ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନଜାତିଙ୍କ ଶିକ୍ଷାର ସାଥୀ ପାଲଟିଛନ୍ତି ବହୁଭାଷୀ ଶିକ୍ଷକ । ବଣମୂଲକରେ ଅଧାରୁ ପାଠ ଛାଡ଼ି ଦେଉଥିବା ବଣମଲ୍ଲୀମାନଙ୍କୁ ପୂର୍ଣ୍ଣରୂପେ ପ୍ରସ୍ଫୁଟିତ କରାଇବାକୁ ଶିକ୍ଷାର ସାଥୀ ପାଲଟିଛନ୍ତି । ବହୁ ପ୍ରତିଘାତ ଭିତରେ ସେମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ସହିତ ଆଗକୁ ବାଟ କଢେଇ ନେଉଛନ୍ତି । ପରେ ଦ୍ବିଭାଷୀ, ତ୍ରିଭାଷୀ ଶିକ୍ଷା ଦେଉଛନ୍ତି । ମୂଳରୁ ମାତୃଭାଷାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରୁଛନ୍ତି ବହୁଭାଷୀ ଶିକ୍ଷକ ।
ଆଜି ଫେବ୍ରୁଆରୀ ୨୧ । ସମଗ୍ର ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ଏଥରର ଥିମ୍ ରହିଛି- ‘ବହୁଭାଷୀ ଶିକ୍ଷାରେ ଯୁବ ସ୍ବର’। ସେହି ଆଧାରରେ ସମଗ୍ର ଦେଶରେ ଆଜି ମାତୃଭାଷା ଆଧାରିତ ବହୁଭାଷା ଶିକ୍ଷାକୁ ପ୍ରୋତ୍ସାହନ ଓ ସୁରକ୍ଷା ଦେବାରେ ମଡେଲ୍ ସାଜିଛି ଓଡ଼ିଶା । ରାଜ୍ୟରେ ପ୍ରଚଳନ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା (ଏମଟିବି-ଏମଏଲଇ ବା ମଦର ଟଙ୍ଗ ବେସଡ ମଲ୍ଟିଲିଙ୍ଗୁଆଲ ଏଜୁକେସନ) ଦେଶରେ ଚର୍ଚ୍ଚାରେ ରହିବା ସହ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହାର ପ୍ରଶଂସା ୟୁନେସ୍କୋ ସହ ଗତ ଡିସେମ୍ବରରେ ଭାଷା ଉପରେ ପ୍ରକାଶିତ ଭାରତ ଶିକ୍ଷା ରିପୋର୍ଟ- ୨୦୨୫ରେ କରାଯାଇଛି । ଏହି ପ୍ରଶଂସା ଭିତରେ ଆମେ ଉଦ୍ୟମ କରିଛୁ ବାସ୍ତବରେ ଓଡ଼ିଶାରେ ଜନଜାତି ଅଞ୍ଚଳରେ କେମିତି କାର୍ଯ୍ୟ କରୁଛି ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା (ଏମଟିବି-ଏମଏଲଇ), କେମିତି ପାଠ ପଢ଼ାଉଛନ୍ତି ଏହା ଅଧୀନରେ କାର୍ଯ୍ୟରତ ସ୍ୱତନ୍ତ୍ର ବହୁଭାଷୀ ଶିକ୍ଷା ପ୍ରଶିକ୍ଷିତ ଶିକ୍ଷକ, ଶିକ୍ଷୟିତ୍ରୀ ସେ ନେଇ ଏକ ଚିତ୍ର ଉପସ୍ଥାପିତ କରିବା ପାଇଁ ।

ବହୁଭାଷୀ ଶିକ୍ଷକଙ୍କ ପାଇଁ ପିଲାଙ୍କ ଜୀବନରେ ବଡ଼ ପରିବର୍ତ୍ତନ
ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ୍ କାଳିଆପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ । ଯେଉଁଠି ଅଧିକାଂଶ ସାନ୍ତାଳୀ ଏବଂ ହୋ ଭାଷାର ଛାତ୍ରଛାତ୍ରୀ ଥିଲେ । ମାତ୍ର ସ୍କୁଲରେ ତାଙ୍କ ଭାଷାରେ ପାଠ ପଢ଼ା ହେଉନଥିଲା । ଫଳରେ ପିଲା ପାଠ ବୁଝିପାରୁନଥିବାରୁ ସ୍କୁଲ ଯାଉନଥିଲେ । କେହି କେହି ଅଧାରୁ ବି ପାଠ ଛାଡ଼ି ଦେଉଥିଲେ । ଆଉ କିଛି ପିଲାଙ୍କୁ ଘର ଲୋକ ସ୍କୁଲ ହିଁ ପଠାଉନଥିଲେ । ଏହି ସମୟରେ ସ୍କୁଲରେ ନିଯୁକ୍ତ ହୁଅନ୍ତି ବହୁଭାଷୀ ଶିକ୍ଷା ପ୍ରଶିକ୍ଷଣପ୍ରାପ୍ତ ରାଜ୍ୟ ସାଧନ କର୍ମୀ ତଥା ଶିକ୍ଷକ ସନ୍ତୋଷ କୁମାର ସିଂ । ସେ ଯୋଗଦେବା ଦିନରୁ ପିଲାଙ୍କୁ ତାଙ୍କ ଭାଷାରେ କଥା ହେଲେ, ମିଶିଲେ । ଏପରିକି ତାଙ୍କ ମାତୃଭାଷାରେ ପାଠ ପଢେଇବା ଆରମ୍ଭ କଲେ । ଯାହା ଦେଖି ଶ୍ରେଣୀରେ ପିଲା ଆଶ୍ଚର୍ଯ୍ୟ ହେବା ସହ ଘରେ ଯାଇ କହିଲେ । ସନ୍ତୋଷ ବି ପୂରା ଭିନ୍ନ ଢଙ୍ଗରେ ଗପ, ଗୀତ ଓ କାହାଣୀ ମାଧ୍ୟମରେ ପିଲାଙ୍କୁ ମଜେଇ ହଜେଇ ପାଠ ପଢ଼ାଇଲେ । ଏହା ଦେଖି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିଲା । ଯେଉଁମାନେ ଶ୍ରେଣୀରେ ନିରବ ରହୁଥିଲେ ସେମାନେ ବି ହାତ ଉଠାଇ ଉତ୍ତର ଦେଲେ । ଧୀରେ ଧୀରେ ଶ୍ରେଣୀ ଗୃହରେ ଉପସ୍ଥାନ ବଢ଼ିଲା । ମାତ୍ର କିଛି ମାସ ମଧ୍ୟରେ ବିଦ୍ୟାଳୟର ପରିସର ଛାତ୍ରଛାତ୍ରୀଙ୍କ ଗହଳିରେ ପୂରି ଉଠିଲା । ପରୀକ୍ଷା ପରେ ଛାତ୍ରଛାତ୍ରୀଙ୍କ ଫଳାଫଳରେ ଉନ୍ନତି ଆସିବା ସହ ଅଭିଭାବକମାନେ ଶିକ୍ଷାରେ ଗୁରୁତ୍ବ ବୁଝି ନିଜ ଭୁଲ ସୁଧାରିଲେ । ପିଲାମାନଙ୍କୁ ଘରେ ଅଟକାଇବା ବଦଳରେ ସ୍କୁଲ ଛାଡ଼ିଲେ । ସନ୍ତୋଷ ସାରଙ୍କ ପାଇଁ ପୂରା ଚିତ୍ର ବଦଳିଗଲା ।

ମୁଣ୍ଡାରୀ ଭାଷାର ପ୍ରଚାରକ ଭାବେ ୨୦୨୩ ମସିହାରେ ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ ସନ୍ତୋଷ ଦୀର୍ଘ ୨୦ ବର୍ଷ ହେବ ଶିକ୍ଷକତା କରିଆସୁଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ବହୁଭାଷୀ ଶିକ୍ଷା ଉପରେ ସେ କୁହନ୍ତି, ୨୦୦୬ ମସିହାରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଜ୍ଞପ୍ତି ବାହାରିଲା । ୮ଟି ଆଦିବାସୀ ଜିଲ୍ଲାରେ ୧୦ଟି ଭାଷାକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହେଲା । ୨୦୦୬ ମସିହାରେ ସେ ବହୁଭାଷୀ ରାଜ୍ୟ ସାଧନ କର୍ମୀ ଭାବେ କାର୍ଯ୍ୟ ଆରମ୍ଭ କଲେ । ୨୦୦୭-୦୮ ମସିହାରୁ ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସହାୟତାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା (ଏମଟିବି-ଏମଏଲଇ) କାର୍ଯ୍ୟକାରୀ ହେଉଛି । ୨୦୧୪ରେ ସରକାର ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମକୁ ଲାଗୁ କଲେ । ବର୍ତ୍ତମାନ ଜନଜାତି ଅଞ୍ଚଳରେ ବହୁଭାଷୀ ଶିକ୍ଷା ଏବଂ ଶିକ୍ଷକଙ୍କ ପାଇଁ ବହୁ ପିଲା ସ୍କୁଲ ମୁହାଁ ହେବା ସହ ସେହିସବୁ ଅଞ୍ଚଳରେ ସାକ୍ଷାରତ ହାର ବଢ଼ିଛି । ଏହି ଯୋଜନା ପାଇଁ ଜନଜାତି ଅଞ୍ଚଳରେ ଶିକ୍ଷାର ନୂଆ ଆଲୋକ ଜଳିଛି । ଏପରିକି ଅଧାରୁ ପାଠ ଛାଡ଼ିବା ସଂଖ୍ୟା ସହ ଶିଶୁ ଶ୍ରମିକ ହାର ମଧ୍ୟ କମିଛି ।
କିନ୍ତୁ ଏସବୁ ଭିତରେ ବି କିଛି ସମସ୍ୟା ରହିଛି । ଯାହା ସମ୍ପର୍କରେ ସନ୍ତୋଷ କୁହନ୍ତି, ଏହି କାର୍ଯ୍ୟକ୍ରମର ପରିଚାଳନା ପାଇଁ ବ୍ଲକ ସ୍ତରରେ ଜଣେ ଅଭିଜ୍ଞ ଶିକ୍ଷକ ନିଯୁକ୍ତି ହେବା ଦରକାର । ଏଥିସହିତ ବୃତ୍ତି ପରୀକ୍ଷାରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷାକୁ ଅଗ୍ରାଧିକାରୀ ମିଳିବା ଦରକାର ଏବଂ ୨୦୦୬ ମସିହା ପରଠୁ ନୂଆ ପୁସ୍ତକ ପ୍ରକାଶନ ହୋଇନଥିବା ବେଳେ ତାହା ବି ହେବା ଜରୁରି । ଏହା ବ୍ୟତୀତ ସ୍କୁଲରେ ବିଭିନ୍ନ ଜନଜାତି ସମ୍ପ୍ରଦାୟର ମହାପୁରୁଷଙ୍କ ଜୟନ୍ତୀ ତଥା ଶ୍ରାଦ୍ଧ ଦିବସ ପାଳନ କରାଗଲେ ପିଲାମାନେ ସେମାନଙ୍କ ବିଷୟରେ ଜାଣିବାକୁ ପାଇପାରନ୍ତେ ।

ସେହିପରି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ପଞ୍ଚାୟତର ଦାନ୍ତିପଡ଼ା ଗ୍ରାମର ମୁଦୁଲିପଡ଼ା ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ବୁଦାଇ ମାନ୍ଦ୍ରା । ଯିଏ ୧୨ ବର୍ଷର ଶିକ୍ଷକତା ଅଭିଜ୍ଞତାରୁ କୁହନ୍ତି, କିଛି ବର୍ଷ ପୂର୍ବରୁ ଏହି ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ସିନୁ ଏବଂ ଶିବ ମାନ୍ଦ୍ରା ବି ଅଧାରୁ ପାଠ ଛାଡ଼ି ଦେଇଥିଲେ । ଶିକ୍ଷକମାନେ ସେମାନଙ୍କ ଘରୁ ଯାଇ ତାଙ୍କ ବାପା, ମାଙ୍କୁ ବୁଝାଇବା ପରେ ଏବେ ସେମାନେ ସ୍କୁଲକୁ ଫେରି ସହ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି । ଏମିତି ଅନେକ ଉଦାହରଣ ରହିଛି । ମାତ୍ର ପୂର୍ବରୁ ଅଭିଭାବକମାନେ ସଚେତନ ନଥିଲେ। ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା ଓ ସଚେତନତା ପରେ ଧୀରେ ଧୀରେ ବୁଝିଲେଣି । ନହେଲେ ପିଲାଙ୍କୁ ଚାଷ କାମରେ ଲଗାଉଥିଲେ ନଚେତ୍ ଶିଶୁ ଶ୍ରମିକ ଭାବେ ଖଟିବାକୁ ବାହାରକୁ ଛାଡି ଦେଉଥିଲେ । ବର୍ତ୍ତମାନ ସେଥିରେ ପରିବର୍ତ୍ତନ ଆସିଛି । ସ୍ଥାନୀୟ ଅଞ୍ଚଳରେ ସାକ୍ଷରତ ହାର ୭୫% ବଢ଼ିଛି । ବାପା, ମା, ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ନିଜେ ଆସୁଛନ୍ତି ଏବଂ ଶିକ୍ଷକମାନଙ୍କ ପରାମର୍ଶରେ ସବୁ କଥା ବୁଝୁଛନ୍ତି ।

ସେହିଭଳି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ପଞ୍ଚାୟତର ବଣ୍ଡାପଡ଼ା ପ୍ରାଥମିକ ବିଦ୍ୟାଳୟର ୩୨ ବର୍ଷୀୟ ଶିକ୍ଷକ ଘାଷି ସିସା କହିଛନ୍ତି, ପୂର୍ବରୁ ପିଲା ଶିକ୍ଷକଙ୍କ ଦେଖି ଭୟରେ ଦୌଡୁଥିଲେ ଏବେ କିନ୍ତୁ ସେ ଭୟ ନାହିଁ । ସକାଳେ ହେଲେ କେମିତି ଖୁସିରେ ସ୍କୁଲ ଆସିବେ ଏବେ ପିଲାଙ୍କ ଭିତରେ ସେ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଆମ ସ୍କୁଲରେ ଅଫିସ ରୁମରେ କ୍ଲାସ ରୁମ, ଷ୍ଟୋର ରୁମ ସବୁ ଚାଲିଛି । ୨ଜଣ ଶିକ୍ଷକ ଥିଲାବେଳେ ଜଣେ ଅଫିସ କାମରେ ବ୍ୟସ୍ତ ରହିଲେ ଆଉ ଜଣେ ୪୨ ପିଲାଙ୍କୁ ସମ୍ଭାଳୁଛନ୍ତି । ଭାରି ସମସ୍ୟା ହେଉଛି ।
ଆଦିବାସୀ ସମୁଦାୟରେ ନିଯୁକ୍ତି ଏହି ବହୁଭାଷୀ ଶିକ୍ଷା ପ୍ରଶିକ୍ଷିତ ଶିକ୍ଷକମାନେ ଜନଜାତି ଶିଶୁମାନଙ୍କ ସହ ସରଳ ଭାଷାରେ ସ୍ଥାନୀୟ ସଂସ୍କୃତି, ଲୋକକଳା ଓ ପାରମ୍ପରିକ ଜ୍ଞାନକୁ ଶିକ୍ଷାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହାଦ୍ବାରା ଶିଶୁମାନଙ୍କର ବୁଝିବା କ୍ଷମତା ବଢ଼ିଛି । ଶିକ୍ଷାରେ ସ୍ଥାୟୀତ୍ବ ଆସିବା ସହ ସ୍ଥାନୀୟ ଭାଷା, ସଂସ୍କୃତିର ସୁରକ୍ଷା ସମ୍ଭବ ହୋଇପାରିଛି ।

ବହୁଭାଷୀ ଶିକ୍ଷାର ପ୍ରଭାବ
ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା (ଏମଟିବି-ଏମଏଲଇ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଜନଜାତି ଛାତ୍ରଛାତ୍ରୀ ନିଜ ଭାଷାରେ ପାଠ ପଢିବେ । ବର୍ତ୍ତମାନ ୧୭ଟି ଜିଲ୍ଲାର ୨୧ଟି ଆଦିବାସୀ ଭାଷାରେ ନିଜ ମାତୃଭାଷା ଆଧାରିତ ଶିକ୍ଷା ଦିଆଯାଉଛି । ‘ସଂହତି’ ପ୍ରକଳ୍ପ ମାଧ୍ୟମରେ ୧୪୮୫ରୁ ଅଧିକ ବିଦ୍ୟାଳୟରେ ଏହି କାର୍ୟ୍ୟକ୍ରମ ଚାଲୁରହିଛି । ଯେଉଁଥିରେ ୩୩୬୪ ଜଣ ଶିକ୍ଷା ସହାୟକ ଏବଂ ୨୩୧ ଜଣ ଭାଷା ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଧିକ ବିଦ୍ୟାଳୟରେ ଲାଗୁ କରିବା ପାଇଁ ୮୧୭ଟି ଅତିରିକ୍ତ ବିଦ୍ୟାଳୟକୁ ଚିହ୍ନଟ କରାଯାଇଛି । ଆଗାମୀ ଦିନରେ ୨୦୦ ଶିକ୍ଷକ ପଦବି ପୂରଣ ନେଇ ଯୋଜନା ରହିଛି । ଓଡ଼ିଶାର ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ମାଲକାନଗିରି, ଗଜପତି, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁରରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା (ଏମଟିବି-ଏମଏଲଇ) ପ୍ରଣାଳୀରେ ଶିକ୍ଷାଦାନ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ସାନ୍ତାଳୀ, ସଉରା, କୋୟା, କୁଇ, କୁଭି, କିଶାନ, ଓରାମ, ମୁଣ୍ଡା, ଜୁଆଙ୍ଗ, ବଣ୍ଡା, ଗଦବା, ହୋ, ଗୋଣ୍ଡି, ପରଜା, ଖଡ଼ିଆ, ଡିଡାଇ, ଭୂମିଜ, କୋହ୍ଲ ଓ ପ୍ରଚଳିତ ଅନ୍ୟାନ୍ୟ ଆଦିବାସୀ ଭାଷାରେ ଶିକ୍ଷାଦାନ କରାଯାଉଛି ।
