ବହୁ ବର୍ଷର ସଂଘର୍ଷ ପରେ ନୟାଗଡଜିଲ୍ଲା ନୂଆଗାଁ ବ୍ଲକର ୧୨ଟି ଗାଁର ଲୋକଙ୍କୁ ଗୋଷ୍ଠୀ ବନ ସମ୍ବଳ ଅଧିକାର (କମ୍ୟୁନିଟୀ ଫରେଷ୍ଟ ରାଇଟସ) ଆଇନରେ ମାଲିକାନାସତ୍ୱ ମିଳିଛି । ଏହି ମାଲିକାନାସତ୍ୱ ପାଇବା ପରେ ଏବେ ପାଖାପାଖି ୩୦୦୦ ଏକର ଜଙ୍ଗଲ ଜମିର ସୁରକ୍ଷା ଦାୟିତ୍ୱ ସେମାନଙ୍କୁ ମିଳିବା ସହ ଏଥିରୁ ସଂଗୃହୀତ ଳଘୁବନଜାତଦ୍ରବ୍ୟକୁ ବିକ୍ରିକରି ସେମାନେ ପରିବାର ପ୍ରତିପୋଷଣ କରିପାରିବେ । ସାରା ଦେଶରେ ଓଡିଶା ପ୍ରଥମ କରି ଏଭଳି ମାଲିକାନାସତ୍ୱ ପ୍ରଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏବଂ ଅନ୍ୟ ଜିଲ୍ଲା ତୁଳନାରେ ନୟାଗଡ ଏହି ଦୌଡରେ ସବୁଠୁ ଆଗରେ ରହିଛି ।
ଭୁବନେଶ୍ୱର ;
ଏବେଠାରୁ ଜଙ୍ଗଲ ଆମର ହେଲା । ଠେଙ୍ଗାପାଳି କରି ବହୁ ବର୍ଷଧରି ଆମ ଗାଁ ଚାରିପାଖରେ ଥିବା ଜଙ୍ଗଲକୁ ଜଗାରଖା କରିବା ଏବଂ ଜଙ୍ଗଲ ବିଭାଗ ସହ ଏଥିନେଇ ବହୁ ସଂଘର୍ଷ ପରେ ଏବେ ଆମକୁ ଏହାର ମାଲିକାନାସତ୍ୱ ମିଳିଛି । କେବଳ ଜଙ୍ଗଲ ନୁହେଁ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଆମେ ଆମର ଅଧିକାର ଜାହିର କରିପାରିବୁ । ତାସାଙ୍ଗକୁ ଜଙ୍ଗଲକୁ ସୁରକ୍ଷା ଦେବା ମଧ୍ୟ ଆମର କାମ ଆଉ ଜଙ୍ଗଲରୁ ମିଳୁଥିବା ସାମଗ୍ରୀକୁ ବିକ୍ରି କରି ସେଥିରୁ ଆମେ ପରିବାର ଚଳେଇପାରିବୁ ବୋଲି କହନ୍ତି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ଗୁଣ୍ଡୁରିବାରୀ ଗାଁର ପ୍ରମିଳା ପଧାନ । ପ୍ରଥମଥର ପାଇଁ ଗୋଷ୍ଠୀ ବନ ସମ୍ବଳ ଅଧିକାରରେ ମାଲିକାନାସତ୍ୱ ପାଇବା ପରେ ଏମିତି ଉତର ରଖିଛନ୍ତି ଏହି ଓଡ଼ିଆ କନ୍ଧ ଆଦିବାସୀ ମହିଳା ।
ନୂଆଗାଁ ବ୍ଲକର ୧୨ଟି ଯାକ ଗାଁର ଲୋକଙ୍କୁ ଗୋଷ୍ଠୀଗତ ବନ ସମ୍ବଳ ଅଧିକାରର ମାଲିକାନାସତ୍ୱ ମିଳିବା ପରେ ସଂପୂର୍ଣ ନୟାଗଡ ଜିଲ୍ଲାର ଅନ୍ୟ ଗାଁର ଲୋକେ ଏବେ ଆଶାବାଦୀ ଯେ ବର୍ଷ ବର୍ଷ ଧରି ସେମାନେ ନିୟମିତ ଠେଙ୍ଗାପାଳି କରି ସୁରକ୍ଷା ଦେଇଥିବା ଜଙ୍ଗଲ ଏବେ ତାଙ୍କ ପାଖକୁ ଫେରି ଆସିବ । ତା ପୁଣି ରେଭିନ୍ୟୁ ଖାତା ଖତିଆନ୍ରେ । ସାରା ଦେଶରେ ଓଡିଶା ରାଜ୍ୟ ପ୍ରଥମ କରି ଏଭଳି ମାଲିକାନାସତ୍ୱ ଜଙ୍ଗଲ ଉପରେ ନିର୍ଭରଶୀଳ ଗାଁଲୋକଙ୍କୁ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରାଜ୍ୟର ଅଧିକାଂଶ ଜିଲ୍ଲାର ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକେ ଏହି ମାଲିକାନାସତ୍ୱ ପାଇଁ ଆବେଦନ କରିଥିଲେ ହେଁ ନୟାଗଡ ଜିଲ୍ଲା ଏହି ଦୌଡରେ ସବୁଠୁ ଆଗରେ ରହିଛି । ଜଙ୍ଗଲ ଅଧିକାର ଆଇନ୍ରେ ରେକର୍ଡ ଅଫ୍ ରାଇଟସ୍ର ଏହି ପରିବର୍ତନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଜଙ୍ଗଲ ଏବେ ଆମର
ନୂଆଗାଁ ବ୍ଲକର ଆମେହଁମୁହାଁ, ଗୌଡଚଂଚରପଲ୍ଲୀ, ବଡବରଣ, ବରଡଖାମାନ୍, ଡୁମଡୁମାପଲ୍ଲୀ, ଗୁଣ୍ଡୁରିବାରି, ବେଲବଣି, ତୁନିଆପଡା, ରକ୍ତପଟ୍ଟା, ମିନାଗାଡିଆ, ଅଚ୍ଚୁପଦ, ରଗଡିମାଡ, ବୁଢ଼ାପଦର, ନରାଜପଦ, ବାଲିସାହି, ବେହେରାସାହି, ଖଇପାନୁ, ମାଶାବାଡି ଆଦି ଗାଁକୁ ଗୋଷ୍ଠୀ ବନ ସମ୍ବଳ ଅଧିକାର ଆଇନ ବଳରେ ନଥିପତ୍ରରେ ମାଲିକାନାସତ୍ୱ ପ୍ରଦାନ କରାଯାଇଛି । ଫଳରେ ଗାଁ ଲୋକଙ୍କ ହାତକୁ ଆସିଛି ପାଖାପାଖି ୩୦୦୦ ଏକର ଜଙ୍ଗଲ ଜମିର ମାଲିକାନାସତ୍ୱ । ଏବେ ଗାଁର ଜଙ୍ଗଲକୁ ଜଗିବା, ତାର ସୁରକ୍ଷା କରିବା, ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିବା ଏସବୁ ଦାୟିତ୍ୱ ଗାଁଲୋକଙ୍କର । ଏହାବାଦ ଜଙ୍ଗଲରେ ଉପଲବ୍ଧ ସମସ୍ତ ଲଘୁବନଜାତ ଦ୍ରବ୍ୟ ନିୟମିତ ସଂଗ୍ରହ କରି ତାର ବିକ୍ରିବଟା କରିବା ଓ ସେଥିରୁ ରୋଜଗାର କରି ସେମାନେ ପରିବାର ଚଳାଇବା ସହ ଭବିଷ୍ୟତରେ ସ୍ୱାବଲମ୍ବୀ ମଧ୍ୟ ହୋଇପାରିବେ ।
ସବୁଠାରୁ ବଡ କଥା ହେଉଛି ଜଙ୍ଗଲ ଅଧିକାର ଆଇନ୍ରେ ରେକର୍ଡ ଅଫ୍ ରାଇଟସ୍ର ଏହି ପରିବର୍ତନ ଯୋଗୁଁ କେବଳ ଗ୍ରାମ୍ୟ ଜଙ୍ଗଲ ନୁହେଁ ବରଂ ସଂରକ୍ଷିତ ଜଙ୍ଗଲର କିଛି ଅଂଶ ଲୋକଙ୍କ ମାଲିକାନାସତ୍ୱକୁ ଆସିପାରିଛି । ମାଲିକାନାସତ୍ୱ ଫଳରେ ଜଙ୍ଗଲର କିପରି ସୁପରିଚାଳନା ହୋଇପାରିବ ସେଥିନେଇ ସବୁ ଗାଁରେ ଲୋକେ ନୂଆକରି ଗ୍ରାମ୍ୟ ଜଙ୍ଗଲ କମିଟି ଗଢ଼ିଛନ୍ତି । ଯେଉଁଥିରେ ମହିଳାମାନଙ୍କ ଭାଗିଦାରିତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତବର୍ଷ ଜଙ୍ଗଲ ନିଆଁର ସମୟରେ ଏହି ମାଲିକାନସତ୍ୱ ମିଳିଥିବା ବେଳେ ଜଙ୍ଗଲର ପରିସୀମା ଭିତରକୁ ଯେପରି ନିଆଁର ଝୁଲ ଟିକେ ନ ପଶିବ ସେଥିପାଇଁ ଗାଁ ଗାଁରେ କମିଟି ବସିଲାଣି । ଦେଖାରଖା ବି ଜୋର ଧରିଲାଣି । ଗାଁ ଲୋକେ ନିଜେ ନିଷ୍ପତି ନେଇ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରିବାର ବାଟ ଖୋଜିବା ଆରମ୍ଭ କଲେଣି । ମହୁଲ ସଂଗ୍ରହ ପାଇଁ ଯେପରି ଜଙ୍ଗଲରେ ମଣିଷକୃତ ନିଆଁ ନ ଲାଗେ ସେଥିପାଇଁ ଗାଁ ଲୋକେ ସଜାଗ ହେଲେଣି ।
ଆରଓଆରରେ ପରିବର୍ତନ ଯୋଗୁଁ ସମ୍ଭବ
ଗତ ତିନି ଦଶନ୍ଧି ଧରି ଜଙ୍ଗଲ ସୁରକ୍ଷା ଓ ଏଥିରେ ଗାଁଲୋକଙ୍କ ଭାଗିଦାରୀ ପାଇଁ ଲଢେଇ କରିଆସୁୁଥିବା ସେଚ୍ଛାସେବୀ ସଂଗଠନ ବସୁନ୍ଧରାର ଏକଜିକ୍ୟୁଟିଭ ଡାଇରେକ୍ଟର ଓାଇ ଗିରି ରାଓ କହିଛନ୍ତି; ଗୋଷ୍ଠୀ ବନ ସମ୍ବଳ ଅଧିକାର ପ୍ରଦାନ ସହ ଏହାର ରେକର୍ଡ ଅଫ୍ ରାଇଟସ୍ରେ ପରିବର୍ତନ ଆଣିବା କ୍ଷେତ୍ରରେ ସାରା ଭାରତରେ ଓଡିଶା ଉଦାହରଣ ସୃଷ୍ଟି କରିପାରିଛି । ବନବାସୀଙ୍କୁ ସେମାନଙ୍କ ଜଙ୍ଗଲରେ ପୂର୍ଣ୍ଣ କ୍ଷମତା ଦେବା ହିଁ ଜଙ୍ଗଲ ଅଧିକାର ଆଇନ ୨୦୦୮ର ମୂଳ ଲକ୍ଷ୍ୟ । ୨୦୧୦ବର୍ଷରେ ଯଦିଓ ଏହି ଆଇନ୍ ବଳରେ ବନବାସୀଙ୍କୁ ବ୍ୟକ୍ତିଗତ ମାଲିକାନାସତ୍ୱ ପ୍ରଦାନ କରାଗଲା ଓ ସେଥିରେ ରେକର୍ଡ ଅଫ୍ ରାଇଟସ୍(ଆର୍ଓଆର୍) ଲୋକଙ୍କ ହାତକୁ ଆସିଲା । ହେଲେ ଗୋଷ୍ଠୀ ବନ ସମ୍ବଳ ଅଧିକାରର ଆର୍ଓଆର୍ ପରିବର୍ତନ ନେଇ କୌଣସି ପ୍ରସଙ୍ଗ ଉଠିଲା ନାହିଁ । ପରେ ୨୦୧୮ବର୍ଷରେ ଗୋଷ୍ଠୀ ବନ ସମ୍ବଳ ଅଧିକାରରେ ରେକର୍ଡ ଅଫ୍ ରାଇଟସ୍(ଆର୍ଓଆର୍)ର ପରିବର୍ତନ ନେଇ ସ୍ୱତନ୍ତ୍ର ନିୟମ ଓ ଧାରା ଲାଗୁ ହେଲା । ତେବେ ଏହା ଲାଗୁ ହେବାର ୫ ବର୍ଷ ବିତି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ହୋଇ ପାରୁନଥିଲା । ତେବେ ୨୦୨୨ ବର୍ଷ ନଭେମ୍ବର ୧ରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଡା ନିର୍ଦ୍ଦେଶ ଜାରି କଲେ । ଫଳରେ ଚଳିତ ବର୍ଷ ନୟାଗଡ ଜିଲ୍ଲାରୁ ଏହା ଫଳପ୍ରଦ ହେବା ଆରମ୍ଭ ହୋଇଛି ।
ରେଭିନ୍ୟୁ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି; ବର୍ତମାନ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୫୫ ହଜାର ୬୭ ଜଣଙ୍କୁ ଜଙ୍ଗଲ ଅଧିକାର ଅଧିନିୟମରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୩ ଲକ୍ଷ ୨୧ ହଜାର ୩୬୫ ଜଣଙ୍କୁ ବ୍ୟକ୍ତିଗତ ମାଲିକାନାସତ୍ୱ ପ୍ରଦାନ କରାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମ୍ୟୁନିଟି ଫରେଷ୍ଟ ରିସୋର୍ସ ରାଇଟସ୍ରେ ସାରା ରାଜ୍ୟରେ ୩୪୮୦ ଜଣଙ୍କୁ ମାଲିକାନାସତ୍ୱ ପ୍ରଦାନ କରାଯାଇଥିବା କୁହାଯାଉଥିବା ବେଳେ ଜଣକୁ ହେଲେ ରେକର୍ଡ ଅଫ୍ ରାଇଟ୍ସରେ ମାଲିକାନାସତ୍ୱ ପ୍ରଦାନ କରାଯିବା ପାଇଁ ସାମିଲ କରାଯାଇପାରିନି ।
ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ କହିଛନ୍ତି ଲୋକଙ୍କ ଜଙ୍ଗଲ ଲୋକଙ୍କ ହାତକୁ ଗଲା । ଏଥିପାଇଁ ଦୀର୍ଘଦିନ ହେବ ଲୋକେ ଦାବି କରି ଆସୁଥିଲେ । ସରକାର ମଧ୍ୟ ୨୦୨୨ ନଭେମ୍ବର ୧ରେ ରେକର୍ଡଅଫ୍ ରାଇଟସ୍ରେ ମାଲିକାନାସତ୍ୱ ପ୍ରଦାନ କରିବାର ନିର୍ଦ୍ଦେଶ ଦେବା ପରେ ପ୍ରୟାସ ଆରମ୍ଭ ହେଲା । ଅନ୍ଲାଇନ୍ରେ ଏସବୁ କଲାବେଳେ ସାମାନ୍ୟ ସମସ୍ୟା ଉପୁଜିଥିଲେ ବି ଆମେ ତାହାକୁ ପ୍ରତିହତ କରି ଆଗକୁ ଆସିଛୁ । ଏବେ ଲୋକ ନିଜ ଜଙ୍ଗଲରୁ ସଂଗୃହୀତ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରିି ସ୍ୱାବଲମ୍ବୀ ହେବେ ଓ ତାହାର ସୁରକ୍ଷା କରିବେ ।