ଦାଦନ ଯାଉଥିବା ଶ୍ରମିକ ଏବେ ସଫଳ ଚାଷୀ

ପଶ୍ଚିମ ଓଡ଼ିଶାର କୃଷିଭିତିକ ପର୍ବ ନୂଆଖାଇ ସରିଯାଇଛି । ଯେଉଁ ଶ୍ରମିକ ମାନେ ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟିରେ କାମ କରନ୍ତି ନୂଆଖାଇ ସରିବା ପରେ ପୁଣି ଲେଉଟି ଗଲେଣି ତ ପୁଣି କେହି କେହି ସଜବାଜ ହେଲେଣି ନିଜ ନିଜ କାମକୁ ଫେରିଯିବାକୁ । କିନ୍ତୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ପ୍ରାୟ ୨୩ଟି ଗାଁର ୪ ହଜାରରୁ ଅଧିକ ଶ୍ରମିକ ଏବର୍ଷଠାରୁ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେନାହିଁ କାରଣ ସେମାନେ ତାଙ୍କ ଜମିରେ ଚାଷ କରି ଭଲ ରୋଜଗାର କରିପାରୁଛନ୍ତି ଓ ପରିବାର ଚଳାଇ ପାରୁଛନ୍ତି । ଘରର ମହିଳାମାନେ ଯେଉଁମାନେ ଚାଷ ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁର ମଙ୍ଗ ଧରିଛନ୍ତି ସେମାନେ ଆର୍ଥିକ ସ୍ୱାଧିନତା ସାଙ୍ଗକୁ ସମ୍ମାନ ମଧ୍ୟ ପାଇଛନ୍ତି ।

ଭୁବନେଶ୍ୱର ;

ପତିବର୍ଷ ନୂଆଖାଇ ସରିବା ପରେ ପଶ୍ଚିମ ଓଡ଼ିଶାର ଗାଁ ଗହଳରେ ଗୋଟିଏ ଚର୍ଚ୍ଚା ଚାଲେ କାମ ପାଇଁ କିଏ କେଉଁ ରାଜ୍ୟକୁ ସ୍ଥାନାନ୍ତର ହେବ । ଯେଉଁ ଶ୍ରମିକ ମାନେ ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟିରେ କାମ କରନ୍ତି ନୂଆଖାଇ ସରିବା ପରେ ପୁଣି ଲେଉଟି ଗଲେଣି ତ ପୁଣି କେହି କେହି ସଜବାଜ ହେଲେଣି ନିଜ ନିଜ କାମକୁ ଫେରିଯିବାକୁ । ଇଟାଭାଟିରେ କାମ କରିବା କଷ୍ଟଦାୟକ ହେଲେ ସୁଦ୍ଧା ଗାଁରେ କାମର ଅଭାବ ହେତୁ ପରିବାର ପୋଷିବା ପାଇଁ ବଲାଙ୍ଗିର, ବରଗଡ ଆଦି ଜିଲ୍ଲାରୁ ହଜାର ହଜାର ଲୋକ ପ୍ରତିବର୍ଷ ଅକ୍ଟୋବର ପରଠାରୁ ଦକ୍ଷିଣଭାରତର ବିଭିନ୍ନ ରାଜ୍ୟକୁ ବାହାରନ୍ତି ସେଠାକାର ଇଟାଭାଟିରେ କାମ କରିବା ପାଇଁ । ଏକ ସର୍ବେକ୍ଷଣ ଅନୁସାରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଓ ବରଗଡ ଜିଲ୍ଲାରୁ ପ୍ରତିବର୍ଷ ୩ଲକ୍ଷ ପାଖାପାଖି ଲୋକ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି ।

