କ୍ରିକେଟ ସବୁବେଳେ ପୁରୁଷ ମାନଙ୍କ ଖେଳ ଭାବେ ଧରାଯାଏ । କ୍ରିକେଟ ପୁଣି ଦୃଷ୍ଟିହୀନ ମହିଳାମାନେ ଖେଳିବେ ଓ ଚାମ୍ପିଅନ ହେବେ ଏକଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାକୁ ପ୍ରମାଣିତ କରିପାରିଛନ୍ତି ଓଡ଼ିଶାର ବିଭିନ୍ନ ଆଦିବାସୀ ଅଂଚଳରୁ ଆସିଥିବା ଏହି ଦୃଷ୍ଟିହୀନ ମହିଳା କ୍ରିକେଟ ଖେଳାଳି । ନିକଟରେ ବାଙ୍ଗାଲୋରଠାରେ ଆୟୋଜିତ ତୃତୀୟ ଜାତୀୟ ଦୃଷ୍ଟିହୀନ ଟ୍ୱେଂଟି-୨୦ ମହିଳା କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚାମ୍ପିଅନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି । ଓଡ଼ିଶା ୮ ଓିକେଟରେ କଣ୍ର୍ାଟକକୁ ପରାସ୍ତ କରି ଗତଥର ଫାଇନାଲ ପରାଜୟର ଏକପ୍ରକାର ପ୍ରତିଶୋଧ ନେଇଛି । କିନ୍ତୁ ଚାମ୍ପିଅନ ହେବାର ଏ ଯାତ୍ରା ସେମାନଙ୍କ ପାଇଁ ଏତେ ସହଜ ନଥିଲା । ଏଥିପାଇଁ ପ୍ରତିକ୍ଷେତ୍ରରେ ସେମାନଙ୍କୁ ସଂଘର୍ଷ କରିବାକୁ ପଡିଛି ।
ଭୁବନେଶ୍ୱର ;
ପରିବାରରେ ଭିନ୍ନକ୍ଷମ ଶିଶୁଟିଏ ଜନ୍ମ ହେଲେ ବାପା ମା, ବନ୍ଧୁ ପରିଜନ ଓ ସଂପର୍କୀୟ ସମସ୍ତଙ୍କ ମନରେ ବିଷାଦ ଭରିଯାଏ । ଠିକ ସେହିଭଳି ଘଟିଥିଲା ବାଲେଶ୍ୱର ରେମୁଣାର ଏକ ନିପଟ ଗାଁର ଆଦିବାସୀ ପରିବାରରେ ଯେତେବେଳେ ଫୁଲ ସୋରେନ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ପରେ ପରିବାର ଲୋକେ ଯେତେବେଳେ ଜାଣିଲେ ଯେ ସେ ଦୃଷ୍ଟିହୀନ ସେମାନେ ଭାବିିନେଇଥିଲେ ଯେ ସେ ଆଗକୁ କିଛି କରିପାରିବେ ନାହିଁ । କିନ୍ତୁ ବାଲେଶ୍ୱରରେ ହଷ୍ଟେଲରେ ରହି ପାଠ ପଢୁଥିବା ସମୟରେ ସେ କ୍ରିକେଟ ପ୍ରତି ଆଗ୍ରହୀ ହେଲେ ଆଉ ଘରଲୋକଙ୍କୁ ଏବିଷୟରେ କହିଲେ ତାଙ୍କୁ ଏଥିରେ ସହଯୋଗ କରିବାକୁ କିନ୍ତୁ ଅଧିକାଂଶ ପରିବାର ଭଳି ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଥିଲା । କିନ୍ତୁ ସେ ହାର ମାନି ନଥିଲେ ତାଙ୍କ କ୍ରିକେଟ ଖେଳିବା ଜିଦ ଯୋଗୁଁ ଆଜି ତାଙ୍କ ନେତୃତ୍ୱରେ ଓଡ଼ିଶା ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛି । ଏ ଖବର ପ୍ରଚାର ହେବା ପରେ ପ୍ରଥମେ ତାଙ୍କୁ ଖେଳିବାକୁ ଆକଟ କରୁଥିବା ତାଙ୍କ ପରିବାର ଖୁସିରେ ଗାଁରେ ମିଠାବାଂଟୁଛନ୍ତି । ଆମେ ଟୁର୍ଣାମେଂଟ ଜିତିବା ପରେ ମୁଁ ଘରକୁ ଫୋନ କରିଥିଲି ଆଉ ଘର ଲୋକେ କହିଲେ ଖବରକାଗଜରେ ଆମର ଫଟୋ ବାହାରିଛି ଆଉ ସେମାନେ ଗାଁରେ ମିଠା ବାଂଟୁଛନ୍ତି । ସେମାନେ ବହୁତ ଖୁସି ଅଛନ୍ତି । ମୋତେ ବି ଖୁସି ଲାଗିଥିଲା ଯେଉଁ ପୃଷ୍ଠାରେ ବିରାଟ କୋହଲିଙ୍କର ଫଟୋ ଥିଲା ସେହି ପୃଷ୍ଠାରେ ଆମ ଟିମର ମଧ୍ୟ ଫଟୋ ବାହାରିଥିଲା, ବୋଲି ଖୁସିରେ କୁହନ୍ତି, ୧୫ ବର୍ଷର ଫୁଲ ସୋରେନ, ଯିଏକି ଏବେ ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଦଳର କ୍ୟାପଟେନ ଅଛନ୍ତି ।
ଏମିତି ତ କ୍ରିକେଟ ସବୁବେଳେ ପୁରୁଷଙ୍କ ଖେଳ ଭାବେ ପରିଚିତି ପାଇଛି ସେଥିରେ ଫୁଲ ସୋରେନ, ପାର୍ବତୀ ଟୁଡୁ, ପଦ୍ମିନୀ ଟୁଡୁ, ଯମୁନାରାଣି ଟୁଡୁ ଓ ପାର୍ବତୀ ମାରାଣ୍ଡି ଙ୍କ ଭଳି ସଦସ୍ୟ ମାନେ ମହିଳା ପୁଣି ତାସାଙ୍ଗେ ଦୃଷ୍ଟିହୀନ ହୋଇଥିବାରୁ ତାଙ୍କୁ ବେଶି ଚ୍ୟାଲେଞର ସମ୍ମୁଖୀନ ହେବାକୁ ପଡିଛି । ଯମୁନାରାଣୀ ଓଡ଼ିଶା ଟିମର ବି-୧ କାଟେଗୋରୀର ଖେଳାଳି, ଯାହାଙ୍କ ଆଖିକୁ ୮୦ ରୁ ୧୦୦ ପ୍ରତିଶତ ଦେଖାଯାଏନି । ଯମୁନା ଭଦ୍ରକର ଏକ ସ୍କୁଲରେ ପଢୁଥିବା ବେଳେ ଦୃଷ୍ଟିହୀନ କ୍ରିକେଟ ଦଳ ଗଠନ କରୁଥିବା ଜାଫର ଇକବାଲ ତାଙ୍କୁ ନିଜ ଟିମ ପାଇଁ ବାଛି ଥିଲେ । କିନ୍ତୁ ତାଙ୍କ ପରିବାର ଏଥିପାଇଁ ତାଙ୍କୁ ପ୍ରଥମେ ଅନୁମତି ଦେଇନଥିଲେ , ଜାଫର ଓ ଅନ୍ୟମାନେ ଅନେକ ବୁଝାଇବାପରେ ଘର ଲୋକେ ରାଜି ହୋଇଥିଲେ । ଯମୁନା ଭଲ ଖେଳୁଥିବାସହ ଏବର୍ଷ ସେ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।
କେମିତି ଆରମ୍ଭ ଯାତ୍ରା
ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ ଗଠନ ପଛର କାହାଣୀ ବି ବେଶ ରୋଚକ । ଟିମର ପୃଷ୍ଠ ପୋଷକ କୁହାଯାଉଥିବା ଜାଫର ଇକବାଲ ନିଜେ ଜଣେ ଆର୍ନ୍ତଜାତୀୟସ୍ତରର ଦୃଷ୍ଟିହୀନ ପୁରୁଷ କ୍ରିକେଟ ଖେଳାଳି । ଏବିଷୟରେ ସେ କୁହନ୍ତି, ୨୦୧୫ ମସିହାରେ ଭୁବନେଶ୍ୱରରେ ଏକ ସଂମ୍ବର୍ଦ୍ଧନା ଉତ୍ସବରେ ଜଣେ ଦୃଷ୍ଟିହୀନ ବାଳିକା ମୋତେ ପ୍ରଶ୍ନ କରିଥିଲେ ଯେ ଭାଇ ଆମେ କେବେ ଖେଳିବୁ । ତା ପରେ ମୁଁ ଏ ବିଷୟରେ କ୍ରିକେଟ ଆସୋସିଏସନ ଫର ଦି ବ୍ଲାଇଣ୍ଡ ଇନ ଇଣ୍ଡିଆ (କ୍ୟାବି)କୁ ପ୍ରସ୍ତାବ ଦେବା ସହ, ଓପନ ଲର୍ଣିଂ ସିଷ୍ଟମ ସହ ମିଶି ରାଜ୍ୟର ବିଭିନ୍ନ ବ୍ଲାଇଣ୍ଡ ସ୍କୁଲକୁ ଯାଇ ଖେଳାଳି ଚୟନ କରି ଟିମ ଗଠନ କଲି । ୨୦୧୭ ଓ ୧୮ରେ ଦୁଇଥର ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେବା ପରେ ଓଡ଼ିଶା ଦଳ ଆନ୍ତରାଜ୍ୟ ମ୍ୟାଚ ଖେଳିବା ପାଇଁ ପ୍ରାୟତଃ ପ୍ରସ୍ତୁତ ହୋଇସାରିଥିଲା । ଏହାପରେ ସେହିବର୍ଷ ଡିସେମ୍ବର ମାସରେ ଉତରାଖଣ୍ଡରେ ଦିଲ୍ଲୀ ଓ ଉତରାଖଣ୍ଡ ଟିମ ସହ ଖେଳି ଓଡ଼ିଶା ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା । କୋଚ ଦେବାଶିଷ ଜେନାଙ୍କ ଅଧ୍ୟକ୍ଷତାରେ ଖେଳୁଥିବା ଏହି ମହିଳା ଦୃଷ୍ଟିହୀନ କ୍ରିକେଟ ଟିମ ସେତେବେଳେ ନ୍ୟାସନାଲ ଖେଳିବାପାଇଁ ପ୍ରସ୍ତୁତ ହେଲା । ୨୦୧୯ରେ ପ୍ରଥମ ଜାତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଟୁଣ୍ର୍ାମେଂଟରେ ଚାମ୍ପିୟନ ହେବା ପରେ ଖେଳାଳି, ତାଙ୍କ ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମା ଙ୍କ ଭିତରେ ବିଶ୍ୱାସ ବଢିଲା ଯେ ଏମାନେ କ୍ରିକେଟ ଖେଳିପାରିବେ ।
ତଥାପି ପ୍ରଥମ ନ୍ୟାସନାଲ ଖେଳିବା ପରେ ଯେ ସମସ୍ୟାର ସମାଧାନ ହୋଇଗଲା ତା ନୁହେଁ । କୋଭିଡ ସାଙ୍ଗକୁ ଦୃଷ୍ଟିହୀନ ମହିଳାଙ୍କୁ ପ୍ରାକ୍ଟିସ କରିବା ପାଇଁ ସ୍ୱତନ୍ତ୍ର ପଡିଆ ନଥିବାରୁ ଗୋଟେ ଜାଗାରେ ରହି ନିୟମିତ ପ୍ରାକ୍ଟିସ କରିବା ଅସୁବିଧା ହେଉଥିଲା । ପୁଣି କୋଭିଡ ହେତୁ ସେମାନେ ଗାଁରେ ସେମାନଙ୍କ ଘରେ ରହିବାକୁ ବାଧ୍ୟ ହେଉଥିଲେ । ମୁଁ ନିୟମିତ ଫୋନ କରି ସେମାନଙ୍କୁ ବୁଝାଇବା ସହ ପ୍ରାକ୍ଟିସ ଜାରି ରଖିବାକୁ କହୁଥିଲି ବୋଲି କୁହନ୍ତି ଜାଫର ।
