ଗଞ୍ଜାମ : ଗତ କିଛି ବର୍ଷ ହେବ ଗାଁରେ ଚାଷୀମାନଙ୍କୁ ଜୈବିକ ଖତରେ ଚାଷ କରିବାକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଜୈବିକ ଖତ ପ୍ରସ୍ତୁତ କରିବା ଓ ଏଥିପାଇଁ ଆବଶ୍ୟକ ହେଉଥିବା ସମୟ ଓ ଶ୍ରମ ଦେଇପାରୁନଥିବାରୁ ଅନେକ ଚାଷୀ ଏହାକୁ କରିବାକୁ ଆଗ୍ରହୀ ହୁଅନ୍ତି ନାହିଁ । ବଜାରରେ ମିଳୁଥିବା ରାସାୟନିକ ସାର ଭଳି ଯଦି ଜୈବିକ ଖତ ମଧ୍ୟ ବଜାରରେ ଉପଲବ୍ଧ ହେବ, ଅବା କୌଣସି ଗୋଟିଏ ସ୍ଥାନରୁ ଚାଷୀମାନେ ସହଜରେ ଓ ସୁବିଧାରେ କିଣିପାରିବେ ତେବେ ଅନେକ ଚାଷୀ ଜୈବିକ ଚାଷ କରିବା ପ୍ରତି ଆଗ୍ରହୀ ହେବେ । ଏମିତି କିଛି ଚିନ୍ତା କରି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବଙ୍ଗେଇସାହି ଗାଁର ମହିଳାମାନେ ଆରମ୍ଭ କଲେ ଜୈବିକ ଖତ ବିକ୍ରୟ କେନ୍ଦ୍ର ।
ପ୍ରଥମେ ଗାଁରେ ଥିବା ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକଜୁଟ ହୋଇ ଏହି ଜୈବିକ ଖତ ପ୍ରସ୍ତୁତ କରିବାର ଟ୍ରେନିଂ ନେଲେ । ଏଥିରେ ସେମାନଙ୍କୁ ସହଯୋଗ କଲେ ଚିକିଟି ଓ ପାତ୍ରପୁର ବ୍ଲକରେ ମହିଳାମାନଙ୍କୁ ଜୀବିକାର ସୁଯୋଗ ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଭିଉଜ ।
ଗ୍ରାମଦେବୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସୁନ୍ଦରୀ ଶବର କୁହନ୍ତି, “ପ୍ରଥମେ ଭିଉଜ ସଂସ୍ଥା ସେମାନଙ୍କୁ ଜୈବିକ ଖତ ତିଆରି କରିବାର ତାଲିମ ଦେଲେ, ଏହି ତାଲିମ ପାରବା ପରେ ସେମାନଙ୍କ ଭିତରେ ଆଗ୍ରହ ଆସିଲା ସେମାନେ କିପରି ସ୍ଥାନୀୟ ଚାଷୀଙ୍କୁ ଖତ ପ୍ରସ୍ତୁତ କରି ବିକ୍ରି କରିପାରିବେ ସେକଥା ଚିନ୍ତା କଲେ । କୌଣସି କାମ ଆରମ୍ଭ କରିବାବେଳେ ପ୍ରଥମେ ଆବଶ୍ୟକ ପଡେ ଅର୍ଥର ଏଣୁ ସେମାନେ ଓଏଲଏମ ମାଧ୍ୟମରେ ଲକ୍ଷେ ଟଙ୍କା ଋଣ ଆଣିଲେ ଏବଂ ଜୈବିକ ଖତ ପ୍ରସ୍ତୁତିରେ ବିନିଯୋଗ କଲେ ।
ଆରମ୍ଭ ହେଲା ଜୈବିକ ଖତ ପ୍ରସ୍ତୁତି କାର୍ଯ୍ୟ
ଗାଁରେ ଥିବା କୋଠଘରକୁ ସେମାନେ ଏହି କାମ ପାଇଁ ବ୍ୟବହାର କଲେ । ଏହି କୋଠଘରେ ପ୍ରସ୍ତୁତ ହୋଇଥିବା ଖତକୁ ରଖିବା ଏବଂ ବାରଣ୍ଡାରେ ପ୍ରସ୍ତୁତ ଜୈବିକ ଖତ ବିକ୍ରି ଆରମ୍ଭ କଲେ । ମହିଳାମାନେ ଘର କାମ ଶେଷ କରିବା ପରେ ଦି ପ୍ରହରରେ ଯେଉଁ କିଛି ସମୟ ବଳକା ପଡେ ସେହି ସମୟକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଜୈବିକ ଖତ ଯେପରି- ଜୀବାମୃତ, ହାଣ୍ଡିଖତ, ନିମାସ୍ତ୍ର, ବ୍ରହ୍ମାସ୍ତ୍ର , ଆଗ୍ନେୟସ୍ତ୍ର ଆଦି ପ୍ରସ୍ତୁତ କରି ବିକ୍ରି କଲେ ଓ ରୋଜଗାର ମଧ୍ୟ କରିପାରିଲେ । ସେମାନେ ଏହି ପ୍ରସ୍ତୁତି କାମ ଆରମ୍ଭ କଲା ବେଳକୁ ଭିଉଜ ସଂସ୍ଥା ସେମାନଙ୍କୁ ଉଦ୍ୟୋଗୀ ହେବାକୁ ଇ୍ଜିନିୟରିଂ ସହଯୋଗ କଲା ଏବଂ ଆମ କ୍ଷେତ ଫାର୍ମର୍ସ କମ୍ପାନୀ ଅଧୀନରେ ପଞ୍ଜୀକରଣ କରାଇଲା । ସଂସ୍ଥା ପକ୍ଷରୁ ମଧ୍ୟ ସେମାନଙ୍କୁ ଖତ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସାମଗ୍ରୀ -ବାଲଟି, ବିଭିନ୍ନ ସାଇଜର ଡ୍ରମ, କଂଚାମାଲ ଭାବେ ଗୁଡ, ତମାଖୁ ପତ୍ର, ନିମ ପତ୍ର ଓ ବେସନ ଯୋଗାଇ ଦିଆଗଲା । ପ୍ରଥମେ ଜୀବାମୃତ, ହାଣ୍ଡିଖତ, ନିମାସ୍ତ୍ର, ବ୍ରହ୍ମାସ୍ତ୍ର , ଆଗ୍ନେୟସ୍ତ୍ର ପ୍ରସ୍ତୁତ କରି ବିକ୍ରି କରିବା ପରେ ଫିସ ଟନିଙ୍ଗ ଓ ଗୋ ଅର୍କ ମଧ୍ୟ ଚାଷୀ ମାନଙ୍କ ପାଇଁ ପ୍ରସ୍ତୁତ କରାଗଲା । ଯେଉଁ ଚାଷୀ ମାନେ ଜୈବିକ ଖତ ପାଇଁ ଆଗ୍ରହୀ ସେମାନେ ସହଜରେ ଏହି ବିକ୍ରୟ କେନ୍ଦ୍ରରୁ କିଣି ପାରିଲେ ।
କାମରୁ ମିଳୁଛି ଆତ୍ମସନ୍ତୋଷ
ଗାଁର ମହିଳାମାନେ କୁହନ୍ତି ଏ କାମ ଯେତେ ସହଜ ଲାଗୁଛି ସେତେ ସହଜ ନୁହେଁ । ଘରର ସବୁ କାମ ଶେଷ କରି ବଳକା ସମୟକୁ ଆମେ ଏହି କାମରେ ବିନିଯୋଗ କରିଥାଉ । ଆମ ଭିତରେ କେହି କେହି ଜୈବିକ ଖତ ପ୍ରସ୍ତୁୁତ କରୁଥିବା ବେଳେ ଆଉ କେତେକ ତାର ସଂରକ୍ଷଣ ଦାୟିତ୍ୱ ତୁଲାନ୍ତି ଏବଂ ଆଉ କେତେକ ବିକ୍ରି ସାଙ୍ଗକୁ ହିସାବପତ୍ର ଦେଖନ୍ତି । ଯେଉଁ ଖତ ଶେଷ ହୋଇ ଆସୁଥିବ ଆମେ ସଙ୍ଗେ ସଙ୍ଗେ ନୂଆ ଖତ ପ୍ରସ୍ତୁତିରେ ଲାଗିଯାଉ । ଗାଁର ଅଧିକାଂଶ ମହିଳା ଏହି କାମରେ ଲାଗୁଥିବାରୁ କାମ କରିବାକୁ ମଧ୍ୟ ଆଗ୍ରହ ହୁଏ ।
ଏହି ଉଦ୍ୟୋଗର ଜଣେ ମହିଳା ଝୁନୁ ପାତ୍ର କୁହନ୍ତି, “ଗାଁର ମହିଳାମାନେ ସାଥୀ ହୋଇ କାମ କରୁଥିବାରୁ ନିଜ ଭିତରେ କଥାବାର୍ତା ହୋଇ ଖୁସିରେ କାମ କରୁ। ଦିନର ବଳକା ସମୟ ଅଯଥା ଗପସପ ନକରି କାମ କରୁଥିବାରୁ କିଛି ରୋଜଗାର ମଧ୍ୟ ହୋଇଯାଉଛି ।” ସେହିପରି ପଦ୍ମା ଶବର କୁହନ୍ତି, ସେ ଯେତେବେଳେ ଏହି ଉଦ୍ୟୋଗରେ ସାମିଲ ହେବାକୁ ଚାହିଁଲେ ଓ ତାଙ୍କ ସ୍ୱାମୀ ଶାଶୁଙ୍କ ଅନୁମତି ଲୋଡିଲେ ସେମାନେ ଯେ କେବଳ ଅନୁମତି ଦେଲେ ତା ନୁହେଁ ବରଂ ତାଙ୍କ ଶାଶୁ ଘର କାମରେ ସାହାଯ୍ୟ କଲେ ଯାହା ଫଳରେ ସେ ଅଧିକ ସମୟ ଏହି ଉଦ୍ୟୋଗରେ ନିବେଶ କରିପାରିବେ । ଏବେ ସେ ରୋଜଗାର କରିପାରୁଥିବାରୁ ପରିବାରରେ ତାଙ୍କର ସମ୍ମାନ ବଢିଛି ତାଙ୍କୁ ଆତ୍ମସନ୍ତୋଷ ମିଳୁଛି ।
ଏହି ତରଳ ଜୈବିକ ଖତର ଚାହିଦା ବଢେ ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ । ଗତ ବର୍ଷ ନଭେମ୍ବର ମାସରେ ଏହି ବିକ୍ରୟ କେନ୍ଦ୍ର ଖୋଲା ହେବା ପରେ ୭,୦୦୦ ଟଙ୍କାର ବ୍ୟବସାୟ ହୋଇଥିଲା । ଏବର୍ଷ ଆହୁରି ଭଲ ବ୍ୟବସାୟ ହେବାର ସେମାନେ ଲକ୍ଷ୍ୟ ରଖିଛନ୍ତି । କେବଳ ତାଙ୍କ ନିଜ ଗାଁ ନୁହେଁ ଆଖପାଖ ଗାଁର ଚାଷୀମାନେ ଆସି ମଧ୍ୟ ସେମାନଙ୍କ ଠାରୁ ଜୈବିକ ଖତ କିଣି ନେଇଯାଉଛନ୍ତି । ତିଳ ଶବର କୁହନ୍ତି, “ଘର କାମ, ପିଲାଙ୍କ ଦେଖାଶୁଣା ଆଦି ଥିବାରୁ ଆମେ ଦିପ୍ରହରରେ କାମ କରୁ ଓ ଦିନ ୪ଟା ରୁ ୬ଟା ଯାଏଁ ବିକ୍ରୟ କେନ୍ଦ୍ର ଖୋଲା ରୁହେ । ଏହି ସମୟରେ ଯାହା ବିକ୍ରି ହୁଏ ।” ଆଗକୁ ସେମାନେ ନିଜ ବ୍ୟବସାୟ ବଢାଇବାର ଲକ୍ଷ୍ୟ ରଖିଛନ୍ତି ଓ ପଂଚାୟତରେ ବିକ୍ରୟ କେନ୍ଦ୍ର ଖୋଲି ଅଧିକ ଚାଷୀଙ୍କୁ ଜୈବିକ ଖତ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି । ଅଧିକ ଚାଷୀ ଜୈବିକ ଖତ ବ୍ୟବହାର କଲେ ଆମ ପରିବାର ମଧ୍ୟ ରାସାୟନିକ ସାରରୁ ଦୂରରେ ରହିବ ଓ ପୁଷ୍ଟିକର ପନିପରିବା ପାଇପାରିବେ ବୋଲି କୁହନ୍ତି, ଏହି ଉଦ୍ୟୋଗର ମହିଳାମାନେ ।