ପୋଡମପେଟା ବିସ୍ଥାପିତଙ୍କ କାହାଣୀ: ଜୀବନ ବଦଳିଲା, ଜୀବିକା ବାଜିରେ

ସମୁଦ୍ର ଆମର ଭାତ ହାଣ୍ଡି । ଆମ ଜୀବନ ଜୀବିକା । ତା’ ସହ ସମ୍ପର୍କ ଜନ୍ମ ଜନ୍ମର । ପିଢ଼ି ପିଢ଼ି ଧରି ତା’ରି କୋଳରେ ବଞ୍ଚି ଆସିଛୁ । ସମୁଦ୍ର ଆମ ଘର, ପରିବାର ସବୁକିଛି । ହେଲେ ସେ ଦିନ ଆଉ ନାହିଁ ।

ସମୁଦ୍ର ବାରମ୍ବାର କୂଳ ଲଙ୍ଘିବାରୁ ଘର ଭାସିଗଲା । ଶେଷରେ ସରକାର ବିସ୍ଥାପିତ କରିଦେଲେ । ପୁଣି ଥଇଥାନ କଲେ । ଏବେ ଆଗ ଅପେକ୍ଷା ଭଲରେ ଅଛୁ ହେଲେ ଗଲା ଦିନକୁ ଭୁଲିପାରୁନୁ । ଆମ ଜୀବନ ବଦଳିଛି । ଚାଲି ଚଳଣିରେ ପରିବର୍ତ୍ତନ ହୋଇଛି, କିନ୍ତୁ ଜୀବିକା ବଦଳିନି । ଓଲଟା ସଂକଟରେ ବାଜି ଲାଗିଛି ବୋଲି କୁହନ୍ତି ଗଞ୍ଜାମ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ପୋଡମପେଟା ବିସ୍ଥାପିତ ୫୭ ବର୍ଷୀୟା ଏଙ୍କାମ୍ମା ।

ନିଶ୍ଚିହ୍ନ ହୋଇଯାଇଛି ଗାଁ

ଏଙ୍କାମ୍ମା କୁହନ୍ତି, ୨୦୦୨ ମସିହାରେ ସମୁଦ୍ରଠୁ ୧୦୦ ମିଟର ଦୂରରେ ଗଞ୍ଜାମ ପୁରୁଣା ପୋଡମପେଟା ଉପକୂଳବର୍ତ୍ତୀ ବାଲିସାହି ଥିଲା । ଏ ସାହିରେ ୧୦୦ ଏବଂ ପାଖ ପୁରୁଣା ପୋଡମପେଟାରେ ୩୦୦ ପରିବାର ରହୁଥିଲେ। ଏକତା, ଭାଇଚାରା ସହ ମାଛ ମାରି ଆମ ପରିବାର ସବୁ ହସଖୁସିରେ ଚଳୁଥିଲା । ଦିନଗୁଡ଼ାକ ଭାରି ଭଲରେ ବିତୁଥିଲା l ହଠାତ ୨୦୦୫ ମସିହାରେ ସମୁଦ୍ର ଜୋରରେ କୂଳ ଖାଇବାରୁ କୁଡ଼ିଆ କରି ରହୁଥିବା ଲୋକେ ସାମନ୍ୟ ଦୂରକୁ ପଳେଇଲେ । ଏମିତିକି ୨୦୦୫ରୁ ୨୦୧୬ ଭିତରେ ପାଖାପାଖି ଅନେକ ଥର ସମୁଦ୍ର କୂଳ ଖାଇଲା । ୫ରୁ ଅଧିକ ଥର ବଡ଼ କ୍ଷତି ପହଞ୍ଚାଇଲା । ଫଳରେ ୨୧୧ ମିଟର ରାସ୍ତା ୯୧ ମିଟରକୁ ହ୍ରାସ ପାଇଗଲା । ପ୍ରଥମେ ୧୦୦ ପରିବାରକୁ ସ୍ଥାନାନ୍ତର ହେବାକୁ ପଡ଼ିଲା । ବାକି ଯାହା ଥିଲା ୨୦୧୩ରେ ବାତ୍ୟା ଫାଇଲିନ ଭଳି ପ୍ରାକୃତିକ ବିପର୍ଯ୍ୟୟ ସବୁ ଉଜାଡ଼ି ଦେଲା । ବିରି ଉପରେ କୋରଡ଼ା ମାଡ଼ ପରି, ଗୋଟିଏ ପାଖରେ ସମୁଦ୍ର ଘର ଗିଳିବାର ଭୟ ଅନ୍ୟ ପାର୍ଶ୍ୱରେ ବାତ୍ୟା ଡର । ବାରମ୍ବାର ଏମିତି ବିଭିନ୍ନ ବିପର୍ଯ୍ୟୟ ସ୍ଥାନୀୟ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲା । ଏହା ଦେଖି ସରକାର ବିସ୍ଥାପନ ନୀତି ଆପଣାଇ ଲୋକଙ୍କୁ ଉଠାଇ ନେଲେ ।

ନୂଆ ପୋଡମପେଟା

ପ୍ରାକ୍ତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହଯୋଗରେ ପାଖ ପାହାଡ଼ିଆ ଅଞ୍ଚଳରେ ସରକାର ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ଯୋଜନାରେ ଘର ଦେଲେ । ୨୦୧୪ ବେଳକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତରଣ ସହ ଲୋକ ନୂଆ ପୋଡମପେଟା ଏବଂ ସିଦ୍ଧାନ୍ତ ନଗରରେ ରହିଲେ । ଏବେ ସମସ୍ତେ ଖୁସିରେ ଅଛନ୍ତି ଧୀରେ ଧୀରେ ପୁରୁଣା ପୋଡମପେଟା ନିଶ୍ଚିହ୍ନ ହେଇଗଲାଣି । କେବଳ ମୁଣ୍ଡ ଟେକି ଭଙ୍ଗା ଘର କେତୋଟି ରହିଛି । ଆଗକୁ ସେତକ ବି ସମୁଦ୍ରରେ ମିଶିଯିବ । କିନ୍ତୁ ଏସବୁ ଭିତରେ ଦୁଃଖ ହେଲାକ ଆମ ଜୀବିକା ବୁଡ଼ିଯିବା । ଗତ ୧୦ ବର୍ଷ ହେବ ଆମ ଜୀବନ ଜୀବିକାରେ ନିଆଁ ଲଗେଇ ଦେଲା ଏଇ ସମୁଦ୍ର । ଭାତ ହାଣ୍ଡି ଥିଲା ଶେଷରେ ପେଟକୁ ଲାତ ମାରିଲା । ବାଧ୍ୟରେ ଭିଟାମାଟି ଛାଡିଲୁ କିନ୍ତୁ ଆଜି ବି ଆଖିରେ ସେହି ସବୁ ପୁରୁଣା ଦିନ ନାଚି ଉଠୁଛି ବୋଲି ଏଙ୍କାମ୍ମା କୁହନ୍ତି ।

ଗାଁର ରାମ ନାମକ ଜଣେ ଛୋଟପିଲାଟିଏ କୁହେ, ବାପା ମାଛ ନେଇ ଆସିବା ପରେ ଡଙ୍ଗାରେ ଖେଳିବା, ଘର କରିବା ଆଉ ହେଉନି । ସ୍କୁଲ ବି ବଦଳିଲା । ନୂଆ ସାଙ୍ଗସାଥି ନୂଆ ସାର ମିଳିଲେ କିନ୍ତୁ ସେ ପିଲାଦିନ ଆଉ ଆସିବନି ଏକଥା ମନ ବୁଝୁନି । ଏତେ ଦିନ ଧରି ସେ ଜାଗା ଛାଡି ଆସିଲା ପରେ ବି ଏଠି ମନ ଲାଗୁନି । ସେଠି ଘରୁ ବାହାରିଲେ ଦୋକାନ ବଜାର ଥିଲା । ଏଠି ଚକୋଲେଟଟେ ଖାଇବାକୁ ଗଲେ ବି ବହୁ ଦୂର ଯିବାକୁ ହେଉଛି ।

୩୨ ବର୍ଷୀୟା ଲକ୍ଷ୍ମୀ କୁହନ୍ତି, ସିଦ୍ଧାନ୍ତ ନଗର ଏବଂ ନୂଆ ପୋଡମପେଟା ମଧ୍ୟରେ ଦୂରତା ୩ କିମି । ପୂର୍ବରୁ ସବୁ ଏକାଠି ରହୁଥିଲୁ । ବହୁତ ମଜା କରୁଥିଲୁ । ପୁନିଅ, ପରବ ଏକାଠି ଭୋଜିଭାତ ଖାଉଥିଲୁ । ଏବେ ସମ୍ପର୍କରେ ଜୁଆର ଉଠି ଭଟ୍ଟା ପଡ଼ିଯାଇଛି । ସିନ୍ଦୂକର ସାଇତି ରଖିଥିବା ପୁରୁଣା ସନ୍ତକକୁ ଦେଖି କିଛି ଏମିତି କହିଛନ୍ତି ଲକ୍ଷ୍ମୀ ।

ପୋଡମପେଟା ଏବେ ସ୍ମୃତିରେ

ଲକ୍ଷ୍ମୀ କୁହନ୍ତି, ନୂଆ ପୋଡମପେଟା ଭଲ ଲାଗୁନଥିଲେ ବି ବିଭିନ୍ନ ସରକାରୀ ସୁବିଧା ଦୃଷ୍ଟିରୁ ପରିବେଶ ସହ ଧୀରେ ଧୀରେ ଖାପ ଖୁଆଇ ଗଲୁଣି । ତାପରେ ଉପାୟ କିଛି ନାହିଁ । ଏଇଠି ହିଁ ରହିବାକୁ ପଡ଼ିବ । ହଁ ଏତିକି ସୁବିଧା ଅଛି କି, ଏଠି ଲୁଣି ପାଣି ନାହିଁ । ବିଜୁଳି ସମସ୍ୟା କି ରାଷେଇ ପାଇଁ ଜାଳେଣିର ଅସୁବିଧା ନାହିଁ । ସମୁଦ୍ର ଲହଡି ଆସି ଚୁଲି ଭାଙ୍ଗିବାର ବି ଡର ନାହିଁ । ସେ ଦୃଷ୍ଟିରୁ ଭଲ ବୋଲି ଲକ୍ଷ୍ମୀ କହିଛନ୍ତି ।

ସ୍ଥାନୀୟ କିଛି ବୟସ୍କ ଲୋକଙ୍କ କହିବା କଥା, ସୁବିଧା ବହୁତ ହୋଇଛି ହେଲେ ସମୁଦ୍ରଠୁ ଦୂରରେ ରହିବା ହେତୁ ବହୁତ ବାଟ ଚାଲି ଯିବାକୁ ପଡୁଛି । ଫଳରେ ନାନା ସମସ୍ୟା ହେଉଛି, ଯାହା ପୂର୍ବରୁ ନଥିଲା ।

