ଜଙ୍ଗଲ ନିଆଁକୁ ପ୍ରତିରୋଧ କରୁଛି ମହିଳା ସଂକୀର୍ତନ ଦଳ

କେଉଁଝର ଜିଲ୍ଲା ଘଟଗାଁ ବ୍ଲକରେ ଥିବା ମୁର୍ଗାପାହାଡି ଗାଁର ସଂକୀର୍ତନ ମଣ୍ଡଳୀର ଚର୍ଚ୍ଚା ଏବେ ସବୁଠି । କାରଣ ଗାଁର ମହିଳାଙ୍କ ନେତୃତ୍ୱରେ ଗଢିଉଠିଥିବା ସଂକୀର୍ତନ ମଣ୍ଡଳୀ ଏବର୍ଷ ଆଖପାଖ ଦଶ ଖଣ୍ଡ ଗାଁର ଲୋକଙ୍କ ମଧ୍ୟରେ ସଚେତନତା ବଢାଇ ପାରିଛନ୍ତି । ଫଳରେ ଗାଁ ପାଖରେ ଥିବା ଘଟଗାଁ ରେଞ୍ଜର ଜଙ୍ଗଲରେ ନିଆଁ ଏବର୍ଷ ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ କମିଛି । ବନବିଭାଗର କହିବା ଅନୁସାରେ ନିୟମିତ ସଚେତନ କରାଗଲେ ଆଗକୁ ଜଙ୍ଗଲ ନିଆଁକୁ ଅଧିକ ନିୟନ୍ତ୍ରଣ କରାଯାଇପାରିବ ଓ ଜଙ୍ଗଲ ସୁରକ୍ଷିତ ରହିବ ।

ଶାନ୍ତିଲତା ରାଉତ
ଭୁବନେଶ୍ୱର

ଶୁଣରେ ଶୁଣରେ ଭାଇଭଉଣୀ
ଜଙ୍ଗଲରେ ନିଆଁ ଲଗାଅ ନାହିଁ …
ହାତରେ ଗିନି ଓ ଖଞ୍ଜଣୀ ଧରି ଏହି ଗୀତ ଗାଇ ଗାଇ କେଉଁଝର ଜିଲ୍‌ା ଘଟଗାଁ ବ୍ଲକ ମୁର୍ଗାପାହାଡି ଗାଁର ମହିଳାମାନେ ଭୋର ଭୋର ଗାଁ ଦାଣ୍ଡ ଦେଇ ଯାଉଥାଆନ୍ତି । ଉଦ୍ଦେଶ୍ୟ ଗାଁ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗେଇବା ଉପରେ ସଚେତନ କରିବା । ବିଶେଷକରି ଗାଁରେ ଥିବା ଆଦିବାସୀ ମହିଳାଙ୍କୁ ଏ କ୍ଷେତ୍ରରେ ସଚେତନ କରିବା ସହ, ଜଙ୍ଗଲରେ ନିଆଁ ଲାଗିଲେ କଣ ସବୁ କ୍ଷୟକ୍ଷତି ଘଟେ ସେ ବିଷୟରେ ଜଣାଇବା । ପ୍ରତି ବର୍ଷ ଫେବୃଆରୀ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ରାହ ବେଳକୁ ମହୁଲ ଫୁଲ ଗୋଟାଇବା ପାଇଁ ଗାଁର ଆଦିବାସୀ ସଂପ୍ରଦାୟର ମହିଳାମାନେ ମହୁଲ ଗଛ ଚାରିପାଖରେ ନିଆଁ ଲଗେଇ ଦିଅନ୍ତି ବୋଲି ଅଭିଯୋଗ ହୁଏ । ବନ ବିଭାଗ କର୍ମଚାରୀ ମାନେ ଅନେକଥର ଆସି ଗାଁରେ ମିଟିଂ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା । ହେଲେ ଗୀତ ମାଧ୍ୟମରେ ସଚେତନ କରାଗଲେ ଏହାର ଅଧିକ ପ୍ରଭାବ ପଡିବ ବୋଲି ଭାବି ବନଭିଭାଗ ସଂକୀର୍ତନ ମଣ୍ଡଳିର ମୁଖ୍ୟ ପ୍ରମିଳା ପ୍ରଧାନ ଓ ତାଙ୍କ ଗ୍ରୁପ ସହ ଆଲୋଚନା କଲେ । ଆଉ ତାପରେ ଆରମ୍ଭ ହେଲା ଗୀତ ମାଧ୍ୟମରେ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ।
ଘଟଗାଁ ବ୍ଲକ ମୁର୍ଗାପାହାଡି ଗାଁର ଏହି ଋାଧାକୃଷ୍ଣ୍ ସଂକୀର୍ତନ ମଣ୍ଡଳିର ଭାର ପ୍ରମିଳା ତୁଲାଉଥିବା ବେଳେ ତାଙ୍କୁ ଏ କାମରେ ସାହାଯ୍ୟ କରନ୍ତି ଗାଁର ୨୦ ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ କିଛି ମହିଳା ରହିଥିବା ବେଳେ କିଛି ଅବିବାହିତ ଯୁବତୀ ଏବଂ ପୁରୁଷ ମଧ୍ୟ ରହିଛନ୍ତି । ପ୍ରମିଳା କୁହନ୍ତି, ଉଭୟ ପୁରୁଷ ଓ ମହିଳା ମିଶି ସଂକୀର୍ତନ କରିଥାଆନ୍ତି ଓ ଢୋଲ, ମୃଦଙ୍ଗ, ଖଞଣୀ ବଜେଇଥାଆନ୍ତି । ଏବର୍ଷ ବନବିଭାଗ ସହାୟତାରେ ଜଙ୍ଗଲ ନିଆଁର ଭୟାବହତାକୁ ନେଇ ଖରାଦିନ ଆରମ୍ଭରୁ ନିଜ ପଁଚାୟତରେ ସଚେତନ କରିବା ପାଇଁ ସେ ଓ ତାଙ୍କ ଦଳ ଏହି ଅଭିନବ ଉପାୟ ଆପଣେଇଛନ୍ତି । ପଁଚାୟତରେ ସବୁ ଗାଁକୁ ଯାଇ ଗୀତ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନ କରିଛନ୍ତି ।

ଏମିତିି ଆରମ୍ଭ ହୋଇଥିଲା ସଂକୀର୍ତନ

ପ୍ରମିଳା କୁହନ୍ତି ଆଗେ ଗାଁର ପୁରୁଷମାନଙ୍କୁ ନେଇ ସଂକୀର୍ତନ ଦଳଥିଲା ଓ ସେମାନେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଏକୋଇଶା ଓ ଅନ୍ୟ ପର୍ବପର୍ବାଣୀରେ ସଂକୀର୍ତନ କରୁଥିଲେ । କିନ୍ତୁ, ଗାଁରେ ରୋଜଗାରର ଅଭାବକୁ ଆଖି ଆଗରେ ରଖି ପୁରୁଷମାନେ ବାହାରକୁ କାମ ଅନ୍ୱେଷଣରେ ଯିବା ପରେ ଧିରେ ଧିରେ ସଂକୀର୍ତନ ବନ୍ଦ ହେବାରେ ଲାଗିଲା । ଏହା ଗାଁର ସଂସ୍କୃତି ଉପରେ ପ୍ରଭାବ ପକାଇବାରୁ ମହିଳାମାନେ ଚିନ୍ତା କଲେ ସଂକୀର୍ତନ ଦଳର ପୁନରୁଦ୍ଧାର କରିବା ପାଇଁ ଆଉ ତାପରେ ଗଢିଉଠିଲା ମୁର୍ଗାପାହାଡି ଗାଁର ଏହି ଋାଧାକୃଷ୍ଣ ସଂକୀର୍ତନ ମଣ୍ଡଳି ।
ପ୍ରମିଳା କୁହନ୍ତି, ଗାଁ ଲୋକଙ୍କ ଉପରେ ପ୍ରଭାବ ପକାଇବା ପାଇଁ ହେଲେ ତାଙ୍କୁ ତାଙ୍କ ଚଳଣୀ ଓ ତାଙ୍କ ଭାଷାରେ ବୁଝାଇବା ଦରକାର । ଏପରି ହେଲେ ଲୋକମାନେ ସେହି କଥାକୁ ଅଧିକ ଗ୍ରହଣ କରିବେ । ଏହାଛଡା ତାଙ୍କ ମତରେ ଏଭଳି ସଂକୀର୍ତନ କରି ଲୋକଙ୍କୁ ସଚେତନ କରିବା ଦ୍ୱାରା ଲୋକମାନେ ଅନେକ ମାତ୍ରାରେ ସାବଧାନ ହୋଇଛନ୍ତି । ଯଦିଓ ସେମାନେ ମଧ୍ୟ ଅନୁଭବ କରି ପାରୁଥିଲେ କି ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ସେମାନଙ୍କର ଅନେକ କ୍ଷତି ହେଉଛି ମାତ୍ର ଏହାକୁ ଆଉ ଟିକିଏ ଭଲଭାବେ ବୁଝାଇଥିଲେ ପ୍ରମିଳା । କେହି କେହି ପଶୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ଥାଆନ୍ତି ତ କେହି ଚାଷ ଜମିରେ ଥିବା ନଡ଼ାକୁ ପୋଡିବା ପାଇଁ ନିଆ ଲଗାଇ ଦିଅନ୍ତି । ମାତ୍ର ପରେ ବାୟୁମଣ୍ଡଳ ଖରାଦିନ ପାଇଁ ଶୁଖିଲା ଥିବାରୁ ନିଆଁ ଧିରେ ଧିରେ ଜଙ୍ଗଲ ମୁହାଁ ହୋଇ ସାରା ଅଁଚଳରେ ବ୍ୟାପିଯାଏ । ଆଉ ଜଙ୍ଗଲରେ ଥରେ ନିଆଁ ଲାଗିଲେ ଏହାକୁ ଲିଭାଇବା ପାଇଁ ଅନେକ ସମୟ ଲାଗିଯାଏ । ପବନର ବେଗ ଅଧିକ ଥିଲେ ଗୋଟିଏ ସ୍ଥାନରୁ ନିଆଁ ଲିଭାଇବା ବେଳକୁ ଏହା ଜଙ୍ଗଲର ଅନ୍ୟ ସ୍ଥାନକୁ ବ୍ୟାପିିଯାଏ । ଯାହାକି ପରିସ୍ଥିତିକୁ ଆହୁରି ଜଟିଳ କରିଦିଏ । ସାରା ଅଂଚଳ ଧୁଆଁମୟ ହେବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ ।
ଶଶୁରଙ୍କ ଠାରୁ ସଂକୀର୍ତନ ଶିଖି ଏହାକୁ ଆଗେଇ ନେଇଛନ୍ତି ପ୍ରମିଳା । ଘର ଲୋକଙ୍କ ସମର୍ଥନ ମିଳୁଥିବାରୁ ତାଙ୍କ କାମ ସେ ସହଜରେ କରି ପାରୁଥିବା କୁହନ୍ତି । ସଂକୀର୍ତନ ଲୋକଙ୍କ ମଧ୍ୟରେ ଅନେକ ପ୍ରଭାବ ପକାଇଛି । କାରଣ ସଂକୀର୍ତନ ଶୁଣିବା ପରେ ଅନେକ ଲୋକ ଏହାକୁ ପ୍ରଶଂସା କରିଥିଲେ । ସଂକୀର୍ତନ ହେବା ମାତ୍ରେ ଗାଁ ଲୋକ ସେହି ଜାଗାକୁ ଚାଲି ଆସନ୍ତି ଶୁଣିବା ପାଇଁ । ଏପରିକି ସେ ପ୍ରଥମେ ସଂକୀର୍ତନ ଆରମ୍ଭ କରିବା ସମୟରେ ବହୁ ଲୋକ ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ଲୋକଙ୍କ ସହଯୋଗ ଓ ସମର୍ଥନ ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଛି ବୋଲି ସେ କୁହନ୍ତି । ଆଗକୁ ନୁଆ ପିଢିର ପିଲାଙ୍କୁ ଏହି କାମକୁ ଆଗେଇ ନେବାକୁ ସେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

ପରିବର୍ତନ ଆଣିଛି ସଂକୀର୍ତନ

ଘଟଗାଁ ପାଖ ବଡଜାମୁପୋଷୀ ପଁଚାୟତରେ ଥିବା ଅଟେଇ ଜଙ୍ଗଲରେ ପ୍ରତିବର୍ଷ ନିଆଁ ଲଗିଥିବା ଖବର ଆସୁଥିଲା । ଏଥିରେ ଅନେକ ଲୋକ ମର୍ମାହତ ହେଉଥିଲେ । ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ଏହାର ସମାଧାନ ପାଇଁ ଜଣେ ବନବିଭାଗ ଅଧିକାରୀ ସଂକୀର୍ତନ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ କହିଥିଲେ । ଏହା ଆଗରୁ ସଂକୀର୍ତନ ମାଧ୍ୟମରେ ଆଧ୍ୟାତ୍ମିକ ଭାବନାର ପ୍ରସାର କରୁଥିଲେ ପ୍ରମିଳା ଓ ତାଙ୍କ ସାଥୀମାନେ । ଆଂଚଳିକ ବନବିଭାଗ ଅଧିକାରୀଙ୍କ କଥା ସଂକୀର୍ତନ ମଣ୍ଡଳୀର ସମସ୍ତ ସଦସ୍ୟଙ୍କ ମନକୁ ପାଇଥିଲା । ବିଶେଷ କରି ଗ୍ରୀଷ୍ମ ରୁତୁ ସମୟରେ ଏହି ଭଳି ପରିବେଶ ସୁରକ୍ଷା ଦିଗରେ ସେମାନେ ଗୀତ ଗାଇଥାନ୍ତି । ଅନ୍ୟପଟେ ଯଦି ଦେଖିବା ପ୍ରମିଳାଙ୍କ ସମେତ ଗାଁର ଅନ୍ୟ ଲୋକ ଚାଷ କରନ୍ତି ନଚେତ ଖରାଦିନେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରି ରୋଜଗାର କରିଥାଆନ୍ତି । ତେବେ ଏହି ସମୟରେ ନିଆଁ ଲାଗିଲେ ଏହା ଅନେକ କିଛି ଜଙ୍ଗଲଜାତ ପଦାର୍ଥକୁ ନଷ୍ଟ କରିଦିଏ । ଜଙ୍ଗଲରେ ନିଆଁ ଲାଗିବା ଘଟଣା ନୁଆ ନୁହେଁ । ବଢୁଥିବା ସମୟ ସହ ଏହି ମାମଲା ଅଧିକ ଗମ୍ଭୀର ହେବାକୁ ଲାଗିଛି । ଓଡିଶାରେ ପ୍ରତିବର୍ଷ ଜାନୁୟାରୀରୁ ଜୁନ ମଧ୍ୟରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥାଏ । ଏଥିରେ ବେଶୀ ପ୍ରଭାବିତ ହୋଇଥାନ୍ତି, ଏହା ଉପରେ ନିର୍ଭର କରି ବଂଚୁଥିବା ଗାଁଲୋକେ । ଜଙ୍ଗଲରୁ କାଠ ସଂଗ୍ରହ କରିବା ସହ, ମହୁ, ଝୁଣା, ଲାଖ, ମହୁଲ ସବୁ ନେଇ ବଜାରରେ ବିକ୍ରି କରିଥାଆନ୍ତି । ଏପରିକି ଶାଳ ଶିଆଳି ପତ୍ର ତୋଳି ଖଲି ତିଆରି କରି ଏଥିରୁ ଦି’ ପଇସା ରୋଜଗାର କରିଥାଆନ୍ତି । ମାତ୍ର ଜଙ୍ଗଲରେ ନିଆଁ ଲାଗିଲେ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ ।
ଚଳିତ ବର୍ଷ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଓଡିଶାରେ ଜଙ୍ଗଲ ନିଆଁ ରେକର୍ଡ ଭାଙ୍ଗିଥିଲା । ସବାଧିକ ଜଙ୍ଗଲ ଜଳି ନଷ୍ଟ ହେବାରେ ସାରା ଦେଶରେ ଓଡିଶା ଦ୍ୱିତୀୟ ରାଜ୍ୟରେ ପରିଗଣିତ ହୋଇଥିଲା । ପ୍ରାୟ ୨ହଜାର ୧୬୫ ହେକ୍ଟର ଜଙ୍ଗଲ ଜଳି ପୋଡି ନଷ୍ଟ ହୋଇଯାଇଥିଲା । ତେବେ ଜଙ୍ଗଲ ନିଆଁରେ ଅନେକ ମାତ୍ରାରେ ପଶୁ ପକ୍ଷୀ ପ୍ରଭାବିତ ହୋଇଥାନ୍ତି । ନିଆଁ ଲାଗିବା ମାତ୍ରେ ସବୁ ଜୀବ ପଦାକୁ ଚାଲି ଆସନ୍ତି । ଏପରିକି ଅନେକ ଜୀବ ନିଆଁରେ ଜଳି ମୃତ୍ୟୁ ମୁଖରେ ପଡିଥିବାର ଖବର ସାମ୍ନାକୁ ଆସେ । ଗତବର୍ଷ ୧୭ ହଜାର ୧୪ ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିବାର ସୂଚନା ଆସିଥିଲା । ଏଥିରେ ୪୦୬୭ ହେକ୍ଟର ଜଙ୍ଗଲ ଜଳିପୋଡି ପାଉଁଶ ହୋଇଯାଇଥିଲା । ରାଜ୍ୟରେ ୬୨ ପ୍ରକାରର ଆଦିବାସୀ ଲୋକ ବସବାସ କରନ୍ତି । ଏଥିମଧ୍ୟରୁ ପ୍ରାୟ ଅଧିକାଂଶ ଆଦିବାସୀ ଜଙ୍ଗଲ ଉପରେ ନିର୍ଭର କରିବା ସହ ଜଙ୍ଗଲ ମଧ୍ୟରେ ହିଁ ରୁହନ୍ତି । ଏଣୁ ସହରରେ ବସବାସ କରୁଥିବା ଲୋକଙ୍କ ଅପେକ୍ଷା ଏମାନେ ଏହି ନିଆଁ ଦ୍ୱାରା ବେଶୀ ପ୍ରଭାବିତ ହୋଇଥାଆନ୍ତି । ରାଜ୍ୟର ପ୍ରମୁଖ ୧୨ଟି ଜିଲ୍ଲାରେ ଆଦିବାସୀମାନେ ବସବାସ କରନ୍ତି । ଜିଲ୍ଲାଗୁଡିକ ହେଉଛି ମୟୁରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ରାୟଗଡା, ମାଲକାନଗିରି, କନ୍ଧମାଳ, କେଉଁଝର, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ନୁଆପଡା, ବଲାଙ୍ଗିର । ଆଉ ଜଙ୍ଗଲ ନିଆଁ ଏମାନଙ୍କୁ ବେଶୀ ପ୍ରଭାବିତ କରେ ।
ଜଙ୍ଗଲ ବିଭାଗ ସହାୟତାରେ ପ୍ରମିଳା ଯେପରି ସଂକୀର୍ତ୍ତନ ମାଧ୍ୟମରେ, ନୂଆ ଆଉ ଅଭିନବ ଉପାୟରେ ଜଙ୍ଗଲ ନିଆଁ ହ୍ରାସ ଦିଗରେ ସଚେତନତା ସୃଷ୍ଟି କରୁଛନ୍ତି ସେପରି ବ୍ୟବସ୍ଥା ରାଜ୍ୟର ଅନ୍ୟ ଅଂଚଳରେ ମଧ୍ୟ ହେବା ଆବଶ୍ୟକ ନୁହେଁ କି ?

Leave a Reply

Your email address will not be published. Required fields are marked *