ଆଦିବାସୀମୂଲକର ସୁନା ଝିଅ ରାଣୀ: ଶିଶୁ ଶ୍ରମିକରୁ ଡାକ୍ତରାଣୀ

 ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟରେ ଝିଅମାନଙ୍କୁ ସାଧାରଣତଃ କମ ବୟସରେ ବାହାଘର କରିଦିଆଯାଏ । କିନ୍ତୁ ଏହି ସମ୍ପ୍ରଦାୟର ଝିଅ ରାଣୀ ଏହା ତାଙ୍କ ସହ ଘଟୁ ବୋଲି ଚାହୁଁ ନଥିଲେ । ଜୀବନରେ କିଛି କରିବାର ଆଶାକୁ ପୂରା କରିବା ପାଇଁ କଠିନ ପରିଶ୍ରମ, ଅଧ୍ୟବସାୟ ଏବଂ ନିଷ୍ଠା ବଳରେ ସେ ଗତବର୍ଷ ଡାକ୍ତରୀ ପଢିବା ପାଇଁ ସର୍ବଭାରତୀୟ ପରୀକ୍ଷା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିଶୁ ଶ୍ରମିକ ଭାବେ କାମ କରୁଥିବ ରାଣୀ ଏବେ ଡାକ୍ତରାଣୀ ହେବାର ସ୍ବପ୍ନକୁ ପୂରା କରିବାକୁ ଯାଉଛନ୍ତି ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବୀଣାପାଟିଆ ଗାଁର ଆଦିବାସୀ ଛାତ୍ରୀ ରାଣୀ ହେମ୍ବ୍ରମ । ଦିନ ଥିଲା ପରିବାର ପାଇଁ ରାଣୀ ମୂଲ ଲାଗୁଥିଲେ । ଘର ଘର ବୁଲି କାମ କରୁଥିଲେ । କିନ୍ତୁ ଏତେ ସାରା ଅଭାବ ଅନଟନ ଭିତରେ ବି କେବେ ଲକ୍ଷ୍ୟଚ୍ୟୁତ ହୋଇନଥିଲେ । ନିଜ ଭିତରେ ଥିବା ଝୁଙ୍କ ଏବଂ ଦୃଢପଣ ତାଙ୍କୁ ଅସୀମ ସାହସ ଦେଇଥିଲା ଆଗକୁ ବଢିବାକୁ । ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଆଜି ସଫଳ ହୋଇଛନ୍ତି ।

ଏଇ କିଛି ବର୍ଷର ବ୍ୟବଧାନ ଭିତରେ ସେଦିନ ରାସ୍ତା କଡରେ ଶିଶୁ ଶ୍ରମିକ ଭାବେ ମଜୁରୀ ଖଟୁଥିବା କୁନି କନ୍ୟା ଆଜି ଡାକ୍ତରାଣୀ ହେବାର ସ୍ୱପ୍ନକୁ ସାକାର କରିବାକୁ ଯାଉଛି । ରାଣୀ ଆଜି ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ପଢିବାକୁ ଯୋଗ୍ୟତା ଅର୍ଜନ କରି ଦକ୍ଷତାର ଦମରେ ନିଜକୁ ପ୍ରମାଣିତ କରିଛନ୍ତି ।

ଇତିହାସର ଫର୍ଦ୍ଦରେ ଯୋଡ଼ି ହୋଇଯାଇଥିବା ତାଙ୍କର ଏ କାହାଣୀ ଯିଏ ଶୁଣୁଛି, ସେ ପ୍ରଶଂସା ନକରି ରହିପାରୁନି… କେବଳ ସେତିକି ନୁହେଁ, ବରଂ ସମସ୍ତଙ୍କ ମୁହଁରୁ ସ୍ୱତଃ ବାହାରି ଆସୁଛି… ଆଦିବାସୀମୂଲକର ସୁନା ଝିଅ ରାଣୀ… ।

୫ ଭଉଣୀ ଗୋଟିଏ ଭାଇକୁ ନେଇ ରାଣୀଙ୍କ ପରିବାର । କରୋନାରେ ବାପା ସାଲଖାନ ହେମ୍ବ୍ରମ ଆରପାରିକୁ ଚାଲିଯାଆନ୍ତି । ପରେ ପରିବାରର ବୋଝ ଏବଂ ମା’ଙ୍କ କଥା ବୁଝିବା ସହ ଭାଇ ଭଉଣୀଙ୍କୁ ମଣିଷ କରିବାର ଦାୟିତ୍ୱ ରାଣୀଙ୍କ ମୁଣ୍ଡ ଉପରେ ପଡେ । ବାଧ୍ୟ ହୋଇ ପାଠ ପଢିବା ପରିବର୍ତ୍ତେ ଖାଦ୍ୟ ଯୋଗାଡ଼ ପାଇଁ ମଜୁରୀ ଲାଗନ୍ତି । ମାତ୍ର ପାଠ ସମ୍ପୂର୍ଣ୍ଣ ଛାଡ଼ିନଥିଲେ । ସବୁ କାମ ଭିତରେ ବି ପ୍ରତିଦିନ ଘରଠୁ ୭ କିମି ଦୂରରେ ଥିବା ଗଡ଼ଚଣ୍ଡୀ ହାଇସ୍କୁଲକୁ ସାଇକେଲ ଧରି ଯାଆନ୍ତି । ଏପରିକି ଶିକ୍ଷକଙ୍କ ଖାଇବାରୁ ଖାଦ୍ୟ ଖାଇ ପାଠ ପଢ଼ନ୍ତି ।

ଗଡ଼ଚଣ୍ଡୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନ ଏବଂ ଇଂରାଜୀ ଶିକ୍ଷକ ଯୁଧିଷ୍ଠିର ପରିଡ଼ା ପାଠ ପଢ଼ା ଓ ଆର୍ଥିକ କ୍ଷେତ୍ରରେ ରାଣୀଙ୍କୁ ବହୁତ ସାହାଯ୍ୟ ସହଯୋଗ କରିଛନ୍ତି । ଯାହାକୁ ରାଣୀ ଜୀବନରେ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି । ରାଣୀଙ୍କ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନ କହିଛନ୍ତି, ରାଣୀଙ୍କ ବାପା ତାଙ୍କୁ ସ୍କୁଲ ପଠାଇବାକୁ ରାଜି ନଥିଲେ । ତାଙ୍କ ଘରକୁ ଯାଇ ବୁଝାଇବା ପରେ ତାଙ୍କ ବାପା ରାଜି ହୋଇଥିଲେ । ପରେ ରାଣୀ ସ୍କୁଲ ଆସିବା ସହ ପାଠ ପଢା ଏବଂ ସମୟାନୁବର୍ତ୍ତିତା ପାଇଁ ସେ ସମସ୍ତଙ୍କୁ ଭିତରୁ ଅଲଗା ହୋଇ ବାରି ହୋଇପଡୁଥିଲେ । ତାଙ୍କର ନିଷ୍ଠାରୁ ସେ ବହୁତ ଆଗକୁ ଯିବେ ବୋଲି ପ୍ରଧାନ ଶିକ୍ଷକ ଏବଂ ସ୍କୁଲର ଅନ୍ୟ ଶିକ୍ଷକମାନେ ଜାଣିପାରିଥିଲେ ।

ମାଟ୍ରିକ ପରେ ରାଣୀଙ୍କର ସ୍ଥାନୀୟ ଅଙ୍ଗନବାଡି ଦିଦି ନିରୁପମା ରାଉତଙ୍କ ସହ ଭେଟ ହୁଏ । ସେ ରାଣୀଙ୍କ ଦୁଃଖ ଜାଣିବା ପରେ ରାଣୀ କେମିତି ଉଚ୍ଚଶିକ୍ଷା ପଢିବେ ସେନେଇ ଉଦ୍ୟମ କରନ୍ତି । ରାଣୀ ମାଟ୍ରିକରେ ୫୧୧ ନମ୍ବର ରଖି କୃତକାର‌୍ୟ୍ୟ ହୋଇଥିଲେ । ଘରେ ଅର୍ଥ ଅଭାବରୁ ଶିକ୍ଷକତା କରୁଥିବା ଦାଦାଙ୍କ ପାଖରେ ରହି ପଢୁଥିଲେ କିନ୍ତୁ ଦାଦାଙ୍କ ବିବାହ ପରେ ଏ ସୁବିଧା ବି ବେଶି ଦିନ ରହିଲା ନାହିଁ । ଏଣେ ଟଙ୍କା ନଥିବାରୁ ନା ଭଲ ଡାକ୍ତରଖାନା ନେଇ ବାପାଙ୍କ ଚିକିତ୍ସା କରିପାରୁଥିଲେ ନା ପାଠ ପଢ଼ି ପାରୁଥିଲେ । ଶେଷରେ ବାପା ଚାଲିଗଲେ । ଏ କଥା ରାଣୀଙ୍କୁ ବହୁତ ଆନ୍ଦୋଳିତ କରିଥିଲା । ସେଇଠି ସେ ଭାଙ୍ଗି ନପଡି ରାଣୀ ସଂକଳ୍ପ ନେଇଥିଲେ ଜୀବନରେ ଡାକ୍ତର ହେବେ ଏବଂ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିବା ଲୋକଙ୍କର ସେବା କରିବେ ।

ଅଙ୍ଗନବାଡି ଦିଦି ନିରୁପମାଙ୍କ ଯୋଗାଯୋଗ କ୍ରମେ ଯଶୋଦା ମା’ ଫାଉଣ୍ଡେସନର ନିବେଦିତା ଲେଙ୍କାଙ୍କ ସହଯୋଗରେ ରାଣୀ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ପଢ଼ନ୍ତି । ପରେ ମେଡିକାଲ କୋଚିଂ ନେଇ ଡାକ୍ତରୀ ପଢିବାକୁ ଯୋଗ୍ୟତା ହାସଲ କରନ୍ତି । ଏନେଇ ଯଶୋଦା ମା’ ଫାଉଣ୍ଡେସନର ନିବେଦିତା ଲେଙ୍କା କୁହନ୍ତି, ଯେବେ ରାଣୀ ବିଷୟରେ ଜାଣିଲି ତାର ନିଷ୍ଠା ମତେ ପ୍ରେରିତ କଲା । ମୁଁ ଆନ୍ଦୋଳିତ ହେଲି ଏବଂ ତୁରନ୍ତ ତାର ଉଚ୍ଚଶିକ୍ଷା ନିମନ୍ତେ ବ୍ୟବସ୍ଥା କଲି । ସେଦିନ ବି କହିଥିଲି ଏବଂ ଆଜି ବି କହୁଛି, ରାଣୀ ବାସ୍ତବରେ ହିଁ ରାଣୀ… ।

ରାଣୀ ବର୍ତ୍ତମାନ ଫୁଲବାଣୀ ମେଡିକାଲ କଲେଜରେ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ଉଚ୍ଚଶିକ୍ଷାରେ ସହାୟତା ଏବଂ ପକ୍କା ଘର ଖଣ୍ଡେ ନଥିବାରୁ ଏ ଦୁଃଖ କାହାଣୀକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଶେଷରେ ନିଜର ଏ ସଂଘର୍ଷମୟ, ଆହ୍ୱାନପୂର୍ଣ୍ଣ ଯାତ୍ରାକୁ ନେଇ ରାଣୀ କୁହନ୍ତି, ଭୋକିଲା ପେଟ ଯେତେବେଳେ ଖାଦ୍ୟ ଖୋଜୁଥିଲା, ଘରେ ଖାଇବା ଖୋଜିଲା ବେଳକୁ ୫ ଭୋକିଲା ମୁହଁ ଦିଶୁଥିଲା ସେଠି ମତେ ଶିଶୁ ଶ୍ରମିକ ଏକ ଅପରାଧ, ଏକଥା ଜଣାନଥିଲା । ଜାଣିବାକୁ ସୁଯୋଗ ଆଉ ଇଛା ବି ନଥିଲା… ଓ କାରଣ ଭୋକ ଭିତରେ ବଂଚିବାକୁ ଏ ଜୀବନ ରାହା ଖୋଜୁଥିଲା କହି ଭାବ ବିହ୍ଵଳ ହୋଇପଡ଼ିଥିଲେ ରାଣୀ ।

ସେ କୁହନ୍ତି, ଯେଉଁ ପରିବେଶରୁ ଆସିଛନ୍ତି, ସେଠି ଝିଅର କାମ ଚୁଲି ମୁଣ୍ଡରେ । ବଡ଼ ହେଲେ ଘର ସଂସାର ଆଉ ପରିବାରର ଦାୟିତ୍ୱ । ଏ ଭିତରେ ଦିନ ଚାଲିଯାଏ ଏବଂ ସମୟ ସବୁ ବିତିଯାଏ  । ହେଲେ ସେଥିରେ ସାମାନ୍ୟ ବ୍ୟତିକ୍ରମ ରାଣୀ । କନ୍ୟା ବୋଝ ନୁହଁ, ବରଂ ରତ୍ନ । କଠିନ ଅଧ୍ୟବସାୟ, ନିଷ୍ଠା ଏବଂ ପରିଶ୍ରମ ବଳରେ ଏ କଥାକୁ ସଫଳତାର ସହ ଶତ ପ୍ରତିଶତ ପ୍ରମାଣିତ କରିଛନ୍ତି ।

ଆଗାମୀ ଦିନରେ ସେ ନିଜକୁ ଜଣେ ହୃଦରୋଗ ନଚେତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଭିନ୍ନ ଅନ୍ଧବିଶ୍ୱାସ ଭିତରେ ବଂଚୁଥିବା ନିଜ ଅଞ୍ଚଳର ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ତାଙ୍କ ପରି ଅଭାବୀ ମେଧାବୀଙ୍କୁ ହାତ ଧରି ସଫଳତାର ଶୀର୍ଷ ଛୁଆଁଇବାର ରାଣ ଖାଇଛନ୍ତି ରାଣୀ । ଏଥିପାଇଁ ସେ ପ୍ରତିଜ୍ଞାଵଦ୍ଧ । କେବଳ ସେତିକି ନୁହେଁ, ବାପାଙ୍କୁ ବଞ୍ଚାଇ ନପାରିବାର ଯେଉଁ ଅଭିଳାଷ ଆଜି ପର‌୍ୟ୍ୟନ୍ତ ତାଙ୍କ ପାଇଁ ଅଭିଶାପ ହୋଇ ରହି ଆସିଛି, ତାର ପ୍ରାୟଶ୍ଚିତ ସ୍ୱରୂପ ଜଣେ ଭଲ ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *