ମହିଳା ପୁଲିସଙ୍କ ପାଇଁ ନାହିଁ ସ୍ୱତନ୍ତ୍ର ଟଏଲେଟ

ରାଜ୍ୟରେ ୧୪.୨ ପ୍ରତିଶତ ମହିଳା ପୁଲିସଙ୍କ ପାଇଁ ନିଜ ଥାନାରେ ସ୍ୱତନ୍ତ୍ର ଭାବରେ ଟଏଲେଟର ବ୍ୟବସ୍ଥା ନାହିଁ । ୨୧.୬ ପ୍ରତିଶତ ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ନାହିଁ । ମହିଳା ପୁଲିସ କର୍ମଚାରୀ ମାନେ ପ୍ରତିଦିନ ସାମନା କରୁଥିବାଏହିଭଳି ଅନେକ ଚ୍ୟାଲେଞକୁ ନେଇ ସ୍ୱେଚ୍ଛାସେବୀ ସଂସ୍ଥା ସିଏସଏନଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏ ବିଷୟରେ ପ୍ରକାଶ ପାଇଛି । ରାଜ୍ୟରେ କୌଣସି ପୁଲିସ କର୍ମଚାରୀଙ୍କ ସାପ୍ତାହିକ ଛୁଟି ନାହିଁ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏହାର ଆବଶ୍ୟକତା ରହିଛି ବୋଲି ରିପୋର୍ଟ ରେ ସୁପାରିସ ମଧ୍ୟ କରାଯାଇଛି ।

ଭୁବନେଶ୍ୱର ;

ରାଜ୍ୟ ପୁଲିସରେ କାର୍ଯ୍ୟରତ ମହିଳା କର୍ମଚାରୀ କର୍ମକ୍ଷେତ୍ରରେ ଆବଶ୍ୟକ କରୁଥିବା ସାଧାରଣ ସୁବିଧା ଯେପରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ, ଅସମୟରେ ଘରକୁ ଫେରିବା ବେଳେ ଗାଡିର ବ୍ୟବସ୍ଥା ଆଦିରୁ ବଂଚିତ ହୁଅନ୍ତି ବୋଲି ନିକଟରେ ମହିଳା ପୁଲିସ କର୍ମଚାରୀ ସାମନା କରୁଥିବା ବିଭିନ୍ନ ଚ୍ୟାଲେଞ ଉପରେ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ତେବେ ଲିଙ୍ଗଗତ ସମାନତା, ଯୌନ ନିର୍ଯାତନା ଆଦି କ୍ଷେତ୍ରରେ ଓଡ଼ିଶା ରାଜ୍ୟର ମହିଳା ପୁଲିସ କର୍ମଚାରୀମାନେ ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରାଜ୍ୟର ଏକ ସେଚ୍ଛାସେବୀ ସଂସ୍ଥା ସିଏସଏନଆର ପକ୍ଷରୁ ଓଡ଼ିଶା, ବିହାର, ଛତିଶଗଡ ଓ ଝାଡଖଣ୍ଡ -ଆଦି ୪ଟି ରାଜ୍ୟର ମହିଳା ପୁଲିସ କର୍ମଚାରୀ ନିଜର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞକୁ ନେଇ ପ୍ରସ୍ତୁତ କରାଯାଇଥିବା ଅଧ୍ୟୟନ ରିପୋର୍ଟ ରେ ବିଭିନ୍ନ ତଥ୍ୟ ପ୍ରକାଶ ସହିତ କିଛି ଗୁରୁତ୍ୱପୂର୍ଣ ସୁପାରିସ ମଧ୍ୟ କରାଯାଇଛି । ମଣିପାଲ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ତଥା ମାନବ ସମ୍ବଳ ବିକାଶ ବିଶେଷଜ୍ଞ ଡକ୍ଟର ସୁସ୍ମିତା ପରିଜା ଏହି ଅଧ୍ୟୟନ ରିପୋର୍ଟଟି ପ୍ରସ୍ତୁତ କରିଛନ୍ତିି ।

ରିପୋର୍ଟରେ କଣ ରହିଛି

ବିଭିନ୍ନ ବର୍ଗର ୩୨୮ ଜଣ ମହିଳା ପୁଲିସଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟର ତଥ୍ୟ ଦର୍ଶାଉଛି ଯେ ସର୍ବାଧିକ ସଂଖ୍ୟକ ମହିଳା ପୁଲିସ କର୍ମଚାରୀ ଅର୍ଥାତ ୬୩.୭୨ ପ୍ରତିଶତ ନିଜ ନିଜ ପୁଲିସ ବିଭାଗରେ ୧ରୁ ୧୦ବର୍ଷ ଯାଏ ସେବାରେ ସହଯୋଗ କରିଥାଆନ୍ତି । ୮୮ ଜଣ ମହିଳା ପୁଲିସ କର୍ମଚାରୀ ବା ୨୬.୮୩ ପ୍ରତିଶତ ୧୧ରୁ ୨୦ ବର୍ଷ ପୁଲିସ ବିଭାଗରେ କାମ କରିଥାଆନ୍ତି । ଏପରିକି ୨୩ ଜଣ ୭.୦୧ ପ୍ରତିଶତ ମହିଳା ପୁଲିସ କର୍ମଚାରୀ ୨୧ରୁ ୩୦ ବର୍ଷ ପର୍ଯ୍ୟନ୍ତ ପୁଲିସ ବିଭାଗରେ ସେବା ପ୍ରଦାନ କରିଥାଆନ୍ତି । ଏବଂ ୮ ଜଣ ମହିଳା ପୁଲିସ କର୍ମଚାରୀ ୨.୪୪ ପ୍ରତିଶତ ପୁଲିସ ବିଭାଗରେ ୩୦ରୁ ଅଧିକ ସମୟ ସେବା ପ୍ରଦାନ କରିଥାଆନ୍ତି । ଏହା ଦେଖାଯାଇଛି ଯେ ଓଡ଼ିଶାରେ ୧୪.୦୨ ପ୍ରତିଶତ ମହିଳା ପୁଲିସ କର୍ମଚାରୀ ସ୍ୱତନ୍ତ୍ର ଭାବେ ସଫା ଓ ପରିଷ୍କାର ଶୌଚାଳୟ ପାଇପାରୁନାହାନ୍ତି କେବଳ ମାତ୍ର ୮.୫ ପ୍ରତିଶତ ମହିଳା ଏହାକୁ ଉପଲବ୍ଧ କରିପାରୁଛନ୍ତି । ସେହିପରି ୨୧.୬ ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ନାହିଁ ।

ସମଗ୍ର ରାଜ୍ୟରେ ମହିଳା ପୁଲିସ କର୍ମଚାରୀମାନେ ଅଳ୍ପ ବହୁତ ସମାନ ଚ୍ୟାଲେଞର ସମ୍ମୁଖୀନ ହେଉଛନ୍ତି । ଏହା ଦେଖାଯାଇଛି ଯେ ଚାରୋଟି ରାଜ୍ୟର ଅଧିକାଂଶ ମହିଳା ପୋଲିସ କର୍ମଚାରୀମାନେ ପରିବାର ତଥା ନିଜପାଇଁ ସମୟ ବାହାର କରିପାରନ୍ତି ନାହିଁ ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଜଣେ ମା ହିସାବରେ ନିଜ ପିଲାର ଯତ୍ନ ନେଇ ନପାରିବା ନିଶ୍ଚିତ ଚିନ୍ତାଜନକ ଏହା ମହିଳା ପୁଲିସ କର୍ମୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଏକ ଚ୍ୟାଲେଞ ବୋଲି ଏଥିରେ ଉଲ୍ଲେଖ ରହିଛି । ମୋଟାମୋଟି ଭାବେ ଗୋଟିଏ ଦିନ ସାପ୍ତାହିକ ଛୁଟି, ପରିଷ୍କାର ଏବଂ ଅଲଗା ଶୌଚାଳୟ ବିଶ୍ରାମ ଗୃହ, ପରିବହନର ସୁବିଧା ଇତ୍ୟାଦିର ଉପଲବ୍ଧତାକୁ ଅଧ୍ୟୟନରେ ଅଂଶଗ୍ରହଣ କରିଥିବା ମହିଳାମାନେ ଚାହୁଁଥିବା ପ୍ରକାଶ କରିଛନ୍ତି । ସେମାନଙ୍କ ଜୀବନକୁ ଉନ୍ନତ କରିବା ଏବଂ ପୁଲିସ ସେବାରେ କାର୍ଯ୍ୟର ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ପାଇଁ ଏହାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି । ରାଜ୍ୟସରକାର ପୁଲିସ ସେବାରେ ମଧ୍ୟ ଚୁକ୍ତି ଭିତିକ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି ଯାହାକି ପୁଲିସ ବିଭାଗରେ ଏକ ଅନୁକୂଳ ଧାରା ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି ।

କଣ ସୁପାରିସ କରାଯାଇଛି

ଏହି ରିପୋର୍ଟରେ ଅଂଶଗ୍ରହଣ କରିଥିବା ମହିଳା ପୁଲିସ କର୍ମଚାରୀ ମାନେ କହିଛନ୍ତି ଯେ, କାର୍ଯ୍ୟ କରିବାକୁ ଏକ ନିଦ୍ଦିଷ୍ଟ ସମୟ ସୀମା ରହିବା ଆବଶ୍ୟକ । ସପ୍ରାହକୁ ଗୋଟିଏ ଦିନ ଛୁଟି ପ୍ର୍ରତ୍ୟକ ପୁଲିସ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ହେବା ଉଚିତ । ମହିଳା ପୁଲିସ କର୍ମଚାରୀଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ୱଚ୍ଛ ଏବଂ ପରିଷ୍କାର ଶୌଚାଳୟ ରହିବା ଉଚିତ । ମାସିକ ସ୍ୱଚ୍ଛତା ବଜାୟ ରଖିବା ଏବଂ ପ୍ରତି ମାସରେ ଏହି ସମୟରେ ବିଶ୍ରାମ ନେବା ଅପରିହାର୍ଯ୍ୟ । ପୁଲିସ ମହିଳା କର୍ମଚାରୀମାନେ କାର୍ଯ୍ୟରେ ଦୀର୍ଘ ସମୟଧରି ୟୁନିଫର୍ମ ପିନ୍ଧନ୍ତି ଏବଂ ସେମାନଙ୍କୁ ଗର୍ଭାଶୟ ସଂକ୍ରମଣର ବିପଦ ରହିଥାଏ । ତେଣୁ କର୍ମକ୍ଷେତ୍ରରେ ପରିଷ୍କାର ଶୌଚାଳୟର ଆବଶ୍ୟକତା ରହିଛି । ନିର୍ମଳ ଓ ସ୍ୱଚ୍ଛ ପାଣିର ବ୍ୟବସ୍ଥା ପରି ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟକ ପୁଲିସ କାର୍ଯ୍ୟାଳୟରେ ଏହାର ବ୍ୟବସ୍ଥା ରହିବା ଆବଶ୍ୟକ ।

ଅଲ ଇଣ୍ଡିଆ ସର୍ଭିସ (ଛୁଟି ) ନିୟମ ୧୯୫୫ ଅନୁଯାୟୀ ଜଣେ ମହିଳା ପୁଲିସ କର୍ମୀଙ୍କୁ ଶିଶୁର ଯତ୍ନ ପାଇଁ ଛୁଟି ଦେବାର ନିୟମ ରହିଛି । ଏହା କାର୍ଯ୍ୟରତ ମହିଳାମାନଙ୍କ ପାଇଁ ପିଲାଙ୍କର ଯତ୍ନ ନେବାକୁ ସହଜ କରିଥାଏ । ଏହି ଛୁଟି ପୁଲିସ ମହିଳାମାନଙ୍କୁ ସେମାନଙ୍କ ପିଲାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶେଷ ଭାବେ ସାହାଯ୍ୟ କରିବ । ଏଥିପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ଗ୍ରହଣ କରିବା ଉଚିତ ଏବଂ ଏହାକୁ ପୁଲିସ ବିଭାଗରେ ଚିଠି ଏବଂ ବାସ୍ତବରେ କାର୍ଯ୍ୟକାରୀ କରାଯିବା ଉଚିତ । ଏହି ରିପୋର୍ଟ ଉନ୍ମୋଚନ ଅବସରରେ ଆୟୋଜିତ କର୍ମଶାଳାରେ ମହିଳା ଆୟୋଗ ଅଧ୍ୟକ୍ଷା ମିନତି ବେହେରା, ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ମନମୋହନ ପ୍ରହରାଜ ଅବରସପ୍ରାପ୍ତ ଆଇପିଏସ ଗୌରୀଶଙ୍କର ରଥ , ଉତ୍କଳ ପ୍ରସଙ୍ଗ ସଂପାଦକ କସ୍ତୁରୀ ମହାପାତ୍ର ଏବଂ ନାଓର ବିଶାଖା ଭଞ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *