ବିଶ୍ୱ ଘର ଚଟିଆ ଦିବସ: କମିବାରେ ଲାଗିଛି ଏମାନଙ୍କ ସଂଖ୍ୟା, ସୁରକ୍ଷା ନେଇ ପକ୍ଷୀପ୍ରେମୀଙ୍କ ଉଦ୍ୟମ ଜାରି

ଦିନ ଥିଲା ଏମାନଙ୍କ କିଚିରି ମିଚିରି ଶବ୍ଦରେ ନିଦ ଭାଙ୍ଗି ଯାଉଥିଲା । ଏବେ ଏହା ଶୁଣିବା ସାତ ସପନ ହୋଇଗଲାଣି । ଘରର ପକ୍ଷୀ ଘର ଚଟିଆ ଏବେ ବସା ପାଇଁ ଘର ଖୋଜୁଛି । ଆଧୁନିକତାର ଛାପ ଏବଂ ଜଳବାୟୁର ପରିବର୍ତ୍ତନର ଜାଲରେ ଏମାନେ ଏବେ ବିଲୁପ୍ତ ପ୍ରାୟ ।

ବଦଳୁଛି ସଭ୍ୟତା, ବଦଳୁଛି ପରିବେଶ । ପରିବର୍ତ୍ତନର ପ୍ରକ୍ରିୟାରେ ଘର ଚଟିଆ କାଁ ଭାଁ ଦିଶୁଛନ୍ତି । ସହର ଛାଡ଼ନ୍ତୁ, ଗାଁରେ ବି ଶୁଭୁନି କିଚିରି ମିଚିରି ସ୍ୱର, ଗଛ ଡାଳରେ କି ଘର ବାହାରେ ଝୁଲୁନି ଘର ଚଟିଆର ଘର ।

ରାଜ୍ୟ କି ଦେଶ ନୁହେଁ, ସାରା ବିଶ୍ୱରେ ଧରା ପୃଷ୍ଠରୁ ଘର ଚଟିଆଙ୍କ ସଂଖ୍ୟା କମିଗଲାଣି । ପ୍ରତିକୂଳ ପରିବେଶ, ଜଙ୍ଗଲ ହ୍ରାସ, ଚାଳ ବଦଳରେ ପକ୍କା ଘର, ଚାଷରେ ଅଧିକ କୀଟନାଶକ ପ୍ରୟୋଗ, ମାଳ ମାଳ ମୋବାଇଲ ଟାୱାରରୁ ବାହାରୁଥିବା ତରଙ୍ଗ, ଶବ୍ଦ ପ୍ରଦୂଷଣ ଏହି ଚଢ଼େଇ ସଂଖ୍ୟା ବିଲୋପର ମୁଖ୍ୟ କାରଣ ବୋଲି ପକ୍ଷୀ ବିଶେଷଜ୍ଞ କୁହନ୍ତି ।

ଏମିତି ଘଡିସନ୍ଧି ମୁହୂର୍ତ୍ତରେ ବର୍ତ୍ତମାନ ବସା ବାନ୍ଧିବାକୁ ବସା ଖୋଜୁଛି ଘର ଚଟିଆ । ହେଲେ କେଉଁଠି ଜାଗାଟିଏ ପାଉନି । ଶେଷରେ ବାଧ୍ୟ ହୋଇ ବିଦ୍ୟୁତ ତାର ଖୁଣ୍ଟିରେ, ଘରର ସ୍କାଏଲାଇଟ ପାଖରେ ବସା ବାନ୍ଧୁଥିବାର ଦେଖିବାକୁ ମିଳୁଛି । ଆଧୁନିକତାର ଚାକଚକ୍ୟରେ ଏହି ପକ୍ଷୀ ଏବେ ଅଲୋଡ଼ା ପ୍ରାୟ । ବିଳମ୍ବରେ ହେଲେ ବି ଘର ଚଟିଆଙ୍କ ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରିବାକୁ “ନେଚର ଫର ଏଭର ସୋସାଇଟି” ତରଫରୁ ୨୦୧୦ ମସିହା ମାର୍ଚ୍ଚ ୨୦ ତାରିଖକୁ ପ୍ରତିବର୍ଷ “ବିଶ୍ୱ ଘର ଚଟିଆ ଦିବସ” ରୂପେ ପାଳନ କରାଯାଉଛି । ଖୁସିର ବିଷୟ, ଗତ କିଛି ବର୍ଷ ହେବ ଏହି ଦିବସ ପାଳନର ସୁଫଳ ମିଳିଛି । ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଘର ଚଟିଆଙ୍କର ସୁରକ୍ଷା ପାଇଁ ଅଣ୍ଟା ଭିଡି ଆଗେଇ ଆସିଛନ୍ତି । ଜନସାଧାରଣଙ୍କୁ ସଚେତନ କରାଇବା ସହ ପକ୍ଷୀମାନଙ୍କ ଲାଗି କୃତ୍ରିମ ବସା ନିର୍ମାଣ, ଖାଦ୍ୟ ଓ ଜଳ ଯୋଗାଣ ଆଦି ବ୍ୟବସ୍ଥା ମଧ୍ୟ କରୁଛନ୍ତି ।

କାହିଁକି ବିପଦରେ ଘର ଚଟିଆ
ଏବେ ଗାଁଗୁଡିକ ବର୍ତ୍ତମାନ ସହରରେ ପରିଣତ ହେବାକୁ ବସିଲାଣି । ଚାଳ ଘର ବଦଳରେ ଏବେ ମାଳ ମାଳ କୋଠାଘର । ଜଙ୍ଗଲ ପଦା କରି ମୁଣ୍ଡ ଟେକିଲାଣି ବିରାଟ ବିରାଟ ଅଟାଳିକା । ତାସାଙ୍ଗକୁ ଯାହାକୁ ଯେତେ ରାସ୍ତା ଓ କଳକାରଖାନା । ଯଦି ଚାଳ, ଟାଇଲ ଘର ନାହିଁ ଆଉ ତାଳ ଓ ନଡ଼ିଆ ଗଛ ବି ନାହିଁ । ତେବେ ଘର ଚଟିଆ ବସା ବାନ୍ଧିବେ କେଉଁଠି? ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜମିରେ ଅଧିକ କୀଟନାଶକ ବ୍ୟବହାର ଦ୍ୱାରା ପୋକଜୋକ ମରିଯାଉଛନ୍ତି । ଫଳରେ ଘର ଚଟିଆ ଖାଇବେ କ’ଣ? ଏବଂ ଛୁଆଙ୍କ ମୁହଁରେ ଆହାର ଦେବେ କ’ଣ? ଏହା ସହ ସ୍ଲୋପଏଜନ ପରି ମୋବାଇଲ ଟାୱାରର ତରଙ୍ଗ ନୀରବରେ ସେମାନଙ୍କୁ ମାରି ଚାଲିଛି ।

ଓଡ଼ିଶାର ଲୋକକଥା ଅନୁସାରେ, ଘର ଚଟିଆ ଦାଣ୍ଡରେ ଧୂଳି ସ୍ନାନ କଲେ ଶୀଘ୍ର ବର୍ଷା ହେବ, ଆଉ ଯଦି ସେମାନେ ପାଣିରେ ବୁଡନ୍ତି ତାହାଲେ ବର୍ଷା ହେବାର ସମ୍ଭାବନା କମ ଥାଏ ବୋଲି ସୂଚନା ମିଳେ । ଘର ଚଟିଆକୁ ଲୋକେ ପାଣିପାଗର ବାହକ ବୋଲି ମାନନ୍ତି । ଏହା ସହ ଘର ଆଗରେ ଘର ଚଟିଆ ବସା ବାନ୍ଧିଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୁଏ ବୋଲି ଅନେକ ବିଶ୍ୱାସ କରନ୍ତି । ଆଦିବାସୀମାନେ ଘରର କାନ୍ଥରେ ଘର ଚଟିଆର ଚିତ୍ର ଆଙ୍କି ଏହି ପକ୍ଷୀ ପ୍ରତି ନିଜର ଭଲପାଇବା ମଧ୍ୟ ଜାହିର କରିଥାନ୍ତି ।

ଘର ଚଟିଆଙ୍କୁ କୁଣିଆ କରିଛି “ପ୍ରବାସୀ ଗ୍ରାମ”
ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ “ଆଇୟୁସିଏନ” ନାମରେ ଏକ ସଂସ୍ଥା ଗଠିତ ହୋଇଛି । ଏହାର ରିପୋର୍ଟ ଅନୁଯାୟୀ, ୨୦୦୫ ସୁଦ୍ଧା ଘର ଚଟିଆ ମାନଙ୍କ ସଂଖ୍ୟା ଶତକଡା ୮୦% କମିଗଲାଣି । ଏହାର ଅର୍ଥ ପ୍ରତି ୧୦୦ ପକ୍ଷୀ ମଧ୍ୟରୁ ୨୦ଟି ବଞ୍ଚିଛନ୍ତି । ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ଅନୁଷ୍ଠାନଗୁଡିକ ଏମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଘର ଚଟିଆମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତର ବିଭିନ୍ନ ରାଜ୍ୟରେ ସ୍ବେଛାସେବୀ ସଂସ୍ଥା ଦାୟିତ୍ୱ ନେଇଛନ୍ତି । ଓଡ଼ିଶାରେ ମଧ୍ୟ ସେହିଭଳି ବହୁ ପକ୍ଷୀ ତଥା ପରିବେଶପ୍ରେମୀ ଆଗଭର ହୋଇ ଘର ଚଟିଆଙ୍କର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ପ୍ରଥମେ ଗଞ୍ଜାମ ଜିଲ୍ଲାରୁ କୃତ୍ରିମ ବସା ସହ ଏକଯୋଡ଼ା ଘର ଚଟିଆ ବଣ୍ଟନକାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ସରକାର ବି ସହାୟତା କରୁଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଘର ଚଟିଆଙ୍କୁ କୁଣିଆ କରି ଡାକିବା ଲାଗି “ପ୍ରବାସୀ ଗ୍ରାମ” ସୃଷ୍ଟି କରିବାକୁ ଅନେକ ପକ୍ଷୀପ୍ରେମୀ ଯୋଜନା ମୁତାବକ କାମ କରୁଛନ୍ତି ।

ସୁରକ୍ଷା ପ୍ରହରୀ ରବୀନ୍ଦ୍ର, ସାହା ପାଲଟିଛି କୃତ୍ରିମ ବସା
ଓଡ଼ିଶାର ପରିବେଶ ଉପରେ କାମ କରୁଥିବା ରବୀନ୍ଦ୍ର ନାଥ ସାହୁ ଗଞ୍ଜାମ ଜିଲ୍ଲା ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମରେ ୨୦୦୭ ମସିହାରୁ ଘର ଚଟିଆଙ୍କ ସୁରକ୍ଷା ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ରାଜ୍ୟର ୧୮ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କୁ ବ୍ୟାପ୍ତ କରିବାରେ ସଫଳ ହୋଇଛନ୍ତି । ଏହି ବିରଳ ଚଟିଆମାନଙ୍କ ସୁରକ୍ଷା, ବଂଶବୃଦ୍ଧି ପାଇଁ “ଋଷିକୂଲ୍ୟା କଇଁଛ ସୁରକ୍ଷା ସମିତି” ପକ୍ଷରୁ ଉଦ୍ୟମ ଜାରି ରହିଛି । ସମିତି ପକ୍ଷରୁ କୃତ୍ରିମ ଉପାୟରେ ଘର ଚଟିଆଙ୍କ ପାଇଁ ବସା ତିଆରି କରାଯିବା ସହ ସେମାନଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ସମିତିର ସମ୍ପାଦକ ରବୀନ୍ଦ୍ର ସାହୁ କହିଛନ୍ତି । ପ୍ରଥମେ ଯେତେବେଳେ ସେ ଏହି କାର୍ଯ୍ୟ ଆରମ୍ଭ କଲେ ସେତେବେଳେ ଗାଁରେ ୭ଟି ଘର ଚଟିଆ ଥିଲେ ଏବେ ୪୦୦ ଘର ଚଟିଆରେ ପରିଣତ ହୋଇଗଲେଣି । ଆଧୁନିକତାର ଛାପରେ ଛଣ ଛପର ଘରର ଅଭାବ ଘର ଚଟିଆଙ୍କ ପାଇଁ କାଳ ସାଜିଛି । ଚାଷରେ ଅଧିକ କୀଟନାଶକ ବ୍ୟବହାର ଲାଗି ଛୋଟ କୀଟ ଦେଖିବାକୁ ମିଳୁନାହାନ୍ତି ଫଳରେ ଘର ଚଟିଆଙ୍କୁ ଖାଦ୍ୟ ମିଳୁନି ।

ଘର ଚଟିଆ ସଂଖ୍ୟା କମିବାର ବହୁ କାରଣ ରହିଥିବା ବେଳେ ସମିତି ପକ୍ଷରୁ ସେମାନଙ୍କ ପାଇଁ ଉତ୍ତମ ଖାଦ୍ୟ ସଂଗ୍ରହ ସହ ସେମାନଙ୍କ ପାଇଁ ମାଟି ହାଣ୍ଡି ଏବଂ ନଡିଆ, ବାଉଁଶ, ପେପର ଓ ପ୍ଲାଏଉଡ ବସା ତିଆରି କରାଯାଇ ସୁରକ୍ଷା ଦିଆଯାଉଛି । ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ବସା ବିତରଣ କରାଯାଇଥିବା ଶ୍ରୀ ସାହୁ କହିଛନ୍ତି । ସାଧାରଣ ଚଟିଆମାନେ ବର୍ଷକୁ ଚାରିଥର ଅଣ୍ଡାଦାନ କରୁଥିବା ବେଳେ ଥରକେ ୩-୪ ଟି ଅଣ୍ଡାଦାନ କରନ୍ତି । ଅଣ୍ଡାଦାନର ୨୧ ଦିନ ପରେ ଛୁଆ ଫୁଟିଥାନ୍ତି ବୋଲି ରବୀନ୍ଦ୍ର କୁହନ୍ତି । ଏବେ ସଚେତନତା ପରେ ଘର ଚଟିଆଙ୍କ ସଂଖ୍ୟା ସାମାନ୍ୟ ବଢିଛି ମାତ୍ର ଆହୁରି ସଚେତନତା ଜରୁରି । ସରକାର ଯଦି ଏବେଠୁ ଘର ଚଟିଆଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଉତ୍ତରପିଢ଼ି ଘର ଚଟିଆଙ୍କୁ ପଢା ବହିରେ ପାଇବେ ବୋଲି ରବୀନ୍ଦ୍ର କହିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଘର ଚଟିଆ ସୁରକ୍ଷା ସଚେତନତା ସହ କୃତ୍ରିମ ବସା ବଣ୍ଟନ

ଦୀପାରାଣୀଙ୍କ ଖେଳ ଓ ଚିତ୍ରରେ ସଚେତନତା
ମାଲକାନଗିରି ଜିଲ୍ଲାରେ ଦୀପାରାଣୀ ନାୟକ ଖେଳ ଓ ଚିତ୍ର ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଶୁ ପକ୍ଷୀଙ୍କ ସୁରକ୍ଷା, ବିଶେଷକରି ଘର ଚଟିଆଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ସଚେତନତା କରୁଛନ୍ତି । ୩୦ ବର୍ଷୀୟା ଦୀପାରାଣୀ ନିଜେ ପାଠ ପଢିବା ସହ ଏହି କାର୍ଯ୍ୟ ଜାରି ରଖିଛନ୍ତି । ନିଜସ୍ୱ ଉଦ୍ୟମରେ ଘର ଚଟିଆଙ୍କ ପାଇଁ ବିଭିନ୍ନ ଅଦରକାରୀ ଜିନିଷ ବ୍ୟବହାର କରି ୨୦୦ରୁ ଅଧିକ କୃତ୍ରିମ ବସା ପ୍ରସ୍ତୁତ ସହ ତାକୁ ସ୍ଥାନୀୟ ଅଞ୍ଚଳରେ ବାଣ୍ଟିଛନ୍ତି । ୨୦୧୫ରୁ ସେ ନିଜ ଘରୁ ଏହି କାମ ଆରମ୍ଭ କରିଥିଲେ ।

ଘର ଚଟିଆଙ୍କ ପାଇଁ ଦୀପାରାଣୀଙ୍କ କୃତ୍ରିମ ବସା

ଲାଉ ତୁମ୍ବାରେ ବସା କରି ଘରେ ଘର ଚଟିଆଙ୍କୁ ଧାନ, ଖୁଦ, ମାଣ୍ଡିଆ, ପାଣି ଦେଇ ରଖିଥିଲେ । ସାପ ଶିଡ଼ି ଖେଳ ବା ଗେମ୍ ମାଧ୍ୟମରେ ସେ ଏନେଇ ପିଲାଙ୍କୁ ସଚେତନ କରାଉଛନ୍ତି । କିଛି ଷ୍ଟାର ହୋଟେଲର ବାଲକୋନୀରେ ଏବେ ଘର ଚଟିଆଙ୍କ ଲାଗି ବସା ବ୍ୟବସ୍ଥା ହେବା ଦେଖିବାକୁ ମିଳୁଛି ।

ଏହାଦ୍ୱାରା ସେମାନଙ୍କ କିଚିରି ମିଚିରି ଶବ୍ଦ ହୋଟେଲ ଅତିଥିଙ୍କୁ ବେଶ ଅମୋଦିତ କରୁଛି । ଅନେକ ସରକାରୀ ଅଫିସ, ମଲ, କର୍ପୋରେଟ ହାଉସର ଖୋଲା ପ୍ରାଙ୍ଗଣରେ ବି ଘର ଚଟିଆଙ୍କ ଲାଗି ବସା ବ୍ୟବସ୍ଥା ହେଲାଣି । ଏ ବାବଦରେ ଆହୁରି ସଚେତନତା ଲୋଡ଼ା ବୋଲି ଦୀପାରାଣୀ କହିଛନ୍ତି ।

Leave a Reply

Your email address will not be published. Required fields are marked *