ଏଇ ସମୁଦ୍ର ଆମର ସବୁକିଛି । ଆମର ଜମି କି ଜଙ୍ଗଲ ନାହିଁ କିନ୍ତୁ ଏଇ ସମୁଦ୍ର ଆମ ପେଟକୁ ଦାନା ଦିଏ । ଗତ ୪୦-୫୦ ବର୍ଷ ହେବ ଆମେ ସମୁଦ୍ର ମାଛ ବିକ୍ରି କରି ପେଟ ପୋଷୁଛୁ । ଆଗେ ଛୋଟ ବେଳେ ମୁଁ ମୋ ମା ସହିତ ଆସୁଥିଲି ତା ପରେ ଅନ୍ୟ ମହିଳାମାନଙ୍କ ସହ ମିଶି ଆସୁଛି। ଆମ କାମ ବହୁତ କଷ୍ଟ । ରାତି ୩ ଟାରୁ ଆରମ୍ଭ କରି ଦିନ ତିନିଟା ଯାଏଁ ଆମେ କାମରେ ଲାଗିଥାଉ। ଏତେ କାମ ପରେ ବି ଆମର କାମ ରୋଜଗାର ହୁଏ ।ଏମିତି କିଛି କହିଥିଲେ ଗଞ୍ଜାମ ଜିଲ୍ଲା ସମୁଦ୍ର କୂଳରେ ଅବସ୍ଥିତ ନୂଆ ପୋଡମପେଟା ଗାଁର ବି. କମୁଡ଼ିଆମ୍ମା।

୫୫ ବର୍ଷର କମୁଡିଆମ୍ମା ରାତି ତିନିଟାରୁ ବାହାରି ପଡନ୍ତି ସମୁଦ୍ର ଆଡ଼କୁ । ହାତରେ ଥାଏ ଟୋକେଇ, ପାଣି ବୋତଲ ଆଉ କିଛି ଖୁଚୁରା ଟଙ୍କା। ପ୍ରାୟ ଦେଢ଼ ଦୁଇ କିଲୋମିଟର ଚାଲିବା ପରେ ପହଞ୍ଚି ଯାଆନ୍ତି ସମୁଦ୍ର କୂଳରେ । ସେତେବେକୁ ଅନ୍ୟମାନେ ମଧ୍ୟ ପହଞ୍ଚି ଯାଇଥାନ୍ତି । ସେଇଠି କିଛି ସମୟ ଅପେକ୍ଷା କରିବା ପରେ ସମୁଦ୍ରରୁ ମାଛ ଧରି ପହଞ୍ଚି ଯାଆନ୍ତି ମତ୍ସଜୀବୀମାନେ ।

ବେଳେବେଳେ ଆମକୁ ବହୁତ ସମୟ ଅପେକ୍ଷା କରିବାକୁ ପଡେ । ପାଗ ଭଲ ଥିଲେ ମତ୍ସ୍ୟଜୀବୀ ମାନେ ଶୀଘ୍ର ଫେରି ଆସନ୍ତି ଏବଂ ବେଶୀ ମାଛ ଆଣି ଆସନ୍ତି । ମାଛ କମ୍ ଆଣିଲେ ପୁଣି ମୂଲଚାଲରେ ଅଧିକ ସମୟ ଯାଏ । କାରଣ ବେଶୀ ଦାମ ହେଲେ ଆମକୁ ମିଳେନା ବୋଲି କୁହନ୍ତି କମୁଡ଼ିଆମ୍ମା ।
ନିଜ ନିଜ ଟୋକେଇ ରେ ପ୍ରାୟ ୨୦ କେଜି ଓଜନର ମାଛ ନେଇ ବାହାରିଯାଆନ୍ତି ବିକ୍ରି ପାଇଁ । କେହି କେହି ମାଛ ନେଇ ପାଖ ଗାଁକୁ ଯାଉଥିବା ବେଳେ ଆଉ କେହି କେହି ଅଟୋ ନଚେତ୍ ବସ୍ ରେ ବ୍ରହ୍ମପୁର ଯାଏଁ ଯାଆନ୍ତି । ହାଟ ପାଳିଥିଲେ ଭଲ ରୋଜଗାର ହୁଏ ବୋଲି କୁହନ୍ତି କମୁଡ଼ିଆମ୍ମା।

ଶୀତ ଦିନ ତୁଳନାରେ ଖରା ଦିନେ ତାଙ୍କୁ ବେଶୀ କଷ୍ଟ ହୁଏ । ସେ କୁହନ୍ତି ‘ଏବେ ଖରା ଦିନେ ଦିନ ବେଳା ଏତେ ଖରା ଟାଣ ହୁଏ ଯେ ଟିକେ ବୁଲିବା ପରେ ଥକ୍କା ଲାଗେ ।ପୁଣି ଟୋକେଇ ବୋଝ ମୁଣ୍ଡ ଉପରେ ରଖି ବୁଲିଲା ବେଳେ ଅଣ୍ଟା ପିଠି ବ୍ୟଥା ହୋଇଯାଏ ।
କମୁଡିଆମ୍ମାଙ୍କ ପରି ଆଉ ଜଣେ ହେଉଛନ୍ତି ଲାଙ୍କା ଲଚ୍ଛମୀ । ୫୪ ବର୍ଷୀୟା ଲଚ୍ଛମୀଙ୍କ ଘର ଗଂଜାମ ଜିଲ୍ଲା ଆର୍ଯ୍ୟ ପଲ୍ଲୀରେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଶୁଖୁଆ ବିକ୍ରି କରି ପରିବାର ଚଳାନ୍ତି । ସମୁଦ୍ର ବେଳାଭୂମିରେ ମାଛ ଆଣି ଶୁଖେଇବା ପୁଣି ଲୁଣ ଦେଇ ତାକୁ ପୁଣି ଥରେ ଶୁଖେଇବା ଏସବୁ ପାଇଁ ଅନେକ ସମୟ ଯାଏ । ଛୋଟ ବେଳୁ ଏ କାମ ସେ କରିଆସୁଥିବାରୁ ତାଙ୍କୁ ଏ କାମ ଭଲ ଲାଗେ ବୋଲି ସେ କୁହନ୍ତି । ଲଚ୍ଛିମୀ କୁହନ୍ତି, ‘ଶୁଖୁଆ କାମ କରୁଥିବାରୁ ଅନେକ ସମୟରେ ଦେହ ହାତରୁ ଶୁଖୁଆ ଗନ୍ଧ ବାହାରେ । କିନ୍ତୁ ଏଇ ଗନ୍ଧ ତାଙ୍କୁ ଭଲ ଲାଗେ ବୋଲି ସେ କହନ୍ତି । ’ ଶୁଖୁଆ କରି ସେ ପାଖ ହାଟରେ ବିକ୍ରି କରନ୍ତି । ଅନେକ ସମୟରେ ବେପାରୀମାନେ ସେମାନଙ୍କଠାରୁ କମ ମୂଲ୍ୟ ଦେଇ ଜିନିଷ ନେଇଯାଆନ୍ତି ।

ତେବେ ସବୁଠାରୁ ବେଶୀ ସମସ୍ୟା ହୁଏ ଅଫ୍ ସିଜିନ ସମୟରେ । ବର୍ଷକୁ ଦୁଇ ମାସ (ଏପ୍ରିଲ ୧୫ରୁ ଜୁନ ୧୫ ଯାଏଁ) କାମ ବନ୍ଦ ରହୁଥିବାରୁ ସେମାନଙ୍କ ରୋଜଗାରର ଉପରେ ଏହାର ପ୍ରଭବ ପଡେ । ପୁରୁଷ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ମାଛ ଧରୁଥିବାରୁ ସେମାନଙ୍କୁ ସରକାର ମତ୍ସ୍ୟଜୀବୀ ସ୍ୱୀକୃତି ଦେଇଛନ୍ତି । ହେଲେ ମହିଳାମାନେ ଶୁଖୁଆ କରିବା, ବଛାବଛି, ବିକ୍ରିବଟା କାମରେ ରହୁଥିବାରୁ ସେମାନଙ୍କୁ ସରକାର ମତ୍ସ୍ୟଜୀବୀର ସ୍ୱୀକୃତି ଦେଇନାହାନ୍ତି । ଫଳରେ ଏହି କାମ ବନ୍ଦ ସମୟରେ ପୁରୁଷଙ୍କୁ ଭରଣପୋଷଣ ବାବଦରେ ଅର୍ଥ ମିଳୁଥିବା ବେଳେ ମହିଳା ମତ୍ସଜୀବୀଙ୍କୁ କିନ୍ତୁ ଏ କ୍ଷେତ୍ରରେ କିଛି ବି ମିଳେନାହିଁ । ଯେଉଁମାନେ ଏକାକୀ ମହିଳା ସେମାନେ ବେଶୀ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଯଦି ସରକାର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱୀକୃତି ଦିଅନ୍ତି ତେବେ ଆମେ ସମସ୍ତେ ଉପକୃତ ହେବୁ ବୋଲି କୁହନ୍ତି ଲଛମୀ ।
ସେଦିନ ଋଷିକୁଲ୍ୟା ବେଳାଭୂମିରୁ ଫେରିବା ବେଳେ କମୁଡିଆମ୍ମା, ଲଛମୀ ଓ ତାଙ୍କ ଭଳି ଅନେକ ମହିଳା ମତ୍ସ୍ୟଜୀବୀ ବିଭିନ୍ନ କାମରେ ନିୟୋଜିତ ଥିବା ଦେଖିଲୁ । ଏହି ମହିଳାମାନେ ପେଟ ପୋଷିବା ପାଇଁ କେତେକଷ୍ଟ କରୁଛନ୍ତି ସେଇଟା ତାଙ୍କୁ ଦେଖି ବୁଝାପଡୁଥିଲା । ତା ଉପରେ ପୁଣି ଘରର କାମ । ଆମେ ଫେରିବା ବେଳେ କମୁଡିଆମ୍ମା କହିଲେ, ‘କାମ ଯେତେ କଷ୍ଟ ଲାଗୁ ପଛେ କିଛି ସମୟ ଏଇ ସମୁଦ୍ର କୂଳରେ ବସିଗଲେ ମନ ଶାନ୍ତ ହୋଇଯାଏ । ପୁଣି ପରଦିନ କାମ ପାଇଁ ଜୋର ଆସିଯାଏ ।’

(ଏକ ବେସରକାରୀ ସଂସ୍ଥା ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ସମୁଦ୍ର ତଟ ଗାଁଗୁଡିକର ମତ୍ସ୍ୟଜୀବୀ ପରିବାରର ଝିଅ ମାନଙ୍କୁ ନେଇ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ। ଲେଖା, ଭିଡିଓ ଓ ଫଟୋ ମାଧ୍ୟମରେ ନିଜ ଅଞ୍ଚଳର ସମସ୍ୟାକୁ ସେମାନେ କିପରି ଲୋକଲୋଚନକୁ ଆଣି ପାରିବେ ସେ ନେଇ ଟ୍ରେନିଂ ଦିଆଯାଉଛି । ସେମାନେ ତାଙ୍କ ଅଞ୍ଚଳରେ ନିତିଦିନ ଦେଖୁଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଷ୍ଟୋରୀ ମାଧ୍ୟମରେ ଲେଖିବେ। ଏ ଯାଏଁ ଯାହା ଶିଖିଛନ୍ତି ତାକୁ ନେଇ ଷ୍ଟୋରିଜ ଓଡ଼ିଶା ପାଇଁ କେ. ସାତିଆମ୍ମା, ଏସ୍. ମମତା, କେ. ଜ୍ୟୋତି, ଭି. ପୂଜା, ଚନ୍ଦ୍ରମା, ପ୍ରଭାତୀ ପୂର୍ଣାଲି ପ୍ରସ୍ତୁତ କରିଛନ୍ତି ଏହି ରିପୋର୍ଟ।)
