ଗତ ଏକ ଦଶନ୍ଧି ଧରି ଗଞାମ ଜିଲ୍ଲାର ୭୦ଟି ଗାଁର ଲୋକେ କୃଷ୍ଣସାର ମୃଗ ସଂରକ୍ଷଣ ଓ ସୁରକ୍ଷା କାମ କରିଆସୁଛନ୍ତି । କୃଷ୍ଣସାର ମୃଗଙ୍କ ସଂଖ୍ୟାରେ ବୃଦ୍ଧି ହେବା ଯୋଗୁଁ ଫସଲ ନଷ୍ଟର ମାତ୍ରା ବି ବଢିଛି କିନ୍ତୁ ଗାଁ ଲୋକେ କୁହନ୍ତି କୃଷ୍ଣସାର ମୃଗ ସଂରକ୍ଷଣ ସେମାନଙ୍କୁ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।
ଭୁବନେଶ୍ୱର ;
ଅକ୍ଟୋବରରୁ ଫେବୃଆରି ମାସ ହେଉଛି ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ପ୍ରକୃଷ୍ଠ ସମୟ । ଆଉ ଏଇ ସମୟରେ ଅନ୍ୟ ପର୍ଯ୍ୟଟନ ସ୍ଥଳ ଭଳି ଗଞାମ ଜିଲ୍ଲା ର ଭେଟନଈ ଗାଁ ସାଂଗକୁ ଆଖପାଖର ୬୯ଟି ଗାଁ ମଧ୍ୟ ବେଶ ଚଳଚଂଚଳ ହୋଇଉଠେ । କାରଣ ଗତ ଏକ ଦଶନ୍ଧି ଧରି ଗଞାମ ଜିଲ୍ଲାର ଏଇ ଗାଁ ଲୋକେ କୃଷ୍ଣସାର ମୃଗ ସଂରକ୍ଷଣ ଓ ସୁରକ୍ଷା କାମ କରିଆସୁଛନ୍ତି ଯାହାକୁ ଦେଖିବା ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରର ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । କୃଷ୍ଣସାର ମୃଗ କିପରି ଅନାୟସରେ ଖୋଲା ପଡ଼ିଆରେ ବିଚରଣ କରିପାରିବେ ଓ ନିଜର ଆବଶ୍ୟକତା ହିସାବରେ ଖାଇପାରିବେ ସେଥିପାଇଁ ସେମାନେ ନିଜର ଚାଷ ଜମି ଏହି ନିରୀହ ପ୍ରାଣୀ ମାନଙ୍କ ପାଇଁ ବିନା କଟକଣାରେ ଛାଡ଼ି ଦେଇଛନ୍ତି । ଏଇ ଗାଁ ଲୋକଙ୍କ ପାଇଁ ଧନ ସଂପତି, ଖୁସି ବାସ ଏସବୁର କାରଣ ଏହି କୃଷ୍ଣସାର ମୃଗ । ଯାହାର ଫଳ ସ୍ୱରୂପ ଆଜି ଭେଟନଈ ଗାଁ କୃଷ୍ଣସାର ମୃଗ ସଂରକ୍ଷଣରେ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।
ଗାଁ ପାଇଁ ଲକ୍ଷ୍ମୀ
ଭେଟନଈ ଗାଁ ଲୋକଙ୍କ ପାଇଁ କୃଷ୍ଣସାର ମୃଗ ଓ ସେମାନଙ୍କ ସଂରକ୍ଷଣ କାମ ଏତେ ସହଜ ନଥିଲା । ଗାଁ ର ପୁରୁଖା ଲୋକମାନେ କହନ୍ତି କୃଷ୍ଣସାର ମୃଗ ସହ ସେମାନଙ୍କ ସଂପର୍କ ବାପା ଜେଜେ ଅମଳରୁ । ପୂର୍ବପୁରୁଷ ମାନଙ୍କ ଠାରୁ ଶୁଣିଛନ୍ତି ପୁର୍ବରୁ କାଳେ ଏଠାରେ ମରୁଡ଼ି ହୋଇଥିଲା । ତିନିବର୍ଷଧରି ଲଗାତାର ଭାବେ ମରୁଡ଼ି ହେଲା । ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ଖାଇବାକୁ ପାଉନଥିଲେ । ଭୋକ ବିକଳରେ ମଣିଷ କଥା ଛାଡ଼ ବନ୍ୟପ୍ରାଣୀ ମାନେ ବି ଜଙ୍ଗଲରୁ ଗାଁ ମୁହାଁ ହେଲେ । ସେତେବେଳେ କୃଷ୍ଣସାର ମୃଗ ପ୍ରଥମକରି ଗାଁ ଲୋକଙ୍କ ଚାଷଜମିରେ ପଶିବା ଆରମ୍ଭ କଲେ । ତା ପରବର୍ଷ ବର୍ଷା ହେଲା ଓ ଗାଁରେ ସ୍ୱାଭାବିକ ପରିସ୍ଥିତି ଫେରିଲା । କ୍ଷେତରେ ଫସଲ ଅମଳ ହେଲା । ସେବେଠାରୁ ଲୋକଙ୍କର ବିଶ୍ୱାସ ଅଛି ଯେ ଏମାନେ ଗାଁ ପାଇଁ ଲକ୍ଷ୍ମୀ । ତେଣୁ ଗାଁ ଲୋକ ଏମାନଙ୍କୁ କେବେ ଖାଇବାରୁ ଘଉଡ଼ାଇ ନାହାନ୍ତି । ଯେଉଁଥିପାଇଁ ଭେଟନଈ ଗାଁର ୩୦ କିମି ପରିଧି ଭିତରେ ଥିବା ସମସ୍ତ ଗାଁରେ କୃଷ୍ଣସାର ମୃଗ ମାନେ ଅନାୟସରେ ବୁଲି ପାରୁଛନ୍ତି । ଏହାକୁ ନେଇ ଲୋକକଥା ବି ରହିଛି । ଯେହେତୁ ପ୍ରଭୁ ଶ୍ରୀରାମ ହରିଣ ପଛରେ ଗୋଡ଼ାଇ ସୀତାଙ୍କୁ ହରାଇଲେ ତେଣୁ ଏଠି ଯିଏ କୃଷ୍ଣସାର ମୃଗଙ୍କୁ ଆଘାତ କରିବ ଅଥବା ସେମାନଂକୁ ଘଉଡ଼ାଇବ ତାର ଖରାପ ପରିସ୍ଥିତି ଆସିବ । ଏସବୁ ପୌରାଣିକ ଓ ଲୋକକଥାକୁ ଆଧାର କରି ଗାଁ ଲୋକ ଆଜିଯାଏଁ ସେମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ତେବେ କୃଷ୍ଣସାର ମୃଗଙ୍କ ଖତହିଁ ବେଶି ଉର୍ବର ଓ ଏଥିଯୋଗୁଁ ଫସଲ ଭଲ ହୋଇଥାଏ ବୋଲି କିଛି ପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି ।
ମୃଗଙ୍କ ସୁରକ୍ଷା
କ୍ୃଷ୍ଣସାର ମୃଗ ତୃଣଭୋଜି ପ୍ରାଣୀ ହୋଇଥିବା ବେଳେ ବିଚରଣ କରିବାପାଇଁ ବଡ଼ ଚାରଣ ଭୂଇଁର ଆବଶ୍ୟକ କରିଥାଆନ୍ତି । ସେହିପରି ଜୀବନଧାରଣ ପାଇଁ ବହୁତ ଖାଦ୍ୟ ଦରକାର କରନ୍ତି । ଦେଶରେ ଯେଉଁ କେତୋଟି ପ୍ରଜାତିର ପ୍ରାଣୀ ଏବେବି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ତା ଭିତରୁ କୃଷ୍ଣସାର ଅନ୍ୟତମ । ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜନସହଭାଗିତା ବିକଳ୍ପ ମାଧ୍ୟମ ବୋଲି ସମସ୍ତେ କହୁଥିବା ବେଳେ ଜନସହଭାଗିତାର ଉଦାହରଣ ସୃଷ୍ଟି କରି ପାରିଛନ୍ତି ଭେଟନଈ ଗାଁ ଲୋକେ । କେବଳ ଭେଟନଈ ଗାଁ ନୁହେଁ ଏଠି ଅନ୍ୟ ୬୯ଟି ଗାଁ ରେ ବି କୃଷ୍ଣସାର ମୃଗ ମାନେ ଅନାୟାସରେ ବୁଲିପାରନ୍ତି । ଏମାନେ ପ୍ରାୟତଃ ଘାସ ସମେତ ସମସ୍ତ ଡ଼ାଲି ଜାତୀୟ ଶସ୍ୟ କ୍ଷେତରେ ବିଚରଣ କରି ନିଜର ଆବଶ୍ୟକତା ମୁତାବକ ଖାଦ୍ୟ ଖାଇଥାନ୍ତି । କୃଷ୍ଣସାର ମୃଗଙ୍କ ପାଇଁ ଏହି ସମସ୍ତ ଗାଁ ର ପ୍ରତିଟି ସଦସ୍ୟ ଜଣେ ଜଣେ ରକ୍ଷାକର୍ତା ଓ ପାଳନକର୍ତା । ଏଇ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ନିୟମିତ କାର୍ଯ୍ୟ କରୁଥିବା ଭେଟନଈ ଗାଁର ୫୨ ବର୍ଷୀୟ କୈଳାସ ଚନ୍ଦ୍ର ମହାରଣା କହନ୍ତି, ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ୱେ କେତେବେଳେ କୃଷ୍ଣସାର ମୃଗକୁ ଉଦ୍ଧାର କରିବା କାମରେ ତ ଆଉ କେତେବେଳେ ସେମାନଙ୍କ ଲାଳନପାଳନରେ ସମୟ ବିତି ଯାଉଛି । ପେଷାରେ ଶିକ୍ଷକତା କରୁଥିବା କୈଳାସ ଜଣେ ପଶୁପ୍ରେମୀ ଏବଂ ଗତ ୨୭ ବର୍ଷ ଧରି ସ୍ୱେଚ୍ଛାକୃତ ଭାବେ ମୃଗଙ୍କ ସୁରକ୍ଷା କାମ କରିଆସୁଛନ୍ତି । ଏଥିପାଇଁ ତାଙ୍କ ବାପାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସହଯୋଗ କରିଥାନ୍ତି । ମୈତ୍ରୀ କ୍ଳବ ନାମରେ ଏକ ସଂସ୍ଥା ଚଳାଇବା ସହ ଏଯାବତ୍ ସେ ୨୦୦ରୁ ଅଧିକ ବନ୍ୟଜନ୍ତୁଙ୍କୁୁ ବିଭିନ୍ନ ସମୟରେ ବିପଦରୁ ରକ୍ଷା କରିପାରିଛନ୍ତି । ଏହି ବନ୍ୟଜନ୍ତୁ ଯଦି କିଛି ଆଘାତ ପାଇଥାନ୍ତି ତେବେ ସେ ପ୍ରାକୃତିକ ପ୍ରଣାଳିରେ ସେମାନଙ୍କ ଚିକିତ୍ସା କରିଥାନ୍ତି ।
କୈଳାସଙ୍କ ବ୍ୟତୀତ ଗାଁ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ପରୋକ୍ଷଭାବେ କୃଷ୍ଣସାର ମୃଗ ସଂରକ୍ଷଣ କାମରେ ମାତିଛନ୍ତି । ଭେଟନଈ ସମେତ ଜଗନ୍ନାଥ ପ୍ରସାଦ, ଘୁମସର ଓ ବ୍ରହ୍ମପୁର ଆଦି ଅନେକ ଅଂଚଳର ଅଙ୍ଗନବାଡି କେନ୍ଦ୍ର ରେ କୃଷ୍ଣସାରମୃଗଙ୍କ ଚିତ୍ର କାନ୍ଥରେ ଅଙ୍କାଯାଇ ପିଲାବେଳୁ କୁନି କୁନି ପିଲାଙ୍କ ମନରେ ଏମାନଙ୍କ ପ୍ରତି କୌତୁହଳ ସୃଷ୍ଟି କରାଯାଉଛି । ଗାଁ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜସ୍ୱ ଉଦ୍ୟମରେ କୃଷ୍ଣସାରମୃଗଙ୍କୁ ସୁରକ୍ଷା ଦେବା ସହ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ପାଇଁ ଲିଫ୍ଲେଟ୍ ପ୍ରସ୍ତୁତ କରି ଏହାକୁ ନିୟମିତ ବାଂଟି ଥାନ୍ତି, ବୋଲି କୁହନ୍ତି ଗତ ୨୦ ବର୍ଷ ଧରି ଏ କାମରେ ନିୟୋଜିତ ଥିବା ବିଷ୍ଣୁ ମାଝି । ତାଛଡ଼ା ବିଭିନ୍ନ ସରକାରୀ ସ୍କୁଲ କାନ୍ଥରେ ମଧ୍ୟ ଏମାନଙ୍କ ଚିତ୍ର ପିଲାମାନଙ୍କୁ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପ୍ରେରିତ କରୁଛି । ବିଭିନ୍ନ ଅନ୍ତରାଳରେ ସ୍କୁଲପିଲାଙ୍କ ମଧ୍ୟରେ ଏମାନଙ୍କୁ ନେଇ ସାଧାରଣଜ୍ଞାନ, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ଓ ରଚନା ଲିଖନ ଭଳି କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେଉଛି । ଏଭଳି କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ହେଉଛି ଆଗାମୀ ପିଢିକୁ କୃଷ୍ଣସାର ମୃଗ ସଂରକ୍ଷଣ ଦିଗରେ ସଚେତନ କରିବା ବୋଲି କୁହନ୍ତି କୈଳାସ ।
କୈଳାସଙ୍କ ବ୍ୟତୀତ ଗାଁ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ପରୋକ୍ଷଭାବେ କୃଷ୍ଣସାର ମୃଗ ସଂରକ୍ଷଣ କାମରେ ମାତିଛନ୍ତି । ଭେଟନଈ ସମେତ ଜଗନ୍ନାଥ ପ୍ରସାଦ, ଘୁମସର ଓ ବ୍ରହ୍ମପୁର ଆଦି ଅନେକ ଅଂଚଳର ଅଙ୍ଗନବାଡି କେନ୍ଦ୍ର ରେ କୃଷ୍ଣସାରମୃଗଙ୍କ ଚିତ୍ର କାନ୍ଥରେ ଅଙ୍କାଯାଇ ପିଲାବେଳୁ କୁନି କୁନି ପିଲାଙ୍କ ମନରେ ଏମାନଙ୍କ ପ୍ରତି କୌତୁହଳ ସୃଷ୍ଟି କରାଯାଉଛି ।
ବନବିଭାଗର ସହଯୋଗ
ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ଅନୁସାରେ କୃଷ୍ଣସାର ମୃଗ ସିଡ଼୍ୟୁଲ ୧ ତାଲିକାଭୁକ୍ତ ବନ୍ୟପ୍ରାଣୀ । ସେହିପରି ଆଇୟୁସିଏନ୍ ରେଡ଼ ଲିଷ୍ଟ ତାଲିକାରେ ବି ଏମାନଙ୍କର ସ୍ଥାନ ରହିଛି । ୧୯୯୦ ଦଶକ ବେଳକୁ ସେମାନଙ୍କ ସଂଖ୍ୟା କାଁଭାଁ ଥିଲା । ମାତ୍ର ଜନସହଭାଗିତା ଯୋଗୁଁ ଏହି ବିରଳ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ଆରମ୍ଭ ହେଲା । ଆଉ ଏବେ ସେମାନଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ସ୍ଥାନୀୟ ବନ ବିଭାଗ ଦ୍ୱାରା କୃଷ୍ଣସାର ମୃଗଙ୍କ ଉପରେ କରାଯାଇଥିବା ସର୍ବେକ୍ଷଣରୁ ଜଣାଯାଇଛି ଯେ ୨୦୧୧ ମସିହାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୧୫୩୩ ଥିବା ବେଳେ ୨୦୧୮ ରେ ଏହା ୨୮୦୯ ଓ ୨୦୨୦ ବେଳକୁ ଏହା ୬୮୭୫କୁ ବୃଦ୍ଧି ପାଇ ପାରିଛି । ଏବାବଦରେ ଗାଁ ର ଅମୂଲ୍ୟ ଉପାଧ୍ୟାୟ ଯିଏ କୃଷ୍ଣସାର ମୃଗ ସଂରକ୍ଷଣ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି କୁହନ୍ତି, ୧୯୯୦ ମସିହାରେ କୃଷ୍ଣସାର ମୃଗ ସୁରକ୍ଷା କମିଟି ଗଠନ କରାଯାଇଥିଲା । ପରେ ଗାଁ ଲୋକଙ୍କ ସହଭାଗିତାରେ ଜିଲ୍ଲା ସ୍ତରୀୟ କୃଷ୍ଣସାର ମୃଗର ସୁରକ୍ଷା କମିଟି ଗଠନ କରାଗଲା । ଯେଉଁମାନେ କି କୃଷ୍ଣସାର ମୃଗର ସୁରକ୍ଷା ପାଇଁ ଢାଲ ପରି ଛିଡ଼ା ହେଲେ । ଦିନକୁ ଦିନ କୃଷ୍ଣସାର ମୃଗଙ୍କ ସଂଖ୍ୟାରେ ବୃଦ୍ଧି ହେବା ସହ ଫସଲ ନଷ୍ଟର ମାତ୍ରା ବି ବଢିଛି । ହେଲେ ଗାଁ ଲୋକେ କେବେହେଲେ ସେମାନଙ୍କୁ କ୍ଷତି ପହଂଚାଇବାକୁ ଚାହିଁନାହାନ୍ତି । କୃଷ୍ଣସାର ମୃଗଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏବେ ସ୍ଥାନୀୟ ବନ ବିଭାଗ ମଧ୍ୟ ସହଯୋଗର ହାତ ବଢାଇଛି ।
କୃଷ୍ଣସାରଙ୍କ ପାଇଁ ଏବେ ରାସ୍ତା ଦୁର୍ଘଟଣା ଓ କୁକୁରମାନେ ଘାତକ ସାଜିଥିବା ବେଳେ ଆହତ ମୃଗଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ଔଷଧ ଲଗାଇ ସେମାନଙ୍କର ଚିକିତ୍ସା କରାଯାଉଥିଲା ବେଳେ େବେ ହଳଦୀରେ ପ୍ରସ୍ତୁତ ଏକ ଲେପ ଦ୍ୱାରା ସେମାନଙ୍କ ଯତ୍ନ ନିଆଯାଉଛି । ହାତୀଭଳି ମଣିଷମାନଙ୍କ ସ୍ପର୍ଶରେ ଆସିଲେ କୃଷ୍ଣସାର ମୃଗଙ୍କୁ ମଧ୍ୟ ତାଙ୍କ ସଂପ୍ରଦାୟ ଗ୍ରହଣ କରିନଥାଏ । ଏଭଳି ପ୍ରତ୍ୟାଖ୍ୟାନକୁ ଏଡ଼ାଇବା ପାଇଁ ବନବିଭାଗ ଏଣିକି ଚିକିତ୍ସା ପରେ ସେମାନଙ୍କ ଶରୀରରେ ହଳଦୀର ଏକ ପ୍ରଲେପ ଦେବା ଆରମ୍ଭ କରିଛି । ଏହାଛଡ଼ା ଦୂରରୁ କିପରି ପର୍ଯ୍ୟଟକ ସେମାନଙ୍କ ଗତିବିଧିକୁ ଦେଖି କ୍ୟାମେରା ଫ୍ରେମରେ ସେହି ମୂହୁର୍ତକୁ ବାନ୍ଧି ରଖି ପାରିବେ ସେଥିପାଇଁ ଏକ ଚାରିମହଲା ୱାଚ ଟାୱରର ବନ୍ଦୋବସ୍ତ କରାଯାଇଛି । ଏ ବାବଦରେ ପିସିସିଏଫ୍ (ବନ୍ୟଜନ୍ତୁ) ଶଶୀ ପଲ୍ କୁହନ୍ତି; ପର୍ଯ୍ୟଟନ ଦୃଷ୍ଟିକୋଣରୁ କୃଷ୍ଣସାର ମୃଗମାନଙ୍କୁ ଭଲ ଭାବେ ଦେଖିବା ଓ ସେମାନଙ୍କ ବ୍ୟବହାରିକ ପରିବର୍ତନକୁ ଅନୁଧ୍ୟାନ କରିବା ପାଇଁ ସ୍ଥାନୀୟ ବନବିଭାଗ ଏକ ଚାରି ଥାକିଆ ୱାଚ ଟାୱର ନିର୍ମାଣ କରିଛି । ଯାହାକି କୃଷ୍ଣସାର ମୃଗମାନଙ୍କୁ ନିରୀକ୍ଷଣ କରିବା ଦିଗରେ ବିଭାଗ ପାଇଁ ସହାୟକ ହୋଇ ପାରିଛି । ଏହାଛଡା ସ୍ଥାନୀୟ ଲୋକଙ୍କ ଫସଲକୁ ସୁରକ୍ଷା ଦେବାକୁ ଯାଇ ଗାଁକୁ ଲାଗିକରି ଥିବା ଖାଲି ଜାଗାରେ ବନ ବିଭାଗ କୃଷ୍ଣସାରଙ୍କ ଖାଇବା ପାଇଁ ଚାରଣ ଭୂଇଁ ସୃଷ୍ଟି କରିଛି । ଜନସହଭାଗିତାରେ କିପରି ଏହି ନିରୀହ ପଶୁଙ୍କ ସୁରକ୍ଷା ଓ ସଂରକ୍ଷଣ କାମ କରାଯାଇ ପାରିବ ସେଥିପାଇଁ ବିଭାଗ ସମସ୍ତ ପ୍ରକାର ଆର୍ଥିକ ଓ ବୈଷୟିକ ସହାୟତା ବି ଯୋଗାଇ ଦେଉଛି । ସମ୍ପୂର୍ଣ୍ଣ ଅଂଚଳକୁ ସଂରକ୍ଷିତ ଅଂଚଳ ଭାବେ ମଧ୍ୟ ଘୋଷଣା କରାଯାଇଛି । ସବୁଠାରୁ ବଡ କଥା ହେଉଛି ଜନସହଭଗିତାରେ ବିଭାଗ ଏହି କାମ କରିବାରେ ଆତ୍ମସନ୍ତୋଷ ପାଉଛି ।
ପର୍ଯ୍ୟଟକଙ୍କ ଭିଡ଼
କୃଷ୍ଣସାର ମୃଗଙ୍କ ଯୋଗୁଁ ପ୍ରତିବର୍ଷ ଗାଁର ଏକର ଏକର ଫସଲ ନଷ୍ଟ ହେଉଛି ସତ କିନ୍ତୁ ସେମାନଙ୍କ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅର୍ଥ ଉପାର୍ଜନର ଭିନ୍ନ ଏକ ପଥ ଦେଖିପାରିଛନ୍ତି । ଡ଼ିସେମ୍ବର ଓ ଜାନୁଆରୀ ମାସ ହେଲେ ଗଞାମ ଜିଲ୍ଲାର ଭେଟନଈ ଗାଁ ଆଡ଼କୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଗତ ଦୁଇବର୍ଷ ହେବ କେରାନା ଯୋଗୁଁ ଯଦିଓ ପର୍ଯ୍ୟଟକଙ୍କ ଆଗମନ କିଛିଟା ପ୍ରଭାବିତ ହୋଇଛି ହେଲେ ବିଶେଷଜ୍ଞ ଦଳ, ଫଟୋଗ୍ରାଫର ଓ ପ୍ରକୃତି ପ୍ରେମୀଙ୍କ ପାଦ ଏଥିରୁ ବିରତି ନେଇନି ।
ଏଅଂଚଳକୁ ନିୟମିତ ପର୍ଯ୍ୟଟକଙ୍କ ଆଗମନ ହେତୁ ଯୁବପିଢି ରୋଜଗାରର ବିଭିନ୍ନ ସୁଯୋଗ ପାଉଛନ୍ତି । କୈଳାସ ମଧ୍ୟ ଭେଟନଈ ଗାଁ କୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାରର ଆତିଥ୍ୟତା ଯୋଗାଇଦେବା ପାଇଁ ନିଜସ୍ୱ ଉଦ୍ୟମରେ ଆସ୍କାରେ ଏକ ହୋମ ଷ୍ଟେ କରିଛନ୍ତି । ତେବେ ଗାଁ ଲୋକଙ୍କ କହିବା ହେଉଛି ରାଜ୍ୟ ସରକାର ଏବେ ପର୍ଯ୍ୟଟନର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରୁଥିବା ବେଳେ ଗଞାମଜିଲ୍ଲା ର ଏହି ଗାଁ ଗୁଡ଼ିକର ଉନ୍ନତି ସହ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କଲେ ଏଠାକୁ ଅନେକ ପର୍ଯ୍ୟଟକ ଆସିବେ ଓ ଲୋକଙ୍କ ରୋଜଗାର ମଧ୍ୟ ବଢିବ ।