ଓଡ଼ିଶାର ୫ଟି ବ୍ଲକରେ ୧,୦୬୬ଜଣ ନରେଗାରେ କାମ କରୁଥିବା ଶ୍ରମିକଙ୍କ ଉପରେ କରାଯାଇଥିବା ସର୍ଭେରେ ଅଧିକାଂଶ ଶ୍ରମିକ କହିଥିଲେ ଯେ ସେମାନଙ୍କୁ ତାଙ୍କ ମଜୁରି ଟଙ୍କା ଉଠାଇବା ପାଇଁ ଅନେକ ସମୟ ଓ ଅର୍ଥ ଖର୍ଚ କରିବାକୁ ପଡୁଛି । ପ୍ରାୟତଃ ଘଂଟା ଘଂଟା ଧରି ଲାଇନରେ ଛିଡା ହେବାକୁ ପଡୁଛି ଏବଂ ବିତରଣ ଏଜେନ୍ସିକୁ ଟଙ୍କା ଉଠାଇବା ନିମେନ୍ତ ଯିବାପାଇଁ ସେମାନଙ୍କୁ ଗୋଟିଏ ଦିନରେ ହେଉଥିବା ଦିନର ଆୟରୁ ଅଧିକ ଖର୍ଚ କରିବାକୁ ପଡୁଛି । ୨୦୨୧ ଅଗଷ୍ଟ ମାସରେ ଲିବଟେକ୍ ଇଣ୍ଡିଆ ପକ୍ଷରୁ ରାଜ୍ୟର ୫ଟି ବ୍ଲକ ଯେପରି- ଆଠମଲିକ, ବାଂଶପାଳ, କଙ୍କଡାହାଡ, ପଟାଙ୍ଗୀ ଏବଂ ସେମିଲିଗୁଡା ଠାରେ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟୀ ସହଭାଗିତାରେ କରାଯାଇଥିବା ଏହି ସର୍ଭେ ରେ ଏଭଳି ଉତର ମିଳିଥିଲା ।
ଭୁବନେଶ୍ୱର ;
ମୋତେ ନରେଗା ( ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) ମାଧ୍ୟମରେ ମିଳିଥିବା ଟଙ୍କା ଉଠେଇବାକୁ ହେଲେ, ମୁଁ ପୂର୍ବ ରାତିରୁ ବ୍ଲକରେ ରହୁଥିବା ମୋ ଭଉଣୀ ଘରକୁ ଯାଏ । ପରଦିନ ଭୋରରୁ ବ୍ୟାଙ୍କ ଆଗରେ ଲମ୍ବା ଳାଇନରେ ଅନେକ ସମୟ ଛିଡା ହେବା ପରେ ଶେଷରେ ମୋତେ ମୋ ମଜୁରି ମିଳେ , ଏହା ଥିଲା ଜେଣ ମହିଳା ଶ୍ରମିକଙ୍କ ଉତର ଯେତେବେଳେ ତାଙ୍କୁ ମନରେଗା ମଜୁରି ଠିକ ସମୟରେ ପାଉଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ସେହିପରି ଅନ୍ୟ ଜଣେ ଶ୍ରମିକଙ୍କ ଯୁକ୍ତି ଥିଲା ଯେ, ନରେଗାରେ ମଜୁରି ଡେରିରେ ମିଳେ ପୁଣି ମଜୁରି ବ୍ୟାଙ୍କରୁ ଉଠାଇବା ପାଇଁ ଆହୁରି ହିନସ୍ତା ହେବାକୁ ପଡେ । ଏହି ମଜୁରି ପାଇବା ପାଇଁ ଦିନେ କି ଦୁଇଦିନ କାମ ବନ୍ଦ କରିବା ସହ ବ୍ୟାଙ୍କ ଆଗରେ ଲମ୍ବା ଲାଇନରେ ଠିଆ ହେବାକୁ ପଡେ । ଠିକ ସମୟରେ ବିଦ୍ୟୁତ ଓ ନେଟଓାର୍କ ସଂଯୋଗ ଥିଲେ ଟଙ୍କା ଉଠେଇପାରିବ ନଚେତ ଖାଲି ହାତରେ ଘରକୁ ଫେରିବାକୁ ପଡେ ।
ଏହା ଥିଲା ଓଡ଼ିଶାର ୫ଟି ବ୍ଲକରେ ୧,୦୬୬ଜଣ ନରେଗାରେ କାମ କରୁଥିବା ଶ୍ରମିକଙ୍କ ଉପରେ କରାଯାଇଥିବା ସର୍ବେକ୍ଷଣ ସମୟରେ ଶ୍ରମିକମାନଙ୍କ ଯୁକ୍ତି । ଅଧିକାଂଶ ଶ୍ରମିକ କହିଥିଲେ ଯେ ସେମାନଙ୍କୁ ତାଙ୍କ ମଜୁରି ଟଙ୍କା ଉଠାଇବା ପାଇଁ ଅନେକ ସମୟ ଓ ଅର୍ଥ ଖର୍ଚ କରିବାକୁ ପଡୁଛି । ପ୍ରାୟତଃ ଘଂଟା ଘଂଟା ଧରି ଲାଇନରେ ଛିଡା ହେବାକୁ ପଡୁଛି ଏବଂ ବିତରଣ ଏଜେନ୍ସିକୁ ଟଙ୍କା ଉଠାଇବା ନିମେନ୍ତ ଯିବାପାଇଁ ସେମାନଙ୍କୁ ଗୋଟିଏ ଦିନରେ ହେଉଥିବା ଦିନର ଆୟରୁ ଅଧିକ ଖର୍ଚ କରିବାକୁ ପଡୁଛି । ୨୦୨୧ ଅଗଷ୍ଟ ମାସରେ ଲିବଟେକ୍ ଇଣ୍ଡିଆ ପକ୍ଷରୁ ରାଜ୍ୟର ୫ଟି ବ୍ଲକ ଯେପରି- ଆଠମଲିକ, ବାଂଶପାଳ, କଙ୍କଡାହାଡ, ପଟାଙ୍ଗୀ ଏବଂ ସେମିଲିଗୁଡା ଠାରେ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟୀ ସହଭାଗିତାରେ କରାଯାଇଥିବା ଏହି ସର୍ଭେ ରେ ଏଭଳି ଉତର ମିଳିଥିଲା । ସର୍ଭେରେ ବିତରଣ ଏଜେନ୍ସି ଗୁଡିକ ମଧ୍ୟରେ ବ୍ୟାଙ୍କ ଶାଖା, ଗ୍ରାହକ ଶାଖା ପଏଂଟ (ସିଏସପି) ଏବଂ ବିଜନେସ କରେସପଣ୍ଡେଂଟ (ବିସି), ଏଟିଏମ ଏବଂ ଇଣ୍ଡିଆନ ଡାକ ପେମେଂଟ ପଏଂଟ ଆଦି କୁ ଅର୍ନ୍ତଭୂକ୍ତ କରାଯାଇଥିଲା । ଏହି ସର୍ଭେରେ ଜଣାପଡିଛି ଯେ ଶ୍ରମିକଙ୍କ ଆକାଉଂଟରେ ମଜୁରି ଟଙ୍କା ଦିଆଯିବା ପରେ ନରେଗାରେ ଦେୟ ପ୍ରକ୍ରିୟା ସଂପୂର୍ଣ ହେଲା ଏବଂ ଦାୟିତ୍ୱ ସମାପ୍ତ ହେଲା ବୋଲି ସରକାର ବିବେଚନା କରିଥାନ୍ତି କିନ୍ତୁ ପ୍ରକୃତରେ ଶ୍ରମିକମାନେ ମଜୁରି ଟଙ୍କା ପାଇବା ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାଅନ୍ତି ଯାହା ପ୍ରତି ଖୁବ କମ ଧ୍ୟାନ ଦିଆଯାଇଥାଏ । ଏହି ସର୍ଭେରେ ଦେଖାଯାଇଥିଲା ଯେ ପୁରୁଷମାନଙ୍କ ତୁଳନାରେ ଏକାକୀ ମହିଳା ଓ ବୟସ୍କମାନେ ଟଙ୍କା ଉଠାଇବାପାଇଁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।
ନିକଟରେ ଏକ ଭର୍ଚୁଆଲ ବୈଠକ ମାଧ୍ୟମରେ ଏହି ସର୍ଭେ ରିପୋର୍ଟକୁ ପ୍ରକାଶ କରାଯିବା ସହ ଏଥିରୁ ବାହାରିଥିବା ବିଭିନ୍ନ ନିଷ୍କର୍ଷକୁ ଆଲୋଚନା କରାଯାଇଥିଲା । ଏହି ଅବସରରେ ରିପୋର୍ଟ ପ୍ରସ୍ତୁତ କରିଥିବା ରିସର୍ଚର ଲାବନ୍ୟା ତମଙ୍ଗ କହିଥିଲେ ଯେ, ୫ଟି ବ୍ଲକକୁ ଏହାର ବିଭିନ୍ନ ଭୌଗଳିକ ଅବସ୍ଥିତିକୁ ନେଇ ଚୟନ କରାଯାଇଥିଲା । ଏହି ସର୍ଭେ ବେଳେ ଦେଖାଯାଇଥିଲା ଯେ ବ୍ୟାଙ୍କ ଗୁଡିକର ସଂଖ୍ୟା ବହୁତ କମ ଏବଂ ବହୁତ ଦୂରରେ । ନେଟଓାର୍କ ସଂଯୋଗ ମଧ୍ୟ ଏକ ଗମ୍ଭୀର ସମସ୍ୟା । ଗ୍ରାହକ ସେବା ପଏଂଟ ଏବଂ ବିଜନେସ କରେସପଣ୍ଡେଂଟର ଅଧିକାରୀ ମାନେ ନିୟମିତ କମିଶନ ଚାର୍ଜ କରିବା ବିଷୟରେ ମଧ୍ୟ କେତେକ ଅଭିଯୋଗ କରିଥିବା ଏହି ସର୍ଭେ ସମୟରେ ଦୃଷ୍ଟିକୁ ଆସିଥିଲା ।
ରିପୋର୍ଟରେ ଥିବା ମୁଖ୍ୟ ନିଷ୍କର୍ଷ
ରିିପୋର୍ଟର ଅନ୍ୟତମ ରିସର୍ଚର ପାରୁଲ ସାବୁ କହିଥିଲେ ଯେ ମଜୁରି ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଶାଖା ବ୍ୟବହାର କରୁଥିବା ଅଧିକାଂଶ ଶ୍ରମିକଙ୍କୁ ୧୦କିମିରୁ ଅଧିକ ବାଟ ଚାଲିବାକୁ ପଡିଥାଏ । ବ୍ୟାଙ୍କରୁ ଟଙ୍କା ଉଠାଉଥିବା ପ୍ରାୟ ୨୭ ପ୍ରତିଶତ ଶ୍ରମିକଙ୍କୁ ପରିବହନ ବାବଦରେ ଶହେରୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡିଥାଏ । ଏପରିକି ସେମାନଙ୍କୁ ଟଙ୍କା ଉଠାଇବା ପାଇଁ ବେଳେ ବେଳେ ୫ ରୁ ୬ ଘଂଟା ଯାଏଁ ଲାଇନରେ ଠିଆ ହେବାକୁ ପଡିଥାଏ । ସର୍ଭେ ରିପୋର୍ଟ ପ୍ରସ୍ତୁତ ବେଳେ ଏହା ଦୃଷ୍ଟିକୁ ଆସିଥିଲା ଯେ, ପ୍ରାୟ ୭୩ ପ୍ରତିଶତ ଶ୍ରମିକ ଟଙ୍କା ଉଠାଇବା ପାଇଁ ବିତରଣ ଏଜେନ୍ସିକୁ ଯିବା ବେଳେ ଅତି କମରେ ଗୋଟିଏ ଦିନର କାମ ହରେଇଥାନ୍ତି । ଏହାଛଡା ଅନେକ ଶ୍ରମିକଙ୍କୁ ମଜୁରି ଟଙ୍କା ପାଇବାକୁ ବିଭିନ୍ନ କାରଣ ଯେପରିକି- ଅତ୍ୟଧିକ ଗହଳି, ନେଟଓାର୍କ ବିଫଳତା, ଏବଂ ବିଦ୍ୟୁତ ଅଭାବ ଭଳି ଭିତିଭୂମି ସମସ୍ୟା ଯୋଗୁଁ ଏକାଧିକ ଥର ବ୍ୟାଙ୍କ ଦୌଡିବାକୁ ପଡିଥାଏ । ଏଥିପାଇଁ ସେମାନଙ୍କ ଖର୍ଚ ମଧ୍ୟ ବଢିଯାଇଥାଏ ବୋଲି ଏହି ରିପୋର୍ଟ ପ୍ରସ୍ତୁତ ବେଳେ ସେମାନେ କହିଥିଲେ । ସେ କହିଥିଲେ ଯେ, ସର୍ଭେ କରାଯାଇଥିବା ପ୍ରାୟ ୧୩ ପ୍ରତିଶତ ଶ୍ରମିକଙ୍କ ପାଖରେ ପାସବୁକ ନଥିଲା ଏବଂ ଯେଉଁମାନଙ୍କ ପାଖରେ ଥିଲା ସେଗୁଡିକ କେବେହେଲେ ଅପଡେଟ ହୋଇନଥିଲା । ପୁଣି ଅନେକ ଶ୍ରମିକ କହିଥିଲେ ଯେ ସେମାନଙ୍କ ମଜୁରି ଭୁଲରେ ଗଡବଡ ହୋଇଛି ନା ସେମାନେ ଠକାମୀର ଶିକାର ହୋଇଛନ୍ତି ସେ ବିଷୟରେ ସେମାନେ ଜାଣିନାହାନ୍ତି ।
ପ୍ରାୟ ୧୮ ପ୍ରତିଶତ ତାଙ୍କ ମଜୁରି ପାଇବା ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ କିନ୍ତୁ କେବଳ ୧ ପ୍ରତିଶତ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଅଭିଯୋଗ ଲିଖିତ ଆକାରରେ ଦାଖଲ ନକଲେ କାର୍ଯ୍ୟକର୍ତାଙ୍କୁ ଉତରଦାୟୀ କରିବା କଷ୍ଟକର । ଯେଉଁମାନେ ଅଭିଯୋଗ ଦାଖଲ କରିଛନ୍ତି ସେମାନଙ୍କ ମଧ୍ୟରୁ ୭୮ ପ୍ରତିଶତ ଶ୍ରମିକ ଦୀର୍ଘ ଦିନ ଧରି ବିଚାରାଧୀନ ମଜୁରୀ ଟଙ୍କା ପାଇବା ପାଇଁ ଅଭିଯୋଗ ଦାଖଲ କରିଛନ୍ତି ବୋଲି ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
କଣ ସୁପାରିଶ କରାଗଲା
ଏହି ଭର୍ଚୁଆଲ ବୈଠକରେ ଯେଉଁ କେତେଗୁଡିଏ ସୁପାରିଶ କରାଯାଇଥିଲା ସେମଧ୍ୟରୁ ବ୍ୟାଙ୍କ ଗୁଡିକରେ ନରେଗା ମଜୁରି ଉଠାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯିବା ଆବଶ୍ୟକ । ଶ୍ରମିକଙ୍କ ନିକଟତର ସ୍ଥାନରେ ଅଧିକ ବ୍ୟାଙ୍କ ଶାଖା, ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରିବାର ଆବଶ୍ୟକତା ରହିଛି । କାର୍ଯ୍ୟର ସୁଗମତା ପାଇଁ ସରକାରଙ୍କୁ ବିଦ୍ୟୁତ ଓ ଇଂଟରନେଟ ସଂଯୋଗ, ଏବଂ ଅଫଲାଇନ କ୍ଷମତା ଭଳି ଆବଶ୍ୟକ ଭିତିଭୂମି ମଧ୍ୟ ସୁନିଶ୍ଚିତ କରିବା ଆବଶ୍ୟକ । ବ୍ୟାଙ୍କ ଏବଂ ଗ୍ରାହକ ସେବା ପଏଂଟ ସିଏସପି/ ବିସି କାର୍ଯ୍ୟକଳାପର ଅଣ ଉତରଦାୟିତ୍ୱ ଗୁଡିକୁ ଦୃଷ୍ଟି ଗୋଚରକୁ ଆଣି ଓଏସଏସଏଏଟି ର ନିର୍ଦ୍ଦେଶକ ନିହର ରଂଜନ ସ୍ୱାଇଁ କହିଥିଲେ ଯେ ଯଦି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏ ଦିଗ ଗୁଡିକର ସାମାଜିକ ଅଡିଟ (ବ୍ୟାଙ୍କିଙ୍ଗ କାର୍ଯ୍ୟକଳାପ ଓ ଆର୍ଥିକ ଭିତିଭୂମି) କରିବାକୁ ଦିଆଯାଏ ତେବେ ସେମାନେ ପ୍ରସ୍ତୁତ ଅଛନ୍ତି ।
ଏହାଛଡା ଶ୍ରମିକମାନେ ନିୟମିତ ମଜୁରି ପାଉଛନ୍ତି ନା ନାହିଁ ସେ ବିଷୟରେ ସରକାର ସୁନିଶ୍ଚିତ କରିବା ଦରକାର । ଆର୍ଥିକ ପ୍ରତିଷ୍ଠାନଗୁଡିକ ସମସ୍ତଙ୍କ ପାଇଁ ପାଶବୁକ ଉପଲବ୍ଧ କରାଇବା ଆବଶ୍ୟକ ଏବଂ ଯେତେବେଳେ ଶ୍ରମିକମାନେ ଆବଶ୍ୟକ କରିବେ ବିତରଣ ଏଜେନ୍ସି ଶ୍ରମିକମାନଙ୍କ ପାସବୁକ ମାଗଣାରେ ଅପଡେଟ କରିବାର ବ୍ୟବସ୍ଥା କରିବା ଦରକାର । ତା ସାଙ୍ଗକୁ ରୋଜଗାର ଦିବସ ପରି ମଜୁରି ଉଠାଇବା ପାଇଁ ଶ୍ରମିକଙ୍କୁ ମାସକୁ ଗୋଟିଏ ଦିନଛୁଟି ଦିଆଯିବା ଆବଶ୍ୟକ । ଆହୁରି କିଛି ମତଦେଇଥିଲେ ଯେ, ନରେଗା ମଜୁରି ସହଜରେ ଶ୍ରମିକଙ୍କ ପାଖରେ ପହଂଚାଇବା ପାଇଁ ତାଙ୍କ ପାଖରେ ଏକ ମୋବାଇଲ ପେମେଂଟ ଭ୍ୟାନ ବ୍ୟବସ୍ଥା କରାଯିବା ଦରକାର ।
ସରକାର ଏବଂ ସିଭିଲ ସୋସାଇଟି ସଂଗଠନ ଗୁଡିକ ଓଡ଼ିଆରେ ଆପଣଙ୍କ ଅଧିକାର ଜାଣିବା ର ଏକ ତାଲିକା ଅଂଚଳର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନଓାଡି, ଗ୍ରାମ ପଂଚାୟତ ଭବନ ଏବଂ ସମସ୍ତ ବିତରଣ ଏଜେନ୍ସିରେ ଲଗାଇବା ଆବଶ୍ୟକ । ସରକାର ନିଶ୍ଚିତଭାବରେ ଅଭିଯୋଗର ସମାଧାନ ପ୍ରଣାଳୀକୁ ମଜବୁତ କରିବା ଆବଶ୍ୟକ ଏବଂ ଅଭିଯୋଗ ସମାଧାନ ସ୍ୱଳ୍ପ ସମୟ ଅବଧି ମଧ୍ୟରେ ହେବା ସହିତ ଶ୍ରମିକମାନଙ୍କ ପାଇଁ ଏପରି ବ୍ୟବସ୍ଥାକୁ ଅଧିକ ଉପଲବ୍ଧ କରାଇବା ଜରୁରୀ ବୋଲି ଏହି ଅବସରରେ ଅନେକେ ଯୁକ୍ତି ବାଢିଥିଲେ ।
ତେବେ ଶ୍ରମିକମାନେ ଠିକ ସମୟରେ ଓ ବିନା ବାଧାରେ ମଜୁରି ପାଇବା କ୍ଷେତ୍ରରେ ଅନେକ ଶେଷ ମାଇଲ ସମସ୍ୟା ଗୁଡିକ ପ୍ରତିବନ୍ଧକ ଭାବେ ଏବେବି ରହିଛି । ସରକାରଙ୍କର ଅନେକ ସିଧାସଳଖ କ୍ୟାସ ଟ୍ରାନଫର କାର୍ଯ୍ୟକ୍ରମ ଗୁଡିକରେ ହିତାଧିକାରୀ ମାନେ ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହି ସବୁ ସମସ୍ୟା ଗୁଡିକ ପ୍ରତି ଧ୍ୟାନ ଦେବାକୁ ଏବଂ ସିଭିଲ ସୋସାଇଟି ସଂଗଠନ ଗୁଡିକ ସହ ମିଶି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଏହି ଭର୍ଚୁଆଲ ବୈଠକକୁ ସଂଚାଳନ କରୁଥିବା ଏବଂ ଏହି ରିପୋର୍ଟ ପ୍ରସ୍ତୁତ କ୍ଷେତ୍ରରେ ଅନ୍ୟତମ ସହଯୋଗୀ ଥିବା ସମିତ ପଣ୍ଡା ଏହି ଅବସରରେ କହିଥିଲେ ।