ସମୁଦ୍ର ତଟରେ ତରଙ୍ଗର ସ୍ୱର ମଧ୍ୟରେ ଚୁପଚାପ ଚାଲିଛି ଜୀବନର ଏକ ଅଦୃଶ୍ୟ ସଂଘର୍ଷ । ହାତରେ ସୁତା, ସାମ୍ନାରେ ଅଧା ବୁଣା ଜାଲ, ଏହାହିଁ ଅନେକ ପରିବାରର ଦିନଚର୍ଯ୍ୟା । ପୁରୀ ଜିଲ୍ଲାର ସମୁଦ୍ରତଟୀୟ ଗ୍ରାମଗୁଡ଼ିକରେ ମାଛ ଧରିବା ସହ ଜାଲ ବୁଣିବା ଅତି ପୁରାତନ ପେସା ।
ପିଢ଼ି ପିଢ଼ି ଧରି ସେମାନେ ଏହି କାମ ହିଁ କରି ଆସୁଛନ୍ତି । ଏହା ତାଙ୍କର ବେଉସା କହିଲେ ଚଳେ। ହେଲେ ଆଜି ଆଉ ସେଦିନ ନାହିଁ । ଏବେ ସେମାନେ ନାନା ସମସ୍ୟା ଦେଇ ଗତି କରୁଥିଲା ବେଳେ ଧୀବର ଏବଂ ଜାଲ ବୁଣାକାର ଜୀବନ ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି । କହିବାକୁ ଗଲେ ସେମାନେ ଏବେ ସଂକଟରେ… ।

ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଧୀବର ତଥା ନୋଳିଆ ସମ୍ପ୍ରଦାୟର ଲୋକମାନେ ମାଛମାରି ଚଳିଆସୁଛନ୍ତି । ଏହା ତାଙ୍କର ଜୀବିକା । ମାଛ ଧରା ସହ ଜାଲ ବୁଣିବା ବି ତାଙ୍କ କାମ । ସମୁଦ୍ର ତଟବର୍ତ୍ତୀ ଯେଉଁ ଯେଉଁ ଗାଁର ଲୋକ ମାଛ ଧରି ଚଳନ୍ତି ସେମାନେ ମୁଖତଃ ମାଛ ଧରିବା ଲାଗି ଜାଲ ବୁଣିଥାନ୍ତି ଏବଂ ଜାଲ ବୁଣା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ପ୍ରାୟତଃ ଥାଏ । ପୁରୀ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ କେତେକ ଗ୍ରାମ ଯଥା, ରାମଲେଙ୍କା, ସିଆଣ୍ଡି, ବାଲିଅଁଳା, ଖିରିସାହି ଓ ପେଣ୍ଠକଟା ଆଦି ଅଞ୍ଚଳରେ ଲୋକମାନେ ମାଛଧରା ଓ ଜାଲବୁଣା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଏହି ଅଞ୍ଚଳର ଉଭୟେ ପୁରୁଷ ଓ ମହିଳାମାନେ ଗୀତଗାଇ ଦିନଭରି ବସି ହାତରେ ଜାଲ ବୁଣିଥାନ୍ତି । ବିଶେଷକରି ସୂତା ଜାଲ ପାଇଁ ସୂତାକୁ ଗୋଟିଏ ଗୋଟିଏ କାଠିରେ ବାନ୍ଧି ଜାଲ ବୁଣିବା ଅତ୍ୟନ୍ତ କଷ୍ଟସାଧ୍ୟ କାମ । କେବେ କେବେ ଗୋଟିଏ ଜାଲ ବୁଣିବାକୁ ୨-୩ ଦିନ ଲାଗିଯାଏ କ୍ଷ କିନ୍ତୁ ଏଥିପାଇଁ ମିଳୁଥିବା ପାରିଶ୍ରମିକ ବହୁତ କମ୍ । ଯେହେତୁ ବୁଣାକାରମାନେ ସିଧାସଳଖ ଜାଲ ବିକିବା ପରିବର୍ତ୍ତେ ମଧ୍ୟସ୍ଥିଙ୍କ ଦ୍ୱାରା ବିକୁଛନ୍ତି ତେଣୁ ଉଚିତ ମୂଲ୍ୟ ପାଇପାରୁନାହାନ୍ତି । ଫଳରେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ।

ସରକାରୀ ସହାୟତା ଓ ବଜାର ସୁବିଧାର ଅଭାବ
ମେସିନ୍ ତିଆରି ପ୍ଲାଷ୍ଟିକ ଜାଲ ବଜାରରେ ଶସ୍ତାରେ ମିଳୁଛି । ଫଳରେ ହାତ ବୁଣା ସୂତା ଜାଲର ଚାହିଦା କମିଯାଉଛି । ଜାଲ ପାଇଁ କଞ୍ଚାମାଲ ସ୍ୱରୂପ ନାଇଲନ୍ ସୁତା ଓ ଆବଶ୍ୟକ ସାମଗ୍ରୀର ବଜାର ଦର ବି ବଢ଼ିଛି କ୍ଷ ଯାହା ବୁଣାକାରଙ୍କ ପାଇଁ ସମସ୍ୟା ଆଣିଦେଇଛି । ଏ ସମ୍ପର୍କରେ ସ୍ଥାନୀୟ ବୁଣାକାରଙ୍କ କହିବା କଥା, ଦିନଭରି ବସି ଜାଲ ବୁଣୁଛୁ, କିନ୍ତୁ ଯେତେ ଟଙ୍କା ମିଳୁଛି ସେଥିରେ ପରିବାର ଚାଲିବା କଷ୍ଟକର ହେଉଛି । ଯଦି ସରକାର ଏଥିପାଇଁ ସ୍ୱତନ୍ତ୍ର ଟ୍ରେନିଂ, ଆର୍ଥିକ ସହାୟତା ଓ ସିଧାସଳଖ ବଜାର ସୁବିଧା ଯୋଗାଇ ଦେଇପାରନ୍ତେ, ତେବେ ଆମର ଏହି ପୁରାତନ କଳା, କୌଶଳ ପୁନର୍ଜୀବନ ପାଇବା ସହ ଆମମାନଙ୍କ ଜୀବନର ଗତିପଥ ବଦଳିଯାନ୍ତା ।

ପେସାକୁ ବଞ୍ଚାଇବାର ପ୍ରୟାସ
ବୁଣାକାରମାନେ କେବଳ ଜାଲ ବୁଣୁନାହାନ୍ତି; ସେମାନେ ଏହାରି ମାଧ୍ୟମରେ ତାଙ୍କର ଜୀବନ ଓ ପାରମ୍ପରିକତାକୁ ବଞ୍ଚାଇ ରଖିବାର ପ୍ରୟାସ କରିଚାଲିଛନ୍ତି ।
ବଡ଼ କଥା ହେଲା, ଜାଲ ବୁଣା କଳାକୁ ସୁରକ୍ଷା କରିବା ମାନେ ସମୁଦ୍ରତଟୀୟ ସଂସ୍କୃତି ଓ ଜୀବିକାକୁ ସୁରକ୍ଷା ଦେବା କ୍ଷ ଜଣେ ମାଛଧରାଳି କହିଛନ୍ତି, ଦରଦାମ ସବୁ ବଢିଲା ହେଲେ ଆମ ମଜୁରୀ ବଢିଲା ନାହିଁ । ପୂର୍ବେ ଦିନକୁ ଦୁଇଟି ଜାଲ ବିକ୍ରି ହେଉଥିଲା । ଏବେ ସପ୍ତାହକୁ ଗୋଟିଏ ମଧ୍ୟ ବିକ୍ରି ହେବା କଷ୍ଟ ହେଉଛି ।
ସେଥିପାଇଁ ଅନେକ ପରିବାର ଏହି ପାରମ୍ପରିକ କାମ ଛାଡ଼ି ଅନ୍ୟ କାମ ଖୋଜିବାକୁ ବାଧ୍ୟ ହେଉଛନ୍ତି । ଜାଲ ବୁଣାକାରମାନଙ୍କ ମତରେ ଯଦି ସରକାରୀ ସହାୟତା ମିଳନ୍ତା, ମସ୍ଚ୍ୟଜୀଵୀ ଏବଂ ଜାଲ ବୁଣାକାରମାନଙ୍କ ଦୁର୍ଦ୍ଦଶା ଅନେକମାତ୍ରରେ କଟିଯାଆନ୍ତା ।
