ନିଜର ଓ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥବା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଘରୁ ତଡିଦେଇଥିବା ଘଟଣା ଆଲୋଡନ ସୃଷ୍ଟି କରିଛି । ଏବେ ମଧ୍ୟ ସମାଜରେ ମହିଳାଙ୍କୁ କୌଣସି ନିଷ୍ପତି ନେବାକୁ ହେଲେ ଘରର ପୁରୁଷଙ୍କ ଅନୁମତି ନେବାକୁ ପଡିଥାଏ । ଏପରିକି ନିଜ ଶରୀର ଓ ସ୍ୱାସ୍ଥ୍ୟ ବିଷୟରେ ନିଷ୍ପତି ନେବାର ଅଧିକାର ମଧ୍ୟ ମହିଳାମାନଙ୍କର ନାହିଁ ବୋଲି କିଛି ସାମାଜିକ କର୍ମୀ କ୍ଷୋଭ ପ୍ରକାଶ କର କହିିଛନ୍ତି । ଯଦିଓ ଗାଁ ଲୋକେ ଓ ଜାତି ସମାଜର ହସ୍ତକ୍ଷେପ ପରେ ଏବେ ପରିସ୍ଥିତି ଶାନ୍ତ ପଡିଛି ଓ ଜାନକୀ ଘରକୁ ଫେରିଛନ୍ତି କିନ୍ତୁ ନିଜର ୧୦ଟି ପିଲାଙ୍କ ଭବିଷ୍ୟତ ନେଇ ଏବେବି ସେ ଚିନ୍ତାରେ
ଭୁବନେଶ୍ୱର ;
କେହି ମହିଳା କେବେ ଭାବିନଥିବେ ଯେ ପରିବାର ନିୟୋଜନ ଅସ୍ତ୍ରୋପଚାର ଯୋଗୁଁ ତାଙ୍କୁ ଘରୁ ବିତାଡିତ ହେବାକୁ ପଡିବ । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସଲେଇକେନା ପଂଚାୟତ ଅନ୍ତର୍ଗତ ଡିମିରିଆ ଗାଁରେ । ୩୬ ବର୍ଷିୟ ଜାନକୀ ଦେହୁରୀ ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଏବେ ସେହିଭଳି ହିନସ୍ତା ଭୋଗୁଛନ୍ତି । ଯଦିଓ ଗାଁ ଲୋକେ ଓ ଜାତି ସମାଜର ହସ୍ତକ୍ଷେପ ପରେ ଏବେ ପରିସ୍ଥିତି ଶାନ୍ତ ପଡିଛି ଓ ଜାନକୀ ଘରକୁ ଫେରିଛନ୍ତି କିନ୍ତୁ ନିଜର ୧୦ଟି ପିଲାଙ୍କ ଭବିଷ୍ୟତ ନେଇ ଏବେବି ସେ ଚିନ୍ତାରେ ।
ଘଟଣାଟି ଏହିପରି
ସଲେଇକେନା ପଂଚାୟତ ଡିମିରିଆ ଗାଁର ରବି ଦେହୁରୀ (୫୭) ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଜାନକୀଙ୍କୁ ଦ୍ୱିତୀୟ ବିବାହ କରନ୍ତି । ବର୍ତମାନ ସେମାନଙ୍କର ୧୦ଟି ପିଲା ଅଛନ୍ତି । ଗାଁର ଆଶାକର୍ମୀ ବିଜୟଲକ୍ଷ୍ମୀ ବିଶ୍ୱାଳଙ୍କ କହିବା ଅନୁସାରେ ଜାନକୀ ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଓ ଏହା ତାଙ୍କର ୧୦ମ ସନ୍ତାନ । ବାରମ୍ବାର ପ୍ରସବ ହେତୁ ଜାନକୀ ଦୁର୍ବଳ ହୋଇପଡୁଥିଲେ ଏବଂ ପରିବାର ନିୟୋଜନ ଅସ୍ତ୍ରୋପଚାର ବିଷୟରେ ତାଙ୍କୁ ସଚେତନ କରାଯାଇଥିଲା । ଗତ ୧୪ ତାରିଖରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଥିଲା । ଆଶାକର୍ମୀ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଜାନକୀ ଏଥିରେ ଅଂଶଗ୍ରହଣ କରି ଅସ୍ତ୍ରୋପଚାର କରିଥିଲେ । ତେବେ ଏକଥା ତାଙ୍କ ସ୍ୱାମୀ ଜାଣିବା ପରେ ଉତକ୍ଷିପ୍ତ ହୋଇ ଉଠିଥିଲେ । ଅସ୍ତ୍ରୋପଚାର କରିଥିବାରୁ ମୋ ଘରର ଠାକୁର ଆଉ ତୋ ହାତରେ ପୂଜା ପାଇବେ ନାହିଁ ତୋର ଏ ଘରେ ରହିବା ଦରକାର ନାହିଁ ବୋଲି କହି ଜାନକୀଙ୍କୁ ତାଙ୍କ ସ୍ୱାମୀ ଘରୁ ତଡି ଦେଇଥିଲେ । ତେଲକୋଇ ବ୍ଲକରେ ସାମାଜିକ କର୍ମୀ ଭାବେ କାମକରୁଥିବା ପ୍ରମିଳା ପଣ୍ଡାଙ୍କ କହିବା ଅନୁସାରେ ରବି ଦେହୁରୀ ଜାତିରେ ବାଥୁଡି ସଂପ୍ରଦାୟର, ଯେଉଁମାନେ କି ଯାଯାବର ଭାବେ ଚଳିଥାଆନ୍ତି । ଯେତେବେଳେ ରବି ଜାଣିଲେ ଯେ ତାଙ୍କ ସ୍ତ୍ରୀ ଜାନକୀ ପରିବାର ନିୟୋଜନ କରିଛନ୍ତି ସେ ଉତକ୍ଷିପ୍ତ ହୋଇ କହିଥିଲେ ଯେ ତାଙ୍କ ସଂପ୍ରଦାୟର ମହିଳାମାନେ ଅସ୍ତ୍ରୋପଚାର କରିପାରିବେ ନାହିଁ । ଅସ୍ତ୍ରୋପଚାର କଲେ ତାଙ୍କ ଘରର ଠାକୁର ପୂଜା କରିପାରିବେ ନାହିଁ । ଏଣୁ ତାଙ୍କୁ ଘରୁ ବାହାର କରିଦେଲେ । ଜାନକୀ ନିଜର ମାସକର ଶିଶୁକନ୍ୟାକୁ ଧରି ଘର ପାଖରେ ଥିବା ଏକ ଗଛ ତଳେ ୨୪ ଘଂଟା ରହିବା ପରେ ଏହି କଥା ଗାଁରେ ପ୍ରଚାର ହୋଇଥିଲା । ଗାଁ ଲୋକେ ତାଙ୍କ ଜାତି ସମାଜର ଲୋକଙ୍କଠାରେ ଏବିଷୟରେ ଆଲୋଚନା କରିବା ସହ ଗାଁର ଓାର୍ଡ ମେମ୍ବର, ଗୋପବନ୍ଧୁ ଯୁବକ ସଂଘ, ପ୍ରମିଳାଙ୍କ ସ୍ୱେଚ୍ଛାସେବୀ ସଂସ୍ଥା ତଥା ବ୍ଲକରେ କାର୍ଯ୍ୟ କରୁଥିବା ଅନ୍ୟ ସଂସ୍ଥା ଏବଂ ମେଡିକାଲ କର୍ମକର୍ତାମାନେ ପହଂଚି ଜାନକୀଙ୍କ ସ୍ୱାମୀଙ୍କୁ ବୁଝାସୁଝା କରିଥିଲେ । ଏହାପରେ ରବି ତାଙ୍କୁ ଘରେ ରହିବାକୁ ଅନୁମତି ଦେଇଥିଲେ ।
ନିଜ ଶରୀର ଉପରେ ନାହିଁ ଅଧିକାର
ଏବେ ମଧ୍ୟ ସମାଜରେ ମହିଳାମାନଙ୍କୁ କୌଣସି ନିଷ୍ପତି ନେବାକୁ ହେଲେ ଘରର ପୁରୁଷଙ୍କ ଅନୁମତି ନେବାକୁ ପଡିଥାଏ । ଏପରିକି ନିଜ ଶରୀର ଓ ସ୍ୱାସ୍ଥ୍ୟ ବିଷୟରେ ନିଷ୍ପତି ନେବାର ଅଧିକାର ମଧ୍ୟ ମହିଳାମାନଙ୍କର ନାହିଁ । ପ୍ରମିଳା କୁହନ୍ତି, ଜାନକୀ ବାରମ୍ବାର ପ୍ରସବ ଯୋଗୁଁ ଶାରୀରିକ ଓ ମାନସିକ ଭାବେ ଭାଙ୍ଗି ପଡିଥିଲେ । ପୁଣି ତାଙ୍କ ସ୍ୱାମୀ ମଦ ପିଇ ରହୁଥିବାରୁ ଘର ଚଳାଇବାର ସବୁ ଦାୟିତ୍ୱ ଜାନକୀଙ୍କ କାନ୍ଧରେ ଥିଲା । ସେ ଆଖପାଖ ଗାଁକୁ ଯାଇ କୁଲି କାମକରି ଯାହା ଆଣୁଥିଲେ ସେଥିରେ ପରିବାରର ସମସ୍ତେ ଖାଇ ପିଇ ଚଳୁଥିଲେ । ଅର୍ଥର ଅଭାବ ହେତୁ ଅନେକ ସମୟରେ ସେମାନଙ୍କୁ ଅଧା ପେଟରେ ଶୋଇବାକୁ ପଡୁଥିଲା । ସେ ନିଜର ଓ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ ଘରୁ ତଡିଦେଇଥିଲେ ।
ଜାନକୀ ଏକାକୀ ପିଲାଙ୍କ ଲାଳନପାଳନ ଦାୟିତ୍ୱ ମୁଣ୍ଡେଇବାରୁ ନିୟମିତ ପ୍ରସବ ଯୋଗୁଁ ବହୁ ହିନସ୍ତା ହେଉଥିଲେ । ତାଙ୍କର ବଡ ଝିଅକୁ ଏବେ ୧୭ ବର୍ଷ ହେବ ହେଲେ ବର୍ଷକ ତଳୁ ସେ କେଉଁଆଡେ ଚାଲିଯାଇଛି । ତାର ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ । ଗୋଟିଏ ପୁଅ ତେଲକୋଇର ଏକ ଦୋକାନରେ କାମ କରୁଥିବା ବେଳେ ଆଉ ଗୋଟେ ପୁଅ ଶ୍ରମିକଭାବେ କାମ କରୁଛନ୍ତି । ସ୍ୱାମୀ ସବୁବେଳେ ମଦ ପିଇ ରହୁଥିବାରୁ ଛୁଆଙ୍କ ଲାଳନପାଳନ ଠିକ ଭାବେ ହୋଇପାରୁନାହିଁ ବୋଲି ସେ ଦୁଃଖପ୍ରକାଶ କରି କହିଛନ୍ତି । ପିଲାଙ୍କୁ ଭବିଷ୍ୟତରେ ଭଲ ମଣିଷ କରିବାର ସ୍ୱପ୍ନ ଦେଖୁଥିବା ଜାନକୀ ପିଲାମାନେ କିପରି ନିୟମିତ ସ୍କୁଲ ଯିବେ ଓ ପାଠ ପଢିବେ ସେ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।