ଫୁଲ ଦେଲା ନୂଆ ପରିଚୟ: ଭୂମିହୀନ ଓ ମହିଳା ଚାଷୀ ଏବେ ସ୍ୱାବଲମ୍ବୀ

ସମ୍ବଲପୁର ଜିଲ୍ଲା ଯୁଜୁମରା ବ୍ଲକ୍ ଅନ୍ତର୍ଗତ ସନାତନପାଲି ଗାଁ ଏବେ ରଙ୍ଗବେରଙ୍ଗ ଫୁଲରେ ଭରପୂର । କାରଣ ଗତ କିଛି ବର୍ଷ ହେବ ଗାଁର ଚାଷୀ ବିଶେଷକରି ଛୋଟ, ମଧ୍ୟମ, ଭୂମିହୀନ ଓ ମହିଳା ଚାଷୀ ଫୁଲ ଚାଷ କରି ବେଶ୍ ଭଲ ରୋଜଗାର କରିପାରୁଛନ୍ତି ।

କ୍ଷେତରେ ଥାଇଲାଣ୍ଡ ଟେନିସ ବଲ ଗେଣ୍ଡୁ

ଗତ କିଛି ବର୍ଷ ହେବ ସନାତନପାଲି ଗାଁ ଫୁଲ ଚାଷ ପାଇଁ ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପାରମ୍ପରିକ ଧାନ, ମୁଗ, ବିରି ଚାଷ କରୁଥିବା ଅନେକ ଚାଷୀ ଏବେ ଫୁଲ ଚାଷ ପ୍ରତି ମନ ବଳାଉଛନ୍ତି । ଏହା ପଛରେ ଏକ ଲମ୍ବା କାହାଣୀ ରହିଛି । ୨୦୦୩ ମସିହାରେ ସନାତନପାଲି ଗାଁର କିଛି ଚାଷୀ ଫୁଲ ଚାଷ ଆରମ୍ଭ କରିଥିଲେ । ୨୦୨୦ ମସିହାରେ ସବୁଜ ସନାତନପାଲି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ପ୍ରତିଷ୍ଠା ହୋଇଥିଲା । ଯାହା ଓଡ଼ିଶାର ପ୍ରଥମ ଫୁଲ ଚାଷ ଆଧାରିତ କୃଷି ଉତ୍ପାଦକ ସଂଗଠନ (ଏଫପିଓ) । ଯେଉଁ ବର୍ଷ ସଂସ୍ଥା ପ୍ରତିଷ୍ଠା ହୋଇଥିଲା ସେହି ବର୍ଷ ଗାଁର ୫ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ ହେଉଥିବା ବେଳେ ବର୍ତ୍ତମାନ ୧୦୦ ଏକରରୁ ଅଧିକ ଜମିରେ ଫୁଲ ଚାଷ ହେଉଛି । ୧୫୦୦ରୁ ଅଧିକ ଚାଷୀ ଏହି ଏଫପିଓ ସହ ଜଡ଼ିତ ଥିବା ବେଳେ ପ୍ରାୟ ୧୫୦ ଜଣ ଫୁଲ ଚାଷୀ ଅଛନ୍ତି । ସେଥିରେ ମହିଳା ଫୁଲ ଚାଷୀଙ୍କ ସଂଖ୍ୟା ୭୦ରୁ ୮୦ ।

୪୦ ବର୍ଷୀୟା ଶଙ୍ଖଜିନି କୁହନ୍ତି, ନିଜର ଜମି ନଥିବାରୁ ଆଗରୁ ଅନ୍ୟ ଜମିରେ ମୂଲ ଲାଗୁଥିଲୁ । ଏବେ ଜମି ଲିଜରେ ଆଣି ଫୁଲ ଚାଷ କରି ବେଶ୍ ଭଲ ରୋଜଗାର କରିପାରୁଛୁ । ଏହି ଫୁଲ ଚାଷ ପାଇଁ ରୋଜଗାର ବଢ଼ିଛି ଏବଂ ଚାଷୀ ଭାବେ ସମ୍ମାନ ମଧ୍ୟ ମିଳିଛି ।

କେବଳ ଶଙ୍ଖଜିନି କାହିଁକି ୫୪ ବର୍ଷିୀୟ ଲିଙ୍ଗରାଜ ସାହୁ ମଧ୍ୟ ଫୁଲ ଚାଷ କରି ବେଶ୍ ଲାଭ ପାଇପାରିଛନ୍ତି । ପ୍ରଥମେ ୨ ଏକରରେ ଫୁଲ ଚାଷ ଆରମ୍ଭ କରିଥିବା ଲିଙ୍ଗରାଜ ଲାଭ ଦେଖି ଏବେ ବର୍ଷକୁ ୩ ଥର ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଫୁଲ ଚାହିଦା ବଢ଼ୁଥିବାରୁ ଆଗକୁ ଗେଣ୍ଡୁ ସହ ଜରବେରା ଏବଂ ଗୋଲାପ ଫୁଲର ଚାଷ କରିବାକୁ ଯୋଜନା ରଖିଛନ୍ତି ।

ଫୁଲ ଅମଳ କରୁଛନ୍ତି ଚାଷୀ

ମିଳୁଛି ବୈଜ୍ଞାନିକଙ୍କ ପରାମର୍ଶ
ସବୁଜ ସନାତନପାଲି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମନବୋଧ ବାରିକ କୁହନ୍ତି, ୨୦୨୪ ମସିହାରେ ସିଏସଆଇଆର-ଏନବିଆରଆଇ, ଲକ୍ଷ୍ନୌ ସହିତ ଏଫପିଓ ବୁଝାମଣାପତ୍ର ସ୍ବାକ୍ଷର ହେବା ପରେ ଫୁଲ ଚାଷରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଚାଷୀଙ୍କୁ ଉନ୍ନତ ଜ୍ଞାନକୌଶଳ, ଉନ୍ନତ ମାନର ମାଗଣା ଗେଣ୍ଡୁ ଫୁଲ ଓ ଅନ୍ୟାନ୍ୟ ଫୁଲ ଚାରା ଯୋଗାଇବା ସହ ଚାଷୀମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ହ୍ବାଟସଆପ ଜରିଆରେ ପରାମର୍ଶ ଦିଆଯାଉଛି । ଫଳରେ ଆଗ ଅପେକ୍ଷା ଚାଷର ପରିମାଣ ଯଥେଷ୍ଟ ବଢ଼ିଛି । ବିଶେଷକରି ଥାଇଲାଣ୍ଡ ଟେନିସ ବଲ ଗେଣ୍ଡୁ ଚାଷୀଙ୍କ ଆଗ୍ରହ ବଢ଼ାଇଛି । ଆଗରୁ ସେମାନେ ଦେଶୀ କିସମ ଚାଷ କରୁଥିଲେ । ଯାହା ଶୀଘ୍ର ଶୁଖି ମଉଳି ଯାଉଥିଲା ।ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ । ବର୍ତ୍ତମାନ ଟେନିସ ବଲ ଭେରାଇଟି ଚାଷ କରିବା ଦ୍ୱାରା ଫୁଲ ଅଧିକ ଦିନ ଯାଏଁ ସତେଜ ରହିବା ସହ ଫୁଲର ଆକାର ବଡ଼ ଓ ବେଶ୍ ଆକର୍ଷଣୀୟ ଦିଶୁଛି । ଏହାର କେଜି ପିଛା ୧୫୦ରୁ ୨୦୦ ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି । ବଡ଼ କଥା ହେଲା, ଏହାକୁ ଚାଷୀ ପୂର୍ବରୁ ବର୍ଷକୁ ଥରେ କେବଳ ଶୀତଦିନେ ଚାଷ କରୁଥିଲା ବେଳେ ଏବେ ବର୍ଷକୁ ୩ ଥର ଚାଷ କରୁଛନ୍ତି । ଏକର ପିଛା ସବୁ ଖର୍ଚ୍ଚ ଯାଇ ଥରକୁ ଏକରକୁ ଦେଢ଼ ଲକ୍ଷ ଲାଭ କରୁଛନ୍ତି ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବାରିକ କହିଛନ୍ତି । ସେ କହିଛନ୍ତି, ଏଥିରେ ସବୁଠାରୁ ଲାଭପ୍ରଦ ହୋଇଛନ୍ତି ମହିଳା ଚାଷୀମାନେ । ଏହି ଏଫପିଓ ମାଧ୍ୟମରେ ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରିବାକୁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି । ଏଥିରେ ୮୦ ଜଣ ମହିଳା ଚାଷୀଙ୍କ ସହିତ ସ୍ବୟଂ ସହାୟକ ଗୋଷ୍ଠୀ ଜଡ଼ିତ ଅଛନ୍ତି । ସେମାନେ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାର କରିପାରୁଛନ୍ତି । ଆଗରୁ ସେମାନେ ଅନ୍ୟ ଜମିରେ ମୂଲ ଲାଗିବା ନଚେତ୍ ଘର କାମରେ ବ୍ୟସ୍ତ ରହୁଥିଲେ । ଏବେ କିନ୍ତୁ ଫୁଲ ଚାଷ କରି ଭଲ ସଞ୍ଚୟ ସହ ପରିବାରରେ ଓ ଗାଁରେ ସମ୍ମାନ ପାଇପାରିଛନ୍ତି । ଏଫପିଓର କାର୍ଯ୍ୟକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା ଫୁଲ ଚାଷରେ ଅଗ୍ରଣୀ ହେବାକୁ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି ।

ମେକ୍ସିକୋର ୟୁଷ୍ଟୋମାର ଚାହିଦା
ମେକ୍ସିକୋର ଫୁଲ ହେଉଛି ୟୁଷ୍ଟୋମା । ଏବେ ଓଡ଼ିଶାର ସନାତନପାଲିରେ ଫୁଟିଛି । ସିଏସଆଇଆର-ଏନବିଆରଆଇ ପକ୍ଷରୁ ଏହି ଫୁଲକୁ ପରୀକ୍ଷାମୂଳକ ଭାବେ ସନାତନପାଲିର ପଲ୍ଲୀ ହାଉସରେ ୧ ଡିସିମିଲ ଜାଗାରେ ଚାଷ କରାଯାଉଥିଲା । ୟୁଷ୍ଟୋମାର ଗୋଲାପୀ, ବାଇଗଣୀ ଏବଂ ଧଳା ରଙ୍ଗକୁ ଚାଷୀମାନେ ଚାଷ କରିବାକୁ ଅଧିକ ପସନ୍ଦ କରୁଥିବା ବେଳେ ଏଗୁଡିକ ୮ ଦିନ ଯାଏ ସତେଜ ରହୁଛି । ସିଏସଆଇଆର- ଏନବିଆରଆଇ ନିର୍ଦ୍ଦେଶକ ଅଜିତ କୁମାର ଶାସନି କହିଛନ୍ତି, ଏହି ଫୁଲକୁ ବର୍ଷକୁ ୨ ଥର ଚାଷ କରାଯାଇପାରିବ । ତା ପୁଣି ୧୬ରୁ ୨୮ ଡିଗ୍ରୀ ତାପମାତ୍ରାରେ । ଯେହେତୁ ଏହାର ପରୀକ୍ଷଣ ସଫଳ ହୋଇଛି ତେଣୁ ଆଗାମୀ ଦିନରେ ଚାଷୀ କିପରି ଅଧିକ ୟୁଷ୍ଟୋମା ଚାଷ କରିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି ।

ସନାତନପାଲିର ପଲ୍ଲୀ ହାଉସରେ ମେକ୍ସିକୋର ୟୁଷ୍ଟୋମା ଫୁଲଚାଷୀ ଏହାକୁ ଗୋଟିଏ ଏକରରେ ଚାଷ କଲେ ପ୍ରାୟ ୨ ଲକ୍ଷ ଟଙ୍କା ଲାଭ ପାଇପାରିବେ କ୍ଷ ସିଏସଆଇଆର-ଏନବିଆରଆଇ ଫ୍ଲୋରିକଲଚର ମିଶନ ତରଫରୁ ଭାରତର ୧୨ରୁ ୧୪ଟି ରାଜ୍ୟରେ ଏଫପିଓ ଜରିଆରେ ଫୁଲ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି । ଓଡ଼ିଶାରେ ବି ଏହି ଯୋଜନା କାର୍ଯ୍ୟକାରୀ ହେଉଥିଲା ବେଳେ ଆଗକୁ ଏହା କିପରି ବ୍ୟାପକ ହେବ ସେ ଦିଗରେ ଶ୍ରୀ ଶାସନି ଗୁରୁତ୍ୱଆରୋପ କରିଛନ୍ତି । ଏହାକୁ ଚାଷ କରୁଥିବା ପ୍ରମୋଦ ବାରିକ କହିଛନ୍ତି, ନୂଆ ବର୍ଷରେ ଚାଷୀମାନେ ୟୁଷ୍ଟୋମା ଫୁଲ ଗୋଟାକୁ ୬୦ରୁ ୧୦୦ ଟଙ୍କାରେ ବିକ୍ରି କରିଛନ୍ତି । ନୂଆ କରି ଏ ଚାଷ କରୁଥିବାରୁ ପ୍ରଥମେ ଚାଷୀମାନେ ଦ୍ୱନ୍ଦରେ ଥିଲେ। ମାତ୍ର ଏନବିଆରଆଇର ବୈଜ୍ଞାନିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଜମିରେ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲର ଚାଦର ଯେମିତି ବିଛେଇ ହୋଇ ପଡିଛି । ଭଳି ଭଳିକା ଫୁଲର ଖିଲି ଖିଲି ହସରେ ଚାଷ ଜମି ହସି ଉଠୁଛି ।

ନୂଆ ଆଶା – ଫୁଲ ମିଶନ
ଓଡ଼ିଶାରେ ମୋଟ ୧୦ ହଜାର ହେକ୍ଟର ଜମିରେ ଫୁଲ ଚାଷ ହେଉଛି । ସେଥିରୁ ୬-୭ ହଜାର ହେକ୍ଟର ଜମିରେ ଝୁରା ଫୁଲ ଏବଂ ୩-୪ ହଜାର ହେକ୍ଟର ଜମିରେ କଟା ଫୁଲ ଚାଷ ହେଉଛି । ବର୍ଷକୁ ୬୦ ହଜାର ମେଟ୍ରିକ ଟନ ଝୁରାଫୁଲ ଉତ୍ପାଦନ ହେଉଥିଲା ବେଳେ ୪୬୩ ଲକ୍ଷ ଷ୍ଟିକ କଟା ଫୁଲ ଉତ୍ପାଦନ ହେଉଛି ବୋଲି ଉଦ୍ୟାନ କୃଷିର ଅତିରିକ୍ତ ନିର୍ଦ୍ଦେଶକ ଗୀତା ପାଢ଼ୀ କହିଛନ୍ତି । ରାଜ୍ୟରେ ଫୁଲର ଚାହିଦାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟରେ ୨୦୨୩ ମସିହାରେ ଓଡ଼ିଶା ସରକାର ଆରମ୍ଭ କରିଥିଲେ ଫୁଲ ମିଶନ । ବର୍ତ୍ତମାନ ଓଡ଼ିଶାରେ ଉତ୍ପାଦିତ ଫୁଲ ଦ୍ବାରା ୪୦% ଚାହିଦା ପୂରଣ ହେଉଥିଲା ବେଳେ ୬୦% ଫୁଲ ବାହାରୁ ଆସୁଛି । ବିଶେଷ କରି କୋଲକାତା, ବେଙ୍ଗାଲୁରୁ, ରାୟପୁର, ପୁନେ, ଥାଇଲାଣ୍ଡ, ଆନ୍ଧ୍ରପ୍ରଦେଶ ଆଦି ସ୍ଥାନରୁ ରାଜ୍ୟକୁ ଫୁଲ ଆସୁଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି । ତେବେ ଏହି ଫୁଲ ମିଶନ ଜରିଆରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମଧ୍ୟ ମିଶନ ଫର ଇଣ୍ଟିଗ୍ରେଟେଡ ଡେଭେଲୋପମେଣ୍ଟ ଅଫ ହର୍ଟିକଲଚର ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୭୦ରୁ ୮୦% ସବସିଡି ରହିଛି। ଯାହା ଅନ୍ୟମାନଙ୍କ କ୍ଷେତ୍ରରେ ୫୦% ରହିଛି । ବିଭିନ୍ନ କାରଣରୁ ଫୁଲ ମିଶନ ପାଇଁ ବହୁତ ଚାଷୀ ଆଗ୍ରହ ପ୍ରକାଶ କରୁଥିଲା ବେଳେ ବ୍ୟବସାୟିକ ଭିତ୍ତିରେ ଲାଭବାନ ମଧ୍ୟ ହେଉଛନ୍ତି । ଏହାକୁ ଦେଖି ସରକାର ଆଗାମୀ ଦିନରେ ମିଶନକୁ ବ୍ୟାପକ କରିବା ସହିତ ଚାଷୀମାନଙ୍କୁ ଅଧିକ ସୁବିଧା ଦେବାକୁ ଯାଉଛନ୍ତି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।

ଭାଗ୍ୟ ବଦଳାଇବ ମଣ୍ଡି
ଏହା ବ୍ୟତୀତ ସମ୍ବଲପୁର ନୀଳ ଡୁମୁରିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଉଦ୍ୟାନ କୃଷି ମଣ୍ଡି ବା ଟର୍ମିନାଲ ମାର୍କଟେ କଂପ୍ଲେକ୍ସ ହେବାର ଯୋଜନା ରହିଛି । ଏହା ହେଲେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିପାରିବ । ଏହା ସହିତ ଜିଲ୍ଲା ଭିତରେ ସୀମିତ ଥିବା ଫୁଲ, ଫଳ ଏବଂ ପନିପରିବା ବେପାର ଦେଶ ବିଦେଶକୁ ଯିବ । କୃଷି ମଣ୍ଡି ସ୍ଥାପନ ହେବା ଫଳରେ ପଶ୍ଚିମ ତଥା ଉତ୍ତର ଓଡ଼ିଶାର ୧୦ ଜିଲ୍ଲାର ଫୁଲ ଏବଂ ଫଳ ଓ ପନିପରିବା ଚାଷୀଙ୍କୁ ବେଶି ଫାଇଦା ଦେବ । ଅର୍ଥନୈତିକ ପ୍ରଗତି ସହ ଚାଷ ଓ ଚାଷୀଙ୍କ ଭାଗ୍ୟ ବଦଳାଇ ଦେବ ବୋଲି ସମ୍ବଲପୁରର ଅଭିନବ କୃଷି ଗବେଷଣା ପ୍ରତିଷ୍ଠାନର ପରିଚାଳନା ଟ୍ରଷ୍ଟି ଡ. ଅଭିଳାଷ ପ୍ରଧାନ କହିଛନ୍ତି ।

ନଷ୍ଟ ଫୁଲରୁ ରୋଜଗାର
ସବୁଜ ସନାତନପାଲି ଏଫପିଓରେ ଅଧିକାଂଶ ମହିଳା ଫୁଲ ଚାଷ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୧୦ ଏକର ଜମିରେ ଗେଣ୍ଡୁ, ଗୋଲାପ, ଜରବେରା, ରଜନୀଗନ୍ଧା ଫୁଲ ଚାଷ କରୁଛନ୍ତି । ଦୈନିକ ୨୫ କେଜିରୁ ୧ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଫୁଲ ଉତ୍ପାଦନ ହେଉଛି । ପର୍ବ ପର୍ବାଣୀ ଋତୁକୁ ଛାଡିଦେଲେ ଅନ୍ୟ ସମୟରେ କମ ଦାମରେ ବିକ୍ରି ହେଉଛି । ଅଫ ସିଜନରେ ଦୈନିକ ଉତ୍ପାଦନର ପ୍ରାୟ ୫୦% ଫୁଲ ନଷ୍ଟ ହେଉଛି । ଯାହାର ଭରଣା ପାଇଁ ଏନବିଆରଆଇର ବିଶେଷଜ୍ଞମାନେ ବଳକା ଅଦରକାରୀ ତଥା ନଷ୍ଟ ବାସିଫୁଲରୁ କିପରି ବିଭିନ୍ନ ଉତ୍ପାଦ ତିଆରି କରିହେବ ସେନେଇ ତାଲିମ୍ ଦେଉଛନ୍ତି । ନିକଟରେ ସମ୍ବଲପୁର ନୀଳ ଡୁମୁରିରେ ଏକ ପ୍ରଶିକ୍ଷଣ ଶିବିର ହୋଇଥିଲା । ଯେଉଁଠାରେ ମହିଳାମାନେ ଧୂପକାଠି, ରଙ୍ଗ, ସିନ୍ଦୁର, ଅତର, ଗ୍ରୀଟିଙ୍ଗ କାର୍ଡ, ରାକ୍ଷୀ, ଜନ୍ମଦିନ ଉପହାର ଏବଂ ବିଭିନ୍ନ କଳାକୃତି ଓ ଉପହାର ଆଦି ପ୍ରାକୃତିକ ଜିନିଷ ତିଆରି କରିବା ବିଷୟ ଶିଖିଥିଲେ । ଆଗାମୀ ଦିନରେ ତାକୁ କାମରେ ଲଗାଇ ଅର୍ଥ ଉପାର୍ଜନର ସ୍ବପ୍ନ ଦେଖିଛନ୍ତି ତାଲିମ୍ ପ୍ରାପ୍ତ ମହିଳା ଚାଷୀ । ଯଦ୍ୱାରା ଫୁଲ ନଷ୍ଟ ହେବନି ଆଉ ଚାଷୀମାନେ ରୋଜଗାର କରିବା ସହ ଲାଭବାନ ହୋଇପାରିବେ ବୋଲି ତାଲିମ୍ ପ୍ରାପ୍ତ ଚାଷୀ ଶଙ୍ଖଜିନି କହିଛନ୍ତି ।

Leave a Reply

Your email address will not be published. Required fields are marked *