ଗାଁ ମହିଳାଙ୍କ ଆମ୍ବ ଏବେ ୟୁରୋପୀୟ ମାର୍କେଟରେ

ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ ଯେ ଓଡ଼ିଶାର ଆମ୍ରପଲ୍ଲୀ ଆମ୍ବ ଏବେ ବିଦେଶରେ ପହଂଚିଛି । ଓଡ଼ିଶାର ଗାଁ ଗାଁରେ ମହିଳାମାନଙ୍କ ଦ୍ୱାରା କରାଯାଇଥିବା ଫାର୍ମରର୍ସ ପ୍ରଡ୍ୟୁସରର୍ସ କମ୍ପାନୀ ଏବେ ଆମ୍ବ ଚାଷ କରି ବିଦେଶକୁ ସୁଆଦିଆ ଆମ୍ରପଲ୍ଲୀ ଆମ୍ବ ରପ୍ତାନୀ କରିପାରୁଛନ୍ତି । ସେମାନେ ରୋଜଗାର କରି ନିଜେ ସ୍ବାବଲମ୍ବୀ ହେବା ସହ ଗାଁରେ ସମ୍ମାନ ପାଇପାରିଛନ୍ତି । ଅନେକ ମହିଳା ଏବେବି କେତେକ ଦେଶର ନାଁ ସଠିକ ଭାବେ କହିନପାରିଲେ ମଧ୍ୟ ତାଙ୍କ ବଗିଚାର ଆମ୍ବ ବିଦେଶରେ ଲୋକଙ୍କୁ ବେଶ ପସନ୍ଦ ଆସୁଛି ଶୁଣି ଖୁସି ହେଉଛନ୍ତି ।

ଶାନ୍ତିଲତା ରାଉତ
ଭୁବନେଶ୍ୱର

କିଛି ବର୍ଷ ତଳେ ଗାଁ ଦାଣ୍ଡକୁ ବାହାରିବାକୁ ହେଲେ ସେମାନଙ୍କୁ ଘରର ପୁରୁଷମାନଙ୍କ ଅନୁମତି ସାଙ୍ଗକୁ ସାହାଯ୍ୟ ବି ଲୋଡାପଡୁଥିଲା । ପୁଣି ଘରୁ ପଦାକୁ ବାହାରି କାମ କଲାବେଳେ ମୁଣ୍ଡରୁ ଆଦୌ ଓଢଣା ଖସୁନଥିଲା । ହେଲେ ଏବେ ସେହି ମହିଳାମାନେ ସ୍ଥାନୀୟ ଚାଷୀଙ୍କ ଦ୍ୱାରା ଚାଷକରାଯାଉଥିବା ଆମ୍ରପଲ୍ଲ୍ଲୀ ଆମ୍ବକୁ ୟୁରୋପୀୟ ବଜାରରେ ପହଂଚାଇପାରିଛନ୍ତିି । ଢେଙ୍କାନାଳରୁ ସିଧା ୟୁରୋପ ବଜାରକୁ ଆମ୍ବ ରପ୍ତାନିି କରୁଥିବା ଏହି ମହିଳାମାନେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବଳଦେବଜୀଉ ଓମେନ୍ ଫାର୍ମରସ ପ୍ରଡ୍ୟୁସର କମ୍ପାନୀର ସଦସ୍ୟା, ଯାହାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ଜ୍ୟୋର୍ତିମୟୀ ପ୍ରଧାନ । ମହିଳାଙ୍କ ଦ୍ୱାରା ଓ ମହିଳାଙ୍କ ନେତୃତ୍ୱରେ ଚାଲୁଥିବା ଏହି ଏଫ୍ ପି ଓ ରେ ବର୍ତମାନ ହଜାରରୁ ଅଧିକ ସେୟାରହୋଲ୍ଡର ରହିଛନ୍ତି । ଜ୍ୟୋର୍ତିମୟୀ କୁହନ୍ତି ଗତବର୍ଷ ମଧ୍ୟ ଏହି କମ୍ପାନୀ ବିଦେଶକୁ ଆମ୍ବ ବିକ୍ରି କରି ଭଲ ଲାଭ କରିଥିଲା। ଚଳିତ ବର୍ଷ ଏହି କମ୍ପାନୀ ୫୦ ଟନରୁ ଅଧିକ ଆମ୍ବ ଦୁବାଇ, ଇଟାଲୀ ଆଉ ତା ପରେ ୟୁରୋପୀୟ ଦେଶକୁ ରପ୍ତାନି କରିପାରିଛି । ବିଦେଶକୁ ଆମ୍ବ ରପ୍ତାନି ମହିଳାଚାଷୀଙ୍କ ଆୟ ବଢାଇବା ସହ ସେମାନଙ୍କୁ ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରୁଛି ।
ଜ୍ୟୋତିର୍ମୟୀ କୁହନ୍ତି ଢ଼େଙ୍କାନାଳ ଅଂଚଳର ଜଳବାୟୁ ଆମ୍ବ ଉତ୍ପାଦନପାଇଁ ବେଶ ଉପଯୋଗୀ । ବିଶେଷକରି ଏଠାକାର ମାଟି ଆମ୍ରପଲ୍ଲୀ ଆମ୍ବ ପାଇଁ ଉପଯୁକ୍ତ । ଆମ୍ବ ଉତ୍ପାଦନ କରି ପରିବାର ଚଳାଉଥିବା ଅନେକ ସ୍ଥାନୀୟ ଚାଷୀ ପାଖ ବଜାରରେ ବିକ୍ରି କରି ଭଲ ଲାଭ ପାଇପାରୁନଥିବାରୁ ଅସନ୍ତୋଷ ହେଉଥିଲେ । ମାତ୍ର କିଛି ଉପାୟ ନଥିବାରୁ ସେମାନେ ବାଧ୍ୟ ହୋଇ ବେପାରୀଙ୍କୁ କମ ଦାମରେ ବିକ୍ରି କରୁଥିଲେ। ଗ୍ରାଣ୍ଟ ଥୋର୍ଟନ ଭାରତ ଓ ଆପେଡା ସଂସ୍ଥାର ମିଳିତ ଉଦ୍ୟମରେ ଏକ ପ୍ରଡ୍ୟୁସରର୍ସ ଗ୍ରୁପ କରି ମହିଳାମାନଙ୍କୁ ଏବାବଦରେ ଟ୍ରେନିଂ ଦେଲେ । ଏବାବଦରେ ଗ୍ରାଣ୍ଟ ଥୋର୍ଟନ ଭାରତର ସ୍ଥାନୀୟ ଶାଖା ପରିଚାଳକ ନାରାୟଣ ଖଟୁଆ କୁହନ୍ତି, ଏଚ. ଡି. ଏଫ୍.ସି ବ୍ୟାଙ୍କ ପରିବର୍ତ୍ତନର ସ୍ତ୍ରୀ ପ୍ରୋଗ୍ରାମ ଅଧୀନରେ ବଳଦେବ ଜୀଉ ଓମେନ ଫାର୍ମର ପ୍ରଡ୍ୟୁସର କମ୍ପାନୀ ୨୦୨୩ ମସିହାରେ ଗଠନ ହୋଇଥିଲା। ଏବେ ସୁଦ୍ଧା ସେୟାର ହୋଲ୍ଟରଙ୍କ ସଂଖ୍ୟା ୧୦୦୦ ହୋଇସାରିଲାଣି। ପାଖାପାଖି ୧୩ଟି ଗାଁର ୫୦୦୦ ମହିଳାଙ୍କୁ ନେଇ ଏହି କମ୍ପାନୀ କାର‌୍ୟ୍ୟ କରୁଛି। ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ହେଉଥିବା ଏହି କମ୍ପାନୀ ଯେ କେବଳ ଆମ୍ବ ରପ୍ତାନି କରୁଛି ତାହା ନୁହେଁ ଋତୁ ଅନୁଯାୟୀ ସୁହାଉଥିବା ଅନ୍ୟାନ୍ୟ ଫସଲ ମଧ୍ୟ କରାଯାଉଛି। ଚାଷୀଙ୍କୁ ଧାନ ବିହନ ଯୋଗାଇବା ସହ, ଛତୁ ଚାଷ ମଧ୍ୟ କରାଯାଉଛି। ଏହାଦ୍ୱାରା ବର୍ଷ ସାରା ମହିଳାମାନେ ରୋଜଗାର କରିପାରୁଛନ୍ତି ।
ଆମେ ଏହି ମହିଳାଙ୍କ ସହ ଆମ୍ବ ଚାଷ ବଗିଚା କରି ଆମ୍ବ ବିକ୍ରିି କରିବା କଥା ଯେତେବେଳେ ଆଲୋଚନା କଲୁ ସମସ୍ତ ସେୟାର ହୋଲ୍ଡର ଆଗକୁ ମଧ୍ୟ ଆମ୍ବ ରପ୍ତାନି କରିବା ପାଇଁ ରାଜି ହେଲେ। ସମସ୍ତଙ୍କ ସହଯୋଗ ଫଳରେ ଗତ ୩ ବର୍ଷ ହେବ ଆମ୍ବ ବିଦେଶକୁ ରପ୍ତାନି କରାଯାଉଛି ବୋଲି ସେ କହିଛନ୍ତି ।


ଲାଭ ଦଶ ଗୁଣା ବଢିଛି

ଆମ୍ବ ପାଚିବା ପରେ ସୁଲଭ ଦାମରେ ବିକ୍ରି ନହେଲେ ସାଧାରଣ ଚାଷୀଙ୍କୁ ହନ୍ତସନ୍ତ ହେବାକୁ ପଡିଥାଏ । ଏହାକୁ ଦୂର କରିବା ପାଇଁ ଜିଟି ଭାରତ ସଂସ୍ଥା ଓଡ଼ିଶାର ୮ ଟି ଜିଲ୍ଲାରେ ମୋଟ ୩୩ ଟି ଫାର୍ମରର୍ସ ପ୍ରଡ୍ୟୁସରର୍ସ ଗ୍ରୁପ ଆରମ୍ଭ କରିଛି । । ସଂପୂର୍ଣ୍ଣ କାମକୁ ସୁରୁଖୁରୁରେ କରିବା ପାଇଁ ଏହି ସଂସ୍ଥା ପ୍ରଥମେ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଥାଏ। ପରେ ସେମାନଙ୍କୁ କାମ ଦିଆଯାଏ ଓ ଏଥିରେ ମିଳୁଥିବା ଲାଭ ଅନୁଯାୟୀ ସେମାନଙ୍କୁ ଅର୍ଥ ପ୍ରଦାନ କରାଯାଇଥାଏ। ଅନେକ ମହିଳା କୁହନ୍ତି କି ଏହାଦ୍ବାରା ସେମାନେ ନିଜେ ପରିବାର ଚଳାଇବା ପାଇଁ ସକ୍ଷମ ହୋଇପାରିଛନ୍ତି । ଜ୍ୟୋର୍ତିମୟୀ ଓ ତାଙ୍କ ଗ୍ରୁପ ଢେଙ୍କାନାଳରେ ତାଙ୍କ ଗାଁ ପାଖରେ ଏକ ଆମ୍ବ ବଗିଚା ଲିଜରେ ନେବା ସହ ଏହାର ରକ୍ଷଣାବେକ୍ଷଣ କାମ ଆରମ୍ଭ କଲେ । ଆମ୍ବର ଯତ୍ନ ନେବା ସହ ସେଗୁଡିକର ସଠିକ କଟିଂ କରି ପ୍ୟାକେଜିଂ କରିବା କାମରେ ସେମାନେ ଧ୍ୟାନ ଦେଲେ । କାରଣ ଗ୍ରାହକକୁ ବିନା ଦାଗଥିବା ସୁଆଦିଆ ଆମ୍ବ ମିଳିଲେ ସେମାନଙ୍କୁ ଉଚିତ ମୂଲ୍ୟ ମିଳିବ ବୋଲି କୁହନ୍ତି ଜ୍ୟୋର୍ତିମୟୀ ।
ଏବର୍ଷ ବିଦେଶକୁ ରପ୍ତାନି କରି ସେମାନେ ଦଶ ଗୁଣା ଲାଭ ପାଇପାରିଛନ୍ତି । ୟୁରୋପୀୟ ଦେଶଗୁଡିକରେ ଆମ୍ରପଲ୍ଲୀ ଆମ୍ବର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ଗାଆଁର ଅନେକ ମହିଳା ଏହାଦ୍ବାରା ରୋଜଗାର କ୍ଷମ ହୋଇପାରିଛନ୍ତି। ପ୍ରଥମେ ଦୁବାଇକୁ ଆମ୍ବ ରପ୍ତାନି କରାଯାଇଥିଲା। ପରେ ୟୁରୋପୀୟ କିଛି ଦେଶ ଓ ଇଟାଲୀକୁ ମଧ୍ୟ ଆମ୍ବ ରପ୍ତାନି କରାଯାଉଛି।


ରେକର୍ଡ କରିଛି ଓଡ଼ିଶା

ଢ଼େଙ୍କାନାଳ ଜିଲ୍ଲାର ସ୍ଥାନେ ସ୍ଥାନେ ବିଦେଶକୁ ଆମ୍ବ ରପ୍ତାନୀ କରୁଥିବା ଆମ୍ବ ଚାଷୀଙ୍କ ବଗିଚା ଦେଖିବାକୁ ମିଳିବ। ସପ୍ତଶଯ୍ୟା ଭଅଁରପାଳି ଅଞ୍ଚଳର କିଛି ଚାଷୀ ଦୁବାଇକୁ ଆମ୍ୱ ରପ୍ତାନି କରି ଏବର୍ଷ ବେଶ ଲାଭବାନ ହୋଇଛନ୍ତି। ସପ୍ତଶର୍ଯ୍ୟା ଆଗ୍ରୋ ପ୍ରଡ୍ୟୁସରର୍ସ କମ୍ପାନୀର ଜଣେ ସଦସ୍ୟ କହିଛନ୍ତି, ଆମ୍ବ ବଗିଚାରେ ଗଛର ଯତ୍ନ ନେବାସହ ଫଳ ହେବାମାତ୍ରେ କିଭଳି ସେସବୁକୁ ମାଙ୍କଡ ମାନଙ୍କ ଦାଉରୁ ରକ୍ଷ୍ୟ କରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି। ଏଥିପାଇଁ ଠେଙ୍ଗା ଧରି ଜଗିବାକୁ ପଡିଥାଏ, ଯାହାଦ୍ଵାରା ମାଙ୍କଡଙ୍କ ଦାଉରୁ ଆମ୍ବକୁ ରକ୍ଷା କରାଯାଇପାରେ । ଆମ୍ବ ଗୁଡିକ ପାଚିବା ଆରମ୍ଭ କଲେ ଉଚିତ୍ ସମୟ ଦେଖି ଆମକୁ ଆମ୍ବ ସବୁକୁ ତୋଳିବାକୁ ପଡିଥାଏ । ତେବେ ଏହିସମୟରେ ବିଶେଷ ଯତ୍ନ ନେବାକୁ ପଡିଥାଏ । ଆମ୍ବ ଗୁଡିକ ଯେପରି ତଳେ ପଡି ନଷ୍ଟ ନ ହୁଏ ବା ଏଥିରେ କୌଣସି ଦାଗ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡେ । କାରଣଏସବୁ ଆମ୍ବ ରପ୍ତାନି ହୋଇ ବିଦେଶରେ ପହଞ୍ଚିବା ବେଳକୁ ବହୁତ୍ ସମୟ ଲାଗିଯାଏ। ଯଦି ଆମ୍ବ ଫଟା ଥାଏ ତେବେ ତାହା ଖରାପ ହୋଇ ବକ୍ସରେ ଥିବା ଅନ୍ୟ ଆମ୍ବକୁ ଖରାପ କରିଦିଏ। ଏପରିକି ବିଶ୍ବ ବଜାରରେ ଏହାର ଭଲ ମୂଲ୍ୟ ଥିଲେ ମଧ୍ୟ ଆମ୍ବକୁ ସଠିକ୍ ଭାବେ ଯତ୍ନ ନେଇ ପ୍ୟାକିଂ କରି ପହଞ୍ଚାଇବା ପାଇଁ ଚାଷୀ ଓ ଅନ୍ୟ ଲୋକ ମାନେ ଅନେକ ପରିଶ୍ରମ କରିଥାନ୍ତି ।
ସପ୍ତଶର୍ଯ୍ୟା ଆଗ୍ରୋ ପ୍ରଡ୍ୟୁସରର୍ସ କମ୍ପାନୀର ସଦସ୍ୟ କହିଛନ୍ତି, ସେମାନଙ୍କୁ ଆମ୍ବ ସବୁ ପ୍ୟାକିଂ କରିବାରେ ସ୍ଥାନୀୟ ଜୁଆଙ୍ଗ ଆଦିବାସୀମାନେ ସାହାଯ୍ୟ କରନ୍ତି । ପରସ୍ପର ସହଯୋଗ ଦ୍ଵାରା କାମ ଆହୁରି ସହଜ ହୋଇଯାଏ । ଆମ୍ବ ତୋଳାହେବା ପରେ ସେ ସବୁକୁ ପାଣିରେ ଭଲ ଭାବେ ଧୁଆହୁଏ। ଧୁଆ ଆମ୍ବକୁ ଜୁଆଙ୍ଗ ଆଦିବାସୀର ମହିଳାଙ୍କୁ ଦିଆଯାଇଥିବା ଟ୍ରେନିଂ ଅନୁଯାୟୀ ସେମାନେ ଷ୍ଟିକରିଂ ଓ ପ୍ୟାକେଜିଂ କରିଥାନ୍ତି। ଏହି ଆମ୍ବ ସବୁ ପେଟିରେ ଭର୍ତ୍ତି କରି କୋଲକାତାକୁ ପଠାଯାଏ। ସେଠାରୁ ବିମାନ ଯୋଗେ ଦୁବାଇ ରପ୍ତାନି ହୁଏ। ବିଶ୍ଵ ବଜାରରେ ସୁଆଦିଆ ଆମ୍ବର ଚାହିଦା ଅଧିକ ଏଣୁ ଅଧିକ ଦାମରେ ବିକ୍ରି ହୋଇଥାଏ।
ଆମ୍ବକୁ ଫଳର ରାଜା କୁହାଯାଏ। କିଛି ଆମ୍ବ ବାରମାସ ଧରି ଫଳ ଦିଏ ତ ଆଉ କିଛି ଆମ୍ବ କେବଳ ଗ୍ରୀଷ୍ମଋତୁରେ ହିଁ ଫଳ ଦେଇଥାଏ। ଗ୍ରୀଷ୍ମଋତୁ ଆସିଲେ ରାସ୍ତା କଡ଼ରେ ପ୍ରଚୁର ପରିମାଣର ଆମ୍ବ ସାଙ୍ଗକୁ ଜାମୁକୋଳି, ଲିଚୁ ଓ ପଣସ ରାସ୍ତାକଡ଼ରେ ବିକ୍ରି ହେଇଥାଏ। ଓଡ଼ିଶାରେ ସର୍ବାଧିକ ଆମ୍ରପଲ୍ଲୀ ଆମ୍ବ ମିଳେ। ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ସର୍ବାଧିକ ଆମ୍ବ ବିଦେଶକୁ ରପ୍ତାନି କରୁଥିବାବେଳେ ଗତ କିଛି ବର୍ଷ ହେବ ଓଡ଼ିଶା ଏକ୍ଷେତ୍ରରେ ଆଗକୁ ବଢୁଛି । ଓଡ଼ିଶାରେ ମିଳୁଥିବା ଆମ୍ରପଲ୍ଲୀ ଆମ୍ବ ସୁସ୍ୱାଦୁ ହେତୁ ଏବେ ରାଜ୍ୟ ବାହାର ଏବଂ ବିଦେଶରେ ଏହାର ଚାହିଦା ବଢିବାରେ ଲାଗିଛି । ଆମ୍ରପଲ୍ଲୀ ଆମ୍ବ ୟୁରୋପୀୟ ଦେଶକୁ ରପ୍ତାନି କରି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା ରେକର୍ଡ କରିଛି ।
ଢେଙ୍କାନାଳରୁ ସର୍ବାଧିକ ଆମ୍ବ ବିଦେଶକୁ ରପ୍ତାନି ହେଉଥିବା ବେଳେ ବଲାଙ୍ଗୀର, ସୁନ୍ଦରଗଡ଼, କେଉଁଝର, ବ୍ରହ୍ମପୁରରୁ ମଧ୍ୟ ଆମ୍ବ ବିଦେଶକୁ ପଠାଯାଉଛି । ଫଳରେ ଚଳିତ ବର୍ଷ ସର୍ବାଧିକ ଆମ୍ରପଲ୍ଲୀ ଆମ୍ବ ବିଦେଶକୁ ରପ୍ତାନି କରି ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *