ନିଷ୍ପେସିତ ଓ ନିର୍ଯାତିତଙ୍କ ସ୍ୱର ସାଜିଛନ୍ତି ଧରିତ୍ରୀ

ଦିନେ ସମାଜସେବା ପାଇଁ ଘରୁ ଗୋଡ କାଢିଥିବା ଧରିତ୍ରୀ ଏବଂ ସରପଞ୍ଚ ଭାବେ ପରିଚିତ । ଅନ୍ୟ ସାଧାରଣ ସରପଞ୍ଚଙ୍କ ଭଳି ନୁହେଁ ବରଂ ସେ ପାଲଟିଛନ୍ତି ନଷ୍ପେସିତ ଓ ନିର୍ଯାତିତଙ୍କ ଦୃଢ ସ୍ୱର । ୪୫ ବର୍ଷୀୟା ଧରିତ୍ରୀଙ୍କ ସମାଜସେବାରୁ ସରପଞ୍ଚ ହେବା ଯାତ୍ରା କିନ୍ତୁ ଏତେ ସହଜ ନ ଥିଲା । ନିଜ ଭିତରେ ଲୋକଙ୍କ ପାଇଁ କାମ କରିବା ଝୁଙ୍କ ଏତେ ଥିଲା ଯେ ତିନି ତିନିଥର ସରକାରୀ ଚାକିରୀକୁ ବି ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଅନେକ ସମୟରେ ବହୁ ବାରଣର ସମ୍ମୁଖୀନ ହେଇଥିବା ଧରିତ୍ରୀ କରୋନା ସମୟରେ ଅବାଧରେ କରୋନା ଆକ୍ରାନ୍ତଙ୍କ ସେବା କରିଛନ୍ତି । କରୋନା ଯୋଦ୍ଧା ଭାବେ ଗାଁ ଗାଁ ବୁଲି ସେବା ପାଇଁ ସେ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

          

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ପଂଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକ । ପିଲାବେଳୁ ଲକ୍ଷ୍ୟ ରଖିଥିଲେ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ତିନି ତିନି ଥର ସରକାରୀ ଚାକିରି ବି ପାଇଛନ୍ତି । କିନ୍ତୁ ସମାଜସେବା କରିବାର ମୋହ ଆଗରେ ଏସବୁ ତାଙ୍କୁ ଏତେଟା ଆକର୍ଷିତ କରିପାରିନି । ଗତ ୨୩ ବର୍ଷ ହେଲା ସେ ଲୋକମାନଙ୍କ ସେବା କରିଆସୁଛନ୍ତି ।


ଧରିତ୍ରୀ କୁହନ୍ତି, ‘ପୂର୍ବରୁ ସରପଞ୍ଚମାନଙ୍କୁ ସମାଜରେ ଠିକାଦାର ବୋଲି କୁହାଯାଉଥିଲା । କିନ୍ତୁ ଏହି କଥାକୁ ମୁଁ ଭୁଲ ପ୍ରମାଣିତ କରିଛି । ଜଣେ ସରପଞ୍ଚ କଣ କରିପାରେ ଏବଂ କେମିତି ହେବା ଦରକାର ଓ ତାର ଦାୟିତ୍ୱ କଣ ତାହା ମୁଁ କାର୍ଯ୍ୟରେ କରି ଦେଖାଇଛି । ଯେବେଠୁ ସମାଜ ପାଇଁ କାମ କରୁଛି ସେବେଠୁ ଦଳିତ, ନିଷ୍ପେସିତ, ନିର୍ଯାତିତ, ଅସ୍ପୃଶ୍ୟ, ଅସହାୟ, ନିରାଶ୍ରୟ ଓ ଅନାଥଙ୍କ ପାଇଁ ଲଢ଼ି ଚାଲିଛି ।’’

ପଛୁଆ ଜାତିର ଥିଲେ ବୋଲି ବହୁବାର ଲୋକଙ୍କ ବିରୋଧର ସମ୍ମୁଖୀନ ହେଉଥିଲେ । କିନ୍ତୁ କରୋନା ସମୟରେ ସବୁ କିଛି ବଦଳିଗଲା । ଯେଉଁମାନେ ଦିନେ ବିରୋଧ କରୁଥିଲେ ସେମାନେ ହିଁ କରୋନା ସମୟରେ ସମାଜରେ ଲୋକଙ୍କ ସେବା କରିବାର ସୁଯୋଗ ଦେଲେ । ଧରିତ୍ରୀ କୁହନ୍ତି ସେଦିନଠୁ ମୁଁ ସଂକଳ୍ପ ନେଲି ବଂଚିଥିବା ଯାଏ ମା, ମାଟିର କାମ କରିବି ।

ଏକ ମଧ୍ୟବିତ୍ତ ଏବଂ ସଂଗ୍ରାମୀ ପରିବାରରେ ଜନ୍ମିତ ଧରିତ୍ରୀ ବହୁତ ଦୃଢ଼ ମନା । ବହୁ ଘାତ ପ୍ରତିଘାତ ସତ୍ତ୍ୱେ ସେ କେବେ ବିଚଳିତ କି ଭାଙ୍ଗି ନାହାନ୍ତି ବରଂ ସେଥିରୁ ସମ୍ବଳ ସାଉଁଟି ଅଧିକ ଶକ୍ତିଶାଳୀ ହୋଇଛନ୍ତି । ସେ ଯେତେବେଳେ ସମାଜସେବା ନେଇ ସ୍ବପ୍ନ ଦେଖିବା ଆରମ୍ଭ କରନ୍ତି ସେତେବେଳେ ତାଙ୍କ ପାଇଁ ଏ ରାସ୍ତା ଏତେ ସହଜ ହୋଇନି । ତଥାପି ପୁରୁଷ ପ୍ରାଧାନ୍ୟ ସମାଜରେ ସେ ଅଣ୍ଟା ଭିଡିଛନ୍ତି, ଆଗକୁ ବଢିଛନ୍ତି ଏବଂ ଦୃଢତାର ସହ ଛିଡ଼ା ହୋଇଛନ୍ତି । ତାଙ୍କର ଅଟଳ ନିଷ୍ପତ୍ତି, କେହି ଅବହେଳିତ ରହିବେନି । ସମସ୍ତେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ । ସଭିଏଁ ପଢ଼ିବେ, ଗଢ଼ିବେ ଏବଂ ଆଗକୁ ବଢ଼ିବେ ।

ଏହି ଭିଜନ ଆଗରୁ ବଢୁଥିବା ଧରିତ୍ରୀ ଆରମ୍ଭ କରନ୍ତି ତାଙ୍କ ମିଶନ । ସମାଜର ଉନ୍ନତିମୂଳକ ଛୋଟ ଛୋଟ ସେବାରୁ ତାଙ୍କର ଏ ଯାତ୍ରାର ଅୟମାରମ୍ଭ ହୁଏ । ପ୍ରତିଟି କ୍ଷେତ୍ରରେ ଦକ୍ଷତାର ସହ ପରିବା ପଣିଆକୁ ଜାହିର କରିଛନ୍ତି । ସମାଜସେବାରୁ ସଫଳ ସରପଞ୍ଚ ଭାବରେ ନାଁ କରିଛନ୍ତି । ଯାହା ସମାଜ ପାଇଁ ଏକ ବିରାଟ ଉଦାହରଣ ।

