ଗତ କିଛି ଦିନ ଧରି ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଅଜଣା ରୋଗ ଏବେ ଚିହ୍ନଟ ହୋଇଛି । ମଦ ଓ ଦୂଷିତ ପାଣି ପିଇବା ଯୋଗୁଁ ଲୋକମାନଙ୍କର କିଡନୀ ଓ ଯକୃତ ଖରାପ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଗତ ୧୫-୨୦ ଦିନ ମଧ୍ୟରେ ଏହି ରୋଗରେ ଜଣେ ନାବାଳକକୁ ମିଶାଇ ପ୍ରାୟ ୧୦ ଜଣ ମୃତ୍ୟୁ ବରଣ କରିସାରିଲେଣି ଓ ଅନେକେ ଏବେବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ପୁଷ୍ଟିକର ଖାଦ୍ୟ ଓ ସଫା ପାଣିର ଅଭାବ ସାଙ୍ଗକୁ ନିୟମିତ ମଦ ପିଇବା ସେମାନଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । ଗାଁରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରିବା ସାଙ୍ଗକୁ ମଦ ବିକ୍ରୀ ଉପରେ ରୋକ ଲଗାଇବାକୁ ଗାଁଲୋକେ ଦାବି କରିଛନ୍ତି ।
ଭୁବନେଶ୍ୱର ;
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ହଳଦୀକୁଣ୍ଡଗାଁରେ ଦୁଇ ଦିନ ତଳେ ଜଣେ ୧୨ ବର୍ଷର ନାବାଳକର ମୃତ୍ୟୁ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ଅଜଣା ରୋଗ ବୋଲି କହୁଥିବା ସ୍ୱାସ୍ଥ୍ୟ ବିଭାଗ ଏବେ ମୃତ୍ୟୁର କାରଣକୁ ନେଇ ସ୍ପଷ୍ଟ କରିଛି । ମଦ ଓ ଦୂଷିତ ପାଣି ପିଇବା ଯୋଗୁଁ ଲୋକମାନଙ୍କ କିଡନୀ ଓ ଯକୃତ ଖରାପ ହୋଇ ମୃତ୍ୟୁ ହୋଇଥିବା କହିଛି । ଗତ ୨୦ଦିନ ମଧ୍ୟରେ ୧୨ରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସରକାରୀ ହିସାବ ଏହାକୁ ୧୦ ଜଣ ବୋଲି କହୁଥିଲା । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ରିପୋର୍ଟରେ ଏହି ମୃତ୍ୟୁର କାରଣ ଦେଶୀ ମଦ ଓ ଗୋ ମାଂସ ଖାଇବା ଯୋଗୁଁ ହୋଇଥିବା କୁହାଯାଇଥିଲା ବେଳେ, ନାବାଳକର ମୃତ୍ୟୁ ପରେ ରକ୍ତ, ପାଣି ଓ ଗାଁରେ ବିକ୍ରି ହେଉଥିବା ମଦର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା । ଏବେ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଏବଂ ଅସୁସ୍ଥ ଲୋକଙ୍କୁ ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଛି ।
ଘଟଣା ଘଟିବା ପରଠାରୁ ଏହି ଲେଖିକା ହଳଦୀକୁଣ୍ଡ ଓ ଖଣ୍ଡିକିଗୁଡା ଆଦି ଗାଁକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଗାଁ ଲୋକେ କହଥିଲେ ଯେ, ରୋଗରେ ପୀଡିତ ହେଉଥିବା ଲୋକଙ୍କ ହାତ, ପାଦ ଓ ମୁହଁ ହଠାତ୍ ଫୁଲିବାରେ ଲାଗୁଛି ଏହା ପରେ ଜ୍ୱର ହେଉଛି ରୋଗୀ ଦୁର୍ବଳ ହୋଇ ଶଯ୍ୟାଶାୟୀ ହୋଇଯାଉଛି ଏବଂ ଶେଷରେ ମୃତ୍ୟୁ ବରଣ କରୁଛି । ଏତେ କମ ସମୟ ମଧ୍ୟରେ ଏସବୁ ଘଟୁଛି ଯେ ଲୋକେ ଏହାର କାରଣ ଖୋଜିପାରୁନାହାନ୍ତି ।
ଗାଁ ର ଜଣେ ଲୋକ କହିଥିଲେ ଯେ, ଗତ ୫ ଦିନ ହେବ ଡାକ୍ତରୀଟିମ ଏଠାକୁ ଆସି କେବଳ ରକ୍ତନମୁନା ସଂଗ୍ରହ କରି ନେଇଯାଉଥିଲେ ହେଲେ ଆମକୁ କିଛି ତଥ୍ୟ ଦେଉନଥିଲେ । ଫଳରେ ରୋଗର କାରଣ ଏବଂ ନିରାକରଣ ବିଷୟରେ ସେମାନେ କିଛି ଜାଣିପାରୁନଥିବା ଅଭିଯୋଗ କରିଥିଲେ । ନାବାଳକର ମୃତ୍ୟୁ ହେବା ପରେ ଆମେ ଶବ ରଖି ରାସ୍ତା ଅବରୋଧ କରିବା ସହ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ଦାବି କଲୁ । କାରଣ ଯଦି ଏଭଳି ଲାଗିରହେ ଆମର ଜନଶୂନ୍ୟ ହେବାକୁ ବେଶି ସମୟ ଲାଗିବ ନାହିଁ । ସ୍ୱାସ୍ଥ୍ୟ ବିଭାଗ କେବଳ ରକ୍ତନମୁନା ସଂଗ୍ରହ କରି ଚାଲିଯାଉଛି ପ୍ରକୃତ କାରଣ ବର୍ତମାନ ଯାଏଁ ସ୍ପଷ୍ଟ କରୁନାହାନ୍ତି । ଆଶା ଓ ଅଙ୍ଗନଓାଡିଙ୍କ ହାତରେ ଆମର ଏହି ଆଦିବାସୀଙ୍କ ଜୀବନକୁ ଛାଡିଦେଇଯାଉଛନ୍ତି ।
ରିପୋର୍ଟ କଣ କହୁଛି
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦଙ୍କ ସମେତ ଦୁଇଜଣ ବିଶେଷଜ୍ଞ ଡାକ୍ତରୀ ଦଳ ହଳଦୀକୁଣ୍ଡ ଗାଁ ଗସ୍ତ କରିଥିଲେ । ପରିସ୍ଥିତି ଅନୁଧ୍ୟାନ କରିବା ପରେ ଅସୁସ୍ଥ ହୋଇ ଗାଁରେ ରହିଥିବା ୫ ଜଣଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଗାଁ ଲୋକେ ନିୟମିତ ଦୂଷିତ ପାଣି ପିଇବା ଯୋଗୁଁ କିଡନୀ ଓ ଯକୃତ ଉପରେ ଏହାର ପ୍ରଭାବ ପଡୁଛି । ଶରୀରର ଗୁରୁତ୍ୱପୂର୍ଣ ଅଂଗ ଖରାପ ହୋଇ ରହିଥିବା ବେଳେ ନିୟମିତ ମଦ ପିଇବା ସେମାନଙ୍କ ପାଇଁ ଘାତକ ସାଜିଲା । ସେହିପରି ପୁଷ୍ଟିକର ଖାଦ୍ୟର ଅଭାବ ଏ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଡାକ୍ତର ନନ୍ଦ କହିଥିଲେ ଯେ, ଅଳ୍ପ ଆହାର ସାଙ୍ଗକୁ ଅଧିକ ମଦ ପିଇବା ସେମାନଙ୍କ ଶରୀର ଉପରେ କୁପ୍ରଭାବ ପକାଉଛି । ଏବେ କାରଣ ଜଣାପଡିଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ ।
ଗାଁ ଲୋକଙ୍କ ସମସ୍ୟା
ଯଦିଓ ଗାଁରେ ଟ୍ୟୁବେଓଲ ଅଛି କିନ୍ତୁ ଅନେକ ସମୟରେ ସେମାନେ ଗାଈ ଚରାଇବାକୁ ଯାଇଥିବା ସମୟରେ ବା ପାହାଡ ଉପରକୁ ଯାଇଥିବା ସମୟରେ ଚୁଆରୁ ଦୁଷିତ ପାଣି ପିଇଥାଆନ୍ତି । ତେବେ ଏଭଳି ଅଜଣା ରୋଗରେ ହାଠାତ୍ ମୃତ୍ୟୁ ବରଣକରିବା ଗାଁରେ ପ୍ରଥମ ବୋଲି ସେମାନେ କହିଛନ୍ତି । ଅନ୍ୟ ପକ୍ଷରେ, ଅଜଣା ରୋଗର ଭୟ ଓ ଆତଙ୍କ ଗାଁ ରେ ଖେଳିଯାଇଥିବାରୁ ସେମାନଙ୍କ ଅସହାୟତାର ସୁଯୋଗ ନେଇ ଭଲକରିଦେବ କହି ନକଲି କ୍ୱାକ୍ ଲୁଟିବାରେ ଲାଗିଥିଲେ । ନରେନ୍ଦ୍ର ମାଦ୍ରୀ ନାମକ ଜଣେ କ୍ୱାକ୍କୁ ଗିରଫକରି ପୁଲିସ କୋର୍ଟ ଫରଓାର୍ଡ କରିଛି । ସଚେତନତାର ଅଭାବ ଯୋଗୁଁ କିଛି ଲୋକେ ଦିଶାରୀ ପାଖକୁ ଯାଇ ରୋଗୀର ଝଡାଫୁଙ୍କା କରି ସୁସ୍ଥ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଇଥିଲା । ତେବେ ଏବେ ସମସ୍ୟାର କାରଣ ଜଣାପଡିବାରୁ ଜିଲ୍ଲା ପ୍ରଶାସନ ଏ ଅଂଚଳରେ ବିଶୁଦ୍ଧପାଣି ଯୋଗାଇବାକୁ ଲୋକେ ଦାବୀ କରିଛନ୍ତି । ତେବେ ଗାଁରେ ଖୋଲାଖୋଲିଭାବେ ଚାଲିଥିବା ମଦ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବାରୁ ମଦ ବିକ୍ରୀକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବୀ କରିଛନ୍ତି । ଆସନ୍ତା ସପ୍ତାହେ ଯାଏଁ ଡାକ୍ତରୀ ଟିମ ଗାଁରେ ରହିବ । ରୋଗ ଚିହ୍ନଟ ହୋଇ ସାରିଥିବାରୁ ସେହି ଅନୁସାରେ ଚିକିତ୍ସା କରାଯିବ ଓ ଆଗକୁ ଯେମିତି ଏଭଳି ପରିସ୍ଥିତି ନ ଉପୁଜେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ନନ୍ଦ କହିଥିଲେ ।