ସେମାନଙ୍କ ସାଙ୍ଗରେ ପ୍ରତିବର୍ଷ ସାମିଲ ହୁଅନ୍ତି ବଲାଙ୍ଗିର ବେଲପଡା ବ୍ଲକ ଧୁମାଭଟା ଗାଁର ଇନ୍ଦ୍ରମଣୀ ଦେଓ ଓ ତାଙ୍କ ସ୍ତ୍ରୀ ଅଙ୍ଗରାବତୀ । କିନ୍ତୁ କୋଭିଡ ପରଠାରୁ ସେ ଆଉ ଅନ୍ୟ ରାଜ୍ୟକୁ କାମ ପାଇଁ ସ୍ଥାନାନ୍ତର ହେଉନାହାନ୍ତି । କାରଣ ଏବେ ନିଜ ଜମିରେ ଚାଷ କରି ସେ ଭଲ ଅମଳ କରିପାରୁଛନ୍ତି । ବଜାରରେ ବିକ୍ରୀ କରି ବେଶ ଦି ପଇସା ରୋଜଗାର କରିପାରୁଛନ୍ତି । ଫଳରେ ବାହାରକୁ କାମ ପାଇଁ ଯିବାକୁ ପଡୁନି ।

ଏବିଷୟରେ ଇନ୍ଦ୍ରମଣୀ କୁହନ୍ତି, କୋଭିଡ ସମୟରେ ଆମେ ଅନେକ ସମସ୍ୟା ଦେଖିଛୁ । ବାହାର ରାଜ୍ୟକୁ ଦାଦନ ପାଇଁ ଯାଇଥିବା ହେତୁ ସେଠୁ ଫେରିବାକୁ ଆମେ ବହୁତ ହଇରାଣ ହୋଇଛୁ । ଏଣୁ ଆମେ ନିଜ ଅଂଚଳରେ ରହି କାମ କରିବାକୁ ଚାହିଁଲୁ । ତେବେ ଏସବୁ କିଛି ଏତେ ସହଜ ନଥିଲା । ପ୍ରଥମେ ଗୋଟେ ଛୋଟିଆ ଋଣ ଆଣି ଗାଁ ପାଖରେ ଥିବା ଲନ୍ଥା ଶାଖା ନଦୀ କୂଳରେ ତରଭୂଜ ଚାଷ କରିବା ଆରମ୍ଭ କଲୁ । ଭଲ ଫସଲ ହେବା ପରେ ବେଲପଡା ବ୍ଲକକୁ ଯାଇ ବିକ୍ରୀ କଲୁ ଓ ଭଲ ଲାଭ ମଧ୍ୟ ପାଇଲୁ ।

ଇନ୍ଦ୍ରମଣୀ ଙ୍କ ଚାଷରେ ହେଉଥିବା ଉନ୍ନତି ବିଷୟରେ ଚର୍ଚ୍ଚା ହେବା ପରେ ବେଲପଡା ବ୍ଲକରେ ଗତ କିଛି ବର୍ଷ ଧରି କୃଷକମାନଙ୍କୁ ପ୍ରଶିକ୍ଷଣ ଓ ସହାୟତା ଦେବା କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଅଧିକାର ଇନ୍ଦ୍ରମଣୀଙ୍କୁ ସହାୟତାର ହାତ ବଢାଇଲା । ଅଧିକାର ସଂସ୍ଥାର କର୍ମକର୍ତା ମାନେ ତାଙ୍କୁ ମିଶ୍ରିତ ଓ ସମନ୍ୱିତ ଚାଷ କରିବାକୁ ପ୍ରବର୍ତାଇଲେ । ଏବଂ ସେ ଆଗ୍ରହ ପ୍ରକାଶ କରିବାରୁ ତାଙ୍କୁ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ତରଫରୁ ସ୍ୱତନ୍ତ୍ର ଜ୍ଞାନ କୌଶଳ ଯୋଗାଇ ଦେବାକୁ ସାହାଯ୍ୟ କଲେ ।

ଠିକ ସେହିଭଳି ମଧୁ ଧାରୁଆଙ୍କ ପରିବାର ଯଦିଓ ପୂର୍ବରୁ ଚାଷ କାମ କରୁଥିଲେ କିନ୍ତୁ ଅନିୟମିତ ବର୍ଷା ଓ ଜଳସେଚନର ଅଭାବ ଯୋଗୁଁ ଅନେକ ସମୟରେ ତାଙ୍କ ଜମି ପଡିଆ ପଡୁଥିଲା ଏବଂ ସେ ବାଧ୍ୟ ହୋଇ ଇଟାଭାଟିରେ କାମ କରିବାକୁ ଯାଉଥିଲେ । ବେଲପଡା ବ୍ଲକ ଡୁଙ୍ଗୁରୀଗୁଡା ଗାଁର ମଧୁ ଧାରୁଆ ଓ ତାଙ୍କ ସ୍ତ୍ରୀ ସୁରୁବାଲୀ ଧାରୁଆ ସ୍ୱେଚ୍ଛାସେବୀ ସଂସ୍ଥା ଅଧିକାରର ସହଯୋଗ ପାଇ ତାଙ୍କ ସାଢେ ୩ ଏକର ଜମିରେ ପରିବା ଚାଷ କରିବା ଆରମ୍ଭ କଲେ ।

ଛୋଟ ଚାଷୀଙ୍କୁ ସହାୟତା

ପାଣିର ଅଭାବ ହେତୁ ଜମି ପଡିଆ ପକେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଛୋଟ ଚାଷୀଙ୍କୁ ସହଯୋଗ କରିବା ପାଇଁ ଚେଷ୍ଟା ଆରମ୍ଭ ହେଲା ଯେଉଁଥିରେ ମଧୁ ଓ ଇନ୍ଦ୍ରମଣୀଙ୍କ ଭଳି ଅନେକ ଚାଷୀ ଉପକୃତ ହେଲେ । ୨୦୧୮-୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଗ୍ରିକଲଚରାଲ ପ୍ରଡ୍ୟୁସରର୍ସ କ୍ଲଷ୍ଟର (ଏପିସି) ପ୍ରୋଜେକ୍ଟ ରାଜ୍ୟର ୪୦ଟି ପଛୁଆ ବ୍ଲକରେ ଆରମ୍ଭ କରାଗଲା ଯେଉଁଥିରେ ଲକ୍ଷ୍ୟ ଥିଲା ପାଖାପାଖି ୧ ଲକ୍ଷ ଚାଷୀଙ୍କ ଆମଦାନୀ ଦୁଇଗୁଣା କରାଇବା । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଏହି ପ୍ରୋଜେକ୍ଟ ମଧ୍ୟରେ ଆସୁଥିବାରୁ ଏଠି କାର୍ଯ୍ୟ ଆରମ୍ଭ କରାଗଲା । ଫଳରେ ମଧୁଙ୍କ ପରି ଅନ୍ୟ ଛୋଟ ଚାଷୀଙ୍କ ଜୀବନରେ ଅନେକ ପରିବର୍ତନ ଆସିଲା ।