ଏପର୍ଯ୍ୟନ୍ତ ୩ଟି ଜାତୀୟ ଟୁର୍ଣାମେଂଟ ହୋଇଥିବା ବେଳେ ଦୁଇଟିରେ ଓଡ଼ିଶା ଚାମ୍ପିୟନ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯେତିକି ପ୍ରୋତ୍ସାହନ ଆଶା କରାଯାଉଥିଲା ସେତିକି ମିଳିନଥିଲେ ମଧ୍ୟ ସବୁ ଖେଳାଳିଙ୍କୁ ୨୦ ହଜାର ଟଙ୍କାର ଅର୍ଥ ରାଶି ଦିଆଯାଇଛି ।
କଣ ରହିଛି ଚ୍ୟାଲେଞ
ଜାଫର କୁହନ୍ତି ସବୁଠାରୁ ବଡ ଚ୍ୟାଲେଞ ହେଉଛି ସେମାନେ ଝିଅ, ଦୃଷ୍ଟିହୀନ ପୁଣି ଆଦିବାସୀ ସଂପ୍ରଦାୟର, ଯେଉଁଠି ଏବେ ବି କମ ବୟସରେ ବାପା ମା ମାନେ ଝିଅମାନଙ୍କର ବାହାଘର କରିଦିଅନ୍ତି । ଦୃଷ୍ଟିହୀନ ହେତୁ ପ୍ରସ୍ତାବ ଆସିଲେ ସେମାନେ ଆଦୌ ହାତଛଡା କରନ୍ତି ନାହିଁ । କମ ବୟସରେ ବାହା ହୋଇଯାଆନ୍ତି ପୁଣି କମ ବୟସରେ ମା ମଧ୍ୟ ହୋଇଯାଆନ୍ତି । ଝିଅ କ୍ରିକେଟ ଖେଳୁଛି ଓ ଆଗକୁ ଯାଇ ଭଲ ଖେଳିଲେ ଚାକିରୀ ପାଇବ ସେମାନଙ୍କୁ ଦାରିଦ୍ର୍ୟ ଅବସ୍ଥାରୁ ଦୂର କରିବ ସେବିଷୟରେ ବାପା ମା ମାନେ ଆଦୌ ବୁଝନ୍ତି ନାହିିଁ । ୨୦୨୨ ଦ୍ୱିତୀୟ ନ୍ୟାସନାଲ ଖେଳିବା ପୂର୍ବରୁ ଟିମର ସବୁଠାରୁ ଭଲ ଖେଳୁଥିବା ଖେଳାଳି ତଥା କ୍ୟାପଟେନଙ୍କର ବାହାଘର ହୋଇଗଲା । ଟିମର କିଛି ସଦସ୍ୟଙ୍କ ପରିବାର ଲୋକେ ରାଜ୍ୟ ବାହାରକୁ ଛାଡିବାକୁ ଅମଙ୍ଗ ହେବାରୁ ସେମାନେ ମଧ୍ୟ ଗଲେନାହିଁ ଏବଂ ହଠାତ ଟିମରେ ଏକ ପ୍ରକାରର ସଂକଟ ଦେଖାଗଲା । ଏହି ଅସୁବିଧା ଯୋଗୁଁ ସେମାନେ ୨୦୨୨ ମସିହାରେ ଟୁଣ୍ର୍ାମେଂଟରେ କର୍ଣାଟକ ବିପକ୍ଷରେ ମ୍ୟାଚ ହାରିଯାଇଥିଲେ ।
ଏହାପରେ ଜାଫର ଅନ୍ୟ ବଛା ବଛା ମହିଳାମାନଙ୍କୁ ନେଇ ବି-୧ (ସଂପୂର୍ଣ ଅନ୍ଧତ୍ୱ), ବି-୨ (ଆଂଶିକ ଅନ୍ଧତ୍ୱ), ଓ ବି-୩ (ଅଳ୍ପ ଆଂଶିକ ଅନ୍ଧତ୍ୱ) ଆଦି କାଟେଗୋରୀର ଟିମ ଗଠନ କରିବା ସହ ସେମାନଙ୍କୁ ଟ୍ରେନିଂ ଦେବା ଆରମ୍ଭ କଲେ । ସେମାନଙ୍କ ପରିବାରକୁ ଯାଇ ମଧ୍ୟ ବୁଝେଇଲେ ଫଳରେ ଏହି ଟିମ ତୃତୀୟ ନ୍ୟାସନାଲରେ ଭଲ ପ୍ରଦର୍ଶନ କରିବା ସହ ଚାମ୍ପିଅନ ହେଲା । ଜାଫର କୁହନ୍ତି ଏତେ ସବୁ ପରେ ମଧ୍ୟ ଚ୍ୟାଲେଞର ଅନ୍ତ ହୋଇନାହିଁ । ଦୃଷ୍ଟିହୀନ କ୍ରିକେଟ ଖେଳାଳିଙ୍କ ପାଇଁ ଏକ ସ୍ୱତନ୍ତ୍ର ପଡିଆ ନଥିବାରୁ କେଉଁଠି ହେଲେ ପ୍ରାକ୍ଟିସ କରିବାର ବ୍ୟବସ୍ଥା ନାହିଁ । ତା ସାଙ୍ଗକୁ ଅର୍ଥ ସଂଗ୍ରହ ଆଉ ଏକ ବାଧକ ସୃଷ୍ଟିକରେ । ଏବିଷୟରେ ଫୁଲ ସୋରେନ କୁହନ୍ତି କେବଳ ମ୍ୟାଚର ୧୫ ଦିନ ପୂର୍ବରୁ ଆମେ ଯିଏ ଯାହା ଗାଁରୁ ଆସି ଭୁବନେଶ୍ୱରରେ ଏକାଠି ହେଉ ଏବଂ ପ୍ରାକ୍ଟିସ କରୁ । ରାଜ୍ୟ ସରକାର ଖେଳକୁ ପ୍ରୋତ୍ସାହନ ଦେଉଥିବାରୁ ବ୍ଲାଇଣ୍ଡ ଆସୋସିଏସନ ପାଇଁ ଗୋଟେ ପଡିଆ ଯୋଗେଇ ଦେଲେ ସେଠି ଉଭୟ ପୁରୁଷ ଓ ମହିଳା ଦଳ ଭଲ ଭାବରେ ପ୍ରାକ୍ଟିସ କରିପାରନ୍ତେ ।
ଜାତୀୟ ଟୁର୍ଣାମେଂଟରେ ଚାମ୍ପିଅନ ହେବା ପରେ ଏବେ ପ୍ରାୟ ସବୁ ଖେଳାଳି ନିଜ ନିଜ ଘରକୁ ଫେରିଯାଇଛନ୍ତି । ଆଗକୁ ଲଣ୍ଡନଠାରେ ହେବାକୁ ଥିବା ଓାର୍ଲ୍ଡକପ ପାଇଁ ସେମାନେ ନିଜ ସ୍ତରରେ ଚେଷ୍ଟା ଚଳାଇଛନ୍ତି । ଏତେସବୁ ଚ୍ୟାଲେଞ ସତ୍ୱେ ସେମାନେ ନିଜର ସଂଘର୍ଷ ଜାରି ରଖି ଏବେ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯଦି ସବୁକିଛି ଠିକ ରୁହେ ତେବେ ସେମାନେ ପ୍ରଥମେ ନେପାଳ ଓ ପରେ ଲଣ୍ଡନ ଯିବେ ।
ଫୁଲ କୁହନ୍ତି ଦିଲ୍ଲୀ, କର୍ଣାଟକ ଆଦି ଟିମର ଖେଳାଳି ମାନେ ଶରୀର ଓ ଓଜନ ତୁଳନାରେ ଆମଠାରୁ ଢେର ଆଗରେ ତଥାପି ଆମେ ଆମ ଟେକନିକରେ ତାଙ୍କୁ ପରାଜୟ କରିପାରିଛୁ । ଅଅମକୁ ସୁଯୋଗ ମିଳିଲେ ଆମେ ଜାତୀୟ ଟିମରେ ରହି ଆର୍ନ୍ତଜାତୀୟ ସ୍ତରର ଖେଳାଳିଙ୍କୁ ମଧ୍ୟ ପରାଜୟ କରିପାରିବୁ । ଜାଫର କୁହନ୍ତି ଦୁଇ ଥର ଓଡ଼ିଶା ଚାମ୍ପିଅନ ହୋଇଥିବାରୁ ଏହାର କିଛି ଖେଳାଳି ଜାତୀୟ ଟିମରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।