ସେବାରେ ସମର୍ପିତା ମାତିଲଦା: “ଫୋର୍ବସ ଇଣ୍ଡିଆ” ମାଗାଜିନରେ ସ୍ଥାନ ପାଇଥିବା ପ୍ରଥମ ଆଶାକର୍ମୀ

ଗାଁରୁ ଗାଁ, ଘରକୁ ଘର, ବୁଲି ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ ସେବା । କରଣ ସେ ସେବିକା । ବୃତ୍ତିରେ ଆଶାକର୍ମୀ । ସକାଳ ପାହିଲେ ହାତରେ ବ୍ୟାଗ, ରେଜିଷ୍ଟର, ଔଷଧ, ସଚେତନତା ପତ୍ରିକା ଧରି ସାଇକେଲରେ ବାହାରି ଯାଆନ୍ତି କର୍ମକ୍ଷେତ୍ରକୁ । ସେବା ପାଇଁ ପୂରା ଗାଁରେ ସେ ମାତିଲଦା ଦିଦି ନାଁରେ ବେଶ ପରିଚିତ । କେବଳ ସେତିକି ନୁହେଁ, ବରଂ ଅନ୍ଧବିଶ୍ୱାସ, କୁସଂସ୍କାର, ଜାତିବାଦ, ଅସ୍ପୃଶ୍ୟତା ଦୂର କରିବାରେ ବାର୍ତ୍ତାବହ ସାଜିଛନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି କରିଛନ୍ତି ନିଆରା ପରିଚୟ । ଯେଉଁଥି ପାଇଁ ସେ ” ଫୋର୍ବସ”ରେ ସ୍ଥାନ ପାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକର ଗର୍ଗଡ଼ବାହାଲ ଅଞ୍ଚଳର ଆଶାକର୍ମୀ ମାତିଲଦା କୁଲୁ । କରୋନା ଯୁଦ୍ଧରେ ଥିଲେ ଆଗଧାଡିର ଯୋଦ୍ଧା । ଏ ନେଇ ୨୦୨୧ ମସିହା ” ଫୋର୍ବସ ଇଣ୍ଡିଆ ” ମାଗାଜିନରେ ଶକ୍ତିଶାଳୀ ମହିଳା ଭାବେ ସ୍ଥାନ ପାଇ ଚର୍ଚ୍ଚାରେ ରହିଥିଲେ । ଜାତୀୟ ସ୍ତରରେ ସେ ହେଉଛନ୍ତି ଭାରତର ପ୍ରଥମ ଆଶାକର୍ମୀ, ଯିଏ ଏଭଳି ଇତିହାସ ରଚିଛନ୍ତି । ଏବେ ସେ ସାଜିଛନ୍ତି ଦୁର୍ଗମ ଅଞ୍ଚଳ ପାଇଁ ଆଶାର ଆଲୋକ ।

ମାତିଲଦା ଜଣେ ଆଶାକର୍ମୀ । କିନ୍ତୁ ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ସେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ସଂଘର୍ଷ ଓ ସଫଳତାର କାହାଣୀ
୫୦ ବର୍ଷୀୟା ମାତିଲଦାଙ୍କ ସଂଘର୍ଷ ଓ ସଫଳତାର ଯାତ୍ରା ବହୁତ ଲମ୍ବା । ସେ କୁହନ୍ତି, ତାଙ୍କର ଦୀର୍ଘ ୨୦ ବର୍ଷର ଏହି ଯାତ୍ରା ଏତେ ସହଜ ନଥିଲା । ସାମ୍ନାରେ ଅନେକ ଆହ୍ୱାନ ଥିଲା ।

ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକର ଝୁନମୁର ଗାଁରେ ମାତିଲଦାଙ୍କ ଜନ୍ମ । ଛୋଟବେଳୁ କିଛି ଭିନ୍ନ କରିବା ଏବଂ ନେତୃତ୍ୱ ନେବାର ଦକ୍ଷତା ତାଙ୍କ ଭିତରେ ଥିଲା । ୫ ଭାଇ ଭଉଣୀରେ ସେ ଥିଲେ ସାନ । ଘରର ଆର୍ଥିକ ସ୍ଥିତି ସୁଦୃଢ ନଥିବାରୁ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢି ପାରିଥିଲେ । ୧୯୯୫ ମସିହାରେ ଗର୍ଗଡ଼ବାହାଲର ଅନିଲ କୁଲୁଙ୍କୁ ବିବାହ କରନ୍ତି । ଦୁଇ ପିଲା (ଗୋଟିଏ ପୁଅ, ଗୋଟିଏ ଝିଅ)ଙ୍କୁ ନେଇ ମାତିଲଦାଙ୍କ ପରିବାର । ସ୍ୱାମୀ ଜଣେ ଚାଷୀ । ସ୍ୱଳ୍ପ ରୋଜଗାର ହେତୁ ପରିବାର ଚଳିବା କଷ୍ଟକର ହେଉଥିବାରୁ ମାତିଲଦା ସିଲେଇ କରିବା ସହ ସ୍ୱାମୀଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି । ୨୦୦୬ ମସିହାରେ ସେ ଆଶାକର୍ମୀ ଭାବେ ନିଯୁକ୍ତି ପାଆନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଚାକିରିକୁ ଆପଣେଇ ନିଅନ୍ତି । ସେବେଠାରୁ ସେବା କାର୍ଯ୍ୟରେ ଆଗେଇ ଚାଲିଛନ୍ତି । ସାଧାରଣ ଆଦିବାସୀ ଖରିଆ ସମ୍ପ୍ରଦାୟର ମାତିଲଦା ନିଜ ଅଞ୍ଚଳର ଗର୍ଭବତୀ, ନବଜାତ ଶିଶୁ ଓ ବୃଦ୍ଧ ଲୋକଙ୍କ ପାଇଁ ଜୀବନରେଖା ସମାନ କହିଲେ ଭୁଲ ହେବ ନାହିଁ ।

ସୁନ୍ଦରଗଡ଼ ଭଳି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ଯେଉଁଠି କମ, ଲୋକ ଗୁଣିଗାରେଡି, ଝଡ଼ା ଫୁଙ୍କା, କାଟପାଣି ଭଳି କୁସଂସ୍କାର ଉପରେ ବିଶ୍ୱାସ ରଖି ବଡ଼ ବଡ଼ ରୋଗରେ ମୃତ୍ୟୁ ହେଉଥିଲେ ବି ଡାକ୍ତରଖାନାକୁ ଯାଉନଥିଲେ । ମାତିଲଦା କୁହନ୍ତି, ଏଭଳି ସ୍ଥିତିରେ ଯେବେ ଚାକିରି ଆରମ୍ଭ କଲି ସାମନାରେ ଥିଲା ବିରାଟ ସମସ୍ୟା । ଅନ୍ଧବିଶ୍ୱାସ ଓ କୁସଂସ୍କାର । ଲୋକଙ୍କୁ ବୁଝେଇବା କଷ୍ଟକର ହେଉଥିଲା । ଧୀରେ ଧୀରେ ଲୋକଙ୍କ ଧାରଣାକୁ ବଦଳାଇ ଆଧୁନିକ ଚିକିତ୍ସା ସୁବିଧା ଆପଣେଇବାକୁ ବୁଝାଇଲି । ଅନେକ ଟାହି ଟାପରା ଶୁଣିଛି । ଲୋକ ପାଖରେ ପୂରାଉ ନଥିଲେ । କିନ୍ତୁ ଭାଙ୍ଗି ପଡ଼ିନଥିଲି । କର୍ମ ଏବଂ କର୍ତ୍ତବ୍ୟ ବଳରେ ଲୋକଙ୍କ ଚିନ୍ତାଧାରାକୁ ବଦଳାଇଲି । ଦିନେ ଯେଉଁ ଲୋକେ ପାଖରେ ବସେଇ ଦେଉନଥିଲା ଆଜି ସେମାନଙ୍କ ପାଇଁ ଏ ମାତିଲଦା ସବୁଠୁ ବଡ଼ ବିଶ୍ୱାସ ଏବଂ ଭାରସା ପାଲଟିଯାଇଛି ବୋଲି ସେ ଗର୍ବରେ କୁହନ୍ତି ।

ସକାଳ ହେବା ମାତ୍ରେ ମାତିଲଦାଙ୍କ କାମ ଆରମ୍ଭ ହୁଏ । ଔଷଧ, ଟୀକାକରଣ ରେକର୍ଡ ଓ ପୌଷ୍ଟିକ ଖାଦ୍ୟ ସାମଗ୍ରୀ ସହିତ ଘରେ ଘରେ ଯାଇ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତି । ସ୍ତନ୍ୟପନ ସମ୍ଭନ୍ଧୀୟ ପରାମର୍ଶ, ଶିଶୁମାନଙ୍କୁ ଟୀକା ନେବାକୁ ପରାମର୍ଶ, ପରିବାରକୁ ସ୍ୱଚ୍ଛ ଓ ସୁସ୍ଥ ଅଭ୍ୟାସ ବିଷୟରେ ସଚେତନ କରାନ୍ତି । ସ୍ଥାନୀୟ ଅଞ୍ଚଳର ଖରିଆ ସମ୍ପ୍ରଦାୟର ପ୍ରାୟ ୯୫୦ ଜଣଙ୍କ ସ୍ୱାସ୍ଥ୍ୟ ରେକର୍ଡ ପରିଚାଳନା କରିବା ସହ ୨୦୦ ଘରର ସ୍ୱାସ୍ଥ୍ୟ ସମସ୍ୟା ମାତିଲଦା ବୁଝିଥାନ୍ତି ।

