ଓ ପିଲାଙ୍କୁ ବିଭିନ୍ନ ପ୍ରକାରର ଶାଗ ଓ ପନିପରିବା ଖାଇବାକୁ ମିଳୁଛି ଏବଂ ବଜାରରେ ବିକ୍ରି କରି ଦୁଇପଇସା ଲାଭ କରିପାରୁଛନ୍ତି । ଗାଁର ମହିଳା ଅଞନା ମାଝି କୁହନ୍ତି, ସବୁଠାରୁ ଖୁସିର କଥା ହେଉଛି ଗାଁରେ ପାଣି ସୁବିଧା ହେବା ଫଳରେ ଗାଁ ଲୋକେ ମିଶି ଲକ୍ଷେ ଇଟା ଗଢି ପାରିଲେ । ଏବେ ଘର ତୋଳିବା ପାଇଁ ସେମାନଙ୍କୁ ଆଉ ସମସ୍ୟା ହେବନାହିଁ । ଭିଡିଏସ ତରଫରୁ ବିଡିଓଙ୍କୁ ଦେଖାକରି ସମସ୍ୟା ବିଷୟରେ କୁହାଯାଇଥିବାରୁ ଆଗକୁ ରାସ୍ତା, ବିଦ୍ୟୁତ ଆଲୁଅ ଓ ମୋବାଇଲ ସେବା ମିଳିବ ବୋଲି ସେମାନେ ଆଶା ରଖିଛନ୍ତି ।