ଏଥିପାଇଁ ସଂଗଠନ ପକ୍ଷରୁ ପ୍ରଥମେ ୧୫୦ ଜଣ ଚାଷୀଙ୍କୁ ନେଇ ଏଗ୍ରିକଲଚରାଲ ପ୍ରଡ୍ୟୁସରର୍ସ କ୍ଲଷ୍ଟର (ଏପିସି ) ପ୍ରୋଜେକ୍ଟ ମାଧ୍ୟମରେଏକ ପ୍ରଡ୍ୟୁସର ଗ୍ରୁପ ଗଠନ କରାଗଲା । ଭାରତ ରିଲିଫ ଲାଇଭଲିହୁଡ ଫାଉଣ୍ଡେସନ (ବିଆରଏଲଏଫ) ଏବଂ ପ୍ରଦାନ ସଂସ୍ଥା ସହଯୋଗରେ ଗଠନ କରାଯାଇଥିବା ଏହି ଗ୍ରୁପ ନିୟମିତ ଭାବେ ଚାଷୀ ମାନଙ୍କୁ ଟ୍ରେନିଂ ଦେବା ସହ ସେମାନେ କିଭଳି ସମନ୍ୱିତ ଚାଷ କରିପାରିବେ ସେଥିପାଇଁ ସହଯୋଗ ମଧ୍ୟ କରାଗଲା । ଏହି ଟ୍ରେନିଂ ଅନ୍ୟ ଚାଷୀଙ୍କ ଭଳି ସୁରୁବାଲି ଓ ମଧ୍ରୁ ଙ୍କ ଜୀବନରେ ମଧ୍ୟ ଅନେକ ପରିବର୍ତନ ଆଣିଲା ବୋଲି କୁହନ୍ତି ଅଧିକାର ସଂସ୍ଥାର ମୁଖ୍ୟ ଯତିନ ପାତ୍ର । ଏହି ଟ୍ରେନିଂରେ ସୁରୁବାଲି ଜଣେ ସଦସ୍ୟ ଭାବେ ଯୋଗଦେବା ପରେ ପନିପରିବା ଓ ଟମାଟୋ ଚାଷ କରିବା ବିଷୟରେ ଟ୍ରେନିଂ ନେଲେ । ଆଗରୁ ଆମ ଅଂଚଳରେ ପାଣିର ଘୋର ଅଭାବ ଥିଲା ଏଣୁ ଆମେ କେବଳ ବର୍ଷଦିନରେ ଜମିରେ ଚାଷ କରିପାରୁଥିଲୁ ଅନ୍ୟ ସମୟରେ ଜମି ପଡିଆ ପକାଇ ଆମେ ଦାଦନ ଖଟିବାକୁ ଚାଲି ଯାଉଥିଲୁ । କିନ୍ତୁ ନିଶ୍ଚିତ କର୍ମ ନିଯୁକ୍ତି ସହାୟତାରେ ଆମ ଗାଁର କିଛି ପରିବାର ମିଶି ଆମେଏକ ପୋଖରୀ ଓ କୂଅ ଖୋଳିବା କାମ କଲୁ । ଏସବୁ ପରେ ପରିସ୍ଥିତିରେ ଅନେକ ସୁଧାର ଆସିଲା , ବୋଲି କୁହନ୍ତି ସୁରୁବାଲି । ତେବେ ଆବଶ୍ୟକତାକୁ ଦେଖି ଏଠି ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଆଇସି ) ବିଭାଗ ପକ୍ଷରୁ ଏକ ମାଇକ୍ରୋ ଇରିଗେସନ ଲିଫ୍ଟ ପଏଂଟ ମଧ୍ୟ ବସାଯାଇଛି ବୋଲି ସଂସ୍ଥାର ମୁଖ୍ୟ ଯତିନ ପାତ୍ର ସୂଚନା ଦେଇଛନ୍ତି ।

ଏସବୁ ସୁବିଧା ହେବା ପରେ ମଧୂ ଓ ସୁରୁବାଲି ନିଜର ଦେଢ ଏକର ଜମିରେ ଟମାଟୋ ଚାଷ କରିବାକୁ ନିଷ୍ପତି ନେଲେ । ଏହାକୁ ଦେଖି ଗାଁର ଅନ୍ୟ ଚାଷୀମାନେ ଉତ୍ସାହିତ ହେଲେ ଏବଂ ପାଖାପାଖି ୨୮ ଏକର ଜମିରେ ଟମାଟୋ ଚାଷ କଲେ । ଏହା ଅମଳ ହେବା ପରେ ସେମାନେ ବଜାରରେ ବିକ୍ରୀ କଲେ ଏବଂ ବେଶ ଭଲ ରୋଜଗାର କରିପାରିଲେ । ବର୍ତମାନ ପାଖାପାଖି ୨୩ଟି ଗାଁରେ ଫାରମର ପ୍ରଡ୍ୟୁସରର୍ସ ଗ୍ରୁପ ଗଠନ ହୋଇପାରିଛି ଯେଉଁମାନେ ପ୍ରାୟ ୪୫୦ ଏକର ଜମିରେ ଟମାଟୋ, ତରଭୁଜ ଓ ବାଇଗଣ ଚାଷ କରି ଲାଭବାନ ହୋଇପାରିଛନ୍ତି । ପ୍ରାୟ ୩୦୦୮ଜଣ ମହିଳା ଟ୍ରେନିଂ ପାଇ ଚାଷ କରି ମା ପାଟଣେଶ୍ୱରୀ ପ୍ରଡ୍ୟୁସର କମ୍ପାନୀ ଗଢିପାରିଛନ୍ତି । ସେମାନେ ଏସବୁ ପରିବାକୁ ବଜାରରେ ବିକ୍ରି କରୁଥିବା ବେଳେ କେତେକ କ୍ଷେତ୍ରରେ ବେପାରୀମାନେ ନିଜେ ଆସି ସେମାନଙ୍କଠାରୁ କିଣି ନେଇଯାଉଛନ୍ତି । ମଧୂ ଓ ସୁରୁବାଲି ଏହି ଟମାଟୋ ଚାଷରେ ୪୦ ହଜାର ଖର୍ଚ କରି ୩ଲକ୍ଷ ଟଙ୍କା ଯାଏଁ ରୋଜଗାର କରିପାରିଥିବା କହିଛନ୍ତି ।

ବଦଳିଛି ଜୀବନ

ଆଗରୁ ପ୍ରତିବର୍ଷ ପରିବାର ସହ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିବା ମଧୂ ଓ ଇନ୍ଦ୍ରମଣୀ ଏବେ ଗାଁରେ ରହିବା ପରଠାରୁ ତାଙ୍କ ପିଲାମାନେ ନିୟମିତ ସ୍କୁଲ ଯାଇପାରୁଛନ୍ତି । ଭଲ ରୋଜଗାର ହେବାପରେ ସେମାନେ ଭାଙ୍ଗି ଯାଇଥିବା ଘରକୁ ପୁଣି ତିଆରି କରିବା ସହ ପୂର୍ବରୁ ନେଇଥିବା ଋଣ ଶୁଝି ପାରିଛନ୍ତି । ଚାଷ କରିବା ପରଠାରୁ ଭଲ ଆୟ ହେଉ ଥିବାରୁ ଘର ଖର୍ଚ କରିବା ପରେ ମଧ୍ୟ ଆମେ ସଂଚୟ କରିପାରୁଛୁ । ଆଗେ ଆମ ପାଖରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବା ଛଡା ଅନ୍ୟ ଉପାୟ ନଥିଲା କିନ୍ତୁ ଏବେ ନିଜ ଅଂଚଳରେ ରହି ଚାଷ କରି ରୋଜଗାର କରିବାକୁ ଚାହୁଁଛୁ ବୋଲି କହିଛନ୍ତି ଇନ୍ଦ୍ରମଣୀ ଦେଓ । ବର୍ତମାନ ପ୍ରାୟ ୨୦୦ ପରିବାର ଉନ୍ନତ ପ୍ରଣାଳୀରେ ପନିପରିବା ଚାଷ କରି ଏକ ଲକ୍ଷ ଉପରେ ରୋଜଗାର କରିପାରୁଛନ୍ତି । ଅଙ୍ଗରାବତୀ କୁହନ୍ତି, ଦାଦନରେ ଗଲାବେଳେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ବିଶେଷକରି ମହିଳାମାନେ ବିଭିନ୍ନ ପ୍ରକାରର ନିର୍ଯାତନାର ଶିକାର ହେଉଥିଲେ କିନ୍ତୁ ଏବେ ସେ ପରିସ୍ଥିତି ଆଉ ନାହିିଁ । ବରଂଏବେ ରୋଜଗାର କରୁଥିବାରୁ ମହିଳାମାନଙ୍କୁ ଉଭୟ ପରିବାରରେ ଓ ଗାଁରେ ସମ୍ମାନ ମିଳୁଛି ।

Leave a Reply

Your email address will not be published. Required fields are marked *