କୂଳ ଲଘୁଂଛି ସମୁଦ୍ର

୨୪ ବର୍ଷୀୟ ପୂର୍ଣ୍ଣଲି କୁହନ୍ତି, ଏବେ ସମୁଦ୍ରର ଲହଡି ଏବଂ ବାଲି ଖେଳ ଆମ ପାଇଁ ସାତସପନ । ସବୁକିଛି ସ୍ମୃତି ହୋଇଯାଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏତେ ଯେ ଭୟଙ୍କର ତାକୁ ପୋଡମପେଟାବାସୀ କେବେ କଳ୍ପନା ହିଁ କରିନଥିଲେ । ଯାହାର କୋଳରେ ସେମାନେ ମୁଣ୍ଡ ଗୁଞ୍ଜି ପିଢ଼ି ପିଢ଼ି ଧରି ବଞ୍ଚି ଆସୁଥିଲେ ସେ ଯେ ଏମିତି ଧୋକା ଦେବେ ତାହା ବି ତାଙ୍କ ବୁଦ୍ଧି ବାହାରେ । ଯାହା ବି ହେଉ ଆଜି ସେମାନେ ପୁରୁଣା ପୋଡମପେଟା ଛାଡି ନୂଆ ପୋଡମପେଟାରେ ରହୁଛନ୍ତି । ବାଲିସାହି କୁଡ଼ିଆରୁ ସିଦ୍ଧାନ୍ତ ନଗର ପକ୍କା ଘରକୁ ଆସିଛନ୍ତି । କିନ୍ତୁ ସେ ଚାଳିଆର ସୁଖ ଏଠି ନାହିଁ । ଆଜି ବର୍ଷରେ ୬ ମାସ ଘରେ ନହେଲେ ଦାଦନ ଯିବାକୁ ପଡୁଛି । ମାଛ ହିଁ ମୂଳ ବେଉସା ଥିଲା । ଏବେ କିଛି ବର୍ଷ ହେଲା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ସୁରକ୍ଷା ଦୃଷ୍ଟିରୁ ବର୍ଷର ଫେବୃଆରୀରୁ ମେ ମାସ ପର୍ଯ୍ୟନ୍ତ ମାଛମରା ଓ ଟ୍ରଲର ଚାଳନା ଉପରେ କଟକଣା ରହୁଛି ଯେଉଁଥିପାଇଁ କାମ ନପାଇ ଲୋକେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ସରକାର ବାର୍ଷିକ ୧୫ ହଜାର ଟଙ୍କା ପ୍ରଦାନ କରୁଥିଲେ ବି ମାସିକ ଆୟ ଏବଂ ବ୍ୟୟ ପିଛା ସମୁଦ୍ରକୁ ଶଙ୍ଖେ । ଯେଉଁଥିପାଇଁ ଲୋକେ ବିକଳ୍ପ ଦେଖୁଛନ୍ତି । କିନ୍ତୁ ସେଠି ଥିଲାବେଳେ ପ୍ରାୟତଃ ଏ ସମସ୍ୟା ନଥିଲା, ଯାହା ଆଜି ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏ ଦୁଃଖ କିଏ ବୁଝୁଛି । ସମସ୍ତେ କହୁଛନ୍ତି ଆମେ ସେଠୁ ଆସି ଏଠି ଖୁସିରେ ଅଛୁ ହେଲେ ଭିତର ଯନ୍ତ୍ରଣାଟା କାହାକୁ ଦିଶୁଛି ବୋଲି ପୂର୍ଣ୍ଣଲି କୁହନ୍ତି ।

(ଏକ ବେସରକାରୀ ସଂସ୍ଥା ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ସମୁଦ୍ର ତଟ ଗାଁଗୁଡିକର ମତ୍ସ୍ୟଜୀବୀ ପରିବାରର ଝିଅ ମାନଙ୍କୁ ନେଇ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ। ଲେଖା, ଭିଡିଓ ଓ ଫଟୋ ମାଧ୍ୟମରେ ନିଜ ଅଞ୍ଚଳର ସମସ୍ୟାକୁ ସେମାନେ କିପରି ଲୋକଲୋଚନକୁ ଆଣି ପାରିବେ ସେ ନେଇ ଟ୍ରେନିଂ ଦିଆଯାଉଛି । ସେମାନେ ତାଙ୍କ ଅଞ୍ଚଳରେ ନିତିଦିନ ଦେଖୁଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଷ୍ଟୋରୀ ମାଧ୍ୟମରେ ଲେଖିବେ। ଏ ଯାଏଁ ଯାହା ଶିଖିଛନ୍ତି ତାକୁ ନେଇ ଷ୍ଟୋରିଜ ଓଡ଼ିଶା ପାଇଁ ଏନ୍ ପୂର୍ଣ୍ଣାଲି, ପି. ଚନ୍ଦ୍ରମା, ଏସ୍‌. ପ୍ରଭାତୀ ପ୍ରସ୍ତୁତ କରିଛନ୍ତି ଏହି ରିପୋର୍ଟ। ଏହାର ସମ୍ପାଦନା କରିଛନ୍ତି ସସ୍ମିତା ମଲ୍ଲ ।)

Leave a Reply

Your email address will not be published. Required fields are marked *