ରୁଗୁଡ଼ିପାଲିର ଅଙ୍ଗନବାଡ଼ି ଦିଦି ଗୀତାଞ୍ଜଳି: ବାଲ୍ୟବିବାହ ବନ୍ଦରୁ ନିଶା ନିବାରଣ ଉଦ୍ୟମ, ବଦଳାଇପାରିଛନ୍ତି ଅଙ୍ଗନବାଡ଼ିର ଚିତ୍ର

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଆସନ୍ତୁ ଭେଟିବା ଏପରି ଜଣେ ମହିଳାଙ୍କୁ ଯିଏ ଜଣେ ଅଙ୍ଗନବାଡ଼ି କର୍ମୀ ।କିନ୍ତୁ ତାଙ୍କ ଜୀବନ ବନ୍ଧା ସମାଜର ଉନ୍ନତିରେ । କେତେବେଳେ ବାଲ୍ୟ ବିବାହକୁ ରୋକିବା ତ କେତେବେଳେ ନିଶା ପ୍ରସାରକୁ ଅଟକାଇବା । ପୁଣି ଶିଶୁ ଶ୍ରମିକ ଉଛେଦ ସହ ପିଲାଙ୍କ ସୁନ୍ଦର ଭବିଷ୍ୟତ ଗଢିବା ଭଳି ଅନେକ କଥା କରି ସେ ଆଜି ଚର୍ଚ୍ଚାରେ । ସେଥିପାଇଁ ତାଙ୍କ କଥା ଆଜି ଗାଁ ଡେଇଁ ଆସି ରାଜ୍ୟରେ ପହଂଚିଛି ଏବଂ ଖବରର ଶିରୋନାମା ପାଲଟିଛି । ମହିଳା ଦିବସରେ ଆମେ ସେମିତି ଜଣେ ମହିଳାଙ୍କୁ ପାଇଛୁ ଯିଏ ହେଉଛନ୍ତି ଏକାଧାରରେ ଅନେକ । ନିଜ ଦକ୍ଷତା ବଳରେ ସଫଳତାର ଶୀର୍ଷ ସୋପାନ ଛୁଇଁଛନ୍ତି । ସେ ହେଲେ ଅଙ୍ଗନବାଡ଼ିକର୍ମୀ ଗୀତାଞ୍ଜଳି ଦିଦି ।

ଗୀତାଞ୍ଜଳି ରଣା । ବୟସ ୪୫ ବର୍ଷ । କାମ ତାଙ୍କର ଅଙ୍ଗନବାଡ଼ିରେ । ସେ ଜଣେ ଦାୟିତ୍ୱବାନ ଅଙ୍ଗନବାଡ଼ିକର୍ମୀ। ଅଙ୍ଗନବାଡ଼ି ପରିଚାଳନାରେ ଦକ୍ଷତାର ସହ ନିଜକୁ ପ୍ରମାଣିତ କରିଥିଲେ ବି ସେ କିନ୍ତୁ ସେତିକିରେ ସୀମିତ ନାହାନ୍ତି । କୁନି ଶିଶୁଙ୍କ ଭବିଷ୍ୟତ ଗଢ଼ିବା ସହ ସମାଜକୁ ସୁଧାରିବାରେ ସେ ଅହରହ ପ୍ରୟାସ କରି ଚାଲିଛନ୍ତି । ସମାଜସେବାକୁ ବ୍ରତ ଭାବେ ଆଦରି ନେଇଛନ୍ତି । କେତେବେଳେ ବାଲ୍ୟ ବିବାହ ରୋକିବା ତ ଆଉ କେତେବେଳେ ମଦ ବିରୋଧୀ ଓ ନିଶା ପ୍ରସାର ବନ୍ଦ କରିବାରେ କାମ କରି ଚାଲିଛନ୍ତି । ତା’ ବୋଲି ଏସବୁ ଭିତରେ ଯେ ସେ କେବେ ଅଙ୍ଗନବାଡ଼ି କାର୍ଯ୍ୟରେ ଖିଲାପ କରିଛନ୍ତି ତା ନୁହେଁ । ଠିକ୍ ସମୟରେ ସରକାରୀ କାମ ସାରି ଅନ୍ୟ କଥା ବୁଝନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନାରେ କିଶୋରୀଙ୍କୁ ଖାଦ୍ୟ ଯୋଗାଣ ହେଉ କି ମିଲେଟ ମିଶନର ସଫଳ ରୂପାୟନ ସବୁକୁ ନିଷ୍ଠାର ସହିତ ତୁଲାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ରୁଗୁଡ଼ିପାଲି ଅଙ୍ଗନବାଡ଼ିକେନ୍ଦ୍ର (ଖ)ର ଅଙ୍ଗନବାଡ଼ିକର୍ମୀ ଗୀତାଞ୍ଜଳି ରଣା । ସ୍ଥାନୀୟ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ଏବଂ ନିଶା ପ୍ରସାର ବନ୍ଦ ପାଇଁ ଜନସଚେତନତା ସହ ବିଭିନ୍ନ ସାମାଜିକ କାର୍ଯ୍ୟ କରି ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଏହା ସହ ଅଙ୍ଗନବାଡ଼ିକେନ୍ଦ୍ରକୁ ବି ସ୍ବତନ୍ତ୍ର କରି ଗଢ଼ି ତୋଳିଛନ୍ତି, ଯାହା ଏକ ମଡେଲ୍ କେନ୍ଦ୍ର ଭାବେ ପରିଚିତି ହାସଲ କରିଛି । ଯାହାର ସମସ୍ତ ଶ୍ରେୟର ହକଦାର ହେଉଛନ୍ତି ଗୀତାଞ୍ଜଳି । ସେ ଏହି ଅଙ୍ଗନବାଡ଼ି କେନ୍ଦ୍ରର ଦାୟିତ୍ୱରେ ରହିବା ପରଠୁ ଅଙ୍ଗନବାଡ଼ି କେନ୍ଦ୍ରର ଚିତ୍ର ବଦଳିବା ସହ ବେଶ ଚର୍ଚ୍ଚ ଓ ପ୍ରଶଂସା ସାଉଁଟି ଚାଲିଛି । ବର୍ତ୍ତମାନ ଏହା ପିଲାଙ୍କ ଆକର୍ଷଣର କେନ୍ଦ୍ର ହେବା ସହିତ ଏହାର ଶୈକ୍ଷିକ ବାତାବରଣ, ଉତ୍ତମ ପରିବେଶ ଏବଂ ନାଚ, ଗୀତରେ ପାଠପଢ଼ା ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଟାଣି ଆଣୁଛି । ଏଠାର ଅନ୍ୟତମ ଆକର୍ଷଣ ଫୁଲ, ଫଳଭରା ବଗିଚା ସମସ୍ତଙ୍କ ମନ ଜିଣିବାରେ ସକ୍ଷମ ହୋଇଛି । ଏହା ସହ କାନ୍ଥରେ ବିଭିନ୍ନ ରଙ୍ଗ ବେରଙ୍ଗ ସୁନ୍ଦର ସୁନ୍ଦର ଛବି ପିଲାଙ୍କ ମନ ହରୁଛି । ତାସହିତ ଶିଶୁଙ୍କୁ ଲାଗି ଦୋଳି ଏବଂ ବିଭିନ୍ନ ଖେଳ ସାମଗ୍ରୀ ରହିଛି ।

ଏତିକି ସଫଳତା ପାଇଁ ଗୀତାଞ୍ଜଳିଙ୍କୁ କିଛି କମ କଷ୍ଟ ସହିବାକୁ ପଡିନି । ଏ କାର୍ଯ୍ୟ ପାଇଁ ସେ ଯେତିକି ପୁରସ୍କାର, ପ୍ରଶଂସା ପାଇଛନ୍ତି ତାଠୁ ଅଧିକ କଥା ଶୁଣିଛନ୍ତି । କିନ୍ତୁ ସେଥିରେ ଅଟକି ନଜାଇ ଆଗକୁ ବଢ଼ି ନିଜ ଲକ୍ଷ୍ୟକୁ ଛୁଇଁଛନ୍ତି । ଯେତେବେଳେ ଗୀତାଞ୍ଜଳି ଆଜି ତାର ସଫଳତାର କାହାଣୀ ବଖାଣନ୍ତି ସେତେବେଳେ ସେ କୁହନ୍ତି, ଏ କାର୍ଯ୍ୟ ବହୁତ କଷ୍ଟକର ଥିଲା । ଘର ଘର ବୁଲି ବିଭିନ୍ନ ଟାହି ଟାପରା ଶୁଣି ଲୋକଙ୍କୁ ବୁଝାଇ ପିଲାମାନଙ୍କୁ ଅଙ୍ଗନବାଡ଼ିକେନ୍ଦ୍ରକୁ ଆଣିବା ବଡ଼ ଆହ୍ୱାନପୂର୍ଣ ଥିଲା । ହେଲେ ସମୟ ବଦଳିଛି, ଲୋକ ସଚେତନ ହେଲେଣି । ସେଥିପାଇଁ ଆଜି ଶିଶୁମାନେ ଗୀତାଞ୍ଜଳିଙ୍କ ପାଖରୁ କାହାଣୀ ଶୁଣିବାକୁ ଚାହିଁ ବସୁଥିଲା ବେଳେ ବିଭିନ୍ନ କଥାରେ ମହିଳାମାନେ ତାଙ୍କଠୁ ପରାମର୍ଶ ପାଇଁ ଦୌଡ଼ି ଆସୁଛନ୍ତି ।

ବଡ଼ କଥା ହେଲା, ଗୀତାଞ୍ଜଳି ଏହି କାମକୁ ସରକାରୀ ଦାୟିତ୍ବ ନୁହେଁ, ବରଂ ମିଶନ ଭାବେ ନେଇ କାମ କରି ଚାଲିଛନ୍ତି । କୌଣସି ବାଧା ତାଙ୍କ ପାଇଁ ବଡ଼ ପ୍ରତିବନ୍ଧକ ସାଜିନି । ସେ ନିୟମିତ ଗର୍ଭବତୀ ଏବଂ ସ୍ତନ୍ୟପାନକାରୀ ମା’ମାନଙ୍କ ଘରକୁ ଯାଇ ପୋଷଣ, ସ୍ୱଚ୍ଛତା, ସ୍ତନ୍ୟପାନର ଗୁରୁତ୍ବ ଓ ଟୀକାକାରଣ ସମ୍ବନ୍ଧିୟ ସଚେତନତା ଦେଇଥାନ୍ତି । ଆବଶ୍ୟକ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସୁରକ୍ଷିତ ପ୍ରସବ କରାଇଥାନ୍ତି । ଗ୍ରାମରେ କୌଣସି ଶିଶୁ ଅପପୋଷଣର ଶିକାର ହେଲେ ତାର ନିରୀକ୍ଷଣ କରି ପରିବାରକୁ ଉଚିତ ଖାଦ୍ୟ ପ୍ରଣାଳୀ ବିଷୟରେ ପରାମର୍ଶ ଦେଇଥାନ୍ତି । ବର୍ଷ କ୍ରମେ ଗୀତାଞ୍ଜଳି କେବଳ ଅଙ୍ଗନବାଡି କର୍ମୀ ନୁହେଁ, ସେ ଗ୍ରାମର ଉପଦେଷ୍ଟା, ଶିକ୍ଷିକା ତଥା ଆଶାର ପ୍ରତୀକ ହୋଇପାରିଛନ୍ତି । ଏମିତିକି ଗାଁରେ ଯାହା କିଛି ହେଲେ ଲୋକେ ଆଗ ଗୀତାଞ୍ଜଳି ଦିଦିଙ୍କୁ ଖୋଜିଥାନ୍ତି ।

ଗୀତାଞ୍ଜଳି ତାଙ୍କ ଅଞ୍ଚଳରେ ବାଲ୍ୟ ବିବାହ ପାଇଁ ବେଶ ପ୍ରଶଂସା ସାଉଁଟିଛନ୍ତି । ୨୦୧୯ ମସିହାରୁ ସେ ଏହା ଉପରେ କାମ କରି ଆସୁଛନ୍ତି । ଏନେଇ ନିଜ ଅଭିଜ୍ଞତାରୁ ସେ କୁହନ୍ତି, ୨୦୨୦ ମସିହାରେ ଜଣେ କିଶୋରୀର ବିବାହ ବନ୍ଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୦ ରୁ ଅଧିକ ବାଲ୍ୟ ବିବାହ ରୋକିବାରେ ସେ ସଫଳ ହୋଇଛନ୍ତି । ନିକଟସ୍ଥ ଉଲୁଣ୍ଡା ବ୍ଲକର ଯଉଁରା ଭଉଁରା ଗ୍ରାମ, ତରଭା ବ୍ଲକର ବ୍ରାହ୍ମଣୀ, ବୀରମହାରାଜପୁର ବ୍ଲକର ରଥପୁର ଭଳି ଗ୍ରାମରେ ପ୍ରଥପ୍ରାନ୍ତ ନାଟକ ଜରିଆରେ ଗାଁ ଗାଁ ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଲୋକମାନଙ୍କୁ ବାଲ୍ୟବିବାହ ଏକ ଅପରାଧ ବୋଲି ବୁଝାଉଛନ୍ତି । ତାଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଅଞ୍ଚଳରେ ବାଲ୍ୟ ବିବାହ କମିବାରେ ଲାଗିଛି । ସଚେତନତା ପରେ ଲୋକେ ଝିଅମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହେବା ସହ ଗୁରୁତ୍ୱ ଦେଉଛନ୍ତି ବୋଲି ଗୀତାଞ୍ଜଳି କୁହନ୍ତି ।

ଏହି ସବୁ କାମ ପାଇଁ ସକାଳ ହେଲା ମାତ୍ରେ ଗୀତାଞ୍ଜଳିଙ୍କ କାମ ଆରମ୍ଭ ହୋଇଯାଏ । ଏ ଗାଁରୁ ସେ ଗାଁ ବୁଲି ସଚେତନତା ବାଣ୍ଟିବା ସହ ଅଙ୍ଗନବାଡ଼ି କଥା ବୁଝିଥାନ୍ତି । ହାତରେ ମାଇକ୍ରୋ ଫୋନ ଧରି ଖରା, ବର୍ଷା, ଶୀତ, କାକରରେ ଗାଁ ଦାଣ୍ଡରେ ଛିଡ଼ା ହୋଇ ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇବା ସହ ସୂଚନା ଦେଇଥାନ୍ତି ।

ନିଜର ଏକ ସ୍ମରଣୀୟ ମୁହୂର୍ତ୍ତକୁ ମନେପକାଇ ଗୀତାଞ୍ଜଳି କୁହନ୍ତି, ଥରେ ସ୍ଥାନୀୟ ସରଗୁଣା ଗ୍ରାମ ପାଖ ରାସ୍ତା କଡରେ ଏକ ନବଜାତ ଶିଶୁକନ୍ୟାଟିଏ ପଡିଥିଲା, ଯାହାକୁ ନେଇ ସେ ସ୍ଥାନୀୟ ଡାକ୍ତରଖାନାରେ ପହଂଚି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ଏବେ ସେହି ଶିଶୁକନ୍ୟାଟି ୫ ବର୍ଷ ବୟସର ହେବା ସହ ତାଙ୍କୁ ପଶ୍ଚିମବଙ୍ଗ କୋଲକାତାର ଜଣେ ବ୍ୟକ୍ତି ପୋଷ୍ୟ ଭାବେ ଗ୍ରହଣ କରି ନେଇଛନ୍ତି । ଏବେ ବି ଗୀତାଞ୍ଜଳି ତା ସହିତ ଯୋଗାଯୋଗରେ ରହିବା ସହ ନିୟମିତ କଥା ହୁଅନ୍ତି ବୋଲି କୁହନ୍ତି ।

ତେବେ ପ୍ରଚାର, ପ୍ରସାରଠୁ ଦୂରେଇ ନିରୁତା ଭାବେ ଜଣେ ସମାଜସେବିକା ଭାବେ କର୍ତ୍ତବ୍ୟ କରିଚାଲିଥିବା ଗୀତାଞ୍ଜଳିଙ୍କ ନିଜ ଘର ସମ୍ବଲପୁର କୁଚିଣ୍ଡାରେ । ବାପା ମାଜିଷ୍ଟର ରଣା ଓ ମା ବେଦମତି ରଣାଙ୍କ ସେ ଅଲିଅଳି କନ୍ୟା । ୪ ଭାଇ, ଭଉଣୀରେ ବଡ଼ ଗୀତାଞ୍ଜଳି । ସେଥିପାଇଁ ସେ ଟିକେ ଗେଲ୍ହା । ବାପା ସରକାରୀ କର୍ମଚାରୀ ଥିଲେ ତେଣୁ ପିଲାବେଳେ ତାଙ୍କୁ ବିଶେଷ ଅସୁବିଧାକୁ ସାମ୍ନା କରିବାକୁ ପଡିନି । କିନ୍ତୁ ଛୋଟ ବେଳୁ କିଛି ଭିନ୍ନ କରିବାର ଚିନ୍ତା ସବୁବେଳେ ତାଙ୍କୁ ଆନ୍ଦୋଳିତ କରୁଥିଲା । ସେଥିପାଇଁ ବିବାହ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ଗଢିବା, ମହିଳା ସଶକ୍ତିକରଣ ଆଦି କାର୍ଯ୍ୟ ସେ କରୁଥିଲେ । ୨୦୦୦ ମସିହାରେ ରୁଗୁଡ଼ିପାଲିର ଶିକ୍ଷକ ଲାଲଚାନ୍ଦ ରଣାଙ୍କ ସହିତ ତାଙ୍କର ବିବାହ ହୁଏ । ସେ ଭାବନ୍ତି ଏଠି ତାଙ୍କ ସ୍ବପ୍ନ ସମାଧି ନେଇଯିବ ସେ ଆଉ ଲକ୍ଷ୍ୟସ୍ଥଳରେ ପହଂଚିପାରିବେନି । କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଶାଶୂଘର ଲୋକଙ୍କ ସହଯୋଗ ଏବଂ ସ୍ୱାମୀଙ୍କ ସମର୍ଥନ ମିଳିଲା ଆଉ ସେ ଆଗେଇ ଚାଲିଲେ । ବର୍ତ୍ତମାନ ଗୀତାଞ୍ଜଳିଙ୍କର ଦୁଇ ପୁଅ ଝିଅ ପାଠ ପଢୁଥିଲା ବେଳେ ୨୦୧୦ ମସିହାରୁ ଅଙ୍ଗନବାଡ଼ିକର୍ମୀ ଭାବେ ଚାକିରି ପାଇ ଦକ୍ଷତାର ସହ ନିଜ କାର୍ଯ୍ୟ କରି ଆସୁଛନ୍ତି ।

ଅଦ୍ଵେକା ଯୋଜନାର ସଫଳ ରୂପାୟନ
ରାଜ୍ୟ ସରକାରଙ୍କ ଅଦ୍ଵେକା ଯୋଜନାରେ ସଫଳ ରୂପାୟନ କରିବାରେ ଗୀତାଞ୍ଜଳିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସପ୍ତାହର ପ୍ରତି ଶନିବାର ଦିନ ଏହି ସଭା ଆୟୋଜନ ପାଇଁ ଅଙ୍ଗନବାଡ଼ିକେନ୍ଦ୍ରକୁ ନିର୍ଦ୍ଦେଶ ରହିଛି । ଏଥିରେ କିଶୋରୀମାନଙ୍କୁ ଅଣ୍ଡା, ବାଦାମ, ବୁଟଚଣା ଆଦିକୁ ଠିକ ଭାବେ ବଣ୍ଟାଯାଇଥାଏ । ୧୨ମାସରେ ୧୨ଟା ବିଷୟକୁ ନେଇ ଏହି ସଭା ହୋଇଥାଏ । ଯେଉଁଥିରେ ସ୍ୱାସ୍ଥ୍ୟ, ସ୍ୱଛତା, ଡିଜିଟାଲ ଜ୍ଞାନ, ଜୀବନ କୌଶଳ ବିଷୟରେ ଶିକ୍ଷା ଦିଆଯାଇଥାଏ । ଗୀତାଞ୍ଜଳି ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବା ସହ ବାଲ୍ୟ ବିବାହ ରୋକିବା, ଅଧାରୁ ପାଠ ଛାଡ଼ିବା, ଶିଶୁ ଶ୍ରମିକ ରୋକିବା ନେଇ ମଧ୍ୟ ସଚେତନତା କରାଇଥାନ୍ତି । ଏହା ବ୍ୟତୀତ ଆତ୍ମରକ୍ଷା ପ୍ରଶିକ୍ଷଣ, ଆତ୍ମନିର୍ଭରଶୀଳତା, ପୋଷଣ ଆଦି ବିଷୟରେ ପରାମର୍ଶ ଦେଇଥାନ୍ତି ।

ନିଆରା ପ୍ରୟାସ ଶିଶୁ ସଂଚୟ
ଗୀତାଞ୍ଜଳି ଅଙ୍ଗନବାଡ଼ିକେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କରିଛନ୍ତି । ଏଥିରେ ଉଭୟ ମା ଓ ଶିଶୁ ନାଁରେ ବ୍ୟାଙ୍କରେ ମିଳିତ ଆକାଉଣ୍ଟ କରି ପ୍ରତି ମାସରେ ଅଭିଭାବକ ମାନଙ୍କ ପକ୍ଷରୁ ଶିଶୁ ପାଇଁ ସାମର୍ଥ୍ୟ ମୁତାବକ ଜମା ରାଶି ଜମା କରିବାର ବ୍ୟବସ୍ଥା କରାଇଛନ୍ତି । ଯାହା ସର୍ବସାଧାରଣରେ ବେଶ ପ୍ରଶଂସା ସାଉଁଟିଛି ।

ଏହି ସବୁ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଗୀତାଞ୍ଜଳି ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶ୍ରେଷ୍ଠ ଅଙ୍ଗନବାଡ଼ିକର୍ମୀ ହେବାଠୁ ନେଇ ବାଲ୍ୟ ବିବାହ ରୋକିବା ପାଇଁ ଦୁହିତା ସମ୍ମାନ ସହ ଅନେକ ପୁରସ୍କାର, ପ୍ରଶଂସା ପାଇଛନ୍ତି, ଯାହା ତାଙ୍କ ଯାତ୍ରାକୁ ଅଧିକ ପ୍ରେରିତ ଏବଂ ଉତ୍ସାହିତ କରିଛି ଆଗକୁ ବଢ଼ିବାରେ ବୋଲି ସେ କୁହନ୍ତି ।

Leave a Reply

Your email address will not be published. Required fields are marked *