ଭୁବନେଶ୍ୱର ସହରକୁ ସବୁଜ ସୁନ୍ଦର ରଖିବାରେ ବିଏମସିର ମହିଳା ସଫେଇ କର୍ମଚାରୀଙ୍କର ଯଥେଷ୍ଟ ଯୋଗଦାନ ରହିଛି । କିନ୍ତୁ ଅନେକ ସମୟରେ ସେମାନଙ୍କ କାମ ଅଣଦେଖା ହୋଇ ରହିଯାଏ । ମାର୍ଚ୍ଚ ୮ ତରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମେ କିଛି ମହିଳା ସଫେଇ କର୍ମଚାରୀଙ୍କୁ ଭେଟି ତାଙ୍କ ମନକଥା ଜାଣିବାକୁ ଚେଷ୍ଟା କରିଥିଲୁ ।
ଭୁବନେଶ୍ୱର ;
ରାସ୍ତା ଝାଡୁ କରିବା ଆମର ସବୁଦିନିଆ କାମ । ଭୋର ୫ଟାରୁ ଉଠି ଘର କାମ ଶେଷ କରି ଆମେ ୟୁନିଫର୍ମ ପିନ୍ଧି ହାତରେ ଝାଡୁ ଧରି ଏଠି ପହଂଚିଯାଉ । ଗଛର ପତ୍ର ଜରି ଯେତେ ପ୍ରକାରର ଅଳିଆ ଆବର୍ଜନା ଥାଉ ପଛେ ଆମେ ସେ ସବୁକୁ ରାସ୍ତାରୁ ଉଠାଇ ପରିଷ୍କାର କରିଥାଉ । ତେବେ ସବୁଠାରୁ ଭଲ ଲାଗେ ଯେବେ ବାଟରେ ଯାଉଥିବା ଲୋକ ଅଟକିଯାଇ ଆମ କାମକୁ ପ୍ରଶଂସା କରନ୍ତି ଓ କହନ୍ତି ଆମ ସହରର ରାସ୍ତାଘାଟ ତୁମ ମାନଙ୍କ ପାଇଁ ସଫା ଅଛି । ସେତେବେଳେ ମନ ଭାରି ଖୁସି ହୋଇଯାଏ ଓ ଗର୍ବରେ କୁଣ୍ଢେମୋଟ ହୋଇଯାଏ ବୋଲି କୁହନ୍ତି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଜାଗୃତି ଅଧିନରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ସୀମା ନାଏକ । ୩୭ ବର୍ଷର ସୀମାଙ୍କ ଘର ଭୁବନେଶ୍ୱର କେଦାରପଲ୍ଲୀ ବସ୍ତି ପାଖ ଝରଣାସାହିରେ । ବାହା ହୋଇ ଆସିବା ପରେ ଘର ଚଳେଇବାପାଇଁ ସେ ଅନ୍ୟ ଘରେ କାମକଲେ କିନ୍ତୁ ସେଥିରୁ ହେଉଥିବା ରୋଜଗାର ତାଙ୍କ ସ୍ୱାମୀ ମଦ ପିଇବାରେ ଖର୍ଚ୍ଚ କରିଦେଉଥିଲେ । ଘର ଚଳେଇବାପାଇଁ ସମସ୍ୟା ହେବାରୁ ସେ ଅନ୍ୟ ବିଭିନ୍ନ କାମ କରିବାରେ ଲାଗିଲେ । କିନ୍ତୁ ପରେ ଯେତେବେଳେ ସେ ଜାଣିଲେ ତାଙ୍କ ବସ୍ତିର ଅନେକ ମହିଳା ବିଏମସିର ସଫେଇ କର୍ମଚାରୀ ଭାବେ କାମ କରୁଛନ୍ତି ସେ ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କଲେ ।
ଅଭାବୀ ଜୀବନ
ଗତ ୧୫-୧୬ ବର୍ଷ ହେବ ସଫେଇ କର୍ମଚାରୀ ଭାବେ କାମ କରୁଥିବା ସୀମା କୁହନ୍ତି, ଆଗେ ଆମକୁ କମ ଦରମା ମିଳୁଥିଲା ସେଥିରେ ପରିବାର ଚଳେଇବାପାଇଁ ବହୁତ ଅସୁବିଧା ହେଉଥିଲା । ଆମେ ଆନ୍ଦୋଳନ ଓ ର୍ୟାଲି କରିବା ପରେ ଏବେ ଆମ ଦରମା ବଢିଛି । ଏବେ ମାସକୁ ୮ ହଜାର ୫୦୦ ଟଙ୍କା ମିଳୁଛି । ଏଥିରେ ମୋ ପରିବାର ସୁଖେ ଦୁଃଖେ ଚଳିଯାଉଛି । କିନ୍ତୁ ସେମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବାକୁ ସେ କହିଥିଲେ । ସୀମାଙ୍କର ଦୁଇଟି ପୁଅ ଓ ଝିଅ । ଦୁହେଁ ଥାଲାସେମିଆ ରୋଗରେ ଭୋଗୁଥିବାରୁ ଏଥିପାଇଁ ପ୍ରତି ମାସରେ ସେମାନଙ୍କୁ ରକ୍ତ ନେବାକୁ ପଡିଥାଏ । ସୀମା କୁହନ୍ତି ମୋ ପିଲାମାନେ ଭଲ ପାଠ ପଢନ୍ତି । ମୋ ଇଚ୍ଛା ସେମାନେ ପାଠ ପଢି ଭଲ ମଣିଷ ହୁଅନ୍ତୁ । ବିଶେଷକରି ମୋ ଝିଅକୁ ମୁଁ ଭଲ ମଣିଷ କରିବାକୁ ଚାହୁଁଛି । ମୋ ଘର ଲୋକେ ମୋତେ କମ ବୟସରେ ମଦ ପିଉଥିବା ସ୍ୱାମୀକୁ ବାହା ଦେବା ଯୋଗୁଁ ମୁଁ ବହୁତ ହଇରାଣ ହୋଇଛି । ମୋ ସ୍ୱାମୀ ସବୁବେଳେ ମାଡ ଗାଳି କରୁଥିବାରୁ ମୁଁ ସବୁବେଳେ ମାନସିକ ଅଶାନ୍ତିରେ ରହୁଥିଲି । ପୁଣି ଏବେ ତାଙ୍କ ମୃତ୍ୟୁ ପରେ ମୋତେ ଏକା ଏକା ସଂଘର୍ଷ କରିବାକୁ ପଡୁଛି । ଏଣୁ ମୁଁ ଚାହେଁ ମୋ ଝିଅ ପାଠ ପଢି ତା ଜୀବନର ନିଷ୍ପତି ସେ ନିଜେ ନେଉ ।
କୋଭିଡ ସମୟରେ ସଫେଇ କର୍ମଚାରୀଙ୍କ ସମସ୍ୟା ବିଷୟରେ କହିବାକୁ ଯାଇ ସଂଜୁ ନାଏକ କୁହନ୍ତି, ସେ ଗତ ୧୭ ବର୍ଷ ହେବ ଏ କାମ କରିଆସୁଥିଲେ ମଧ୍ୟ କୋଭିଡ ସମୟର ପରିସ୍ଥିତି ସଂପୂର୍ଣ ଭିନ୍ନ ଥିଲା । ଆମେ ସବୁବେଳେ ରାସ୍ତା ଘାଟରୁ ଅଳିଆ ଆବର୍ଜନା ସଫା କରି ପରିଷ୍କାର ରଖିବାକୁ ଚେଷ୍ଟା କରୁଥିଲୁ । ବିଏମସି ତରଫରୁ ଆମକୁ ମାସ୍କ ଓ ଗ୍ଲୋବସ ଦିଆଯାଇଥିଲା । କିନ୍ତୁ ଏତେ କାମ ପରେ ବି ଆମକୁ କିଛି ଆର୍ଥିକ ସାହାଯ୍ୟ ମିଳିଲାନାହିଁ । ଯେତେବେଳେ ଲୋକେ ଘରେ କବାଟ ବନ୍ଦ କରି ରହୁଥିଲେ ସେତେବେଳେ ଆମେ ପିଲାଛୁଆ, ଘର ଛାଡି ବାହାରକୁ ଆସି ରାସ୍ତାଘାଟର ସବୁ ପ୍ରକାରର ଅଳିଆ ଆବର୍ଜନା ସଫା କରୁଥିଲୁ କିନ୍ତୁ କେବଳ ପ୍ରଶଂସା ଛଡା ଆମକୁ ଆଉ କିଛି ମିଳିଲାନାହିଁ । ସରକାର ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସାହାଯ୍ୟ ଦେଲେ ହେଲେ ଆମକୁ ସେଭଳି କୌଣସି ପ୍ରକାରର ସାହାଯ୍ୟ ମିଳିନାହିଁ । ଏସବୁ ବାଦ ଭୁବନେଶ୍ୱରରେ ହେଉଥିବା ହକି ବିଶ୍ୱ କପ ସମୟରେ ମଧ୍ୟ ସେମାନେ ସହରକୁ ଅନେକ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସେଥିପାଇଁ ମଧ୍ୟ ସେମାନଙ୍କୁ କେବେ ଆର୍ଥିକ ପ୍ରୋତ୍ସାହନ ମିଳିନଥିବା ସଂଜୁ କହିଛନ୍ତି ।
ଲୋକଙ୍କର ବି ଅଭ୍ୟାସ ବଦଳୁ
ଭୁବନେଶ୍ୱର ସହରରେ ଯେତେ ସଫେଇ କର୍ମଚାରୀ କାମ କରୁଛନ୍ତି ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଏବଂ ସେମାନଙ୍କ ମଧ୍ୟରେ ଅନେକ ମହିଳା ଏକାକୀ ପରିବାରର ବୋଝ ତୁଲେଇଥାଆନ୍ତି । ମମତା ମଲ୍ଲିକ କୁହନ୍ତି ଆମ ଭିତରେ ଅଧିକାଂଶ ଦଳିତ ବର୍ଗର ହୋଇଥିବାରୁ ଆମକୁ ଅନ୍ୟ କାମ ମିଳିବା କଷ୍ଟକର । ଅନେକ ସମୟରେ ଲୋକେ ଆମକୁ କାମ ଦେବାବେଳେ ପଚାରନ୍ତି ଆମେ କେଉଁ ଜାତିର । ଆମ ଜାତି ଜାଣିବା ପରେ ଆମ ପାଇଁ କାମ ମିଳିବା ବାଟ ବନ୍ଦ ହୋଇଯାଏ । ଏଣୁ ଆମେ ବାଧ୍ୟ ହୋଇ ନଚେତ ଅନ୍ୟ ଉପାୟ ନଥିବାରୁ ଏହି କାମ କରିବାକୁ ଆପେଣଇ ନେଇଥାଉ । ରାସ୍ତାଘାଟ ସଫା ରଖି ସହରକୁ ସୁନ୍ଦର କରିବାରେ ଆମର ଅନେକ ଯୋଗଦାନ ରହିଛି । ହେଲେ ଆମକୁ ଖରାପ ଲାଗେ ଯେତେେବେଳ ଲୋକେ ଆମେ ରାସ୍ତା ସଫା କରିବା ପରେ ସାଙ୍ଗେ ସାଙ୍ଗେ ମଇଳା କରି ଦିଅନ୍ତି । ସେମାନେ କେବେ ଆମ କଷ୍ଟ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ସରକାର ଯେତେ ସଫାରଖିବା ବିଷୟରେ ସଚେତନତା ସୃଷ୍ଟି କଲେ ମଧ୍ୟ ଅନେକ ଲୋକଙ୍କର ରାସ୍ତାରେ ମଇଳା ପକାଇବା ଅଭ୍ୟାସ । ସେମାନେ ଭାବନ୍ତି ଆମେ ସଫେଇ କରୁଥିବା ମହିଳା ମାନେ ଅଛୁ ସବୁବେଳେ ସଫାକରୁଥିବୁ । ଖରା, ବର୍ଷା ଶୀତ କାକର ସବୁବେେଳେ ଆମେ ରାସ୍ତା ଘାଟ ସଫା କରୁ କିନ୍ତୁ ରାସ୍ତାରେ ଯାଉଥିବା ଲୋକେ ଆମ ପରିଶ୍ରମକୁ ନବୁଝି ମଇଳା ଆବର୍ଜନା ରାସ୍ତା ଉପରେ ପକାଇ ଆମକୁ ଅଜଥା ହଇରାଣ କରନ୍ତି । ମାର୍ଚ୍ଚ ୮ ତରିଖ ଆନ୍ତର୍ଜାତୀୟ ମହିଳା ଦିବସ ବିଷୟରେ ଯେତେବେଳେ ସେମାନଙ୍କୁ ପଚରାଯାଇଥିଲା ସେମାନେ ଏବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ । ତେବେ ସେମାନେ ପ୍ରତିଦିନ କରୁଥିବା କାମକୁ ସମ୍ମାନ ମିଳିବା ହିଁ ତାଙ୍କୁ ବେଶି ଖୁସି ଦେବ ବୋଲି କହିଥିଲେ ।