ଦେଶର ଗରିବ ମହିଳା ମାନଙ୍କୁ ରାନ୍ଧିବାବେଳେ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ କ୍ଷତିକାରକ ଜାଳେଣି କାଠ ବ୍ୟବହାର ନକରି ରନ୍ଧନ ଗ୍ୟାସ ବ୍ୟବହାର କରିବାକୁ ୨୦୧୬ ମସିହାରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲକରି କେନ୍ଦ୍ର ସରକାର ସେମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇଛନ୍ତି । କିନ୍ତୁ ବର୍ତମାନ ଏଲପିଜି ଇନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ବ୍ୟବହାରକାରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦିହେବା ପରି ଲାଗୁଛି । ଫଳରେ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ବୁକିଂ ସଂଖ୍ୟା କମିବାରେ ଲାଗିଛି । ଅପରପକ୍ଷେ ଯେଉଁମାନେ ନୂଆ ସଂଯୋଗ ନେବାକୁ ଚାହୁଁଥିଲେ ସେମାନେ ମଧ୍ୟ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି । କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ନେଇ ଯୋଜନା ଆରମ୍ଭ କରିଥିଲେ ଏବେ ତାହା ଲକ୍ଷ୍ୟଠାରୁ ବହୁଦୂରରେ । ସବସିଡି ଟଙ୍କା ହିତାଧିକାରୀଙ୍କ ଆକାଉଂଟକୁ ଆସୁଛି ହେଲେ ମୂଲ୍ୟବୃଦ୍ଧି ଯୋଗୁଁ ଗ୍ୟାସ ବୁକିଂ କରିବାକୁ ହିତାଧିକାରୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଭୁବନେଶ୍ୱର ;
ପ୍ରାୟ ୫ ବର୍ଷ ତଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ଏକ ନିପଟ ମଫସଲ ଗାଁରେ ରହୁଥିବା ସବିତା ପଧାନ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଯେତେବେଳେ ରନ୍ଧନ ଗ୍ୟାସ ଘରକୁ ଆଣିଲେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇଗଲା । କାରଣ ଏବେ ତାଙ୍କୁ ଆଉ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବାକୁ ଯିବାକୁ ପଡିବ ନାହିଁ । ଘରେ ଚୁଲିରେ ଫୁଙ୍କି ଫୁଙ୍କି ରାନ୍ଧୁଥିବା ବେଳେ ଘର ଧୂଆଁରେ ଭର୍ତିହେବ ନାହିଁ ଆଖି, ନାକ ପୋଡା ହେବନାହିଁ କିମ୍ବା କାଶ ହେବନାହିଁ । ସବୁଠାରୁ ଖୁୁସି ଥିଲା ଯେ ସେ ନିଜ ସମୟ ଅନୁସାରେ ସୁବିଧାରେ ରନ୍ଧାରନ୍ଧି କାମ ସାରିିପାରିବେ । କିନ୍ତୁ ତାଙ୍କର ଏଖୁସି ବେଶି ଦିନ ରହିଲା ନାହିଁ, ନିୟମିତ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୋଗୁଁ ତାଙ୍କୁ ଏବେ ବାଧ୍ୟ ହୋଇ ପୁଣିଥରେ ଚୁଲିରେ ରାନ୍ଧିବାକୁ ପଡୁଛି । ତାଙ୍କ ଦେଖାଦେଖି ଗାଁର ଅନ୍ୟ ମହିଳାମାନେ ମଧ୍ୟ ଯେଉଁମାନେ ଘରକୁ ରନ୍ଧନ ଗ୍ୟାସ ଆଣିଥିବାରୁ ଖୁସି ହୋଇଥିଲେ ସେମାନେ ମଧ୍ୟ ଧିରେ ଧିରେ ଏବେ ଏଥିରୁ ମୁହଁ ଫେରାଇ ସାରିଲେଣି । କିଛି ବର୍ଷ ତଳେ ରୋଷେଇଘରର ବଦଳୁଥିବା ଚିତ୍ର ଏବେ ପୁଣି ପୁରୁଣା ଦିନକୁ ଫେରିଆସିଛି । ଏବିଷୟରେ ପଚାରିବାରେ ସବିତା କୁହନ୍ତି, ସରକାର ଯେତେବେଳେ ଆମ ଭଳି ଗରିବ ଲୋକଙ୍କୁ ମାଗଣାରେ ରୋଷେଇଗ୍ୟାସ ଦେବାର ବ୍ୟବସ୍ଥା କଲେ ଆମେ ଘରକୁ ଗ୍ୟାସ ଆଣିଲୁ ଭାବିଲୁ ଏହା ଆମକୁ ଜଲଦି ରାନ୍ଧିବାରେ ସାହାଯ୍ୟ କରିବ, ସ୍ୱାସ୍ଥ୍ୟ ଭଲ ରହିବ ଓ କମ ସମୟ ମଧ୍ୟରେ ଆମେ ରାନ୍ଧିବା କାମ ଶେଷ କରି ଅନ୍ୟ କାମ କରିପାରିବୁ ନଚେତ ଟିକେ ଆରାମ କରିବୁ । କିନ୍ତୁ ନିୟମିତ ବଢୁଥିବା ଗ୍ୟାସ ଦର ଯୋଗୁଁ ଏବେ ଆଉ ଗ୍ୟାସ ଚୁଲା ବ୍ୟବହାର କରିହେଉନି ।
ନିୟମିତ ବଢୁଛି ଦର
ମିଳିଥିବା କିଛି ସୂଚନା ଅନୁସାରେ ଏଲପିଜି ଇନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ଯୋଗୁଁ ବ୍ୟବହାରକାରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦି ହୋଇପଡୁଛି । ଏହି କାରଣରୁ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ବୁକିଂ ସଂଖ୍ୟା କମିବାରେ ଲାଗିଛି । ଅପରପକ୍ଷେ ଯେଉଁମାନେ ନୂଆ ସଂଯୋଗ ନେବାକୁ ଚାହୁଁଥିଲେ ସେମାନେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି । ଗୋଟିଏ ସମୟରେ ପେଟ୍ରୋଲ ଡିଜେଲ ଦର ସହିତ ପ୍ରତିମାସରେ ଇନ୍ଧନ ଗ୍ୟାସର ବି ମୂଲ୍ୟବୃଦ୍ଧି ଘଟୁଥିଲା । ତେବେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦନଶୁଳ୍କ ହ୍ରାସ କରି ଏକପ୍ରକାର ନିୟନ୍ତ୍ରଣକୁ ଆସିଥିବା ବେଳେ ଇନ୍ଧନଗ୍ୟାସ ମୂଲ୍ୟ ଏଯାବତ ହ୍ରାସ ପାଇନାହିଁ । ୨୦୧୪ରେ ଭୁବନେଶ୍ୱରରେ ଇନ୍ଧନଗ୍ୟାସ ଦର ୫ ପ୍ରତିଶତ ଟିକସ ମିଶି ୪୨୫ ଟଙ୍କା ଥିଲା । କିନ୍ତୁ ପ୍ରତିବର୍ଷ ଦରବୃଦ୍ଧି ଘଟି ଏବେ ଏହା ୧୧୦୦ ରେ ପହଂଚିଛି । ଗତ ସାତବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୫୦୧ଟଙ୍କା ବୃଦ୍ଧି ପାଇଛି । ଏବର୍ଷ ୭ଥର ବୃଦ୍ଧି ପାଇ ସିଲିଣ୍ଡର ପିଛା ୨୦୫.୫ ଟଙ୍କା ବଢିଛି । ୨୦୧୭ ଜୁଲାଇରେ କେନ୍ଦ୍ର ସରକାର ଇନ୍ଧନ ଗ୍ୟାସକୁ ଜିଏସଟି ପରିସରଭୂକ୍ତ କରି ପୂର୍ବପରି ୫ ପ୍ରତିଶତ ଟିକସ ନେଉଛନ୍ତି । ବର୍ତମାନ ରାଜ୍ୟରେ ବରଗଡ ଜିଲ୍ଲାରେ ଗ୍ୟାସ ଦର ସବୁଠାରୁ ଅଧିକ ରହିଛି ।
ଆଗ୍ରହ କମୁଛି
ସବୁଠାରୁ ବଡକଥା ହେଉଛି ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ଉଜ୍ଜ୍ୱଳା ଯୋଜନାର ସୁଫଳ ମିଳିପାରୁନାହିଁ । କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ନେଇ ଯୋଜନା କରିଥିଲେ ଏବେ ତାହା ଲକ୍ଷ୍ୟଠାରୁ ବହୁଦୂରରେ । ଦୂରଦୂରାନ୍ତ ଗାଁ ର ମହିଳାମାନେ ଜଙ୍ଗଲରୁ ଆଣିଥିବା କାଠ ଓ ଶୁଖିଲା ପତ୍ର ଜାଳି ଧୂଳି ଧୂଆଁରେ ରୋଷେଇ କରିବେନି ଏଣୁ ସରକାରଙ୍କ ପକ୍ଷରୁ ଗରିବ ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲକରି ସରକାର ମାଗଣାରେ ଗ୍ୟାସ ସଂଯୋଗ ଦେଲେ । ସବସିଡି ଟଙ୍କା ହିତାଧିକାରୀଙ୍କ ଆକାଉଂଟକୁ ଆସୁଛି ହେଲେ ମୂଲ୍ୟବୃଦ୍ଧି ଯୋଗୁଁ ଗ୍ୟାସ ବୁକିଂ କରିବାକୁ ହିତାଧିକାରୀମାନେ ଆଉ ଆଗ୍ରହ ପ୍ରକାଶ କରୁନଥିବା ଲକ୍ଷ୍ୟ କରାଯାଉଛି । ଏବିଷୟରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଏକ ଗାଁର ଜଣେ ହିତାଧିକାରୀ କୁହନ୍ତି, ଏଲପିଜି ଇନ୍ଧନ ଗ୍ୟାସ ଆଣିବା ପରେ ତାଙ୍କ ଜୀବନରେ ଅନେକ ପରିବର୍ତନ ଆସିଥିଲା ଗ୍ୟାସରେ ଖୁବ କମ ସମୟରେ ସେ ରନ୍ଧା କାମ ଶେଷ କରିଦେଉଥିଲେ । କିନ୍ତୁ ପରେ ଗ୍ୟାସ ଦର ବଢିବା ପରେ ସେ କେବଳ ଚା କରିବା ଓ ଖାଦ୍ୟ ଗରମ କରିବା ମଧ୍ୟରେ ଗ୍ୟାସ ବ୍ୟବହାରକୁ ସୀମିତ ରଖିଲେ । ଏପରିକି ୩-୪ ମାସକୁ ଗୋଟିଏ ସିଲିଣ୍ଡର ବୁକିଂ କରୁଥିଲେ । କିନ୍ତୁ ଗତ କିଛି ମାସ ହେବ ଗ୍ୟାସ ଦର ଅହେତୁକ ବଢିବା ହେତୁ ସେ ଏବେ ଏହାକୁ ଆଉ ବ୍ୟବହାର କରିପାରୁନାହାନ୍ତି । ବାଧ୍ୟ ହୋଇ କାଠ ଚୁଲାରେ ରନ୍ଧାବଢା ଓ ଖାଇବା ଗରମ କରିବା ସବୁ କରୁଛନ୍ତି । ଏସବୁ ନିୟମିତ କରିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଘଟୁଛି । ଆଖି ପୋଡିବା ସହ କାଶ ମଧ୍ୟ ହେଉଛି ।
ଭୁବନେଶ୍ୱରର ଏକ ବସ୍ତିରେ ରହୁଥିବା ସରୋଜିନୀ ମଲ୍ଲିକ କୁହନ୍ତି, ଗାଁ ଗହଳରେ ବରଂ ଜାଳେଣି କାଠ ଉପଲବ୍ଧ ଓ ସେମାନେ ଜଙ୍ଗଲରୁ କାଠ ଆଣି ରନ୍ଧା କାମ କରିପାରିବେ କିନ୍ତୁ ବସ୍ତିରେ ଏହା ଏକ ସମସ୍ୟା । ଭଡା ଘରେ ରହୁଥିବା ଯୋଗୁଁ କାଠ ଚୁଲା ବ୍ୟବହାର କରିପାରୁନାହାନ୍ତି କି କିରୋସିନ କିଣି ପାରୁନାହାନ୍ତି । ଏଣୁ ଦରବୃଦ୍ଧି ହେଲେ ମଧ୍ୟ ସେ ସିଲିଣ୍ଡର ବୁକିଂ କରି ଗ୍ୟାସ କିଣିବାକୁ ବାଧ୍ୟ ହେଉଛନ୍ତି ଯାହାକି ତାଙ୍କ ପାଇଁ ଆର୍ଥିକ ବୋଝ ପାଲଟିଛି ।
ନିୟମ ଅନୁସାରେ ଜଣେ ହିତାଧିକାରୀ ବର୍ଷକରେ ୧୨ଟି ସିଲିଣ୍ଡର ବୁକିଂ କରିପାରିବ । କିନ୍ତୁ ବଢୁଥିବା ଦରବୃଦ୍ଧି ଯୋଗୁୁଁ ଉଜ୍ଜ୍ୱଳା ହିତାଧିକାରୀ ମାନେ ବର୍ଷକୁ ମାତ୍ର ୨-୩ଟି ସିଲିଣ୍ଡର ବୁକିଂ କରିପାରୁଛନ୍ତି । ଗରିବ ଶ୍ରେଣୀର ଲୋକମାନେ ଏତେ ଟଙ୍କା ଦେଇ ଗ୍ୟାସ ବୁକିଂ କରିବା ସମ୍ଭବ ହେଉନାହିଁ । କରୋନା ଯୋଗୁଁ ସଭିଙ୍କର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଥିବାରୁ ଇନ୍ଧନ ଗ୍ୟାସର ଏଭଳି ଦରବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।