ସାମୁଦ୍ରିକ ଝଡ଼ ଓ ବିପଦରୁ ନିୟମିତ ଗାଁ କୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ଅନେଶତ ମସିହା ମହାବାତ୍ୟାରେ ପ୍ରାୟତଃ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଯାହାକୁ ପୁଣିଥରେ ଘଂଚ ଜଙ୍ଗଲରେ ପରିଣତ କରିବାକୁ ନିଷ୍ପତି ନେଲେ ଗାଁର ମହିଳା ମାନେ ଆଉ ଗଢିଲେ ବନ ସୁରକ୍ଷା ସମିତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ଗୁଣ୍ଡଳବା ଗାଁ ମହିଳାଙ୍କ ଏ କାହାଣୀ ।
ଭୁବନେଶ୍ୱର ;
ଦୀର୍ଘ ୨୦ ବର୍ଷ ତଳର କଥା, ତଥାପି ୧୯୯୯ମସିହାର ସେଇ ମହାବାତ୍ୟା ଦିନ କଥା ମନେ ପଡ଼ିଲେ ଏବେ ବି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତର ଗୁଣ୍ଡଳବା ଗାଁ ଲୋକଙ୍କ ଛାତି ଥରିଯାଏ । ସେଦିନର କଥା ମନେ ପକେଇ କୁମାରୀ ସ୍ୱାଇଁ କୁହନ୍ତି, ପୂର୍ବରୁ ଆମେ କେବେ ଏତେ ବଡ଼ ବାତ୍ୟା ଆମ ଜୀବନକାଳ ଭିତରେ ଦେଖିନଥିଲୁ । ଲାଗୁଥିଲା ଗାଁ ଟା ଯାକ ଯେପରି ସେଇ ମହାବାତ୍ୟାରେ ନିଶ୍ଚିନ୍ନ ହେଇଯିବ । ସମୁଦ୍ର ଜୁଆର ହଠାତ୍ ଜୋରରେ ମାଡ଼ି ଆସି ଗାଁ ଲୋକଙ୍କୁ ଭସେଇ ନେଇଗଲା, ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସେଦିନ ବଂଚିବା ପାଇଁ ଏକପ୍ରକାରର ସଂଘର୍ଷ କରୁଥିଲେ । ସେଦିନ ଗାଁ ପାଖ ଏହି ଝାଉଁ ଜଙ୍ଗଲ ହିଁ ଆମକୁ ବଂଚେଇ ଦେଇଥିଲା ।
ଗାଁ ର ଚାରୁଲତା ବିଶ୍ୱାଳ ଯିଏକି ଚାରୁ ମା ଭାବେ ପରିଚିତ ସେଦିନ କଥା ମନେ ପକେଇ କୁହନ୍ତି, ଜୀବନ ବିକଳରେ ଗାଁର ଅଧିକାଂଶ ଲୋକ ଝାଉଁ ଜଙ୍ଗଲ ଆଡ଼କୁ ଦଉଡ଼ିଲେ ଓ ନିଜକୁ ବଂଚେଇବା ପାଇଁ ଝାଉଁ ଗଛକୁ ଜାବୁଡି ଧରିଲେ । ଜୋର ପବନ ବହିବାରୁ ଗଛସବୁ ଭାଙ୍ଗିବାରେ ଲାଗିଲା, ଶେଷରେ ଗାଁ ମୁଣ୍ଡରେ ଥିବା ଗୋରା ସାହେବଙ୍କ (ବ୍ରିଟିଶ ଅମଳର) ଏକ ଘର ସମସ୍ତଙ୍କ ପାଇଁ ଆଶ୍ରା ପାଲଟିଲା । ଖାଇବା ପାଇଁ କିଛି ନଥିବାରୁ ୫ ଦିନ ପର୍ଯ୍ୟନ୍ତ ପାଣିରେ ଭାସୁଥିବା ପଇଡ଼ ଓ ଅମୃତଭଣ୍ଡା ଖାଇ ରହିଲେ । ଶେଷରେ ସରକାରଙ୍କ ଚୁଡ଼ା ଚାଉଳ ରିଲିଫ୍ ଆକାରରେ ସେମାନଙ୍କ ପାଖରେ ପହଂଚିିଲା ।
ଜଙ୍ଗଲ ସୁରକ୍ଷାରେ ଏକଜୁଟ ମହିଳା
ସେଦିନର ମହାବାତ୍ୟାରେ ଅନେକଙ୍କ ଜୀବନ ଚାଲିଗଲା ଓ ଜୀବିକା ମଧ୍ୟ ଉଜୁଡ଼ିଗଲା । ସାମୁଦ୍ରିକ ଝଡ଼ ଓ ବିପଦରୁ ନିୟମିତ ଗାଁ କୁ ରକ୍ଷା କରୁଥିବା ଝାଉଁ ଜଙ୍ଗଲର ଅଧିକାଂଶ ଝାଉଁ ଗଛ ବାତ୍ୟାରେ ଭାଙ୍ଗିରୁଜି ଯାଇଥିଲା । ସେପଟେ ଜଙ୍ଗଲ ବିଭାଗର ୨୫ ଏକର ଜାଗାରେ ଥିବା ୪୦୦୦ ହେକ୍ଟର ହେନ୍ତାଳ ବଣ ମଧ୍ୟ ବାତ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିଲା । ଝାଉଁ ଗଛସବୁ ଭାଙ୍ଗିଯାଇଥିବାରୁ ସମୁଦ୍ରର ଲୁଣା ପାଣି ଓ ପବନ ଚାଷକୁ ପ୍ରଭାବିତ କଲା । ହେନ୍ତାଳ ବଣ ନଷ୍ଟ ହୋଇଯାଇଥିବାରୁ ସମୁଦ୍ର କୂଳ ଖାଇବାରେ ଲାଗିଲା ଫଳରେ ଗାଁ ଲୋକଙ୍କୁ ପ୍ରତିଦିନ ଜାଳେଣି ଓ ଅନ୍ୟାନ୍ୟ କାମ ପାଇଁ କାଠର ଅଭାବ ପଡ଼ିଲା । କୁମାରୀ କୁହନ୍ତି, ନିୟମିତ କୂଳ କ୍ଷୟ ହେଉଥିବାରୁ ଆମକୁ ଆଶଂକା ହେଲା ଯେ ଶେଷରେ ହୁଏତ ଗାଁ ଛାଡ଼ି ଅନ୍ୟ ଜାଗାକୁ ସ୍ଥାନାନ୍ତର ହେବାକୁ ପଡ଼ିବ ।
ଏସବୁ ଭିତରେ ପୁଣି କାଠ ଚୋରମାନେ ପାଖ ଜଙ୍ଗଲରୁ ନିୟମିତ କାଠ ଚୋରି କରି ନେଇ ଯାଉଥିବାର ଖବର ସେମାନଙ୍କ ପାଖରେ ପହଂଚିଲା । ନିୟମିତ ଲୁଣା ପାଣି ଓ ବାଲି ଚାଷ ଜମିରେ ମାଡଯିବାରୁ ଚାଷରୁ ଉତ୍ପାଦନ ମଧ୍ୟ ଧିରେ ଧିରେ ହ୍ରାସ ପାଇଲା । ଗାଁ ଲୋକେ ଚାଷ ଉପରେ ନିର୍ଭର କରୁଥିବାରୁ ଆୟର ଅନ୍ୟ କୌଣସି ବାଟ ନ ପାଇ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବାରେ ଲାଗିଲେ । କିନ୍ତୁ ମହିଳାମାନେ ପରିସ୍ଥିତିକୁ ପରିବର୍ତନ କରିବା ପାଇଁ ନିଷ୍ପତି ନେଲେ । ଆଉ ସେଇଠୁ ଆରମ୍ଭ ହେଲା ପୀର ଜାହାଁନିଆ ମହିଳା ବନ ସୁରକ୍ଷା ସମିତିର କାହାଣୀ ।
୨୦୦୧ ମସିହାରେ ଗୁଣ୍ଡଳବା ଓ ଆଖପାଖ ଗାଁର ୭୫ ଜଣ ମହିଳା ଏକତ୍ର ହୋଇ ପାଖ ଝାଉଁ ଜଙ୍ଗଲର ସୁରକ୍ଷା ଭାର ହାତକୁ ନେଲେ ଏବଂ ଗଠନ କଲେ ପୀର ଜାହାଁନିଆ ବନ ସୁରକ୍ଷା ସମିତି । ଗାଁର ଚାରୁଲତା ବିଶ୍ୱାଳ ଏସବୁର ମଙ୍ଗ ଧରିଥିବା ବେଳେ ଆଖପାଖ ୫ଖଣ୍ଡ ଗାଁର ମହିଳା ତାଙ୍କୁ ସହଯୋଗ କଲେ । ଘର କାମରୁ ସମୟ କାଢ଼ି ଜଙ୍ଗଲକୁ ସୁରକ୍ଷା ଦେବାକୁ ସେଦିନ ବୈଠକରେ ସେମାନେ ନିଷ୍ପତି ନେଲେ । ଗୁଣ୍ଡଳବା ଗାଁ ସମୁଦ୍ରକୂଳିଆ ହୋଇଥିବାରୁ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କେବଳ ପାଖ ଜଙ୍ଗଲ ହିଁ ସୁରକ୍ଷା ଦେବ ବୋଲି ସେମାନେ ହୃଦୟଙ୍ଗମ କଲେ । ବନବିଭାଗ ମଧ୍ୟ ସେମାନଙ୍କୁ ସହଯୋଗ କରିବା ସହ ଜଙ୍ଗଲ ବଢେଇବା କ୍ଷେତ୍ରରେ ସାହାଯ୍ୟ କଲା ।
ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା
ଜଙ୍ଗଲକୁ ବଢେଇବା ଓ ନିୟମିତ କାଠ ଚୋରଙ୍କଠାରୁ ସୁରକ୍ଷା ଦେବା ପାଇଁ ଗାଁ ମହିଳା ମାନେ ନିୟମିତ ଠେଙ୍ଗାପାଳି କରିବାକୁ ନିଷ୍ପତି ନେଲେ । ଏଥିପାଇଁ ପ୍ରତିଦିନ ବଡ଼ି ଭୋରରୁ ଗାଁର ୪ ରୁ ୫ଜଣ ମହିଳା ହାତରେ ଖଣ୍ଡେ ବାଉଁଶ ଓ ହୁଇସିଲ ଧରି ଜଙ୍ଗଲକୁ ବାହାରି ପଡ଼ନ୍ତି । କୌଣସି ପ୍ରକାରର କାଠ ଚୋରଙ୍କ ଆଭାସ ପାଇଲେ ହୁଇସିଲ ମାରି ଗାଁ ଲୋକଙ୍କୁ ଡାକ ଛାଡ଼ନ୍ତି ।
ଚାରୁଲତା କୁହନ୍ତି, ପାଳି କରି ସେମାନେ ଠେଙ୍ଗାଧରି ନିୟମିତ ଜଙ୍ଗଲ ଜଗିଆସୁଛନ୍ତି । ଏଥିପାଇଁ କାହାକୁ କହିବାକୁ ପଡ଼େନା, ପ୍ରତିଦିନ ୪-୫ ଜଣ ମହିଳା ନିଜ ନିଜ ଠେଙ୍ଗା ଧରି ବାହାରି ପଡ଼ନ୍ତି ଜଙ୍ଗଲ ଜଗିବାକୁ । ସେମାନଙ୍କ କାମ ସରିଗଲେ ପରଦିନ ଆଉ ୫ ଜଣ ମହିଳା ବାହାରନ୍ତି ।
୨୦୦୧ ରୁ ଗଠିତ ହୋଇଥିବା ଏହି ସମିତିର ମହିଳାମାନେ ଏମିତି ନିୟମିତ ଠେଙ୍ଗାପାଳି କରି ୫୦ରୁ ଅଧିକ କାଠ ଚୋରଙ୍କୁ ପୁଲିସ ଜିମା ଦେଇସାରିଲେଣି । ସେମାନଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଅନେକ ରାଜ୍ୟ ପୁରସ୍କାର ଏବଂ ୨୦୧୨ ରେ ୟୁଏନ୍ଡ଼ିପି ଇଣ୍ଡିଆ ତରଫରୁ ବାୟୋଡ଼ାଇଭରସିଟି ପୁରସ୍କାର ମିଳି ସାରିଛି ।
ଜଙ୍ଗଲ ସୁରକ୍ଷା ପାଇଁ ସେମାନେ କିଛି ନିୟମ ମଧ୍ୟ କରିଛନ୍ତି, ସେମାନଙ୍କ ବିନା ଅନୁମତିରେ ଗାଁ ଜଙ୍ଗଲରୁ କାଠ ଖଣ୍ଡେ କେହି ନେଇ ପାରନ୍ତି ନାହିଁ । ସମିତି ର ଅନ୍ୟ ଜଣେ ସଦସ୍ୟା ରାହିମା ବିବି କୁହନ୍ତି, ପ୍ରତି ରବିିବାର ସକାଳୁ ଗାଁରେ ମହିଳା ବନ ସୁରକ୍ଷା ସମିତି ଦ୍ୱାରା ଘଂଟା ବଜାଯାଏ । ପରେ ସମସ୍ତେ କାଠ ପାଇଁ ଜଙ୍ଗଲକୁ ଯାଆନ୍ତି । ସମିତି ସଭ୍ୟାଙ୍କ ଉପସ୍ଥିତିରେ ସମସ୍ତେ ନିଜ ଆବଶ୍ୟକ ଅନୁସାରେ ଜାଳେଣି ସଂଗ୍ରହ କରନ୍ତି । ଜଂଗଲରେ ବାହାର ଲୋକଙ୍କ ପ୍ରବେଶକୁ ରୋକିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।
ଏସବୁ ବ୍ୟବସ୍ଥା ଫଳରେ ଦିନକୁ ଦିନ ଗାଁ ପାଖ ଝାଉଁ ଜଙ୍ଗଲ ଘଂଚ ଜଙ୍ଗଲରେ ପରିଣତ ହେଲା । ସମୁଦ୍ରର ଲୁଣି ପାଣି ଓ ବାଲି ଆଉ ଗାଁ ଆଡକୁ ଆସିପାରିଲା ନାହିଁ । ସମୁଦ୍ର ପାଖରେ ଚାଉଳ ଲଟା, ଗୁଡକଙ୍କ, କଂସେଇ ଲଟା ମାଡି ବାଲୁକାସ୍ତୂପ ତିଆରି କଲା । ଫଳରେ ସମୁଦ୍ର ପାଣି ଚରି ଯାଇଥିବା ଜମିରେ ଧୀରେ ଧୀରେ ଚାଷ ଆରମ୍ଭ ହେଲା । ଏବେ ପାଖ ଜଙ୍ଗଲ କେବଳ ଘଂଚ ହୋଇନି ବରଂ ସେଠାରେ ହରିଣ, ବିଲୁଆ, ଠେକୁଆ, ଗଧିଆ ଆଦି ଅନାୟାସରେ ଯାତାୟାତ କରୁଛନ୍ତି ।
ଏସବୁର ଶ୍ରେୟ ସେମାନେ ଗାଁର ପୀରବାବାଙ୍କୁ ଦିଅନ୍ତି । ଗାଁଲୋକଙ୍କ କହିବା ଅନୁସାରେ ପୀର ଜାହାଁନିଆ ବାଗ୍ଦାଦରୁ ଭାରତ ଆସି ଏହି ଗୁଣ୍ଡଳବା ଠାରେ ରହିଯାଇଥିଲେ । ଗାଁ ର ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକେ ପୀରବାବାଙ୍କ ଦ୍ୱାରା ଅନୁପ୍ରାଣୀତ ହେତୁ ତାଙ୍କ ପୀଠ ସ୍ଥଳୀକୁ ଯାଇ ସେଠି ଉପାସନା କରନ୍ତି । ଜଙ୍ଗଲ ସୁରକ୍ଷା ମଧ୍ୟ ସେମାନେ ମିଳିତ ଭାବେ କରିଆସୁଛନ୍ତି ।
ପୁଣି ଫେରିଛି ଖୁସି
ବନ ବିଭାଗର ନିୟମିତ ସହଯୋଗ ଓ ଦୀର୍ଘ ୧୫ ବର୍ଷର ଚେଷ୍ଟା ଫଳରେ ଅସ୍ତରଙ୍ଗ, ରାଜ୍ୟର ଦ୍ୱିତୀୟ ବୃହତ ହେନ୍ତାଳ ଜଙ୍ଗଲରେ ପରିଣତ ହୋଇପାରିଛି । ସେପଟେ ଝାଉଁ ବଣ ଘଂଚ ହେବା ପରେ ଗାଁ ର ଚାଷ ଜମିକୁ ଥିବା ଲୁଣା ପାଣି ଓ ପବନର ଭୟ ପାଶୋରିବାରେ ଲାଗିଲା । ଫଳରେ ଅନ୍ୟ ରାଜ୍ୟକୁ କାମ ପାଇଁ ସ୍ଥାନାନ୍ତର ହୋଇଥିବା ପୁରୁଷମାନେ ଗାଁ ମୁହାଁ ହେଲେ । ଚାଷ କରିବା ସହ ଜଙ୍ଗଲ ସୁରକ୍ଷା କାମରେ ମହିଳା ମାନଙ୍କୁ ସହଯୋଗ କରିବାରେ ଲାଗିଲେ । ୧୯୯୯ ର ସେହି ମହାବାତ୍ୟା ପରଠାରୁ ଏଯାଏଁ ଓଡ଼ିଶା ୧୦ରୁ ଅଧିକ ଛୋଟ ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି- ହେଲେ ଏହି ଝାଉଁ ଜଙ୍ଗଲ ଯୋଗୁଁ ଗୁଣ୍ଡଳବା ଓ ଆଖପାଖ ଗାଁ ର ଲୋକେ ସୁରକ୍ଷିତ ରହିପାରିଛନ୍ତି ।
ଝାଉଁ ଜଙ୍ଗଲ ଯୋଗୁଁ ଗାଁ ର ମଧ୍ୟ ଉନ୍ନତି ହୋଇଛି । ସେମାନଙ୍କ ଫସଲ ବଢିଛି । ଜଙ୍ଗଲ ପାଖରେ ଥିବା ଖାଲି ସ୍ଥାନରେ ସେମାନେ କାଜୁ ଗଛ ଲଗାଇ ସେଥିରୁ ମଧ୍ୟ ରୋଜଗାର କରିପାରୁଛନ୍ତି । ମହାବାତ୍ୟା ଯୋଗୁଁ ଲୋକେ କ୍ଷତିଗ୍ରସ୍ତ ହେଲେ ସତ କିନ୍ତୁ ଝାଉଁ ବଣର ପୁନରୁଦ୍ଧାର ସେମାନଙ୍କ ଜୀବନକୁ ପୁଣି ଥରେ ସଜେଇ ଦେଲା । କେବଳ ପୀର ଜାହାଁନିଆଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କୁହନ୍ତି ଗାଁର ଏହି ମହିଳାମାନେ ।