ଧରିତ୍ରୀଙ୍କ ବାପା ଇନ୍ଦ୍ରମଣି ମଲ୍ଲିକ ପେସାରେ ଥିଲେ ଶିକ୍ଷକ କିନ୍ତୁ ନିଶା ଥିଲା ସମାଜସେବା । ତାଙ୍କଠାରୁ ପ୍ରେରିତ ହୋଇ ପିଲାବେଳୁ ପରିବେଶ, ରାସ୍ତାଘାଟ ସଫା କରିବା, ବୃକ୍ଷରୋପଣ ଭଳି କିଛି କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ ଧରିତ୍ରୀ । ୪ ଜଣ ଭାଇ ଭଉଣୀରେ ସେ ଥିଲେ ବଡ଼ ଏବଂ ପ୍ରଥମ । ପାଠରେ କୌଣସି ଅସୁବିଧା ନଥିଲା । ଆଇନର ପାଠ ପଢି ଉଚ୍ଚଶିକ୍ଷିତ ହେବା ସହ ଚାକିରି ପଛରେ ନଗୋଡ଼ାଇ ଅନ୍ୟମାନଙ୍କୁ ଶିକ୍ଷା ଦେଇ ସମସ୍ତଙ୍କୁ ସାକ୍ଷର କରିବାର ରାସ୍ତା ବାଛିଥିଲେ । ପରେ ଓଏସ ହେବା ପାଇଁ ପ୍ରସ୍ତୁତି କରୁଥିଲେ । ୟୁପିଏସସି ପରୀକ୍ଷା ବି ଦେଉଥିଲେ । ଏପରିକି ୩ଥର ସରକାରୀ ଚାକିରି ବି ପାଇଛନ୍ତି କିନ୍ତୁ ସେସବୁର ମୋହ ତାଙ୍କୁ ବାନ୍ଧିପାରିନି । ଶେଷରେ ସେ ସମାଜସେବାର ଉତ୍କୃଷ୍ଟ ମାର୍ଗ ରାଜନୀତିକୁ ବାଛିଛନ୍ତି । ୨୦୧୭ ରେ ଏହି ଯାତ୍ରାର ଯାତ୍ରୀ ସାଜି ରାଜନୀତିରେ ବେଶ ପୋଖତ ନହେଲେ ବି ସକ୍ରିୟ ରହିଛନ୍ତି ।
ସରକାର କିଏ ରହିଲା ତାଙ୍କର ଫରକ ନାହିଁ । ତାଙ୍କର କାମ ହେବା ଦରକାର ଏବଂ ଲୋକ ନ୍ୟାୟ ପାଇବା ଦରକାର । ସେଥିପାଇଁ ତ ସେ ଏବେବି ନିଜ ଅଞ୍ଚଳରେ ରାତି ପାହିଲେ କେଉଁଠି ନା କେଉଁଠି ନ୍ୟାୟ ପାଇଁ ଲୋକଙ୍କ ସହିତ ମିଶି ଆନ୍ଦୋଳନ କରୁଛନ୍ତି ଏବଂ ନ୍ୟାୟିକ ଲଢେଇ ଲଢୁଛନ୍ତି । କେତେବେଳେ ବଡ଼ ବଡ଼ କମ୍ପାନୀଙ୍କ ବିରୋଧରେ ତ କେତେବେଳେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ପାଇଁ । ପୁଣି କେତେବେଳେ ଖଣି, ପାଣି ଏବଂ ପରିବେଶ ପାଇଁ । ସେ ଭିତରେ ୫ ପରିବାରର ଦୁଃଖ ବୁଝୁଛନ୍ତି । କାହାର ରେସନ କାର୍ଡ ନାହିଁ, ସ୍ୱାସ୍ଥ୍ୟ ବୀମା ନାହିଁ, ପାଠ ପଢିବାକୁ ବାହାରକୁ ଯାଇପାରୁନି ଏବଂ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ ସବୁ କଥା ସେ ବୁଝୁଛନ୍ତି । ସବୁଠୁ ବଡ଼ କଥା ହେଲା ଅନ୍ୟର ଖୁସିରେ ସେ ଖୁସି । ବିନି, ମିନି ଏବଂ ରାଣୀ ପରି କେତେ ନିର୍ଯାତିତଙ୍କ ମାସେ । ତାଙ୍କ ସହ ଜଡିତ ପ୍ରତିଟି ମଣିଷ ପଛରେ ଏକ କାହାଣୀ ରହିଛି ।


ଧରିତ୍ରୀଙ୍କ ଭାଇ ଏବଂ ମା’ ବହୁତ ସହଯୋଗ କରିଛନ୍ତି । ବାପାଙ୍କ ପରଲୋକ ପରେ ସମାଜସେବା ପାଇଁ ଧରିତ୍ରୀଙ୍କ ମା’ ପେନସନ ଟଙ୍କା ଦେଇଥିବା ସେ କୁହନ୍ତି । କାମ ଆରମ୍ଭ ସମୟରେ ପ୍ରଥମେ ଧରିତ୍ରୀ ଦେଖିଲେ ସ୍ଥାନୀୟ ଅଂଚଳର ପିଲାମାନେ ସ୍କୁଲ ଯାଉନାହାନ୍ତି । ଅଧାରୁ ରହିଯାଉଛନ୍ତି । ତେଣୁ ପିଲାଙ୍କୁ ସ୍କୁଲ ପଠେଇବା ତାଙ୍କର ପ୍ରଥମ କାମ ହେଲା ।ସେଥିପାଇଁ ଭାଇ ସମଲେଶ୍ଵରୀ ପ୍ରସାଦ ଙ୍କ ସହ ମିଶି ୨୦୦୨ ମସିହାରୁ ସେ କାମ କରିଆସୁଛନ୍ତି । ପ୍ରଥମେ ୫ ଟି ଗାଁ ତେନ୍ତୁଳିଆ ପଡା, ସୁଧା ଡିହ କାଟେଣୀ, ରସା ସିଂହ, ପଶା ସିଂହ, ବଉଳପୁର, ସାନ ବଉଳପୁର, ଟୁଭିନାଳିର ହରିଜନ ବସ୍ତିରେ ପହଂଚି ପିଲାଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରି ସ୍କୁଲ ଯିବାକୁ ଉତ୍ସାହିତ କଲେ । ସବୁ ଗାଁରେ ତମ୍ବୁ ଟାଣି, ସିଲଟ ଖଡ଼ି ଦେଇ ୨ ଘଣ୍ଟା ଲେଖାଏଁ ପାଠ ବି ପଢେଇଲେ । ୬ ମାସ ପରେ ପିଲା ବଢିଲେ ଏବଂ ସ୍କୁଲ ମୁହାଁ ହେଲେ । ଏହି କାମରେ ସେ କଲେଜ ପିଲାଙ୍କୁ ଲଗାଇଲେ । ଏ କଥା ଲୋକମାନଙ୍କ ଭିତରେ ପ୍ରଭାବ ପକାଇଲେ । ଆଉ ସେହି ଲୋକମାନେ ତାଙ୍କୁ ରାଜନୀତିକୁ ଆସିବାକୁ ବାଧ୍ୟ କଲେ ।୨୦୧୭ରେ ଧରିତ୍ରୀ ସମିତି ସଭ୍ୟ ଭାବେ ଜିତିକି ଆସିଲେ । ଏତେ ଭଲ କାମ କଲା ଯେ ପୁଣି ଲୋକଙ୍କ ଅନୁରାଧ କ୍ରମେ ୨୦୨୨ରେ ଜିତି ସରପଞ୍ଚ ହେଲେ । ଏବେ ସରପଞ୍ଚ ହେବା ପରେ ଲୋକଙ୍କ ପାଇଁ ତାଙ୍କର କାର୍ଯ୍ୟ ଜାରି ରହିଛି ।

ଧରିତ୍ରୀ ଜଣେ ଉଚ୍ଚଶିକ୍ଷିତା । ଆଇନର ପାଠ ପଢ଼ିଛନ୍ତି । ବର୍ତ୍ତମାନ ମହିଳା ଓ ଶିଶୁ ଏବଂ ପରିବେଶ ସଂକ୍ରାନ୍ତୀୟ ବିଷୟ ଉପରେ ସ୍ୱତନ୍ତ୍ର ଭାବେ ଓକିଲାତି ଅଭ୍ୟାସ କରୁଛନ୍ତି । ଆଗକୁ ସେ ଏହା ଉପରେ ହିଁ କାର୍ଯ୍ୟ  କରିବା ସହ ସମାଜସେବାରେ ବ୍ରତୀ ରହିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *