ଯେଉଁଠି ସକାଳ ହେଲେ ଜୀବନ ଜୀବିକା ପାଇଁ ସଂଘର୍ଷ ଚାଲେ, ବିକାଶ ପହଂଚିବାରେ ବିଳମ୍ବ ହୁଏ, ସୁଷମ ଆହାର ବିନା ଶିଶୁଟି କୁପୋଷଣର ଶିକାର ହୁଏ ସେଠି ଲୋକେ ଆଧୁନିକତାର ଛାପଠୁ ଅନେକ ଦୂରରେ । ଏ ଭିତରେ ସେମାନଙ୍କ ପାଇଁ ସିୱାଇଏସଡି (ଯୁବ ସମାଜ ବିକାଶ କେନ୍ଦ୍ର) ଏକ ଅଭିନନ୍ଦନୀୟ ପଦକ୍ଷେପ ନେଇଛି । ଆରମ୍ଭ କରିଛି ଶିଶୁଘର ବା କ୍ରେଚ୍ । ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏ ବ୍ୟବସ୍ଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ଵି ସତ । ସତ ଏଇଆ ଯେ, ଏ କ୍ରେଚ ଆଜି ସ୍ଥାନୀୟ ଅଞ୍ଚଳରେ ଅନେକ ପରିବାରର ଭାଗ୍ୟ ବଦଳାଇ ଦେଇଛି । ଅନ୍ଧ ବିଶ୍ୱାସ ଏବଂ କୁସଂସ୍କାରର ବଳୟରେ ଅନ୍ଧ ହୋଇ ପିଢ଼ି ପରେ ପିଢ଼ି ଯେଉଁ ଭୁଲ କରି ଆସୁଥିଲେ ସେଥିରେ ବ୍ରେକ ଲାଗିଛି । କ୍ରେଚ୍ ଆଲୋକରେ ଶିଶୁ ହସୁଛି ଏବଂ ଶିଶୁ ସୁରକ୍ଷାର ନୂଆ ଆଶ୍ରୟ ପାଲଟିଛି ଏହି କ୍ରେଚ୍ ।

ମାଲକାନଗିରି ଜିଲ୍ଲାରେ ଆଦିବାସୀ ପରିବାର ପ୍ରତିଦିନ ଜୀବିକା ପାଇଁ ଜଙ୍ଗଲକୁ ଯାଆନ୍ତି । କ୍ଷେତରେ କାମ କରନ୍ତି । କିନ୍ତୁ ସବୁଠୁ ବଡ଼ ଚିନ୍ତା ଥାଏ ଛୋଟ ଶିଶୁମାନଙ୍କୁ କାହା ପାଖରେ ଛାଡ଼ିବେ? ଏହି ସମସ୍ୟାରେ ସମାଧାନ ପାଇଁ ଗାଁରେ ଆରମ୍ଭ ହୋଇଛି ଆଦିବାସୀ କ୍ରେଚ ବ୍ୟବସ୍ଥା । ଏହା ଏକ ଛୋଟ କିନ୍ତୁ ଆଶାଭରା ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ମା’ ମାନେ କାମକୁ ଯିବାବେଳେ ଶିଶୁକୁ ପିଠିରେ ପକାଇ ସାଙ୍ଗରେ ନେଇ ଯାଉଥିଲେ ନଚେତ ଗଛ ଛାଇରେ ଝୁଲାରେ ଝୁଲେଇ କାମ କରୁଥିଲେ । କିମ୍ବା ଘରେ ଥିବା ବଡ଼ ଭାଇଭଉଣୀଙ୍କ ଜିମାରେ ଛାଡିଦେଇ ଯାଉଥିଲେ । ଫଳରେ ବଡ଼ ଭାଇଭଉଣୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଏହା ବ୍ୟତୀତ ପିଲାକୁ ମଧ୍ୟ ଠିକ ସମୟରେ ଖାଇବା ମିଳୁନଥିଲା । ଏବେ କ୍ରେଚ ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ, ମା’ ମାନଙ୍କ ମନରେ ବିଶ୍ୱାସ ଆସୁଛି ଯେ, ପିଲା ଏଠାରେ ଭଲରେ ରହୁଛି ଏବଂ ମୁଁ ନିର୍ଭୟରେ କାମ କରିପାରୁଛି ବୋଲି କହିଛନ୍ତି ଜଣେ ଅଭିଭାବକ ।

ପିଲା ଆଉ ବିଶେଷ ଭାବରେ କୁପୋଷଣର ଶିକାର ହେଉନାହାନ୍ତି । ଶ୍ରମ କରି ବଂଚୁଥିବା ଲୋକମାନେ ନିଜ ପିଲାଙ୍କ ପ୍ରତି ଅବହେଳା କରି ଆସୁଥିଲେ । ସେମାନଙ୍କୁ ନିଜ ସହିତ କାମକୁ ନେଇ ଯାଉଥିଲେ ନଚେତ ଘରେ ଛାଡ଼ିଦେଇ ଯାଉଥିଲେ । ଦିନ ସାରା ପିଲାଙ୍କ ସହିତ କୌଣସି ସମ୍ପର୍କ ରହୁନଥିଲା କି ସେମାନେ କେମିତି, କାହାପାଖରେ ରହୁଛନ୍ତି ଏବଂ କଣ ଖାଉଛନ୍ତି ଓ କରୁଛନ୍ତି, ତାର କିଛି ଖବର ନଥିଲା । ହେଲେ ଆଜି ସ୍ଥିତି ବଦଳିଛି । ଲୋକେ କାମକୁ ଗଲେ ପିଲାଙ୍କୁ ଘରେ ଛାଡ଼ିବା ବଦଳରେ ଏବେ କ୍ରେଚରେ ଛାଡ଼ୁଛନ୍ତି ।ଯେଉଁମାନଙ୍କ ପାଇଁ କ୍ରେଚ ଶବ୍ଦ ବିରଳ ଥିଲା ଆଜି ସେମାନେ କ୍ରେଚ ପ୍ରେମରେ ।

ସୁରକ୍ଷିତ ପରିବେଶ, ପୋଷଣ, ସ୍ୱାସ୍ଥ୍ୟ ଓ ଯତ୍ନ
୨୦୨୪ ମସିହା ଜୁଲାଇରୁ ସିୱାଇଏସଡି (ଯୁବ ସମାଜ ବିକାଶ କେନ୍ଦ୍ର) ତରଫରୁ ମାଲକାନଗିରିରେ କ୍ରେଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ମାଲକାନଗିରି ଜିଲ୍ଲାର ୮ଟି ପଞ୍ଚାୟତରେ ୪୦ଟି ଗ୍ରାମରେ ପରିଚାଳିତ ହେଉଛି । ବର୍ତ୍ତମାନ ସୁଦ୍ଧା ୧୧୭୧ ଜଣ ଶିଶୁଙ୍କୁ ୪୦ଟି କ୍ରେଚ୍ ଜରିଆରେ ପୋଷଣଯୁକ୍ତ ଆହାର ଏବଂ ସୁରକ୍ଷିତ ଯତ୍ନ ପ୍ରଦାନ କରାଯାଉଛି । ଏଥିରେ ୬ମାସରୁ ୩ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ସ୍ୱାସ୍ଥ୍ୟର ସ୍ଥିତି ଏବଂ ବାଲ୍ୟାବସ୍ଥାର ବିକାଶର ଉନ୍ନତି ସହ ସମାଜରୁ କୁପୋଷଣ ମୁକ୍ତ କରିବା କ୍ରେଚର ମୂଳ ଲକ୍ଷ୍ୟ ହୋଇଛି ।

କ୍ରେଚ କେବଳ ଶିଶୁର ଦେଖାଶୁଣା କରିବାର ଜାଗା ନୁହେଁ, ବରଂ ଏହା ପୋଷଣ ଓ ପ୍ରାଥମିକ ଶିକ୍ଷାର ମିଶ୍ରଣ ହୋଇଛି । କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ଵି ଏହି କ୍ରେଚ ଆଜି ଅନେକଙ୍କ ଦ୍ଵିତୀୟ ଘର ପାଲଟିଛି । ଜୀବିକା ଅନ୍ୱେଷଣରେ ଘରୁ ବାହାରୁଥିବା ମା’ ମାନଙ୍କ ପାଇଁ ଏହା କେବଳ ଡେ କେୟାର ନୁହେଁ, ବରଂ ଶିଶୁ ଆଶ୍ରୟ ଏବଂ ନିଶ୍ଚିନ୍ତତାର ସ୍ଥାନ । ଏଠାରେ ଶିଶୁମାନେ ଗରମ ଖାଦ୍ୟ ସାଙ୍ଗକୁ ଅଣ୍ଡା, ସବୁଜ ପନିପରିବା ଓ ମାଣ୍ଡିଆରେ ତିଆରି ସୁଷମ ଖାଦ୍ୟ ପାଉଛନ୍ତି । ଏଠାରେ ଶିଶୁଙ୍କ ଦେଖାଶୁଣା ପାଇଁ ଥିବା କ୍ରେଚ ଦିଦିମାନଙ୍କୁ ଠିକ ସମୟରେ ଖାଇବାକୁ ଦେବା, ହାତ ଧୋଇବା, ସଫାସୁତର ରଖିବାକୁ ଶିକ୍ଷା ଦିଆଯାଉଛି ।

କ୍ରେଚ ଓ ଅଙ୍ଗନବାଡ଼ି କର୍ମୀ ଏକାଠି କାମ କରି ଶିଶୁମାନଙ୍କ ଓଜନ ମାପୁଛନ୍ତି, ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି, କେଉଁ ଶିଶୁ କୁପୋଷଣ ଭୋଗୁଛି ସେମାନଙ୍କୁ ଅଧିକ ଯତ୍ନ ଓ ପୋଷଣ ଦିଆଯାଉଛି ।
ମାଲକାନଗିରି ଜିଲ୍ଲା, ମାଲକାନଗିରି ବ୍ଲକର ସିନ୍ଧରିମାଳ ପଂଚାୟତ କୁକୁଡ଼ାଗୁଡ଼ା ଗ୍ରାମର ୩୪ ବର୍ଷୀୟା ଲକ୍ଷ୍ମୀ ପଡିଆମି କୁହନ୍ତି, ୨୦୨୫ ଏପ୍ରିଲରୁ ଗାଁରେ କ୍ରେଚ ଆରମ୍ଭ ହୋଇଛି । ଦୀର୍ଘ ବର୍ଷେ ହେଲା ମୁଁ ମୋର ଅଢେଇ ବର୍ଷର ଝିଅ ଜେସିକାକୁ ଛାଡ଼ୁଛି । ଏହା ଦ୍ୱାରା ଚାଷ କାମ, ଘର କାମ, ଜଙ୍ଗଲରୁ ଜାଳ ଆଣିବା ଭଳି ଅନେକ କାମ ସହଜ ହୋଇପାରୁଛି । ପୂର୍ବରୁ ସାଙ୍ଗରେ ଛୁଆକୁ ନେଇ ସବୁ କାମକୁ ଯିବାକୁ ପଡୁଥିଲା । ଫଳରେ ଛୁଆକୁ ସାପ କାମୁଡ଼ିବା ଏବଂ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ହେବାର ଦେଖାଯାଉଥିଲା । ବର୍ତ୍ତମାନ ଆଉ ଏ ସମସ୍ୟା ନାହିଁ । ଏହି କ୍ରେଚ ବ୍ୟବସ୍ଥା ହେବା ଦ୍ୱାରା ମା’ ମାନେ ଟିକେ ବିଶ୍ରାମ ପାଇବା ସହ ଶିଶୁମାନଙ୍କ ଉପଯୁକ୍ତ ପୋଷଣ ମିଳିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ବିଶେଷ ଦେଖାଯାଉ ନାହିଁ ବୋଲି ଲକ୍ଷ୍ମୀ କହିଛନ୍ତି ।

ସେହିଭଳି ସ୍ଥାନୀୟ ଡ୍ୟାମ ସାଇଟ ଗ୍ରାମର ମନୀଷା ଗୋଲରୀ ୨ବର୍ଷର ପୁଅ ଆରଣ ଟାକକୁ କ୍ରେଚକୁ ପଠାଇ ବହୁତ ଖୁସି ଅଛନ୍ତି । ତାଙ୍କ କହିବା ଅନୁଯାୟୀ, କ୍ରେଚ ନଥିଲା ବେଳେ ଘରର ବଡ଼ ଛୁଆକୁ ଛୋଟ ଛୁଆକୁ ଜଗିବା ଲାଗି ଘରେ ଛାଡି କାମକୁ ଯିବାକୁ ପଡୁଥିଲା । ଫଳରେ ବଡ଼ ଛୁଆର ଶିକ୍ଷା ପ୍ରଭାବିତ ହେଉଥିଲା । ଏହା ସହ ଘରେ ବୁଢୀମା ମାନଙ୍କ ଶିକ୍ଷା ସଚେତନତା ଅଭାବରୁ ସେମାନଙ୍କ ପାଖରେ ଛୁଆମାନଙ୍କୁ ଛାଡ଼ିବା ଦ୍ୱାରା ପିଲାମାନେ ଗୁଣିଗାରେଡି ଏବଂ ବିଭିନ୍ନ ଅନ୍ଧବିଶ୍ୱାସର ଶିକାର ହେଉଥିଲେ । କ୍ରେଚ ହେବା ଫଳରେ ଆଉ ଏସବୁ ସମସ୍ୟା ହେଉନାହିଁ ।
ମାଲକାନଗିରି ବ୍ଲକର ସିନ୍ଧରିମାଳ ପଂଚାୟତ କୁକୁଡ଼ାଗୁଡ଼ା ଗ୍ରାମର କ୍ରେଚ ସେବିକା ବାସନ୍ତୀ ପଡିଆମି କୁହନ୍ତି, ସେବିକା ହେବା ଦ୍ୱାରା ଆତ୍ମନିର୍ଭରଶୀଳ ସାଙ୍ଗକୁ ଗାଁରେ ସମ୍ମାନ ମଧ୍ୟ ମିଳୁଛି । ପିଲାମାନଙ୍କୁ ୩ ଥର ଉପଯୁକ୍ତ ପୋଷଣ ଆହାର ଦେବା ସହ ତାଙ୍କର ସବୁ ପ୍ରକାର ଯତ୍ନ ନେଉଛୁ । ସେମାନଙ୍କୁ ମା’ଙ୍କ ଅଭାବ ବୋଧ ହେବା ଦେଉନାହୁଁ । ପିଲାମାନଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଆଞ୍ଚଳିକ ଭାଷାରେ ଶିକ୍ଷାଦାନ
ପ୍ରତିଦିନ ସକାଳେ ଶିଶୁମାନେ ମା’ ମାନଙ୍କ ହାତ ଧରି କ୍ରେଚକୁ ଆସୁଛନ୍ତି । କେହି କାନ୍ଦୁଛନ୍ତି, କିଏ ଚୁପଚାପ ଦେଖୁଛନ୍ତି । କିନ୍ତୁ କ୍ରେଚ ଆସିବାର କିଛି ସମୟ ମଧ୍ୟରେ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠୁଛି । କ୍ରେଚ କାନ୍ଥରେ ନାନାଦି ଛବି, ବିଭିନ୍ନ ଖେଳନା ଓ ଦିଦିମାନଙ୍କ ଆଦର ସୁନ୍ଦର ବାତାବରଣ ସୃଷ୍ଟି କରିଛି ।
କ୍ରେଚ ଜରିଆରେ ଆଦିବାସୀ ଶିଶୁମାନଙ୍କୁ ତାଙ୍କ ଆଞ୍ଚଳିକ ଭାଷା ମାଧ୍ୟମରେ ବିଭିନ୍ନ ଖେଳ ଓ ନାଚ, ଗୀତ ଜରିଆରେ ଶିକ୍ଷାଦାନ କରାଯାଉଛି । ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ, ସମୟକ୍ରମେ ଟୀକାକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଠାରେ ପିଲାମାନେ ଦିନକୁ ୮ଘଣ୍ଟା ସମୟ ବିତାଇଥାନ୍ତି । ଦିନ ୮ଟାରୁ ୪ଟା ପର୍ଯ୍ୟନ୍ତ ରହିବା ସହ ୩ଥର ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଭାତ, ଡାଲମା, ଖେଚୁଡ଼ି, ଅଣ୍ଡା, ଛତୁଆ, ମାଣ୍ଡିଆ ଉପମା ଭଳି ପୁଷ୍ଟିକର ଖାଦ୍ୟ ଦିଆଯାଉଛି । ପ୍ରତି କ୍ରେଚ ଘର କାନ୍ଥରେ ବିଭିନ୍ନ ଚିତ୍ର ଦ୍ୱାରା ପିଲାଙ୍କୁ ଆକୃଷ୍ଟ କରାଯାଉଛି । ଯେଉଁ ଗ୍ରାମରେ କ୍ରେଚ ହୋଇଛି ସେଠି କ୍ରେଚ କମିଟି ଗଠନ ହୋଇଛି । ଗ୍ରାମର ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସରପଞ୍ଚ ଓ କ୍ରେଚର ଦିଦି ଏବଂ ସେବିକାଙ୍କୁ ନେଇ କମିଟି ଗଠନ ହୋଇ ପରିଚାଳିତ ହେଉଛି । ପ୍ରତି ମାସରେ କମିଟିର ବୈଠକ ବସି ଗାଁଲୋକଙ୍କ ଉପସ୍ଥିତିରେ କ୍ରେଚର ଉନ୍ନତି ସମ୍ପର୍କରେ ଆଲୋଚନା ହେଉଛି ।

ଗତ କିଛି ବର୍ଷ ଭିତରେ ଏହି କ୍ରେଚ ଜରିଆରେ ଅନେକ ଶିଶୁଙ୍କ ଓଜନ ବଢିଛି, ମୁହଁରେ ଆସିଛି ହସ । ଯେଉଁଠି ଏକ ସମୟରେ କୁପୋଷଣ ଥିଲା ସାଧାରଣ ଘଟଣା ସେଠି ଏବେ ଆଲୋକ ଦେଖାଯାଇଛି । ଏପର୍ଯ୍ୟନ୍ତ ସବୁ ଗାଁରେ କ୍ରେଚ ପହଂଚିନାହିଁ । କେତେ ଗାଁରେ କ୍ରେଚର ଆବଶ୍ୟକତା ରହିଛି ବୋଲି ସିୱାଇଏସଡି ସିଡିଏମ ଜଗଦୀଶ ଚନ୍ଦ୍ର ଦୋରା କହିଛନ୍ତି । ମାଲକାନଗିରି ଭଳି ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡିରେ ଏହି କ୍ରେଚ ବ୍ୟବସ୍ଥା ପ୍ରଚଳିତ ହେଲାଣି । ସରକାର ଓ ସମାଜ ଯଦି ଗୁରୁତ୍ୱ ଦିଅନ୍ତି ତେବେ ଆଦିବାସୀ ଅଞ୍ଚଳରେ ଆହୁରି ପରିବର୍ତ୍ତନ ଆସିପାରିବ ।