ନିଜ ସଫଳତା ସମ୍ପର୍କରେ କମ କହୁଥିବା ସ୍ୱାଭିମାନୀ ମାତିଲଦା ସବୁ ଶ୍ରେୟ ନିଜ ପରିବାରକୁ ଦିଅନ୍ତି । ସେ କୁହନ୍ତି, ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଆଜି ସେ ଏଇଠି ପହଞ୍ଚିପାରିଛନ୍ତି । ସ୍ୱାମୀଙ୍କ ସମ୍ପର୍କରେ ମାତିଲଦା କୁହନ୍ତି, ରାତି ଅଧରେ କୌଣସି ବି ରୋଗୀ ଅସୁବିଧାରେ ପଡ଼ିଲେ ସ୍ୱାମୀ ମତେ ସେଠାକୁ ନେଇଯାଆନ୍ତି ଏବଂ ସେ ସମ୍ପୂର୍ଣ୍ଣ ଭାବେ ସମସ୍ତ ସହଯୋଗ କରନ୍ତି । ସେଥିରେ କେବେ ସେ ପ୍ରତିବାଦ କି ହେଳା କରିନାହାନ୍ତି ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପ୍ରଥମ କାମ ବୋଲି କହି ମତେ ସର୍ବଦା ପ୍ରେରିତ କରି ଆସିଛନ୍ତି । ଯେଉଁଥିପାଇଁ ରାତି ଅଧରେ ବାହାରକୁ ଗୋଡ଼ କାଢ଼ିଲେ ବି ମନରେ ଡର ନଥାଏ, କାରଣ ସାଙ୍ଗରେ ସ୍ୱାମୀ ଥାଆନ୍ତି । ସେ ମୋର ସବୁଠୁ ବଡ଼ ସମର୍ଥକ ।

ଶ୍ରେଷ୍ଠ କରୋନା ଯୋଦ୍ଧା
୨୦୨୦ ମସିହାରେ ମହାମାରୀ କରୋନାର କରାଳ ରୂପ ଦେଖିଥିଲା ସମଗ୍ର ବିଶ୍ୱ । ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ କରୋନା ଟୀକାକରଣ ଦାୟିତ୍ୱ ପଡିଥିଲା ମାତିଲଦାଙ୍କ ଉପରେ । ସେ ନିଜ ଅଞ୍ଚଳରେ ୧୦୦% ଟୀକାକରଣ କରି ନିଜ ଦକ୍ଷତାର ପ୍ରଦର୍ଶନ କରିଥିଲେ । କରୋନା ସମୟରେ ଯେତେବେଳେ ଚାରିଆଡେ ଲକଡାଉନ ଥିଲା ସେତେବେଳେ ସେ ନିଜ ଜୀବନକୁ ବାଜି ଲଗାଇ ଘରକୁ ଘର ବୁଲି ଟୀକାକରଣ ସହ ଲୋକଙ୍କୁ ସଚେତନ କରାଉଥିଲେ । ନିଜେ କରୋନାରେ ଆକ୍ରାନ୍ତ ହୋଇ ବି କର୍ତ୍ତବ୍ୟରୁ ଓହରି ନଥିଲା । ଏ ନେଇ ମାତିଲଦାଙ୍କ ଝିଅ କୁହନ୍ତି, ମା’ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ଭଲପାଆନ୍ତି । କରୋନା ସମୟରେ ଆମେ ତାଙ୍କୁ ନେଇ ବ୍ୟସ୍ତ ହେଉଥିଲୁ ପୁଣି ନିଜକୁ ବୁଝାଉଥିଲୁକି ସେ ଜଣେ ଆଶାକର୍ମୀ ଏବଂ ତାଙ୍କର ପ୍ରଥମ କାମ ଲୋକଙ୍କ ସେବା ।

“ଫୋର୍ବସ”ରେ ମାତିଲଦା
କରୋନା ସମୟରେ ନିରନ୍ତର ସେବା ଏବଂ ନିଜ ଅଞ୍ଚଳରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରେଇ ଉନ୍ନତ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ବେଶ ଲୋକପ୍ରିୟ ହୋଇପାରିଥିବା ମାତିଲଦା ୨୦୨୧ ମସିହାରେ ” ଫୋର୍ବସ ଇଣ୍ଡିଆ ” ମାଗାଜିନରେ ସ୍ଥାନ ପାଇ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ । ସେ କୌଣସି ସେଲିବ୍ରିଟି ନୁହନ୍ତି କି ତାଙ୍କର କୌଣସି କର୍ପୋରେଟ ଜଗତ ସହ ସମ୍ପର୍କ ନାହିଁ । ଏପରିକି ସେ ବଡ଼ ଶିଳ୍ପପତି କି ଉଦ୍ୟୋଗପତି ବି ନୁହନ୍ତି । ସେ ଜଣେ ସାଧାରଣ ଆଶାକର୍ମୀ । କିନ୍ତୁ ଅସାଧାରଣ ସେବିକା । ଆଜି ତାଙ୍କ କାମ ତାଙ୍କ ପାଇଁ ଏହି ସୁନାମ ଆଣିଦେଇଛି । ଏହି ସଫଳତାକୁ ନେଇ ମାତିଲଦା କୁହନ୍ତି, ପ୍ରତି ଛୋଟ ଛୋଟ ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣିପାରେ । ଜାତୀୟ ସ୍ତରୀୟ ସମ୍ମାନକୁ ନେଇ ମୁଁ ବହୁତ ଖୁସି । ଏତେ ଦିନର ପରିଶ୍ରମର ଫଳ ମିଳିଛି । ପୂର୍ବରୁ ମୋ ଅଞ୍ଚଳରେ ଡାକ୍ତରଖାନାରେ ପ୍ରସବ ପାଇଁ ଲୋକ ରାଜି ହେଉନଥିଲେ । ଧୈର୍ଯ୍ୟ ଏବଂ ସ୍ନେହର ସହ ଲୋକଙ୍କୁ ବୁଝାଇବାକୁ ପଡ଼ିଲା । ଏହି ନିରନ୍ତର ପ୍ରୟାସ ଫଳରେ ଗାଁରେ ବର୍ତ୍ତମାନ ମାତୃ ଓ ଶିଶୁ ମୃତ୍ୟୁହାର କମିଛି । ଅଧିକାଂଶ ମହିଳା ଡାକ୍ତରଖାନାରେ ପ୍ରସବ କରାଉଛନ୍ତି । ଟୀକାକରଣ ହାର ବି ବଢିଛି ।
ମାତିଲଦା କୁହନ୍ତି, ଗୋଟିଏ ମା’ ଯଦି ସୁରକ୍ଷିତ ରୁହେ, ଶିଶୁଟି ସୁସ୍ଥ ହୋଇ ବଢ଼େ ତାହା ହିଁ ମୋର ସବୁଠୁ ବଡ଼ ସଫଳତା ଏବଂ ଶ୍ରେଷ୍ଠ ଉପଲବ୍ଧି ବୋଲି ଭାବିବି ।

ଋତୁସ୍ରାବକୁ ନେଇ ଖୋଲା ଆଲୋଚନା ଜରୁରି
ସରକାରଙ୍କ ଗୋଟିଏ ଯୋଜନା ଅଛି – ” ଖୁସି” । ଯେଉଁଥିରେ କିଶୋରୀ ବାଳିକାମାନଙ୍କୁ ସାନିଟାରୀ ପ୍ୟାଡ ଯୋଗାଇ ଦିଆଯାଉଛି । ଆଦିବାସୀ ଅଞ୍ଚଳରେ ଋତୁସ୍ରାବ ଏବଂ ପ୍ୟାଡକୁ ନେଇ କେତେ ସଚେତନ ବୋଲି ପଚାରିବାରୁ ମାତିଲଦା କୁହନ୍ତି, ପୂର୍ବରୁ ମହିଳାମାନେ କପଡ଼ା ବ୍ୟବହାର କରୁଥିଲେ । ଫଳରେ ସଂକ୍ରମଣ ଆଶଙ୍କା ଅଧିକ ଥିଲା । ଖୁସି ପ୍ୟାଡ ବର୍ତ୍ତମାନ ୬ ଟଙ୍କାରେ ମିଳୁଥିବାରୁ ସମସ୍ତେ ଏହାକୁ ବ୍ୟବହାର କରିବା ସହ ସ୍ୱଚ୍ଛତା ପ୍ରତି ସଚେତନ ହୋଇଛନ୍ତି କ୍ଷ ମାତ୍ର ଏବେ ବି ସମାଜରେ ଏହାକୁ ନେଇ ସଂକୋଚବୋଧ ଥିବାବେଳେ ଏହା ଉପରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୁଅ-ଝିଅ ଉଭୟଙ୍କ ଉପସ୍ଥିତିରେ ଏ ବାବଦରେ ଖୋଲା ଆଲୋଚନା ସହ ସଚେତନତା ଜରୁରି ବୋଲି ମାତିଲଦା କହିଛନ୍ତି । ଆଗାମୀ ଦିନରେ ନିଜ ଅଞ୍ଚଳର ହାଣ୍ଡିଆ ପ୍ରସ୍ତୁତି କରୁଥିବା ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରଶିକ୍ଷଣଭିତ୍ତିକ ତାଲିମ୍ ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ମାତିଲଦା ଯୋଜନା ରଖିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *