ବେଙ୍ଗାଲୁରୁରେ ଶ୍ରମିକ କାମ କରୁଥିବା ଶୁଭମ ଏବେ ଡାକ୍ତରୀ ଛାତ୍ର

କିଛି ମାସ ତଳେ ଯେଉଁ ଖବର ଲୋକଙ୍କ ମନ ଜିଣି ନେଇଥିଲା ତାହା ହେଉଛି ବେଙ୍ଗାଲୁରୁର ଏକ କନଷ୍ଟ୍ରକସନ ସାଇଟରେ ଶ୍ରମିକ ଭାବେ କାମ କରୁଥିବା ୧୯ ବର୍ଷର ଶୁଭମ ଶବର ନିଟ ପାସ କରିବା ପରେ ଏବେ ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ନାମ ଲେଖାଇଛନ୍ତି । ଶୁଭମଙ୍କ ଏହି ଯାତ୍ରା ବିଷୟରେ ଜାଣିବା ପାଇଁ ଷ୍ଟୋରିଜ ଓଡ଼ିଶା ଯାଇ ପହଞ୍ଚି ଥିଲା ଶୁଭମଙ୍କ ଗାଁ ମୁଦୁଲିଡିହରେ ।

ଭୁବନେଶ୍ୱର : ବେଙ୍ଗାଲୁରୁର ଏକ କନଷ୍ଟ୍ରକସନ ସାଇଟରେ ଶ୍ରମିକ ଭାବେ କାମ କରୁଥିବା ୧୯ ବର୍ଷର ଶୁଭମ ଶବର ଆଉ କିଛି ଦିନ ପରେ ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ଆରମ୍ଭ କରିବେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଞ୍ଚାୟତର ମୁଦୁଲିଡିହ ଗାଁର ଶୁଭମ ଡାକ୍ତରୀ ପାଠ ପଢିବାରେ ସେ ହେବେ ତାଙ୍କ ପଂଚାୟତର ପ୍ରଥମ ଛାତ୍ର । ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ଶୁଭମଙ୍କ ଶ୍ରମିକରୁ ମେଡିକାଲ କଲେଜରେ ନାମ ଲେଖାଇବା ଯାଏଁ ଜୀବନ ଯାତ୍ରାର କାହାଣୀ କିନ୍ତୁ ଏତେ ସହଜ ନୁହେଁ । ତାଙ୍କ ଜୀବନ ସମସ୍ୟା ଓ ସଂଘର୍ଷ ବିଷୟରେ ଜାଣିବା ପାଇଁ ଆମେ ଯାଇ ପହଂଚିଥିଲୁ ତାଙ୍କ ଘରେ । ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଂଚାୟତରୁ ପ୍ରାୟ ୩ କିଲୋମିଟର ଗଲେ ପଡିବ ଶୁଭମଙ୍କ ଛୋଟିଆ ଗାଁ ମୁଦୁଲିଡିହ । ଏବେବି ପକ୍କା ରାସ୍ତାଟିଏ ନଥିବାରୁ ଶୁଭମଙ୍କ ଗାଁକୁ ଆମକୁ ୩ କିଲୋମିଟର ଚାଲି ଚାଲି ଯାଇ ତାଙ୍କ ଗାଁରେ ପହଞ୍ଚିବାକୁ ପଡିଲା । ବାଟରେ ଛୋଟିଆ ଜଙ୍ଗଲ ଓ ଦୁଇ କଡରେ ଚାଷଜମି । ପୁଣି ଦୂରରେ ଦେଖାଯାଉଥିଲା ପାହାଡ । ଶୁଭମଙ୍କ ଗାଁରେ ଘର ସଂଖ୍ୟା ୧୦ ରୁ ୧୫ ଥିବା ବେଳେ ଗାଁ ଶେଷ ମୁଣ୍ଡରେ ଥିବା ଚାଳଘରଟି ଥିଲା ଶୁଭମଙ୍କ ପରିବାରର ।

ଅଭାବ ଅନଟନରେ ପିଲା ବେଳ
ପରିବାର କହିଲେ ବାପା ମା ଓ ତାଙ୍କ ଦୁଇ ଭଉଣୀ । ବାପା ମା ଅନ୍ୟ ଚାଷଜମିରେ ମୂଲ ଲାଗି ଯାହା ଦି ପଇସା ରୋଜଗାର କରନ୍ତି ସେଥିରେ ତାଙ୍କର ଘର ଚଳେ । ଛୋଟ ବେଳୁ ଅଭାବ ଅନଟନ ଦେଖିଥିବା ଶୁଭମ ଅନୁଭବ କରିଥିଲେ ଯେ ଭଲ ପାଠ ପଢିଲେ ହିଁ ସେ ତାଙ୍କ ପରିବାରକୁ ଅଭାବରୁ ବାହାର କରିପାରିବେ ଓ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିପାରିବେ । ଶୁଭମ ଭଲ ପାଠ ପଢୁଥିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ନୀଳାଦ୍ରୀ ପ୍ରସାଦ ଆଶ୍ରମ ସ୍କୁଲରେ ନାମ ଲେଖାଇଲେ । ଶୁଭମ କୁହନ୍ତି, ଛୋଟ ବେଳୁ ତାଙ୍କୁ ଓ ତାଙ୍କ ଭଉଣୀମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଖାତା ପେନ ଠାରୁ ଆରମ୍ଭ କରି ଡ୍ରେସ ପିନ୍ଧିବା ଏ ବିଷୟରେ ବାପାମାଙ୍କୁ କହିବା ପୂର୍ବରୁ ତାଙ୍କୁ ଅନେକଥର ଭାବିବାକୁ ପଡୁଥିଲା । ଅଳ୍ପ ରୋଜଗାରରେ ସେମାନେ ତାଙ୍କ ଚାହିଦା ଗୁଡିକୁ କିପରି ପୂରଣ କରିବେ ସେକଥା ଭାବି ସେମାନେ ଆବଶ୍ୟକ ଥିଲେ ମଧ୍ୟ କହୁନଥିଲେ ।

ତେବେ ବୋଲଗଡ ହାଇସ୍କୁଲରେ ପଢିବା ସମୟରେ ତାଙ୍କୁ ଜଣେ ସାର ତାଙ୍କର ପାଠ ପ୍ରତି ଆଗ୍ରହ ଦେଖି କହିଲେ ଯଦି ଭବିଷ୍ୟତ ଗଢିବାକୁ ଚାହୁଛ ତେବେ ବାହାରକୁ ଯାଇ ପାଠ ପଢ । ତାପରେ ଦଶମ ପରେ ସେ ଭୁବନେଶ୍ୱର ଆସି ବିଜେବି କଲେଜରେ ନାମ ଲେଖାଇଲେ । ଦଶମରେ ୮୫ ପ୍ରତିଶତ ନମ୍ବର ଥିବାରୁ ବିଜେବି କଲେଜରେ ସାଇନ୍ସରେ ସହଜରେ ତାଙ୍କର ଆଡମିଶନ ହୋଇଗଲା । ଭୁବନେଶ୍ୱରରେ ରାସ୍ତାରେ ଗଲାବେଳେ ଅନେକ ସମୟରେ କାନ୍ଥରେ ଲାଗିଥିବା ଜେଇଇ, ଜେଇଇ (ଆଡଭାନସ), ନିଟ, ଓପିଏସସି ଆଦି ପୋଷ୍ଟର ଉପରେ ଆଖି ପଡିବା ବେଳେ ସେ ଭାବୁଥିଲେ ଏଇ ପରୀକ୍ଷା ଗୁଡିକୁ ଦେବାପାଇଁ ତାଙ୍କର ବୋଧେ ଯୋଗ୍ୟତା ନାହିଁ । ଶୁଭମ କୁହନ୍ତି, ସେତେବେଳେ ମୁଁ ରହୁଥିବା ଆମ୍ବେଦକର ହଷ୍ଟେଲକୁ ଜଣେ ସାର ଆସି ଏସବୁ ବିଷୟରେ ବୁଝାଇଥିଲେ ଆଉ ତାପରେ ମୋତେ ଲାଗିଲା ନିଟ ପରୀକ୍ଷା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିବି । କାରଣ ପଇସା ନଥିଲେ ମଧ୍ୟ ନିଟ ପାସ କଲେ ପାଠ ପଢିବା ପାଇଁ ଆଗକୁ ସ୍କଲାରସିପ ମିଳିବ । ମୁଁ ପ୍ଲସ ଟୁ ପରୀକ୍ଷା ସରିବା ପରେ ସାରଙ୍କୁ ଏ ବିଷୟରେ ଜଣାଇଲି ସାର ମୋତେ କହିଲେ ଯଦି ଇଚ୍ଛା ଅଛି ସଙ୍ଗେ ସଙ୍ଗେ ବ୍ରହ୍ମପୁର ଚାଲିଆସ ।

ସ୍ୱପ୍ନ ସାକାର କଲା ନିଟ
ବ୍ରହ୍ମପୁରରେ ରହି ନିୟମିତ ନିଟ ପାଇଁ କୋଚିଂ ନେଇ ପାଠ ପଢିଲେ । ପରେ ପରୀକ୍ଷା ମଧ୍ୟ ଦେଲେ । କିନ୍ତୁ ସାରଙ୍କ ପାଖରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀ ତାଙ୍କୁ କୋଚିଂ ପାଇଁ ଫିସ ହେଇଥିଲେ ବି ଶୁଭମ ଅର୍ଥ ଅଭାବ ଯୋଗୁଁ କିଛି ଦେଇପାରୁନଥିଲେ । ଶୁଭମ କୁହନ୍ତି, ସାରଙ୍କୁ ମୁଁ କୋଚିଂର ଫିସ ହେବାକୁ ଚାହୁଁ ଥିଲି ଆଉ ଭାବୁଥିଲି ଯଦି ମୁଁ ନିଟ ପାସ କରିଯାଏ ତେବେ ଆଡମିଶନ କରିବା ପାଇଁ ଟଙ୍କା କୋଉଠୁଁ ଆଣିବି । ସେଥିପାଇଁ ମୁଁ ନିଷ୍ପତି ନେଲି ବେଙ୍ଗାଲୁରୁ ଯାଇ ଲେବର ଭାବେ କାମ କରିବି । ପ୍ରଥମେ ମୋ ବାପା କେହି ରାଜି ନଥିଲେ କିନ୍ତୁ ଜିଦ କରି ବାହାରକୁ ଗଲି । ସେଠି ଗୋଟେ କନଷ୍ଟ୍ରକସନ କମ୍ପାନୀରେ ତିନି ମାସ କାମ କରିବା ପରେ ଦିନେ ମୋ ସାରଙ୍କ ଫୋନ ଆସିଲା । ସାର କହିଲେ ମୁଁ ନିଟ ପାସ କରିଛି ।
ସାରଙ୍କ ଫୋନ ପାଇବା ପରେ ଶୁଭମଙ୍କ ଖୁସି କହିଲେ ନସରେ । ସେ ପ୍ରଥମେ ଏହିଷୟରେ ବାପା ମାଙ୍କୁ ଜଣାଇଥିଲେ । ଶୁଭମ କୁହନ୍ତି, ଲେବର କାମ ବହୁତ କଷ୍ଟ । ସିମେଂଟ ବାଲି, ଇଟା ବୋହିବା କାମ ବହୁତ କଷ୍ଟ ଲାଗେ । ଆଗରୁ ସେ ଏ କାମ କରିନଥିବାରୁ ତାଙ୍କୁ ବହୁତ କଷ୍ଟ ହେଉଥିଲା । କିନ୍ତୁ ନିଟ ପାସ କରିବା ଖବର ଶୁଣିବା ପରେ ସବୁ କାମ ତାଙ୍କୁ ବହୁତ ହାଲୁକା ଓ ସହଜ ଲାଗିଲା ବୋଲି କହିଛନ୍ତି । ବାଙ୍ଗାଲୋରରେ କାମ କରିବା ବେଳେ ସେ ୨୫ ହଜାର ଟଙ୍କା ସଂଚୟ କରିପାରିଥିଲେ । ସେହି ଟଙ୍କାରୁ କିଛି କୋଚିଂ ଫିସ ଦେବା ପରେ ଆଉ କିଛି ଟଙ୍କା ଯୋଗାଡକରି ସେ ବ୍ରହ୍ମପୁର ମେଡିକାଲ କଲେଜରେ ଆଡମିଶନ କଲେ । ଆଉ କିଛି ମାସ ପରେ ତାଙ୍କର କ୍ଲାସ ଆରମ୍ଭ ହୋଇଯିବ । ଆଗକୁ ସେ କାର୍ଡିଓଲୋଜିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଶୁଭମ ମେଡିକାଲ ପାଇବା ପରେ ତାଙ୍କ ପରିବାର, ସଂପର୍କୀୟ ଓ ଗାଁ ଲୋକେ ବେଶ ଖୁସି । ଶୁଭମ କୁହନ୍ତି, ତାଙ୍କ ଗାଁରେ କାହାର ଦେହ ଖରାପ ହେଲେ ସେମାନେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ଦିଶାରୀ ପାଖକୁ ଯାଇ ଗୁଣିଗାରେଡିରେ ଭଲ ହେବାକୁ ଚେଷ୍ଟା କରନ୍ତି । କାରଣ ସରକାରୀ ହସପିଟାଲ ଗଲେ ଭଲ ହୋଇ ଘରକୁ ଫେରିବା ଗ୍ୟାରେଂଟି ଖୁବ କମ । ଆଉ ପ୍ରାଭେଟ ହସପିଟାଲ ଯାଇ ଡାକ୍ତର ଦେଖାଇବାକୁ ସେମାନଙ୍କର ସମ୍ବଳ ନାହିଁ । ତେବେ ସେ ଡାକ୍ତର ହେଲେ ତାଙ୍କ କମ୍ୟୁନିଟିର ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।


ଶୁଭମ ଘରକୁ ଫେରିବା ପରେ ତାଙ୍କ ସ୍ଥାନରେ ତାଙ୍କ ବାପା ଲେବର ଭାବେ କାମ କରିବାକୁ ଯାଇଛନ୍ତି । ଶୁଭମଙ୍କ ମା ରଙ୍ଗି ଶବର ତାଙ୍କ ପୁଅଙ୍କ ସଫଳତାରେ ଖୁସି ହେବା ସହ ଶୁଭମଙ୍କ ପାଠପଢାରେ ସହଯୋଗ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରତିବର୍ଷ ଓଡ଼ିଶାରୁ ଅନେକ ଯୁବକ ଯୁବତୀ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଆନ୍ତି । ସେମାନେ ବିଭିନ୍ନ ପ୍ରକାରର ଶୋଷଣର ଶିକାର ମଧ୍ୟ ହୁଅନ୍ତି, ତେବେ ଶୁଭମଙ୍କ କଥା ଅନେକ ପିଲାଙ୍କୁ ଆଗକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।

Leave a Reply

Your email address will not be published. Required fields are marked *