ଗତ କିଛି ବର୍ଷ ହେବ ବଡ ବଡ ମେଟ୍ରୋ ସହର ଭଳି ଭୁବନେଶ୍ୱର ଓ କଟକରେ ମଧ୍ୟ ଯୁବପିଢି ଡେଲିଭରୀ ପର୍ସନ ଭାବେ କାମ କରିବା ଦେଖାଯାଉଛି । ଗାଁ ଗହଳରୁ କାମ ଅନ୍ୱେଷଣରେ ସହରକୁ ଆସୁଥିବା ଯୁବକ ଯୁବତୀ ଏହି ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ପୁଣି ସହରର କିଛି ଯୁବକ ଯେଉଁମାନେ ପରିବାରକୁ ଆର୍ଥିକ ସାହାଯ୍ୟ, ହାତ ଖର୍ଚ୍ଚ ବା କଲେଜ ଫି ଦେବାକୁ ଅର୍ଥର ଆବଶ୍ୟକ କରନ୍ତିି ସେମାନେ ମଧ୍ୟ ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ସେମାନଙ୍କ ପ୍ରତିଦିନର କାମ, ସମସ୍ୟା, ସଂଘର୍ଷ ଓ ସ୍ୱପ୍ନକୁ ଜାଣିବା ପାଇଁ ଆମେ ଭେଟିଥିଲୁ କିଛି ଡେଲିଭରୀ ପର୍ସନଙ୍କୁ ।
ଭୁବନେଶ୍ୱର ;
ଗାଁରେ କାମ ନାହିଁ ସହରକୁ ଆସିଲେ ଆମଭଳି ଅଳ୍ପ ପାଠୁଆ ଲୋକଙ୍କୁ କିଏ କାମ ଦେବ । ପୁଣି ସହରରେ ସହଜରେ କାମ ବି କୋଉଠିଁ ମିଳୁଛି । ସେଇଥିପାଇଁ ବାଧ୍ୟ ହୋଇ ଆମେ ଏଇ ଡେଲିଭରୀ କାମ କରୁଛୁ ବୋଲି କୁହନ୍ତି ୨୮ ବର୍ଷିୟ ଶିବ ପ୍ରସାଦ ଭୋଇ । ଶିବଙ୍କ ଘର ପୁରୀ ଜିଲ୍ଲା କଣାସରେ । ତାଙ୍କର ବାଇକ ନାହିଁ ଏଣୁ ସେ ପ୍ରତ୍ୟକ ଦିନ ସାଇକେଲରେ ଗ୍ରାହକ ମାନଙ୍କୁ ଖାଇବା ଯୋଗାନ୍ତି । ଦିନର ଟାଇଁ ଟାଇଁ ଖରାରେ ସାଇକେଲରେ ଗ୍ରାହକଙ୍କ ଘରକୁ ଯାଇ ଖାଇବା ଡେଲିଭରୀ କରନ୍ତି । ସାଇକେଲରେ ସେ ମାତ୍ର ୧୨ କିମି ଯାଏଁ ଯାଇପାରୁଥିବାରୁ ଦିନକୁ ୧୦ ରୁ ୧୨ଟି ଅର୍ଡର ଡେଲିଭରୀ କରିପାରୁଛନ୍ତି । ସେହିଭଳି ସୁମନ୍ତ ସ୍ୱାଇଁ ଆସିଛନ୍ତି ରାୟଗଡାରୁ । ସବୁଦିନ ସକାଳେ ହାତରେ ସ୍ମାର୍ଟ ଫୋନ୍ ଓ ପିଠି ଉପରେ ଭାରି ବ୍ୟାକ୍ପ୍ୟାକ୍ ଧରି ମୁଣ୍ଡରେ ହେଲମେଟ୍ ଓ ଦେହରେ କମ୍ପାନୀର ଟି-ସାର୍ଟ ପିନ୍ଧି ବାହାରି ପଡନ୍ତି ଦିନ ତମାମ୍ ଏ ଘରୁ ସେ ଘରକୁ ଘୁରି ବୁଲି ଜିନିଷ ଡେଲିଭରୀ କରିବାକୁ । ସେ ଏବେ ଏକ ଜଣାଶୁଣା କମ୍ପାନୀର ଡେଲିଭରୀ ପର୍ସନ ଭାବେ ଭୁବନେଶ୍ୱରରେ କାମକରୁଛନ୍ତି । ୨୦୨୦ ମସିହାରେ ହୋଇଥିବା କୋଭିଡ ପୂର୍ବରୁ ୩୦ ବର୍ଷିୟ ସୁମନ୍ତ ଭାଇଜାକରେ ଏକ ଛୋଟିଆ କମ୍ପାନୀରେ କାମ କରୁଥିଲେ, କିନ୍ତୁ ଲକଡାଉନ ସମୟରେ କମ୍ପାନୀ ବନ୍ଦ ରହିଲା ଏବଂ କର୍ମଚାରୀଙ୍କୁ ଦରମା ମିଳିଲାନାହିଁ । ଆମ ଭଳି ତଳିଆ ଶ୍ରେଣୀରେ କାମ କରୁଥିବା କର୍ମଚାରୀଙ୍କ କଥା କିଏ ପଚାରେ ବୋଲି କୁହନ୍ତି ସୁମନ୍ତ । ଅନ୍ୟ ଉପାୟ ନପାଇ ସେ ଘରକୁ ଫେରି ଆସିଲେ । କୋଭିଡ ସମୟରେ ଡେଲିଭରୀ କାମର ଚାହିଦା ବଢୁଥିବା ଦେଖି ସେ ଭୁବନେଶ୍ୱର ଆସି ଏକ କମ୍ପାନୀରେ ଯୋଗଦେଲେ, ଆଉ ସେବେଠୁଁ ସେ ଏଇ କାମ କରୁଛନ୍ତି ।
ଶିବ ଓ ସୁମନ୍ତଙ୍କ ପରି ଡେଲିଭରୀ କାମରେ ଯୋଗଦେଇଥିବା ଯୁବକଯୁବତୀ ମାନଙ୍କ ସଂଖ୍ୟା ବଡ ବଡ ମେଟ୍ରୋ ସହର ଭଳି ଭୁବନେଶ୍ୱର ଓ କଟକରେ ମଧ୍ୟ ବଢିଲାଣି । ସାଧାରଣ ଗ୍ରାହକଙ୍କୁ ଠିକ ସମୟରେ ସେବା ଯୋଗାଇଦେବା ହେଉଛି ଏହି ଡେଲିଭରୀ ପର୍ସନମାନଙ୍କର ଦୈନନ୍ଦିନ କାମ । ଗତ କିଛି ବର୍ଷ ହେବ ଦେଖାଯାଉଛି ଯେ ଗାଁରୁ ସହରକୁ କାମ ଅନ୍ୱେଷଣରେ ଆସୁଥିବା ଯୁବକଯୁବତୀମାନେ ଏହି କାମ ପ୍ରତି ବିଶେଷ ଆଗ୍ରହୀ ହେଉଛନ୍ତି । ପୁଣି ସହରରେ ରହୁଥିବା ଅନେକ ଯୁବକ ଘରକୁ ଆର୍ଥିକ ସାହାଯ୍ୟ, ହାତଖର୍ଚ୍ଚ ବା କଲେଜ ଫି ଦେବା ପାଇଁ ଡେଲିଭରୀ କାମ କରୁଛନ୍ତି । କୋଭିଡ ପରେ ରୋଜଗାର ପାଇଁ ଅନେକେ ଏହି କାମରେ ଯୋଗଦେଇଛନ୍ତିି ।
ପୁଣି ସହରୀ ଲୋକଙ୍କର ସମୟର ଅଭାବ ଏଭଳି କାମର ଚାହିଦାକୁ ଦ୍ୱିଗୁଣିତ କରିଛି । ଆମାଜନ୍, ଫ୍ଲିପ୍କାର୍ଟ, ବିଗ୍ ବାସ୍କେଟ, ଜମାଟୋ, ସ୍ୱିଗି ଭଳି ବିଭିନ୍ନ କମ୍ପାନୀ ଗୁଡିକ ଆସିବା ପରେ ଏବେ ଏହି ଯୁବକଯୁବତୀମାନଙ୍କୁ ସହଜରେ କାମ ତ ମିଳୁଛି କିନ୍ତୁ ଅଳ୍ପ ପାରିଶ୍ରମିକରେ ସେମାନଙ୍କୁ ବେଳେ ବେଳେ ଜୀବନକୁ ବାଜି ଲଗାଇ ମଧ୍ୟ କାମ କରିବାକୁ ପଡୁଛି । ତେବେ କେବଳ ବଡ ବଡ କମ୍ପାନୀ ନୁହେଁ ଛୋଟ ବ୍ୟବସାୟ ଅନୁଷ୍ଠାନ ଗୁଡିକ ମଧ୍ୟ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବା ଲକ୍ଷ୍ୟରେ ଡେଲିଭରୀ ପର୍ସନଙ୍କୁ ନିଯୁକ୍ତି ଦେଉଛନ୍ତି । କିନ୍ତୁ ସେମାନଙ୍କ କାର୍ଯ୍ୟଧାରା ଠିକ ନଥିବାରୁ ଅନେକେ ହଇରାଣ ହେଉଥିବା ଅଭିଯୋଗ କରନ୍ତି ।
ନିତି ଆୟୋଗ ରିପୋର୍ଟ ଅନୁସାରେ ଦେଶରେ ୨୦୨୦-୨୧ ବର୍ଷରେ ୭୭ଲକ୍ଷ ଯୁବକଯୁବତୀ ଗିଗ ଓାର୍କର ଭାବେ କାମ କରୁଛନ୍ତି । ୨୦୨୯-୩୦ ବର୍ଷ ବେଳକୁ ଏମାନଙ୍କ ସଂଖ୍ୟା ବଢି ୨.୩୫ କୋଟିରେ ପହଂଚିବ ବୋଲି ଆକଳନ କରାଯାଇଛି । ପ୍ରାୟତଃ ୧୮ ରୁ ୩୦ ବର୍ଷର ଯୁବକଯୁବତୀ ମାନେ ଏହି କାମ ପ୍ରତି ବେଶି ଆଗ୍ରହୀ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ, ସହଜରେ କାମ ପାଇବା, ସମୟକୁ ନେଇ କୌଣସି କଟକଣା ନଥିବା ଭଳି କେତେକ କାରଣ ସେମାନଙ୍କୁ ଏହି କାମ ପ୍ରତି ଆକୃଷ୍ଟ କରୁଛି ।
ପାର୍ବଣ ଋତୁରେ ଆୟ ବଢେ
ପାର୍ବଣ ଋତୁରେ ଆୟ ବଢେ ଏକ କମ୍ପାନୀରେ ଡେଲିଭରୀ ପର୍ସନ ଥିବା ସୌରବ ପ୍ରଧାନ କୁହନ୍ତି, ହାତରେ ଖଣ୍ଡେ ସ୍ମାର୍ଟ ଫୋନ, ଦୁଇଚକିଆ ଗାଡିର ଲାଇସେନ୍ସ ଓ ଏକ ସଠିକ ଆଇଡି ପ୍ରୁଫ ଥିଲେ ସଙ୍ଗେ ସଙ୍ଗେ ଚାକିରିର ଅଫର ମିଳିଯାଏ । ଅନ୍ୟ ମାସଗୁଡିକରେ ସାଧାରଣତଃ ୧୦ ରୁ ୧୨ ହଜାର ଟଙ୍କା ଆୟ କରୁଥିବା ଏହି ଡେଲିଭରୀ ପର୍ସନ ମାନେ ପାର୍ବଣ ଋତୁରେ ବେଶ ଭଲ ରୋଜଗାର କରିପାରନ୍ତି । ଗଣେଶ ପୂଜା, ଦୁର୍ଗା ପୂଜାରୁ ଆରମ୍ଭ କରି କାଳୀପୂଜା ଓ ଲକ୍ଷ୍ମୀପୂଜା ପର୍ଯ୍ୟନ୍ତ, ଏହି ଦୁଇ ମାସରେ ସେମାନେ ମାସକୁ ୨୪ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରନ୍ତି । ଏହି ସମୟରେ ସିପ୍ମୋ ଚାର୍ଜ ଅଧିକ ଥିବାରୁ ଭଲ ପଇସା ମିଳେ । ଏହି ଟଙ୍କା ପିଲାଙ୍କ ପାଠପଢା ଓ ପରିବାରର ସ୍ୱାସ୍ଥ୍ୟ ଭଳି ଆବଶ୍ୟକତାକୁ ମେଂଟାଇବାରେ ସହାୟକ ହୁଏ ବୋଲି ସେ କୁହନ୍ତି ।
ସାଧାରଣ ଦିନରେ ଦିନକୁ ୩୦ ପାଖାପାଖି ପାର୍ସଲ ଡେଲିଭରୀ କରୁଥିବା ଏହି ଡେଲିଭରୀ ପର୍ସନମାନେ ପାର୍ବଣ ମାସରେ ୬୦ ରୁ ଅଧିକ ଡେଲିଭରୀ କରନ୍ତି । ସେଥିପାଇଁ ସେମାନଙ୍କୁ ଦୁଇ ସିଫ୍ଟ ରେ କାମ କରିବାକୁ ପଡେ । ସକାଳ ୮ରୁ ଅପରାହ୍ନ ୪ଟା ପୁଣି ଅପରାହ୍ନରୁ ରାତି ଯାଏଁ କାମ କରିବାକୁ ହୁଏ । ସୌରବ କୁହନ୍ତି, ପାର୍ବଣ ମାସରେ ଗ୍ରାହକମାନେ ପ୍ରାୟତଃ ନିଜ ଘରେ ନଥାନ୍ତି; ତେଣୁ ସେମାନଙ୍କୁ ତାଙ୍କ ଜିନିଷ ଦେବା ପାଇଁ ଆମକୁ ୨ରୁ ୩ ଥର ଯିବାକୁ ପଡେ । ନଚେତ ଭୋରରୁ ଉଠି ତାଙ୍କୁ ପାର୍ସଲ ଦେବାକୁ ଦୌଡିବାକୁ ପଡେ । ବେଳେ ବେଳେ ଗ୍ରାହକମାନେ ଜିନିଷ ଗ୍ରହଣ କରିବା ପୂର୍ବରୁ ପାର୍ସଲ ଖୋଲିବାକୁ ଓ ଦେଖିବାକୁ ଜିଦ୍ ଧରନ୍ତି । ଯାହାକି ଆମର ଅନେକ ସମୟ ନଷ୍ଟ କରିଦିଏ । ଫଳରେ ଆମକୁ ଅନ୍ୟ ଜଣେ ଗ୍ରାହକ ପାଖେ ତାଙ୍କ ଜିନିଷ ପହଂଚାଇବାରେ ବିଳମ୍ବ ହୁଏ ବୋଲି ସେ କୁହନ୍ତି ।
ଏତେ ସହଜ ନୁହେଁ ଡେଲିଭରୀ କାମ
ଜଟଣୀରେ ରହୁଥିବା ଶେଖ୍ ମହମ୍ମଦ କହନ୍ତି, ଲକ୍ଡାଉନ୍ ଖୋଲିବା ପରଠାରୁ ମୁଁ ଡେଲିଭରୀ ପର୍ସନ ଭାବେ କାମ କରୁଛି । ଆଗରୁ ଦିଲ୍ଲୀରେ ଏକ ଛୋଟ କମ୍ପାନୀରେ କାମ କରୁଥିଲି । ହେଲେ କରୋନା ପରେ ଘର ଛାଡି ବାହାରକୁ ଯିବାକୁ ଆଉ ଇଚ୍ଛା ହେଲାନାହିିଁ । ପରିବାର ସହ ଭୁବନେଶ୍ୱରରେ ରହୁଛି । ଗୋଡାଉନରୁ ଜିନିଷ ଆଣି, ଗ୍ରାହକମାନଙ୍କ ଲିଷ୍ଟ କରି ସେମାନଙ୍କ ଠିକଣାରେ ପାର୍ସଲ ପହଂଚାଇବା କେବଳ ଆମର କାମ ନୁହେଁ । ପାର୍ସଲ ପାଇବା ପରେ ଗ୍ରାହକଙ୍କ ମତାମତ ସଂଗ୍ରହ କରିବା କାମ ବି ଆମକୁ କରିବାକୁ ପଡେ । ଆମକୁ ଭଲ ରେଟିଂ ଦେବାକୁ ଆମେ ଅନେକ ସମୟରେ ଗ୍ରାହକଙ୍କୁ ଅନୁରୋଧ କରୁ । ଏଭଳି ସ୍ଥଳେ ବେଳେ ବେଳେ ଆମକୁ ଗ୍ରାହକଙ୍କ ଆକ୍ରୋଶର ଶିକାର ହେବାକୁ ପଡେ । କିଛି ଗ୍ରାହକ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରନ୍ତି ।
ଏ ବାବଦରେ ୩୩ ବର୍ଷିୟ ବାସବ ତ୍ରିପାଠୀ କହନ୍ତି; ମୁଁ ଏକ ଖାଦ୍ୟ କମ୍ପାନୀ ପାଇଁ କାମ କରୁଛି । ଯାବତୀୟ ଟ୍ରାଫିକ୍ ସତ୍ୱେ ଠିକ୍ ସମୟରେ ଗ୍ରାହକଙ୍କୁ ଖାଦ୍ୟ ପହଂଚାଇବା ଆମର କାମ । ବେଳେ ବେଳେ ଅତ୍ୟଧିକ ବର୍ଷା ଓ ଖରା ଯୋଗୁଁ ଖାଇବା ପହଂଚାଇବା ଡେରି ହୋଇଗଲେ ଗ୍ରାହକଙ୍କଠାରୁ ଅନେକ ଗାଳିଗୁଲଜ ଶୁଣିବାକୁ ପଡେ । ଅନେକେ ଭାବନ୍ତି ଅର୍ଡର କରିବା ମାତ୍ରେ ସଙ୍ଗେ ସଙ୍ଗେ ଖାଇବା ଧରି ଆମେ ତାଙ୍କ ଦୁଆରେ ପହଂଚି ଯିବୁ । ତେଣୁ ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ୱେ ଖାଦ୍ୟ ପହଂଚାଇବା ପରେ ବି ଭଲ ବ୍ୟବହାର ମିଳେନି । ବାରମ୍ବାର ଫୋନ୍ ପରେ କାହିଁକି ଫୋନ୍ ଉଠାଇଲି ନାହିଁ ବୋଲି ବି ଅନେକେ ପ୍ରଶ୍ନ କରନ୍ତି ।
ଖାଇବା ପ୍ୟାକ କରି ନେବା ପାଇଁ ମଧ୍ୟ ସେମାନଙ୍କୁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡେ । ତା ପରେ ଗ୍ରାହକଙ୍କ ଘର ଖୋଜି ସେମାନଙ୍କୁ ଠିକ ସମୟରେ ଖାଇବା ଦେବା ଏତେ ସହଜ ନୁହେଁ । ତଥାପି ଅନେକ ସମୟରେ ଗ୍ରାହକମାନେ ଖାଇବା ଥଣ୍ଡା ହୋଇଯାଇଛି ଏତେ ସମୟ କଣ କରୁଥିଲ ବୋଲି ର୍ଦୁବ୍ୟବହାର କରନ୍ତି ବୋଲି କୁହନ୍ତି ଶେଖ ମହମ୍ମଦ । ଡେଲିଭରୀ କାମ କରୁଥିବା ଯୁବକଙ୍କୁ ଇଣଂରଭ୍ୟୁ କରିବା ସମୟରେ ଏଇ ଲେଖିକା ଚେଷ୍ଟା କରିଥିଲେ କିଛି ମହିଳା ଙ୍କୁ ଭେଟିବା ପାଇଁ କିନ୍ତୁ ଏକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କମଥିବାରୁ ସେମାନଙ୍କୁ ଭେଟିହେଲା ନାହିଁ । ତେବେ ଆଗକୁ କିଛି ରିପୋର୍ଟ କଲେ ଆମେ ସେମାନଙ୍କ ସମସ୍ୟାକୁ ନିଶ୍ଚିତ ଆମ ଲେଖାରେ ଉପସ୍ଥାପନ କରିବାକୁ ଚେଷ୍ଟା କରିବୁ ।
ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ
ଯେହେତୁ ଦିନସାରା ଗାଡି ଧରି ବୁଲି ବୁଲି ଗ୍ରାହକଙ୍କୁ ଜିନିଷ ଦେବା କାମ ଥାଏ ଏଣୁ କମ୍ପାନୀ ଗୁଡିକ ଯୁବପିଢିଙ୍କୁ ହିଁ ଏହି କାମରେ ନିୟୋଜିତ କରନ୍ତି । କିନ୍ତୁ ଏମାନଙ୍କର ଯେ ଶାରିରୀକ ସମସ୍ୟା ହୁଏନି ଏକଥା ଭାବିବା ଭୁଲ । ଶେଖ ମହମ୍ମଦ କୁହନ୍ତି, ଏକ ଓଜନିଆ ବ୍ୟାଗକୁ ପିଠିରେ ଲଦି ବାଇକରେ ଘର ଘର ବୁଲି ଯେତେ ବେଳେ ରାତିରେ ଆମେ ନିଜ ଘରକୁ ଫେରୁ ସେତେବେଳେ ଆମର ଠିଆ ହେବାର ଅବସ୍ଥା ନଥାଏ । କିନ୍ତୁ କାମ ଓ ରୋଜଗାର ନହେଲେ ସହରରେ ପରିବାର ଚଳେଇବା କଷ୍ଟକର ହେବ ସେଥିପାଇଁ ପରଦିନ ପୁଣି କାମକୁ ବାହାରିପଡୁ । ଅର୍ଥୋପେଡିକ ସର୍ଜନଙ୍କ ମତରେ, କମ ବୟସରେ ଲଗାତାର ଅଧିକ ଓଜନର ବ୍ୟାଗ ପିଠିରେ ଧରି ବାଇକରେ ଯିବା ଆସିବା କରୁଥିବାରୁ ଏହା ଭବିଷ୍ୟତରେ ସେମାନଙ୍କ ପିଠି ଓ କାନ୍ଧ ଉପରେ ଖରାପ ପ୍ରଭାବ ପକାଇବ । ଏଣୁ କମ୍ପାନୀ ଗୁଡିକ ଏଥିପ୍ରତି ଧ୍ୟାନ ଦେବା ଉଚିତ ।
ଶିବ ଯିଏ କି ସାଇକେଲରେ ଖାଦ୍ୟ ଡେଲିଭରୀ କରନ୍ତି, ନିଜର ଏକ ଅନୁଭୂତି ବିଷୟରେ କହିଥିଲେ ଯେ ଥରେ ସେ ରାତିରେ ଖାଇବା ଦେବାକୁ ଯିବା ସମୟରେ ଅନ୍ଧାରୁଆ ଗଳି ରାସ୍ତାରେ ତାଙ୍କୁ ଆକ୍ରମଣ କରି ଦୁର୍ବୁତ ମାନେ ଖାଇବା ଓ ଟଙ୍କା ଛଡାଇ ନେଇଥିଲେ । ସେ ପ୍ରତିରୋଧ କରିବାରୁ ଓଲଟା ତାଙ୍କୁ ବାଡେଇଥିଲେ । ଏବିଷୟରେ ଗ୍ରାହକ ଓ କମ୍ପାନୀକୁ ଜଣାଇଥିଲେ ମଧ୍ୟ କେହି ବିଶ୍ୱାସ କରିନଥିଲେ । ଏଣୁ ରାତିରେ ଅନ୍ଧାରୁଆ ଯାଗା ଦେଖିଲେ ସେ ଓ ତାଙ୍କ ଭଳି କିଛି ଡେଲିଭରୀ ପର୍ସନ କମ୍ପାନୀ ଟି-ସାର୍ଟ ଓହ୍ଲାଇ ଦିଅନ୍ତି । କାରଣ ସେମାନେ ଜାଣନ୍ତି ଯେ ଏବିଷୟରେ ଜଣାଇଲେ କମ୍ପାନୀ କେବେ ସହଯୋଗ କରିବ ନାହିଁ ।
ସୁମନ୍ତଙ୍କ କହିବା ଅନୁସାରେ ଏ କାମ କେବଳ ଯୁବ ବୟସରେ ହିଁ କରାଯାଇ ପାରୁଛି । ବୟସ ବଢିଲେ ବୋଧହୁଏ ସେମାନେ ଅନ୍ୟ କାମକୁ ଆପଣେଇବେ । କିନ୍ତୁ ବର୍ତମାନ କରୁଥିବା କାମକୁ ସମ୍ମାନ, ସାମାଜିକ ସୁରକ୍ଷାରେ ଅର୍ନ୍ତଭୁକ୍ତ କରାଯାଇପାରିଲେ ଓ ଇନସ୍ୟୁରାନସ, ଗ୍ରାଚ୍ୟୁଇଟି, ଓ ଇଏସଆଇ ଭଳି ବ୍ୟବସ୍ଥା କରାଗଲେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ହେଇପାରନ୍ତା ବୋଲି କହିଛନ୍ତି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ୨୦୨୦ବର୍ଷରେ ଦେଶର ଗିଗ ଓାର୍କର ମାନଙ୍କ ସୋସିଆଲ ସିକ୍ୟୁରିଟୀ ପାଇଁ ଏକ ନୂତନ କୋର୍ଡ ଆଣିଛନ୍ତି । ଯେଉଁଥିରେ ଏହି ଗିଗ ଓାର୍କରମାନେ ରେଜିଷ୍ଟର କରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ । କିନ୍ତୁ ଦୁଃଖର ବିଷୟ ଏହି କୋର୍ଡ ଏପର୍ଯ୍ୟନ୍ତ ଲାଗୁ ହୋଇପାରିନି ।