ପୁରୀ କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ଗାଁର ୭୫ ବର୍ଷୀୟ ନୃସିଂହ ବେହେରା କୁହନ୍ତି, ଆମ ପରିବାର ମାଛ ଧରା ସହ ଜାଲ ବୁଣିଥାନ୍ତି । ପ୍ରଥମେ ସୂତା ଜାଲରେ ମାଛ ଧରୁଥିଲେ ଏବେ ପ୍ଲାଷ୍ଟିକ ଜାଲରେ ଧରୁଛନ୍ତି ।
୬୫ ବର୍ଷୀୟ ଏଲିଗା ବେହେରା ଓ ତାଙ୍କ ପତ୍ନୀ ୫୫ ବର୍ଷୀୟା ଶାନ୍ତି ବେହେରା କୁହନ୍ତି, ସୂତା ଜାଲ ପ୍ରସ୍ତୁତିରେ ପରିଶ୍ରମ ବହୁତ । ସୂତା ଜାଲ ରଙ୍ଗ ଛାଡିଗଲେ କମ ମାଛ ପଡନ୍ତି ତେଣୁ ସିରିସ ଗଛର ଛେଲିକୁ ଆଣି ସିଝାଇ କସ କରି ଜାଲକୁ ବୁଡ଼ାଇ ରଙ୍ଗ ହୁଏ । ଜାଲ ଭାରି ହେବାରୁ ତାକୁ ଖରାରେ ଶୁଖାଯାଏ । ସିରିସ ଗଛର ଛେଲି ବି ଏତେ ସହଜରେ ମିଳେନି । ତାକୁ ସୋନପୁର, ଇଚ୍ଛାପୁରରୁ ସଂଗ୍ରହ କରି ଆଣିବାକୁ ପଡିଥାଏ ।
ଏହି ସୂତା ଜାଲ ବୁଣୁଥିବା ମହିଳା ଏନ. ଲକ୍ଷ୍ମୀ ପାତ୍ର, ଗାରାମା ବେହେରା କହିଛନ୍ତି, ସୂତା ଜାଲ ବାରମ୍ବାର ଚିରିଯାଏ, ଫଳରେ କିଣିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ପ୍ଲାଷ୍ଟିକ ଜାଲ ଆସିବା ପରେ ଲୋକେ ତାକୁ କିଣିଲେ । ସୂତା ଜାଲ ଲୋପ ପାଇବାକୁ ପ୍ରାୟ ୨୫ ବର୍ଷ ହୋଇଗଲାଣି ।
ଯଦି କିଏ ବ୍ୟବହାର କରୁଥିବେ ତେବେ କାଁ ଭାଁ କୋଉଠି ଥିବ । ବିଭିନ୍ନ ଦୃଷ୍ଟିରୁ ପ୍ଲାଷ୍ଟିକ ଜାଲ ମାଛ ଧରାଳିଙ୍କୁ ବେଶି ଫାଇଦା ଦେଉଛି ।
ବାରମ୍ବାର ଜାଲ ଛିଣ୍ଡିବାର ନାହିଁ କି ରଙ୍ଗ ଛାଡିବାର ନାହିଁ କ୍ଷ କିମ୍ବା ଜାଲକୁ ଧୋଇ ଶୁଖାଇ ପରିଷ୍କାର କରିବା ବି ଦରକାର ନାହିଁ । ଥରେ ମାଛ ଆଣି ଝାଡିଦେଲେ କାମ ଶେଷ । ବର୍ଷ ବର୍ଷ ଧରି ପ୍ଲାଷ୍ଟିକ ଜାଲ ସେମିତି ମାଛ ଧରା ହେଉଥିବ କିନ୍ତୁ ନଷ୍ଟ ହେଉନି । ବଡ଼ କଥା ହେଲା, ଏଥିରେ ଅଧିକ ମାଛ ମଧ୍ୟ ପଡୁଛନ୍ତି କ୍ଷ ଯେଉଁଥିପାଇଁ ଆଜି ସମସ୍ତେ ସହଜ, ସୁବିଧା ଦୃଷ୍ଟିରୁ ପ୍ଲାଷ୍ଟିକ ଜାଲ ବ୍ୟବହାର କରୁଛନ୍ତି । ସୂତା ଜାଲ ମଜଭୂତ ମାତ୍ର ପ୍ଲାଷ୍ଟିକ ଜାଲ ଶସ୍ତା ଏବଂ ସୁନ୍ଦର । ଯଦିଓ ଏହି ପ୍ଲାଷ୍ଟିକ ଜାଲ ଦ୍ୱାରା ଜୈବ ବିବିଧତା ବିଗିଡୁଛି ତଥାପି ଲୋକେ ଶସ୍ତା ଦୃଷ୍ଟିରୁ ଏହାକୁ ବ୍ୟବହାର କରୁଛନ୍ତି ଏବଂ ଏ ବିଷୟରେ ସଚେତନତା ବି ନାହିଁ । ବାକି ଜାଲ ପ୍ରସ୍ତୁତି ପାଇଁ ସ୍ଥାନୀୟ ବଜାରରୁ ସବୁ କଞ୍ଚାମାଲ ବା ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ପଡିଥାଏ, ତେଣୁ ବର୍ତ୍ତମାନ ଦରଦାମ ଯାହା, କଞ୍ଚାମାଲ ଆଣି ଜାଲ ବୁଣିବା ଅପେକ୍ଷା ତାଠୁ ବହୁତ କମରେ ପ୍ଲାଷ୍ଟିକ ଜାଲ ହୋଇଯାଉଛି ବୋଲି ସେ କହିଛନ୍ତି ।
୨୫ ବର୍ଷୀୟ ବଳରାମ ବେହେରା କହିଛନ୍ତି, ଆମେ ମଧ୍ୟ ମାଛ ଧରିବା ସହ ଜାଲ ବୁଣୁଛୁ । ବିଭିନ୍ନ ପ୍ରକାର ମାଛ ପାଇଁ ଭିନ୍ନ ଭିନ୍ନ ଜାଲ ରହିଥାଏ ।
ଏପରିକି ଜାଲ ପକାଇବାର ବିଭିନ୍ନ ଶୈଳୀ ମଧ୍ୟ ରହିଥାଏ । ମାଛ ମନ୍ଦା ଏବଂ ସମୁଦ୍ରରେ ପାଣିର ସୁଅକୁ ଦେଖି ଜାଲ ପକାଯାଏ । ବୋରଙ୍ଗ ନାମକ ଏକ ମାଛ, ଯାହାର ଶବ୍ଦ ଶୁଣି ଜାଲ ପକାଯାଏ । କାବଲା ଜାଲ, ଗଣିଆ ଜାଲ, କାନୁଗୁଡ଼ି ଜାଲ ଆଦି ଅନ୍ୟତମ । ଜାଲ ବୁଣିଲା ବେଳେ ଏକାଠି ଗୀତ ଗାଇ ଜାଲ ବୁଣିଥାଉ । ଏହା ଆମର ଏକ ପରମ୍ପରା । ଜାଲ ବୁଣା ସହ ୬ ମାସ ଗାଁରେ ମାଛ ଧରିଲେ ବାକି ୬ ମାସ କେରଳ, କନ୍ୟାକୁମାରୀ ଯାଉଛନ୍ତି କାମ ପାଇଁ ।
କିଛି ଲୋକ ଉଚ୍ଚଶିକ୍ଷା ପରେ ଏଥିରୁ ମୁହଁ ଫେରାଇ ଚାକିରି କରୁଛନ୍ତି ଆଉ କିଛି ଆର୍ଥିକ ସମସ୍ୟା ପାଇଁ ଦାଦନ ଯାଉଛନ୍ତି ବୋଲି ବଳରାମ କହିଛନ୍ତି ।
(ଏକ ବେସରକାରୀ ସଂସ୍ଥା ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ସମୁଦ୍ର ତଟ ଗାଁଗୁଡିକର ମତ୍ସ୍ୟଜୀବୀ ପରିବାରର ଝିଅ ମାନଙ୍କୁ ନେଇ ହୋଇଛି ଏକ ଅଭିନବ ପ୍ରୟାସ। ଲେଖା, ଭିଡିଓ ଓ ଫଟୋ ମାଧ୍ୟମରେ ନିଜ ଅଞ୍ଚଳର ସମସ୍ୟାକୁ ସେମାନେ କିପରି ଲୋକଲୋଚନକୁ ଆଣି ପାରିବେ ସେ ନେଇ ଟ୍ରେନିଂ ଦିଆଯାଉଛି । ସେମାନେ ତାଙ୍କ ଅଞ୍ଚଳରେ ନିତିଦିନ ଦେଖୁଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଷ୍ଟୋରୀ ମାଧ୍ୟମରେ ଲେଖିବେ। ଏ ଯାଏଁ ଯାହା ଶିଖିଛନ୍ତି ତାକୁ ନେଇ ଷ୍ଟୋରିଜ ଓଡ଼ିଶା ପାଇଁ ଜି. କାମେଶ୍ୱରୀ ବେହେରା, ଯମୁନା ବେହେରା, କେ. ସୁମିତ୍ରା ବେହେରା ପ୍ରସ୍ତୁତ କରିଛନ୍ତି ଏହି ରିପୋର୍ଟ। ଏହାର ସମ୍ପାଦନା କରିଛନ୍ତି ସସ୍ମିତା ମଲ୍ଲ ।)
