କଟକ ଜିଲ୍ଲାର ରୁପା ତାରକସୀ କାମ ୫୦୦ ବର୍ଷ ପୁରୁଣା । ରୂପାର ପତଳା ତାରରେ ତିଆରି କରାଯାଉଥିବା ବିଭିନ୍ନ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ବେଶ ମନୋରମ ଲାଗେ । ହେଲେ ଚାହିଦା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କଳା ଦିନେ ବୁଡିବାକୁ ବସିଥିଲା । କିନ୍ତୁ ଗତ ୨୫-୩୦ ବର୍ଷ ହେବ କଟକର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ଚାନ୍ଦି ମେଢ ଓ ରୂପା ଅଳଙ୍କାରରେ ସଜେଇ ହେବା ପରଠାରୁ ପିଢି ପରେ ପିଢି ତାରକସୀ କାମ କରୁଥିବା କାରିଗରଙ୍କୁ କାମ ମିଳିଲା, ରୋଜଗାର ବଢିଲା ଏବଂ ସେମାନଙ୍କ ରୁପା ତାରକସୀ କାମକୁ ଦେଶ ବିଦେଶର ଲୋକଙ୍କୁ ଦେଖାଇବାର ସୁଯୋଗ ମିଳିଲା । କଟକର ଦୁର୍ଗାପୁଜା ସମୟରେ ପୁଜା କମିଟି ପକ୍ଷରୁ କରାଯାଉଥିବା ଚାନ୍ଦି ମେଢ ଯେ ବୁଡିଯାଉଥିବା ତାରକସୀ କଳାକୁ ଉଜ୍ଜୀବିତ କରିଛି ଏଥିରେ ସନ୍ଦେହ ନାହିଁ ।
କଟକ: ପ୍ରତିବର୍ଷ ଦୁର୍ଗାପୂଜା ଆସିବାକୁ ୫-୬ମାସ ଥିବ ଖୋଜା ପଡେ କଟକର ବିଭିନ୍ନ ଗଳିକନ୍ଦିରେ ରୂପା ତାରକସୀ କାମ କରୁଥିବା କାରିଗରଙ୍କର । କାରଣ ଗତ ୨୫-୩୦ ବର୍ଷ ହେବ କଟକର ଅଧିକାଂଶ ଦୁର୍ଗାପୁଜା ମଣ୍ଡପ ଚାନ୍ଦି ମେଢ ଓ ମୃଣ୍ମୟୀ ମୂର୍ତ୍ତୀଙ୍କ ପାଇଁ ଅଳଙ୍କାର କରୁଥିବାରୁ ଏମାନଙ୍କର ଆବଶ୍ୟକତା ପଡେ । ଚାନ୍ଦି ମେଢ ଓ ଅଳଙ୍କାରକୁ ସଫା କରିବା, ତିଆରି କରିବା ନହେଲେ ପୁଣି ନୂଆ ରୁପା ତାରକସୀରେ ଅଳଙ୍କାର ଗଢିବା- ଏସବୁ କାମ ପାଇଁ ତାରକସୀ କାରିଗରଙ୍କର ଖୋଜାପଡେ । ସେଇମାନଙ୍କ ଭିତରେ ଜଣେ ହେଉଛନ୍ତି ବଳରାମ ଦାସ ଓ ତାଙ୍କ ସାଥୀ କାରିଗର । ଏମିତି ତ ବର୍ଷ ତମାମ ସେମାନେ ଛୋଟ ଛୋଟ ରୁପା ତାରକସୀରେ ତିଆରି ଗହଣା ଓ ଗିଫ୍ଟ ତିଆରି କାମ କରୁଥାଆନ୍ତି କିନ୍ତୁ ସେମାନଙ୍କୁ ନିଜ କାରିଗରି କୌଶଳ ଦେଖାଇବାର ସୁଯୋଗ ମିଳେ ଦୁର୍ଗା ପୁଜା ମେଢ ଓ ଅଳଙ୍କାର ତିଆରିରେ । କଟକ ମହମ୍ମଦିଆ ବଜାର ଗଳିରେ ନିଜ ୱାର୍କସପରେ ଗତ ୩୦ ବର୍ଷ ଧରି ସେ ଏଇ କାମ କରିଆସୁଛନ୍ତି । ଆଗେ ତାଙ୍କ ବାପା ଏହି କାମ କରୁଥିଲେ କିନ୍ତୁ ବାପାଙ୍କ ଦେହ ଅସୁସ୍ଥ ହେବା ପରେ ଏବେ ସେ ଓ ତାଙ୍କ ଭାଇ ରୁପା ତାରକସୀ କାମ କରୁଛନ୍ତି । ସେହିପରି କଟକର ଶେଖ ବଜାର ଗଳିରେ ୨୫ ବର୍ଷ ହେବ ରୁପା ରାତକସୀ କାମ କରୁଛନ୍ତି ଅଜୟ କୁମାର ଦେ ଓ ତାଙ୍କ ପରିବାର । କଟକ ସହରର ଅଧିକାଂଶ ବଡ ବଡ ପୂଜା ମଣ୍ଡପ ପାଇଁ ରୁପା ତାରକସୀ ତିଆରି ମେଢ ଓ ଅଳଙ୍କାର କାମ କରୁଥିବା ଅଜୟ କୁହନ୍ତି, ଏଇ ମେଢ କାମ ଯୋଗୁଁ ରୁପା ତାରକସୀ କାମ କରୁଥିବା କାରିଗରଙ୍କ ଜୀବିକା ରହିଛି । ନଚେତ କେବେଠୁଁ କଟକର ରୂପା ତାରକସୀ କାମ ବୁଡିଯାଇଥାଆନ୍ତା । ଦୁର୍ଗାପୁଜାରେ ମେଢ, ଦୁର୍ଗା ଓ ପାଶ୍ୱର୍ ଦେବତାଙ୍କ ପାଇଁ ଅଳଙ୍କାର କରାଯାଉଥିବାରୁ କାରିଗରମାନଙ୍କୁ କାମ ମିଳୁଛି ।
୫୦୦ ବର୍ଷ ପୁରୁଣା କଳା
କଟକର ରୁପା ତାରକସୀ କାମ ପ୍ରାୟ ୫୦୦ ବର୍ଷ ପୁରୁଣା । ରୁପାକୁ ତରଳାଇ ସେଥିରେ ସରୁ ତାର କରି ସୁନ୍ଦର କାରୁକାର୍ଯ୍ୟ କରାଯାଉଥିବାରୁ ଏହାକୁ ତାରକସୀ କୁହନ୍ତି । ଏହା ଦେଖିବାକୁ ଆକର୍ଷଣୀୟ ହେଲେବି ଏହାକୁ ତିଆରି କରିବା ବହୁତ କଠିନ ।
କୁହନ୍ତି, ଆଗେ ଓଡ଼ିଶାର ଗାଁରୁ ସହରଯାଏଁ ଘରେ କୌଣସି ଉତ୍ସବ ହେଲେ ଯେମିତି – ପିଲାର ଏକୋଇଶା. ବିବାହ ପରେ ବୋହୁ ମୁହଁ ଦେଖା,ସମୁଦୁଣୀଙ୍କ ଘରକୁ ଗଲେ, ବ୍ରତ ଆଦିରେ ଗଲେ ରୁପା ତାରକସୀରେ ତିଆରି କଜଳଡବା, ଖଡୁ, ପାନଡବା ନଚେତ ବିଭିନ୍ନ ପ୍ରକାରର ଗହଣା ହେବାର ଚଳଣୀ ଥିଲା । କିନ୍ତୁ ଧିରେ ଧିରେ ଏସବୁ ଆଉ ନଚଳିବାରୁ କାରିଗରମାନଙ୍କ କାମ କେବଳ କିଛି ଉପହାର ଓ ରୂପା ଗହଣାରେ ସୀମିତ ରହିଗଲା । ପୁଣି ଏହି ତାରକସୀରେ ତିଆରି ଗହଣାକୁ ଯୁବପିଢି ପସନ୍ଦ ନ କରିବାରୁ ପିଢି ପରେ ପିଢି ତାରକସୀ କାମ କରୁଥିବା କାରିଗରମାନେ କାମ ଛାଡି ଅନ୍ୟ ବେଉସା କରିବାରେ ଲାଗିଲେ । ଆଗେ ହଜାରେ ପାଖାପାଖି କାରିଗର ତାରକସୀ କାମରେ ନିୟୋଜିତ ଥିବା ବେଳେ ପରେ ଏହାର ସଂଖ୍ୟା ୨୦୦ ରୁ ୩୦୦ କୁ ଖସି ଆସିଲା ।
କିନ୍ତୁ ଯେବେଠାରୁ କଟକ ଦୁର୍ଗାପୁଜା କମିଟି ଗୁଡିକ ରୁପା ତାରକସୀ କାରୁକାର୍ଯ୍ୟରେ ତିଆରି ମେଢ ଓ ଅଳଙ୍କାର କରୁଛନ୍ତି, କାରିଗରମାନଙ୍କୁ କାମ କାମ ମିଳିବା ସହ ସେମାନଙ୍କ ରୋଜଗାର ମଧ୍ୟ ବଢିଛି । ତାରକସୀ କାରିଗର ବଳରାମ ଦାସ କୁହନ୍ତି, ଦୁର୍ଗାପୂଜା ଆସିବାର ୬ ମାସ ପୂର୍ବରୁ ତାରକସୀ କାରିଗରମାନଙ୍କୁ ଖୋଜାପଡେ । ରୂପା ତାରକସୀ ମେଢ ଓ ଅଳଙ୍କାରଗୁଡିକୁ ସଫାସଫି କରିବା, କେଉଁଠି ଭାଙ୍ଗିଯାଇଥିଲେ ତାର ମରାମତି କରିବା ଆଉ ଯଦି କେହି କିଛି ନୂଆ ଡିଜାଇନ କରିବାକୁ ଚାହୁଁଥିବ ତେବେ ତାକୁ ପୁଣି କରିବା । ପ୍ରାୟତଃ ସବୁ ମେଢ ତାଙ୍କ ବଜେଟକୁ ଚାହିଁ ସବୁବର୍ଷ କିଛି ନୂଆ ଡିଜାଇନ କରି ମଣ୍ଡପକୁ ସଜେଇବାକୁ ଚେଷ୍ଟା କରନ୍ତି । ପୁଣି ଯଦି କେହି ନୂଆ କରି ଗଢିବାକୁ ଚାହେଁ ତେବେ ବର୍ଷସାରା କାରିଗରଙ୍କୁ କାମ ମିଳେ ।
କଟକର ଚାନ୍ଦିମେଢ
କଟକର ଦୁର୍ଗା ପୁଜା କମିଟି ଗୁଡିକ କରୁଥିବା ଚାନ୍ଦିମେଢ କଟକ ତାରକସୀ କାମକୁ ଏକ ନୁଆ ଦିଗ ଦେଇଛିି । ପ୍ରାୟ ୭୦ ବର୍ଷ ତଳେ ୧୯୫୪ ମସିହାରେ କଟକ ସହରର ଚୌଧୁରୀ ବଜାର ପୂଜା କମିଟି ପ୍ରଥମେ ଚାନ୍ଦି ମେଢ ଆରମ୍ଭ କରିଥିଲା । କିନ୍ତୁ ଏହାର ୪୦ ବର୍ଷ ପରେ ଅର୍ଥାତ ନବେ ଦଶକରେ ଶେଖ ବଜାର ପୂଜା କମିଟି ଚାନ୍ଦି ମେଢ କରିବା ପରେ ଗତ ୨୫-୩୦ବର୍ଷ ହେବ ଚାନ୍ଦି ମେଢ ତିଆରିକୁ ନେଇ ଅନ୍ୟ ପୂଜା କମିଟି ଭିତରେ ଏକ ପ୍ରକାରର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏଇ ୩୦ ବର୍ଷ ମଧ୍ୟରେ କଟକ ସହରରେ ପ୍ରାୟ ୩୮ଟି ଦୁର୍ଗା ପୂଜା ମଣ୍ଡପ ଜରି ମେଢ ବଦଳରେ ସଂପୂର୍ଣ ରୁପା ତାରକସୀରେ ତିଆରି ମେଢରେ ସଜେଇ ହୋଇଥିବାବେଳେ ଛୋଟ ବଡ ଅନ୍ୟ ସବୁ ମଣ୍ଡପ ସେମାନଙ୍କ ମୁର୍ତି ପାଇଁ ଅଳଙ୍କାର କରିଛନ୍ତି । ବର୍ତମାନ କଟକରେ ୧୭୦ଟି ମେଢ ହେଉଥିବା ବେଳେ ସେଥିରୁ ୧୫୦ ମେଢର ମୁର୍ତି ପାଇଁ ତାରକସୀର ଅଳଙ୍କାର ତିଆରି ହେଉଛି । କେବଳ ଦୁର୍ଗା ଓ ପାଶ୍ୱର୍ ଦେବତା ନୁହନ୍ତି, ହର ପାର୍ବତୀ, କୃଷ୍ଣ ଓ ହନୁମାନଙ୍କ ପାଇଁ ମଧ୍ୟ ରୁପା ତାରକସୀରେ ତିଆରି ଅଳଙ୍କାର କରାଯାଉଛି ।
କଟକ ହେରିଟେଜ ୱାକ ର ଆବାହକ ଦୀପକ ସାମନ୍ତରାୟ କୁହନ୍ତି, ୫୦୦ ବର୍ଷର କଟକର ଏହି ରୁପା ତାରକସୀ କାମ ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଥିବା ବେଳେ ପୂଜା ମଣ୍ଡପ ଗୁଡିକର ଚାନ୍ଦି ମେଢ କାମ ଏହି ଶିଳ୍ପକଳାକୁ ପୁଣି ଉଜ୍ଜିବୀତ କରୁଛି କହିଲେ ଭୁଲ ହେବ ନାହିଁ । ଏହି ଚାନ୍ଦି ମେଢ ଯୋଗୁଁ କାରିଗରଙ୍କୁ କାମ ମିଳିଛି ଏବଂ ବିଶ୍ୱକୁ ରୁପା ତାରକସୀ କାମ ଦେଖାଇବାର ସୁଯୋଗ ମିଳିଛି । କଟକ ବ୍ୟବସାୟିକ ସହର ହେତୁ ପୂଜା ମଣ୍ଡପ ଗୁଡିକ ଚାନ୍ଦି ମେଢ ଓ ଅଳଙ୍କାର ତିଆରିରେ ଭଲ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି । ଏବଂ ପ୍ରତିବର୍ଷ ପୂଜାମଣ୍ଡପ ଗୁଡିକ କିଛି ନୂଆ ଗଢୁଥିବାରୁ ଲୋକମାନଙ୍କର ଏହାକୁ ହେଖିବାକୁ ବେଶ ଭିଡ ଜମେ ।
କଟକ ତାରକସୀ କାମକୁ ୨୦୧୯ରେ ଜିଆଇ ଟ୍ୟାଗ ମିଳିଛି, ଏବଂ ପୂର୍ବ ତୁଳନାରେ ରୂପା ତାରକସୀରେ ତିଆରି ଅଳଙ୍କାର ଓ ଉପହାରକୁ ଏବେ ଆଦର ମିଳୁଛି । କିନ୍ତୁ ଏତିକି ଯଥେଷ୍ଟ ନୁହେଁ । ଉତ୍କଳ ସ୍ୱର୍ଣ ରୋପ୍ୟ ଶିଳ୍ପୀ ସଂଘର ସଂପାଦକ ଗିରୀଶ ଚନ୍ଦ୍ର ପୃଷ୍ଟି କୁହନ୍ତି, ପୁଜା କମିଟି ଗୁଡିକ ଚାନ୍ଦି ମେଢ କରିବା ପରେ କାରିଗରଙ୍କୁ ସିଧାସଳଖ କାମ ମିଳିବା ସାଙ୍ଗକୁ ମଜୁରୀ ମିଳିିଲା ଯେଉଁଥିରେ ସେମାନେ ସନ୍ତୁଷ୍ଟ ହେବେ । ବର୍ତମାନ ରୂପା ତାରକସୀ କାମ କରୁଥିବା କାରିଗର ମାନଙ୍କୁ ରୋଜଗାର ମିଳୁଛି ସତ ହେଲେ ସେମାନଙ୍କ ପରେ ତାଙ୍କ ପରପିଢି ଏହି କଳାକୁ ଆଗେଇନେବାକୁ ଆଗ୍ରହୀ ହେଉନାହାନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଟା ଉଦ୍ୟମ କରାଯାଇଛି – ଯେପରି ଖୁବଶୀଘ୍ର କଟକରେ କମନ ଫ୍ୟାସିଲିଟୀ ସେଂଟର ଆରମ୍ଭ ହେବାକୁ ଯାଉଛି । ଯେଉଁଠି ଆଗ୍ରହୀ ଯୁବପିଢିଙ୍କୁ ଟ୍ରେନିଂ ଦେବା ସହ କୁଶଳୀ କାରିଗରମାନଙ୍କ ହାର ତିଆରି ସାମଗ୍ରୀ ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ଏହା ଫଳରେ ନୂଆ ପିଢିର କଳାକାର ଏହାକୁ ଆଗେଇ ନେବାକୁ ଆଗ୍ରହୀ ହେବେ ।
ତେବେ ପ୍ରତିବର୍ଷ ଚାନ୍ଦି ମେଢ ହେଉଥିଲେ ସୁଦ୍ଧା ଏହାର ସୌନ୍ଦର୍ଯ୍ୟ ଏତେ ଆକର୍ଷଣୀୟ ଯେ କେବଳ କଟକ ସହର ନୁହେଁ ଓଡ଼ିଶାର ଅନେକ ସହରର ଲୋକେ ଚାନ୍ଦିମେଢ ଦେଖିବାକୁ ଆସନ୍ତି । କଟକ ଚାନ୍ଦି ମେଢର ଆକର୍ଷଣ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆକୃଷ୍ଟ କରୁଥିବାରୁ କିଛି ପୂଜା ମଣ୍ଡପ ରୂପା ତାରକସୀ ସାଙ୍ଗକୁ ସୁନାରେ ତାରକସୀ କାମ କରି ମାଙ୍କୁ ସଜାଉଛନ୍ତି । ତେବେ ଏହା ପଛର ଉଦ୍ଦେଶ୍ୟ ହେଉଛି ନିଜ ଅଂଚଳର କାରିଗରଙ୍କୁ କାମ ଦେବା, ରୋଜଗାର ଦେବା ଓ ସେମାନଙ୍କୁ ତାଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ଦେବା ।