ଓଡିଶାରେ କେଶର ଚାଷ: ପାଲଟିଛି ରୋଜଗାରର ନୂଆ ମାଧ୍ୟମ

ଏବେ ଓଡ଼ିଶାରେ ହେଉଛି ମହଙ୍ଗା ମସଲା କେଶର ଚାଷ  । ପୁଣି ଡିମାଣ୍ଡରେ ବିଶ୍ୱ ପ୍ରସିଦ୍ଧ କାଶ୍ମୀରର ମୋଙ୍ଗ୍ରା କେଶର  ଯାହା ଚାଷୀଙ୍କ ଅଧିକ ପସନ୍ଦ  । ଭୁବନେଶ୍ୱରର ଚାଷୀ ସୁବ୍ରତଙ୍କଠୁ ନେଇ ଝାରସୁଗୁଡ଼ାର ସୁଜାତାଙ୍କ ପର୍ଯ୍ୟନ୍ତ ଅନେକ ଏହି ଲାଭଦାୟକ ଚାଷ କରି ସଫଳ ହୋଇଛନ୍ତି । ଖାଲି ସଫଳ ହୋଇନାହାନ୍ତି, ବରଂ କେଶର ଉତ୍ପାଦନରେ ରାଜ୍ୟରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ।

ଓଡ଼ିଶାରେ ପାରମ୍ପରିକ ଚାଷ ହୋଇ ଆସୁଥିଲା ବେଳେ ବର୍ତ୍ତମାନ ବିଭିନ୍ନ ପ୍ରକାରର ହାଇବ୍ରିଡ୍ ଚାଷ  ହେଉଛି । ଏମିତି କି ଆମ ଜଳବାୟୁରେ ସାଧାରଣ ଭାବେ ହେଉନଥିବା ଫଳ, ପନିପରିବା ଓ ଫୁଲ ବି ହେଲାଣି । ଏଇ ଯେମିତି କି ଡ୍ରାଗନ ଫ୍ରୁଟ୍ସ, ଷ୍ଟ୍ରବେରୀ, ବ୍ରୋକଲି ଆଦି ହେଉଛି । ତାସହିତ ଏବେ ଯୋଡ଼ି ହୋଇଯାଇଛି ପ୍ରସିଦ୍ଧ କାଶ୍ମୀର କେଶର । ଖୁସିର କଥା, କାଶ୍ମୀର ଭଳି ଶୀତୁଆ ଅଞ୍ଚଳର ପ୍ରସିଦ୍ଧ ମୋଙ୍ଗ୍ରା କେଶର ଏବେ ଓଡ଼ିଶାରେ ବିନା ମାଟିରେ ଚାଷ ହେଉଛି । ବାଇଗଣି ରଙ୍ଗର ଏ ଫୁଲ ଦେଖିବାକୁ ଯେତିକି ସୁନ୍ଦର ତାର ଉପକାରିତା ଓ ଉପଯୋଗିତା ସେତିକି ରହିଛି । ଏହା ଅଧିକ ପରିମାଣରେ ନହେଲେ ବି ଓଡ଼ିଶାର କିଛି ଉଦୀୟମାନ ଚାଷୀ ନିଜସ୍ବ ଉଦ୍ୟମରେ ଏ କେଶର ଉତ୍ପାଦନରେ ବେଶ ସଫଳତା ହାସଲ କରିଛନ୍ତି ।

ସୁଜାଜାଙ୍କ ଘରେ ମୋଙ୍ଗ୍ରା କେଶର ଚାଷ

ତାଲିମ୍ ନନେଇ ତାଲିମ୍ ଦେଉଛନ୍ତି ସୁଜାତା
ଓଡ଼ିଶାରେ କେଶର ଚାଷର ସଫଳ ଚାଷୀଙ୍କ ମଧ୍ୟରେ ଆଗରେ ରହିଛନ୍ତି କଟକର ଝିଅ ତଥା ଝାରସୁଗୁଡ଼ା ମଙ୍ଗଳାବଜାରର ବୋହୂ ସୁଜାତା ଅଗ୍ରୱାଲ । ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତାଙ୍କ କିଚେନ୍ ଗାର୍ଡେନ୍ ପ୍ରତି ରୁଚି ଥିବାରୁ କରୋନା ସମୟରେ ଘରେ ଏରୋପୋନିକ୍ ବା ବାୟୁରେ, ହାଇଡ୍ରୋପୋନିକ୍ ବା ଜଳରେ, କୋକୋପିଟ ବା ନଡ଼ିଆ କତା ଗୁଣ୍ଡରେ ପରୀକ୍ଷାମୂଳକ ଭାବେ ବିଭିନ୍ନ ଫୁଲ ଏବଂ ପନିପରିବା ଚାଷ କରିଥିଲେ । ଲକ୍ ଡାଉନରେ ଇଣ୍ଟରନେଟ୍, ଡିଜିଟାଲ୍ ପ୍ଲାଟ୍ ଫର୍ମ ଏବଂ ବିଭିନ୍ନ ବହିରୁ ଜ୍ଞାନ ଆହରଣ କରି କେଶର ଚାଷ ପ୍ରତି ମନ ବଳାଇଲେ । କାଶ୍ମୀରର ପ୍ରସିଦ୍ଧ ମୋଙ୍ଗ୍ରା କେଶର ମଞ୍ଜି ଆଣି ଚାଷ କଲେ । ୨ ଥର ବିଫଳ ହେଲା ପରେ ୨୦୨୩ ମସିହାରେ ସଫଳତା ପାଇଥିଲେ । ଘରର ଶୀତତାପ ନିୟନ୍ତ୍ରିତ କୋଠରୀରେ ୧୦୦ ସ୍କୋୟାରଫୁଟରେ ଚାଷ କଲେ । ୨୦୨୩ ଜୁଲାଇରେ କେଶର ଲଗାଇଲେ, ଯାହାର ଫୁଲ ଅକ୍ଟୋବରରେ ଫୁଟିଲା । ପ୍ରଥମେ ୮ ଲକ୍ଷ ୫୦ ହଜାର ଖର୍ଚ୍ଚ କରି ୧ କେଜି କେଶର ଉତ୍ପାଦନ କରି ସାରିଛନ୍ତି ସୁଜାତା । ସେଥିରୁ ୫ ଲକ୍ଷ ଲାଭ କରିଥିଲା ବେଳେ ବର୍ଷକୁ ୨୦ ଲକ୍ଷ ଲାଭ ଲକ୍ଷ୍ୟ ରଖିଛନ୍ତି । ବଡ଼ କଥା ହେଲା, ପୂର୍ବରୁ କାଶ୍ମୀରରୁ କେଶର ମଞ୍ଜି କିଲୋ ପିଛା ୭୦୦-୮୦୦ ଟଙ୍କାରେ ମଗାଉଥିଲା ବେଳେ ଏବେ ସୁଜାତା ନିଜେ କେଶର ମଞ୍ଜି ମଧ୍ୟ ଉତ୍ପାଦନ କରୁଛନ୍ତି । ଆଗକୁ କେଶର ସହ ମଞ୍ଜି ବି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି ।

କେଶର ଚାଷ ନେଇ ଚାଲିଛି ଆଲୋଚନା

ଏବେ ତାଙ୍କଠୁ ବିଭିନ୍ନ ଆୟୁର୍ବେଦିକ, କସ୍ ମେଟିକ୍ କମ୍ପାନୀ ଓ ସ୍ଥାନୀୟ ଲୋକେ କେଶର ନେଉଥିଲା ବେଳେ ସୁଜାତା ବ୍ଲୁମ୍ ଇନ୍ ହାଇଡ୍ରୋ କମ୍ପାନୀ ପ୍ରତିଷ୍ଠା ସହ କେଶରରୁ ବିଭିନ୍ନ ଉତ୍ପାଦ କରି ବିକ୍ରି କରୁଛନ୍ତି । ଆଗକୁ ଇ-ବଜାର ତଥା ଅନଲାଇନରେ ବେପାରକୁ ବଢ଼ାଇବାକୁ ଯୋଜନା ରଖିଛନ୍ତି । ଏ ଦିଗରେ ତାଙ୍କୁ ସ୍ବାମୀ ପବନ କୁମାର ଅଗ୍ରୱାଲ ବିଶେଷ ସହାୟତା କରୁଥିବା ସୁଜାତା କହିଛନ୍ତି । ଏହି ଚାଷ ସମ୍ପର୍କରେ ସୁଜାତା କାହାଠୁ ତାଲିମ୍ ନେଇନଥିଲା ବେଳେ ବର୍ତ୍ତମାନ ତାଙ୍କ ପାଖରୁ କେଶର ଚାଷ ବିଷୟରେ ଶିକ୍ଷା ଲାଭ ପାଇଁ ଓୟୁଏଟିର ଛାତ୍ରଛାତ୍ରୀମାନେ ଆସୁଛନ୍ତି । ଏ ବାବଦରେ ସେ ମାସିକ ୩୦ ହଜାର ଆୟ କରୁଥିବା କହିଛନ୍ତି । ଯଦିଓ କେଶର ଚାଷ ତାଙ୍କ ପାଇଁ ଆହ୍ବାନପୂର୍ଣ୍ଣ ଥିଲା, ତଥାପି ସେ ସେଥିରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି ।

କେଶର ଚାଷକୁ ପ୍ରୋତ୍ସାହିତ କରୁଥିବା ଚାଷୀ ସୁବ୍ରତ

ରାଜ୍ୟର ପ୍ରଥମ ଚାଷୀ
ରାଜ୍ୟରେ ପ୍ରଥମେ କେଶର ଚାଷ କରି ପ୍ରସିଦ୍ଧି ଲାଭ କରିଛନ୍ତି ଭୁବନେଶ୍ବର ବରମୁଣ୍ଡା ଶ୍ରୀଜଗନ୍ନାଥ ବିହାରର ସୁବ୍ରତ ମହାନ୍ତି । ଓୟୁଏଟିରୁ ଏମ୍ଏସସି ପାସ୍ କରିଥିବା ସୁବ୍ରତ ପ୍ରଥମେ କେଶର ଚାଷ ଉପରେ ଗବେଷଣା କରିଥିଲେ ।ତାଙ୍କର କହିବା କଥା, ୩ଟି ପ୍ରଣାଳୀରେ କେଶର ଚାଷ ହୋଇଥାଏ । କେଶରକୁ ଏରୋପୋନିକ୍, ହାଇଡ୍ରୋପୋନିକ୍, କୋକୋପିଟ ମାଧ୍ୟମରେ ଚାଷ କରାଯାଉଛି । ଶୀତତାପ ନିୟନ୍ତ୍ରିତ କୋଠରୀରେ ୧୦୦ ସ୍କୋୟାରଫୁଟ୍ ସ୍ଥାନରେ ପ୍ରାୟ ୫ରୁ ୧୦ ଡିଗ୍ରୀ ତାପମାତ୍ରାରେ ଏହି ଚାଷ ହେଉଛି । ସେ ମଧ୍ୟ ଏହି ଉପାୟରେ ୫ ଲକ୍ଷ ଖର୍ଚ୍ଚ କରି କେଶର ଚାଷ କରିଛନ୍ତି । ତା’ସହିତ ଚାଷୀଙ୍କୁ ତାଲିମ୍ ଦେଉଛନ୍ତି । ଏହା ପୂର୍ବରୁ ୨୦୧୧ ମସିହାରେ ସୁବ୍ରତ ବିନା ମାଟିରେ ୩୫ରୁ ଅଧିକ ପ୍ରକାରର ବିଭିନ୍ନ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଫସଲ ଅମଳ କରି ବେଶ ସଫଳତା ସାଉଁଟିଥିଲେ । ଏହାପରେ ସୁବ୍ରତ କେଶର ସହର ଭାବେ ପରିଚିତ କାଶ୍ମୀରର ପାମ୍ପୋର ଯାଇ କେଶର ଚାଷ ବିଷୟରେ ଜ୍ଞାନ ଆହରଣ କରିଥିଲେ । ତା’ପରଠୁ ସେ କେଶର ଚାଷରେ ଆଗେଇ ଚାଲିଛନ୍ତି । ଏହି କେଶର ଗୁଡ଼ିକ ବଜାରରେ ୧ ଗ୍ରାମକୁ ୪୮୦ରୁ ୬୦୦ ଟଙ୍କା ପର‌୍ୟ୍ୟନ୍ତ ବିକ୍ରି ହେଉଛି । ଆଗାମୀ ଦିନରେ ଅଧିକ ଉତ୍ପାଦ ନ ସହ ଚାଷୀଙ୍କୁ ଏ ସମ୍ପର୍କରେ ଅଧିକ ଜଣାଇବା ଲାଗି ସୁବ୍ରତ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ତୁଲିପ ଫୁଲ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ।
ଏହା ସହ ଖୋର୍ଦ୍ଧା ଜିଲ୍ଲାର ଆଶିଷ ବିନ୍ଦୁରେନ୍ଦ୍ର ଛୋଟରାୟ, ଅଂଶିତ ରଣସିଂହ, ସୌମ୍ୟ ରଞ୍ଜନ ମହାପାତ୍ର ମଧ୍ୟ କେଶର ଚାଷ କରି ବେଶ ସଫଳତା ପାଇଛନ୍ତି । ଏହି ୩ ଯୁବ ଚାଷୀଙ୍କ ମଧ୍ୟରୁ ୨ ଜଣ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଚାର୍ଟଡ ଆକାଉଣ୍ଟାଣ୍ଟ । ଏମାନେ ମଧ୍ୟ ଡିଜିଟାଲ୍ ମାଧ୍ୟମରେ ଚାଷ ବିଷୟରେ ଦେଖିବା ସହ ଓଡ଼ିଶାରେ ପୂର୍ବରୁ କେଶର ଚାଷ କରିଥିବା ଚାଷୀଙ୍କଠାରୁ ତାଲିମ୍ ନେଇ କେଶର ଚାଷ କରୁଛନ୍ତି ।

କେଶର ଚାଷ

ଜଳବାୟୁ ପ୍ରଭାବରେ ଉତ୍ପାଦନ କମୁଛି
ରୋଷେଇ ଘରେ ମହଙ୍ଗା ମସଲା ଭାବେ ପରିଚିତ କେଶରର ସ୍ଥାନ ସ୍ବତନ୍ତ୍ର । କେବଳ ସ୍ବାଦ ଏବଂ ସୁଗନ୍ଧ ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ବେଶ ଉପଯୋଗୀ । ଭାରତରେ ବାର୍ଷିକ ୫୦ରୁ ୬୦ ମେଟ୍ରିକ୍ ଟନ୍ କେଶର ଦରକାର । ହେଲେ ଉତ୍ପାଦନ ହେଉଛି ୧୨ ମେଟ୍ରିକ୍ ଟନ୍ । ୨୦୧୮ ମସିହା ଯାଏ ୧୭ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଥିଲା । ୨୦୨୪ ମସିହାରେ ହ୍ରାସ ପାଇ ଏହା ୧୦ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଛି । ବିଶେଷଜ୍ଞଙ୍କ କହିବା କଥା, ଏହାର ବଡ଼ କାରଣ ଜଳବାୟୁ ପରିବର୍ତ୍ତନ ।

ସଫଳ ଚାଷୀ ସୁଜାତା କୁହନ୍ତି, ବିଶେଷତଃ ଭାରତ ବର୍ଷର କାଶ୍ମୀରର ପାମ୍ପୋର, ପୁଲୱାମା ବୁଡ଼ଗାମ୍, ଶ୍ରୀନଗରରେ ବେଶି କେଶର ଚାଷ ହେଉଛି । ଇରାନ ବିଶ୍ବରେ ସର୍ବାଧିକ କେଶର ଉତ୍ପାଦନ ଦେଶ ଭାବେ ମାନ୍ୟତା ପାଇଛି, ହେଲେ ଗୁଣବତ୍ତା ପାଇଁ ବିଶ୍ବରେ କାଶ୍ମୀର କେଶରର ଚାହିଦା ଅଲଗା ପ୍ରକାର ରହିଛି । ଯାହାର ଚାଷ ଏବେ ଓଡ଼ିଶାରେ ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ୫୦% ସବସିଡି ମିଳୁଛି । ଯଦି ସବୁ ଠିକରେ ଚାଲେ ତେବେ ଆଗକୁ କେଶର ଉତ୍ପାଦନ ବଢିବା ସହ ଚାଷ ଆଉ ଚାଷୀ ବି ବଢ଼ିବେ ବୋଲି ସୁଜାତା କହିଛନ୍ତି ।

Leave a Reply

Your email address will not be published. Required fields are marked *