୨୦୧୬ ମସିହାରେ ମାତ୍ର ୫ ବର୍ଷ ବୟସରେ ସେ ଗାଁର ଜଣେ ବୟସ୍କ ଝିଅଟି ସହ ଦୁଷ୍କର୍ମ କଲେ । ପଂଚାୟତ ଟଙ୍କା ନେଇ ଚୁପ ରହିବାକୁ କହିବାରୁ ମା ଜଣକ ଦୋଷୀଙ୍କୁ ଦଣ୍ଡ ଦେବାକୁ ଜିଦ ଧରିଲେ । ସେବେଠୁ ପୁରା ପରିବାର ସାମାଜିକ ବାସନ୍ଦର ଶିକାର । ଏହା ଭିତରେ ୬ ବର୍ଷ ବିତିଯାଇଥିଲେ ବି ସେ ନ୍ୟାୟ ପାଇବା ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି ଓ ସରକାରଙ୍କ ଠାରେ ଗୁହାରୀ କରୁଛନ୍ତି ।
ଭୁବନେଶ୍ୱର ;
ପ୍ରଥମେ ମୋ ଝିଅ ସହ ଦୁଷ୍କର୍ମ କଲେ , ପ୍ରତିବାଦ କରିବାରୁ ଗାଁରେ ବାସନ୍ଦ କଲେ ଆଉ ଏବେ ମୋତେ ଓ ମୋ ପରିବାରକୁ ଜୀବନରେ ମାରି ଦେବାକୁ ଚାହାନ୍ତି, ଏହା ଥିଲା ଜଣେ ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମା ଙ୍କ କରୁଣ ବେଦନା । ଯେତେବେଳେ ଷ୍ଟୋରିଜ ଓଡ଼ିଶା ତାଙ୍କୁ ଭେଟିଥିଲା ସେତେବେଳେ ଏହି ମା ଜଣକ ସବୁଆଡୁ ନିରାଶ ହେବା ପରେ ଭୁବନେଶ୍ୱରରେ ସ୍ୱାମୀ ଓ ତିନି ପିଲାଙ୍କ ସହ ରହି ଓଡିଶା ରାଜ୍ୟ ହ୍ୟୁମାନ ରାଇଟସ କମିଶନଙ୍କ ଠାରେ ନ୍ୟାୟ ପାଇଁ ଗୁହାରୀ କରୁଥିଲେ । ଓଡ଼ିଶା ରାଜ୍ୟ ହ୍ୟୁମାନ ରାଇଟସ କମିଶନ ତାଙ୍କୁ ସୁରକ୍ଷା ଦେବା ପାଇଁ ଏକ ଲିଖିତ ପ୍ରତିଶୃତି ଦେବା ପରେ ଏବେ ସେ ଫେରିଯାଇଛନ୍ତି । କିନ୍ତୁ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ଭୟ ଥିବାରୁ ଗାଁରୁ ପ୍ାୟ ୧୦ କିମି ଦୂର ଅନ୍ୟ ଏକ ଜାଗାରେ ଭୟରେ ଦିନ କାଟୁଛନ୍ତି । ତାଙ୍କୁ ଫୋନରେ ଯୋଗାଯୋଗ କରିବା ବେଳେ ସେ କହିଥିଲେ, ନ୍ୟାୟ ପାଇଁ ଲଢେଇ କରୁଛି ବୋଲି ଏତେ ସବୁ ସହିବାକୁ ପଡୁଛି । ଏବେ ମାସେ ହେବ ନା ମୋ ଝିଅ ସ୍କୁଲ ଯାଇ ପାରୁଛି ନା ଆମେ କିଛି ରୋଜଗାର କରିପାରୁଛୁ । ତଥାପି ଦେଷୀକୁ ଦଣ୍ଡ ଦେବା ପାଇଁ ମୁ ମୋ ସଂଘର୍ଷ ଜାରି ରଖିବି ।
ତାଙ୍କ କହିବା ଅନୁସାରେ, ୨୦୧୬ ମସିହା ନଭେମ୍ବର ୧୬ ତାରିଖ, ଶିଶୁ ଦିବସ ଦିନ ତାଙ୍କ ଝିଅ ଯିଏକି ସେତେବେଳେ ମାତ୍ର ୫ ବର୍ଷର ହୋଇଥିଲା, ଘର ଦାଣ୍ଡ ଆଗରେ ଖେଳୁଥିଲା । ସେତେବେଳେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କା ଅଚଳ କରିଦେଇଥିବାରୁ ସେ ଟଙ୍କା ବଦଳାଇବାକୁ ବ୍ୟାଙ୍କ ଯାଇଥିଲେ, ତାଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ସେ ଗାଁର ଜଣେ ବୃଦ୍ଧ ଝିଅକୁ ଚକଲେଟ ଦେବାର ପ୍େରଲାଭନ ଦେଖାଇ ଦୁଷ୍କର୍ମ କଲେ । ଏପରିକି ଏ ବିଷୟରେ ଘର ଲୋକଙ୍କୁ ନ କହିବାକୁ ଧମକ ଦେଲେ । କିନ୍ତୁ ଝିଅଟି ଘରେ କହିବା ପରେ ତାଙ୍କ ମା ଥାନାରେ ଅଭିଯୋଗ କଲେ ଆଉ ସେବେଠାରୁ ସେମାନଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡିଛି ।
ଗାଁ ରେ ଏଥିପାଇଁ ଦୁଇ ଦୁଇଥର ପଂଚାୟତ ବସିଲା । ଘଟଣାକୁ ଚପାଇଦେବା ପାଇଁ ଓ ଚୁପ ରହିବା ପାଇଁ ତାଙ୍କୁ ୧୫ ହଜାର ଟଙ୍କା ଯଚା ଯାଇଥିଲା । ହେଲେ ସେ ଟଙ୍କା ନୁହେଁ ବରଂ ତାଙ୍କ ଝିଅ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଦୋଷୀ କୁ ଦଣ୍ଡ ଦେବାକୁ ଜିଦ ଧରିଲେ । ପଂଚାୟତ ତାଙ୍କ ସପକ୍ଷରେ ନଯିବାରୁ ସେ ବାଣପୁର ଥାନାରେ ଅଭିଯୋଗ କଲେ । ପ୍ରଥମେ ଥାନା ଅଧିକାରୀ ତାଙ୍କ ଅଭିଯୋଗ ଗ୍ରହଣ କରୁନଥିଲେ କିନ୍ତୁ ପରେ ସେ ଆତ୍ମହତ୍ୟା କରିବାର ଧମକ ଦେବାରୁ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଗଲା । ପରେ ଦୋଷୀ କୋର୍ଟ ଫରଓାର୍ଡ ହେଲା । ତେବେ ଏଇଠି ତାଙ୍କ ସମସ୍ୟା ସରିଲାନି । କିଛି ମାସ ପରେ ଦୋଷୀ ଜଣକ ଜାମିନରେ ଆସିବା ପରେ ତାଙ୍କର ଓ ତାଙ୍କ ପରିବାର ପ୍ରତି ନିର୍ଯାତନା ବଢିଗଲା । ଆଉ ସେବେଠାରୁ ସେମାନେ ଏହି ସାମାଜିକ ବାସନ୍ଦର ସମ୍ମୁଖୀନ ହେଉଛନ୍ତି ।
କାହିଁକି ବାସନ୍ଦ କଲେ
ଗରିବ ପରିବାର ହେତୁ ମାତ୍ର ୧୭ ବର୍ଷ ବୟସରେ ତାଙ୍କର ବିବାହ ପାଖ ଗାଁର ଜଣେ ବ୍ୟକ୍ତିଙ୍କ ସହ ପରିବାର ଲୋକେ କରିଦେଲେ । କିନ୍ତୁ ବିବାହ ପରେ ସେ ଜାଣିଲେ ଯେ ତାଙ୍କ ସ୍ୱାମୀଙ୍କ ଆଖିକୁ ଠିକରେ ଦେଖାଯାଏ ନାହିଁ । କେମିତି ରୋଜଗାର କରିବେ ଓ ଚଳିବେ ଭାବି ସେ ବାପଘର ଗାଁକୁ ଚାଲି ଆସିଲେ । ସେବେଠାରୁ ମୁଁ ମୋ ପରିବାରକୁ ନେଇ ଏଇଠି ରହୁଛି । ଦୋଷୀ ଜଣକ ଜାମିନରେ ଆସିବା ପରେ ମଧ୍ୟ ତା କୁକର୍ମ ଛାଡିନଥିଲା । ସେ ଗାଁର ଅନ୍ୟ ଝିଅ ବୋହୁଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିଲା । ଥରେ ରାତିରେ ଜଣଙ୍କ ଘରେ ପଶୁଥିବା ସମୟରେ ସେ ମହିଳା ଜଣକ ପାଟି କରିବାରୁ ସମସ୍ତେ ଉଠିପଡିଲେ ଓ ତାକୁ ପିଟିବା ପାଇଁ ଉଦ୍ୟମ କଲେ । ଠିକ ଏହି ସମୟରେ ମୁଁ ଚିଲ୍ଲେଇକି ସେ ଲୋକକୁ ଦେଖି ଗାଳିଗୁଲଜ କରିବାରେ ଲାଗିଲି । ମୋ ଗାଳିଗୁଲଜ କରିବା ଅନେକଙ୍କୁ ଭଲ ଲାଗିଲାନି ଓ ମୁହୁର୍ତକରେ ସମସ୍ତେ ମୋ ବିରୁଦ୍ଧ ହୋଇଗଲେ । ତମେ କୁହ ଦିଦି ସେ ଲୋକ ମୋ ଝିଅ ସହ ଖରାପ କଲା ମା ଭାବେ ମୋ ପାଟିରୁ ଗାଳି ଆଉ ବାହାରନ୍ତା ନାହିଁ କି? କିନ୍ତୁ ଗାଁ ଲୋକେ ମୋତେ ଭୁଲ ବୁଝିଲେ, ବୋଲି କୁହନ୍ତି ୩୮ ବର୍ଷିୟ ମା ।
ବାପଘର ଗାଁ ହେତୁ ସେ କୋଠଘରକୁ ଭେଦାଚାନ୍ଦା ଦିଅନ୍ତି ନାହିଁ ଏଣୁ ସେ ଏକପ୍ରକାରର ବାହାର ଲୋକ ପରି ଗାଁ ରେ ରୁହନ୍ତି । ଗାଁର ଲୋକ ନହୋଇ କାହିଁକି ଏଭଳି କଥା କହିଲେ ବୋଲି ଗାଁ ର ମୁରବୀ ମାନେ ବିରୋଧୀ ହୋଇଗଲେ ଓ ତାଙ୍କୁ ଗାଁରେ ବାସନ୍ଦ କଲେ । ସେହି ଦିନରୁ ଗାଁରେ କେହି ଆମ ସହ କଥା ହୁଅନ୍ତି ନାହିଁ କେହି କଥା ହେଲେ ୫୦୦ ଟଙ୍କା ଜରିମାନା ଗଣିବାକୁ ପଡେ । ମୋ ସ୍ୱାମୀ ଯିଏକି ଗାଁ ଗାଁ ବୁଲି ବେପାର କରନ୍ତି ସେ ବି ଦୂର ଗାଁ କୁ ଯାଇ ବେପାର କରୁଛନ୍ତି । ଗାଁ ରେ ପାଣି, ଦୋକାନ ବଜାର ସବୁକିଛି ଆମ ପାଇଁ ବାରଣ । ଏମିତିକି ମୋ ପିଲା ସହ କେହି ବି ଖେଳନ୍ତି ନାହିଁ । ଗତ ୬ବର୍ଷ ଧରି ଆମେ ଏମିତି ଚଳୁଛୁ । ଆମ ସହ ଖରାପ ହେଲା ଆଉ ଏବେ ଆମେ ବାସନ୍ଦର ଶିକାର, ବୋଲି ଦୁଃଖ କରି କୁହନ୍ତି ଏହି ମା ଜଣକ ।
ପୁଣି କାହିଁକି ସମସ୍ୟା ହେଲା
ଗତକିଛି ଦିନ ତଳେ ପାହାନ୍ତିଆ ସମୟରେ ସେ ଫୁଲ ତୋଳିବା ପାଇଁ ବାହାରକୁ ବାହାରି ଥିବା ବେଳେ ତାଙ୍କୁ ଏକୁଟିଆ ପାଇ ସେ ଗାଁର କିଛି ମହିଳା ତାଙ୍କୁ ଅତର୍କିତ ଆକ୍ରମଣ କଲେ । ସେମାନେ ମୋତେ କାଠଫାଳିଆରେ ମାଡ ମାରିବା ସହ ଆଉ କିଛି ଜଣ ମୋ ବେକ ଓ ଛାତି ଉପରେ ଚଢି ଗଲେ । ମାଡ ଖାଇ ମୁଁ ତଳେ ବେହୋସ ହୋଇ ପଡିଥିବା ବେଳେ ମୋ ମା ମୁଁ ମରିପଡିଥିବା ଆଶଙ୍କା କରି ଥାନାରେ ରିପୋର୍ଟ କରିବାକୁ ଚାଲିଗଲେ । କିନ୍ତୁ ମୁଁ ମରିନଥିବାରୁ ଗାଁ ଲୋକେ ଆମ ଉପରେ ଓଲଟା କେସ କରି ମୋ ମା କୁ ଜେଲ ପଠାଇ ଦେଲେ ।
ଷ୍ଟୋରିଜ ଓଡ଼ିଶା ଏହି ମହିଳାଙ୍କୁ ଭେଟିବା ବେଳକୁ ସେ କ୍ୟାପିଟାଲ ହସପିଟାଲରେ ଚିକତ୍ସିତ ହେଉଥିଲେ । ଯଦିଓ ତାଙ୍କର ଶରୀରରେ କୌଣସି ବଡଧରଣର କ୍ଷତି ହୋଇନଥିଲା ତଥାପି ସେ ନା ଠିକରେ ଚାଲି ପାରୁଥିଲେ ନା ଖାଇପାରୁଥିଲେ । ତାଙ୍କ କହିବା ଅନୁସାରେ, ଏବିଷୟରେ ଥାନାରେ ରିପୋର୍ଟ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ପୁଲିସ ସିଆରପିସି ସେକସନ ୪୧ରେ ନୋଟିସ କରି ଛାଡିଦେଇଛନ୍ତି । ଏବେ ସେମାନେ ଗାଁରେ ଖୋଲାଖୋଲି ଭାବେ ବୁଲୁ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ ତାଙ୍କୁ ସହଯୋଗ କରୁଥିବା ସାମାଜିକ କର୍ମୀ ନିତୁରଞନ ଦାସଙ୍କ କହିବା ଅନୁସାରେ, ଘଟଣା ଘଟିବାର ପ୍ରାୟ ୧୪ଦିନ ପରେ ଦୁଷ୍କର୍ମ ପୀଡିତା ନାବାଳିକା ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା । ଏଣୁ ପୀଡିତାକୁ କୌଣସି ଡାକ୍ତରୀ ସହାୟତା ମିଳିପାରିନାହିଁ କିମ୍ବା ପକ୍ସୋ ଆଇନ ସେକସନ ୩୩ (୮) ଅନୁସାରେ ସରକାରଙ୍କ ତରଫରୁ କୌଣସି ଆର୍ଥିକ ସୁବିଧା ମିଳିପାରିନାହିଁ । ପୀଡିତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ (ଡିଏଲଏସଏ) ତରଫରୁ ଜଣେ ମହିଳା ଓକିଲ ଯୋଗାଇଦେବାକୁ ସେ ଦାବୀ କରିଛନ୍ତି ।
ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମା ନିବେଦନ କରିଛନ୍ତି ଯେ ସରକାର ଦୋଷୀକୁ ଯଥାଶିଘ୍ର ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ । ନଚେତ ମୁଁ ସୁରକ୍ଷିତ ଭାବେ ଗାଁରେ କେମିତି ରହିବି ଓ ମୋ ପିଲାଙ୍କୁ ପାଠ ପଢାଇ ମଣିଷ କରିବି । ସରକାର ଆମକୁ ସହେଯାଗ କରିବା ଉଚିତ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଦୁଷ୍କର୍ମ କରୁଥିବା ଅଭିଯୁକ୍ତ ମାନଙ୍କୁ ସରକାର କଠୋର ଦଣ୍ଡ ଦେଲେ ସେମାନଙ୍କ ମଧ୍ୟରେ ଭୟ ଜାତ ହେବ ଓ ସେମାନେ ଆଉ କାହା ସହ ଏମିତି ଖରାପ କାମ କରିବେ ନାହିଁ ନଚେତ ସବୁବୟସର ଝିଅ ମାନଙ୍କ ସହ ଏହିଭଳି ଘଟଣା ମାନ ନିୟମିତ ଘଟୁଥିବ ।